. ଜାନକୀଶ ବଡ଼ପଣ୍ଡା
ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡିକର ସୀମା ପୁନଃନିର୍ଦ୍ଧାରଣ ପରେ ବିଧାୟକଙ୍କସଂଖ୍ୟା ୨୦୦କୁ ବଢିପାରେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେବା ସହିତ ୩୦୦ ବିଧାୟକ ବସିପାରିବା ଭଳି ନୂଆ ବିଧାନସଭା ସୌଧ ନିର୍ମାଣ କରିବାକୁ କହିଛନ୍ତି I ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଏବଂ ବିଧାନସଭା ସୌଧ ନିର୍ମାଣ କରାଯିବା ଉଦ୍ଦେଶ୍ୟରେ ୩ ହଜାର ୬୨୩ କୋଟି ଟଙ୍କା ଖର୍ଚ୍ଚ ଅଟକଳ ସହିତ ଗତ ଜାନୁଆରୀ ମାସ ୧୨ ତାରିଖରେ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I ୭୧.୧୩ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ମାଷ୍ଟରପ୍ଲାନ ଏହାପୂର୍ବରୁ ଅନୁମୋଦନ ପାଇସାରିଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂରିବା ପୂର୍ବରୁ ଓଡ଼ିଶା ବିଧାନସଭା ତାହାର ଚତୁର୍ଥ ସୌଧ ଦେଖିବାକୁ ଯାଉଛି। ଏଭଳି ଏକ ଅଲୋଡା ରେକର୍ଡ ସହିତ ୨୦୩୬ ମସିହାରେ ସମୃଦ୍ଧ ଓଡିଶାର ସ୍ୱପ୍ନ ସାକାର କରିବାକୁ ସରକାର ଆଗେଇ ଚାଲିଛନ୍ତି ।
ପାଠକଙ୍କ ଅବଗତି ପାଇଁ ଲେଖିବା ଉଚିତ ହେବ ଯେ, ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାପରେ ୧୯୩୭ରେ ପ୍ରୋଭିନ୍ସିଆଲ୍ ବିଧାନସଭା ପାଇଁ ପ୍ରଥମ ନିର୍ବାଚନ ହୋଇଥିଲା I ତାହାର ସଦସ୍ୟ ସଂଖ୍ୟା ଥିଲା ୬୦ I ୧୯୪୬ରେ ଗଠିତ ହୋଇଥିଲା ଦ୍ୱିତୀୟ ବିଧାନସଭା I ରେଭେନ୍ସା କଲେଜରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେଉଥିଲା । ଭୁବନେଶ୍ୱରରେ ନୂଆ ରାଜଧାନୀ ନିର୍ମାଣ କରାଯିବାକୁ ଶିଳାନ୍ୟାସ କରାଯାଇଥିଲା ୧୯୪୮ ମସିହା ଅପ୍ରେଲ୍ ୧୩ ତାରିଖରେ I ସଦ୍ୟ ନିର୍ମିତ ସର୍ଦ୍ଦାର ପଟେଲ ହଲରେ ଅକ୍ଟୋବର ୧୦ ତାରିଖରୁ ତିନି ଦିନ ପାଇଁ ବିଧାନସଭା ବସିଥିଲା ଓ ତାହାପରେ ପୂର୍ବପରି କଟକରେ ୨୦.୨. ୧୯୫୨ ଯାଏଁ ଚାଲିଥିଲା I ୧୯୫୨ ମାର୍ଚ୍ଚ ୪ ତାରିଖରେ ଭୁବନେଶ୍ୱରକୁ ବିଧାନସଭା ସ୍ଥାନାନ୍ତରିତ ହେବାବେଳେ ସର୍ଦ୍ଦାର ପଟେଲ ହଲରେ ଅଧିବେଶନ ହେଉଥିଲା। ୧୯୪୮ରେ ଗଡଜାତ ମିଶ୍ରଣ ପରେ ବିଧାୟକଙ୍କ ସଂଖ୍ୟା ୯୧କୁ ଏବଂ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୧୯୫୨ ନିର୍ବାଚନ ବେଳେ ୧୪୦କୁ ବୃଦ୍ଧି ପାଇଲା । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୭୪ ନିର୍ବାଚନ ବେଳେ ଏହା ୧୪୭ରେ ପହଞ୍ଚିଲା । ମାତ୍ର ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୪୭ ହଜାର ବର୍ଗଫୁଟ ବିଶିଷ୍ଟ ବିଧାନସଭାର ନୂତନ ସୌଧ ନିର୍ମିତ ହେବାପରେ, ଦେଶର ଉପରାଷ୍ଟ୍ରପତି ଡଃ ସର୍ବାପଲ୍ଲୀ ରାଧାକୃଷ୍ଣନ୍ ୧୯୬୧ ଫେବୃୟାରୀ ୧୨ ତାରିଖରେ ତାହା ଉଦ୍ଘାଟନ କରିଥିଲେ I ଦେଖିବାକୁ ଗଲେ, ଏହି ବିଧାନ ମନ୍ଦିରର ବୟସ ମାତ୍ର ୬୪ ବର୍ଷ, ଯାହା ମଧ୍ୟ ସୁରକ୍ଷିତ ରହିଛି I ପ୍ରଥମେ ଲୋକସେବା ଭବନର ନାଲିକୋଠାରେ ରାଜ୍ୟ ସଚିବାଳୟ କାମ କରୁଥିଲା । ପରବର୍ତ୍ତୀ ସମୟରେ ଲୋକସେବା ଭବନ ସୌଧ ନିର୍ମିତ ହୋଇଥିଲା । ତାହାପରେ ବିଭିନ୍ନ କାରଣ ଦର୍ଶାଯାଇ ରାଜୀବ ଭବନ, କୃଷି ଭବନ, ମିଶନ୍ ଶକ୍ତି ଭବନ ଓ ଖାରବେଳ ଭବନ ନିର୍ମାଣ କରାଗଲା I ସେଠାକୁ ଅନେକ ବିଭାଗ ସ୍ଥାନାନ୍ତରିତ ହୋଇ ସାରିଛି।
କୋଠା ଅସୁରକ୍ଷିତ ହୋଇଗଲା କାହିଁକି ?
ନଅ ମହଲା କୋଠା ଭାବେ ପରିଚିତ ବିଭାଗୀୟ ମୁଖ୍ୟ ଦପ୍ତର, ସେଚ ସଦନ ଓ ରାଜୀବ ଭବନ ସମେତ କିଛି ସରକାରୀ କୋଠାବାଡି ବହୁପରେ ନିର୍ମାଣ କରାଯାଇଥିଲେ ବି, ସେଗୁଡିକୁ ଅସୁରକ୍ଷିତ ଘୋଷଣା କରାଯାଇଛି I ସେଗୁଡିକୁ ଭାଙ୍ଗି ସେହି ସ୍ଥାନରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ଆଧାରରେ ନୂଆ ଲୋକସେବା ସୌଧ ନିର୍ମାଣ କରାଯାଇ ସେହି ପରିସରରେ ନୂତନ ବିଧାନସଭା ସୌଧ ନିର୍ମାଣ କରିବାକୁ ଯୋଜନା କରାଯାଉଛି I ଅଥଚ, ଏତେଶୀଘ୍ର କୋଠା ଗୁଡିକ ଅସୁରକ୍ଷିତ ହେବାପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଇ ନୂତନ କୋଠା ନିର୍ମାଣ ଯୋଜନା କରିବା, ଲୋକସ୍ୱାର୍ଥ ବିରୋଧୀ ନୁହେଁ କି?
ଅନ୍ୟାନ୍ୟ ରାଜ୍ୟରେ ଥିବା ଐତିହ୍ୟ ବିଧାନସଭା
ପ୍ରାକ ସ୍ୱାଧୀନତା କାଳରୁ ଅର୍ଥାତ୍ ୧୯୨୦ ଠାରୁ ୧୯୩୦ ମସିହା ମଧ୍ୟରେ ନିର୍ମିତ ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶରେ ନିର୍ମିତ ବିଧାନ ସୌଧର ବୟସ ଇତି ମଧ୍ୟରେ ଶହେ ବର୍ଷ ପୂରଣ ହୋଇ ସାରିଛି I ଏଗୁଡିକୁ ଐତିହ୍ୟ ସୌଧ କୁହାଯାଉଛି I ବିହାରର ପାଟଣା ସହରରେ ଥିବା ବିଧାନସଭା ଗୃହର ଆୟତନ ୬୦ ଫୁଟ ଲମ୍ବା, ୫୦ ଫୁଟ ଓସାର I ସେହି ଗୃହରେ ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷାପାଇଁ ଲଢାଇ କରୁଥିଲେ I ଏହି ପୁରାତନ ଗୃହକୁ ହଟାଇ କେହି ବି ନୂଆ ସୌଧ ନିର୍ମାଣ ପରିକଳ୍ପନା କରିନାହାନ୍ତିI ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହରରେ ୧୯୨୮ ମସିହାରେ ନିର୍ମିତ ବିଧାନସଭା ଗୃହ ଆଜି ବି କାର୍ଯ୍ୟକ୍ଷମ ରହିଛି I ଭୁବନେଶ୍ୱରଠାରୁ ପୁରୁଣା ୧୯୫୦ରେ ନିର୍ମିତ କର୍ଣ୍ଣାଟକ ବିଧାନସୌଧର ନିର୍ମାଣ ଶୈଳୀ ଏତେ ଗରିମାମୟ ଯେ, ଆଜି ବି ଏହାକୁ ଏକ ଗୌରବ ବିଜଡ଼ିତ ସୌଧ ଭାବେ ବିବେଚନା କରାଯାଏ I ଏହାକୁ ଦେଖିଲେ, ଭାରତୀୟ ଗଣତନ୍ତ୍ର ପ୍ରତି ସମ୍ମାନ କରିବାକୁ ଇଚ୍ଛା ବଳିବ I ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଥିବା ଭବ୍ୟ ବିଧାନସଭା ଗୃହକୁ ୧୯୦୫ ମସିହାରେ ନିର୍ମାଣ କରିଥିଲେ ହାଇଦ୍ରାବାଦର ନିଜାମ୍ I ୧୨୦ ବର୍ଷରୁ ଅଧିକ ବୟସର ଏହି ସୌଧ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ବିଧାନସଭା ଥିଲା ଏବଂ ଏବେ ବିଭାଜନ ପରେ ତେଲେଙ୍ଗାନାର ବିଧାନସଭା ଭାବେ କାମ କରୁଛି I କୋଲକାତାରେ ଥିବା ପଶ୍ଚିମବଙ୍ଗ ବିଧାନସଭା ସୌଧ ପ୍ରାୟ ୯୦ ବର୍ଷର ପୁରୁଣା I ପଶ୍ଚିମବଙ୍ଗବାସୀ ଏହାକୁ ଐତିହାସିକ ସ୍ମାରକୀ ଭାବେ ଗ୍ରହଣ କରି ଗର୍ବ ଅନୁଭବ କରୁଥିଲା ବେଳେ, ଆମେ ଓଡିଶାରେ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡିକର ସୀମା ପୁନଃନିର୍ଦ୍ଧାରଣ ହେଲେ, ସ୍ଥାନାଭାବ ହେବାର କାରଣ ଦର୍ଶାଇ ନୂଆ ବିଧାନସଭା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିସାରିଲେଣି !
ଅନାବଶ୍ୟକ ଖର୍ଚ୍ଚ
ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବାକୁ ନବୀନ ସରକାର ପ୍ରୟାସ କରିଥିଲେ; ଯାହାକୁ ଓଡିଶାବାସୀ ବିରୋଧ କରିବା ଫଳରେ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା I ରାଜ୍ୟ ବିଧାନସଭା ବର୍ଷକୁ ଅନ୍ତତଃ ୬୦ ଦିନ କାର୍ଯ୍ୟ କରିବାପାଇଁ ନିର୍ଦ୍ଦିଷ୍ଟ ହୋଇ ଥିଲେହେଁ, ବାସ୍ତବରେ ଏହା ହାରାହାରି ୩୦ ଦିନ କାର୍ଯ୍ୟ କରିଥିବାର ନିନ୍ଦନୀୟ ଉଦାହରଣ ସୃଷ୍ଟି କରିଛି I ବର୍ଷକୁ ଅନ୍ତତଃ ତିନୋଟି – ବଜେଟ, ମୌସୁମୀ ଏବଂ ଶୀତ – ଅଧିବେଶନରେ ୩୦ ଦିନ ବୈଠକ ହେଉଥିବା, ଅନେକ ଦିନ କକ୍ଷତ୍ୟାଗ ଓ ପ୍ରତିବାଦ କାରଣରୁ ବିଧାୟକମାନେ ଅନୁପସ୍ଥିତ ରହୁଥିବାରୁ ଅଧିବେଶନ କାଳରେ ଗୃହର କିଛି ଆସନ ଶୂନ୍ୟ ରହିଥାଏ I ଉଭୟ ସରକାରୀ ଓ ବିରୋଧୀ ଦଳର ନେତା ମଧ୍ୟ ଅନୁପସ୍ଥିତ ରହୁଥିବାର ଦେଖାଯାଉଛି I ଏଭଳି ସମୟରେ ନୂତନ ବିଧାନସଭା ନିର୍ମାଣ ପ୍ରସ୍ତାବ ଅବାନ୍ତର ମନେହୁଏ I ବରଂ ଏହି ସ୍ବଳ୍ପ ଅବଧି ପାଇଁ ଭଡାରେ କୌଣସି ତାରକା ହୋଟେଲର ବୈଠକ ଗୃହ ନିଆଗଲେ, ଭଲ ହୁଅନ୍ତା ବୋଲି, ବୁଦ୍ଧିଜୀବୀ କହୁଛନ୍ତି I
ଲୋକସଂଖ୍ୟା ଓ ଆସନ ସଂଖ୍ୟା ବଢିବ ?
ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ଜନଗଣନା ତଥ୍ୟ ଆଧାରରେ ରାଜ୍ୟର ଜନସଂଖ୍ୟା ବଢିବ ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡିକର ସୀମା ପୁନଃନିର୍ଦ୍ଧାରଣ ହେଲେ ବିଧାୟକଙ୍କ ସଂଖ୍ୟା ୨୦୦କୁ ବଢିପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ଏହା କିନ୍ତୁ ତଥ୍ୟ ଆଧାରିତ ନୁହେଁ I ଓଡ଼ିଶାର ୧୦ ଜଣ ମହିଳା ଏବେ ନିଜର ଜୀବନକାଳ ମଧ୍ୟରେ ୧୮ଟି ସନ୍ତାନ ଜନ୍ମ ଦେଉଥିବାରୁ,ଜନଗଣନା ଫଳାଫଳ ଆସିଲା ବେଳକୁ ଓଡିଶାର ଜନସଂଖ୍ୟା ସର୍ବାଧିକ ୪ କୋଟି ୭୦ ଲକ୍ଷ ହୋଇଥିବା ସମ୍ଭବ I ଫଳରେ ଆସନ ସଂଖ୍ୟା ୧୪୭ ରୁ ବଢି ୧୫୦ ଏବଂ ୨୦୫୦ ମସିହାରେ ଜନସଂଖ୍ୟା ୪ କୋଟି ୯୦ ଲକ୍ଷ ହେଲେ, ୧୫୦ ରୁ ବଢି ୧୬୦ ଛୁଇଁ ପାରେ ବୋଲି ଆକଳନ କରାଯାଉଛି I ବର୍ତ୍ତମାନ ବିଧାନସଭା ଗୃହରେ ଉପଲବ୍ଧ ସ୍ଥାନରେ, ସାମାନ୍ୟ ପ୍ରସାଧାନିକ ଅଦଳ ବଦଳ କରି ଅଧିକ ଆସନ ବ୍ୟବସ୍ଥା କରାଯାଇ ପାରିବ I ଏଣୁ, ନୂତନ ବିଧାନସଭା ସୌଧ ନିର୍ମାଣ ଅନାବଶ୍ୟକ ମନେହୁଏ I ଓଡିଶାର ଜନସଂଖ୍ୟା କେବେହେଁ ୫ କୋଟିରୁ ଅଧିକ ହେବ ନାହିଁ; ବରଂ ୨୧୦୦ ମସିହା ପରେ ଏହା କମିବାକୁ ଲାଗିବ I ସମ୍ଭବତଃ ବିଧାନସଭା ଆସନ ସଂଖ୍ୟା ୧୪୫ମଧ୍ୟରେ ସୀମିତ ରହିଯିବ I
ଲୋକସେବା ଭବନ: ଲେସ୍ ଗଭର୍ଣ୍ଣମେଣ୍ଟ, ମୋର୍ ଗଭର୍ଣ୍ଣାନ୍ସ
ଆମେ ଆଗାମୀ ଦଶ ବର୍ଷରେ ସମୃଦ୍ଧ ଓଡିଶା ଗଠନ କରିବାର ଦୁର୍ବାର ପଣ କରିଛେ I ଏବେ ଦେଶରେ ଚାଲିଛି ଅମୃତକାଳ; ଯେପରି ୨୦୪୭ ମସିହାରେ ‘ବିକଶିତ ଭାରତ’ ସାକାର ହୋଇଥିବI ସେଥିପାଇଁ ପ୍ରଧାନମନ୍ତ୍ରୀ କହୁଛନ୍ତି ଲେସ୍ ଗଭର୍ଣ୍ଣମେଣ୍ଟ, ମୋର୍ ଗଭର୍ଣ୍ଣାନ୍ସ ; ଅର୍ଥାତ୍ ସରକାରୀ ଖଳାରେ ‘ବେଙ୍ଗଳା’ କମ୍ ପଡିବ, ଅଥଚ ସବୁତକ ଧାନ ଆଦାୟ ହୋଇଯିବ I ଏହାକୁ ସମ୍ଭବ କରିବା ପାଇଁ ଅଛି ‘ଡିଜିଟାଲ୍ ଇଣ୍ଡିଆ’, ବିନା କାଗଜରେ ନଥି ପ୍ରସ୍ତୁତି, ସଂରକ୍ଷଣ ଏବଂ ଇ-ପାଠାଗାର I ସୁପର୍ କମ୍ପ୍ୟୁଟର, କୃର୍ତ୍ତିମ ବୁଦ୍ଧିମତା, ବେଗଗାମୀ ଇଣ୍ଟର୍ନେଟ, ଡାଟା ସେଣ୍ଟର ଭଳି ଅନେକ ସାଧନ I ଅଳ୍ପଲୋକ ବହୁତ କାମ କରିପାରୁଛନ୍ତି I ସଚିବାଳୟରେ ଆଉ ଫାଇଲ-ଭର୍ତ୍ତି ଆଲମାରୀ ଦେଖିବାକୁ ମିଳିବନି I ସଚିବ ଚାହିଁଲେ, ନିଜର କମ୍ପ୍ୟୁଟର୍ ଖୋଲି, ମୌଖିକ ଆଦେଶ ଦେଇ ପାରିବେ, ଯାହା କଥିତ ଶବ୍ଦକୁ ଅକ୍ଷରରେ ଲିପିବଦ୍ଧ କରିଦେଇ ପାରିବ I ତହିଁରେ ପୁଣି ଲୋକଙ୍କ ସରକାର ଆଦେଶ କଲେଣି ଯେ, ସଚିବ ମାନେ ଜିଲ୍ଲା ଗସ୍ତରେଯାଇ ରାତ୍ରୀରହଣୀ କରିବେ I ଏହା ଯଦି କାର୍ଯ୍ୟକାରୀ ହୁଏ, ସଚିବାଳୟ ଉପରେ କାମର ଚାପ କିଛି ପରିମାଣରେ କମିବା ନିଶ୍ଚିତ I ଏବେ, ଆମର ସରକାର ବାହାଦୂର୍ ଭାବନ୍ତୁ ଯେ, ନୂତନ ସଚିବାଳୟ ବା ଲୋକସେବା ଭବନ ନିର୍ମାଣ ଏବଂ ତାହାର ନିକଟରେ ନୂତନ ବିଧାନସଭା ଭବନ ନିର୍ମାଣ କରାଯିବାର ନିଷ୍ପତ୍ତି କେତେଦୂର ଉଚିତ ହେବ ?
ଉପସଂହାର
ରାଜ୍ୟର ପ୍ରାଥମିକତା ହେଉଛି ଜଳସେଚନ, କୃଷିଶିଳ୍ପ ପ୍ରତିଷ୍ଠା, ପର୍ଯ୍ୟଟନ ବିକାଶ ପାଇଁ ସ୍ୱଚ୍ଛ ଶୌଚାଳୟ ଓ ରହଣୀ ସ୍ଥଳ ନିର୍ମାଣ, ବନ୍ଦ ପଡିଥିବା ଏମ୍ଏସ୍ଏମଇ ଗୁଡିକର ପୁନରୁତ୍ଥାନ ଓ ନୂତନ ପ୍ରତିଷ୍ଠା, ଖାଦ୍ୟଶସ୍ୟ ସଂରକ୍ଷଣ ଗୋଦାମ ନିର୍ମାଣ, ଶୀତଳ ଭଣ୍ଡାର ନିର୍ମାଣ ସହିତ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା, ରାଜ୍ୟର ଖଣିଜ ସମ୍ପଦରୁ ପ୍ରସ୍ତୁତ ଲୁହା, ଇସ୍ପାତ ଏବଂ ଆଲୁମିନିୟମ ଧାତୁ ବ୍ୟବହାର କରି ରାଜ୍ୟରେ ଆନୁସଙ୍ଗିକ ଶିଳ୍ପ ଯଥା ସାଇକେଲ୍, ମୋଟର୍ ଗାଡି, ବନ୍ଦେ ଭାରତ କୋଚ୍ ଭଳି ରେଲଡବା କାରଖାନା ନିର୍ମାଣ I ଯେଉଁସବୁ ସୌଧ ଅସୁରକ୍ଷିତ ବୋଲି ଘୋଷଣା ହୋଇ ସାରିଛି, ତାହା ପୁନଃ ନିର୍ମାଣ କରାଯାଇ, ସେଠାରେ ସମସ୍ତ ସରକାରୀ ନିର୍ଦ୍ଦେଶାଳୟ ଓ ବିଭାଗ ରଖାଯାଉ, ଯେପରି ଜଣେ ଗୋଟିଏ କୋଠାରେ ସମସ୍ତ ବିଭାଗୀୟ ସେବା ପାଇ ପାରିବେ ଏବଂ କୌଣସି ଗୋଟିଏ ବି ଭଡା ଘରେ ସରକାରୀ କାର୍ଯ୍ୟାଳୟ ରହିପାରିବନି I
ଆଗକୁ ବିଧାନସଭାରେ ବଜେଟ ପ୍ରସ୍ତାବ ଆସିବାକୁ ଯାଉଛି I ଏହାର ପ୍ରସ୍ତୁତିରେ ରାଜ୍ୟବାସୀ ମତ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତିI ଏହି ପ୍ରବନ୍ଧରେ ଆଲୋଚିତ ପ୍ରତ୍ୟେକ ବିଷୟ ଯଦି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ମନ୍ତ୍ରୀ, ପରାମର୍ଶଦାତା, ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିପାରିବ, ଆମ୍ଭେ କୃତାର୍ଥ ହେବୁ I ଯଦି, ଏସବୁକୁ ଦୃଷ୍ଟି ଆଢୁଆଳକୁ ଠେଲି ଦିଆଯାଏ, ସାମାଜିକ ଗଣମାଧ୍ୟମରେ ନୂଆ ସୌଧ ନିର୍ମାଣକୁ ‘ଟଙ୍କା ଖାଇବାର ରାଜପଥ’ ବୋଲି ଯେଉଁ ଅଭିଯୋଗ ଆସୁଛି, ତାହାକୁ ଅନେକେ ସତ୍ୟ ମନେ କରିବା ଅସମ୍ଭବ ନୁହେଁ I
୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/06/odisha-assembly-2026-02-06-15-05-04.jpg)