Books Photograph: (Internet)
ଡ ରୀନା ରାଉତରାୟ
ଓଡ଼ିଶା ବର୍ତ୍ତମାନ ଏକ ଅସାମାନ୍ୟ ସାହିତ୍ୟିକ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି। ସାହିତ୍ୟିକ, ପ୍ରକାଶକ, ପାଠାଗାର, ବହି ବିକ୍ରେତା ଓ ପାଠକ, ସାହିତ୍ୟ ଜଗତର ଏହି ପାଞ୍ଚଟି ମୂଳ ତତ୍ତ୍ୱ ବିଭିନ୍ନ କାରଣରୁ ଅସୁସ୍ଥ ହୋଇପଡ଼ିଛନ୍ତି। ପାଠକ କମୁଛନ୍ତି, ପ୍ରକାଶକମାନଙ୍କ ଖର୍ଚ୍ଚ ବଢ଼ୁଛି, ସାହିତ୍ୟିକମାନଙ୍କ ଶ୍ରମ ମୂଲ୍ୟାୟନ ହେଉ ନାହିଁ, ଗ୍ରାମୀଣ ପାଠାଗାର ନିର୍ଜୀବ ହୋଇ ପଡ଼ି ରହିଛନ୍ତି।
ଏହି ଘଡ଼ିସନ୍ଧି ସମୟରେ ବିଧାୟକମାନଙ୍କ ପାଇଁ ଘୋଷିତ ନୂତନ ୧୦,୦୦୦ ଟଙ୍କା ବହି ଓ ପତ୍ରିକା ଭତ୍ତା ଏକ ମୂଲ୍ୟବାନ ପରିବର୍ତ୍ତନର ଆରମ୍ଭ ହୋଇପାରେ। ଜ୍ଞାନ, ପାଠାଗାର ଓ ସାହିତ୍ୟ ଚେତନାକୁ ପୁନଃଜୀବନ ଦେବା ପାଇଁ ଏହା ଏକ ମୂଲ୍ୟବାନ ଉଦ୍ୟମରେ ପରିବର୍ତ୍ତନ କରାଯାଇପାରେ।
ଓଡ଼ିଶାର ୧୪୭ ବିଧାୟକ ଯଦି ଏହି ଭତ୍ତାର ଉପଯୁକ୍ତ ବ୍ୟବହାର କରି ରାଜ୍ୟ ସ୍ତରୀୟ ପୁସ୍ତକ ମେଳାରୁ ଉଚ୍ଚମାନର ପୁସ୍ତକ କ୍ରୟ କିଛି ବ୍ୟକ୍ତିଗତ ସଂଗ୍ରହ ସହ ତାଙ୍କ ନିର୍ବାଚନମଣ୍ଡଳୀର ଗ୍ରାମ, ସହର, ବିଦ୍ୟାଳୟ, କଲେଜ, କ୍ଲବ ଓ ସାସ୍କୃତିକ ସଂଘମାନଙ୍କ ପାଠାଗାରକୁ ଦାନ କରନ୍ତେ, ତାହାହେଲେ ଏକ ସାରସ୍ୱତ ପରିବର୍ତ୍ତନ ସୃଷ୍ଟି ହେବା ସୁନିଶ୍ଚିତ।
ଯଦି ପ୍ରତ୍ୟେକ ବିଧାୟକ ମାସିକ ୧୦ରୁ ୧୫ଟି ଉଚ୍ଚ ମାନର ପୁସ୍ତକ କ୍ରୟ କରି ଗ୍ରାମ ପାଠାଗାରକୁ ଦାନ କରନ୍ତି, ତେବେ ୧୪୭ଟି ନିର୍ବାଚନମଣ୍ଡଳୀରେ ପ୍ରାୟ ୧,୫୦୦-୨,୦୦୦ ନୂତନ ପୁସ୍ତକ ଯୋଗ ହେବ, ସ୍ଥାନୀୟ ଯୁବମାନେ ପୁନର୍ବାର ପାଠାଗାରମୁଖୀ ହେବେ, ପ୍ରକାଶନ ବ୍ୟବସାୟ ନୂତନ ଜୀବନ ପାଇବ, ଲେଖକଙ୍କ ଶ୍ରମର ମୂଲ୍ୟାୟନ ବଢ଼ିବ।
ଏହି ଉଦ୍ୟମଟି ଛୋଟ ହେଲେ ମଧ୍ୟ ଏହାର ପ୍ରଭାବ ଅସାମାନ୍ୟ ଗଭୀର ଓ ସୁଦୂର ପ୍ରସାରୀ।
ଆମ ରାଜ୍ୟର ପୁସ୍ତକ ମେଳାଗୁଡ଼ିକ ଜାତୀୟ ସ୍ତରରେ ସେତିକି ପ୍ରତିଷ୍ଠିତ ଓ ପ୍ରସିଦ୍ଧି ପାଇନାହିଁ ଯାହା ପାଇବା କଥା। ସମ୍ଭାବ୍ୟ କାରଣ ଅନେକ, କିନ୍ତୁ ଜନମାନସରେ ତତକ୍ଷାଣିକ ପ୍ରଭାବ ପାଇଁ ଜନ ପ୍ରତିନିଧିମାନଙ୍କ ଏକାନ୍ତ ଉଦ୍ୟମ ଜରୁରୀ ମନେହୁଏ।
ପ୍ରତିବର୍ଷ ଓଡ଼ିଶାରେ ୨୦ରୁ ଅଧିକ ସ୍ଥାନରେ ଛୋଟ ବଡ଼ ପୁସ୍ତକ ମେଳା ହୁଏ। କିନ୍ତୁ, ପାଠକ ସଂଖ୍ୟା କମୁଛି ଓ ପୁସ୍ତକ ମୂଲ୍ୟ ବଢ଼ୁଛି। ଡିଜିଟାଲ ମିଡିଆର ପ୍ରଭାବରେ ଯୁବବର୍ଗ ମାନଙ୍କର ପଢ଼ିବା ପ୍ରବୃତ୍ତିର ଅବନତି ଏବଂ ପ୍ରକାଶକଙ୍କ ଲାଭ ହାର କମିଯାଉଛି।
ଏହି ପରିସ୍ଥିତିରେ ବିଧାୟକମାନଙ୍କ ଭତ୍ତା ଦ୍ୱାରା ଗଢ଼ି ଉଠୁଥିବା ପୁସ୍ତକ ଚାହିଦା ପୁସ୍ତକ ମେଳାକୁ ସାର୍ଥକ କରିବ, ଓଡ଼ିଆ ପ୍ରକାଶକମାନଙ୍କୁ ଶକ୍ତିଶାଳୀ କରିବ, ସାହିତ୍ୟିକମାନଙ୍କ ରୟାଲ୍ଟି ବୃଦ୍ଧି କରିବ।
ଏହା ଦ୍ୱାରା ସାରସ୍ୱତ ଅର୍ଥନୀତିର ସମ୍ଭାବନା ଉଦ୍ରେକ ହୋଇପାରିବ ଯେଉଁଠାରେ ପାଠକ, ପ୍ରକାଶକ ଓ ଲେଖକ ସମାନ ଭାବରେ ଲାଭାନ୍ୱିତ ହୋଇ ପାରିବେ।
ଦୀର୍ଘଦିନ ଧରି ଗାଁ ଗହଳିର ପାଠାଗାରମାନେ ଭଲ ପୁସ୍ତକର ଅଭାବରେ ପ୍ରାୟ ନିର୍ଜୀବ ହୋଇ ପଡ଼ିରହିଛନ୍ତି। ସେଠାରେ ଯୁବବର୍ଗ ପଢ଼ିବା ପାଇଁ ଆବଶ୍ୟକୀୟ ପୁସ୍ତକ ଯଥେଷ୍ଟ ମିଳୁନଥିବା ଏକ ଚିନ୍ତା ଜନକ ବିଷୟ। ଓଡ଼ିଶାର ୭,୦୦୦ରୁ ଅଧିକ ଗ୍ରାମ ପାଠାଗାରରୁ ଅନେକରେ ୧୦ ବର୍ଷ ଧରି ନୂତନ ପୁସ୍ତକ ଯୋଗ ହୋଇ ନାହିଁ।
ବିଧାୟକଙ୍କ ବହି ଭତ୍ତାକୁ ଗ୍ରାମ ପାଠାଗାର ସୁଦୃଢ଼ିକରଣ ପାଇଁ ବ୍ୟବହାର କରିବା ସହ ସ୍ଥାନୀୟ ସରକାର, ବ୍ଲକ, ପଞ୍ଚାୟତ ଓ ମ୍ୟୁନିସିପାଲିଟି ଦ୍ୱାରା ପାଠାଗାର ଆଧୁନିକୀକରଣ ପୁସ୍ତକ ମେଳାକୁ ଜିଲ୍ଲା ଓ ତହସିଲ ସ୍ତରକୁ ବିସ୍ତାର ଓ ସ୍କୁଲ-କଲେଜରେ ବାର୍ଷିକ ‘ପଢ଼ା ମହୋତ୍ସବ’ ପ୍ରଚାର ପ୍ରସାର ଏବଂ ଓଡ଼ିଆ ସାହିତ୍ୟର ଡିଜିଟାଲ ଆର୍କାଇଭ୍ ପ୍ରତିଷ୍ଠା କରାଯାଇ ପାରିଲେ ଓଡ଼ିଶାରେ ସାହିତ୍ୟ ସଂକଟର ଅନେକାଂଶରେ ସମାଧାନ ହୋଇ ପାରନ୍ତା।
ଏହା ଏକ ଲମ୍ବା ଯାତ୍ରା, କିନ୍ତୁ ଏହି ଯାତ୍ରାର ଆରମ୍ଭ ଆବଶ୍ୟକ।
ଏହି ସଙ୍କଟମୟ ପରିସ୍ଥିତିରେ ବିଧାୟକମାନେ ଦାନ କରିଥିବା ନୂତନ ପୁସ୍ତକ ଗାଆଁ ଗହଳିରେ ଥିବା ପାଠାଗାର ଗୁଡ଼ିକ ରୁଚି ସମ୍ପନ୍ନ ଓ ସମୃଦ୍ଧ ହେବା ସହିତ ଉଭୟ ପ୍ରକାଶକ ଓ ଲେଖକମାନଙ୍କୁ ପ୍ରୋତ୍ସାହନ ମିଳିବ। ଏଥି ସହିତ ବିଧାୟକ ମାନଙ୍କ ସ୍ୱାକ୍ଷର ଜଡ଼ିତ ଦାନ କରିଥିବା ପୁସ୍ତକ ସେମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟ କରିବା ସହିତ ଜନ ମାନସରେ, ବିଶେଷକରି ଯୁବ ବର୍ଗଙ୍କ ମଧ୍ୟରେ ରାଜନୈତିକ ସଚେତନତା ଓ ପଠନ ସଂସ୍କୃତି ପ୍ରତି ଆଗ୍ରହ ଓ ଆକର୍ଷଣ ସୃଷ୍ଟି କରି ପାରନ୍ତା। ପାଠାଗାରରେ ପୁନଃ ଗତିବିଧି ବଢ଼ିବ, ସଂସ୍କୃତି, ଚର୍ଚ୍ଚା, ଅଧ୍ୟୟନ ଓ ଚିନ୍ତନର ମଞ୍ଚ ପୁନଃ ଜୀବିତ ହେବ, ସ୍ଥାନୀୟ ବିକାଶ, ପରିଚୟ ଓ ପଠନ ସଂସ୍କୃତିରେ ଗଭୀର ପ୍ରଭାବ ପଡ଼ିବ।ତତ୍ ସହିତ ପାଠାଗାର ସଙ୍କଟ ରୂପକ ଏକ ବୃହତ୍ତର ସମସ୍ୟା ଓ ପାଠାଗାରର ସଂସ୍କୃତି ପୁନଃଜୀବିତ ଦିଗରେ ସେମାନଙ୍କ ଅବଦାନ ଅବିସ୍ମରଣୀୟ ହୋଇପାରନ୍ତା।
ଏହା ରାଜନୀତିକୁ ମଧ୍ୟ ମାନବମୁଖୀ କରିପାରେ, ପୁସ୍ତକ ଦାନ କରୁଥିବା ନେତା ସାଧାରଣତଃ ପଢ଼ା-ଲେଖା ସଚେତନତାର ପ୍ରତୀକ ହୋଇ ପାରନ୍ତି।
୧୦,୦୦୦ ଟଙ୍କା ବହି ଭତ୍ତା ଦେଖିବାକୁ ମାତ୍ର ଏକ ଆର୍ଥିକ ସାହାଯ୍ୟ। କିନ୍ତୁ ଯଦି ସଠିକ୍ ଭାବେ ବ୍ୟବହାର କରାଯାଏ, ଏହା ଓଡ଼ିଶାର ପାଠାଗାରକୁ ଜୀବନ ଦେବ, ପ୍ରକାଶନ ଶିଳ୍ପକୁ ସୁଦୃଢ଼ କରିବ, ପଢ଼ିବା ପ୍ରବୃତ୍ତିକୁ ପୁନଃ ଜାଗୃତ କରିବ, ଯୁବମାନଙ୍କୁ ଜ୍ଞାନ, ସଚେତନତା ଓ ଚିନ୍ତନର ନୂଆ ପଥ ଦେଖେଇବ, ଓଡ଼ିଶାର ସାରସ୍ୱତ ସଂସ୍କୃତିକୁ ଦୃଢ଼ ଭିତ୍ତି ଦେବ।
ଆଶା ରଖିବା, ଏହି ୧୦,୦୦୦ ଟଙ୍କିଆ ବହି ଭତ୍ତାକୁ ବିଧାୟକ ମାନେ ସଠିକ୍ ବିନିଯୋଗ କରି ଜ୍ଞାନ ଓ ସାହିତ୍ୟ ଆନ୍ଦୋଳନର ନେତୃତ୍ୱ ନେଇ ଓଡ଼ିଶାର ପୁସ୍ତକ ସଂସ୍କୃତିକୁ ଏକ ନୂଆ ଦିଗ ଦେବାର ମାଧ୍ୟମ ହୁଅନ୍ତୁ।
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/15/books-2025-12-15-15-19-46.jpg)