ଦାରୱିନଙ୍କ ବିବର୍ତ୍ତନ ତତ୍ତ୍ୱକୁ ବିରୋଧ କରିବାର ପ୍ରକ୍ରିୟା ୨୦୧୯ ମସିହାରେ ଭାରତୀୟ ବିଜ୍ଞାନ କଂଗ୍ରେସ ସମୟରୁ ଆରମ୍ଭ। ଏହିଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗଣେଶଙ୍କ ପ୍ଲାଷ୍ଟିକ ସର୍ଜରୀ ଓ ରାବଣଙ୍କ ଯୁଦ୍ଧ ବିମାନ ପ୍ରସଙ୍ଗ ଉଠିଥିଲା। ସେସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସତ୍ୟପାଲ କହିଥିଲେ, ‘କେହି କେବେ କ’ଣ ଦେଖିଛି ଯେ ମାଙ୍କଡ଼ ଭିତରୁ ମଣିଷ ତିଆରି ହୋଇଗଲା? ଦାରୱିନ ତଥ୍ୟ ଏକ ଭୁଲ ତତ୍ତ୍ୱ ଯାହା ସ୍କୁଲ ପିଲାଙ୍କୁ ଆଦୌ ପଢ଼ାଯିବା ଉଚିତ ନୁହେଁ।’
ଦାରୱିନ ୧୮୫୯ରେ ନିଜ ପ୍ରକାଶିତ ‘ଦି ଅରିଜିନ ଅଫ ସ୍ପେସିଜ’ରେ ଲେଖିଛନ୍ତି ଯେ ମଣିଷ କୌଣସି ସ୍ଵତନ୍ତ୍ର ଜୀବ ନୁହେଁ। ଏହା ଅନ୍ୟ ଜୀବମାନଙ୍କ ଭଳି ସୃଷ୍ଟ। ପ୍ରତ୍ୟେକ ଜୀବ ନିଜ ପରିବେଶ ସହିତ ଖାପ ଖୁଆଇବା ଲାଗି ଅଧିକରୁ ଅଧିକ ବଂଶ ବିସ୍ତାର କରିଥାଏ। ଯଦି ସମସ୍ତେ ବଞ୍ଚୁଥାନ୍ତେ ତେବେ ପୃଥିବୀ ଗୋଟିଏ ପ୍ରକାର ଜୀବ ବା ବୃକ୍ଷରେ ଭରିଯାଇଥାନ୍ତା। ସେଥିମଧ୍ୟରୁ ସବୁଠାରୁ ସୁସ୍ଥ ଯିଏ ସେ ବଞ୍ଚିଥାଏ ଯାହାକୁ ସେ ‘ସରଭାଇଭାଲ ଅଫ ଫିଟେଷ୍ଟ’ ବୋଲି କହିଛନ୍ତି।
ପିଢ଼ି ପିଢ଼ି ଧରି ନିଜ ପରିବେଶକୁ ଖାପଖୁଆଇବା ଭିତରେ ଜୀବମାନେ ନିଜ ଚେହେରାରେ ଆବଶ୍ୟକୀୟ ପରିବର୍ତ୍ତନ ମଧ୍ୟ କରିଥାନ୍ତି। ପ୍ରକୃତି ସେହିମାନଙ୍କ ଲାଗି ବଞ୍ଚିବାର ସୁଯୋଗ ଦିଏ ଦାରୱିନ ଯାହାର ନାମକରଣ କରିଛନ୍ତି ‘ନାଚୁରାଲ ସିଲେକ୍ସନ’। ଏହା କୌଣସି ଗୋଟିଏ ପିଢ଼ିର କଥା ନୁହେଁ। ହଜାର ହଜାର ବର୍ଷର କ୍ରମ ବିକାଶ ଫଳରେ ଏହା ସମ୍ଭବ ହୋଇଛି। ଏହାକୁ ଦଶମ ଶ୍ରେଣୀ ବହିରେ ସ୍ଥାନିତ କରାଯାଇଛି। ତେଣୁ ମନ୍ତ୍ରୀଙ୍କ ପ୍ରଶ୍ନ ଗୋଟିଏ ପିଢ଼ିରେ ଜଣେ କେମିତି ମାଙ୍କଡ଼ରୁ ମଣିଷ ହେବା ଦେଖିନେବ?
ବ୍ରିଟିଶ ଜନ୍ମିତ ଚାର୍ଲ୍ସ ରବର୍ଟ ଦାରୱିନ ଦୀର୍ଘ ତିରିଶ ବର୍ଷ ୟୁରୋପ, ଅଷ୍ଟ୍ରେଲିଆ ଓ ଏସିଆ ମହାଦେଶକୁ ଜାହାଜରେ ଯାଇ ପ୍ରତ୍ୟେକ ଅଞ୍ଚଳର ବୃକ୍ଷ ଓ ଜୀବମାନଙ୍କର ବିଶେଷତ୍ଵକୁ ଅନୁଧ୍ୟାନ କରି ଯେଉଁ ତତ୍ତ୍ୱ ଦେଇଛନ୍ତି ତାହା କୌଣସି ଧର୍ମରେ ନାହିଁ। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଥିବା ମଣିଷର ଭିନ୍ନ ଭିନ୍ନ ଚେହେରା ଓ ଜୀବନ ଶୈଳୀ ପଛରେ ଥିବା କାରଣକୁ ଦାରୱିନ ତତ୍ତ୍ୱକିଛି ଉନ୍ମୋଚନ କରୁଛି। ତେଣୁ ଦାରୱିନ ତତ୍ତ୍ୱ ଗ୍ରହଣୀୟତା ପାଇଲା।
ସ୍କୁଲ ବହିର ଦାରୱିନ ତତ୍ତ୍ୱ ଅଧ୍ୟାୟରେ ରହିଛି ଯେ ମଣିଷର କ୍ରମବିକାଶ ହେଲା ରାମାପିଟେକସ, ଅଷ୍ଟ୍ରାଲୋପିଥେକସ, ହୋମୋ ହାବିଲସ, ହୋମୋ ଅରେକ୍ଟସ, ନିୟାନଡର୍ଟାଲ ମଣିଷ, କ୍ରୋମ୍ୟାନୋନ ଓ ଆଧୁନିକ ମଣିଷ। ଗଲା ଶତାବ୍ଦୀରେ ନିୟନଡର୍ଟାଲ ମଣିଷର କଙ୍କାଳ କ୍ରୋୟେଶିୟାରେ ମିଳିଲା ଯାହା ୧,୩୦,୦୦୦ ବର୍ଷ ତଳର ମଣିଷ ଥିଲା ଓ ଫ୍ରାନ୍ସରେ ମଧ୍ୟ ନିୟାନଡର୍ଟାଲ ମଣିଷର କଙ୍କାଳ ମିଳିଥିଲା ଯିଏ ୧,୮୦,୦୦୦ ବର୍ଷ ତଳର ମଣିଷ। ଏହି ତତ୍ତ୍ୱକୁ ବିଶ୍ୱର ବହୁ ବୈଜ୍ଞାନିକ ଗ୍ରହଣ କରିବାରୁ ତାହାକୁ ବିଶ୍ଵବ୍ୟାପୀ ସ୍କୁଲ ବିଜ୍ଞାନରେ ଗୁରୁତ୍ଵ ଦିଆଯାଉଥିଲା।
ସମସ୍ୟା ହେଉଛି ଯେ ମଣିଷ ସ୍ଵତନ୍ତ୍ର ଭାବରେ ଭଗବାନଙ୍କ ଦ୍ଵାରା ସୃଷ୍ଟ ବୋଲି ଯେଉଁ ଧର୍ମଗ୍ରନ୍ଥମାନଙ୍କରେ ଲିଖିତ ରହିଛି ତାହାକୁ ଦାରୱିନ ତତ୍ତ୍ୱ ସ୍ଵୀକାର କରୁନାହିଁ। ଏହି ହେତୁ ଧର୍ମଯାଜକ ଓ ଧର୍ମଗୁରୁମାନେ ଦାରୱିନ ତତ୍ତ୍ୱକୁ ଗ୍ରହଣ କରୁନାହାନ୍ତି। ସବୁଠାରୁ ଅଧିକ ପ୍ରତିବାଦ ମୁସଲମାନ ଧର୍ମଗୁରୁଙ୍କଠାରୁ ଆସିଛି। ମୁସଲମାନ ଧର୍ମକୁ ଜାତୀୟ ଧର୍ମ ସ୍ଵୀକାର କରୁଥିବା ଅନେକ ଦେଶ ଦାରୱିନ ତତ୍ତ୍ୱକୁ ସ୍କୁଲ ବହିରୁ ବାଦ ଦେଇଛନ୍ତି। ସୁଦାନ, ଆଲଜେରିଆ, ମରକ୍କ୍କୋ ଇତ୍ୟାଦି ଦେଶ ଏହାକୁ ସ୍କୁଲ ବହିରେ ନିଷିଦ୍ଧ କରିଛନ୍ତି। କାତାର, ଓମାନ, ସାଉଦି ଆରବ, ଇଜିପ୍ଟ, ତୁର୍କୀ ନିଜ ଦେଶରେ ସୃଷ୍ଟି ତତ୍ତ୍ୱକୁ ନେଇ ଫତୱା ଜାରି କରିଛନ୍ତି। ବିଜ୍ଞାନ ବିଷୟରେ ଫତୱା କେବଳ ଧାର୍ମିକ ରୁଢ଼ିବାଦୀମାନେ ଜାରିକରିଥାନ୍ତି। ଏହି ଫତୱା ଜାରିକରିଥିବା ଓ ନିଷିଦ୍ଧ କରିଥିବା ଦେଶ ସମୂହରେ ହୁଏତ ଆଜି ରାଜା ଶାସନ ଅଛି ନଚେତ ସେମାନେ ଧାର୍ମିକ ଓ ଅସ୍ମିତାକୁ ନେଇ ଗୃହଯୁଦ୍ଧ ମଧ୍ୟରେ ଫସିଯାଇଛନ୍ତି।
ଖ୍ରୀଷ୍ଟିୟାନ ଧର୍ମୀଙ୍କ ମଧ୍ୟରେ ଆଫ୍ରିକା ଓ ଦକ୍ଷିଣ ଆମେରିକୀୟ ଦେଶ ମଧ୍ୟ ଦାରୱିନ ତତ୍ତ୍ୱକୁ ବିରୋଧ କରୁଛନ୍ତି। ଆମେରିକା ମଧ୍ୟ ୨୦୦୨ ମସିହାରେ ଏହାକୁ ବାଦ ଦେଇଥିଲା। ପରେ ଅନେକ ଗଣରାଜ୍ୟ ଏହାକୁ ପୁଣି ସାମିଲ କରିଛନ୍ତି। କେବଳ ବୌଦ୍ଧ ଧର୍ମୀ ଦେଶ ଯେମିତି ଶ୍ରୀଲଙ୍କା, ଚୀନ, ଜାପାନ, ମ୍ୟାଲେସିଆ ଆଦି ଲାଗି ଏହା ସମସ୍ୟା ନୁହେଁ। ଏପରିକି, ଭାରତକୁ ଛାଡ଼ିଦେଲେ ଅନ୍ୟ ଦକ୍ଷିଣ ଏସୀୟ ଦେଶମାନଙ୍କରେ ଓ ସମଗ୍ର ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କରେ ଦାରୱିନ ତତ୍ତ୍ୱ ବିବାଦୀୟ ନୁହେଁ। ଏହା ବିବାଦୀୟ କେବଳ ଧାର୍ମିକ ମୌଳବାଦୀ ଶକ୍ତିଶାଳୀ ଥିବା ଦେଶମାନଙ୍କରେ। ଏବେ ଭାରତ ସେହି ତାଲିକାରେ ନାମ ଲେଖାଉଛି।
ଯେହେତୁ ବୁଦ୍ଧ ନିଜକୁ କେବେ ଭଗବାନ ବା ଭଗବାନଙ୍କ ଅଂଶ ନେଇ ଜନ୍ମ ହୋଇଥିବାର ଦାବି କରିନାହାନ୍ତି ତେଣୁ ବୌଦ୍ଧ ଧର୍ମକୁ ବାଦ ଦେଲେ ବାକି ମୁଖ୍ୟତଃ ଖ୍ରୀଷ୍ଟିୟାନ ଓ ଇସଲାମ ଧର୍ମରେ ମଣିଷର କ୍ରମ ବିକାଶକୁ ନେଇ ସ୍ଵତନ୍ତ୍ର ମତବାଦ ରହିଛି ଯେମିତି ହିନ୍ଦୁ ଧର୍ମରେ ରହିଛି। ଖ୍ରୀଷ୍ଟିୟାନ, ଇସଲାମ ଓ ହିନ୍ଦୁ ଧର୍ମର ଧର୍ମଯାଜକମାନେ ଦାରୱିନଙ୍କ ତତ୍ତ୍ୱ ସହିତ ଆଦୌ ରାଜି ହେଉନାହାନ୍ତି। ମଣିଷ ଏକ ସ୍ୱତନ୍ତ୍ର ପ୍ରାଣୀ ଓ ଆଜିର ମଣିଷ ସିଧାସଳଖ ଭଗବାନଙ୍କଠାରୁ ସୃଷ୍ଟି ହୋଇଛି ବୋଲି ସେମାନେ କୁହନ୍ତି।
ବିଜ୍ଞାନ ବହିରେ ଦାରୱିନ ତତ୍ତ୍ୱ ପଢ଼ାଇଲା ବେଳେ ମାଙ୍କଡ଼ ଓ ପରେ ମାଙ୍କଡ଼ ଭଳି ମଣିଷ, ପୁଣି ବଙ୍କା ଚାଲୁଥିବା ମଣିଷଠାରୁ ଆଧୁନିକ ମଣିଷର (ରାମାପିଟେକସଠାରୁ ଆଧୁନିକ ମଣିଷର କ୍ରମବିକାଶ କଥା ଶିକ୍ଷକ ଆମକୁ ପଢ଼ାଉଥିଲେ। ମୋର ଜନ୍ମ ହିନ୍ଦୁ ପରିବାରରେ। ତେଣୁ ଘରକୁ ଆସିଲେ ଆମକୁ ହିନ୍ଦୁ ଧର୍ମ ଅନୁସାରେ ମଣିଷ ବ୍ରହ୍ମରୁ ସୃଷ୍ଟି, ଭଗବାନ ବିଷ୍ଣୁଙ୍କ ଅବତାରବାଦରେ ଯେମିତି ପ୍ରଥମେ ମାଛ, ପରେ କଇଁଛ, ଓ ଏହା ପରେ ବରାହ ଓ ପରେ ସିଂହ – ମଣିଷ ଦ୍ଵିରୂପରୁ ପୁଣି ବାମନ ମଣିଷ ହୋଇ ପର୍ଶୁରାମ, ରାମ ଓ କୃଷ୍ଣ ରୂପ ହୋଇ ବୁଦ୍ଧ ରୂପରେ ଆସିଛନ୍ତି। ପ୍ରତ୍ୟେକ ଅବତାର ଏକ ଏକ ‘ଯୁଗ’ ପରେ ହୋଇଛି ବୋଲି କୁହାଯାଉଥିଲା।
ମୋ ଭଳି କୋଟି କୋଟି ଛାତ୍ରଛାତ୍ରୀ ମଣିଷର କ୍ରମ ବିକାଶକୁ ନେଇ ଧର୍ମ ବିଶ୍ଵାସରେ ଗୋଟିଏ କଥା ଓ ପାଠ ବହିରେ ଅନ୍ୟ ଏକ କଥା ଦେଖୁଥିଲୁ। ବିଶ୍ଵାସ ଓ ବିଜ୍ଞାନ ମଧ୍ୟରେ ରହିଥିବା ପାର୍ଥକ୍ୟ ହିଁ ଆମକୁ ଶିକ୍ଷାର ମୂଳଦୁଆ ସ୍ଥାପନ କରିବାରେ ସାହାଯ୍ୟ କରିଥିଲା। ଏହା ହୋଇନଥିଲେ ଆମ ସମାଜରେ ସୃଜନଶୀଳ ସାହିତ୍ୟିକ, ସାମ୍ବାଦିକ, ଅଧ୍ୟାପକ, ବୈଜ୍ଞାନିକ, ଡାକ୍ତର, ପ୍ରଶାସକ ଓ ଇଞ୍ଜିନିୟରଙ୍କଠାରୁ ଧର୍ମଗୁରୁଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହୋଇଯାଇଥାନ୍ତା ଓ ଧାର୍ମିକ ମୌଳବାଦୀ ରୁଢ଼ିବାଦୀଙ୍କ ଦ୍ଵାରା ଶାସନ, ପ୍ରଶାସନ ଓ ସମାଜ ଆଜି ପରିଚାଳିତ ହେଉଥାନ୍ତା।
ଦାରୱିନ ତତ୍ତ୍ୱ ସ୍କୁଲ ପାଠ୍ୟକ୍ରମରେ ରହିବା କାରଣରୁ ଧର୍ମର ବିଶ୍ଵାସ ଓ ଧର୍ମ ଧର୍ମ ମଧ୍ୟରେ ରହିଥିବା ବିଚାରରେ ପାର୍ଥକ୍ୟ ସ୍କୁଲ ସ୍ତରରେ ଗଲା ଦଶନ୍ଧିମାନଙ୍କରେ ମୁଖ୍ୟ ପ୍ରସଙ୍ଗ ହେଉନଥିଲା। ଏହାର ଅନ୍ୟତମ କାରଣ ହେଲା ଯେ ହିନ୍ଦୁ ଧର୍ମ ମଧ୍ୟରେ ଶ୍ରୀଅରବିନ୍ଦ ଓ ବିବେକାନନ୍ଦ ଦାରୱିନ ତତ୍ତ୍ୱ ସପକ୍ଷରେ ମତ ଦିଅନ୍ତି। ସେମିତି ସୁଫି ମତବାଦ ମୁସଲମାନଙ୍କୁ କଟ୍ଟର ହେବାରେ ରୋକିଆସିଛି। ଅଥଚ ଦାରୱିନ ତତ୍ତ୍ୱକୁ ଆଜି ବାଦ ଦେବା ଦ୍ଵାରା ସ୍କୁଲ ସ୍ତରରେ ବି ‘ଆମ ଭଗବାନ ସର୍ବଶ୍ରେଷ୍ଠ’ ମତବାଦ ଗଣ୍ଡଗୋଳିଆ ପରିବେଶ ସୃଷ୍ଟି କରିବ।
ଦାରୱିନ ତତ୍ତ୍ୱ ସର୍ବକାଳୀନ ସତ୍ୟ ନୁହେଁ କି ଗବେଷଣା ସେହିଠାରେ ଅଟକି ଯାଇନାହିଁ। ବିଶ୍ଵର ୧,୮୦,୦୦୦ ଲୋକଙ୍କ ହାଡ଼ର ଡିଏନଏ ଟେଷ୍ଟ ଦ୍ଵାରା ମଣିଷର ସ୍ଥାନାନ୍ତରର ଇତିହାସ ଗଲା ୨୦୧୦ରୁ ୨୦୧୫ ମଧ୍ୟରେ ବିଭିନ୍ନ ବୈଜ୍ଞାନିକମାନେ ନିଜର ଗବେଷଣା ପ୍ରକାଶ କରିଛନ୍ତି। ବୈଜ୍ଞାନିକ ଡେଭିଡ ରେକ ଓ ତାଙ୍କ ସ୍ତ୍ରୀ ଯୁଗେନୀ ରେକ ମିଳିତ ଭାବରେ ‘ଆମେ କିଏ ଓ ଆମେ ଏଠାକୁ କେଉଁଠୁ ଆସିଲୁ’ ପୁସ୍ତକରେ ଆଫ୍ରିକାରୁ ଅଷ୍ଟ୍ରେଲିଆ ଓ ଆମେରିକା ପର୍ଯ୍ୟନ୍ତ ଗଲା ୪୦,୦୦୦ରୁ ୫୦,୦୦୦ ବର୍ଷ ମଧ୍ୟରେ ସ୍ଥାନାନ୍ତର ହେବା ଓ ମଣିଷର ସେହି ଅଞ୍ଚଳରେ କ୍ରମ ବିକାଶ ହେବା କଥା କୁହନ୍ତି। ଏହି ସବୁ ନୂତନ ତତ୍ତ୍ୱକୁ ନୂତନ ଦାରୱିନବାଦ କୁହାଯାଉଛି। ଏହାକୁ ବାଦ ଦେଇ ଗବେଷଣା ଆଗୁ ଯାଇପାରୁ ନାହିଁ।
ଡେଭିଡ ରେକଙ୍କ ଗବେଷଣାକୁ ନେଇ ଟୋନି ଜୋସେଫ ‘ପୁରାତନ ଭାରତୀୟ’ ପୁସ୍ତକ ଇଂରାଜୀରେ ଲେଖିଥିଲେ। ଏଥିରେ ସେ ମହେଞ୍ଜୋଦାରୋ ସଭ୍ୟତାର ଧ୍ଵଂସର କାରଣଠାରୁ ଆର୍ଯ୍ୟ ଓ ଦ୍ରାବିଡ଼ଙ୍କ ବିବାଦ, ଜାତିପ୍ରଥାର ସୃଷ୍ଟି ଇତ୍ୟାଦି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହା ବର୍ତ୍ତମାନ ଲାଗି ସବୁଠାରୁ ନୂତନ ଗବେଷଣା। ହିନ୍ଦୀ, ତାମିଲ, ମରାଠି ଓ ବେଙ୍ଗଲି ଭଳି ଅନେକ ସ୍ଥାନୀୟ ଭାଷାରେ ଏହି ପୁସ୍ତକ ଅନୁବାଦ ହୋଇସାରିଲାଣି। ଓଡ଼ିଆରେ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ଅନେକ ନୂତନ ଗବେଷଣା ଓ ଅନେକ ଅନୁବାଦର ଆବଶ୍ୟକତା ରହିଛି।
କେନ୍ଦ୍ର ସରକାର ଗୋଟିଏ ପଟରେ ଦାରୱିନ ତତ୍ତ୍ୱକୁ ବାଦ ଦେଉଛନ୍ତି ଓ ଅନ୍ୟପଟରେ ଭଗବତ ଗୀତାକୁ କେତେକ ବିଜେପି ଶାସିତ ରାଜ୍ୟରେ ପ୍ରଚଳନ କରୁଛନ୍ତି। ଗୀତାର ‘ଚତୁର୍ଧର୍ମ ମୟା ସୃଷ୍ଟ’ କଥା ଲେଖା ଅଛି। କିନ୍ତୁ ଭଗବାନ ଜାତି ପ୍ରଥା ତିଆରି କରିନାହାନ୍ତି। ଜାତିପ୍ରଥା ପୂର୍ବ ଭାରତରେ ଓ ଦକ୍ଷିଣ ଭାରତରେ ସେହିଭଳି ତିଆରି ହୋଇନାହିଁ ଯେମିତି ଗଙ୍ଗା ଉପତ୍ୟକାରେ ଜାତିପ୍ରଥା ତିଆରି ହୋଇଛି। ଜାତିର ଅନେକ ବିଭାଜନ, କିଏ ଉଚ୍ଚ କିଏ ନୀଚ, ଏହାକୁ ନେଇ ସାମାଜିକ ବିଜ୍ଞାନୀ ଓ ଇତିହାସବିତମାନେ କିଛିଟା କାରଣ ଦର୍ଶାଇଛନ୍ତି। ଯେମିତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଭୈରବୀ ପ୍ରସାଦ ସାହୁ ପୂର୍ବ ଭାରତରେ ରାଜା ଶାସନ ଓ ମନ୍ଦିର ତୋଳା ସହିତ ଜାତିପ୍ରଥା ଆସିବାକୁ ଦର୍ଶାଉଛନ୍ତି। ଏ ମଧ୍ୟରେ ଭୈରବୀ ପ୍ରସାଦ ସାହୁଙ୍କ ମୃତ୍ୟୁ ହୋଇଗଲାଣି। ହୁଏତ ତାଙ୍କ ଛାତ୍ରଛାତ୍ରୀମାନେ ଏହାକୁ ଅଧିକ ଆଗକୁ ନେବେ। କିନ୍ତୁ ଗୀତାକୁ ସତ୍ୟ ମଣିଥିଲେ କିମ୍ବା ମହାଭାରତର ଦଶାବତାରକୁ ସତ୍ୟ ଭାବିଥିଲେ ପୃଥିବୀର ଗବେଷଣା ସେହିଠାରେ ଅଟକିଯାଇଥା’ନ୍ତା। ବର୍ତ୍ତମାନ କିନ୍ତୁ ଭାରତ ନିଜକୁ ନିଜେ ଅନ୍ଧ ରୁଢ଼ିବାଦୀର ରାସ୍ତା ଆଡ଼କୁ ନେଉଛି। ଏହା ଆମ ସମସ୍ତଙ୍କ ଲାଗି ବିପଦ।
ଦେବ ରଞ୍ଜନ
ମୋବାଇଲ- ୮୪୫୬୯୩୧୪୨୩