ଚଳିତ ବର୍ଷ (୨୦୨୩-୨୪) ପାଇଁ ଫେବୃୟାରୀ ୧ ତାରିଖ ବୁଧବାର ବଜେଟ୍ ଉପସ୍ଥାପିତ ହୋଇଛି। କେନ୍ଦ୍ର ସରକାରଙ୍କର ଆୟବ୍ୟୟ ସହିତ ତାଙ୍କର ଅର୍ଥନୈତିକ ଆଭିମୁଖ୍ୟ ଏଥିରେ ଉପସ୍ଥାପିତ ହେଉଛି। ରାଷ୍ଟ୍ରପତି ତାଙ୍କ ନିଜ ଅଭିଭାଷଣରେ ସରକାର ଓ ଦେଶର ଅର୍ଥନୀତି ସମ୍ପର୍କରେ ଅନେକ ସୂଚନା ଜାନୁଆରୀ ୩୧ ତାରିଖରେ ପାର୍ଲାମେଣ୍ଟରେ ରଖି ସାରିଛନ୍ତି। ସେଥିରେ ମଧ୍ୟ ଭାରତ ବର୍ଷକୁ ୨୦୪୭ ମସିହାରେ ଦେଖିବାର ସ୍ୱପ୍ନ ଦେଖାଇଛନ୍ତି। ଏହା ହେଉଛି ବର୍ତ୍ତମାନର କେନ୍ଦ୍ର ସରକାରଙ୍କର ଗୋଟିଏ ଧାରା ଓ ବିଚାର। ନିକଟ ଭବିଷ୍ୟତରେ କୌଣସି ଫଳାଫଳ ସର୍ବସାଧାରଣଙ୍କ ସମ୍ମୁଖରେ ରଖିବା ବୋଧହୁଏ ବର୍ତ୍ତମାନର କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ଼ ଚତୁରତା। ଯାହା ରାଷ୍ଟ୍ରପତିଙ୍କ ମୁହଁରେ କୁହାଇଛନ୍ତି।
ଆମ ସଂଘୀୟ ବ୍ୟବସ୍ଥାରେ ପ୍ରତିବର୍ଷ କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ବାର୍ଷିକ ଆୟବ୍ୟୟର ଆକଳନ ଭିନ୍ନଭିନ୍ନ ଭାବରେ ଉପସ୍ଥାପନ କରିଥାନ୍ତି। ଏହି ଆକଳନର ସଠିକତା ବର୍ଷ ଶେଷରେ ନିର୍ଣ୍ଣିତ ହୋଇଥାଏ। ପୂର୍ବେ ଅର୍ଥାତ୍ ୨୦୧୪ ମସିହା ପୂର୍ବରୁ ବଜେଟ୍ ଉପସ୍ଥାପନ ଗୋଟିଏ ଯୋଜନା ସହିତ ଅନୁବନ୍ଧିତ ହୋଇ ରହୁଥିଲା ଓ ଯୋଜନାଟିର ସମୟ ପାଞ୍ଚ ବର୍ଷ ପାଇଁ ରହିଥାଏ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ନେହେରୁ ଓ ବିଖ୍ୟାତ ଯୋଜନାକାର ମହଲନବୀସଙ୍କ ମିଳିତ କାର୍ଯ୍ୟକ୍ରମର ସ୍ୱରୂପ ଥିଲା ପଞ୍ଚ ବାର୍ଷିକ ଯୋଜନା। ପାଞ୍ଚ ବର୍ଷରେ ଭୋଟଦାତାଙ୍କ ପାଖକୁ ଲୋକ ପ୍ରତିନିଧିମୂଳକ ସରକାର ଯିବାର ବିଧି ଥିବାରୁ ଏପରି ପାଞ୍ଚବର୍ଷିଆ ଯୋଜନାର ପରିକଳ୍ପନା ବୋଧହୁଏ କରାଯାଇଥିଲା ଏବଂ ପାଞ୍ଚବର୍ଷ ପରେ ଏହାର ଫଳାଫଳ ତର୍ଜମା କରାଯାଇ ହୁଏତ ସମୟ ବଢ଼ାଯାଉଥିଲା ଅବା ବର୍ଦ୍ଧିତ ବ୍ୟୟବହନ କରିବାକୁ ପଡ଼ୁଥିଲା। ଅନେକ ସମୟରେ ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ୁଥିଲା। ଘୋଷିତ ଯୋଜନା ସବୁ ଅନେକ ସମୟରେ ଖୁବ୍ ଭଲ ଫଳ ପ୍ରଦାନକାରୀ ହୋଇଛି। ସେଥି ମଧ୍ୟରେ ଖାଦ୍ୟ ଉତ୍ପାଦନ ଶାସ୍ତ୍ରୀ-କୁରିଆନଙ୍କର ଦୁଗ୍ଧ ଉତ୍ପାଦନ ଯୋଜନା ଜରିଆରେ ଦେଶ ବାହାରେ ଅମୁଲ୍ ତା’ର ବଜାର ଦୃଢ଼କରିଛି। ଶିଳ୍ପ କ୍ଷେତ୍ରରେ ଖୁବ୍ ବଡ଼ ସଫଳତା ପ୍ରାୟ ହୋଇଥିଲା। ଶିଳ୍ପ କ୍ଷେତ୍ରରେ ଖୁବ୍ ବଡ଼ ସଫଳତା ପ୍ରାୟ ଆସିଛି। ଅନେକ କ୍ଷେତ୍ରରେ ପୂର୍ଣ୍ଣ ଆତ୍ମନିର୍ଭରଶୀଳ ନହେଲେ ମଧ୍ୟ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାର ସହାୟତା ଦେଇଛି।
ଏବେ ଯୋଜନାର କୌଣସି ସୀମା ନିର୍ଦ୍ଧାରଣ ନାହିଁ ଓ ଯୋଜନା ଆକଳନ କଳ୍ପନାତୀତ ତଥା ଅସ୍ଥିର। ସରକାର ଘୋଷଣା କରିବାବେଳେ କିଛି କାର୍ଯ୍ୟକ୍ରମ ପଚାଶ ବର୍ଷ ଶେଷ ହେବାକୁ ଲାଗିବ ଓ ଅନେକ କିଛି କାର୍ଯ୍ୟକ୍ରମ ୨୦୫୦ ମସିହାରେ ଫଳପ୍ରସୂ ହେବ ବୋଲି କହିଥାନ୍ତି। ସେ ସମୟକୁ ବର୍ତ୍ତମାନ ଆଶାବାଦୀମାନେ ଆଶାକରି ହୁଏତ ଦେଖିବାକୁ ବା ଶୁଣିବାକୁ ନଥିବେ। ସେ ସୁବାଷ ବୋଷ, ମେଘନାଦ ଶାହା ଆଦିଙ୍କ କଳ୍ପିତ ଯୋଜନା ଭାରତବର୍ଷର ପ୍ରଧାନମନ୍ତ୍ରୀ ନେହରୁ ଓ ମହାଲନବୀଶଙ୍କର ପ୍ରସ୍ତୁତ ଆରମ୍ଭ କରାଯାଇଥିବା ଯୋଜନା ବନ୍ଦ କରାଯାଇ ତା ସ୍ଥାନରେ କାର୍ଯ୍ୟକ୍ରମ ସ୍ଥାପିତ ହୋଇଛି। ଏହି କାର୍ଯ୍ୟକ୍ରମ ଅନନ୍ତକାଳ ପର୍ଯ୍ୟନ୍ତ ଚାଲୁ ରହିବାର ସ୍ୱପ୍ନ ଦେଖାଯାଇଛି ଓ ଏଥିପାଇଁ ଏକ ସୀମାହୀନ ଅଟକଳ ଓ ଗଣିତ ସଂଖ୍ୟା ସାମନାକୁ ଆଣି ସମସ୍ତଙ୍କୁ ଚକିତ କରାଯାଉଛି ଓ ପ୍ରତ୍ୟେକ ଏହା ଦେଖି ବଜେଟ୍ର ଫଳାଫଳ ଅପେକ୍ଷା ବଜେଟ୍ ଅଟକଳର ନଭଶ୍ଚୁମ୍ଭୀ ରୂପ ଦେଖି ହତଚକିତ ହୋଇଥାନ୍ତି। ଏହାର ଫଳାଫଳ ଜାଣିବା ବା ଶୁଣିବା ନିମନ୍ତେ ଅସୀମ ଧୈର୍ଯ୍ୟ ଓ ବଂଚିବାର ଅଛି। ଏହାର ଅସଫଳତା ପାଇଁ କାହାକୁ ଦାୟୀ କରାଯାଇପାରିବ ନାହିଁ। ନା’ ସେମାନେ ଥିବେ, ନା ପ୍ରଶ୍ନକର୍ତ୍ତା ଥିବେ? ମହାମାରୀ ଯୁଦ୍ଧ, ବିଶ୍ୱ ଅର୍ଥନୀତିରେ ବିପର୍ଯ୍ୟୟ ଏ ଦୀର୍ଘ ସମୟ ମଧ୍ୟରେ ଘଟିବାର ଆଶଙ୍କା ମଧ୍ୟ ରହିଛି।
ତଥାପି କିଛି ତଥ୍ୟ ସାମନାକୁ ଆଣି ଗତ କିଛି ବର୍ଷର ବଜେଟ୍ ଫଳାଫଳ ଆଧାରରେ ଭବିଷ୍ୟତ କଥା ନିର୍ଣ୍ଣୟ ବା ଆକଳନ କରାଯାଇପାରେ । ବୁଧବାର (ଫେବୃୟାରୀ-୧)ରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଆୟବ୍ୟୟ ବିବରଣୀ (ବଜେଟ୍) ଦେଶବାସୀଙ୍କ ସମ୍ମୁଖକୁ ଆଣିଛନ୍ତି। ବଜେଟ୍ ଆସିବାର ଅବ୍ୟବହିତ ପୂର୍ବରୁ ବଜେଟ୍ ସଂପର୍କିତ କିଛି ତଥ୍ୟ ଚର୍ଚ୍ଚାକୁ ଆସିଥାଏ ଓ ଦରକାର ମଧ୍ୟ।
ପ୍ରଥମତଃ ବଜେଟର ଅସ୍ଥିରତା ସାମନାକୁ ଆସିଥାଏ। ୨୦୨୦ ଆର୍ଥିକ ବର୍ଷ ପୁରା ବଜେଟ୍ ବ୍ୟୟ ନିଅଣ୍ଟ ରାଷ୍ଟ୍ରୀୟ ଆଭ୍ୟନ୍ତରୀଣ ମୋଟ ଆୟର ୩.୩% ଥିବାବେଳେ ବାସ୍ତବରେ ଏହା ୪.୬% ରେ ପହଂଚିଥିଲା। ସେହିପରି ୨୦୨୧, ୨୦୨୨ରେ ଆକଳନ ଯଥାକ୍ରମେ ୩.୫%, ୬.୮% ଥିବାବେଳେ ବର୍ଷ ଶେଷରେ ବାସ୍ତବ ସ୍ଥିତି ଯଥାକ୍ରମେ ୯.୨% ଓ ୭.୧% ରେ ପହଂଚିଥିଲାବେଳେ ୨୦୨୩ ବର୍ଷରେ ମଧ୍ୟ ୭.୫% ରୁ ଅଧିକ ହେବାର ଅନୁମାନ କରାଯାଏ। ଏହି ସମୟରେ (ଚାରିବର୍ଷ) ବଜେଟ୍ ବ୍ୟୟ ୨୭.୮୬ ଲକ୍ଷ କୋଟି ଟଙ୍କାରୁ ବଢ଼ି ୩୯.୪୪ ଲକ୍ଷ କୋଟିରେ ପହଂଚିଛି। ଯାହା ଭିତରେ ପୁଂଜି ବିନିମୟ ୨୦୨୨ରୁ ୨୦୨୩ ମଧ୍ୟରେ ଯଥାକ୍ରମେ ୮.୭୬ ଲକ୍ଷ କୋଟି, ୧୦,୮୪ ଲକ୍ଷ କୋଟି ୭.୭ ଲକ୍ଷ କୋଟି ଓ ୨୦୨୩ ପାଇଁ ୧୦.୭ ଲକ୍ଷ କୋଟି ରହିଛି। ଦେଶରେ ନିଜସ୍ୱ ଆୟ ୨୦୨୦ରେ ୨୪.୬୧ ଲକ୍ଷ କୋଟି, ୨୦୨୧ରେ ୨୪.୨୩ ଲକ୍ଷ କୋଟି ଥିବାବେଳେ ୨୦୨୨ରେ ୨୨.୧୭ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ଏହା ୨୦୨୩ରେ ୨୭.୫୧ ଲକ୍ଷ କୋଟିକୁ ବଢ଼ିବ ବୋଲି ସରକାରୀ ଗଣନାରେ ଦର୍ଶାଯାଇଛି। ଏହା ସମସ୍ତ ପ୍ରମାଣ କରୁଛି ଯେ ବଜେଟ୍ରେ ଅସ୍ଥିରତା ଲାଗ ରହିଛି ଓ କୌଣସି ଭାବେ ବିକାଶ ଉଦ୍ଧ୍ୱର୍ମୁଖୀ ନୁହେଁ। ଫଳସ୍ୱରୂପ କେନ୍ଦ୍ର ସରକାର ପୁଂଜି ପ୍ରତ୍ୟାହାରର ବଡ଼ ଘୋଷଣା କରି ମଧ୍ୟ ବେପାରୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇନାହାନ୍ତି। ୨୦୨୦ ଆର୍ଥିକ ବର୍ଷରେ ପ୍ରସ୍ତାବ ୧,୦୫,୦୦୦ କୋଟି ଅଛି, ୨୦୨୧ ରେ ୨,୧୦,୦୦୦ କୋଟି ୨୦୨୨ରେ ୧,୭୫,୦୦୦ କୋଟି ଟଙ୍କା ଘୋଷଣା ଆକାଶ କଇଁଆରେ ପରିଣତ ହେଲା। ଏହି ବର୍ଷମାନଙ୍କରେ ଯଥାକ୍ରମେ ବାସ୍ତବରେ ଅଂଶଧନ ବିକ୍ରୀ ବାବଦରେ ୫୦,୨୯୮ କୋଟି, ୩୨,୮୩୫ କୋଟି ଓ ୧୩,୫୬୧ କୋଟି ଟଙ୍କା କେନ୍ଦ୍ର ପ୍ରାପ୍ତ ହୋଇଥିଲା।
ଯେତେ ଚେଷ୍ଟା କରି ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ଆୟତ୍ତକୁ ଆଣିବାର ଅଭିପ୍ରାୟରେ ରେପୋରେଟ୍ ବଢ଼ାଇ ଚାଲିଛନ୍ତି। ତଥାପି ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇ ନାହାନ୍ତି। ଅସ୍ଥିରତା ଲାଗି ରହିଛି। ଦେଶର ମଧ୍ୟବିତ୍ତ ଆୟକାରୀ ବର୍ଗର ଉଭୟ ଆୟ-ବ୍ୟୟ କ୍ଷମତା ଏହି ସମୟରେ କମିବାରେ ଲାଗିଛି।
ଅନ୍ତର୍ଜାତୀୟ ସଂସ୍ଥା ଅକ୍ସଫାମ୍ ଦ୍ୱାରା ପ୍ରସ୍ତୁତ ଗଣନା ସର୍ଭାଇଭାଲ ଅଫ୍ ଦି ରିଚେଷ୍ଟ (ଦ ଇଣ୍ଡିଆନ୍ ଷ୍ଟୋରୀ)ରେ ପ୍ରଦତ୍ତ ତଥ୍ୟ ଅନୁସାରେ ଦେଶର ୫୦% ଲୋକଙ୍କ ପାଖରେ ଜାତୀୟ ମୋଟ ଆୟର ମାତ୍ର ୧୩% ଏବଂ ସେମାନଙ୍କ ମୋଟ ସଂପତ୍ତିର ମୂଲ୍ୟ ମାତ୍ର ୩%ରେ ପହଂଚିଛି। ଏହି ତଥ୍ୟ ପ୍ରମାଣ କରିଛି ଯେ ଦେଶର ଅର୍ଥନୈତିକ ବ୍ୟବସ୍ଥା ଅତ୍ୟନ୍ତ ଅସ୍ଥିରତା ଭିତରେ ଦେଇ ଗତି କରୁଥିବାବେଳେ ଅଳ୍ପ କିଛି ଲୋକଙ୍କ ହାତରେ ଅଚଳାଚଳ ସଂପତ୍ତି ଠୁଳ ହୋଇଛି ଓ ଅଧିକଙ୍କ ପାଖରୁ ସଂପତ୍ତି ଖସିଯାଇଛି। ଏହି ତାରତମ୍ୟ ଗତ ୮ ବର୍ଷ ଭିତରେ ଖୁବ୍ ବଢ଼ିଛି।
ଦେଶର ବଜେଟ୍ ଅର୍ଥନୀତିକୁ ଶୃଙ୍ଖଳିତ କରିଥାଏ। ବହୁଜନ ହିତାୟ ହୋଇଥାଏ। କିନ୍ତୁ ୨୦୨୦ରେ ଦେଶରେ ୧୦୨ଜଣ ଅରବପତି ଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୧୬୬ରେ ପହଂଚିଛି। ପ୍ରମୁଖ ୧୦ ଜଣ ବିତ୍ତଶାଳୀଙ୍କର ସଂପତ୍ତି ଏହି ସମୟ ମଧ୍ୟରେ ୩୨.୮% ବୃଦ୍ଧିପାଇ ୨୭.୫୨ ଲକ୍ଷ କୋଟି ଟଙ୍କାରେ ପହଂଚିଛି। ଅପରପକ୍ଷରେ ମଧ୍ୟବିତ୍ତ ଓ ଗରିବଙ୍କ ପାଖରେ ସଂପତ୍ତି ମାତ୍ର ୩%ରେ ଆବଦ୍ଧ ରହିଛି। ଏପରିକି ଗରିବଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଛି ସେମାନଙ୍କର ମୁଖ୍ୟ ଖାଦ୍ୟ ଚାଉଳ, ଗହମକୁ ପୂର୍ଣ୍ଣ ରିହାତି ବା ମାଗଣାରେ ଯୋଗାଇବା ପାଇଁ ସରକାର ବାଧ୍ୟ ହେଲେ।
ଯୋଜନା ଉପରେ ବିଶ୍ୱାସ ନଥିବା ଓ ଏକ ଅସ୍ଥିର ସ୍ୱପ୍ନ ବାଣ୍ଟୁଥିବା ବଜେଟ୍ରୁ କେହି କିଛି ଆଶା କରିବା ଅର୍ଥହୀନ ମନେହୁଏ। କେବଳ ଆଶା କରିବା ଯେ ବର୍ଷଟିର ବଜେଟ୍ ଏପରି ହେବା ଉଚିତ୍, ଯେଉଁଥିରେ ଅଧିକ ସଂଖ୍ୟକ ଗରିବ ମଧ୍ୟବିତ୍ତ ଆୟକାରୀ ବର୍ଗଙ୍କୁ ଉଠିବେ ଓ ମଧ୍ୟବିତ୍ତ ବର୍ଗର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ତଥା ଦୃଢ଼ହେବ। ଖଟିଖିଆ ମାନଙ୍କ ପାଇଁ ପ୍ରସ୍ତୁତ ମହାତ୍ମା ଗାନ୍ଧୀ ନରେଗା କାମ ବର୍ଷକୁ ୧୦୦ ଦିନ ଯୋଗାଇ ଦେବାର ବ୍ୟବସ୍ଥା ଆଶାକଲେ ବଜେଟ୍ରେ ୧ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କା ବରାଦ କରିବାକୁ ହେବ। ମାତ୍ର ଗତ ୪ ବର୍ଷ ଭିତରେ ଦେଖାଯାଇଛି ଯେ ସରକାର ଯେଉଁ ପରିମାଣର ବ୍ୟୟବରାଦ କରିଛନ୍ତି ସେଥିରେ ହାରାହାରି ବର୍ଷକୁ ୪୮ ଦିନ ଯୋଗାଇ ଦିଆଯିବାର ବ୍ୟବସ୍ଥା ଅଛି। ଏହିସବୁ ଆକଳନଗୁଡ଼ିକ ଓ ସ୍ଥିତିକୁ ଦେଖି ବଜେଟ୍ ଉପସ୍ଥାପନ ପରେ ତା’ର ଆଲୋଚନା ଓ ଚର୍ଚ୍ଚା କରାଗଲେ କିଛି ପରିମାଣରେ ଆମେ ସତ୍ୟାସତ୍ୟର ନିକଟତର ହୋଇପାରିବା।
ପଞ୍ଚାନନ କାନୁନ୍ଗୋ
ଫୋ- ୯୪୩୮୩୬୦୮୪୯