ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ...

ପଞ୍ଜାବର ହରମିତ୍ ସିଂହ ଜଣେ ଯୁବ ଟ୍ରକ ଚାଳକ। ଯୋଗାଡ଼ଯନ୍ତ୍ର କରି ସେ କାନାଡ଼ା ଗଲା ଓ ସେଠାରେ ନିଜର ଭିଣୋଇ ସାହାଯ୍ୟରେ ଟ୍ରକ ପରିବହନ ସଂସ୍ଥାରେ ଡ୍ରାଇଭର ଚାକିରୀ ବି ପାଇଗଲା। ବର୍ଷକ ପରେ ଗାଁକୁ ଆସିଲା ପରେ ତାର ସାଥୀମାନେ ପଚାରିଲେ, ଭାରତରେ ତ ବାଁ-ହାତି, କାନାଡ଼ାରେ ଡାହାଣ-ହାତି ଗାଡ଼ି ଚଲାଯାଏ, ତାକୁ ସେଠି କିଛି ଅସୁବିଧା ହେଉନି? ହରମିତ୍ ହସିଲା। କହିଲା, ମୁଁ ଏଠି କ'ଣ ରାସ୍ତାର ବାଁ-ପଟେ ଟ୍ରକ ଚଲଉଥିଲି ଯେ କାନାଡ଼ାରେ ଅସୁବିଧା ହେବ?

VK Pandian

  • Published: Wednesday, 30 August 2023
  • , Updated: 30 August 2023, 03:58 PM IST

News highlights

  • ଓଡ଼ିଶାରେ ଗଣତନ୍ତ୍ର ଓ ଅମଲାତନ୍ତ୍ର ମଧ୍ୟରେ କିଛି ଫରକ ନାହିଁ କି?
  • ଜଣେ ସଚିବ ଯଦି ସବୁ କରିବେ, ମନ୍ତ୍ରୀ ବିଧାୟକ କ’ଣ କେବଳ ଗୁଣଗାନ କରିବେ?

ପଞ୍ଜାବର ହରମିତ୍ ସିଂହ ଜଣେ ଯୁବ ଟ୍ରକ ଚାଳକ। ଯୋଗାଡ଼ଯନ୍ତ୍ର କରି ସେ କାନାଡ଼ା ଗଲା ଓ ସେଠାରେ ନିଜର ଭିଣୋଇ ସାହାଯ୍ୟରେ ଟ୍ରକ ପରିବହନ ସଂସ୍ଥାରେ ଡ୍ରାଇଭର ଚାକିରୀ ବି ପାଇଗଲା। ବର୍ଷକ ପରେ ଗାଁକୁ ଆସିଲା ପରେ ତାର ସାଥୀମାନେ ପଚାରିଲେ, ଭାରତରେ ତ ବାଁ-ହାତି, କାନାଡ଼ାରେ ଡାହାଣ-ହାତି ଗାଡ଼ି ଚଲାଯାଏ, ତାକୁ ସେଠି କିଛି ଅସୁବିଧା ହେଉନି? ହରମିତ୍ ହସିଲା। କହିଲା, ମୁଁ ଏଠି କ'ଣ ରାସ୍ତାର ବାଁ-ପଟେ ଟ୍ରକ ଚଲଉଥିଲି ଯେ କାନାଡ଼ାରେ ଅସୁବିଧା ହେବ?

ଏହା ଗୋଟିଏ ହାଲୁକା ଗପ ହୋଇଥାଇ ପାରେ; କିନ୍ତୁ ସତ ନୁହେଁ କି? ଗତ କିଛି ମାସର ଘଟଣା ପ୍ରବାହକୁ ଅନୁଧ୍ୟାନ କଲେ, ଓଡ଼ିଶାରେ ଘଟିଚାଲିଥିବା ଗଣତନ୍ତ୍ରର ନୂତନ ପରୀକ୍ଷା ନିରୀକ୍ଷା ଯେ ଅତ୍ୟନ୍ତ ରୋଚକ ମୋଡ଼ ନେଇସାରିଛି, ତାହା ଜଳଜଳ ହୋଇ ସମସ୍ତଙ୍କୁ ଦେଖା ଯାଉଥିଲେ ବି ହରମିତ୍ ସିଂହଙ୍କ ଭଳି ଟ୍ରକ ଚାଳକମାନେ କ'ଣ ଆମ ଦେଶର ରାସ୍ତା ନିୟମ ପାଳନ କରି ଗାଡ଼ି ଚାଳନା କରୁଛନ୍ତି? ଏହାକୁ ବିଲକ୍ଷଣ କୁହାଯାଉ କି ବିଶୃଙ୍ଖଳା, ତାହା ହିଁ ଘଟୁଛି ଓ ଆମେ ନିଜକୁ ଅସହାୟ ମନେକରି ହରମିତ୍ ସିଂହଙ୍କ ଟ୍ରକର ବାମପଟ ଦେଇ ଆଗକୁ ବଢ଼ୁଛୁ। ଆମେ ଜାଣୁଛେ ଯେ, ଏହା ଭୁଲ; କିନ୍ତୁ ପ୍ରତିବାଦ କରିବାର ସାହସ କରିପାରୁନୁ। ଏବେ ଏସବୁ ଆମ ଅଭ୍ୟାସରେ ପଡ଼ି ଗଲାଣି।

ଓଡ଼ିଶା ବିଧାନସଭାର ୧୪୭ ସଭ୍ୟଙ୍କ ମଧ୍ୟରୁ ବିଜୁ ଜନତା ଦଳର ସର୍ବାଧିକ ୧୧୪ ଜଣ ବିଧାୟକ ଜିତି ପଞ୍ଚମ ପାଳିର ସରକାର ଗଠନ କରିଛି। ୨୦୦୦ ମସିହାଠାରୁ ଲଗାତାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ। ୨୦୦୦ଠାରୁ ୨୦୦୯ ଯାଏଁ ବିଜେଡି-ବିଜେପି ଗଠବନ୍ଧନ ସରକାର ଓ ତାହା ପରଠାରୁ ବିଜୁ ଜନତା ଦଳ ଏକାକୀ ୨୦୦୯-୧୪ ଯାଏଁ ୧୦୩, ୨୦୧୪-୧୯ ଯାଏଁ ୧୧୭ ଓ ୨୦୧୯ଠାରୁ ୧୧୪ ବିଧାୟକଙ୍କୁ ନିର୍ବାଚିତ କରାଇ ଆଣିଛି ଓ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିଛି। ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଅଚିରେ ଅଭଙ୍ଗା ରେକର୍ଡ କରିବାକୁ ଯାଉଛନ୍ତି। ଓଡ଼ିଶାରେ ସର୍ବକାଳୀନ ସ୍ଥିର ସରକାର ଦେଇଥିବାରୁ ରାଜ୍ୟରେ ରାଜନୈତିକ ହଟଚମଟ କିମ୍ବା ଝୁଲା ବିଧାନସଭାର ଯୁଗ ସରିଯାଇଛି।

ଏବେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଓ ଖାରବେଳ ଭବନ ମନା। ଏପରିକି କେତେକ ନିର୍ଦ୍ଦିଷ୍ଟ ସଭା ସମିତିକୁ ସେମାନଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ଗଣମାଧ୍ୟମ ପାଇଁ ବାର୍ତ୍ତା ଆସିଯାଉଛି। ବେଳେବେଳେ ଖବରକାଗଜରେ ବାର୍ତ୍ତାର ଶୀର୍ଷକ ସମାନ ରହୁଥିବାର ଦେଖାଯାଉଛି। ଗଣମାଧ୍ୟମରେ ଅଭିଜ୍ଞତା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଏଥିପାଇଁ ମିଡିଆ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି ଓ ଥଇଥାନ କରାଯାଇଛି।

ଘନଘନ କ୍ୟାବିନେଟ ମିଟିଂ ଅନୁଷ୍ଠିତ ହେଉଥିଲେ ବି ନା ମନ୍ତ୍ରୀମାନଙ୍କୁ ଆଗୁଆ ସୂଚନା ମିଳୁଛି ନା ସେମାନଙ୍କ ପରାମର୍ଶ ଲୋଡ଼ା ଯାଇ ଆଲୋଚନା ହେଉଛି। ଦଳୀୟ ମନ୍ତ୍ରୀ ଓ ବିଧାୟକ ଗଣମାଧ୍ୟମରେ ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମୁଖ୍ୟମନ୍ତୀଙ୍କ ଆଦେଶରେ ସାରା ରାଜ୍ୟ ଗସ୍ତ କରୁଛନ୍ତି ଓ ଲୋକଙ୍କଠାରୁ ଆପତ୍ତି ଅଭିଯୋଗ ଲିଖିତ ଭାବେ ସଂଗ୍ରହ କରି ଆଶୁ ସମାଧାନ କରିବାକୁ ବିଶ୍ୱାସ ଦେଉଛନ୍ତି। ରାଜ୍ୟବାସୀଙ୍କୁ ସୁଶାସନ ଦେବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳଟିଏ ଗଠନ କରି ନିଜ ଦଳର ଯୋଗ୍ୟ ନେତାଙ୍କୁ ମନ୍ତ୍ରୀପଦ ଦେଇଥିଲେ ବି କୌଣସି ଜଣେ ମନ୍ତ୍ରୀ କିମ୍ବା ବିଭାଗୀୟ ସଚିବଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟାଳୟ ଓ ବ୍ୟକ୍ତିଗତ ସଚିବଙ୍କ ଉପରେ ସଂପୂର୍ଣ୍ଣ ଭରସା କରୁଥିବାର ଦେଖାଯାଉଛି। ସେମାନେ ନେପଥ୍ୟରେ ରହି ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପାଳନ କରୁଥିବା ବ୍ୟକ୍ତିଗତ ସଚିବଙ୍କ ସଭାକୁ ଲୋକ ବୁହାଇବାରେ ଲାଗିଛନ୍ତି। ଏହାକୁ ପ୍ରଶାସନିକ କାର୍ଯ୍ୟର ଖୋଳପା ଭିତରେ କୌଶଳପୂର୍ଣ୍ଣ ରାଜନୈତିକ ଗୋଟିଚାଳନା ଓ ନିର୍ବାଚନ ରଣନୀତିର ଏକ ନୂତନ ପ୍ରୟୋଗ କୁହାଗଲେ ଭୁଲ ହେବନାହିଁ। ତେବେ, ଏଭଳି ଭେଳିକି ପାଇଁ ଖର୍ଚ୍ଚ କରାଯାଉଥିବା ଅଜସ୍ର ଅର୍ଥର ପରିମାଣ ଓ ତାହା କେଉଁଠୁ ଆସୁଛି, ଜଣା ପଡୁନାହିଁ। ଜନ ଶୁଣାଣି ଭଳି ପ୍ରଶାସନିକ ମଞ୍ଚରେ ସ୍ଥାନୀୟ ଜିଲ୍ଲାପାଳଙ୍କଠାରୁ ତହସିଲଦାରଙ୍କ ଯାଏଁ ଓ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ଦୂରେଇ ରଖାଯିବା ପଛରେ ନିର୍ଦ୍ଦିଷ୍ଟ ନିର୍ବାଚନ ରଣନୀତି ସ୍ପଷ୍ଟ। ଏହା ଏକ ପ୍ରଶାନ୍ତ କିଶୋରୀୟ ପଦକ୍ଷେପ, ଯେଉଁଥିରେ ମୁଖ୍ୟଙ୍କ ଉଚ୍ଚତା ଓ ଭାବମୂର୍ତ୍ତୀ ଏତେ ଅଧିକ ବଢ଼ାଇ ଦିଆଯାଏ ଯେ, ସେ ଯାହାଙ୍କୁ ପ୍ରାର୍ଥୀ କରନ୍ତି, ତାଙ୍କର ବିଜୟ ସୁନିଶ୍ଚିତ।

ସଚିବଙ୍କ ସଭାକୁ ଯେଉଁ ଲୋକମାନଙ୍କୁ ବସ ଯୋଗେ ଅଣା ଯାଉଛି, ସେମାନଙ୍କ ମଧ୍ୟରେ ଅଧିକାଂଶ ମିଶନ ଶକ୍ତି ମାଧ୍ୟମରେ ସଂଗଠିତ ମହିଳା ଗୋଷ୍ଠୀର ହିତାଧିକାରୀ। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯେଉଁ ଅଧ୍ୟାପକ ଓ ଅଧ୍ୟକ୍ଷମାନଙ୍କୁ ଆମେ ସ୍ୱାଧୀନଚେତା, ବିବେକ ରକ୍ଷକ ଭାବୁ, ସେମାନଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବୁହାହୋଇ ସଭାକୁ ଆସୁଛନ୍ତି। ପାଠପଢ଼ା ବନ୍ଦ ହେଉଛି। ସହଜେ ତ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବାରୁ ପାଠପଢ଼ା ହୋଇପାରୁନି; ତାହା ଉପରେ ପାଞ୍ଚ ମିନିଟର ପ୍ରେରଣାଦାୟୀ ବଙ୍କା-ଅଶୁଦ୍ଧ ଓଡ଼ିଆ ଭାଷଣ ଶୁଣିବା ପାଇଁ କ୍ଲାସରେ ପାଠପଢ଼ା ଠପ! ସମ୍ଭାବ୍ୟ ଆଗୁଆ ନିର୍ବାଚନ ସୂଚନା ଥିବାରୁ ଅଗଷ୍ଟ ମାସରେ କଲେଜ ପଢ଼ୁଥିବା ନୂଆ ଭୋଟରଙ୍କ ଉପସ୍ଥିତିକୁ ଏତେ ଗୁରୁତ୍ୱ ଦିଆଯିବାକଥାକୁ କ'ଣ କୁହାଯିବ? ରାଜନୈତିକ ନା ପ୍ରଶାସନିକ? ମିଶନ ଶକ୍ତି ଯେତେବେଳେ ମହିଳାଙ୍କୁ ସଶକ୍ତ କରି ଚାଲିଛି ଓ ସେମାନଙ୍କ ଅସୁବିଧା ଗୁଡ଼ିକୁ ନିରନ୍ତର ଭାବେ ଦୂର କରାଚାଲିଛି, ସେତେବେଳେ ମହିଳା ଗୋଷ୍ଠୀର ସଦସ୍ୟାଙ୍କୁ ସଭାକୁ ଆସି କି ଅଭିଯୋଗ ଦେବାକୁ ପଡୁଛି? ବିଲେଇ ଆଖିବୁଜି ଦୁଧ ପିଇଲା ଭଳି କଥା ଇଏ। କାର୍ଯ୍ୟପାଳିକାର ଖୋଳ ଭିତରେ ସରକାରଙ୍କ ଦଳୀୟ କାର୍ଯ୍ୟକ୍ରମ ଜଳଜଳ ଦିଶୁଛି। ସରକାର ଚଳାଉଥିବା ରାଜନୈତିକ ପ୍ରଭୁମାନଙ୍କ 'ପ୍ରଶାସନିକ ନୀତି ଓ ଆଦେଶ'କୁ ନା 'ରାଜନୈତିକ ଇଚ୍ଛା'କୁ କାର୍ଯ୍ୟପାଳିକା କାର୍ଯ୍ୟକାରୀ କରିବ, ତାହା ଅମୃତକାଳ ଖଣ୍ଡ ମଧ୍ୟରେ ଆଗକୁ ବଢୁଥିବା ଭାରତର ଇସ୍ପାତ ଛାଞ୍ଚ କୁହାଯାଉଥିବା ସର୍ବଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ କିଏ ଅବା ବୁଝାଇବ? କାର୍ଯ୍ୟପାଳିକା କେବଳ ନିଷ୍ପକ୍ଷ ରହିବା ଯଥେଷ୍ଟ ନୁହେଁ, ତାହାସହ ସେଭଳି ଦେଖାଯିବା ମଧ୍ୟ ଆବଶ୍ୟକ।

ପ୍ରଶାସନିକ କାର୍ଯ୍ୟ ଏକ ଦଳଗତ ବା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ସମ୍ପନ୍ନ ହେଉଥିବା କାର୍ଯ୍ୟ। ତଥାପି, କେବଳ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲିକ୍ୟାପ୍ଟରରେ ଉଡ଼ି ମଞ୍ଚକୁ ଆସି ସ୍ୱଳ୍ପ-ଦର୍ଶନ ଦେବା, ବିଜୁ ଜନତା ଦଳର ନେତାଙ୍କ ନାରାବାଜୀ, ମହିଳା ଓ ଛାତ୍ରଛାତ୍ରୀଙ୍କ ପୁଷ୍ପବୃଷ୍ଟି ଓ ନୃତ୍ୟଗୀତ ମଧ୍ୟରେ ଅଭିଯୋଗପତ୍ର ଗ୍ରହଣ କରିବା ବିଗତ ୭୬ ବର୍ଷ ଭିତରେ ଭାରତର କୌଣସି ରାଜ୍ୟରେ ଘଟି ନଥିଲା, ଯାହା ଓଡ଼ିଶାରେ ଦେଖିବାକୁ ମିଳୁଛି। ହୁକୁମ ଔଷଧ ପାଇବାକୁ ଯେଭଳି ଗହଳି ହେଉଥିଲା, ସେଭଳି ଗହଳି ହେଉଛି। ସର୍ବସମାସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖକୁ ଆସିଥିବାରୁ ଲୋକମାନେ ନିଜର ଅସୁବିଧା ଜଣାଉଛନ୍ତି। ଲାଜ ଲାଗିବା କଥା ଯେ, ୨୩ ବର୍ଷ ଧରି ଯେଉଁ ମୁଖ୍ୟମନ୍ତ୍ରୀ ଜଣକ ସ୍ଥିର, ସୁଶାସନ ଦେବା କଥା କହି ଆସୁଛନ୍ତି, ତାଙ୍କରି ରାଜ୍ୟରେ ଏତେ ସମସ୍ୟା ଅସମାହିତ ହୋଇ ରହିଛି ଯେ ତାଙ୍କୁ ଲୋକ ପଠାଇ ଅଭିଯୋଗ ପତ୍ର ସଂଗ୍ରହ କରିବାକୁ ପଡୁଛି! ଯେଉଁ ମୁଖ୍ୟମନ୍ତ୍ରୀ ଦିନେ ବି ନିଜର ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅସୁବିଧା ଶୁଣି ନାହାନ୍ତି, ତାଙ୍କୁ ଏବେ କିପରି ଲୋକଙ୍କ ଦୁର୍ଦ୍ଦଶା ମନେ ପଡ଼ିଗଲା? ଏପରି ନୂତନ ବ୍ୟୟସାପେକ୍ଷ ବ୍ୟବସ୍ଥାକୁ ବିଭାଗୀୟ ମନ୍ତ୍ରୀମାନେ ଆପଣାଇବା ପାଇଁ କିଏ ବାଧକ? ଯଦି ବାସ୍ତବରେ ଶାସନକୁ ଲୋକାଭିମୁଖୀ କରିବାର ଉଦ୍ଦେଶ୍ୟ ଥାଆନ୍ତା ତେବେ ହୁଏତ ବିଭିନ୍ନ ବିଭାଗୀୟ ସଚିବ ଜିଲ୍ଲା ଗସ୍ତ କରିଥାଆନ୍ତେ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତାହାର ସମୀକ୍ଷା କରିଥାଆନ୍ତେ। ନୂଆ ଓଡ଼ିଶା, ନବୀନ ଓଡ଼ିଶାର ରୂପରେଖ ଏବେ ସ୍ପଷ୍ଟ - ବ୍ୟକ୍ତିଗତ ଭାବମୂର୍ତ୍ତୀକୁ 'ଷ୍ଟାଚ୍ୟୁ ଅଫ ପ୍ରାଇଡ' ଠାରୁ ଅଧିକ ମହନୀୟ କରିବା ଓ ସରକାରୀ ଧନରେ ଦଳୀୟ ପ୍ରଚାର କରି ଆଗାମୀ ନିର୍ବାଚନରେ ସଫଳତା ଗୋଟାଇବାକୁ ସରକାରୀ କାଳର ସୁସଂଗଠିତ ପ୍ରତାରଣା।

ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଲୋକଙ୍କୁ ଭେଟୁଥିବା ବ୍ୟକ୍ତିଗତ ସଚିବ ତାଙ୍କର ପାଞ୍ଚ ମିନିଟ ବାର୍ତ୍ତାରେ କହୁକହୁ କହିଦେଲେ ଯେ, ‘ଆସନ୍ତୁ, ଆମେ ନବୀନ ବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା।‘ ଅଳ୍ପଦିନ ତଳେ କହିଲେ ଯେ, ଗୋପାଳପୁର ବିଧାୟକ କୋଭିଡ କାଳରେ ମୁଖ୍ୟମନ୍ତ୍ରୀଙ୍କୁ କିଛି ଜନ ବିରୋଧୀ ପ୍ରସ୍ତାବ ଦେଇଥିଲେ ଯାହାକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ ଓ ପ୍ରତ୍ୟାଖ୍ୟାନ କରି ସୁରତରୁ ଓଡ଼ିଆଙ୍କୁ ଗଞ୍ଜାମ ଆଣିଥିଲେ। ଉପରୋକ୍ତ ଦୁଇଟି ଉଦାହରଣରୁ ସଚିବ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଔଚିତ୍ୟବୋଧ ଓ ଲକ୍ଷ୍ମଣରେଖା ଅତିକ୍ରମଣ ସ୍ପଷ୍ଟ। ୨୦୦୦ ମସିହାଠାରୁ କେହି ବି ଜଣେ ବ୍ୟକ୍ତିଗତ ସଚିବ ଏଭଳି ଆଚରଣ ଓ ଉଚ୍ଚାରଣ କରିଥିବାର ନଜିର ନାହିଁ। ଏଭଳି ଉଚ୍ଚାରଣ କରି, ସେ ବିଜେଡିର ସାଂସଦ ଓ ବିଧାୟକ ତଥା ମନ୍ତ୍ରୀଙ୍କର ମୁଣ୍ଡ ତଳକୁ କରିଦେଲେ। ମୁଖ୍ୟମନ୍ତ୍ରୀ ଓ ଅନ୍ୟଜଣେ ନେତାଙ୍କ ମଧ୍ୟରେ ଗୋପନୀୟ ଆଲୋଚନାକୁ ସାର୍ବଜନୀନ କରିବା ଜଣେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ପାଇଁ କଳଙ୍କର ଟିକା; ଏହା ସେ ବୁଝି ନପାରିବା ଅନ୍ୟତମ ବିଲକ୍ଷଣ।

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ନିଷ୍ଠାପର ଗାଣତାନ୍ତ୍ରିକ ମୂଲ୍ୟବୋଧ ଛାତ୍ରଛାତ୍ରୀଙ୍କ ପାଇଁ ଆଲୋକ ବର୍ତ୍ତିକା। କିନ୍ତୁ ଓଡ଼ିଶାରେ ଏକ ବିଚିତ୍ର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅଧ୍ୟକ୍ଷମାନେ ଅଧ୍ୟାପକମାନଙ୍କ ହେପାଜତରେ ଛାତ୍ରଛାତ୍ରୀଙ୍କୁ ବସରେ କଲେଜରୁ ସଭାସ୍ଥଳକୁ ଆଣି ଆସୁଛନ୍ତି! ପିଲାଏ ଛାତ୍ରସଂସଦ ନିର୍ବାଚନ ହେଉନଥିବାରୁ ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ସଚିବଙ୍କ ସହ ସେଲ୍ଫି ଉଠାଉଛନ୍ତି। ଯୁବସୁଲଭ ଉଦ୍ଦାମତା, ନୂତନ ସୃଷ୍ଟି ସମ୍ଭାବନା ଏକ ବୌଦ୍ଧିକ ଶୁନ୍ୟତା ଆଡ଼କୁ ଉଲ୍କା ଭଳି ମାଡ଼ିଚାଲିଛି।

ସଚିବଙ୍କ ସଭାସ୍ଥଳକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ଯେ ୧୪୭ଟି ବିଧାନସଭା କ୍ଷେତ୍ରକୁ ସଚିବ ଯାଉଛନ୍ତି। ସେ ହୁଏତ ୩୦ଟି ଜିଲ୍ଲାର ୫୮ଟି ସବଡିଭିଜନ କିମ୍ବା ୩୧୭ଟି ତହସିଲ କିମ୍ବା ୩୧୪ଟି ଯାକ ବ୍ଲକ ଯାଇ ପାରିଥାନ୍ତେ; କିନ୍ତୁ ସେ ଗଣିଗଣି ପ୍ରତ୍ୟେକ ବିଧାନସଭା କ୍ଷେତ୍ରକୁ ଯାଇ ସଭା କରିବା ରାଜନୈତିକ ନୁହେଁ ତ କ'ଣ ପ୍ରଶାସନିକ ଆବଶ୍ୟକତା କୁହାଯିବ?

ସଚିବଙ୍କ ସଭା ପାଇଁ ପାନୀୟ ଜଳ, ଭୋଜନ, ପରିବହନ ଓ ପୋଲିସ ବନ୍ଦୋବସ୍ତର ଅଭାବ ନଥିଲାବେଳେ, ବିରୋଧି ଦଳର ନିର୍ବାଚିତ ସଦସ୍ୟ ଏପରିକି ମହିଳା ପ୍ରତିନିଧିଙ୍କୁ ନିରାପତ୍ତା ଦିଆଯାଉନାହିଁ। ଗୋପାଳପୁର ବିଧାୟକଙ୍କ ପଥରୋଧ, ଅଣ୍ଡାମାଡ଼ ହେଉଛି, ଭୁବନେଶ୍ୱର ସାଂସଦ ସଭା କରିବାକୁ ଗଲାବେଳେ ପ୍ରାୟୋଜିତ ବିକ୍ଷୋଭ କରାଯାଉଛି; ଅଥଚ ପୋଲିସ ନିରବ। ପୋଲିସ ସମ୍ମୁଖରେ ଗୁଣ୍ଡାମାନେ ଠେଙ୍ଗା ବାଡ଼ି ଧରି ବିରୋଧୀଙ୍କୁ ଆକ୍ରମଣ କରିବାକୁ ଆସିଲେ ବି ପୋଲିସ ସେମାନଙ୍କୁ ଗିରଫ କରୁନି।

ପରିଣାମରେ ହେଉଛି କ'ଣ? ମୁଖ୍ୟମନ୍ତ୍ରୀ ଓ ତାଙ୍କର ବ୍ୟକ୍ତିଗତ ସଚିବଙ୍କ ଭାବମୂର୍ତ୍ତୀ ସରକାରୀ ଖର୍ଚ୍ଚରେ ଉଜ୍ଜ୍ୱଳ କରା ଯାଉଛି। କାର୍ଯ୍ୟପାଳିକାକୁ ବିଧାନପାଳିକା ଠାରୁ ବଡ଼ ବୋଲି ପ୍ରତିପାଦିତ କରା ଚାଲିଛି। ବହୁଦିନ ତଳୁ ଆରମ୍ଭ କରାଯାଇଥିବା ଜନପ୍ରତିନିଧିଙ୍କ ସମ୍ମାନ ଖର୍ବ କରିବାର ଏକ ନିନ୍ଦନୀୟ ପ୍ରକ୍ରିୟା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ସରକାର ଓ ସରକାରୀ କଳ ମିଥ୍ୟାର ଆଶ୍ରୟ ନେଇ ନିଜକୁ ମହିମାନ୍ୱିତ କଲାବେଳେ ରାଜ୍ୟବାସୀଙ୍କୁ ମୂକ କରିଦିଆ ଯାଇଛି। ଆର୍ଥିକ ସମ୍ବଳକୁ ପ୍ରଗତି ଓ ବିକାଶମୂଳକ ଭିତ୍ତିଭୂମୀ ନିର୍ମାଣରେ ବିନିଯୋଗ ନକରି କେଉଁ ଯୋଜନା ଆଣିଲେ, ନିର୍ଦ୍ଦିଷ୍ଟ ବର୍ଗର ଭୋଟ ହାତେଇ ହେବ, ତାହା ହିଁ କରାଯାଉଛି। ଓଡ଼ିଶାରେ ସୂଚନା ଅଧିକାର ଆଇନ ୨୦୦୫ ଠାରୁ କାର୍ଯ୍ୟକାରୀ ହୋଇଥିଲେ ବି ସୂଚନା ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଛି। ପଞ୍ଚାୟତମାନଙ୍କୁ ଶକ୍ତିହୀନ କରି ରଖା ଯାଉଛି।

ଜଣକର ସଫଳତା ଅନ୍ୟକୁ ଈର୍ଷାଳୁ କରେ। ଦୀର୍ଘ ୨୩ ବର୍ଷର ନିରଙ୍କୁଶ ଶାସନ କ୍ଷମତା ଭୋଗକରି ଶହଶହ ମାଗଣା ଯୋଜନା ପ୍ରଣୟନ କରି ଲୋକଙ୍କଠାରୁ ଭୋଟ ପାଉଥିବା ସତ୍ୱେ ଓଡ଼ିଶାର ଜନମାନସରେ ସମ୍ମାନ ହରାଇ ଚାଲିଥିବାର ତଥ୍ୟ ବିଜୁ ଜନତା ଦଳକୁ ବିବ୍ରତ କରିଛି। କ୍ରମେ ସରକାରୀ ବିରୋଧୀ ଜନମତ ପ୍ରବଳ ହେଉଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ଦଳର ଲୋକପ୍ରିୟତା ଓଡ଼ିଶାରେ ବଢୁଛି। ବିରୋଧୀ ଦଳମାନଙ୍କର ସଫଳତାରେ ଇର୍ଷାନ୍ୱିତ ଏବେ ବିଜୁ ଜନତା ଦଳ। ଏହାର ମୁଖ୍ୟ ସମ୍ବଳ ଭଗ୍ନସ୍ୱାସ୍ଥ୍ୟ ନବୀନ ପଟ୍ଟନାୟକଙ୍କର ନିର୍ମଳ ଭାବମୂର୍ତ୍ତୀ; ଯାହାକୁ ଉଜ୍ଜ୍ୱଳ କରିବାର ଶେଷ ପ୍ରୟାସ ଚଳାଇଛି ଏହି ଆଞ୍ଚଳିକ ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏହି ପ୍ରୟାସ ରଥର ଏକମାତ୍ର ସାରଥୀ; ଠିକ ପଞ୍ଜାବୀ ଯୁବ ଟ୍ରକ ଚାଳକ ହରମିତ୍ ସିଂହ ଭଳି!

ଜାନକୀଶ ବଡ଼ପଣ୍ଡା

ଫୋ - ୯୪୩୮୨୯୯୦୩୭

Related story