ବୁଦ୍ଧ, ଗାନ୍ଧୀ ଓ ଆଦାନୀ

ସତରେ ମହାତ୍ମା ଗୌତମ ବୁଦ୍ଧ କଦାପି ଭାବି ନଥିବେ ଯେ ତାଙ୍କରି ଜନପଦରେ ଜଣେ କେହି ମଣିଷ ତାଙ୍କର ଅନ୍ତରାତ୍ମାର ବାଣୀକୁ ଭୁଲ ପ୍ରମାଣିତ କରିଦେବ ଓ କହିବ ଯେ “କାମନାର ବିନାଶ ନୁହେଁ” ବରଂ କାମନାର ପ୍ରତିପାଳନ ଦ୍ଵାରା ହିଁ ତୁମେ “କ୍ରମାଗତ ଭାବରେ ପ୍ରଗତି କରିପାରିବ ଓ ସୁଖୀ ହୋଇପାରିବ।“ ମାନବ ଜାତିର ମୁକ୍ତି ଲାଗି ଯେଉଁ ଭୂଖଣ୍ଡରେ ଗୌତମ ଦିନେ ଅଶ୍ଵଥ ବୃକ୍ଷ ତଳେ ଖାଦ୍ୟ ସ୍ପର୍ଶ ନକରି ଦୀର୍ଘ ବାର ବର୍ଷ ସାଧନା କରିଥିଲେ ସେହି ଜନପଦରେ ଗୌତମ ନାମଧାରୀ ଅନ୍ୟ ଜଣେ ମଣିଷ ବିଶ୍ଵର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହେବାର ଲାଳସାକୁ ପୂର୍ଣ୍ଣ କରୁଛି ତାହା ପୁଣି ଭୋକିଲା ଜନତାଙ୍କ ସାମ୍ନାରେ। ଏହା କ’ଣ ବୁଦ୍ଧଙ୍କୁ ଭୁଲ ପ୍ରମାଣିତ କରୁ ନାହିଁ କି?

Adani Group

  • Published: Monday, 13 February 2023
  • , Updated: 13 February 2023, 04:52 PM IST

News highlights

  • ବୁଦ୍ଧ କହିଥିଲେ କାମନାର ବିନାଶରେ ଦୁଃଖର ବିନାଶ, ଆଦାନୀ କାମନାର ପରିତୃପ୍ତିରେ ଦୁଃଖର ବିନାଶ କଥା ପ୍ରମାଣିତ କଲେ।
  • ଗାନ୍ଧୀ କହିଥିଲେ ଅଳ୍ପରେ ସନ୍ତୁଷ୍ଟ ହେଲେ ସମସ୍ତେ ଭଲରେ ବଂଚିବେ, ଆଦାନୀଙ୍କ ବିଶ୍ୱାସ ଯେତେ ଅଧିକ ସେତେ ଭଲ।
  • କୋଟିକୋଟି ଦରିଦ୍ର ଥିବା ଦେଶରେ ଜଣେ ଲୋକ ବିଶ୍ୱ ସ୍ତରୀୟ ଧନୀ ହେଲେ କାହାର ଲାଭ କାହାର କ୍ଷତି?

ସତରେ ମହାତ୍ମା ଗୌତମ ବୁଦ୍ଧ କଦାପି ଭାବି ନଥିବେ ଯେ ତାଙ୍କରି ଜନପଦରେ ଜଣେ କେହି ମଣିଷ ତାଙ୍କର ଅନ୍ତରାତ୍ମାର ବାଣୀକୁ ଭୁଲ ପ୍ରମାଣିତ କରିଦେବ ଓ କହିବ ଯେ “କାମନାର ବିନାଶ ନୁହେଁ” ବରଂ କାମନାର ପ୍ରତିପାଳନ ଦ୍ଵାରା ହିଁ ତୁମେ “କ୍ରମାଗତ ଭାବରେ ପ୍ରଗତି କରିପାରିବ ଓ ସୁଖୀ ହୋଇପାରିବ।“ ମାନବ ଜାତିର ମୁକ୍ତି ଲାଗି ଯେଉଁ ଭୂଖଣ୍ଡରେ ଗୌତମ ଦିନେ ଅଶ୍ଵଥ ବୃକ୍ଷ ତଳେ ଖାଦ୍ୟ ସ୍ପର୍ଶ ନକରି ଦୀର୍ଘ ବାର ବର୍ଷ ସାଧନା କରିଥିଲେ ସେହି ଜନପଦରେ ଗୌତମ ନାମଧାରୀ ଅନ୍ୟ ଜଣେ ମଣିଷ ବିଶ୍ଵର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହେବାର ଲାଳସାକୁ ପୂର୍ଣ୍ଣ କରୁଛି ତାହା ପୁଣି ଭୋକିଲା ଜନତାଙ୍କ ସାମ୍ନାରେ। ଏହା କ’ଣ ବୁଦ୍ଧଙ୍କୁ ଭୁଲ ପ୍ରମାଣିତ କରୁ ନାହିଁ କି?

ଯାହାଙ୍କ ନେତୃତ୍ଵରେ ଏତେ ବଡ଼ ଦେଶ ସ୍ଵାଧୀନ ହେଲା ସେହି ଅଧା ଲଙ୍ଗଳା ଫକିରଙ୍କର ସ୍ଵାଧୀନତା ଆନ୍ଦୋଳନରେ ପାଦ ଦେବା ପରଠାରୁ (୧୯୧୫ ମସିହା) ଜୀବନର ଶେଷ ପର୍ଯ୍ୟନ୍ତ କୌଣସି ବି ବ୍ୟାଙ୍କରେ ଆକାଉଣ୍ଟ ନଥିଲା। ଦେଶରେ ସ୍ଵାଧୀନତା ଆଣିବା ଓ ସମାନତାପୂର୍ଣ୍ଣ ସମାଜ ଗଠନ ଲାଗି ଯିଏ ନିଜର ସମୁଦାୟ ଜୀବନର ୧୫ ବର୍ଷ (ଏକକାଳୀନ ନୁହେଁ) ବିଭିନ୍ନ ଜେଲରେ ବନ୍ଦୀ ଜୀବନ କଟାଇଥିଲେ ସେ କ’ଣ କେବେ ଭାବିଥିବେ ଯେ ତାଙ୍କରି ପ୍ରଦେଶରୁ ଜଣେ ମଣିଷ ବିଶ୍ଵର ଅତି ଧନୀଙ୍କ ସହିତ ଦିନେ ପ୍ରତିଯୋଗିତା କରିବ ଅଥଚ ତାହାରି ସାମ୍ନାରେ ଦେଶର ୮୦ କୋଟି ଜନତା (ସରକାରୀ ତାଲିକାର ହିତାଧିକାରୀ) ପ୍ରତି ଦିନ ଭଲ ଖାଦ୍ୟ ଟିକିଏ ପାଉନଥିବେ? ଏହାକୁ କୁହାଯାଏ ବିଡ଼ମ୍ବନା।

ଏହା ନୁହେଁ ଯେ ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଆଜି ଆମେ ଆଦାନୀଙ୍କ ସାମ୍ରାଜ୍ୟ ସମ୍ପର୍କରେ ଜାଣୁଛେ। ଅକ୍ସଫାମ ରିପୋର୍ଟ ତ ଆମକୁ ବହୁ ଆଗରୁ ଏହି ଅସମାନତା ସମ୍ପର୍କରେ ସୂଚୀତ କରିଆସିଛି। ବରଂ କୁହାଯିବ ଯେ ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଗଣମାଧ୍ୟମରେ କିଛି ସମୟ ଲାଗି ଏ ସମ୍ପର୍କରେ ଲେଖା ପ୍ରକାଶିତ ହେବାର ସୁଯୋଗ ଆସିଛି। ଗଣମାଧ୍ୟମକୁ ଜଣାନାହିଁ ଯେ ଆଦାନୀଙ୍କ ଗତି ଏହାପରେ କେଉଁ ଆଡ଼କୁ ହେଉଛି!

ଗୌତମ ଆଦାନୀଙ୍କ ସାମ୍ରାଜ୍ୟର ମୂଳ ଉତ୍ସ ହେଉଛି ଶେୟାର ବଜାରରେ ଉତ୍ତମ ଅନୁମାନ ବା speculation। ହିଣ୍ଡେନବର୍ଗ ରିପୋର୍ଟ କୁହେ, “ଆଦାନୀ ଏଣ୍ଟରପ୍ରାଇଜର୍ସ କମ୍ପାନୀ ଦଶନ୍ଧି ଧରି ଶେୟାର ବଜାରରେ ବିଭିନ୍ନ କାରସାଦିରେ ତଥା ଠକାମିର ରାସ୍ତାରେ ନିଯୁକ୍ତ ରହିଛି।“ ଏହି ହେତୁ ଆଜି କମ୍ପାନୀ ୧୭ ଲକ୍ଷ ୮୦ ହଜାର କୋଟି ଭାରତୀୟ ମୁଦ୍ରାରେ ସମ୍ପତ୍ତି ଏକାଠି କରିପାରିଥିବା କଥା ରିପୋର୍ଟ କୁହେ।

ମୁଁ ଜଣେ ବାଣିଜ୍ୟ ବିଭାଗର ଛାତ୍ର ହୋଇଥିବା କାରଣରୁ ଜାଣିଛି ଯେ ଅନେକ କମ୍ପାନୀ ନିଜର ଶେୟାରର ମୂଲ୍ୟ ବଢ଼ାଇବା ଲାଗି ନିଜ କମ୍ପାନୀର ମୂଲ୍ୟାଙ୍କନ ଜାଣି ଜାଣି ଅଧିକ କରିଥା’ନ୍ତି। ଏହା ବର୍ଷ ବର୍ଷର ଅଭ୍ୟାସ। ଏହାକୁ ରୋକିବା ଦିଗରେ ସରକାରୀ ଉଦ୍ୟମ କରାଯାଇନାହିଁ। କିନ୍ତୁ ଆଦାନୀ ଗୃପର ଏକ ଟଙ୍କାର ଶେୟାରକୁ ୪୦୦୦ ଟଙ୍କା ନିକଟରେ ପହଞ୍ଚାଇବା ଲାଗି ହେଲେ କେବଳ ମ୍ୟାଜିକ ସୂତ୍ର ଆବଶ୍ୟକ ଯାହା କି ସତରେ ହୋଇଥିଲା। ଗଲା ଅଗଷ୍ଟ ୨୦୨୦ରୁ ଅଗଷ୍ଟ ୨୦୨୨ ମଧ୍ୟରେ ଆଦାନୀ ଏଣ୍ଟରପ୍ରାଇଜର୍ସର ଗଲା ଦୁଇ ବର୍ଷ ମଧ୍ୟରେ ଶେୟାର ମୂଲ୍ୟ ୨,୦୦୦ କୋଟି ଡଲାରରୁ ୧୨,୦୦୦ କୋଟି ଡଲାରରେ ପହଞ୍ଚିପାରିଥିଲା ଅର୍ଥାତ ୮୧୯% ବୃଦ୍ଧି ଘଟିଥିଲା। ହିଣ୍ଡେନବର୍ଗ ରିପୋର୍ଟ କୁହେ, ଏହାର କାରଣ ଥିଲା କମ୍ପାନୀର ମୂଲ୍ୟ ନିର୍ଦ୍ଧାରଣରେ ମିଛ ବୃଦ୍ଧି।

କୌଣସି କମ୍ପାନୀ ଶେୟାର ବଜାରରେ ଉଛାଲ ପାଇବା ଲାଗି ନିଜର କମ୍ପାନୀର ଅତି ଅଧିକ ମୂଲ୍ୟାନିର୍ଦ୍ଧାରଣ କରିବା କେବଳ ଏକ ଅପରାଧ ନୁହେଁ। ଏହା ଅନେକଙ୍କ ଲାଗି ଘାତକ ମଧ୍ୟ ହୋଇଥାଏ। ଏହା କମ୍ପାନୀର କ୍ଷତି କରାଇବା ସହିତ ନିଜର କୋଟି କୋଟି ଅଂଶଧନକାରୀ ବା ଶେୟର ହୋଲ୍ଡରଙ୍କ ଲାଗି ଅସୀମ କ୍ଷତି ଆଣିଦିଏ। ବିଶେଷକରି, ଆଜିର ଜଗତୀକରଣ ଯୁଗରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଅଂଶଧନକାରୀମାନେ କେବଳ ଗୋଟିଏ ଦେଶ ମଧ୍ୟରେ ସୀମିତ ନରହି ଅନେକ ଦେଶର ହୋଇଥା’ନ୍ତି। ସେମାନେ କମ୍ପାନୀର ପ୍ରଗତି ସହିତ ସେହି ଦେଶର ନିୟମ କାନୁନ ଉପରେ ଭରସା କରି ପୁଞ୍ଜିନିବେଶ କରିଥା’ନ୍ତି।

ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ନିୟନ୍ତ୍ରଣ କରିବା ଲାଗି ଆନ୍ତର୍ଜାତିକ ସ୍ତରରେ କୌଣସି ସଂସ୍ଥା ଆଜି ବି ତିଆରି କରାଯାଇ ନାହିଁ। କେବଳ କମ୍ପାନୀର ନିଜସ୍ଵ ପୈତୃକ ଦେଶର ସ୍ଷଚ୍ଛତା ଓ କମ୍ପାନୀର ନିଜସ୍ଵ ପ୍ରଗତି ହିଁ ଏ କ୍ଷେତ୍ରରେ ବିଦେଶର ଅଂଶଧନକାରୀଙ୍କ ଲାଗି ମାପକାଠି ହୋଇଥାଏ। ଯେତେବେଳେ ଶେୟାର ବଜାରରେ କମ୍ପାନୀର ଠକାମୀ ଜଣାପଡ଼େ ଓ କମ୍ପାନୀର ଶେୟାର ମୂଲ୍ୟ ଅତି ତଳକୁ ଖସିଯାଏ ସେତେବେଳେ ଅଂଶଧନକାରୀମାନେ ଆତ୍ମହତ୍ୟାର ରାସ୍ତା ମଧ୍ୟ ବାଛି ନିଅନ୍ତି। କାରଣ ନିଜର ସମସ୍ତ ସଞ୍ଚୟକୁ ସେମାନେ କମ୍ପାନୀର ସେୟାର କିଣିବାରେ ଖଟାଇଥା’ନ୍ତି। ପ୍ରଶ୍ନ ଆସେ ଯେ ଅଦାନୀ ଏଣ୍ଟରପ୍ରାଇଜର୍ସ ଭଳି ଏକ ଭାରତୀୟ ବହୁରାଷ୍ଟ୍ରୀୟ ସାର୍ବଜନୀକ ପୁଞ୍ଜୀକୃତ କମ୍ପାନୀର (publicly listed holding company) କାର୍ଯ୍ୟ ଭାରତର ଷ୍ଟକ ଏକ୍ଚେଞ୍ଜ ଅଫ ଇଣ୍ଡିଆ (ସେବି), ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ଫେମା) ଓ ଡିରେକ୍ଟର ଓ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ଦ୍ଵାରା ସମୟ ସମୟରେ କଣ ତଦାରଖ ହେଉନଥିଲା?

‘ସେବି’ର ଗିରଫ କରିବା ଓ ସମ୍ପତ୍ତି ବ୍ୟାଜପ୍ତ କରିବାର କ୍ଷମତା ମଧ୍ୟ ରହିଛି। ହିଣ୍ଡେନବର୍ଗ ରିପୋର୍ଟ କହୁଛି ଯେ ୨୦୦୪ ରୁ ୨୦୧୦ ମଧ୍ୟରେ ଉଭୟ ଡିଆରଆଇ ଓ ସେବି ଦ୍ଵାରା ବିଭିନ୍ନ ସମୟରେ ଆଦାନୀଙ୍କ କମ୍ପାନୀ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏପରିକି ଗୌତମ ଆଦାନୀଙ୍କ ସାନ ଭାଇ ରାଜେଶ ଆଦାନୀ, ଡିଆରଆଇ ଦ୍ଵାରା ଦୁଇ ଥର ଗିରଫ ହୋଇଛନ୍ତି। ‘ସେବି’ ଗୌତମ ଆଦନୀଙ୍କ ବଡ଼ ଭାଇ ବିପକ୍ଷରେ ଧୋକାବାଜୀର ଅଭିଯୋଗ ଆଣେ। କିନ୍ତୁ ୨୦୧୪ ମସିହା ପରଠାରୁ ଏହି ସମସ୍ତ ଅନୁଷ୍ଠାନ ଆଦାନୀ ଗୃପ ପ୍ରତି ଚୁପ ହୋଇଯାଇଛନ୍ତି। ଏହା ଏକ ‘ପାରିବାରିକ ବ୍ୟବସାୟ’ରେ ପରିଣତ ହୋଇଛି। ପରିବାର ସଦସ୍ୟମାନେ ଆଦାନୀ ଗୃପ ଅଧୀନସ୍ଥ ସାତଟି କମ୍ପାନୀର ମୁଖ୍ୟ ପଦବୀରେ ରହିଛନ୍ତି। ଏହା ହିଣ୍ଡେନବର୍ଗ ରିପୋର୍ଟରୁ ସ୍ପଷ୍ଟ ହେଉଛି।

ଗୌତମ ଅଦାନୀଙ୍କ ବଡ଼ ଭାଇ ବିନୋଦ ଅଦାନୀଙ୍କ ନେତୃତ୍ଵରେ ମରିସସ, ଆରବ ଏମିରେଟ୍ସ, ବିଭିନ୍ନ କାରିବିଆନ ଦେଶରେ ୩୮ ଅଚଳ କମ୍ପାନୀ (shell company) ଖୋଲାଯାଇଛି ଓ ତାହା ମାଧ୍ୟମରେ ଆମଦାନୀ ରପ୍ତାନୀ ନାମରେ ଦେଶର ଟିକସର ଠକେଇ ହୋଇଥିବା କଥା ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରୁଛି। ହିଣ୍ଡେନବର୍ଗ ରିପୋର୍ଟରେ ଅଦାନୀ ଗୃପ ଦ୍ଵାରା ଗଠିତ ଅଚଳ କମ୍ପାନୀ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଅଦାନୀ ଗୃପ ନିଜର ଦୀର୍ଘ ଉତ୍ତରରେ କିନ୍ତୁ ଏହି ଅଚଳ କମ୍ପାନୀଙ୍କ ସମ୍ପର୍କରେ କିଛି ଉଲ୍ଲେଖ କରୁନାହାନ୍ତି।

ଗଲା କିଛି ଦଶନ୍ଧି ହେଲା ‘ସେବି’ ଏକ ସ୍ଵାଧୀନ ସଂସ୍ଥା ଭାବରେ କାମ ନକରି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଏକ ବିଭାଗ ଭଳି କାମ କରୁଛି। ୨୦୦୩ ମସିହାରେ ଯେବେ ଷ୍ଟେରଲାଇଟ କମ୍ପାନୀ ବିପକ୍ଷରେ ମରିସସ ରାସ୍ତା ଦେଇ ଅଚଳ କମ୍ପାନୀ ନାମରେ ଟିକସ ଠକେଇ କରିବାର ଅଭିଯୋଗ ଆସିଲା ସେତେବେଳେ ବି ‘ସେବି’ ଷ୍ଟେରଲାଇଟ – ବେଦାନ୍ତ କମ୍ପାନୀକୁ ଦଣ୍ଡିତ କରିବା ବଦଳରେ ନୀରବ ରହିଥିଲା। ବେଦାନ୍ତ କମ୍ପାନୀ ତରଫରୁ ପି ଚିଦାମ୍ବରମଙ୍କୁ ଓକିଲ ଭାବରେ ନିଯୁକ୍ତ କରାଯାଇଥିଲା। ପରେ ସେ ଦେଶର ଅର୍ଥମନ୍ତ୍ରୀ ହୋଇଥିଲେ। ଷ୍ଟେରଲାଇଟ କେସ ଏହା ପରେ ଦୁର୍ବଳ ହୋଇଯାଇଥିଲା। ଆଜି ଆଦାନୀ ଗୃପ କ୍ଷେତ୍ରରେ ସେହି ସମାନ କଥା ଘଟିବାକୁ ଯାଉଛି। କେନ୍ଦ୍ର ସରକାର କମ୍ପାନୀମାନଙ୍କ ଲାଗି ଟିକସ ଫାଙ୍କିବାର ରାସ୍ତା ଖୋଲା ରଖିଛନ୍ତି, ଯେଉଁ ଦଳ ବି ଶାସନରେ ଥାଉନା କାହିଁକି। ସେହି ଟିକସ ଯାହା ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଲାଗିଥାନ୍ତା ତାହା କମ୍ପାନୀଙ୍କର ପୁଞ୍ଜି ଆକାରରେ କାମ କରୁଛି।

କେନ୍ଦ୍ର ସରକାର ୨୦୧୯ ମସିହାରେ ନିଜର ଆଇନରେ ସଂଶୋଧନ ଆଣି କୌଣସି ଅନୁଭୂତି ନଥିବା କମ୍ପାନୀକୁ ବି ବିମାନବନ୍ଦର ନିର୍ମାଣ କରିବାର ପ୍ରକଳ୍ପ ଦିଆଯିବା ଲାଗି ପ୍ରବଧାନ କଲେ। ଏହା ପରେ ମୁମ୍ବାଇ ସମେତ ଦେଶର ବୃହତ ୮ଟି ବିମାନ ବନ୍ଦର ମଧ୍ୟରୁ ସାତଟିର ନିର୍ମାଣ ଓ ପରିଚାଳନା ଦାୟିତ୍ଵ ଏବେ ଆଦାନୀ ଗୃପ ହାତରେ ରହିଛି। ଗଲା ୨୦୧୯ -୨୦ ବର୍ଷଠାରୁ ୨୦୨୨ -୨୩ ବର୍ଷ ପ୍ରତି ବର୍ଷ ବଜେଟରେ ପୁଞ୍ଜିଗତ ବ୍ୟୟ (capital expenditure) କ୍ରମାଗତ ବଢ଼ିବାରେ ଲାଗିଛି। ଏହା ମୁଖ୍ୟତଃ ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ ହେଉଛି। ୧୦ଟି ବିମାନ ବନ୍ଦର ନିର୍ମାଣ ସରିଛି। ଏହାର ବଡ଼ ଭାଗ ଅଦାନି ଗୃପକୁ ଯାଉଛି। ଆଗକୁ ୮୦ଟି ନୂତନ ବିମାନ ବନ୍ଦର ଉକ୍ତ ଅର୍ଥ ଖର୍ଚ୍ଚ ହେବ। ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର, ଜାତୀୟ ରାଜପଥ, କୋଇଲା ଆମଦାନୀ, ପାୱାର ପ୍ଳାଣ୍ଟ, ସିମେଣ୍ଟ, ଗ୍ୟାସ ଭଳି ଅନେକ କ୍ଷେତ୍ରରେ ଏକମାତ୍ର ଆବେଦନକାରୀ ଭାବରେ ବା ଉପଯୁକ୍ତ ପ୍ରତିଯୋଗୀଙ୍କୁ ସୁଯୋଗ ଦିଆନଯାଇ ସମସ୍ତ ପ୍ରକଳ୍ପ ନିଜ ହାତକୁ ଆଦାନୀ କମ୍ପାନୀ ନେଉଛନ୍ତି। ଏହାକୁ କଦାପି ସଂଯୋଗ କୁହାଯିବ ନାହିଁ।

ଆଦାନୀ କମ୍ପାନୀ ଆଗାମୀ ୫-୧୦ ବର୍ଷ ମଧ୍ୟରେ ଉଦଜାନ ଉତ୍ପାଦନ ଲାଗି ୫୦ – ୭୦ ଶହ କୋଟି ଓ ସବୁଜ ଶକ୍ତି ଉତ୍ପନ୍ନ ଲାଗି ୨୩ ଶହ କୋଟି ଡଲାର ପୁଞ୍ଜି ନିବେଶ କରିବ ବୋଲି ଗଲା ଅକ୍ଟୋବର ୨୦୨୨ ମିଡିଆ ସାମ୍ନାରେ ପ୍ରକାଶ କରିଛି। ଏଥିଲାଗି କମ୍ପାନୀ ଫ୍ରାନ୍ସର ‘ଟୋଟାଲ ଏନର୍ଜି’ ନାମକ ଏକ କମ୍ପାନୀ ସହିତ କାମ କରିବା ଲାଗି ଚୁକ୍ତି କରିଥିବା କଥା ହିଣ୍ଡେନବର୍ଗ ରିପୋର୍ଟ କୁହେ। ଏହା କ’ଣ ଏକ ସଂଯୋଗ ଯେ ଭାରତର ୨୦୨୨ – ୨୩ ବଜେଟରେ ଜାତୀୟ ସବୁଜ ଉଦଜାନ ମିସନ ମାଧ୍ୟମରେ ଉଦଜାନ ଉତ୍ପନ୍ନ ଲାଗି ୧୯,୭୦୦ କୋଟି ଟଙ୍କାର ଅର୍ଥରାଶି ବରାଦ ହୋଇଛି? କୃଷି, ସାମାଜିକ କ୍ଷେତ୍ର, ଶିକ୍ଷା ଭଳି କ୍ଷେତ୍ରରେ ଅର୍ଥ ଅନୁଦାନ ବଜେଟରେ କ୍ରମାଗତ ଭାବରେ କମୁଛି। ଅଦାନୀଙ୍କ ବ୍ୟବସାୟ ଯେଉଁ ସବୁ କ୍ଷେତ୍ରରେ ଅଧିକ ହେଉଛି ଯଥା ଗ୍ରୀନ ଏନର୍ଜି, ଭିତ୍ତିଭୂମି ଇତ୍ୟାଦି ସେ କ୍ଷେତ୍ରରେ ବଜେଟ ଅନୁଦାନ ବଢୁଛି। ଏହାକୁ ସଂଯୋଗ କହିବା କି ସମ୍ପର୍କ?

ଅଦାନୀ ଗୃପର ଉପରକୁ ଉଠିବାର ସଂକ୍ଷିପ୍ତ ଇତିହାସ ହେଲା ଏହିପରି। ନବେ ଦଶକରେ କଂଗ୍ରେସ ସମୟରେ ଆସିଥିବା ଦେଶର ଅର୍ଥନୈତିକ ସଂସ୍କାରର ଠିକ ପରେ ପରେ ଆଦାନୀ ଗୃପ ଏକ କମ୍ପାନୀ ଭାବରେ ୧୯୯୪ ମସିହାରେ ପଞ୍ଜୀକୃତ ହୁଏ। ସୁନା ଓ ହୀରାର ଆମଦାନୀ ରପ୍ତାନୀରେ ଅନୁଭୂତି ରଖିଥିବା ଏହି କମ୍ପାନୀ ହଠାତ ଭିତ୍ତିଭୂମି କ୍ଷେତ୍ରରେ ପ୍ରବେଶ କରେ ଓ ଗୁଜୁରାଟର ମୁନ୍ଦ୍ରା ବନ୍ଦର କାମ ଆରମ୍ଭ କରେ ୧୯୯୯ ମସିହାରେ। ଯଦି ଦେଶରେ ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ମାଧ୍ୟମରେ ପ୍ରାଇଭେଟ କମ୍ପାନୀଙ୍କୁ ଅଧିକ ଶକ୍ତିଶାଳୀ କରିବାର ପଦକ୍ଷେପ ବିଭିନ୍ନ ସରକାରଙ୍କ ସମୟରେ ନିଆଯାଉନଥାନ୍ତା ତେବେ ଆଦାନୀ ସାମ୍ରାଜ୍ୟର ଜନ୍ମ ମଧ୍ୟ ହୋଇନଥାନ୍ତା।

୨୦୦୦ ମସିହାରେ ଏହି କମ୍ପାନୀର ମାଲିକଙ୍କ ସ୍ଥିତି ରହେ ଦେଶର ୫୦୦ତମ ସ୍ଥାନରେ। କିନ୍ତୁ ୨୦୦୮ ମସିହା ବେଳକୁ ଏହି କମ୍ପାନୀର ମାଲିକ ଭାବରେ ଗୌତମ ଅଦାନୀ ଦେଶର ଅରବପତିଙ୍କ ତାଲିକାରେ ପ୍ରବେଶ କରନ୍ତି। ୨୦୧୯ ବେଳକୁ ସେ ଦେଶର ଦ୍ଵିତୀୟ ଧନୀ ବ୍ୟକ୍ତି, ୨୦୨୨ (ଫେବୃଆରୀ) ବେଳକୁ ଏସିଆର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଓ ୨୦୨୩ (ହିଣ୍ଡେନବର୍ଗର ରିପୋର୍ଟ ଆସିବା ପୂର୍ବ ପର୍ଯ୍ୟନ୍ତ) ବେଳକୁ ଅନେକ ଆମେରିକୀୟ ଅରବପତିଙ୍କୁ ପଛରେ ପକାଇ ସେ ପୃଥିବୀର ଦ୍ଵିତୀୟ ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବରେ ଫୋର୍ବସ ତାଲିକାରେ ସ୍ଥାନ ପା’ନ୍ତି। ନିଜ ଜନପଦରେ ଏକ ମଣିଷର ଏହି ଅଗ୍ରଗତି ଦେଖି ଗୌତମ ବୁଦ୍ଧଙ୍କଠାରୁ ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତେ କ’ଣ ଆଜି ଚକିତ ହୋଇନଥାନ୍ତେ? ଗୋଟିଏ ପଟରେ ଗୌତମ ବୁଦ୍ଧ ଓ ଅନ୍ୟପଟରେ ଗୌତମ ଆଦାନୀ, ଦେଶ ଏହି ଦୁଇ ଜଣଙ୍କ ମଧ୍ୟରୁ କେଉଁ ରାସ୍ତାକୁ ଆପଣାଇବ?

ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବାର ଦୀର୍ଘ ତିନି ସପ୍ତାହ ହୋଇଗଲାଣି। ଶେୟାର ବଜାରରେ ଭୂକମ୍ପ ହୋଇସାରିଲାଣି। କିନ୍ତୁ କେନ୍ଦ୍ର ସରକାର ନିଜ ଅନୁଷ୍ଠାନମାନଙ୍କର ସ୍ୱଚ୍ଛତାର ପରୀକ୍ଷା ଲାଗି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ବିଡ଼ମ୍ବନା ଯେ ଯେଉଁ ଦେଶରେ ଗୌତମ ଆଦାନୀ ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତିଆରି ହେଉଛନ୍ତି ପୁଣି ସେହି ଦେଶରେ ଦାନା ମାଝି (ଅର୍ଥ ଅଭାବରୁ ନିଜ ସ୍ତ୍ରୀର ମୃତ ଶରୀରକୁ କାନ୍ଧେଇ ଗାଁକୁ ନେଇଥିଲେ) ଭଳି ଲୋକ ଅଛନ୍ତି। ହୁଏତ ଦାନ ମାଝୀଙ୍କ ଭଳି ଅତି ଗରିବ ମଣିଷ ଲାଗି ଭାରତୀୟ ଭାବରେ ଗର୍ବ କରିବାର ସୁଯୋଗ ଆସିନଥାଏ। କିନ୍ତୁ ଏ ଦେଶର ଅତି ଧନୀମାନେ ନିଜକୁ ସଂପୂର୍ଣ୍ଣ ଭାରତୀୟ ବୋଲି ବିପଦ ସମୟରେ ଅଧିକ ଗୁଞ୍ଜରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଦାନା ମାଝିଙ୍କ ଉପସ୍ଥିତି ଗୌତମ ଆଦାନୀ ଓ ତାଙ୍କ ପଛରେ ରହିଥିବା ଦେଶର ପୂରା ବ୍ୟବସ୍ଥା ଉପରେ କୌଣସି ଫରକ ପକାଉନାହିଁ।

ଗଲା ଦୁଇ ବର୍ଷ ମଧ୍ୟରେ ବେକାରୀ ହାର ସର୍ବାଧିକ ହୋଇଛି, କ୍ଷୁଧା ହାରରେ ଦେଶ ୧୦୭ତମ ସ୍ଥାନକୁ ଖସିଯାଇଛି। ଭାରତରେ ଗଲା ଦଶ ବର୍ଷ ମଧ୍ୟରେ ବିଲିୟୋନାୟରଙ୍କ ସଂଖ୍ୟାରେ ଦୁଇ ଗୁଣା ବୃଦ୍ଧି ହୋଇଛି। ଆଦାନୀଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ନୂତନ ପାଣ୍ଠି ବି ଯଦି ତିଆରି କରନ୍ତି ତାହା ହେଲେ ବି ଆଶ୍ଚର୍ଯ୍ୟ ହେବାର ନାହିଁ। ବସୁଧୈବ ବିଲିୟୋନାୟାରମ।

ଦେବ ରଞ୍ଜନ

ଫୋ- ୮୪୫୬୯୩୧୪୨୩

Related story