Advertisment

Question On Budget Performance: ବଜେଟ୍‍ ସମୟ ଆସିଲା, ଲୋକେ ପ୍ରଶ୍ନ କରିବେ!

ନୂଆ ସରକାର ଘୋଷଣା କରିଥିଲେ ଯେ, ରାଜ୍ୟର ପ୍ରତି ଉପଖଣ୍ଡରେ ଗୋଟିଏ କରି ଶୀତଳ ଭଣ୍ଡାର ନିର୍ମିତ ହେବ। ଏବେ କରଦାତାଙ୍କର ପ୍ରଶ୍ନ କରିବାର ସମୟ ଆସିଛି। କେଉଁ ଉପଖଣ୍ଡମାନଙ୍କରେ କେତେ ଗୋଟି ଶୀତଳ ଭଣ୍ଡାର ନିର୍ମିତ ହୋଇଛି ଓ କେତେ ପରିମାଣର ଆଳୁ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି?

budget speech

CM And FM Mohan Majhi Photograph: (Internet)

Advertisment

ପଞ୍ଚାନନ କାନୁନଗୋ

ଭାରତବର୍ଷରେ ପ୍ରଚଳିତ ସମ୍ବିଧାନ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆୟବ୍ୟୟକୁ ନେଇ ଖର୍ଚ୍ଚ ଆକଳନର ଘୋଷଣା କରାଯିବ। ସେହି ସମୟରେ ସରକାରମାନେ ଅତି ଦୃଢ଼ ସ୍ୱରରେ କହିଥାନ୍ତି ଯେ, ଏ ବଜେଟ୍‍ ପୂର୍ବ ବଜେଟ୍‍ ଅପେକ୍ଷା ବହୁତ ବଡ଼। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଅନେକ ନୂଆ ନୂଆ ଘୋଷଣା କରାଯାଏ। 

Advertisment

ଏବେ ଘୋଷଣାଗୁଡ଼ିକ ବର୍ଷକ ପାଇଁ କରାଯାଉନାହିଁ, ରାଜ୍ୟ କ୍ଷେତ୍ରରେ ୫ ବର୍ଷିଆ ଲକ୍ଷ୍ୟ ନାହିଁ, ବରଂ ୨୦୩୬ ମସିହାକୁ ଲକ୍ଷ୍ୟକରି ଦେଶ ପାଇଁ ୨୦୪୭ ମସିହା ଅବା ଏକ ବିଭ୍ରାନ୍ତିକର ଶବ୍ଦ ଅମୃତକାଳ ନିମନ୍ତେ ଏହି ଖର୍ଚ୍ଚ ବ୍ୟବସ୍ଥା ଘୋଷିତ ହେଉଛି। ସାଧାରଣ ଜନତା ଅବା କରଦାତାମାନେ ବର୍ଷ ଶେଷରେ ଏଥିରେ କେଉଁ ପରିମାଣରେ ସଫଳତା ଆସିଲା ବା କେତେ ସୁଫଳ ମିଳିଲା ସେସବୁ ଆକଳନ କରିପାରିବା ସ୍ଥିତିରେ ନାହାନ୍ତି। କେବଳ ଶୁଣୁଛନ୍ତି ଏବଂ ତାଙ୍କ ଉପରେ ବୃଦ୍ଧି ପାଉଥିବା ଟିକସ ସହିତ ତାଙ୍କ ଉପରେ ବଢୁଥିବା ଋଣଭାର ସମ୍ପର୍କରେ ଜାଣୁଛନ୍ତି। ସମସ୍ୟାର ସମାଧାନ ହେଉନାହିଁ କିମ୍ବା ହେବା ପାଇଁ କୌଣସି ବ୍ୟବସ୍ଥା ହୋଇଥିବାର ଦେଖିବାକୁ ମିଳୁନାହିଁ। 

ଉଦାହରଣ ସ୍ୱରୂପ ଗତ କିଛିବର୍ଷ ହେବ ରାଜ୍ୟରେ ଗୋଟିଏ ମୁଖ୍ୟ ଖାଦ୍ୟ ଆଳୁ ଉତ୍ପାଦନ କମ୍‍ ହେଉଥିବା ଦୃଷ୍ଟିରୁ ଅନେକ ସମୟରେ ରାଜ୍ୟବାସୀଙ୍କ ଆବଶ୍ୟକତା ପୂରଣ ପାଇଁ ପଶ୍ଚିମବଙ୍ଗରୁ ବା ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ପଡ଼ିଥାଏ। ଏହାର ମୁଖ୍ୟକାରଣ ହେଲା, ଉତ୍ପାଦନ ବୃଦ୍ଧି ନହେବା ସହିତ ଆଳୁର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ପରିମାଣର ଶୀତଳ ଭଣ୍ଡାର ରାଜ୍ୟରେ ନାହିଁ। ଯାହାକିଛି ନିର୍ମିତ ହୋଇଥିଲା ସେସବୁ ଅଚଳ ଓ ଅକାମୀ ହୋଇପଡ଼ିଛି। 

Advertisment

୨୦୨୪ ମସିହାରେ ଦୀର୍ଘ ୨୪ ବର୍ଷର ବିଜୁ ଜନତା ଦଳର ଶାସନକୁ ହଟାଇ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲା। ଆଳୁର ନିଅଣ୍ଟିଆ ସମସ୍ୟା ପୂର୍ବ ସରକାରରେ ଥିଲା ଓ ବର୍ତ୍ତମାନ ସରକାରରେ ମଧ୍ୟ ଅଛି। ଗତ ୨ ବର୍ଷ ହେବ ରାଜ୍ୟରେ ଚାଲିଥିବା ନୂଆ ସରକାର ଘୋଷଣା କରିଥିଲେ ଯେ, ରାଜ୍ୟର ପ୍ରତି ଉପଖଣ୍ଡରେ ଗୋଟିଏ କରି ଶୀତଳ ଭଣ୍ଡାର ନିର୍ମିତ ହେବ। ଏବେ କରଦାତାଙ୍କର ପ୍ରଶ୍ନ କରିବାର ସମୟ ଆସିଛି। କେଉଁ ଉପଖଣ୍ଡମାନଙ୍କରେ କେତେ ଗୋଟି ଶୀତଳ ଭଣ୍ଡାର ନିର୍ମିତ ହୋଇଛି ଓ କେତେ ପରିମାଣର ଆଳୁ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି?

ଏବେ ପ୍ରଶ୍ନ କରିବାର ସମୟ ଆସିଛି ଯେ, ନୂଆ ସରକାର ରାଜ୍ୟରେ ଧାନକ୍ରୟ ଉପରେ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ଚାଷୀକୁ ଦେଇ ଧାନ କିଣିବା ଘୋଷଣା କରିଥିଲେ, ତାହା ସବୁଠି କାର୍ଯ୍ୟକାରୀ ହେଉଛି ତ? ଏବେ ସାରା ରାଜ୍ୟରେ ଯେଉଁ ସମସ୍ୟା ଜାରି ରହିଛି ଚାଷୀମାନେ ବିଚଳିତ। ସେ ଛୋଟ ଚାଷୀ ହେଉ, ମଧ୍ୟମ ଚାଷୀ ହେଉ ବା ବଡ଼ ଚାଷୀ ହେଉ ତା’ର ଉତ୍ପାଦନ ବିକ୍ରୟ କରିବାର ବ୍ୟବସ୍ଥା ଏପର୍ଯ୍ୟନ୍ତ କେଉଁଠି ଦେଖାଯାଉନାହିଁ। କେଉଁଠି ଚାଉଳ କଳମାନେ ଧାନ ଉଠାଇବାରେ ଅକ୍ଷମତା ପ୍ରକାଶ କରୁଛନ୍ତି ତ’, କେଉଁଠି ଚାଷୀର ଧାନ ରଖିବା ପାଇଁ ଉପଯୁକ୍ତ ସ୍ଥାନଟିଏ ନାହିଁ। ଯେଉଁଥିପାଇଁ ଚାଷୀ ଏବେ ବି ଦଲାଲ୍ମାାନଙ୍କ ହାତରେ କମ୍‍ ଦରରେ ତା’ର ଉତ୍ପାଦନକୁ ଟେକି ଦେଉଛି। 
ଆହୁରି ଦେଖିବାର ଅଛି ଯେ, ରାଜ୍ୟ ସରକାର ନିଜର ଅସହାୟତା ପ୍ରକାଶ କରି ବଡଚାଷୀମାନଙ୍କ ଠାରୁ ବା ବେଶୀ ଉତ୍ପାଦନ କରୁଥିବା ଚାଷୀଙ୍କ ଠାରୁ ଧାନକ୍ରୟ କରିବାର ଅକ୍ଷମତା ପ୍ରକାଶ କରିଛି। କିଣାଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି। ସେମାନଙ୍କ ଉତ୍ପାଦିତ ଧାନ ଯିବ କୁଆଡ଼େ? କେଉଁଠି, କିପରି ଭାବରେ ବିକିବେ? ସେମାନେ ଏ ରାଜ୍ୟର ଭୋଟ୍ଦାଶତା, ଏ ରାଜ୍ୟର ନାଗରିକ ଏବଂ ଏ ରାଜ୍ୟର କରଦାତା ମଧ୍ୟ। ବଜେଟ୍‍ ପୂର୍ବରୁ ସେମାନଙ୍କର ସ୍ପଷ୍ଟ ପ୍ରଶ୍ନ ରହିବ, ଆମେ ଅଧିକ ଉତ୍ପାଦନ କରିବା କ’ଣ ଅପରାଧ ହେଲା? 

ନୂଆ ହୋଇ ରାଜ୍ୟକୁ ଆସିଥିବା ସରକାର ହଠାତ୍‍ ଘୋଷଣା କଲେ, ଆମେ ଆମର ଭୋଟ୍‍ ବେଳର ପ୍ରତିଶ୍ରୁତି ରକ୍ଷାକରି ସବୁ ସ୍ତ୍ରୀ ଲୋକଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ସୁଭଦ୍ରା ଯୋଜନାରେ ଦେବୁ। ପ୍ରଥମ ବର୍ଷରେ ଦୁଇଟା କିସ୍ତିରେ ୧୦ ହଜାର ଟଙ୍କା ଦେଇଛନ୍ତି। ପାଖାପାଖି କୋଟିଏରୁ ଉର୍ଦ୍ଧ୍ୱ ମହିଳା ଏ ଅର୍ଥ ପାଇଛନ୍ତି। କରଦାତାମାନଙ୍କର ପ୍ରଶ୍ନ, ଆମଠାରୁ ନେଇଥିବା ଏହି ଟଙ୍କାକୁ ଦିଆଯାଇଛି। ବର୍ଷ ଶେଷ ହେଲାଣି, ଏହାର ସଫଳତା କ’ଣ ଏବଂ ଏଥିରୁ କେଉଁ ପରିମାଣରେ ସୁଫଳ ମିଳିଛି? ହୋଇଥିବା ଖର୍ଚ୍ଚ ଉପରେ କେଉଁପରି ଭାବରେ ଅର୍ଥ ଅଧିକ ରାଜସ୍ୱକୁ ଆସିଛି? 

ରାଜ୍ୟର କରଦାତାମାନେ ପ୍ରଶ୍ନ କରିବେ ଯେ, ଗତ ବହୁବର୍ଷ ଧରି ଏ ରାଜ୍ୟର ଖଣି ଖାଦାନ ଅନ୍ୟ ହାତକୁ ଟେକି ଦିଆଯାଉଛି। ଏଥିରୁ ଆୟ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଗତବର୍ଷ ରାଜ୍ୟର ଖଣିଜ ସମ୍ପଦ ବିକ୍ରି ବାବଦରେ ଆୟ ପାଖାପାଖି ୫୦ ହଜାର କୋଟି ଟଙ୍କା ହୋଇଥିଲା। ଏ ବର୍ଷ (୨୦୨୫-୨୬) ଖଣିଜ ପଦାର୍ଥ ଉତ୍ତୋଳନ ଓ ସେଥିରୁ ମିଳିଥିବା ଆୟ କେଉଁ ପରିମାଣରେ ଅଧିକ ହୋଇଛି ତାହା ରାଜ୍ୟବାସୀ ଜାଣିବାକୁ ଚାହାନ୍ତି। ଏହି ଖଣିଜ ସମ୍ପଦ ଉପରେ ରାଜଭୋଗ (ରୟାଲିଟି) କେନ୍ଦ୍ର ଠାରୁ କାହିଁକି ଅଧିକ ଆସିପାରିଲା ନାହିଁ? 

ଠିକ୍‍ ସେହିପରି ଏ ରାଜ୍ୟର ସବୁଠାରୁ ବଡ଼ ସମ୍ପଦ କୋଇଲା ଉପରେ କେନ୍ଦ୍ର ଗତ ବହୁବର୍ଷ ଧରି ସେସ୍‍ ଆଦାୟ କରି ନିଜ ଅଧୀନରେ ରଖିଲା। ଟନ୍‍ ପିଛା ୪୦୦ ଟଙ୍କା ହିସାବରେ ଏହି ରୟାଲିଟି ଆଦାୟ ହେଉଥିଲା। ସେଥିରୁ ଗୋଟିଏ ପଇସା ବି ରାଜ୍ୟର ବିକାଶ ବା ସ୍ୱାର୍ଥ ଦିଗରେ ଖର୍ଚ୍ଚ ହୋଇନାହିଁ। ଏ ପ୍ରଶ୍ନଟି ଭୋଟଦାତାମାନେ ନିଶ୍ଚୟ କରିବେ। ଏବେ ଯେଉଁମାନଙ୍କୁ କୋଇଲା କମ୍‍ ଦରରେ ଦିଆଯାଉଛି ସେମାନେ ଉତ୍ପାଦନ କରୁଥିବା ବିଦ୍ୟୁତ୍‍ ରାଜ୍ୟକୁ କାହିଁକି ଅଳ୍ପ ଦରରେ ବିକ୍ରି କରୁନାହାନ୍ତି? ଆମେ କୋଇଲା ଗୁଣ୍ଡ ଧୂଳି ଖାଇ ଅଳ୍ପାୟୁଷ ହେବୁ, ଆମର ମାଟିତଳେ ଥିବା ସମ୍ପଦ ନେଉଥିବା ଆଇପିପି ଓ ସିପିପି ବିଦ୍ୟୁତ୍‍ ଉତ୍ପାଦନକାରୀ ସଂସ୍ଥାମାନେ କାହିଁକି ଆମକୁ କିଛି ପରିମାଣରେ ବିଦ୍ୟୁତ୍‍ ମାଗଣା ଦେବେନାହିଁ? 

ରାଜ୍ୟର କରଦାତାମାନେ ପ୍ରଶ୍ନ କରିବେ ଯେ, ରାଜ୍ୟରେ ଋଣ ଭାର ବହୁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି। ସେହି ଋଣ ଅର୍ଥକୁ ବ୍ୟୟ କରି ସେଥିରୁ କରାଯାଉଥିବା ଉତ୍ପାଦନ ଭାରତର କେଉଁ ବନ୍ଦର ବାଟେ କିପରି ଭାବେ ବାହାରକୁ ରପ୍ତାନୀ ହେଉଛି ଓ ରାଜ୍ୟ ତା’ର ଲାଭ ଉଠାଉଛି? ଗତ ୨ ବର୍ଷ ହେବ ରାଜ୍ୟରେ ଗଠିତ ନୂଆ ସରକାର ପାଖାପାଖି ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିଥିବା କଥା ଘୋଷଣା କରିଛନ୍ତି। ଏହି ପୁଞ୍ଜିନିବେଶ କରି କେଉଁ କେଉଁ ସଂସ୍ଥା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହେଲାଣି ଏବଂ କେଉଁ କେଉଁ ସଂସ୍ଥାରେ ଓଡ଼ିଶାର ପିଲାମାନେ କେତେ ସଂଖ୍ୟାରେ ନିଯୁକ୍ତି ପାଇଛନ୍ତି? ଏ ପ୍ରଶ୍ନ ତ’ ନିଶ୍ଚୟ ପଚାରିବେ। 

ନାଁ ଏହା ଏକ ଗୁଡ଼ି ଭଡ଼ା ବ୍ୟପାର। ରାଜ୍ୟରେ ପ୍ରତିଦିନ ଘଟୁଥିବା ବିଶୃଙ୍ଖଳା, ହତ୍ୟା, ମହିଳା ନିର୍ଯ୍ୟାତନା କାହିଁକି କମୁନାହିଁ ବୋଲି ଜନମଙ୍ଗଳକାରୀ ଶାସକଙ୍କୁ ନାଗରିକମାନେ ନିଶ୍ଚୟ ପଚାରିବେ। ରାଜ୍ୟର ପ୍ରଜାମାନେ ପଚାରିବେ, ରାଜ୍ୟରେ ଆବଶ୍ୟକ ହେଉଥିବା ଖାଦ୍ୟପଦାର୍ଥ ଓ ପୋଷାକ ଆଦି ଆମେ ରାଜ୍ୟ ବାହାରୁ ଆମଦାନୀ କରିଥାଉ। ଗତ ୨ ବର୍ଷ ଭିତରେ (୨୦୨୪-୨୫ ଓ ୨୦୨୫-୨୬) ଏଥିରେ କେତେ ହ୍ରାସ ଘଟିଛି? ଟିକସଦାତାମାନେ ଏହା ମଧ୍ୟ ପଚାରିବେ ଯେ, ଆମ ରାଜ୍ୟରେ କେଉଁ କେଉଁ ଉତ୍ପାଦନ କ୍ଷେତ୍ରରେ କେତେ ପରିମାଣର ରପ୍ତାନୀ ବୃଦ୍ଧି ଘଟିଛି? 

ରାଜ୍ୟରେ ଥିବା ଅଗଣିତ କରଦାତା ବ୍ୟବହାର କରୁଥିବା ବିଦ୍ୟୁତ୍‍ ଦରବୃଦ୍ଧି ପ୍ରତିବର୍ଷ ଘଟିବାରେ ଲାଗିଛି। ଏହା କାହିଁକି ଘଟୁଛି ଏବଂ ଲୋକଙ୍କ ଉପରେ ବିଭିନ୍ନ ବାବଦରେ ବିଦ୍ୟୁତ୍‍ ଯୋଗାଣକାରୀ ସଂସ୍ଥା ଚାପ ସୃଷ୍ଟି କରିଚାଲିଛି ଏକଥା କ’ଣ ସରକାରଙ୍କ ନଜରକୁ ଆସୁନାହିଁ? ବଜେଟ୍‍ ଉପସ୍ଥାପନ କରି ରାଜ୍ୟ ସରକାର ବହୁତ ବଡ଼ ବଡ଼ ଯୋଜନାର ସ୍ୱପ୍ନ ବାଣ୍ଟିଛନ୍ତି। ଗତ ୨ ବର୍ଷ ଭିତରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ କେତେ ଅଭିବୃଦ୍ଧି ଘଟିଛି? ଓ କେଉଁ ଅଞ୍ଚଳରେ କେତେ ପରିମାଣରେ ମତ୍ସ୍ୟ ଚାଷ ଉପଯୋଗୀ ଜଳଭଣ୍ଡାର ସୃଷ୍ଟି ହୋଇଛି? ଆମ ରାଜ୍ୟବାସୀ ଏକଥା ମଧ୍ୟ ପଚାରିବେ, ନୂଆ ସରକାର ଆସିବା ପରେ ଆମ ରାଜ୍ୟର ସ୍ୱାସ୍ଥ୍ୟବସ୍ଥାରେ କେଉଁ କେଉଁ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି? ଏବେ ବି ଦେଖାଯାଉଛି ଲୋକେ ଦୂର ଦୂରାନ୍ତରୁ ବା ପ୍ରାନ୍ତୀୟ ଅଞ୍ଚଳରୁ ଡାକ୍ତରଖାନାକୁ ଆସିବା ପାଇଁ ଟୋକେଇରେ ବୁହା ହୋଇ ଆସୁଛନ୍ତି। 

ଏବେ ବି ଦେଖାଯାଉଛି ଅନେକ ଛୁଆ ପୋଷଣ ଅଭାବରୁ ରୁଗ୍ଣୂ ଓ ସ୍ୱାସ୍ଥ୍ୟହାନୀର ଶିକାର ହେଉଛନ୍ତି। ସେହିସବୁ ଅଞ୍ଚଳ ଚିହ୍ନଟ କରାଯାଇ କି କି କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ସରକାର ନେଇଛନ୍ତି? ସେ ପ୍ରଶ୍ନ ରାଜ୍ୟର ଚିନ୍ତାଶୀଳ ବ୍ୟକ୍ତିମାନେ ପ୍ରକାଶ କରିବେ। ରାଜ୍ୟରେ ଅନେକ ଅଞ୍ଚଳ ଏବେ ବି ସବୁଦିନିଆ ରାସ୍ତା ଅଭାବରୁ ଅପହଞ୍ଚ ହୋଇରହିଛି। ଭୋଟ୍ଦାନତାମାନେ ପ୍ରଶ୍ନ କରିବେ ଭୁବନେଶ୍ୱରରେ ହଜାର ହଜାର କୋଟିଟଙ୍କା ଖର୍ଚ୍ଚ କରି ପୁରୁଣା ଘର ଭାଙ୍ଗି ନୂଆ ଘର ତିଆରିର ଯୋଜନା ସରକାର କରୁଛନ୍ତି। ଯେଉଁଠି ଅପହଞ୍ଚ ଅଞ୍ଚଳରେ ଗୋଟିଏ ସବୁଦିନିଆ ରାସ୍ତା କରିବା, ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବା ପ୍ରାଥମିକତା ଅଛି? ନା ବିଧାନସଭା ଭାଙ୍ଗି ନୂଆ ବିଧାନସଭା ଗଢ଼ିବାର ଆବଶ୍ୟକତା ଅଛି? ଏହା ସତ୍ୟ ଯେ, ବଡ଼ ବଡ଼ ଅନାବଶ୍ୟକ କୋଠାଘର ନିର୍ମାଣ କରି ସେଥିରେ ବାହାଦୂରୀର ଫଳକ ଲଗାଯାଇପାରେ, କିନ୍ତୁ ଯେଉଁ ଅଞ୍ଚଳର ଭୋଟ୍ଦାତତାମାନେ, କରଦାତାମାନେ ଅତି ନିମ୍ନତମ ସୁବିଧା ସୁଯୋଗ ପିଇବା ପାଣିର ଅଭାବ, ସବୁଦିନିଆ ରାସ୍ତାଟିଏର ଅଭାବ, ସ୍କୁଲ୍‍ ଘର, ଅଙ୍ଗନବାଡ଼ି ଘରର ଆବଶ୍ୟକତା ରହିଛି। ସେସବୁକୁ ପଛରେ ପକାଇ ଭୁବନେଶ୍ୱରରେ ବଡ଼ ବଡ଼ କୋଠା ନିର୍ମାଣ କରିବାକୁ ନେଇ ଟିକସ ଦାତାମାନେ ନିଶ୍ଚୟ ପ୍ରଶ୍ନ କରିବେ। 

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅନେକ ଅଭାବ ଅସୁବିଧା ପୂରଣ ହୋଇପାରିନାହିଁ। ସେଥିମଧ୍ୟରୁ ମୁଖ୍ୟତଃ ପିଇବା ପାଣି ଯୋଗାଣ ସମସ୍ୟା ଲାଗିରହିଛି। ଯେଉଁଥିପାଇଁ ଦୂଷିତ ଜଳ ପାନକରି ଅସମୟରେ ଅନେକ ମୃତ୍ୟୁବରଣ କରୁଛନ୍ତି। ଏ ସବୁ ସମସ୍ୟାର ସମାଧାନ ନକରି ବଜେଟ୍ରଥ ବାହାଦୂରୀ ସରକାର ଘୋଷଣା କରିବା ଅଯୌକ୍ତିକ ବୋଲି ମନେହୁଏ। ସର୍ବୋପରି ଯେଉଁ ବଜେଟରେ ବର୍ଷ ଆରମ୍ଭରେ ଦିଆଯାଉଛି, ବର୍ଷ ଶେଷରେ ତା’ର ୭୦% ମଧ୍ୟ ଖର୍ଚ୍ଚ ହୋଇପାରୁନାହିଁ। ଯେଉଁଥିପାଇଁ ମୁଖ୍ୟଶାସନ ସଚିବ ବିକଳ ହୋଇ କହୁଛନ୍ତି, ଦେଢ଼ ମାସ ଦୁଇ ମାସ ଭିତରେ ସବୁ ଅର୍ଥ ଖର୍ଚ୍ଚ କର। ଖର୍ଚ୍ଚ ବେଳେ ଅର୍ଥ ବରବାଦୀ ହେଉଛି ଏକଥା ଆମେ ସମସ୍ତେ ଦେଖୁଛୁ। କରଦାତାଙ୍କର ଧନର ସୁପରିଚାଳନା ହେଉନାହିଁ ଅବା ସେଥିରୁ ସୁଫଳ ମିଳୁନାହିଁ ଏହା ସମସ୍ତେ କରଦାତା ଦେଖିସାରିଲେଣି। 

ମୋ- ୯୪୩୮୩୬୦୮୪୯

Odisha Potato Odisha Mines Budget Cold Store Electricity Bill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe