ଭୋଟରଙ୍କ ଉପରେ ବିଜେଡିର ପ୍ରତିଶୋଧ!

ପୁଣି ଥରେ କ୍ଷମତାକୁ ଫେରାଇ ନ ଥିବାରୁ ବିଜେଡି ପ୍ରତିଶୋଧ ପରାୟଣ ହୋଇ ଓଡ଼ିଶାର ଜନସାଧରଣଙ୍କୁ ଦଣ୍ଡିତ କରିବାର ଉଦ୍ୟମ କରୁଛି ବୋଲି ସଧାରଣରେ ଗୋଟେ ଧାରଣା ସୃଷ୍ଟି ହେଲାଣି। ସାମ୍ପ୍ରତିକ ଘଟଣାକ୍ରମ ଏ କଥାକୁ ଏକ ପ୍ରକାରେ ପ୍ରମାଣିତ କରୁଛି।

BSKY Card

  • Published: Monday, 17 June 2024
  • , Updated: 17 June 2024, 12:20 PM IST

ତପନ କୁମାର ପାଢ଼ୀ

ପୁଣି ଥରେ କ୍ଷମତାକୁ ଫେରାଇ ନ ଥିବାରୁ ବିଜେଡି ପ୍ରତିଶୋଧ ପରାୟଣ ହୋଇ ଓଡ଼ିଶାର ଜନସାଧରଣଙ୍କୁ ଦଣ୍ଡିତ କରିବାର ଉଦ୍ୟମ କରୁଛି ବୋଲି ସଧାରଣରେ ଗୋଟେ ଧାରଣା ସୃଷ୍ଟି ହେଲାଣି। ସାମ୍ପ୍ରତିକ ଘଟଣାକ୍ରମ ଏ କଥାକୁ ଏକ ପ୍ରକାରେ ପ୍ରମାଣିତ କରୁଛି।

ପ୍ରଥମେ ଡାକ୍ତରଖାନାଗୁଡ଼ିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱ।ଇ) କାର୍ଡ଼କୁ ଗ୍ରହଣ କରିବାକୁ ମନା କରିଦେବା ଏବଂ ରୋଗୀମାନଙ୍କୁ ଫେରାଇଦେବା ଘଟଣା ଓଡ଼ିଶାର ନଗରିକମାନଙ୍କ ପାଇଁ ଏକ ଶକ୍ତ ଧକ୍କା ଥିଲା। ଗୁଜବ ସୃଷ୍ଟି ହେଲା ଯେ ସରକାର ବିଏସକେୱ।ଇ ବନ୍ଦ କରିଦେଲେ। ହେଲେ କେଉଁ ସରକାର ସେଥିରେ କିଛି ସ୍ପଷ୍ଟତା ନଥିଲା। ପୂର୍ବର ବିଜେଡି ସରକାର ହାରିଯିବା କାରଣରୁ ଯୋଜନାକୁ ବନ୍ଦ କରିଦେଲେ ବୋଲି ଗୋଟିଏ ଧାରଣା ସୃଷ୍ଟି ହୋଇଥିବାବେଳେ ଅନ୍ୟପଟେ ନବ ନିର୍ବାଚିତ ବିଜେପି ସରକାର ଏହା କରିଥାଇ ପାରନ୍ତି ବୋଲି ଗୁଜବ ସୃଷ୍ଟି ହେଲା। ତେବେ ସେ ଯାହା ହେଉନା କାହିଁକି ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଦିନକ ପରେ ଘୋଷଣା କଲେ ଯେ ବିଏସକେୱ।ଇ ଯୋଜନା ବନ୍ଦ ହୋଇନାହିଁ ଏବଂ କୌଣସି ଡାକ୍ତରଖାନା ଏହି କାର୍ଡ଼କୁ ନେଇ ସମସ୍ୟା ସୃଷ୍ଟି କଲେ ଲୋକେ ୧୦୪ ହେଲ୍ପ ଲାଇନରେ ଅଭିଯୋଗ କରିପାରିବେ। ସେ ସ୍ପଷ୍ଟ କରିଦେଲେ ଯେ ନୂଆ ସରକାର ଦାୟିତ୍ୱ ନେବା ପରେ ଏହା ସମ୍ପର୍କରେ ଯାହା ନିଷ୍ପତ୍ତି ନେବେ। ମୁଖ୍ୟ ଶାସନ ସଚିବଙ୍କ ପଛକୁ ପଛ ଡାକ୍ତରଖାନାମାନଙ୍କ ସଂଘ ସଫେଇ ଦେଲା ଯେ ଶାସକ ଦଳରେ ପରିବର୍ତ୍ତନ ହେବା ପରେ ଡାକ୍ତରଖାନାମାନେ ଭ୍ରମରେ ପଡ଼ି ବିଏସକେୱ।ଇ କାର୍ଡ଼ ଗ୍ରହଣ ନ କରିବା ସକାଶେ ନିଷ୍ପତ୍ତି ନେଇଥିଲେ।ଏଠାରେ ବିଏସକେୱାଇ ପ୍ରକରଣ ଶେଷ ହେଲା ବୋଲି ଭାବିବା ଠିକ ନୁହେଁ। ଏପରି ଭାବିବା ପୂର୍ବରୁ ନିମ୍ନୋକ୍ତ କେତୋଟି ପ୍ରଶ୍ନର ଉତ୍ତର ଦିଆଯିବା ଏକାନ୍ତ ଆବଶ୍ୟକ।

ଡାକ୍ତରଖାନାମାନେ ବିଏସକେୱାଇ ଯୋଜନାରେ ଅନ୍ତର୍ଭୁକ୍ତ ହେବା ରାଜ୍ୟ ସରକାରଙ୍କ ସହ କୌଣସି ସରକାରୀ ରାଜିନାମା(ଏଗ୍ରିମେଣ୍ଟ ବା ଏମଓୟୁ)ଦ୍ୱାରା ହୋଇଥିଲା ତ? ନା ବିଜେଡ଼ି ଦଳର କେହି କହିଦେଲେ ବୋଲି ଡାକ୍ତରଖାନାମାନେ ବିଏସକେୱାଇ ମାଧ୍ୟମରେ ଚିକିତ୍ସା ଯୋଗାଉଥିଲେ! ଯଦି ସରକାରଙ୍କ ସହ ରାଜିନାମା ହୋଇଥିଲା ତେବେ ବିଜେଡ଼ି ଯାଇ ବିଜେପି ଆସିବାରେ ଡାକ୍ତରଖାନାମାନଙ୍କର କଣ ଅସୁବିଧା? ଵିଲ୍ ପରିଶୋଧର ଦାୟ ତ ରାଜ୍ୟ ସରକାରଙ୍କର ନା!

ପ୍ରତ୍ୟେକ ରାଜିନାମାରେ ଚିକିତ୍ସା ସେବା ପ୍ରଦାନର ଏକ ଅବଧି ଥାଏ। କ'ଣ ବିଜେଡ଼ି ପରାଜିତ ହେବା ସମୟକୁ ହିଁ ଏହି ରାଜିନାମାର ସମୟକାଳ ସରିଗଲା? ଯଦି ସମୟକାଳ ସରିଯିବା ଯୋଗୁଁ ଡାକ୍ତରଖାନାମାନେ ଚିକିତ୍ସା କରିବା ବନ୍ଦ କରିଦେଲେ ତେବେ ତାହାର ଦଲିଲ/ପ୍ରମାଣ ସର୍ବସାଧାରଣରେ ପ୍ରକାଶ କରି ସେମାନେ ଦୋଷମୁକ୍ତ ହୁଅନ୍ତୁ। ନହେଲେ ସେମାନେ ରାଜିନାମାର ଖିଲାଫ କରିଥିବା ଏବଂ ଅତ୍ୟାବଶ୍ୟକୀୟ ସେବା ଯୋଗାଇବାରେ ଅବହେଳା କରିଥିବା କାରଣରୁ ଦଣ୍ଡିତ ହେବାପାଇଁ ପ୍ରସ୍ତୁତ ରହିବା ଉଚିତ।

ଏଠାରେ ଆଉ ଦୁଇଟି କଥା ମଧ୍ୟ ସ୍ମରଣ କରାଯିବା ଉଚିତ। ପ୍ରଥମତଃ ନିର୍ବାଚନବେଳେ ବିଜେଡ଼ି ହାରିଗଲେ ଡାକ୍ତରଖାନାରେ ବିଏସକେୱାଇ କାର୍ଡ଼ ଚାଲିବ ନାହିଁ ଏବଂ ଚିକିତ୍ସା ପାଇଁ ଅନେକ ଖର୍ଚ୍ଚlନ୍ତ ହେବାକୁ ପଡ଼ିବାର ଦୁଃସ୍ୱପ୍ନକୁ ନେଇ ଏକ ବିଜେଡ଼ି ଭିଡ଼ିଓ ପ୍ରଚାର କରାଯାଇଥିଲା। ବିଜେଡ଼ି ଆଉ ସେହି ପ୍ରଚାର ଭିଡ଼ିଓକୁ ସତ କରାଇ ଭୋଟରମାନଙ୍କ ଉପରେ ପ୍ରତିଶୋଧ ନେଉ ନାହିଁ ତ?

ଅନ୍ୟ କଥାଟି ହେଲା ଯେ ଡାକ୍ତରଖାନାମାନେ ଯେପରି ତରବରିଆ ଏବଂ ବିନା ନୋଟିସରେ ବିଏସକେୱାଇ କାର୍ଡ଼କୁ ପ୍ରତ୍ୟାଖ୍ୟାନ କଲେ ସେଥିରୁ ଏହି ଗନ୍ଧ ମିଳୁଛି ଯେ ସେମାନେ ଏହି ଫାଇଲକୁ ବନ୍ଦ କରିଦେବାକୁ ବ୍ୟଗ୍ର। କଣ ବିଏସକେୱାଇ କାର୍ଡରେ ଅନେକ କିଛି ଅନୌପଚାରିକ ଭାବେ ଚାଲୁଥିଲା କି? ସେଗୁଡିକ କଣ? ତେଣୁ ନବନିର୍ବାଚିତ ସରକାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଏକାନ୍ତ ଆବଶ୍ୟକ।

କେବଳ ବିଏସକେୱାଇ କାର୍ଡଦ୍ୱାରା ଚିକିତ୍ସାକୁ ବନ୍ଦ କରାଯିବାର ପ୍ରୟାସରେ ଏପରି ହୀନ ଚକ୍ରାନ୍ତ ସୀମିତ ହୋଇ ରହିନାହିଁ। ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିବା ଲାଇଟଗୁଡିକୁ ବିନା ନୋଟିସରେ ହଠାତ ଖୋଲିଦେଇ ଶ୍ରୀମନ୍ଦିରକୁ ଅନ୍ଧାର କରିଦିଆଯିଵା ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଅସମ୍ମାନ ତଥା ଓଡ଼ିଶାବାସୀଙ୍କ ପାଇଁ ଘୋର ଅପମାନର ବିଷୟ। ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ଏକ ସ୍ଥାନୀୟ ସଂସ୍ଥାକୁ ଦାୟିତ୍ୱ ଦିଆ ଯାଇଛି ଏବଂ ଏହି ସଂସ୍ଥାର ଉଦ୍ୟମ ଫଳରେ ଶ୍ରୀମନ୍ଦିରର ପୁନଃ ଆଲୋକୀକରଣ କରାଯାଇଛି।

ସେହିପରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ବେଳେ ଆରମ୍ଭ କରାଯାଇଥିବା ପ୍ରଦର୍ଶନୀ ମଧ୍ୟ ହଠାତ ଭାଙ୍ଗିଦିଆଯିବା ଅତ୍ୟନ୍ତ ଲଜ୍ଜାଜନକ। ଏହାଠାରୁ ଅଧିକ ଲଜ୍ଜାଜନକ ହେଉଛି - ଏହା କିଏ ଭାଙ୍ଗିଲା ଏବଂ କିଏ ପ୍ରଦର୍ଶନୀ ଲାଇଟସବୁ ଖୋଲିନେଲା ସେ ସମ୍ପର୍କରେ କେହି ହେଲେ ନ'ଜାଣିବା। ଶ୍ରୀମନ୍ଦିର ପ୍ରଶାସନ ଜାଣିନାହିଁ କି ଜିଲ୍ଲା ପ୍ରଶାସନ ମଧ୍ୟ ଏ ସମ୍ପର୍କରେ ଅବଗତ ନାହିଁ। ଓଡ଼ିଆ ଜାତିର ଆରାଧ୍ୟଙ୍କର କଥା ତା ହେଲା କିଏ ବୁଝୁଛି? ଜଗନ୍ନାଥ ନିରାପଦ ତ? ତେବେ ଜଗତ ନିୟନ୍ତାଙ୍କର ନିରାପତ୍ତା କଥା ଉଠାଇବା ହୁଏତ ଧୃଷ୍ଟତା ହୋଇପାରେ!

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଥିବା ଓଡ଼ିଶା ସେତୁ ନିର୍ମାଣ ନିଗମ ଵା ଓବିସିସି ମଧ୍ୟ ସେ ସମ୍ପର୍କରେ କିଛି ହେଲେ ଜାଣିନାହିଁ। ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁଯାୟୀ ଦିଲ୍ଲୀସ୍ଥିତ ଥାର୍ଡ଼ ୱେଭ ସଂସ୍ଥା ଶ୍ରୀମନ୍ଦିର ଆଲୋକୀକରଣର ଠିକା ନେଇଥିବା ବେଳେ ସେହି ଦିଲ୍ଲୀର ଏନକେ କପୁର ପ୍ରାଇଭେଟ ଲିମିଟେଡ଼ କାଳେ ଶ୍ରୀଜଗନ୍ନାଥବଲ୍ଲଭ ପରିସରର ପ୍ରଦର୍ଶନୀ ପାଇଁ ଆଲୋକୀକରଣର କାର୍ଯ୍ୟ କରୁଥିଲେ। ଏହି ସଂସ୍ଥାମାନେ ଓଡ଼ିଶାରେ ସରକାର ବଦଳିଵା ପରେ କାହାକୁ କିଛି ନ କହି ପେଡ଼ି ପୁଟୁଳା ବାନ୍ଧି ପଳାଇଲେ। ଏହା ପୂର୍ବରୁ ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ କିଛି ଜଣାଇନାହାନ୍ତି କି ଓବିସିସିକୁ ମଧ୍ୟ। ଏହା ମଧ୍ୟ ସ୍ୱାଭାବିକ। କାରଣ, ଏମାନଙ୍କ ମଧ୍ୟରୁ କେହି ହେଲେ ଏହି ଠିକା ସଂସ୍ଥାମାନଙ୍କୁ ଅର୍ଥ ଦେଉ ନ ଥିଲେ। ତେବେ ଏହି ସବୁ କାମ ପାଇଁ ଅର୍ଥ ଦେଉଥିଲା କିଏ? ଏସବୁ କାମ କ'ଣ କାହାର ହାତ ପାଣ୍ଠିରୁ କରା ଯାଇଥିଲା? କିଏ ସେହି ବଦାନ୍ୟ ବ୍ୟକ୍ତି? ଏ ବଦାନ୍ୟତା ପଛର କାରଣ କ'ଣ ? ନା ରହସ୍ୟ ଆଉ କିଛି?

ବିଏସକେୱାଇ ମାଧ୍ୟମରେ ଚିକିତ୍ସାକୁ ବନ୍ଦ କରାଇଦେବାର ପ୍ରୟାସ, ଶ୍ରୀମନ୍ଦିରକୁ ଅନ୍ଧାର କରିଦେବା, ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରର ପ୍ରଦର୍ଶନୀକୁ ଭାଙ୍ଗିଦେବା କେବଳ ମାତ୍ର ସଂଯୋଗମାନ ନୁହନ୍ତି, କିମ୍ବା ଭୁଲ ବୁଝାମଣା ନୁହେଁ। ସାଧାରଣରେ ଧାରଣା ଯେ ହାରିଯିଵା ପରେ କୃଦ୍ଧ ବିଜେଡି ଏପରି କରିଛି। ରାଜ୍ୟକୁ ଦୀର୍ଘ ୨୫ ବର୍ଷ ଧରି ଶାସନ କରିଥିବା ଦଳ ନିକଟରେ ପରାଜୟକୁ ସ୍ୱୀକାର କରିବାର ପରିପକ୍ଵତା ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଉ ଏହା ଠାରୁ ଆହୁରି ଦୁର୍ଭାଗ୍ୟଜନକ ହେଲା ନୂଆ ସରକାରଙ୍କର ମୁଖ୍ୟମନ୍ତ୍ରୀ ଶପଥ ନ ନେଲା ଯାଏଁ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ହିଁ କାମଚଳା ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ପରୋକ୍ଷରେ ଏହି ସବୁ ଅପକର୍ମର ଦାଗ କାମଚଳା ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ହିଁ ଲାଗୁଥିଲା।

କିନ୍ତୁ ଏସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଆମ ରାଜ୍ୟରେ ଶାସନ କିପରି ଚାଲିଥିଲା ସେହି ପ୍ରଶ୍ନର ଉତ୍ତର ଖୋଜିବା। ବିଏସକେୱାଇ, ଶ୍ରୀମନ୍ଦିରର ଆଲୋକୀକରଣ, ପ୍ରଦର୍ଶନୀ ଭଂଗାଯିଵା ଇତ୍ୟାଦି ସରକାରୀ କାର୍ଯ୍ୟ ଚୁକ୍ତି ମୁତାବକ, ସରକାରୀ ଵିଧି ବ୍ୟବସ୍ଥା ଅନୁଯାୟୀ ଚାଲୁଥିଲା ଅଥବା ଅନୌପଚାରିକ ଭାବେ ମୁଷ୍ଟିମେୟ ନେତା ଓ ପ୍ରଶାସକଙ୍କ ମର୍ଜିରେ ଚାଲୁଥିଲା? ଯଦି ଏସବୁ ଅନୌ ପଚାରିକା ଭାବେ ଚାଲୁଥିଲା ତେବେ ଏହି ଅନୌପଚାରିକତାର ଘୁଣ କେବଳ ଏହି ସବୁ କାର୍ଯ୍ୟ / କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନା ଏହା ରାଜ୍ୟର ଅନ୍ୟ ସମସ୍ତ କାର୍ଯ୍ୟକୁ ମଧ୍ୟ ଫମ୍ପା କରିଦେଇଛି (ଯେପରିକି ଆହାର, ଲକ୍ଷ୍ମୀ ବସ୍, ସ୍କୁଲ ରୂପାନ୍ତରୀକରଣ ଇତ୍ୟାଦି ଇତ୍ୟାଦି) ସେ କଥା ଜାଣିବା ଓଡ଼ିଶାବାସୀଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଏ କଥା ଜାଣିଲେ ଯାଇ ଦକ୍ଷ ପ୍ରଶାସକ ଭି. କେ. ପାଣ୍ଡିୟାନ ଓ ନିର୍ମଳ ଭାବମୂର୍ତ୍ତିସମ୍ପନ୍ନ ନବୀନ ପଟ୍ଟନାୟକ କେତେ ଦୃଢ଼ ଭାବେ ଓଡ଼ିଶାକୁ ଠିଆ କରାଇଛନ୍ତି ସେ କଥା ଜଣା ପଡ଼ିବ।

Related story