ରବି ଦାସ
କରୋନା ମହାମାରୀ ଯୋଗୁ ଦେଶରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ କାର୍ଯ୍ୟକାରୀ ହେବା ସହିତ ୧୮୯୭ ସଂକ୍ରାମକ ଆଇନ ମଧ୍ୟ ଲାଗୁ କରାଯାଇଛି। ଏହି ଆଇନ ଅନୁସାରେ ସରକାର ବା ସରକାରଙ୍କ ଦ୍ୱାରା ଅଧିକୃତ ବିଭାଗୀୟ ଅଧିକାରୀମାନଙ୍କ ଛଡ଼ା ଅନ୍ୟ କେହି ସେହି ରୋଗ ବିଷୟରେ ତଥ୍ୟ ଦେଇପାରିବେ ନାହିଁ ଓ ଗଣମାଧ୍ୟମମାନେ ମଧ୍ୟ ସରକାରୀ ତଥ୍ୟ ବାଦ୍ ଅନ୍ୟ କିଛି ପ୍ରକାଶ କରିପାରିବେ ନାହିଁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଗାଇଡଲାଇନରେ କୁହାଯାଇଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ସମ୍ବିଧାନରେ ବାକ୍ ସ୍ୱାଧୀନତା ଯେଉଁ ମୌଳିକ ଅଧିକାର ଦିଆଯାଇଛି ତାହା ବାତିଲ ହୋଇଯାଇଛି। କେବଳ ସଂକ୍ରମଣ ସଂପର୍କରେ ତଥ୍ୟ ପ୍ରକାଶ ସମୟରେ କୌଣସି ଭୁଲ୍ ତଥ୍ୟ ବା ବିଭ୍ରାନ୍ତି ଯେପରି ସୃଷ୍ଟି ନହୁଏ ତାହା ଦେଖିବା ଗଣମାଧ୍ୟମର ଦାୟିତ୍ୱ ଓ ଏଥିପାଇଁ ଥିବା ବ୍ୟବସ୍ଥା ଅନୁସାରେ ଗାଇଡଲାଇନ ପ୍ରସ୍ତୁତ ହେଉଛି। ଯେଉଁମାନେ ଅତୀତରେ ଏଭଳି ଭୟାନକ ମହାମାରୀ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି ବା ଅଧ୍ୟୟନ କରିଛନ୍ତି ସେମାନେ ଜାଣନ୍ତି ଯେ, ସଂକ୍ରମଣ ସମୟରେ କାନକୁହା କଥାରେ ଗୁଜବ ପ୍ରଚାରିତ ହୁଏ ଏବଂ ଗଣମାଧ୍ୟମ ଏହିସବୁ ଗୁଜବକୁ ଦୂରକରି ଯାହା ବାସ୍ତବ ଓ ଏ ସଂକ୍ରାନ୍ତୀୟ ଯେଉଁ ତଥ୍ୟ ସରକାର ପ୍ରଦାନ କରନ୍ତି ତାହାକୁ ପ୍ରକାଶ କରିବା ସହିତ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଦେଖାଇ ବିଶେଷଜ୍ଞମାନଙ୍କର ମତାମତକୁ ମଧ୍ୟ ପ୍ରାଧାନ୍ୟ ଦିଅନ୍ତି। କିନ୍ତୁ ସଂକ୍ରମଣ ସଂପର୍କରେ ସରକାରୀ ବ୍ୟୟରେ ଯେଉଁସବୁ ଖର୍ଚ୍ଚ କରାଯାଉଛି ସେ ସଂପର୍କରେ ଗଣମାଧ୍ୟମ ପ୍ରଶ୍ନ କରିବାରେ କୌଣସି ବାଧା ଆଇନରେ ନାହିଁ। କେବଳ ସେତିକି ନୁହେଁ, ହସପିଟାଲଗୁଡ଼ିକରେ ସଂକ୍ରମିତ ଲୋକମାନଙ୍କୁ ଠିକ୍ ଭାବରେ ଚିକିତ୍ସା କରାଯାଉଛି ନା ନାହିଁ ବା ସେମାନଙ୍କ ପ୍ରତି ଉପେକ୍ଷା କରାଯାଉଛି ସେ ସଂପର୍କରେ ଗଣମାଧ୍ୟମ ପ୍ରଶ୍ନ କରିବା ତାହାର ମୌଳିକ ଦାୟିତ୍ୱ।
ଏହି ପରିପ୍ରେକ୍ଷୀରେ ବିଚାର କଲେ ଯେଉଁ ଦୁଇବନ୍ଧୁଙ୍କ କୋଭିଡ୍ ହସପିଟାଲ ସଂପର୍କରେ ଅଡିଓ ଭାଇରାଲ ହେବା ଫଳରେ ଯେପରି ଭାବରେ ସରକାର ଓ ବିଶେଷ ଭାବରେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ଚିଇଁକି ଉଠିଛନ୍ତି ଓ ଏହି ଅଡିଓକୁ ସୋସିଆଲ ମିଡିଆରେ ସ୍ଥାନ ଦେଇଥିବା ଏକ ଗଣମାଧ୍ୟମ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି ତାହାକୁ ଦେଖିଲେ ଯେକେହି ଅନୁଭବ କରିବ ଯେ, କରୋନା ମହାମାରୀ ଯୋଗୁ ଲୋକମାନେ ସମ୍ମୁଖୀନ ହେଉଥିବା ଦୁର୍ଦ୍ଦଶା ପ୍ରତି ସରକାର ଯେତିକି ସମ୍ବେଦନଶୀଳ ନୁହଁନ୍ତି ନିଜର ଭାବମୂର୍ତି ଓ ଅହଂକାର ଭାବ ପ୍ରଦର୍ଶନ କରିବା ପାଇଁ ସେତିକି ବ୍ୟଗ୍ର। ବିପର୍ଯ୍ୟୟ ପରିଚାଳନା ଆଇନ ଓ ଏପିଡେମିକ୍ ଆକ୍ଟରେ ଜିଲ୍ଲାପାଳ ଓ ମହାନଗର ନିଗମ ପରିଚାଳକଙ୍କୁ ପରିସ୍ଥିତିର ବିଚାର କରି ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିମନ୍ତେ ଅଧିକାର ଦିଆଯାଇଛି। କିନ୍ତୁ ଏହି ଅଧିକାର କେବଳ ସଂକ୍ରମଣକୁ ରୋକିବା ପାଇଁ ଉଦ୍ଦିଷ୍ଟ। ଲୋକମାନଙ୍କର ବାକ୍ ସ୍ୱାଧୀନତାର ଅଧିକାରକୁ ସଂକୁଚିତ କରିବା ପାଇଁ ଏହା ଉଦ୍ଦିଷ୍ଟ ନୁହେଁ। କିନ୍ତୁ ପରିସ୍ଥିତିର ସୁଯୋଗ ନେଇ କେତେକ ସ୍ଥାନରେ ଜିଲ୍ଲାପାଳ ଓ ନିଗମ ପରିଚାଳକମାନେ ନିଜକୁ ସର୍ବମୟକର୍ତ୍ତା ଭାବରେ ବିଚାର କରିଛନ୍ତି। ସେମାନେ ଭୁଲିଯାଉଛନ୍ତି ଯେ, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଓ ଦେଶର ଶାସନ ପରିଚାଳନା ପାଇଁ ଥିବା ସମ୍ବିଧାନ ବାହାରେ କୌଣସି ପ୍ରଶାସନିକ ଅଧିକାରୀ ନିଜକୁ ସର୍ବମୟକର୍ତ୍ତା ଭାବରେ ବିଚାର କରିପାରିବେ ନାହିଁ। ଭୁବନେଶ୍ୱରରେ କୋଭିଡ୍ ହସପିଟାଲ ସଂକ୍ରାନ୍ତରେ ଦୁଇଜଣ ବନ୍ଧୁଙ୍କ ଅଡିଓ ବାର୍ତ୍ତାଳାପରେ ସଂକ୍ରମଣକୁ ପ୍ରସାରିତ କରିବା ଭଳି ବା ସଂକ୍ରମଣ ସଂପର୍କରେ କୌଣସି ବିଭ୍ରାନ୍ତିକର ତଥ୍ୟ ଦେବା ପାଇଁ ଉଦ୍ୟମ ହୋଇଛି ବୋଲି କୁହାଯାଇପାରିବ ନାହିଁ।
ସେହି ଦୁଇ ବନ୍ଧୁଙ୍କ ଭିତରୁ ଲକ୍ଷ୍ମୀକାନ୍ତ ବେହେରା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୋଭିଡ୍ ହସପିଟାଲରେ ଚିକିତ୍ସିତ ହୋଇଥିଲେ। ସେ ହସପିଟାଲରୁ ଆସିବା ପରେ ହସପିଟାଲ ସଂକ୍ରାନ୍ତରେ ତାଙ୍କର ଅନୁଭୂତି ବନ୍ଧୁ ବିଶ୍ୱଜିତ ମହାନ୍ତିଙ୍କୁ ଟେଲିଫୋନରେ କହିଛନ୍ତି। ବିଶ୍ୱଜିତ ଏହି ଟେଲିଫୋନ ବାର୍ତ୍ତାକୁ ରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ପରେ ଓଟିଭିର ସୋସିଆଲ ମିଡିଆରେ ଏହା ସ୍ଥାନିତ ହୋଇଥିଲା। ନିଶ୍ଚିତ ଭାବରେ ଓଟିଭିର ଏକ ମାନ୍ୟତା ମିଳିବା ପରେ ଏହି ଅଡିଓର ଗୁରୁତ୍ୱ ବୃଦ୍ଧି ପାଇଥିଲା। କିନ୍ତୁ ଏହି କଥାବାର୍ତ୍ତାରେ ଲକ୍ଷ୍ମୀକାନ୍ତ କୋଭିଡ୍ ହସପିଟାଲରେ ରୋଗୀମାନଙ୍କୁ ଭଲ ଖାଦ୍ୟ ଦିଆଯାଉଥିବା ସହିତ ତାଙ୍କୁ କେବଳ ପାରାସିଟାମଲ ବଟିକା ଓ ଭିଟାମିନ୍ ସି ଦିଆଯାଇ ବିଦା କରାଯାଇଥିବା କହିଥିଲେ। ବାସ୍ତବିକ କରୋନାର ସେପରି କୌଣସି ଚିକିତ୍ସା ନାହିଁ, ଯେଉଁମାନେ ଲକ୍ଷଣହୀନ ରୋଗୀ ବା ଯେଉଁମାନଙ୍କର ଫୁସଫୁସ ଉପରେ ରୋଗର କୌଣସି ପ୍ରଭାବ ନାହିଁ ସେମାନଙ୍କୁ ଜ୍ୱର କମାଇବା ପାଇଁ ପାରାସିଟାମଲ ଟେବଲେଟ୍ ଓ ଭିଟାମିନ୍ ସି ଦିଆଯିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କିନ୍ତୁ ଏହା ସହିତ ଲକ୍ଷ୍ମୀକାନ୍ତ କହିଥିଲେ ଯେ, କୋଭିଡ ହସପିଟାଲରେ ରୋଗୀ ଭର୍ତ୍ତି କରିବା ପାଇଁ ସମ୍ଭବତଃ ସ୍ୱାସ୍ଥ୍ୟ ବିଭାଗ, ବିଏମସି ଓ ଘରୋଇ ହସପିଟାଲ ମଧ୍ୟରେ ଏକ ପ୍ରକାର ବୁଝାମଣାପତ୍ର ଅଛି। ଏଥିରେ ରୋଗୀ ପିଛା ଦେଢ଼ ଲକ୍ଷ ଟଙ୍କା ଦିଆଯାଉଛି ଓ ଏହାକୁ କେନ୍ଦ୍ର ସରକାର ପଇଠ କରୁଛନ୍ତି। ଏହି ମନ୍ତବ୍ୟ ପାଇଁ ବିଏମସି କର୍ତ୍ତୃପକ୍ଷ ଏହି ଅଡିଓକୁ ନେଇ କ୍ରୋଧାନ୍ୱିତ ହୋଇଥିଲେ ଓ ଯେହେତୁ ଓଟିଭି ସୋସିଆଲ ମିଡିଆରେ ଏହା ସ୍ଥାନିତ ହୋଇଥିଲା ସେହେତୁ କ୍ୟାପିଟାଲ ଥାନାରେ ଏହା ଉପରେ ଏତଲା କରାଯାଇ ରାତି ଅଧରେ ଓଟିଭି କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏହାକୁ ନେଇ ସ୍ୱାଭାବିକ ଭାବରେ ପରଦିନ ଏକ ତୁମ୍ବିତୋଫାନ ଛିଡ଼ା ହୋଇଥିଲା। ଯେଉଁ ଦୁଇଜଣ ବନ୍ଧୁ କଥାବାର୍ତ୍ତା ହୋଇଥିଲେ ସେମାନଙ୍କ ଭିତରୁ ଜଣେ ଓରଟେଲ୍ର କର୍ମଚାରୀ ହେଲେ ମଧ୍ୟ ଅନ୍ୟଜଣେ ସଂପୂର୍ଣ୍ଣ ସାଧାରଣ ନାଗରିକ। ଏହି ଦୁଇ ଜଣଙ୍କର ଟେଲିଫୋନ ବାର୍ତ୍ତା ନିଶ୍ଚିତ ଭାବରେ ଏକ ଧର୍ତବ୍ୟ ଅପରାଧ ନୁହେଁ। ଏହାକୁ ଭାଇରାଲ କରାଯିବା ଦ୍ୱାରା ସଂକ୍ରମଣ ପ୍ରଭାବିତ ହେବାର କୌଣସି ସମ୍ଭାବନା ବି ନାହିଁ। ଖୁବବେଶୀରେ କୋଭିଡ ପରିଚାଳନାରେ ଯେଉଁ ସ୍ୱଚ୍ଛତାର ଅଭାବ ରହିଛି ତାହାର ସୁଯୋଗରେ ସାଧାରଣ ଲୋକମାନେ ବା ସାଧାରଣ ରୋଗୀଟିଏ କ’ଣ ଭାବୁଛି ତାହା ସେଥିରେ ପ୍ରଦର୍ଶିତ ହୋଇଛି। ଯଦି ଏହି ପରିଚାଳନାରେ କୌଣସି ଅସାଧୁତା ନାହିଁ ସେଥିରେ ଲକ୍ଷ୍ମୀକାନ୍ତଙ୍କ ମନଭିତରେ ଯେଉଁ ଧାରଣା ସୃଷ୍ଟି ହୋଇଛି ତାହାକୁ ଦୂର କରିବା ପାଇଁ କୋଭିଡ ହସପିଟାଲ ଉପରେ ଓ ଏହାର ବ୍ୟୟ ଉପରେ ସ୍ୱାସ୍ଥ୍ୟବିଭାଗ ବା ମହାନଗର ନିଗମ ଏକ ପ୍ରେସ୍ ବିଜ୍ଞପ୍ତି ଦେଇପାରିଥାନ୍ତେ।
କିନ୍ତୁ ମହାନଗର ନିଗମ କମିଶନର ଯିଏ କି ରାଜ୍ୟର ଜଣେ ପ୍ରଭାବଶାଳୀ ଅଫିସର ଭାବରେ ଖ୍ୟାତି ଅର୍ଜନ କରିଛନ୍ତି ସେ ସାଧାରଣରେ ବା ଅଡିଓ କ୍ଲିପ୍ରେ ଉଠିଥିବା ଅଭିଯୋଗକୁ ଶୁଣିବାକୁ ପ୍ରସ୍ତୁତ ନଥିଲେ। କୋଭିଡ୍ ପରିଚାଳନାରେ ମହାନଗର ନିଗମର ନିଗମର ସାଧୁତାକୁ ପ୍ରଶ୍ନ କରାଯିବା ଘଟଣାରେ ସେ କ୍ରୋଧାନ୍ୱିତ ହୋଇଥିଲେ। ଯଦିଓ ପୂର୍ବରୁ ବିରୋଧୀ ଦଳମାନେ ଏପରିକି ଭୁବନେଶ୍ୱର ସାଂସଦ ମଧ୍ୟ କୋଭିଡ୍ ପରିଚାଳନା ନେଇ କେତେଗୁଡ଼ିଏ ଦୁର୍ନୀତି ଓ ଅନୀତିର ଅଭିଯୋଗ କରିଛନ୍ତି। ଯେହେତୁ ଅଡିଓ କ୍ଲିପ୍ଟି ଓଟିଭି ସୋସିଆଲ ମିଡିଆରେ ସ୍ଥାନିତ ହେଲା ଏବଂ ଏହି ଟେଲିଭିଜନ ସଂସ୍ଥା ରାଜ୍ୟ ସରକାରଙ୍କର ଏକ ବିରୋଧୀ ଚ୍ୟାନେଲ ଭାବରେ ଖ୍ୟାତି ଅର୍ଜନ କରିଛି ସେହେତୁ ଓଟିଭିକୁ ଜବତ କରିବା ପାଇଁ ଏହା ଏକ ମାଧ୍ୟମ ହେବ ବୋଲି ବିଚାର କରି ରାତିଆ ମୋକଦ୍ଦମା କରାଯାଇଛି। ଯଦିଓ ଓଟିଭିର ଯୁକ୍ତି ହେଲା ଯେ, ଅଡିଓ କ୍ଲିପ୍ଟିକୁ ଚ୍ୟାନେଲ ପକ୍ଷରୁ ପ୍ରସାରିତ କରାଯାଇନାହିଁ, ଏହା କେବଳ ସୋସିଆଲ ମିଡିଆରେ ସ୍ଥାନ ପାଇଛି। ଅବଶ୍ୟ ଏଇଠି ପ୍ରଶ୍ନ ହୋଇପାରେ ଯେ, ସୋସିଆଲ ମିଡିଆରେ ଓଟିଭି ଏହା ଦେବା ପୂର୍ବରୁ ଏହାର ସତ୍ୟାସତ୍ୟ ଯାଂଚ କରିବାର ଆବଶ୍ୟକତା ଥିଲା। କିନ୍ତୁ ଏହା କିଛି ବାଧ୍ୟତାମୂଳକ ନୁହେଁ। କାରଣ ସେହି ସୋସିଆଲ ମିଡିଆରେ ଲେଖା ହୋଇଥିଲା ଯେ, ଏହା ଭାଇରାଲ ହେଉଥିବା ଏକ ଅଡିଓ, ଏହାର ସତ୍ୟାସତ୍ୟ ଯାଞ୍ଚ ହେଉ। ଯଦିଓ ମହାମାରୀ ସମୟରେ କୌଣସି ଗଣମାଧ୍ୟମ ଶୁଣାକଥା ଉପରେ ପର୍ଯ୍ୟବେଶିତ କରି କୌଣସି ଖବର ଦେଇପାରିବ ନାହିଁ। ନିକଟରେ କେରଳ ହାଇକୋର୍ଟ ମଧ୍ୟ ଏହି ମନ୍ତବ୍ୟ ଦେଇଛନ୍ତି। କିନ୍ତୁ ଓଟିଭି ଅଡିଓଟିକୁ ଚ୍ୟାନେଲ୍ରେ ପ୍ରସାରିତ କରିନାହିଁ ବା ଏକ ଖବର ଭାବରେ ଦେଖାଇନାହିଁ।
କିନ୍ତୁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଚାପରେ ଭୁବନେଶ୍ୱର ପୁଲିସ ପରଦିନ କଥାବାର୍ତ୍ତା ହୋଇଥିବା ଦୁଇ ବନ୍ଧୁଙ୍କୁ ରାତିରେ ଘରୁ ଜବରଦସ୍ତ ଉଠାଇଆଣିବା ଓ ପରଦିନ ଗିରଫ ଦର୍ଶାଇ କୋର୍ଟରେ ହାଜର କରି ରିମାଣ୍ଡରେ ନେବା ପାଇଁ ଆବେଦନ କରିବା ପରେ ମାଜିଷ୍ଟ୍ରେଟ୍ଙ୍କ ଆଦେଶ ଆସିବା ପୂର୍ବରୁ ସେମାନଙ୍କୁ ଜେଲ୍କୁ ପଠାଇଦିଆଯିବା ଓ ପରଦିନ ଛୁଟିରେ ସେମାନଙ୍କୁ ରିମାଣ୍ଡରେ ନିଆଯିବା ଘଟଣା ସାଧାରଣରେ ଆତଙ୍କ ଖେଳାଇଦେଇଛି। ଏହି ଦୁଇଜଣଙ୍କର ଅପରାଧ ସଂକ୍ରାନ୍ତରେ ପୋଲିସ ଯାହା ଦର୍ଶାଇଛି ତାହାକୁ କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। କାରଣ ସେମାନଙ୍କ କଥାବାର୍ତ୍ତା ଓ ସେମାନଙ୍କ ଅଡିଓ ଭାଇରାଲ ହେବା ଦ୍ୱାରା କରୋନା ସଂକ୍ରମଣ ବଢ଼ିଯିବାର କୌଣସି ଆଶଙ୍କା ନାହିଁ। ଏହାଦ୍ୱାରା କୋଭିଡ୍ ଯୋଦ୍ଧାମାନଙ୍କୁ ଅପମାନିତ କରାଯାଇଛି ବୋଲି କୁହାଯିବାର କୌଣସି କାରଣ ନାହିଁ। ବାସ୍ତବିକ କୋଭିଡ୍ ଯୁଦ୍ଧରେ ନିଷ୍ଠାର ସହିତ କାମ କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ଦିନରାତି ବିଶ୍ରାମ ନନେଇ ଯେପରି ଦାୟିତ୍ୱ ସମ୍ପନ୍ନ କରୁଛନ୍ତି ସେଥିପାଇଁ ସାଧାରଣରେ ସେମାନଙ୍କ ପ୍ରତି ସମ୍ମାନ ରହିଛି। ଲକ୍ଷ୍ମୀକାନ୍ତଙ୍କ ଅଭିଯୋଗ ସ୍ୱାସ୍ଥ୍ୟ ବିଭାଗ, ବିଏମସି କର୍ତ୍ତପକ୍ଷ ଓ ଘରୋଇ ହସପିଟାଲର ମାଲିକମାନଙ୍କ ବିରୋଧରେ ଉଦ୍ଦିଷ୍ଟ ଥିଲା। ଏହାଦ୍ୱାରା କୌଣସି କୋଭିଡ୍ ଯୋଦ୍ଧା ଅପମାନିତ ହେବେ ନାହିଁ। ଏପରି ସ୍ଥଳେ ସେହି ଦୁଇଜଣଙ୍କୁ ରାତିରେ ଗିରଫ କରିବା ଓ ପୋଲିସ ପଚରାଉଚରା ପାଇଁ ସେମାନଙ୍କୁ ତିନିଦିନ ରିମାଣ୍ଡରେ ଆଣିବା ଓ ମାଜିଷ୍ଟ୍ରେଟ୍ ଏଥିପାଇଁ ଅନୁମତି ଦେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ମହାମାରୀ ସମୟରେ ଲୋକମାନେ କରୋନାର ଭୟଯୋଗୁ ଯେତିକି ଆତଙ୍କିତ ସେହି ଅନୁସାରେ ଏହି ସମୟ ଭିତରେ ସରକାରୀ କର୍ତ୍ତୃପକ୍ଷ ବା ବିଏମସି ଯାହା କରୁଛନ୍ତି ସେ ସଂପର୍କରେ ମନ୍ତବ୍ୟ ଦେବା ବା ଅଭିଯୋଗ କରିବା ଆତଙ୍କର ବାତାବରଣକୁ ଆହୁରି ସଂପ୍ରସାରିତ କରିବ। ବ୍ୟକ୍ତିଗତ ଓ ମାନବିକ ଅଧିକାର ଉପରେ ଏହା ଏକ ପ୍ରଚଣ୍ଡ ଆକ୍ରମଣ। ଯେପରି ଭାବରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କର ପିତାମାତା ସେମାନଙ୍କ ପିଲାମାନଙ୍କୁ ଛାଡ଼ିଦେବା ପାଇଁ ଟେଲିଭିଜନ କ୍ୟାମେରା ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗୁଛନ୍ତି ତାହା ପରିସ୍ଥିତି ଅଧିକ ସଂଗୀନ କରିଛି। କାରଣ ଏହି ପରିବାର ଭାବୁଛନ୍ତି ଯେ, ସେମାନଙ୍କ ପିଲାମାନେ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଛି କାର୍ଯ୍ୟ କରିଛନ୍ତି। ନଚେତ୍ ପୋଲିସ ରାତିରେ ସେମାନଙ୍କୁ ଗିରଫ କରନ୍ତା କାହିଁକି? ଅଥଚ ଏହିପରି ଏକ ଅବସ୍ଥା ପାଇଁ ବିଏମସି କମିଶନର ହିଁ ମୁଖ୍ୟତଃ ଦାୟୀ ଓ ତାଙ୍କର କାର୍ଯ୍ୟ ଯୋଗୁ ସରକାର ପରୋକ୍ଷରେ ବଦନାମ ହୋଇଛନ୍ତି।
ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫