/odisha-reporter/media/media_files/2025/12/23/mgnrega-2025-12-23-14-49-35.jpg)
MGNREGA Work Photograph: (Internet)
ଭାଲଚନ୍ଦ୍ର ଷଡ଼ଙ୍ଗୀ
ଐତିହାସିକ ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ’ ବା ‘ମନରେଗା’ର ଅପମୃତ୍ୟୁ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ଦ୍ୱାରା ତା’ର ହତ୍ୟା କରିଦିଆଗଲା ବୋଲି କୁହାଯିବା ଠିକ୍ ହେବ। ଗତ ଦୁଇ ଦଶନ୍ଧି ଧରି ରହି ଆସିଥିବା ଏହି ଆଇନକୁ ସମାପ୍ତ କରି ତା’ରି ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)’ ବା ‘ବିଭି ଜି ରାମଜୀ’ ନାମରେ ଆଉ ଏକ ଆଇନ ପ୍ରଣୟନ କରିଛନ୍ତି। ସଂସଦର ଶୀତ ଅଧିବେଶନର ସମାପ୍ତିର ଠିକ୍ ପୂର୍ବରୁ ଅତ୍ୟନ୍ତ ତରବରିଆ ଭାବେ ଅଣାଯାଇଥିବା ଏ ସଂକ୍ରାନ୍ତୀୟ ବିଲ୍ଟିକୁ ସରକାର ନିଜର ସଂଖ୍ୟାଗରିଷ୍ଠତା ବଳରେ ଧ୍ୱନୀମତରେ ଗୃହୀତ କରାଇଛନ୍ତି। ଅଧିକ ବିଚାର ଆଲୋଚନା ପାଇଁ ସଂସଦୀୟ ସ୍ଥାୟୀ ସମିତି ନିକଟକୁ ବିଲ୍ଟିକୁ ପଠାଯିବାକୁ ବିରୋଧି ଦଳର ସାଂସଦମାନଙ୍କ ଦାବିକୁ ଆଦୌ କର୍ଣ୍ଣପାତ କରିନାହାନ୍ତି। ଏହି ଆଇନ ଫଳରେ ପ୍ରଭାବିତ ହେବାକୁ ଯାଉଥିବା ସମସ୍ତ ପକ୍ଷ ଯଥା ଗ୍ରାମାଞ୍ଚଳରେ ରହିଥିବା ମନରେଗାର କୋଟି କୋଟି ଶ୍ରମିକ, ସେମାନଙ୍କ ଅଧିକାର ପାଇଁ କାର୍ଯ୍ୟରତ ସଂଗଠନ, ବିଭିନ୍ନ ରାଜ୍ୟ ସରକାର ଆଦି କାହାର ମତାମତ ନନେଇ ସଂସଦରେ ମାତ୍ର କିଛି ଘଣ୍ଟାର ଆଲୋଚନା ପରେ ଏହାକୁ ଗୃହୀତ କରାଇ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ଶେଷରେ ଆଇନରେ ପରିଣତ ହୋଇଯାଇଛି।
ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ନାମରେ ଥିବା ମନରେଗାକୁ ହଟାଇ ତା’କୁ ଯେଉଁଭଳି ‘ଜି ରାମ ଜି’ କରାଯାଇଛି, ସେଥିରୁ ସରକାରଙ୍କ ସାମ୍ପ୍ରଦାୟିକ ରାଜନୀତିର ଗନ୍ଧ ସହ ମହାତ୍ମ ଗାନ୍ଧୀଙ୍କ ପ୍ରତି ଶାସକ ଦଳର ରହିଥିବା ଆଦର୍ଶଗତ ଅସୂୟାଟି ଏକଦମ୍ ବାରି ହୋଇଯାଉଛି। ବୋଧହୁଏ ଆଇନକୁ ନେଇ ରହିଥିବା ଅସଲ ପ୍ରଶ୍ନରୁ ସମସ୍ତଙ୍କ ନଜର ହଟାଇବା ପାଇଁ ଜାଣିଶୁଣି ନାଁର ଆଶ୍ରୟ ନିଆଯାଇଛି। ସେମିତି ଦେଖିଲେ ତ ଏହି ଆଇନରେ ପ୍ରଥମରୁ ହିଁ ମହାତ୍ମା ଗାନ୍ଧୀଙ୍କ ନାମ ରହିନଥିଲା। ୨୦୦୯ ମସିହାରେ ଗାନ୍ଧୀ ଜୟନ୍ତୀ ଦିନ ସରକାର ଏହି ଆଇନରେ ମହାତ୍ମା ଗାନ୍ଧୀଙ୍କ ନାମକୁ ସଂଯୋଗ କରିଥିଲେ। ସେତେବେଳେ ବି ଏହି ଆଇନର ଅନେକ ଶୁଭଚିନ୍ତକ ତା’ର ନାମ ପରିବର୍ତ୍ତନର ପକ୍ଷରେ ନଥିଲେ। ଅତଏବ ଆଇନରୁ ଗାନ୍ଧୀଙ୍କ ନାମକୁ ହଟାଇ ରାମଙ୍କ ନାମକୁ ଯୋଡ଼ିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଇନର ସାରମର୍ମରେ ପରିବର୍ତ୍ତନ।
ଏହି କ୍ରମରେ ନୂତନ ଆଇନର ଧାରା ୩୭ରେ ମନରେଗା -୨୦୦୫ ଆଇନର ସମସ୍ତ ଧାରା, ନିୟମ, ବିଜ୍ଞପ୍ତି, ଯୋଜନା, ନିର୍ଦ୍ଦେଶ ଓ ନିର୍ଦ୍ଦେଶିକାଗୁଡ଼ିକୁ ପ୍ରତ୍ୟାହାର କରାଗଲା ବୋଲି ସ୍ପଷ୍ଟ କୁହାଯାଇଛି। ଅତଏବ ଗତ ଆଇନରେ ସରକାର ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ କାମ ଯୋଗାଇବାର ଯେଉଁ ସମ୍ପୂର୍ଣ୍ଣ ବ୍ୟବସ୍ଥାଟି କରିଥିଲେ, ତା’ ଉପରେ ବୁଲଡ଼ୋଜର ଚଢ଼ାଇ ନୂଆ ଆଇନ କରିଛନ୍ତି। ମନରେଗାର ମୌଳିକ ଚରିତ୍ରରେ ପରିବର୍ତ୍ତନ କରି ଶ୍ରମିକଙ୍କ କାମ ପାଇବାର ଅଧିକାରକୁ ଏକଦମ୍ ସଙ୍କୁଚିତ କରିଦିଆଯାଇଛି। ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାର ସମସ୍ତ କ୍ଷମତା କେନ୍ଦ୍ର ସରକାର ନିଜ ପାଖରେ ଠୁଳ କରିଥିବା ବେଳେ ସମସ୍ତ ଦାୟିତ୍ୱ ରାଜ୍ୟ ସରକାରମାନଙ୍କ କାନ୍ଧରେ ଲଦି ଦେଇଛନ୍ତି
୨୦୦୪ ଲୋକସଭା ନିର୍ବାଚନରେ ଭାଜପାର ପରାଜୟ ପଛରେ ଦେଶର ଗ୍ରାମାଞ୍ଚଳରେ ସାଧାରଣ ଲୋକ ବିଶେଷ କରି ଶ୍ରମିକ, ନାମମାତ୍ର କୃଷକ ଓ ଭାଗଚାଷୀମାନଙ୍କ ଅତ୍ୟନ୍ତ ଖରାପ ଆର୍ଥିକ ସ୍ଥିତି ପ୍ରମୁଖ କାରଣ ଥିଲା। ଆର୍ଥିକ ଦୁରବସ୍ଥାରେ ଥିବା ଲୋକେ ଭାଜପାର ‘ଚକମକ୍ ଭାରତ’ ପରି ପ୍ରଚାରରେ ପ୍ରଭାବିତ ନହୋଇ ପରିବର୍ତ୍ତନ ଆଣିଥିଲେ। ସେହି କାରଣରୁ ନିର୍ବାଚନରେ ବିଜୟୀ ହୋଇ କ୍ଷମତାକୁ ଆସିଥିବା ୟୁପିଏ ସରକାର ଆଗରେ ଗ୍ରାମାଞ୍ଚଳର ଆର୍ଥିକ ଦୁର୍ଦ୍ଦଶାକୁ ଦୂର କରିବାର କାମ ପ୍ରାଥମିକତାରେ ଥିଲା। ଏହା ସହିତ ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ପ୍ରସଙ୍ଗ ନେଇ କାମ କରୁଥିବା ସଂଗଠନମାନେ ମଧ୍ୟ ଦୀର୍ଘ ଦିନ ଧରି ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ପାଇଁ କାମର ଅଧିକାର ଦାବିରେ ଏକ ଆଇନ ଆଣିବାକୁ ଦାବି କରୁଥିଲେ। ୨୦୦୪ରେ ବାମପନ୍ଥୀ ଦଳମାନଙ୍କ ସମର୍ଥନ ଉପରେ ୟୁପିଏ ସରକାର ନିର୍ଭରଶୀଳ ଥିବାରୁ ସେମାନଙ୍କ ଏଭଳି ଆଇନ ଆଣିବାକୁ ସେମାନଙ୍କର ବି ଚାପ ରହିଥିଲା। ଏହି କ୍ରମରେ ଦେଶର ଜନ ଆନ୍ଦୋଳନ ଓ ସିଭିଲ ସୋସାଇଟି ଗୋଷ୍ଠୀମାନଙ୍କ ପକ୍ଷରୁ ଏକ ଚିଠା ବିଲ୍ ପ୍ରସ୍ତୁତ ହୋଇଥିଲା।
ପରନ୍ତୁ ବର୍ତ୍ତମାନ ସରକାର ଯେପରି ଏକଦମ୍ ଚୁପ୍ଚାପ୍ ତଥା ଅତ୍ୟନ୍ତ ଗୋପନୀୟ ଭାବେ ଆଇନ ଆଣି ତାକୁ ସଂସଦରେ ତରବରିଆ ଭାବେ ଗୃହୀତ କରାଇଲା ଭଳି ସେତେବେଳେ ୟୁପିଏ ସରକାର ସେପରି କରି ନଥିଲେ। ୨୦୦୪ ଜୁଲାଇ ପହିଲାରେ ସେହି ଚିଠା ବିଲ୍କୁ ୟୁପିଏ ସରକାରର ଜାତୀୟ ପରାମର୍ଶଦାତା ପରିଷଦକୁ ପଠାଯାଇଥିଲା। ସେଠାରେ ଦୀର୍ଘ ଏକ ମାସ ଧରି ବିଲ୍କୁ ନେଇ ଅନେକ ବିଚାର ବିମର୍ଶ ପରେ ସେଥିରେ କେତେକ ପରିବର୍ତ୍ତନ କରି ତାକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ବିଲ୍ଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ସେଠାରେ ମଧ୍ୟ ଲମ୍ବା ବିଚାର ଆଲୋଚନା ପରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ ଯାଇଥିଲା। ସେଠାରେ ମଧ୍ୟ ଆବଶ୍ୟକୀୟ ସଂଶୋଧନ ପରେ ୨୧ ଡିସେମ୍ବର ୨୦୦୪ରେ ସଂସଦରେ ଆଗତ ହୋଇଥିଲା। ଏହାପରେ ତାକୁ ଅଧିକ ବିଚାର ବିମର୍ଶ ପାଇଁ ଭାଜପା ସାଂସଦ କଲ୍ୟାଣ ସିଂହଙ୍କ ନେତୃତ୍ୱରେ ଗଠିତ ସଂସଦୀୟ ସ୍ଥାୟୀ ସମିତି ନିକଟକୁ ପଠାଇ ଦିଆଯାଇଥିଲା। ସେଠାରେ ଦୀର୍ଘ ଛଅ ମାସ ଧରି ବିଚାର ବିମର୍ଶ ଓ ସର୍ବ ସାଧାରଣଙ୍କ ମତାମତ ନେବା ପରେ ଜୁଲାଇ ଓ ଅଗଷ୍ଟ ଦୁଇ ମାସ ଧରି ସଂସଦର ଉଭୟ ରାଜ୍ୟସଭା ଓ ଲୋକସଭାରେ ବ୍ୟାପକ ଆଲୋଚନା ହୋଇ ଶେଷରେ ଦଳମତ ନିର୍ବିଶେଷରେ ସର୍ବସମ୍ମତି କ୍ରମେ ସାଂସଦମାନେ ସମର୍ଥନ କରି ବିଲ୍ଟିକୁ ଗୃହୀତ କରାଇଥିଲେ। ଅର୍ଥାତ୍ ଦୀର୍ଘ ଏକବର୍ଷର ବିଚାର ବିମର୍ଶ ଓ ସର୍ବସାଧାରଣରେ ମତାମତ ପାଇଁ ରଖିବା ପରେ ମନରେଗା ବିଲ୍ ଆଇନରେ ପରିଣତ ହୋଇଥିଲା।
ସ୍ୱାଧୀନତାର ୬୦ ବର୍ଷ ପରେ ଦେଶର ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ନିଶ୍ଚିତ ରୋଜଗାରର ଅଧିକାର ଦେବାରେ କୌଣସି ସରକାର ଏହା ପ୍ରଥମ ଉଦ୍ୟମ ଥିଲା। ଏଥିରେ ଗ୍ରାମାଞ୍ଚଳର ଗରିବ ଶ୍ରମିକମାନଙ୍କୁ ୫ କି.ମି ପରିଧି ମଧ୍ୟରେ ବାର୍ଷିକ ୧୦୦ ଦିନ କାମ ଯୋଗାଇବାର ବ୍ୟବସ୍ଥା ରହିଥିଲା। ଏଥିରେ ପଞ୍ଜିକୃତ ହେବା ପରେ ଜଣେ ଶ୍ରମିକ କାମ ମାଗିବାର ସାତ ଦିନ ମଧ୍ୟରେ ସରକାର କାମ ଯୋଗାଇବାକୁ ଏବଂ ୧୫ ଦିନ ମଧ୍ୟରେ କାମ ଦେଇ ନପାରିଲେ ବେକାର ଭତ୍ତା ଦେବାକୁ ବାଧ୍ୟ ଥିଲେ। ପୂର୍ବରୁ ଗ୍ରାମାଞ୍ଚଳର ଭୂମିହୀନ କୃଷକ ଓ କୃଷି ଶ୍ରମିକମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଗାଁର ଜମିଦାର କିମ୍ବା ଧନୀଚାଷୀଙ୍କ ଜମିରେ ତଥା ଅନ୍ୟାନ୍ୟ ଛୋଟମୋଟ କାମ କରିବାକୁ ବାଧ୍ୟ ହେଉଥିଲେ। ସେମାନଙ୍କ ପାଖରେ ରୋଜଗାରର କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ତଥା କୌଣସି ପ୍ରକାରର ମୁଲଚାଲ କ୍ଷମତା ନଥିବାରୁ ବହୁତ କମ୍ ମଜୁରୀରେ କୃଷିକାର୍ଯ୍ୟ କରୁଥିଲେ। ପୁନଶ୍ଚ ଜଳସେଚନର ସୁବିଧା ଥିବା ଅଂଚଳରେ ବର୍ଷରେ ଅତି ବେଶୀରେ ୩-୪ ମାସ ଓ ଅନାବୃଷ୍ଟି ଅଞ୍ଚଳରେ ବର୍ଷକୁ ଅତି ବେଶିରେ ୨ ମାସ ହିଁ ସେମାନଙ୍କୁ କାମ ମିଳୁଥିଲା। କିନ୍ତୁ ମନରେଗା ଆସିବା ପରେ ଗାଁରେ ଶହେ ଦିନର ବିକଳ୍ପ ରୋଜଗାରର ଗ୍ୟାରେଣ୍ଟି ଫଳରେ ବର୍ଷକୁ ଅତିରିକ୍ତ ଶହେ ଦିନ କାମ ମିଳିବା ସହ ଗାଁରେ କୃଷି ଓ ଅନ୍ୟାନ୍ୟ କାମରେ ସେମାନଙ୍କର ମୂଳଚାଲ କ୍ଷମତା ବଢ଼ିଲା। ମନରେଗା ଜରିଆରେ ଦେଶର ୫ କୋଟି ଗରିବ ପରିବାର ପାଇଁ ବାଷିକ ୨୦୦ କୋଟି ଶ୍ରମ ଦିବସ ସୃଷ୍ଟି ହୋଇପାରୁଛି। ଏଥିରେ କାମ ପାଉଥିବା ଲୋକଙ୍କ ମଧ୍ୟରେ ଅର୍ଦ୍ଧାଧିକ ମହିଳା ଓ ୪୦% ଅଧିକ ଦଳିତ ତଥା ଆଦିବାସୀ ସମ୍ପ୍ରଦାୟର ଅଟନ୍ତି।
ଭାରତରେ ମନରେଗାର କାର୍ଯ୍ୟକାରୀତା ନେଇ ଦେଶ ବିଦେଶରେ ଯେତେସବୁ ଗବେଷଣା ଓ ଅଧ୍ୟୟନ ହୋଇଛି, ସେଥିରୁ ଉତ୍ପାଦନ ଓ ଦକ୍ଷତା ଦିଗରୁ ଏହା ସକାରାତ୍ମକ ପରିଣାମ ହିଁ ଉଜାଗର ହୋଇଛି। ସରକାରୀ ଓ ଅନ୍ୟ ସ୍ୱତନ୍ତ୍ର ସୂତ୍ରର ଅଧ୍ୟୟନ ଅନୁଯାୟୀ ଏହି ଆଇନ ଲାଗୁ ହେବାର ପ୍ରଥମ କିଛି ବର୍ଷ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ମଜୁରୀରେ ଅଭୂତପୂର୍ବ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଗ୍ରାମାଞ୍ଚଳରେ ମନରେଗାରେ ଲୋକଙ୍କୁ କାମ ମିଳୁ ବା ନମିଳୁ ମନରୋଗାର ମଜୁରୀ ଠାରୁ କମ୍ ମଜୁରୀରେ କାମ କରିବାକୁ ଆଉ ଶ୍ରମିକମାନେ ରାଜି ହେଉନାହାନ୍ତି। କାମ ପାଇଁ ଗାଁରୁ ପଳାୟନ ହ୍ରାସ ପାଇବା ସହ ସବୁଠାରୁ ଗରିବ ଲୋକଙ୍କ ଆର୍ଥିକ ସ୍ଥିତିରେ ବି ପରିବର୍ତ୍ତନ ଦେଖାଦେଲା। ଦେଶର ଗ୍ରାମାଞ୍ଚଳର ଗରିବ ଲୋକଙ୍କ ଆୟରେ ୧୦% ବୃଦ୍ଧି କେବଳ ମନରେଗା କାରଣରୁ ହୋଇଛି ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି। ଏହାଛଡ଼ା ଗ୍ରାମାଂଚଳରେ କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ସାଧାରଣତଃ ନାରୀ ଶ୍ରମିକମାନଙ୍କୁ ପୁରୁଷ ଶ୍ରମିକଙ୍କ ସମାନ ମଜୁରି ଦିଆଯାଉ ନଥିବା ବେଳେ ନରେଗା ଆସିବା ପରେ ପୁରୁଷ ଓ ନାରୀଙ୍କୁ ସମାନ ମଜୁରି ଦେବାର ଆଇନଗତ ବ୍ୟବସ୍ଥା ସୃଷ୍ଟିହେଲା।
ଏହା ସତ ଯେ ମନରେଗାରେ ମିଳୁଥିବା ମଜରୀର ପରିମାଣ ବହୁତ କମ୍। ଏପରିକି ସବୁ ରାଜ୍ୟର ଘୋଷିତ ସର୍ବନିମ୍ନ ମଜରୀ ଠାରୁ ବି କମ୍ ଅଟେ। ଯେଉଁଠି ଦେଶର ସବୁଠାରୁ ଧନୀ ବ୍ୟକ୍ତିର ଦୈନିକ ଆୟ ୧୨୩୬ କୋଟି ଟଙ୍କା ରହିଥିବା ବେଳେ ଦୈନିକ ଆଠଘଣ୍ଟା ହାଡ଼ଭଙ୍ଗା ପରିଶ୍ରମ କରି ମନରେଗାର ଜଣେ ଶ୍ରମିକ ମାତ୍ର ୨୦୦ ଟଙ୍କାରୁ ସାମାନ୍ୟ ଅଧକ ମଜୁରୀ ପାଉଛି। ଦେଶର ସର୍ବୋଚ୍ଚ ଆୟ କରୁଥିବା ବ୍ୟକ୍ତିର ଦୈନିକ ଆୟ ଜଣେ ମନରେଗା ଶ୍ରମିକର ଦୈନିକ ଆୟର ୬.୧୮ କୋଟି ଗୁଣ ହେବା ବାସ୍ତବିକ ଲଜ୍ଜାଜନକ ଅଟେ। ତଥାପି ଗତ ଦୁଇ ଦଶନ୍ଧି ଧରି ପ୍ରଥମେ ନରେଗା (ଘଜଋଏଇ) ଓ ପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ନିଶ୍ଚିତ ରୋଜଗାର ଆଇନ ବା ମନରେଗା ଦେଶର ଗ୍ରାମାଞ୍ଚଳର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଆମର ଅର୍ଥନୀତିକୁ ମଜବୁତ କରିଆସିଛି। ଏହା ଜରିଆରେ ସମାଜର ସବୁଠାରୁ ଗରିବ ଲୋକଙ୍କ ହାତକୁ ତ ପଇସା ଯାଇଛି, ତାହା ସହ ପ୍ରତିବର୍ଷ ଗ୍ରାମାଞ୍ଚଳରେ ରାସ୍ତା, ପୋଖରୀ, ଆଡ଼ିବନ୍ଧ, କେନାଲ ନିର୍ମାଣ ପରି ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ସୃଷ୍ଟି ହୋଇପାରିଛି। କୋଭିଡ଼ ସମୟରେ ତ ଏହା ସରକାରଙ୍କ ପାଇଁ ଏକରକମ ବରଦାନ ସାବ୍ୟସ୍ତ ହୋଇଥିଲା। କୋଭିଡ଼ ଜନିତ ଲକ୍ଡ଼ାଉନ୍ ଯୋଗୁଁ ସହରରେ କଳ କାରଖାନ, ବ୍ୟବସାୟ ପ୍ରତିଷ୍ଠାନ ସବୁ ବନ୍ଦ ହେବା ଫଳରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଯେଉଁଭଳି ଖରାପ ସ୍ଥିତିରେ ଗାଁକୁ ଫେରିଲେ, ସେମାନଙ୍କୁ କୌଣସିମତେ ବଂଚାଇ ରଖିବାରେ ମନରେଗା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏପରିକି ମନରୋଗା ପ୍ରତି ନାକାରାତ୍ମକ ଦୃଷ୍ଟିଭଙ୍ଗୀ ରଖି ଆସିଥିବା ମୋଦି ସରକାର ମଧ୍ୟ କୋଭିଡ଼ ମହାମାରୀ ସମୟରେ ମନରେଗାର ବର୍ଦ୍ଧିତ ଚାହିଦାକୁ ଦେଖି ସେଥିଲାଗି ବ୍ୟୟବରାଦରେ ମଧ୍ୟ ବୃଦ୍ଧି କରିବାକୁ ବାଧ୍ୟ ହୋଇଥିଲେ।
ମନରେଗା ଅଧୀନରେ କାମ କରିବାର ବିକଳ୍ପ ନିଶ୍ଚିତ ଥିବାରୁ ତା’ରି ମାଧ୍ୟମରେ ଗ୍ରାମୀଣ ଶ୍ରମିକମାନେ ସର୍ବନିମ୍ନ ମଜୁରି ପାଇବା ଅନେକାଂଶରେ ସମ୍ଭବ ହୋଇପାରୁଥିଲା। ଏହାର ଚାପରେ କୃଷି କାମରେ ନିୟୋଜିତ କୃଷି ଶ୍ରମିକଙ୍କ ମଜୁରିରେ ଅନେକ ପରିମାଣରେ ବୃଦ୍ଧି ଘଟିଥିଲା। ସେହି କାରଣରୁ ଗ୍ରାମାଞ୍ଚଳର ଧନୀକ ଶ୍ରେଣୀ ବିଶେଷ କରି ଧନୀଚାଷୀ ଓ ଜମିଦାର ଶ୍ରେଣୀ ପ୍ରଥମରୁ ଏହି ଆଇନର ବିରୋଧ କରି ଆସିଛନ୍ତି। ସେମାନଙ୍କୁ ଖୁସୀ କରିବାକୁ ସରକାର ନୂଆ ଆଇନରେ ଚାଷ ସମୟରେ ଦୁଇ ମାସ ତା’ ଅଧୀନରେ ଆସୁଥିବା କାମକୁ ସ୍ଥଗିତ ରଖି କୃଷି ପାଇଁ ଶସ୍ତାରେ ଶ୍ରମିକ ଉପଲବ୍ଧ କରାଇବାକୁ କହିଛନ୍ତି। ଏହା ଫଳରେ ସରକାରୀ କାମ ପାଇବାରୁ ବଂଚିତ ହୋଇ ଶ୍ରମିକମାନେ କମ୍ ମଜୁରୀରେ କୃଷିକାମ କରିବାକୁ ବାଧ୍ୟ ହେବେ। ସେମାନଙ୍କ ମୂଲଚାଲ କ୍ଷମତା ଦୁର୍ବଳ ହେବ। ଯେତେବେଳେ ଗାଁର ଶ୍ରମିକମାନଙ୍କୁ ସବୁଠାରୁ ଅଧିକ କାମର ଆବଶ୍ୟକତା ଥାଏ, ସେତେବେଳେ ଏଭଳି ନିୟମ ସେମାନଙ୍କୁ କାମରୁ ବଂଚିତ କରିବ ଏବଂ ସୁଧଖୋର ମହାଜନଙ୍କ ଉପରେ ନିର୍ଭରଶୀଳତାକୁ ଆଉ ବଢ଼ାଇଦେବ।
ପୂର୍ବରୁ ଜଣେ ଶ୍ରମିକ ବର୍ଷର ୩୬୫ ଦିନ ମଧ୍ୟରୁ ଯେକୌଣସି ୧୦୦ ଦିନ କାମ ମାଗିବାର ବ୍ୟବସ୍ଥା ଥିବା ବେଳେ ନୂଆ ଆଇନରେ ତାକୁ ବର୍ଷରେ ଦୁଇ ମାସ ହ୍ରାସ କରାଯାଇଛି। ସରକାରଙ୍କ ପକ୍ଷରୁ ୧୦୦ ଦିନ ବଦଳରେ ଏଣିକି ୧୨୫ ଦିନ ନିଶ୍ଚିତ କାମ ଦେବାର ଯେଉଁ ଉଲ୍ଲେଖ କରାଯାଇଛି ତାହା ଉପର ଠାଉରିଆ ବୋଲି କୁହାଯାଇପାରେ। କାରଣ ୧୨୫ ଦିନ କାମ ଯୋଗାଇବାର ତ ଗ୍ୟାରେଣ୍ଟି ଘୋଷଣା କରାଯାଇଛି, କିନ୍ତୁ ତାହା କାର୍ଯ୍ୟକାରୀ କରିବାର କୌଣସି ଗ୍ୟାରେଣ୍ଟି ନାହିଁ। ଅନ୍ୟପଟେ ପୂର୍ବ ଆଇନରେ ବାର୍ଷିକ ୧୦୦ ଦିନ କାମ ଯୋଗାଇବାର ବ୍ୟବସ୍ଥା ରହିଥିବା ସତ୍ତ୍ୱେ ମାତ୍ର ୨% ପଞ୍ଜିୀକୃତ ଶ୍ରମିକଙ୍କୁ ବାର୍ଷିକ ୧୦୦ ଦିନ କାମ ମିଳୁଥିଲା। କେବଳ କୋଭିଡ଼ ବର୍ଷ ୨୦୨୦-୨୧ରେ ୫୨ ଦିନ ଛାଡ଼ିଦେଲେ ଗତ ୧୧ ବର୍ଷ ମଧ୍ୟରେ ମନରେଗାର ଶ୍ରମିକମାନେ ବାର୍ଷିକ ହାରାହାରି ୩୩-୫୦ ଦିନ କାମ ପାଇପାରିଛନ୍ତି। ପଞ୍ଜାବରେ ବାର୍ଷିକ ହାରାହାରି ୨୭ ଦିନ କାମ ପାଉଥିବା ବେଳେ ତାମିଲନାଡ଼ୁ, କେରଳ, ଆନ୍ଧ୍ର ପ୍ରଦେଶ ପରି ବିକଶିତ ରାଜ୍ୟମାନଙ୍କରେ ଅତିବେଶୀରେ ବାର୍ଷିକ ହାରାହାରି ୫୦-୫୫ ଦିନ କାମ ଦିଆଯାଉଥିଲା। ଚଳିତ ବର୍ଷ ତ ଏଯାଏଁ ହାରାହାରି ୩୬ ଦିନ କାମ ଦିଆଯାଇ ପାରିଛି। ମନରେଗାରେ ବହୁତ କମ୍ ମଜୁରୀ ମିଳିବା, କାମ କରିବା ପରେ ବହୁତ ବିଳମ୍ବରେ ମଜୁରୀ ଦିଆଯିବା, ମଜୁରୀ ଦେବାର ତୃଟୀପୂର୍ଣ୍ଣ ବ୍ୟବସ୍ଥା ଏବଂ କେନ୍ଦ୍ରର ଅନୁଦାନ ଆସିବାରେ ଅହେତୁକ ବିଳମ୍ବ ତଥା ଅନେକ ସମୟରେ ଶ୍ରମିକମାନେ ନିଜର ଚାହିଦା ମୁତାବକ କାମ ପାଇ ନପାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତ ୧୫ ବର୍ଷ ଧରି ମନରେଗାର ମଜୁରୀ ପ୍ରାୟତଃ ସ୍ଥିର ରହିଛି। ତେବେ ସରକାର ନୂତନ ଆଇନରେ ଉପରୋକ୍ତ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିବା ବଦଳରେ କେବଳ ବାର୍ଷିକ କାର୍ଯ୍ୟ ଦିବସକୁ କେବଳ ଯାନ୍ତ୍ରିକ ଭାବେ ୧୦୦ରୁ ୧୨୫କୁ ବୃଦ୍ଧି କରିଛନ୍ତି। ପୂର୍ବରୁ ବାର୍ଷିକ ୧୦୦ ଦିନ କାମ ଯୋଗାଇବାରେ ବିଫଳ ସରକାର ଏବେ ବାର୍ଷିକ ୧୨୫ ଦିନ କାମ ଦେବାକୁ ପ୍ରତିଶୃତି ଦେବା ହାସ୍ୟାସ୍ପଦ ମନେହୁଏ।
ସବୁଠାରୁ ବିପଜ୍ଜନକ କଥା ହେଲା, ନୂଆ ଆଇନରେ ନିଷ୍ପତ୍ତି ନେବାର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କେନ୍ଦ୍ରୀକରଣ କରି କେନ୍ଦ୍ର ସରକାରଙ୍କ ହାତରେ ଏ ସଂକ୍ରାନ୍ତୀୟ ସମସ୍ତ କ୍ଷମତା ଠୁଳ କରାଯାଇଛି। ଏଣିକି ଦେଶର କେଉଁ ଅଂଚଳର ଲୋକଙ୍କୁ କାମ ଦିଆଯିବ, କେଉଁ ପ୍ରକାର କାମ କରାଯିବ ଓ ବର୍ଷର କେଉଁ ସମୟରେ ୬୦ ଦିନ କାମ ବନ୍ଦ କରାଯିବ, ସବୁ କିଛି କେନ୍ଦ୍ର ସରକାର ସ୍ଥିର କରିବେ। ପୂର୍ବ ଆଇନରେ ଗାଁରେ କେତେ କାମ ହେବ, କି ପ୍ରକାର କାମ ହେବ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହୋଇ ତାକୁ ଗ୍ରାମ ପଂଚାୟତ ଜରିଆରେ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଉଥିଲା। ପରେ ରାଜ୍ୟ ସରକାର ଆବଶ୍ୟକୀୟ ଅର୍ଥର ଏକ ଆନୁମାନିକ ଆକଳନ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଉଥିଲେ ଏବଂ ସେ ଅନୁସାରେ କେନ୍ଦ୍ର ସରକାର ଅର୍ଥ ବରାଦ କରୁଥିଲେ। କିନ୍ତୁ ବର୍ତ୍ତମାନ କେଉଁ ରାଜ୍ୟକୁ କେତେ ଅନୁଦାନ ଦିଆଯିବ ତାହା କେବଳ କେନ୍ଦ୍ର ସରକାର ସ୍ଥିର କରିବେ। ଏପରିକି ରାଜ୍ୟର କେଉଁ ଅଂଚଳକୁ କେତେ ଟଙ୍କା ଯିବ ତାହା ବି କେନ୍ଦ୍ର ସ୍ଥିର କରିବ। ଏହି ସମଗ୍ର ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ରହିବନି କି ଗ୍ରାମସଭା ସେନେଇ କୌଣସି ପ୍ରସ୍ତାବ ଦେଇପାରିବ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ସଂଘୀୟ ବିଚାରର ପରିପନ୍ଥୀ ଓ ରାଜ୍ୟମାନଙ୍କ ଅଧିକାରର ଉଲଂଘନ ଅଟେ।
ନୂଆ ଆଇନରେ ମନରେଗାର ମୂଳ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରାଯାଇଛି, ଯେଉଁଥିରେ ଏକ ସାର୍ବଜନୀନ ଚାହିଦା ଭିତ୍ତିକ ଆଇନ ମାଧ୍ୟମରେ କାମ ପାଇବାର ସୀମିତ ଅଧିକାରକୁ ନିଶ୍ଚିତ କରାଯାଇଥିଲା। ଏହି କାରଣରୁ ବଜେଟ୍ରେ ମନରେଗା ବାବଦରେ ବ୍ୟୟବରାଦର କୌଣସି ସୀମା ନଥିଲା। ବଜେଟରେ ନିର୍ଦ୍ଧାରିତ ବ୍ୟୟବରାଦ ରାଶି ଠାରୁ ଚାହିଦା ବେଶି ହେଲେ ସରକାରଙ୍କୁ ଅତିରିକ୍ତ ଅନୁଦାନ ଦେବାକୁ ପଡ଼ୁଥିଲା। କିନ୍ତୁ ନୂଆ ଆଇନରେ ସେହି ସୁଯୋଗକୁ ସଙ୍କୁଚିତ କରିଦିଆ ଯାଇଛି। ଚାହିଦା ମୁତାବକ ଅନୁଦାନ ପରିବର୍ତ୍ତେ କେନ୍ଦ୍ରୀୟ ଆବଣ୍ଟନ ଓ ପ୍ରଶାସନିକ ବିବେକ ଉପରେ ତାକୁ ଛାଡ଼ି ଦିଆଯାଇଛି। ବଜେଟ୍ ଅନୁଦାନକୁ ଏକ ସୀମା ମଧ୍ୟରେ ରଖି କାମ କମାଇବା ଦିଗରେ ବ୍ୟବସ୍ଥା ରଖାଯାଇଛି। ଆଇନ ମାଧ୍ୟମରେ କେନ୍ଦ୍ର ସରକାରକୁ ଚାହିଦା ଅନୁଯାୟୀ ତହବିଲ୍ ବ୍ୟବସ୍ଥା କରିବା ଦାୟିତ୍ୱରୁ ମୁକ୍ତ କରିବାକୁ ଆଇନଗତ ସମ୍ମତି ଦିଆଯାଇଛି।
ଅନ୍ୟପଟେ ପୂର୍ବରୁ ମଜୁରୀ ଦେବାର ପ୍ରାୟତଃ ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କର ଥିବା ବେଳେ ନୂଆଁ ଆଇନରେ ତାକୁ ୬୦:୪୦ ଅନୁପାତରେ ରାଜ୍ୟ ସରକାରଙ୍କ ଉପରେ ଲଦିବାର ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ରାଜ୍ୟ ସରକାରମାନେ ଏ ବାବଦରେ ମୋଟ ଖର୍ଚ୍ଚର ୪୦% ବହନ କରିବେ। ଏବଂ ତା’ଠାରୁ ଯଦି କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ରାଶି ଠାରୁ ଅଧିକ ଖର୍ଚ୍ଚ ହୁଏ ତାହେଲେ ସେହି ଅତିରିକ୍ତ ବ୍ୟୟକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ନିଜ ପାଣ୍ଠିରୁ ଖର୍ଚ୍ଚ କରିବେ। ମନରେଗାରେ ଗତବର୍ଷର ବ୍ୟୟ ବରାଦକୁ ଦେଖିଲେ ୬୦: ୪୦ ହିସାବରେ ରାଜ୍ୟ ସରକାରମାନଙ୍କୁ ଅତିରିକ୍ତ ୨୮,୬୬୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। କେବଳ ଉତ୍ତର ପ୍ରଦେଶ ସରକାରଙ୍କୁ ଅତିରିକ୍ତ ୨୯୮୭ କୋଟି ଖର୍ଚ୍ଚ କରିବାକୁ ହେବ। ଯେହେତୁ ସର୍ବାଧିକ ଗରିବ ଶ୍ରମିକ ବସବାସ କରୁଥିବା ଅର୍ଥାତ୍ ସର୍ବାଧିକ କାମ ଆଶା କରୁଥିବା ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଉତ୍ତର ପ୍ରଦେଶ ପରି ରାଜ୍ୟମାନେ ସାଧାରଣତଃ ଦେଶର ଗରିବ ରାଜ୍ୟ ଅଟନ୍ତି, ତେଣୁ ସେମାନଙ୍କ ଉପରେ ଏହି ଅତିରିକ୍ତ ବ୍ୟୟ, ବୋଝ ଉପରେ ନଳିତା ବିଡ଼ା ପରି ହେବ। ସହଜେ ତ ତୃଟୀପୂର୍ଣ୍ଣ ଜିଏସ୍ଟି ଓ ଅଧିକରୁ ଅଧିକ ସେସ୍ ଆଦାୟ ଯୋଗୁଁ ରାଜ୍ୟମାନେ ଟିକସ ଆଦାୟ କରିବାର ନିଜର ସ୍ୱାଧୀନତାକୁ ହରାଇ ବିପୁଳ ଆର୍ଥିକ କ୍ଷତି ସହୁଛନ୍ତି, ସେଭଳି ସ୍ଥିତିରେ ସେମାନଙ୍କ ଉପରେ ଏହି ଆଇନ ଫଳରେ ପଡ଼ିବାକୁ ଥିବା ଅତିରିକ୍ତ ବୋଝକୁ ସମ୍ଭାଳିବା କଷ୍ଟସାଧ୍ୟ ହେବ। ସେମାନେ ଯଦି ଏହି ବୋଝ ଉଠାଇବାକୁ ସକ୍ଷମ ହେବେନି ତାହେଲେ କେନ୍ଦ୍ର ସରକାର ନିଜର ୬୦% ଅଂଶ ନଦେବାକୁ ସୁଯୋଗ ପାଇବେ। ଏଭଳି ସ୍ଥିତିରେ ଶ୍ରମିକମାନେ କାମ ପାଇବାରୁ ବଂଚିତ ହେବେ।
ଅଧିକାରୁ ଅଧିକ ଲୋକଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ବଦଳରେ ଅଧିକରୁ ଅଧବକ ଲୋକଙ୍କୁ ବଂଚିତ କରିବାର ନୀତିରେ ବିଶ୍ୱାସ କରୁଥିବା ସରକାର ବହୁ ପୂର୍ବରୁ ବିଭିନ୍ନ ଯାନ୍ତ୍ରିକ କାରଣ ଦେଖାଇ ଦେଶର କୋଟି କୋଟି ମନରେଗା ଶ୍ରମିକଙ୍କୁ ମନରେଗାର ପଞ୍ଜୀକରଣ ତାଲିକା ଓ ଜବ୍କାର୍ଡ଼ରୁ ବାଦ ଦେଇଛନ୍ତି। ନୂଆ ଆଇନରେ ଜବ୍ କାର୍ଡକୁ ‘ଯୁକ୍ତିସଂଗତ’ ଓ ‘ପାରଦର୍ଶୀ’ କରିବା ନାଁରେ ଯେଉଁ ଡିଜିଟାଲକରଣ କରିବାକୁ କହିଛନ୍ତି ତାହା ବସ୍ତୁତଃ ଗ୍ରାମାଞ୍ଚଳର ଗରିବ ଶ୍ରମିକଙ୍କ ଏକ ବଡ଼ ଅଂଶକୁ ଯୋଜନାରୁ ବାହାରେ ରଖିବାର ଦ୍ୱାର ଖୋଲିଦେଇଇଛି। ଏହି ଆଇନଟି ବି ସ୍ପଷ୍ଟ ଭାବେ ଆଗାମୀ ଦିନରେ କାମ ଆଶାୟୀ ଗ୍ରମାଂଚଳର କୋଟି କୋଟି ଶ୍ରମିକଙ୍କୁ କାମର ଅଧିକାର ଓ ସୁଯୋଗରୁ ବଂଚିତ କରିବାକୁ ଯାଉଛି। ଯାହାର ପରିଣାମ ସ୍ୱରୂପ ଆଗାମୀ ଦିନରେ ଗାଁମାନଙ୍କରେ ବେକାରୀ ଓ ଦାରିଦ୍ର୍ୟଶ ବଢ଼ିବା ସହିତ ଅଧିକରୁ ଅଧିକ ଲୋକେ ନିଜର ପିଲାଛୁଆ ଛାଡ଼ି କାମ କରିବାକୁ ବାହାରକୁ ପଳାୟନ କରିବାକୁ ବାଧ୍ୟ ହେବେ।
ଦେଶରେ ପୁଞ୍ଜିପତିଙ୍କ ପାଇଁ ବେପାର ଅନୁକୂଳ ପରିବେଶ ତିଆରି କରିବା ପାଇଁ ମୋଦି ସରକାର ସବୁପ୍ରକାର ଉଦ୍ୟମ କରି ଆସିଛନ୍ତି। ଏହିକ୍ରମରେ ପୂର୍ବରୁ ୨୯ଟି ଶ୍ରମ ଆଇନକୁ ସମାପ୍ତ କରି ତା’ ଜାଗାରେ ୪ଟି ଶ୍ରମ ସଂହିତା ଆରମ୍ଭ କରିଛନ୍ତି। ବର୍ତ୍ତମାନ ମନରେଗାକୁ ସମାପ୍ତି କରି ତା’ ସ୍ଥାନରେ ଆଉ ଏକ ଶ୍ରମିକ ବିରୋଧି ଆଇନ ପ୍ରଣୟନ କରିବା ପଛରେ ମଧ୍ୟ କର୍ପୋରେଟ୍ମାନଙ୍କ ସିଧାସଳଖ ସ୍ୱାର୍ଥ ଜଡ଼ିତ ରହିଛି। କାରଣ ମନରୋଗା ଯୋଗୁଁ ଗ୍ରାମାଂଚଳରୁ ଶ୍ରମିକଙ୍କ ପଳାୟନ କମିବା ଫଳରେ ସହରରେ ଶସ୍ତା ଶ୍ରମିକର ଅଭାବ ରହିଛି। ସେହି କାରଣରୁ ମନରେଗାକୁ ଖତମ୍ କରି ଅଧିକରୁ ଅଧିକ ଗ୍ରାମ୍ୟ ଶ୍ରମିକଙ୍କୁ ସହରକୁ ପଳାୟନ ପାଇଁ ବାଧ୍ୟ କରାଯାଉଛି, ଯହା ଫଳରେ ସହରରେ କମ୍ପାନୀମାନଙ୍କ କଳା କାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଅଧିକରୁ ଅଧିକ ଶସ୍ତା ଶ୍ରମିକ ଉପଲବ୍ଧ ହେବେ।
ମନରେଗାକୁ ସମାପ୍ତ କରି କେନ୍ଦ୍ର ସରକାର କେବଳ ଗ୍ରାମାଞ୍ଚଳର ଗରିବ ଲୋକଙ୍କ ରୋଜଗାରର ଅଧିକାର ଉପରେ ଆକ୍ରମଣ କରି ନାହାନ୍ତି ବରଂ ଗ୍ରାମାଞ୍ଚଳର ନିରନ୍ତର ବିକାଶ, ଦାରିଦ୍ର୍ୟ୍ ଦୂରୀକରଣ, ସାମାଜିକ ନ୍ୟାୟ ଏବଂ ପରିବେଶ ସୁରକ୍ଷାର ଏକ ଶକ୍ତିଶାଳୀ ତଥା ପରିକ୍ଷିତ ବ୍ୟବସ୍ଥା ଉପରେ ମାଡ଼ କରିଛନ୍ତି। ଅତଏବ ଏଭଳି ଏକ ଆଇନକୁ ଦେଶର ସ୍ୱାର୍ଥ ବିଶେଷ କରି ଗ୍ରାମଞ୍ଚଳର ଗରିବ ଶ୍ରମିକଙ୍କ ସ୍ୱାର୍ଥରେ ଅଧିକ ଉନ୍ନତ ଓ ଶକ୍ତିଶାଳୀ କରିବା ପରିବର୍ତ୍ତେ ତା’କୁ ଏକଦମ୍ ସମାପ୍ତ କରିଦେବାର ନିଷ୍ପତ୍ତି ଏକ ଐତିହାସିକ ଭୂଲ ହେବ।
ଫୋନ - ୯୪୩୭୧୬୬୩୯୧
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
