ଗତ ଜୁନ୍ ଦୁଇ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ବାହାନାଗାଠାରେ ଯେଉଁ ଭୟଙ୍କର ରେଳ ଦୁର୍ଘଟଣା ଘଟିଲା ତାହା ସାରା ଦେଶ ଏପରିକି ବିଶ୍ୱକୁ ବି ଏକଦମ୍ ସ୍ତବ୍ଧ କରି ଦେଇଛି। ଦେଶର ରେଳ ଦୁର୍ଘଟଣାର ଇତିହାସରେ ଏହାକୁ ଏକ ଅଭୂତପୂର୍ବ ଦୁର୍ଘଟଣା ବୋଲି କୁହାଯାଇପାରେ। ୧୯୮୧ରେ ଘଟିଥିବା ବିହାରର ବାଗମତି ନଦୀ ଉପରୁ ସମ୍ପୂର୍ଣ୍ଣ ରେଳଗାଡ଼ିଟି ଓଲଟି ପଡ଼ିବା ଫଳରେ ହୋଇଥିବା ଦୁର୍ଘଟଣାକୁ ଛାଡ଼ିଦେଲେ ଏହା ଉଭୟ କ୍ଷୟକ୍ଷତି ଓ ଭୟାବହତାକୁ ଦେଖିଲେ ସବୁଠାରୁ ବଡ଼ ଦୁର୍ଘଟଣା ପରି ମନେହେଉଛି। ଏକାଥରକେ ତିନୋଟି ରେଳଗାଡ଼ିର ପରସ୍ପରକୁ ଧକ୍କା ଫଳରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏଯାଏଁ ସରକାରୀ ଭାବେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ବେଳେ ଶହେ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ନଅ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାର ତୁରନ୍ତ ପରେ ପରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ସକ୍ରୀୟ ଅଂଶଗ୍ରହଣ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି।
ଦୁର୍ଘଟଣାର ତୁରନ୍ତ ପରେ ପରେ କେନ୍ଦ୍ର ରେଳମନ୍ତ୍ରୀ ଓ ତା ପରଦିନ ଖୋଦ୍ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତିକୁ ବୁଲି ଦେଖିବା ସହ ଆହତ ଯାତ୍ରୀମାନଙ୍କୁ ଦେଖି ଆଶ୍ୱାସନା ଓ ସମବେଦନା ଜଣାଇଛନ୍ତି। ରେଳବାଇ ପକ୍ଷରୁ ମୃତ ଯାତ୍ରୀଙ୍କ ପରିବାର ବର୍ଗ ଓ ଆହତ ଯାତ୍ରୀମାନଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଘଟଣାସ୍ଥଳକୁ ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ ଏହି ଘଟଣାର ପ୍ରକୃତ ଦୋଷୀକୁ କଠୋର ଦଣ୍ଡ ଦିଆଯିବ ବୋଲି ଦୃଢ଼ ଭାବେ ଘୋଷଣା ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ଘୋଷଣାର ଅର୍ଥ ହେଲା, ସରକାର ହୁଏତ ବିଭାଗୀୟ ତଦନ୍ତ କରାଇ ସେଦିନର ଦୁର୍ଘଟଣା ପାଇଁ ସିଧାସଳଖ ଭାବେ ଦାୟୀ ଜଣେ ଦୁଇ ଜଣ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ଅତିବେଶିରେ କିଛି ଜଣ ଉପରିସ୍ଥ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । କିନ୍ତୁ ଏଭଳି ଘଟଣା ପାଇଁ ଯେଉଁ ପରିସ୍ଥିତି ଦାୟୀ ଅଥବା ସରକାରଙ୍କ କେଉଁ ନୀତିର କୌଣସି ଭୂମିକା ରହିଛି ନା ନାହିଁ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟଟି ଏକଦମ୍ ନୀରବ ରହିଛି। ଯଦି ପ୍ରକୃତରେ ଏଭଳି ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣାର ନୀତିଗତ କାରଣ ସମ୍ପର୍କରେ ଜାଣିବାକୁ ସରକାର ସତରେ ଗମ୍ଭୀର ଥାଆନ୍ତେ, ତାହେଲେ ବାହାନାଗାର ରେଳ ଦୁର୍ଘଟଣାର ଏକ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥାନ୍ତେ। କିନ୍ତୁ ସରକାର ସେପରି ନକରି ବୋଧହୁଏ ଘଟଣାର ମୂଳ ପର୍ଯ୍ୟନ୍ତ ଯିବାକୁ ଅଥବା ଦୁର୍ଘଟଣାର ଏକ ସ୍ଥାୟୀ ସମାଧାନ ବାହାର କରିବାକୁ ଚାହୁଁନାହାନ୍ତି।
ଯଦିଓ ବାହାନାଗାର ଦୁର୍ଘଟଣାଟି ତା’ର ଭୟବହତା ଦୃଷ୍ଟିରୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି, କିନ୍ତୁ ଏହା ଚଳିତ ବର୍ଷର ପ୍ରଥମ କିମ୍ବା ଶେଷ ରେଳ ଦୁର୍ଘଟଣା ନୁହେଁ। ବିଭିନ୍ନ ଜାତୀୟ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ଏଭଳି ଛୋଟ ବଡ଼ ରେଳ ଦୁର୍ଘଟଣା କେବଳ ଅବ୍ୟାହତ ରହିନି ବରଂ ଲଗାତାର ବଢ଼ିବାରେ ଲାଗିଛି। ଛୋଟ ଛୋଟ ଦୁର୍ଘଟଣା, ରେଳଗାଡ଼ି ଲାଇନଚ୍ୟୁତ ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ କେବଳ ବାହାନାଗା ପରି ବଡ଼ ବଡ଼ ଦୁର୍ଘଟଣା ହେଲେ ହିଁ ତାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି। ଶୁକ୍ରବାରର ରେଳ ଦୁର୍ଘଟଣାଟି ବି ଗତ କିଛି ମାସ ମଧ୍ୟରେ ଘଟିଥିବା ସପ୍ତମ ରେଳ ଦୁର୍ଘଟଣା ବୋଲି ଜଣା ପଡ଼ିଛି। ଏହାବ୍ୟତିତ ୨୦୨୨-୨୩ରେ ମୋଟ ୪୮ଟି ରେଳ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି, ଯାହା ମଧ୍ୟରୁ ୩୬ଟି ଲାଇନଚ୍ୟୁତ ଘଟଣା, ୬ଟି ପରସ୍ପରକୁ ଧକ୍କା ଦେବା ଏବଂ ୪ଟି ନିଆଁ ଲାଗିଯିବା ଘଟଣା ଥିଲା। ରେଳ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୭-୧୮ରେ ମୋଟ ୨୫୭ଟି ଲାଇନଚ୍ୟୁତ ଘଟଣା ଘଟିଥିବା ବେଳେ ୨୦୧୮-୧୯ରେ ୫୨୬ଟି, ୨୦୧୯-୨୦ରେ ୩୯୯ଟି ସ୍ଥାନରେ ରେଳଗାଡ଼ି ଲାଇନଚ୍ୟୁତ ହୋଇଛି।
ସିଏଜି ଦ୍ୱାରା ଦିଆଯାଇଥିବା କାରଣକୁ ଦେଖିଲେ ରେଳ ଧାରଣାର ରକ୍ଷଣା ବେକ୍ଷଣ ଅଭାବରୁ ସର୍ବାଧିକ ୧୬୭ଟି ଦୁର୍ଘଟଣା ଘଟିଥିବା ବେଳେ ଧାରଣାର ପରିସୀମାରେ ପରିବର୍ତ୍ତନ କାରଣରୁ ୧୪୯ଟି ଏବଂ ତୃଟୀପୂର୍ଣ୍ଣ ଚାଳନା ବା ଚାଳକର ଭୁଲ ଲାଗି ୧୪୪ଟି ଦୁର୍ଘଟଣା ଘଟିଛି। ଅତଏବ ଦେଶରେ ରେଳ ଦୁର୍ଘଟଣା ଗତ କିଛି ବର୍ଷ ହେଲା, ବନ୍ଦ ହୋଇଯାଇଛି ବୋଲି ଯେଉଁ ପ୍ରଚାର ଚାଲିଛି, ତାହା ନିରାଧାର ଅଟେ। ବରଂ ଗତ କିଛି ବର୍ଷ ମଧ୍ୟରେ ସେଭଳି ବଡ଼ ଧରଣର ଦୁର୍ଘଟଣା ହୋଇ ନଥିଲେ ମଧ୍ୟ ଛୋଟ ଛୋଟ ରେଳ ଦୁର୍ଘଟଣା ଲଗାତାର ଅବ୍ୟାହତ ରହିଛି।
ବାହାନାଗାର ଦୁର୍ଘଟଣା ପରେ ରେଳମନ୍ତ୍ରୀ ଓ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ରେଳ ସୁରକ୍ଷା ପାଇଁ କବଚ ବ୍ୟବସ୍ଥାର କଥା କୁହାଯାଇଛି। ଏପରିକି ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଇତିମଧ୍ୟରେ କହିଛନ୍ତି, ଯେ ଯଦି ସେହି ରାସ୍ତାରେ କବଚ ବ୍ୟବସ୍ଥା ଲାଗିଥାନ୍ତା, ତାହେଲେ ଏହି ଦୁର୍ଘଟଣା ଘଟି ନଥାନ୍ତା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯଦିଓ କବଚ ବ୍ୟବସ୍ଥାକୁ ରେଳ ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳ ବୋଲି ସରକାର ଦାବି କରୁଛନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ତା’ର ପ୍ରତିଫଳନ ଦେଖିବାକୁ ମିଳୁନି। କେବଳ କିଛି ରୁଟ୍ ଅଥବା କିଛି ଗାଡ଼ିରେ ହିଁ ଏହି ବ୍ୟବସ୍ଥାକୁ ଲଗେଇ ଦେଲେ ହେବନି, ସମଗ୍ର ରେଳ ନେଟୱାର୍କକୁ ଏଥି ସହିତ ଯୋଡ଼ିବାକୁ ହେବ। ସମଗ୍ର ୭୦ ହଜାର କି.ମି ରେଳ ନେଟୱାର୍କକୁ ଆଧୁନିକୀକରଣ କରିବାକୁ ହେବ। ଏଥିପାଇଁ ପ୍ରାୟ ମୋଟ ଏକ ଲେକ୍ଷ କୋଟି ଟଙ୍କା ଖର୍ଚ୍ଚ ଆସିବ ବୋଲି କୁହାଯାଉଛି। କିନ୍ତୁ ସରକାର ଚଳିତ ଆର୍ଥିକ ବର୍ଷର ବଜେଟରେ ମାତ୍ର ୨୭୩ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ୨୦୨୨-୨୩ ବଜେଟରେ ମାତ୍ର ୧୩୩ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ଏଥିରୁ କବଚ ଜ୍ଞାନ କୌଶଳ ନେଇ ଖୋଦ୍ ସରକାରଙ୍କ ତତ୍ପରତାଟି ଉଜାଗର ହେଉଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୧୪୫୫ କି.ମି ରେଳ ପଥରେ ହିଁ କବଚ ବ୍ୟବସ୍ଥା କରାଯାଇଛି।
ରେଳ ସୁରକ୍ଷା କ୍ଷେତ୍ରରେ ରେଳ ଧାରଣା ବା ଟ୍ରାକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଏବଂ ସିଗନାଲିଙ୍ଗ୍ ବ୍ୟବସ୍ଥା ସବୁଠାରୁ ବଡ଼ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ଗତ କିଛି ବର୍ଷ ଧରି ଏ ଦିଗରେ ସରକାରଙ୍କ ଆଭିମୁଖ୍ୟରୁ ଏହି ସୁରକ୍ଷା ଦିଗଟି ପ୍ରତି ଆଦୌ ଗମ୍ଭୀର ନଥିବା ଜଣାପଡ଼ୁଛି। କେନ୍ଦ୍ର ସରକାର ରେଳଧାରଣାର ରକ୍ଷଣାବେକ୍ଷଣ ଓ ମରାମତି ବାବଦୀୟ ସମସ୍ତ କାମ ଏପରିକି ଅନେକ କ୍ଷେତ୍ରରେ ସିଗନାଲିଙ୍ଗ୍ ବ୍ୟବସ୍ଥାକୁ ବି ଆଉଟସୋର୍ସିଂ ଜରିଆରେ କରିବା ଦେଖାଯାଉଛି। ଖର୍ଚ୍ଚହ୍ରାସ ନାଁରେ ଯାତ୍ରୀଙ୍କ ସୁରକ୍ଷା ଏବଂ ଖୋଦ୍ ରେଳ ବ୍ୟବସ୍ଥାର ନିରାପତ୍ତା ସହିତ ଜଡିତ ଏହି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକୁ ଘରୋଇ କମ୍ପାନୀ ଓ ଠିକାଦାରଙ୍କ ହାତରେ ଟେକିଦେବା ଅତ୍ୟନ୍ତ ବିପଜ୍ଜନକ। ଘରୋଇକରଣ ଜରିଆରେ ଖର୍ଚ୍ଚକାଟ ପାଇଁ ସରକାର ରେଳବାଇର ବିଭିନ୍ନ କାମ ଓ ସେବାରେ ଯେଉଁଭଳି ନିଯୁକ୍ତି ସଙ୍କୋଚନ ନୀତି ଲାଗୁ କରୁଛନ୍ତି, ତା’ର ଫଳସ୍ୱରୂପ ରେଳବାଇରେ ଆବଶ୍ୟକ ରେଳକର୍ମୀଙ୍କ ଅଭାବ ଦେଖାଯାଇଛି। ବର୍ତ୍ତମାନ ରେଳବାଇରେ ମୋଟ ୩,୧୧,୪୩୮ଟି ପଦବୀ ଖାଲି ପଡ଼ିଥିବା ବେଳେ କେବଳ ରେଳ ସୁରକ୍ଷା ବାବଦରେ ୧.୪୨ ଲକ୍ଷ ପଦବୀ ଖାଲି ପଡ଼ିଛି। ଏତେ ସଂଖ୍ୟାରେ ସୁରକ୍ଷା କାମରେ ନିୟୋଜିତ କର୍ମଚାରୀଙ୍କ ଅଭାବ ରେଳ ସୁରକ୍ଷାକୁ ସିଧାସଳଖ ଭାବେ ପ୍ରଭାବିତ କରୁଛି। ସେହିପରି ରେଳବାଇ ବୋର୍ଡ଼ର ଏକ ସମୀକ୍ଷାରେ ଦେଶରେ ବାରମ୍ବାର ରେଳ ଦୁର୍ଘଟଣା ପାଇଁ ଟ୍ରେନର ଚାଳକ ବା ଲୋକୋମୋଟିଭ ପାଇଲଟମାନଙ୍କ ଅଭାବ ଏବଂ ଥିବା ଚାଳକଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାରକୁ ଦାୟୀ କରାଯାଇଛି।
ଏକ ହିସାବରୁ ଜଣାପଡ଼ିଛି ଯେ ପୂର୍ବରୁ ଜଣେ ଚାଳକ ଦୈନିକ ଆଠ ଘଣ୍ଟା କାମ କରୁଥିବା ବେଳେ ବର୍ତ୍ତମାନ ଅଧିକାଂଶ ଦୈନିକ ବାର ଘଣ୍ଟା ଏପରିକି ତାଠାରୁ ଅଧିକ ସମୟ ବି କାମ କରୁଛନ୍ତି। ରେଳ ଚଳାଇବା ପରି ଏକ ଏକାଗ୍ରତାପୂର୍ଣ୍ଣ ତଥା କଠିନ କାମରେ ଲଗାତାର ଭାବେ ଅଧିକ ସମୟ ନିୟୋଜିତ ରହିବା ସେମାନଙ୍କ ମାନସିକ ଓ ଶାରୀରିକ ସ୍ଥିତିକୁ ପ୍ରଭାବିତ କରୁଛି। ଏଭଳି ସ୍ଥିତିରେ ଚାଳକର ତୃଟୀ ବଢ଼ି ତଜ୍ଜନିତ ଦୁର୍ଘଟଣା ବଢ଼ିବା ସ୍ୱାଭାବିକ। ଅତଏବ ଦେଶରେ ରେଳ ଦୁର୍ଘଟଣାକୁ ଏଡ଼େଇବା ପାଇଁ ସରକାର ଉପରୋକ୍ତ ଖାଲି ପଦଗୁଡ଼ିକୁ ତୁରନ୍ତ ପୂରଣ କରିବା ଜରୁରୀ।
ରେଳବାଇର ସବୁଠାରୁ ବଡ଼ ସମସ୍ୟା ହେଲା ସରକାର ଆରମ୍ଭ କରିଥିବା ଘରୋଇକରଣ ଅଭିଯାନ। ଗତ ଦୁଇ ଦଶନ୍ଧି ଧରି ଏହି ଘରୋଇକରଣ ପ୍ରକ୍ରୀୟା ଆରମ୍ଭ ହୋଇଥିଲେ ମଧ୍ୟ ଗତ କିଛି ବର୍ଷ ହେଲା ଏହା ତ୍ୱରାନ୍ୱିତ ହୋଇଛି। ଇତିମଧ୍ୟରେ ସରକାର ଧୀରେ ଧୀରେ ରେଳବାଇର ଅନେକ ସେବାର ଘରୋଇକରଣ କରି ତାକୁ ବିଭିନ୍ନ ଘରୋଇ କମ୍ପାନୀ ଓ ଠିକାଦାରମାନଙ୍କୁ ଦେଇ ସାରିଲେଣି। ଘରୋଇକରଣ ଫଳରେ ସେବାଟି କେତେ ନିମ୍ନମାନର ହେଉଛି, ତାହା ରେଳଗାଡ଼ିରେ ମିଳୁଥିବା ଭୋଜନର ମାନରୁ ଆମେ ଜାଣିପାରିବା। ସବୁଠାରୁ ବଡ଼ କଥା ହେଲା, ଘରୋଇକରଣ ଫଳରେ ନିୟମିତ ଚାକିରୀରେ ହ୍ରାସ ଏବଂ ଠିକା ଓ ଆଉଟସୋର୍ସିଂ ନିଯୁକ୍ତିରେ ବୃଦ୍ଧି। ରେଳବାଇରେ ୧୯୭୦-୭୧ରେ ନିୟମିତ ଚାକିରୀ ସଂଖ୍ୟା ୧୩.୭୦ ଲକ୍ଷ ଥିବା ବେଳେ ୨୦୧୫-୧୬ରେ ୧୩.୩୪ ଲକ୍ଷକୁ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ତାହା ୧୨.୫୩ ଲକ୍ଷକୁ ହ୍ରାସ ପାଇଛି। ପ୍ରତିବର୍ଷ ଅଧିକ ଅଂଚଳକୁ ରେଳସେବାର ପ୍ରସାରଣ ଏବଂ ଅଧିକରୁ ଅଧିକ ଯାତ୍ରୀ ରେଳଗାଡ଼ି ଓ ମାଲଗାଡ଼ି ଚାଲିବା ସତ୍ତ୍ୱେ ରେଳକର୍ମୀଙ୍କ ସଂଖ୍ୟା ନବଢ଼ି କମିବା ରେଳସେବାକୁ କେବଳ ପ୍ରଭାବିତ କରୁନି ବରଂ ବିପଦ ଭିତରକୁ ଠେଲି ଦେଇଛି। ଏଥିସହିତ ରେଳର ଭିତ୍ତିଭୂମିରେ ଆବଶ୍ୟକୀୟ ବିକାଶ ବିନା ଅଧିକ ଆୟ ସଂଗ୍ରହ ପାଇଁ ସରକାରଙ୍କ ଦ୍ୱାରା ଯାତ୍ରୀବାହୀ ଗାଡ଼ି ବଦଳରେ ମାଲବାହୀ ଗାଡ଼ିକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସେମାନଙ୍କ ସଂଖ୍ୟାରେ ଆଶାତିତ ବୃଦ୍ଧି କରାଯାଇଛି। ରେଳ ଟ୍ରାକ୍ ଉପରେ ଏକ୍ସିଲର ଭାରକୁ ଏପରି ବୃଦ୍ଧି କରିବା ଫଳରେ ତା’ର ଚାପଟି ରେଳ ଧାରଣା ଓ ବ୍ୟବସ୍ଥା ଉପରେ ନାକାରାତ୍ମକ ଭାବେ ପଡ଼ିଛି।
ଏତଦବ୍ୟତିତ ସରକାର ଗତ କିଛି ବର୍ଷ ହେଲା ରେଳଧାରଣାରେ ଅଧିକ ନିବେଶ ନକରିବା ଫଳରେ ତାହା ରେଳ ସୁରକ୍ଷାକୁ ପ୍ରଭାବିତ କରୁଛି। ପୁଣି ଘରୋଇକରଣ ଫଳରେ ବଡ଼ ବଡ଼ ଠିକା ପାଇଥିବା ଘରୋଇ କମ୍ପାନୀ ଓ ଠିକାଦାରମାନଙ୍କ ମୁନାଫାର ଲୋଭ ଯୋଗୁଁ ସେମାନେ କମ୍ ଦେୟରେ ରେଳଧାରଣାର ମରାମତି ଓ ଶ୍ରମିକଙ୍କ ମଜୁରୀ ପ୍ରଦାନ କରୁଛନ୍ତି। ରେଳଧାରଣାର ନିୟମିତ ରକ୍ଷଣା ବେକ୍ଷଣ ପାଇଁ ପୂର୍ବରୁ ଯେତେ ଶ୍ରମିକ ଓ କର୍ମଚାରୀ ନିଯୁକ୍ତ ହୋଇଥିଲେ, ଘରୋଇକରଣ ପରେ ସେମାନଙ୍କ ସଂଖ୍ୟାରେ ବ୍ୟାପକ ହ୍ରାସ ପାଇଛି। ଜଣେ ଶ୍ରମିକ ଉପରେ ପୂର୍ବାପେକ୍ଷା ଅଧିକ ରେଳ ଧାରଣାର ରକ୍ଷଣାବେକ୍ଷଣର ଭାର ପଡ଼ୁଥିବାରୁ ତାହା ରେଳ ଧାରଣାର ସୁରକ୍ଷାକୁ ପ୍ରଭାବିତ କରୁଛି।
ବାହାନଗା ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ସରକାର ନିଜକୁ ବଂଚେଇବା ପାଇଁ ଏକ ଗତାନୁଗତିକ ଓ କାମଚଳା ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ହୁଏତ କିଛି ଜଣ କର୍ମଚାରୀ କିମ୍ବା ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଉତ୍ତରଦାୟୀ କରି ନିଜର ଦାୟୀତ୍ୱ ଶେଷ କରିଦେବେ। କିନ୍ତୁ ଏହାଦ୍ୱାରା ସମସ୍ୟାର ସମାଧାନ ହେବନାହିଁ। କାରଣ ଯେଉଁ ଘରୋଇକରଣ ନୀତି ଲାଗି ଏଭଳି ଭୟଙ୍କର ଦୁର୍ଘଟଣା ଘଟୁଛି, ତାରି ସମ୍ପର୍କରେ କୌଣସି ସମୀକ୍ଷା ହେବାର ସମ୍ଭାବନା ଦେଖାଯାଉନି। ପୂର୍ବରୁ ସାଧାରଣ ବଜେଟ୍ ବ୍ୟତିତ ସ୍ୱତନ୍ତ୍ର ଭାବେ ରେଳ ବଜେଟ୍ ଉପସ୍ଥାପିତ ହେଉଥିଲା। କମ୍ ସେ କମ୍ ରେଳ ବଜେଟ୍ ବାହାନାରେ ରେଳବାଇର ବିଭିନ୍ନ ଦିଗ ଏବଂ ଆବଶ୍ୟକତା ନେଇ ମିଡ଼ିଆରେ ଚର୍ଚ୍ଚା ହେଉଥିଲା। କିନ୍ତୁ ସରକାର ସ୍ୱତନ୍ତ୍ର ରେଳ ବଜେଟ୍ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପରେ ଉଭୟ ସରକାର ଓ ଜନ ସାଧାରଣଙ୍କ ମଧ୍ୟରେ ରେଳବାଇ ନେଇ ଗୁରୁତ୍ୱ ହ୍ରାସ ପାଇଛି। କେବଳ କୌଣସି ବଡ଼ ଦୁର୍ଘଟଣା ହେଲେ ହିଁ ଯାହାକିଛି ଆଲୋଚନା ହେଉଛି।
ବାସ୍ତବ କଥା ହେଲା, ସରକାର ରେଳବାଇ ପରି ଏକ ଅତ୍ୟାବଶ୍ୟକ ସେବାକୁ ସେବା ଭାବରେ ଦେଖିବା ବଦଳରେ ଏକ ବ୍ୟବସାୟ ଭାବେ ଦେଖିବା ଆରମ୍ଭ କରିଛନ୍ତି। ଗତ କିଛି ବର୍ଷ ରେଳବାଇର ଅଧିକାଂଶ ସେବାର ଘରୋଇକରଣ ସହିତ ରେଳବାଇର ଜମି, ରେଳଗାଡ଼ି, ଷ୍ଟେସନ ଏପରିକି ରେଳ ଲାଇନକୁ ବି ଘରୋଇ କମ୍ପାନୀଙ୍କୁ ଦେବା ଆରମ୍ଭ କରିଛନ୍ତି। ଅନ୍ୟପଟେ ଖର୍ଚ୍ଚକାଟ ନାଁରେ ରେଳବାଇରେ ଶ୍ରମିକ, କର୍ମଚାରୀଙ୍କ ସଂଖ୍ୟାରେ ଲଗାତାର ହ୍ରାସ, ସୀମୀତ ଶ୍ରମିକଙ୍କ ଉପରେ ଅଧିକ କାର୍ଯ୍ୟଭାରର ବୋଝ ତଥା କମ୍ ମଜୁରୀରେ ଶ୍ରମିକଙ୍କୁ ନିୟୋଜିତ କରିବା ବି ଦେଖାଯାଇଛି। ଏଭଳି ଘରୋଇକରଣ ନୀତି ରେଳ ନିରାପତ୍ତାକୁ ପ୍ରଭାବିତ କରିଛି। ଆଉ ବାହାନାଗାର ଭୟବହ ଦୁର୍ଘଟଣା ଉପରୋକ୍ତ ନୀତିର ହିଁ ତାର୍କିକ ପରିଣାମ ବୋଲି କୁହାଯାଇପାରେ। ଏଭଳି ଦୁର୍ଘଟଣା ସରକାରଙ୍କ ଘରୋଇକରଣର ନୀତିର ହିଁ ଯେ ପରିଣାମ, ଏହା ନିଃସନ୍ଦେହ।
ଅନ୍ୟପକ୍ଷରେ ଗତ କିଛି ବର୍ଷ ଧରି ରେଳବାଇ ତା’ର ଯାତ୍ରୀ ଓ ପ୍ଳାଟଫାର୍ମ ଟିକଟରେ ମନଇଛା ବୃଦ୍ଧି କରିବା ସହିତ ଲୋକଙ୍କୁ ପୂର୍ବରୁ ଦିଆଯାଉଥିବା ବିଭିନ୍ନ ପ୍ରକାର ରିହାତିକୁ ହ୍ରାସ ବା ସମାପ୍ତ କରିଛି। ପୂର୍ବରୁ ବରିଷ୍ଠ ନାଗରିକ ଓ ଶ୍ରମିକମାନଙ୍କୁ ଦିଆଯାଉଥିବା ରିହାତିକୁ ସମାପ୍ତ କରି ଦିଆଯାଇଛି। ପ୍ଳାଟଫର୍ମରେ ମିଳୁଥିବା ଅନ୍ୟାନ୍ୟ ସେବାର ମୂଲ୍ୟରେ ବୃଦ୍ଧି କରିଯାଇଛି। ଏସବୁ କରିବା ପଛରେ ଲକ୍ଷ୍ୟ ହେଲା, ରେଳବାଇକୁ ଅଧିକରୁ ଅଧିକ ଲାଭଜନକ କରି ଶେଷରେ ତାକୁ ଦେଶୀ ବିଦେଶୀ ବୃହତ କମ୍ପାନୀଙ୍କୁ ହାତକୁ ଟେକିଦେବା।
ବାହାନଗାର ରେଳ ଦୁର୍ଘଟଣା ଅତ୍ୟନ୍ତ ମର୍ମନ୍ତୁଦ ହେଲେ ମଧ୍ୟ ଅନେକ ଗୁଡ଼ିଏ ପ୍ରଶ୍ନ ଆମ ସମ୍ମୁଖରେ ଉଠାଇଛି। ଅନେକ ଦୁର୍ଘଟଣା ସମୟରେ ଏହି ପ୍ରଶ୍ନଗୁଡ଼ିକୁ ରାଜନୀତି ବୋଲି କହି ଖାରଜ କରିବାକୁ ଚାହୁଁଛନ୍ତି। କିନ୍ତୁ ରେଳ ନିରାପତ୍ତା ଓ ରେଳଯାତ୍ରୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନଗୁଡ଼ିକୁ ଯଦି ଏବେ ପଚରାଯିବନି ତାହେଲେ କେବେ ଆଉ ପଚାରିବା? ଆଜି ରେଳବାଇର ଏହି ଦୁର୍ଦ୍ଦଶା ତଥା ଶହ ଶହ ରେଳଯାତ୍ରୀଙ୍କ ଜୀବନହାନୀ ପାଇଁ ଦାୟୀ, ସରକାରଙ୍କ ରାଜନୀତିକୁ ଉଜାଗର କରିବାକୁ ହେଲେ ଆମକୁ ଏହି ପ୍ରଶ୍ନଗୁଡ଼ିକ ପଚାରିବାକୁ ହିଁ ହେବ।
ଭାଲଚନ୍ଦ୍ର ଷଡ଼ଙ୍ଗୀ
ଫୋନ - ୯୪୩୭୧୬୬୩୯୧