ଭାରତୀୟ ଔଷଧର ବିଶ୍ୱସନୀୟତାରେ କଳାଦାଗ

ସରଳ କୁମାର ଦାସ:

ମେଡେନ ଫାର୍ମାସିଉଟିକାଲସ୍ ଲିମିଟେଡ ଦ୍ୱାରା ପ୍ରସ୍ତୁତ ୪ଟି ଥଣ୍ଡା ଓ କଫ ସିରପ୍ ପାଇଁ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଔଷଧର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗି ଦେଶ ନିନ୍ଦିତ ହୋଇଛି। ଏହି ଔଷଧ ସେବନ କରି ପଶ୍ଚିମ ଆଫ୍ରିକାର ଏକ କ୍ଷୁଦ୍ର ଦେଶ ଗାମ୍ୱିଆରେ ୬୬ ଜଣ ଶିଶୁଙ୍କ ଅକାଳ ବିୟୋଗର ଅଭିଯୋଗ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ତରଫରୁ ଏହି ଔଷଧଗୁଡ଼ିକର ସମ୍ଭାବ୍ୟ କ୍ଷତିକାରକ ପ୍ରଭାବ ନେଇ ସେପ୍ଟେମ୍ୱର ୨୯, ୨୦୨୨ରେ ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କୁ ସତର୍କ କରିଦିଆଯାଇଥିଲା। ଏହି ଔଷଧ ଗାମ୍ୱିଆ ବ୍ୟତୀତ ବିଶ୍ୱର ଅନ୍ୟ ଦେଶମାନଙ୍କୁ ଯୋଗାଇ ଦିଆଯାଇଥିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ‘ହୁ’ ତରଫରୁ କୁହାଯାଇଥିଲା। “ଏହି ଉତ୍ପାଦଗୁଡ଼ିକ ଯୋଗୁଁ ଶିଶୁମାନଙ୍କର ଯେଉଁ ଜୀବନହାନି ହେଲା ତାହା ସମ୍ପୃକ୍ତ ପରିବାରଗୁଡ଼ିକ ଲାଗି ହୃଦୟ ବିଦାରକ ଅଟେ” ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡିରେକ୍ଟର ଜେନେରାଲ କ୍ଷୋଭ ପ୍ରକାଶ କଲେ। ଔଷଧ ନିର୍ମାତାମାନେ ସେମାନଙ୍କ ଉତ୍ପାଦର ଗୁଣବତ୍ତା ଓ ସେଗୁଡ଼ିକ କେତେ ସୁରକ୍ଷିତ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଗ୍ୟାରେଣ୍ଟି ପ୍ରଦାନ କରିବାର ପ୍ରାବଧାନ ଥିଲେ ମଧ୍ୟ ଏହି ଉତ୍ପାଦଗୁଡ଼ିକ ପାଇଁ ସମ୍ପୃକ୍ତ ନିର୍ମାତା ଆଜି ଯାଏଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କୌଣସି ଗ୍ୟାରେଣ୍ଟି ପ୍ରଦାନ କରି ନାହାନ୍ତି ବୋଲି ଜଣାପଡ଼ିଛି।

ଗାମ୍ୱିଆରେ ଗତ କିଛି ମାସ ଧରି ଶିଶୁ ମୃତ୍ୟୁ ହୋଇ ଆସୁଥିଲା। ଅଗଷ୍ଟ ୨୦୨୨ରେ ଏହାକୁ ଏକ ‘ଅଜଣା ରୋଗ’ ବୋଲି କୁହାଗଲା। ତେବେ ପରେ ଗାମ୍ୱିଆର ମେଡିକାଲ କଣ୍ଟ୍ରୋଲ ଏଜେନ୍ସି (ଏମସିଏ) ଏହାକୁ ପାରାସିଟାମଲ ସିରପ ଜନିତ କହିବା ପରେ ‘ହୁ’ ତରଫରୁ ଏହି କଫ ସିରପଗୁଡ଼ିକ ସଂକ୍ରାନ୍ତରେ ‘ଚିକିତ୍ସା ସତର୍କତା’ ଜାରି ହୋଇ ସେହି ସନ୍ଦେହର ପୁଷ୍ଟି ହେଲା। ଏହାପରେ ଗାମ୍ୱିଆରେ ପ୍ରତି ଘରୁ ଏହି ଔଷଧଗୁଡ଼ିକ ପ୍ରତ୍ୟାହାର କରି ନିଆଗଲା। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଔଷଧଗୁଡ଼ିକ ଗାମ୍ୱିଆକୁ ସରକାରୀ ଟେଣ୍ଡର ମାଧ୍ୟମରେ କିଣା ହୋଇ ଆସି ନ ଥିଲା। ଘରୋଇ ଭାବେ ଆମଦାନୀ ହୋଇ ଗାମ୍ୱିଆକୁ ଗୋପନରେ ପ୍ରବେଶ କରିଥିବା ଏହି ଔଷଧଗୁଡ଼ିକ ଛୋଟ ଛୋଟ ସହରରେ ଘରୋଇ କ୍ଲିନିକ, ଡାକ୍ତରଖାନା ଓ ଔଷଧ ଦୋକାନରେ ବିକ୍ରି ହେଉଥିଲା। ଗାମ୍ୱିଆର ଆମଦାନୀକାରୀଙ୍କ ନିକଟରେ ଏମସିଏ ପ୍ରଦତ୍ତ ଔଷଧର ତାଲିକା ଥିବାରୁ ତା’ ବାହାରେ ଭାରତରୁ ଔଷଧ ଆସି ସେଠାରେ ବିକ୍ରି ହେବାକୁ ଉଭୟ ଭାରତ ଓ ଗାମ୍ୱିଆର ନିୟନ୍ତ୍ରଣ ବ୍ୟବସ୍ଥାର ଗୁରୁତର ତ୍ରୁଟି ରୂପେ ଚିତ୍ରିତ କରାଯାଉଛି।

ବଜାରରେ ‘ପ୍ରଦୂଷିତ’ ଓ ‘ନିମ୍ନମାନ’ର ଔଷଧର ଉପସ୍ଥିତି ସମ୍ପର୍କରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ତଥା ଜନସାଧାରଣଙ୍କୁ ସତର୍କ କରାଇ ଦେବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ନିୟମିତ ଭାବେ ‘ଚିକିତ୍ସା ଉତ୍ପାଦ ସତର୍କତା’ (ମେଡିକାଲ ପ୍ରଡକ୍ଟ ଆଲର୍ଟ)ମାନ ଜାରି କରାଯାଇଥାଏ। ଫଳରେ ବିଭିନ୍ନ ଦେଶ ସତର୍କତା ଅବଲମ୍ୱନ କରିବା ସହ ଉପଯୁକ୍ତ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଆନ୍ତି। ‘ହୁ’ ଦ୍ୱାରା ଜାରି ହୋଇଥିବା ସଦ୍ୟତମ ଆଲର୍ଟକୁ ମିଶାଇ ୨୦୨୨ରେ ଏ ପର୍ଯ୍ୟନ୍ତ ୫ଟି ଆଲର୍ଟ ଜାରି ହୋଇସାରିଲାଣି। ଏଥି ପୂର୍ବରୁ ୨୦୧୯, ୨୦୨୦, ୨୦୨୧ରେ ଯଥାକ୍ରମେ ୧୧, ୭ ଓ ୧୧ଟି ଆଲର୍ଟ ଜାରି ହୋଇଥିଲା। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ନକଲି ଔଷଧ ବା ଆଦୌ ଔଷଧ ପର୍ଯ୍ୟାୟବାଚୀ ନୁହନ୍ତି (ଫଲସିଫାଏଡ ମେଡିକାଲ ପ୍ରଡକ୍ଟସ)। ସେହି ତାଲିକାରେ ଭାରତର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧର ନାମ ସ୍ଥାନ ପାଇବା ବାସ୍ତବିକ ଦେଶ ପାଇଁ ଲଜ୍ଜାଜନକ।

୧୯୯୦ରେ ପ୍ରତିଷ୍ଠିତ ଦିଲ୍ଲୀସ୍ଥିତ ମେଡେନ ଫାର୍ମାସିଉଟିକାଲସ୍ ଲିମିଟେ଼ଡର ହରିଆଣାର ସୋନିପତ ଜିଲ୍ଲାର କୁଣ୍ଡଲିଠାରେ ଔଷଧ ଉତ୍ପାଦନ ପାଇଁ କାରଖାନା ରହିଛି। ସେଠାରେ କ୍ୟାପସୁଲ, ଟ୍ୟାବଲେଟ, ମଲମ, ସିରପ, ଇଞ୍ଜେକସନ ଆଦି ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତ ହୋଇଥାଏ। ଔଷଧ ଉତ୍ପାଦନର ପ୍ରତିଟି ପର୍ଯ୍ୟାୟରେ କମ୍ପାନୀ ଅନ୍ତର୍ଜାତୀୟ ସ୍ତରର ଗୁଣବତ୍ତା ଓ ଜିଏମପି ମାନର ଅନୁପାଳନ କରିଥାଏ ବୋଲି ଦାବି କରେ। ଫଳରେ ଏହା ୨୦୧୫ରୁ ‘ହୁ-ଜିଏମପି ଓ ଆଇଏସଓ ୯୦୦୧-୨୦୦୦’ ମାନ୍ୟତା ପାଇଛି। ଏହା ସତ୍ତ୍ୱେ କମ୍ପାନୀ ଦ୍ୱାରା ଗାମ୍ୱିଆକୁ ରପ୍ତାନୀ ହୋଇଥିବା ପ୍ରୋମିଥାଜିନ ଓରାଲ ସଲ୍ୟୁସନ, କୋଫେକ୍ସସାତଗଲ ବେବି କଫ ସିରପ, ମାକଅଫ ବେବି କଫ ସିରପ ଓ ମେଗ୍ରିପ ଏନ କୋଲ୍ଡ ସିରପ ଭଳି ୪ଟି ଥଣ୍ଡା ଓ କଫ ସିରପରେ ଅଗ୍ରହଣୀୟ ମାତ୍ରାରେ ‘ଡାଇଏଥିଲିନ ଗ୍ଲାଇକଲ’ ଓ ‘ଏଥିଲିନ ଗ୍ଲାଇକଲ’ ମିଶିଥିବା ଜଣାପଡ଼ିଛି। ଉଭୟ ଡାଇଏଥିଲିନ ଗ୍ଲାଇକଲ (ଡିଇଜି) ଓ ଏଥିଲିନ ଗ୍ଲାଇକଲ (ଇଜି) ମଣିଷ ଶରୀରରେ ବିଷକ୍ରିୟା କରିଥାଏ ଓ ଏହା ପ୍ରାଣାନ୍ତକ ହୋଇପାରେ। ବ୍ରେକ ତେଲ, ପ୍ରସାଧନ ସାମଗ୍ରୀ ତଥା ଲୁବ୍ରିକାଣ୍ଟ ତିଆରିରେ ଏହି ରାସାୟନିକ ପଦାର୍ଥ ଦ୍ୱୟର ବ୍ୟବହାର ହେଉଥିବାରୁ ତାହା ଖାଇବାଯୋଗ୍ୟ ନୁହେଁ। ଏଗୁଡିକ ବୃକକ୍ ଓ ସ୍ନାୟୁ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଆନ୍ତି। ଏହା ପାଣିରେ ମିଳେଇ ଯାଉଥିବାରୁ ଓ ଏହାର ସ୍ୱାଦ ମିଠା ହୋଇଥିବାରୁ ସ୍ଥଳ ବିଶେଷରେ କଫ ସିରପର ଅସାଧୁ ପ୍ରସ୍ତୁତକର୍ତ୍ତାମାନେ ଅଧିକ ଲାଭ ଉଦ୍ଦେଶ୍ୟରେ ଏହି ନିଷିଦ୍ଧ ରାସାୟନିକ ପଦାର୍ଥର ପ୍ରୟୋଗ କରିବାକୁ କୁଣ୍ଠା ପ୍ରକାଶ କରି ନ ଥାଆନ୍ତି। ଅନୁସନ୍ଧାନରୁ କଫ ସିରପରେ ଡିଇଜି ଓ ଇଜି ମିଶିଥିବାର ପ୍ରମାଣ ମିଳିଲେ ଏହି କଞ୍ଚାମାଲ କେଉଁଠାରୁ ଅଣାଯାଉଥିଲା, ତାର ମୂଳ ପର୍ଯ୍ୟନ୍ତ ଯିବାକୁ ହେବ। ନିମ୍ନମାନର ଔଷଧ ପ୍ରସ୍ତୁତି କରିବାରେ ଏହି କମ୍ପାନୀର ଆଗରୁ ମଧ୍ୟ ବଦନାମ ରହିଛି। ଅତୀତରେ କେରଳ ଓ ଗୁଜରାଟ ସରକାର ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କିଛି ଔଷଧକୁ ନିମ୍ନ ମାନର ଦର୍ଶାଇ ନିଷିଦ୍ଧ କରିଛନ୍ତି ବୋଲି ଜଣାପଡୁଛି। ଏପରିକି ୨୦୧୧ରେ କମ୍ପାନୀ ଦ୍ୱାରା ଭିଏତନାମକୁ ପଠାଯାଇଥିବା କିଛି ଔଷଧ ମଧ୍ୟ ସେଠାରେ ନିଷିଦ୍ଧ ଘୋଷିତ ହୋଇଥିଲା। ଏ ଭଳି ଅଭ୍ୟାସଗତ ନିମ୍ନମାନର ଔଷଧ ପ୍ରସ୍ତୁତକାରୀଙ୍କ ଔଷଧ ବିଦେଶକୁ ରପ୍ତାନୀ କରାଯିବା ପୂର୍ବରୁ ସେଗୁଡ଼ିକର ଗୁଣବତ୍ତା ଉପରେ ସରକାର ଅଧିକ ଧ୍ୟାନ ଦେବା ଉଚିତ ନୁହେଁ କି?

ସମଗ୍ର ଭାରତରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ନୂଆ ଔଷଧ ପାଇଁ ଅନୁମତି ପ୍ରଦାନ କରିଥାଆନ୍ତି। ଔଷଧର ଉତ୍ପାଦନ ଓ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ ସମ୍ପୃକ୍ତ ଋାଜ୍ୟର ଔଷଧ ନିୟନ୍ତ୍ରକ(ଷ୍ଟେଟ ଡ୍ରଗ କଣ୍ଟ୍ରୋଲର)ଙ୍କ ଦ୍ୱାରା ହୋଇଥାଏ। ଦେଶରେ ପ୍ରାୟ ୩୦୦୦ ଔଷଧ ଉତ୍ପାଦନକାରୀ ସେମାନଙ୍କ ପ୍ରାୟ ୧୦,୫୦୦ କାରଖାନାରେ ଔଷଧ ଉତ୍ପାଦନ କରିଥାଆନ୍ତି। ଏମାନଙ୍କ ମଧ୍ୟରୁ ବେଶ କିଛି ସଂଖ୍ୟକ କମ୍ପାନୀ ଆମେରିକାକୁ ଔଷଧ ରପ୍ତାନୀ କରୁଥିବାରୁ ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରସନ (ଏଫଡିଏ) ଦ୍ୱାରା ନିର୍ଦ୍ଧାରିତ ‘ଗୁଡ ମାନୁଫେକ୍ଚରିଂ ପ୍ରାକ୍ଟିସ’ (ଜିଏମପି)କୁ ଅନୁସରଣ କରି ଔଷଧ ଉତ୍ପାଦନ କରିଆସୁଛନ୍ତି। ଉପରୋକ୍ତ ୪ଟି କଫ ସିରପର ଉତ୍ପାଦନ ହରିଆଣାରେ ହେଉଥିବାରୁ ସେଥିପାଇଁ ହରିଆଣା ରାଜ୍ୟ ସରକାରଙ୍କ ଡ୍ରଗ କଣ୍ଟ୍ରୋଲରଙ୍କ ଦ୍ୱାରା ସମ୍ପୃକ୍ତ କମ୍ପାନୀକୁ ଉତ୍ପାଦନ ଓ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ବିଦେଶକୁ ଔଷଧ ରପ୍ତାନୀ ପାଇଁ କେନ୍ଦ୍ରୀୟ ନିୟାମକ ସଂସ୍ଥା ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଲାଇସେନ୍ସ ପ୍ରଦାନ କରିଥାଆନ୍ତି। ମେଡେନ ଫାର୍ମାସିଉଟିକାଲସ ଦ୍ୱାରା ପ୍ରସ୍ତୁତ ଔଷଧଗୁଡ଼ିକ କେବଳ ଗୋଟିଏ ଦେଶ ଗାମ୍ୱିଆକୁ ରପ୍ତାନୀ ପାଇଁ ଲାଇସେନ୍ସ ଦିଆଯାଇଥିଲା। କମ୍ପାନୀ ଏହି ଔଷଧଗୁଡ଼ିକୁ କେବଳ ଗାମ୍ୱିଆକୁ ରପ୍ତାନୀ କରିଛି ବୋଲି ତଥ୍ୟ ପ୍ରଦାନ କରିଛି। ତେବେ ଗାମ୍ୱିଆକୁ ଲାଗି ରହିଥିବା ପଶ୍ଚିମ ଆଫ୍ରିକାର ଅନ୍ୟ କେତେକ ଦେଶ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇ ନଥିବାରୁ ଏବଂ ସେହି ଦେଶଗୁଡ଼ିକ ମଧ୍ୟରେ ସୀମା ଛିଦ୍ରବହୁଳ ହୋଇଥିବାରୁ ଆଧିକାରିକ ଭାବେ ସେହି ଦେଶଗୁଡ଼ିକୁ ଏହି ଔଷଧ ରପ୍ତାନୀ ହୋଇ ନଥିଲେ ବି ଅନୌପଚାରିକ ଭାବେ ସେହି ସବୁ ଦେଶରେ ଏହି ଔଷଧ ପହଞ୍ଚିଯାଇଥିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଆଇନ ଆନୁଯାୟୀ କୌଣସି ଦେଶରେ ଅନ୍ୟ ଦେଶରୁ ଔଷଧ ଆସି ପହଞ୍ଚିଲେ ତାହା ଲୋକଙ୍କ ବ୍ୟବହାର ପାଇଁ ବଜାରକୁ ଛଡ଼ାଯିବା ପୂର୍ବରୁ ଆମଦାନୀକାରୀ ଦେଶ ପ୍ରଥମେ ସେଗୁଡ଼ିକର ପରୀକ୍ଷା କରିବା କଥା, ଯାହା ଗାମ୍ୱିଆ ତରଫରୁ କରାଯାଇ ନାହିଁ ବୋଲି ସୂଚନା ମିଳୁଛି। ସେହି ଦେଶ ଏତେ ଗରିବ ଯେ ତା’ ନିକଟରେ ଔଷଧ ପରୀକ୍ଷା କରିବାର ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ତେବେ ଉପରୋକ୍ତ ଔଷଧଗୁଡ଼ିକ ଗୋପନରେ ଘରୋଇ ଭାବେ ଆମଦାନୀ କରାଯାଇଥିବାରୁ ପରୀକ୍ଷା ସୁବିଧା ଥିଲେ ମଧ୍ୟ ସେଗୁଡ଼ିକର ପରୀକ୍ଷା ସମ୍ଭବ ହୋଇ ନ ଥାଆନ୍ତା। ତେଣୁ ଭାରତରୁ ଏ ଭଳି ଗରିବ ଦେଶଗୁଡ଼ିକୁ ଔଷଧ ରପ୍ତାନୀ ବେଳେ କମ୍ପାନୀଗୁଡିକ ଅଧିକ ସତର୍କତା ଅବଲମ୍ୱନ କରିବାକୁ ନିଜ ଅତିରିକ୍ତ ଦାୟିତ୍ୱ ରୂପେ ଗ୍ରହଣ କରି ପଦକ୍ଷେପ ନେବା ଉଚିତ। ପରିତାପର ବିଷୟ ଯେ ଆମେରିକା ଓ ଅନ୍ୟ ବିକଶିତ ଦେଶଗୁଡ଼ିକୁ ଔଷଧ ରପ୍ତାନୀ ବେଳେ ପ୍ରତ୍ୟାହାର (ରିକଲ୍), ବାଜ୍ୟାପ୍ତି (ସିଜର), ଜୋରିମାନା (ଫାଇନ), ଜେଲଦଣ୍ଡ ଭଳି କଠୋର କାର୍ଯ୍ୟାନୁଷ୍ଠାନର ଭୟରେ କମ୍ପାନୀଗୁଡ଼ିକ ଯେଉଁ ସତର୍କତା ଅବଲମ୍ୱନ କରିଥାଆନ୍ତି ଅପେକ୍ଷାକୃତ ଗରିବ ଦେଶଗୁଡ଼ିକୁ ରପ୍ତାନୀ ବେଳେ ତାହା ପରିଲକ୍ଷିତ ହୋଇ ନ ଥାଏ । ଗତ କିଛି ବର୍ଷ ଧରି ଅନେକ ବଡ଼ ବଡ଼ ଭାରତୀୟ ଔଷଧ ନିର୍ମାତାଙ୍କ ଔଷଧ ଆମେରିକାରୁ ପ୍ରତ୍ୟାହୃତ ହୋଇଥିବାର ନାନା ଉଦାହରଣ ରହିଛି।

ଏବେ ମନରେ ଆଉ ଗୋଟିଏ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ। ଭାରତରେ ଉପରୋକ୍ତ ୪ଟି ଔଷଧର ବିକ୍ରି ପାଇଁ ଅନୁମତି ଦିଆଯାଇ ନ ଥିଲେ ବି ଅସାଧୁ ଉପାୟରେ ସେଗୁଡ଼ିକ ଭାରତ ଭିତରେ ବିକ୍ରି କରାଯାଇଛି କି? ଏଗୁଡ଼ିକ ଭାରତରେ ବିକ୍ରି ହୋଇନାହିଁ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟୀକରଣ ଦିଆ ଯାଇଥିଲେ ବି ବିଭିନ୍ନ ରାଜ୍ୟର ଡ୍ରଗସ କଣ୍ଟ୍ରୋଲରମାନେ ସେଥିପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତରେ ପ୍ରାୟ ୧.୩୦ଲକ୍ଷ କୋଟି ଟଙ୍କାର ଔଷଧର ଏକ ବଡ଼ ବଜାର ରହିଥିବା ବେଳେ ତା’ ବାହାରେ ମଧ୍ୟ ବଜାରମାନଙ୍କରେ ବହୁଳ ପରିମାଣରେ ନକଲି ଔଷଧ ଉପଲବ୍ଧ। ଆଦିବାସୀ ଅଧ୍ୟୁଷିତ ଓ ଆଭ୍ୟନ୍ତରୀଣ ଅଞ୍ଚଳର ହାଟମାନଙ୍କରେ ଖୋଲାଖୋଲି ଭାବେ ନକଲି ଔଷଧ ବିକ୍ରି ହେବା ଏକ ସାଧାରଣ ଘଟଣା। ମଝିରେ ମଝିରେ ବିଭିନ୍ନ ସ୍ଥାନରେ ନକଲି ଔଷଧ ପ୍ରସ୍ତୁତକାରୀଙ୍କୁ ଠାବ କରି ଦଣ୍ଡିତ କରାଯାଉଛି ସତ। ହେଲେ ଔଷଧ ନିୟାମକ ଓ ଆଇନକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡିକର କୋହଳ ମନୋବୃତ୍ତି ପାଇଁ ନକଲି ଔଷଧର ପ୍ରସ୍ତୁତି ଓ ଉପଲବ୍ଧତା ଉପରେ ଅଙ୍କୁଶ ଲାଗିପାରୁନାହିଁ। ଏଭଳି ନକଲି ଔଷଧ ପାଇଁ ଜନସାଧାରଣ ଅଯଥାରେ ଖର୍ଚ୍ଚାନ୍ତ ହେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ବିପନ୍ନ ହେବା ବାସ୍ତବିକ ନିନ୍ଦନୀୟ। ଅଧିକନ୍ତୁ ନକଲି ଔଷଧ ମାନବ ସମ୍ୱଳର ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିବାରୁ ନିୟାମକମାନେ ଔଷଧର ଗୁଣବତ୍ତାକୁ ସୁନିଶ୍ଚିତ କରି ନିୟମର କଡାକଡି ଅନୁପାଳନକୁ ଗୁରୁତ୍ୱ ଦେବା ଆବଶ୍ୟକ।

ପରିମାଣ ଦୃଷ୍ଟିରୁ ସାରା ବିଶ୍ୱରେ ଭାରତ ତୃତୀୟ ସର୍ବବୃହତ୍ ଔଷଧ ଉତ୍ପାଦନକାରୀ ଦେଶ ଓ ସର୍ବବୃହତ୍ ଜେନେରିକ ଔଷଧ ରପ୍ତାନୀକାରୀ ଦେଶ ଅଟେ। ଆଫ୍ରିକା ମହାଦେଶର ସମଗ୍ର ଜେନେରିକ ଔଷଧ ଆବଶ୍ୟକତାର ପ୍ରାୟ ଅଧେ ଭାରତ ଦ୍ୱାରା ପୂରଣ ହୋଇଥାଏ। ଏପରିକି ଆମେରିକା, ବ୍ରିଟେନ ପରି ବିକଶିତ ଦେଶର ଜେନେରିକ ଔଷଧ ଆବଶ୍ୟକତାର ସିଂହଭାଗ ମଧ୍ୟ ଭାରତ ପୂରଣ କରିଥାଏ। ଭାରତରୁ ୨୦୨୦-୨୧ରେ ୨୨୪୦ କୋଟି ଡଲାର ମୂଲ୍ୟର ଔଷଧ ରପ୍ତାନୀ ହୋଇଥିଲା ବେଳେ ୨୦୨୧-୨୨ରେ ତାହା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇ ୨୪୬୦ କୋଟି ଡଲାରରେ ପହଞ୍ଚିଛି। ଦେଶରୁ ଏତେ ପରିମାଣର ଔଷଧ ବିଦେଶକୁ ରପ୍ତାନୀ ହେଉଥିଲେ ମଧ୍ୟ ରପ୍ତାନୀ ପୂର୍ବରୁ ସେଗୁଡ଼ିକର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ କୌଣସି କେନ୍ଦ୍ରୀୟ ସଂସ୍ଥା ବା ନିୟନ୍ତ୍ରକଙ୍କ ଉପରେ ବିଧିବଦ୍ଧ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇନାହିଁ। ବିଦେଶକୁ ରପ୍ତାନୀ ହେଉଥିବା ପଦାର୍ଥଗୁଡ଼ିକର କେବଳ ଉତ୍ପାଦନ ମାନ ଭାରତୀୟ ମାନୁଫେକଚରିଂ ଷ୍ଟାଣ୍ଡାର୍ଡ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ତଦନୁଯାୟୀ ‘ଗୁଡ ମାନୁଫେକଚରିଂ ପ୍ରାକ୍ଟିସ’ (ଜିଏମପି)ରେ ମ୍ୟାସିନ, କର୍ମଚାରୀ, ସେମାନଙ୍କ ଦକ୍ଷତା ଓ ପ୍ରକ୍ରିୟାକୁ ବିବେଚନାକୁ ନିଆଯାଇଥାଏ। ଉତ୍ପାଦର ଗୁଣବତ୍ତାକୁ ନୁହେଁ। ଅନ୍ୟ ପକ୍ଷରେ ବିଦେଶରୁ ଭାରତକୁ ଆମଦାନୀ ହେଉଥିବା ଔଷଧ ବଜାରରେ ପ୍ରବେଶ କରିବା ପୂର୍ବରୁ ସେଗୁଡ଼ିକର ଗୁଣବତ୍ତା ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ଙ୍କ ଦ୍ୱାରା ଯାଞ୍ଚ ହୋଇଥାଏ।

ଭାରତରେ ପ୍ରସ୍ତୁତ ଔଷଧଗୁଡ଼ିକ ଅପେକ୍ଷାକୃତ କମ ମୂଲ୍ୟର ଓ ଭରସାଯୋଗ୍ୟ ହୋଇଥିବାରୁ ଆଫ୍ରିକା ସମେତ ଅଧିକାଂଶ ଗରିବ ଦେଶରେ ଏହାର ଚାହିଦା ଯଥେଷ୍ଟ ଅଧିକ। ଭାରତରୁ ହେଉଥିବା ସମୁଦାୟ ଔଷଧ ରପ୍ତାନୀର ପ୍ରାୟ ୨୦ ପ୍ରତିଶତ କେବଳ ଆଫ୍ରିକାର ବିଭିନ୍ନ ଦେଶକୁ ଯାଉଥିବାରୁ ଆଫ୍ରିକା ଭାରତର ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକଙ୍କ ପାଇଁ ଏକ ବଡ଼ ସହଯୋଗୀ କହିଲେ ଅତ୍ୟୁକ୍ତି ହେବନାହିଁ। ଉପରୋକ୍ତ ଘଟଣା ସେହି ଭରସାକୁ ଆଘାତ ପହଞ୍ଚାଇବା ସହିତ ଆଫ୍ରିକ୍ରୀୟ ଦେଶଗୁଡ଼ିକର ନିୟନ୍ତ୍ରକମାନଙ୍କୁ ହତଚକିତ କରିବା ସ୍ୱାଭାବିକ। ଏହି ବିଶ୍ୱାସହାନୀ ଜନିତ କ୍ଷତିର ଭରଣା ଲାଗି ଭାରତ ସରକାରଙ୍କ ତରଫରୁ ତୁରନ୍ତ ସ୍ୱାସ୍ଥ୍ୟ ସହଯୋଗ ସମ୍ପର୍କିତ ଉଚିତ ପଦକ୍ଷେପମାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଗାମ୍ୱିଆର ୬୬ ଜଣ ନିରୀହ ଶିଶୁଙ୍କ ଅକାଳ ବିୟୋଗ ପାଇଁ ଦୁଃଖ ଓ ସମବେଦନା ପ୍ରକାଶ ପାଇବା ଆବଶ୍ୟକ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।