/odisha-reporter/media/post_attachments/uploads/2022/11/cow-3.jpg)
cow
- ଜାନକୀଶ ବଡ଼ପଣ୍ଡା
ଆଜି ଚିନି ଅପେକ୍ଷା ଗୁଡ଼ ଦର ଅଧିକ। ଚାଉଳ ଅପେକ୍ଷା ଗରିବ ଲୋକମାନେ ଖାଉଥିବା ମାଣ୍ଡିଆ ଦର ଅଧିକ। ରୋହି ଅପେକ୍ଷା ମହୁରାଳୀ ମାଛ ଦର ଅଧିକ। ଆନ୍ଧ୍ର ମାଛଠୁ ଦେଶୀମାଛର ଦର ଅଧିକ। ବ୍ରଏଲରଠାରୁ ବନରାଜ ଦର ବହୁ ଅଧିକ। ସମୟ ଅନୁସାରେ ଏହି ପରିବର୍ତ୍ତନ ଆସିଛି। ଆଜି ଭାରତୀୟ କୃଷି ବୈଜ୍ଞାନିକ ଓ ଅର୍ଥନୀତିଜ୍ଞମାନେ ଜୈବ-କୃଷି ସପକ୍ଷରେ ମତ ଦେଲେଣି। "ଶ୍ରୀଲଙ୍କାରେ ଜୈବକୃଷି ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବା ଫଳରେ ସେଠାରେ ଖାଦ୍ୟଶସ୍ୟ ଉତ୍ପାଦନ କମିଗଲା" ଭଳି ଅଭିଯୋଗ ପଛରେ ଆନ୍ତର୍ଜାତିକ ରାସାୟନିକ ସାର, କୀଟ-ରୋଗ ନାଶକ ଏବଂ ବିହନ ଉତ୍ପାଦକଙ୍କ ଷଡ଼ଯନ୍ତ୍ର କ୍ରମେ ସ୍ପଷ୍ଟ ହେଉଛି। କେବଳ ଜୈବ-କୃଷି କାରଣରୁ ନୁହେଁ, ବରଂ ସେଠାକାର ସରକାରଙ୍କ ଅଦୂରଦର୍ଶିତା କାରଣରୁ ସମସ୍ୟା ଗୁରୁତର ହୋଇଥିଲା; ଏହା କ୍ରମେ ସ୍ପଷ୍ଟ ହେଉଛି। ଭାରତୀୟ ଚାଷୀଙ୍କ ଆଖିଦୃଶିଆ ଆର୍ଥିକ ଉନ୍ନତି ନହେବା ପଛରେ ଭାରତ ନିର୍ଭର କରୁଥିବା ଓ ଆନ୍ତର୍ଜାତିକ ବଜାରରେ ହୁ ହୁ ହୋଇ ବଢୁଥିବା ଖଣିଜ ତୈଳ, ସାର, ରସାୟନ ଓ ବିହନ ଉପରେ ନିର୍ଭରଶୀଳତା ଯେ ଦାୟୀ, ତାହା ବିଭିନ୍ନ କୃଷକ ସଙ୍ଗଠନ ଅନୁଭବ କଲେଣି। ବୈଜ୍ଞାନିକ ଡାରଉଇନଙ୍କ ତତ୍ତ୍ୱ 'ସକ୍ଷମ ହିଁ ବଞ୍ଚି ରହେ' ଅନୁସାରେ ଭାରତରେ ଆଜି ବି ବଞ୍ଚି ରହିଥିବା ୧୩୯ ପ୍ରକାର ଶାଗ, ୪୩୨ ପ୍ରକାର ବାଇଗଣ ଓ ବହୁ କିସମର ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ଚିଲିକା ମଇଁଷି, ଦୁଧିଆଳୀ ଦେଶୀଗାଈ ଇତ୍ୟାଦି ନିଶ୍ଚୟ ସକ୍ଷମ। ମୃତ୍ତିକା, ଜଳ, ବାୟୁ ପ୍ରଦୂଷିତ ହୋଇ ଚାଲିଥିଲା ବେଳେ ଚାଷୀମାନେ ଫସଲ ଚାଷକରି ଆଶାନୁରୂପ ଲାଭ ପାଉ ନଥିବା କାରଣରୁ ଆମେ କୃଷି ପ୍ରଣାଳୀରେ ପରିବର୍ତ୍ତନ କରିବା ଅତ୍ୟାବଶ୍ୟକ ହୋଇପଡ଼ିଛି। ତେବେ, ଜୈବ-କୃଷି ମାଧ୍ୟମରେ ଦେଶବାସୀଙ୍କ ଖାଦ୍ୟ ଓ ପୁଷ୍ଟି କେତେଦୂର ସୁରକ୍ଷିତ ରହିପାରିବ, ତାହା ହିଁ ହଜାରେ କୋଟି ଟଙ୍କାର ପ୍ରଶ୍ନ।
ଚାଷବାସ କହିଲେ, ସାଧାରଣତଃ ଅନେକେ ଫସଲଚାଷ କଥା ଭାବି ନିଅନ୍ତି। କିନ୍ତୁ, ଫସଲ ଚାଷ ସହ ଗୋମହିଷାଦି ପାଳନ, ମାଛ ଓ ଫୁଲ-ଫଳ ଚାଷର ସମ୍ବନ୍ଧ ଗଭୀର। ଗଂଜାମ ଜିଲ୍ଲାରେ 'ପନ୍ଦରା' ଜାତିର ଚାଷୀମାନେ ଗୋଟିଏ କିଆରୀରୁ ପନ୍ଦର ପ୍ରକାର ଫସଲ ଉତାରି ବର୍ଷ ସାରା ଚଳନ୍ତି। ଆମେ ଆଜି ଯାଏଁ ଗାଈକ୍ଷୀରର ମୂଲ୍ୟକୁ ଗୁରୁତ୍ୱ ଦେଇ ଆସିଛେ ସିନା, ଗୋମୂତ୍ର ଏବଂ ଗୋବରର ମୂଲ୍ୟାୟନ କରିବାକୁ ଚାହିଁନେ। ଗୋଟିଏ ଗାଈ ସୀମିତ ସମୟ ପାଇଁ କ୍ଷୀର ଉତ୍ପାଦନ କରୁଥିଲେ ବି ଏହା ଶେଷ ନିଃଶ୍ୱାସ ନେବା ପର୍ଯ୍ୟନ୍ତ ଗୋବର ଏବଂ ମୂତ୍ର ଉତ୍ପାଦନ କରିଚାଲିଥାଏ। ଏହା କମ୍ପୋଷ୍ଟ, ଜିଆ ଖତ, ଜୈବ-ଅଭିବୃଦ୍ଧିବର୍ଦ୍ଧକ ପ୍ରସ୍ତୁତିରେ ବ୍ୟବହାର ହୋଇପାରିବ; ଯାହା ମାଧ୍ୟମରେ ଅତିରିକ୍ତ ରୋଜଗାର ହେବା ସହିତ ଅଧିକ ଉତ୍ପାଦନ ଏବଂ ଚାଷବାସରେ ଖର୍ଚ୍ଚ କମ୍ ହେବ ବୋଲି କୃଷି ବୈଜ୍ଞାନିକମାନେ ମତ ଦେଉଛନ୍ତି। ଅନେକ ଜୈବଉତ୍ପାଦ (ଜୀବାମୃତ, ପଞ୍ଚଗବ୍ୟ, ଜୈବ-କୀଟନାଶକ ଇତ୍ୟାଦି) ଗାଈଗୋବର ଏବଂ ଗୋମୂତ୍ରରୁ ତିଆରି କରାଯାଇପାରିବ, ଯାହାକୁ ଚାଷୀମାନେ ଡିଏପି ଓ ୟୁରିଆ ସାର ବଦଳରେ ବ୍ୟବହାର କରି ପାରିବେ। ସଚେତନତା, କୌଶଳ ତାଲିମ ଏବଂ ବ୍ୟବସ୍ଥାଗତ କାରଣରୁ ଆଜି ବି ଗୋସମ୍ପଦକୁ ଆମେ ଅବହେଳା କରି ଆସିଛେ। ଯେ ପର୍ଯ୍ୟନ୍ତ ଗାଈଗୋରୁଙ୍କୁ କୃଷି କ୍ଷେତ୍ର ପାଇଁ ଅତ୍ୟାବଶ୍ୟକ ବୋଲି ଚାଷୀମାନେ ହୃଦବୋଧ ନକରିଛନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଭିଆରଆଇ) କହନ୍ତି ଯେ, “କ୍ଷୀର ଦେଉ ନ ଥିବା ଗାଈ ମଧ୍ୟ ବାର୍ଷିକ ୨୦,୦୦୦ ଟଙ୍କା ମୂଲ୍ୟର ଜୈବିକ ଖତ (ଜିଆ ଖତ ସମେତ) ପ୍ରଦାନ କରି ଚାଷୀକୁ ରୋଜଗାର ଦେଇଥାଏ। ଆମେ ଅବିଚାରିତ ଭାବେ ଅଧିକ ଉତ୍ପାଦନ ଆଶାରେ ଡିଏପି, ୟୁରିଆ, ରାସାୟନିକ କୀଟ ଓ ଘାସନାଶକ ଇତ୍ୟାଦି ପ୍ରୟୋଗ କରି ମାଟିର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଛେ ଏବଂ ଏବେ ଏହାର କ୍ଷତି ଭରଣା କରିବା ପାଇଁ ଗାଈ, ଜିଆ ଏବଂ ଅଣୁଜୀବଙ୍କ ଅବଦାନ ଅତ୍ୟାବଶ୍ୟକ।”
ଦେଶୀ ଗାଈଟିଏ ଦିନକୁ ମାତ୍ର ୫-୬ କିଲୋ ଶୁଖିଲା ଖାଦ୍ୟ ଖାଇ ହାରାହାରି ୨ରୁ ୩ ଲିଟର କ୍ଷୀର, ୭-୧୦ ଲିଟର ଗୋମୂତ୍ର ଏବଂ ୧୦ କିଲୋଗ୍ରାମ ଗୋବର ଦେଇଥାଏ। ଯଦି କୃଷକମାନେ କ୍ଷୀର ଅପେକ୍ଷା ଗୋବର ଓ ଗୋମୂତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ଗୋପାଳନକୁ ଆଦରିନେବେ, ରାସାୟନିକ ସାର ଉପରେ କମ୍ପାନୀମାନଙ୍କୁ ଯେତିକି ରିହାତି ଦିଆ ଯାଉଛି, ତାହାଠାରୁ କମ ବ୍ୟୟରେ ସରକାର କିମ୍ବା ଉତ୍କଳ ଗୋମଙ୍ଗଳ ସମିତି ଭଳି ସଙ୍ଗଠନ ଚାଷୀଙ୍କଠାରୁ ଗୋମୂତ୍ର ଓ ଗୋବର କିଣି ପାରିବେ। ଆମର କୃଷି, ଉଦ୍ୟାନ କୃଷି କିମ୍ବା ପଶୁପାଳନ ବିଭାଗର ବିଶେଷଜ୍ଞମାନେ ଏହାର ଗୁରୁତ୍ୱ ବିଷୟରେ ହୁଏତ ଜାଣନ୍ତି ନାହିଁ କିମ୍ବା ଜାଣିଥିଲେ ବି ଚାଷୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ନାହାଁନ୍ତି। ଏଣୁ କୃଷି ବିଶ୍ଵବିଦ୍ୟାଳୟମାନେ ଏହି ଦିଗରେ ଗବେଷଣା କରି ପାଠ୍ୟକ୍ରମରେ ଏହାକୁ ସ୍ଥାନିତ କରିବା ଦରକାର ପଡୁଛି।
ଆମର ବିଦେଶୀ ଗବେଷଣା ଆଧାରିତ ଶିକ୍ଷା ବ୍ୟବସ୍ଥା କୃଷି ଓ କୃଷକଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ। ରାସାୟନିକ ସାର, ଔଷଧ ଓ ଅଧିକ ଅମଳକ୍ଷମ ବିହନ-ବେପାରୀଙ୍କ ସ୍ୱାର୍ଥ ଆଧାରିତ ପାଠ୍ୟକ୍ରମ ଆମେ ବିଗତ ୩୦-୪୦ ବର୍ଷ ଧରି ପଢ଼ି ଆସିଛେ ଓ 'କେବଳ ରାସାୟନିକ ପଦ୍ଧତି ଆପଣାଇଲେ ଆମେ କ୍ଷୁଧା ଦୂର କରିପାରିବା' ଏଭଳି ଆମକୁ ଶିକ୍ଷା ଦିଆଯାଇଛି। ଏବେ ଆମକୁ ଗୋବର, ଗୋମୂତ୍ର ପ୍ରୟୋଗ କରି ଅଧିକ ଅମଳ କରିବାର କୃଷି ପଦ୍ଧତି ବିକଶିତ କରିବାକୁ ପଡୁଛି। ଦିନେ ଜେଜେବାପା ଜୈବକୃଷି ବଦଳରେ ରାସାୟନିକ କୃଷିକୁ ଆପଣାଇ ସର୍ବାଧିକ ଅମଳ ପାଇଥିବାରୁ ପୁରସ୍କୃତ ହୋଇଥିଲେ, ନାତି ଏବେ ଜୈବ-କୃଷିରୁ ତାହା ଅପେକ୍ଷା ଅଧିକ ଅମଳ କରି ପୁରସ୍କୃତ ହେବାର ସମୟ ଆସିଛି।
କିନ୍ତୁ ଏହା କିପରି ସମ୍ଭବ? ଆଜି ବି ଭାରତରେ ୨୦ ପ୍ରତିଶତ ୟୁରିଆ ବିଦେଶରୁ ଆମଦାନୀ ହୁଏ। ପୋଟାସ ଏବଂ ଫସଫରସ୍ ଜାତୀୟ ସାର ପାଇଁ ଆମେ ବିଦେଶ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ବାୟୁମଣ୍ଡଳରେ ୭୮ ପ୍ରତିଶତ ଯବକ୍ଷାରଜାନ ଥିଲେ ବି ଆମେ ଏହାକୁ ୟୁରିଆ ଆକାରରେ କିଣି ଗୋଦାମରେ ସାଇତିଛୁ। ଯଦି ଆମେ ଗୋବର-ଗୋମୂତ୍ର ବ୍ୟବହାର ଆରମ୍ଭ କରିବା, ମାଟିରେ ଯବକ୍ଷାରଜାନ ପରିମାଣ ବଢ଼ିଯିବ, ୟୁରିଆ କିଣିବା ଆବଶ୍ୟକ ହେବ ନାହିଁ।
ଚାଷ କଥା କହିଲାବେଳେ ପଶୁପକ୍ଷୀପାଳନ ଓ ମତ୍ସ୍ୟ ଚାଷକୁ ଅଣଦେଖା କରିହେବ ନାହିଁ। ଆମେ ଉତ୍ତମ ଦେଶୀ ପ୍ରଜାତିର ଗାଈ ଯଥା: ସାହିୱାଲ, ତରପରକର, ଗିର ଇତ୍ୟାଦି ଗୋସମ୍ପଦର ଗୁଣସୂତ୍ର ଉନ୍ନତି ଦିଗରେ ଯୋଜନା ସଠିକ୍ ଢଙ୍ଗରେ କରିନେ। ଆମ ଦେଶରେ ସବୁଜ ବିପ୍ଳବ ସହିତ ଶ୍ୱେତ ବିପ୍ଳବ ଆରମ୍ଭ ହୋଇଥିଲା। କିନ୍ତୁ ଆମେ ସ୍ୱଦେଶୀ ଗାସମ୍ପଦର ଉନ୍ନୟନ ପାଇଁ ପ୍ରଯତ୍ନ କରିବା ବଦଳରେ ଆମ ଜଳବାୟୁ ପାଇଁ ଅନୁପଯୋଗୀ ଅଥଚ ଦୁଧିଆଳୀ ବିଦେଶୀ ପ୍ରଜାତିକୁ ପ୍ରାଧାନ୍ୟ ଦେଇଆସିଛେ। ପରିଣାମରେ ଦେଶୀ ପ୍ରଜାତିଗୁଡ଼ିକ ଲୋପ ପାଇଚାଲିଲେ। ଯଦି ସ୍ୱାଧୀନତା ପ୍ରାପ୍ତି ଆରମ୍ଭରୁ ଏହି ଦିଗରେ ଧ୍ୟାନ ଦିଆଯାଇଥାନ୍ତା, ଆମ ଓଡ଼ିଶାର ସ୍ଥାନୀୟ ଗାଈମାନେ ଆଜି ଦୈନିକ ୧୦ ଲିଟର କ୍ଷୀର ଦେଉଥାଆନ୍ତେ। ଚାଷୀମାନେ ସେମାନଙ୍କୁ ବୁଲାଗୋରୁ ହେବାକୁ ଦେଇନଥାନ୍ତେ। ଏବେ ସିନ୍ଧି, ସାହିୱାଲ ଏବଂ ଗିର ପ୍ରଜାତିର ଦେଶୀ ଗାଈଙ୍କର ଚାହିଦା କାହିଁରେ କ'ଣ। ଆମ ଓଡ଼ିଶାର ବିଞ୍ଝାରପୁର, ଘୁମୁସର, ଖରିଆର, ମୋଟୁ ଇତ୍ୟାଦି ପ୍ରଜାତିଗୁଡ଼ିକ କ୍ରମଶଃ ସଙ୍କର ଜାତୀୟ ହୋଇଗଲେଣି। ୧୯୩୬ ମସିହାରେ ପ୍ରତିଷ୍ଠିତ ଉତ୍କଳ ଗୋମଙ୍ଗଳ ସମିତି ଦେଶୀ-ଗୋସମ୍ପଦର ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ ଅବଦାନ ଦେଇଥିଲେ ବି ଆଜି ସ୍ଥାଣୁ ପ୍ରାୟ। ଏହାକୁ ପୁଣି ଥରେ ଚଳଚଞ୍ଚଳ କରିବାର ସମୟ ଆସିଛି।
ଏବେ ସମଗ୍ର ବିଶ୍ୱରେ ପଞ୍ଜୀକୃତ ହୋଇଥିବା ଗୋମୂତ୍ର ସମ୍ବନ୍ଧିତ ସାତୋଟି ପେଟେଣ୍ଟ ଅଛି, ସେଥିମଧ୍ୟରୁ ଆମେରିକାରେ ଚାରିଟି ଏବଂ ଭାରତରେ ତିନୋଟି ଅଛି। ଆମେ ରାସ୍ତାରେ ଗାରୁଙ୍କୁ ଛାଡ଼ିଦେଉଥିବା ବେଳେ ଗୋମୂତ୍ରରୁ କର୍କଟ ରୋଗର ଔଷଧ ପ୍ରସ୍ତୁତ କରୁଛନ୍ତି ମାର୍କିନ ବୈଜ୍ଞାନିକ। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥର ଏକ ଗବେଷଣାରୁ ମିଳିଥିବା ତଥ୍ୟ ଚମକପ୍ରଦ। ଗବେଷକମାନେ ବିଶ୍ଵାସ କରୁଛନ୍ତି ଯେ ଭବିଷ୍ୟତରେ ଏଚ୍ଆଇଭି (ଏଡ଼ସ) ବିରୋଧରେ ପ୍ରତିଷେଧକ ଟିକା ତିଆରି କରିବାରେ ଗାଈ ସହାୟକ ହେବେ। କାରଣ, ଗାଈମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବଶାଳୀ ହୋଇଥିବାରୁ ସେମାନେ ଏଭଳି ଆଣ୍ଟିବଡି ସୃଷ୍ଟି କରନ୍ତି, ଯାହା ଏଚ୍ଆଇଭି ଚିକିତ୍ସା ସହ ତାହାକୁ ବିଲୋପ କରିପାରିବ।
ଭାରତରେ ୨.୭ ଏବଂ ଓଡ଼ିଶାର ୧୦ ପ୍ରତିଶତ ଜମିରେ ଆଜି ବି ବିଶୁଦ୍ଧ ଜୈବିକ ଏବଂ ପ୍ରାକୃତିକ ଚାଷ କରାଯାଉଛି। ୨୦୦୫ ମସିହାରେ ଆମେ ସରକାରୀ ସ୍ତରରେ ଜୈବିକ ଚାଷପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଆରମ୍ଭ କରିଥିଲେ ଏବଂ ୨୦୧୫-୧୬ରେ ପ୍ରଥମଥର ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନା (PKVY) ପ୍ରବର୍ତ୍ତନ କରାଗଲା। ବର୍ଷେ ତଳେ ରସାୟନଭିତ୍ତିକ ଚାଷର କୁପ୍ରଭାବକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ପ୍ରାକୃତିକ ଚାଷକୁ ଦେଶରେ ଏକ ଜନଆନ୍ଦୋଳନ ରୂପେ ଗଢ଼ି ତୋଳିବାକୁ ନିବେଦନ କରିଥିଲେ। ତଥାପି, କୃଷିନୀତି ନିର୍ଣ୍ଣୟକାରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଅଭାବ, ଜୈବିକ ଏବଂ ପ୍ରାକୃତିକ ଚାଷ ସପକ୍ଷରେ ବୈଜ୍ଞାନିକମାନଙ୍କ ମଧ୍ୟରେ ଅସହମତି ତଥା କେବଳ ଅମଳର ପରିମାଣ ଆଧାରରେ ମୂଲ୍ୟାଙ୍କନ କରିବାର ପ୍ରବୃତ୍ତି ଆମକୁ ଆଜି ବି ବିଭ୍ରାନ୍ତ କରି ରଖିଛି। ସେମାନଙ୍କ ମନରେ ଦ୍ୱନ୍ଦ୍ୱ: ଆମେ ରସାୟନ ଭିତ୍ତିକ ଚାଷ କରିବା ନା ପରମ୍ପରାଗତ କୃଷିକୁ ଆପଣେଇବା!
ତଥ୍ୟାନୁସାରେ, ପ୍ରାୟ ୪୧ ପ୍ରତିଶତ କ୍ଷେତ୍ରରେ ଜୈବିକ ଉପାୟ, ୩୩ ପ୍ରତିଶତ କ୍ଷେତ୍ରରେ ଉଭୟ ଜୈବିକ-ରସାୟନ ସମନ୍ୱିତ ଉପାୟ ଏବଂ ୨୬ ପ୍ରତିଶତ କ୍ଷେତ୍ରରେ ରସାୟନିକ କୃଷିରୁ ସର୍ବାଧିକ ଅମଳ ମିଳିଥିଲା। ଅନେକ ଜୈବିକ ଫସଲ ଚାଷରୁ ସର୍ବାଧିକ ଅମଳ ପାଇବା ପାଇଁ ମାଟିର ଉର୍ବରତା ବଢ଼ାଇବାକୁ ସମୟ ଲାଗିଥାଏ। ସୁସ୍ଥ ମୃତ୍ତିକା ସୁରକ୍ଷିତ ଖାଦ୍ୟ ଉତ୍ପାଦନ ପାଇଁ ଅତ୍ୟାବଶ୍ୟକ। ମାଟିରେ ଥାଏ ବହୁବିଧ ପୋଷକ ତତ୍ତ୍ୱ, ଜୈବ-ଅଙ୍ଗାର ଏବଂ ଅନେକ ଉପକାରୀ ଅଣୁଜୀବ ମଣ୍ଡଳ। ଜୈବିକ କୃଷି ଏହାକୁ ପରିପୁଷ୍ଟ କରେ ଓ ଫସଲକୁ ଅଣୁସାର ଉପଲବ୍ଧ ହୁଏ। ଯବକ୍ଷାରଜାନ, ଫସଫରସ୍ ଏବଂ ପୋଟାସିୟମ୍ ପରି ସାର ସହିତ ଅନେକ ଦୁଷ୍ପ୍ରାପ୍ୟ ଅଣୁସାର ଜୈବିକ କୃଷିରେ ହିଁ ଫସଲକୁ ମିଳିଥାଏ। ଲୁହା, ମାଙ୍ଗାନିଜ୍, ଜିଙ୍କ ଏବଂ ତମ୍ବା ପରି ଅଣୁସାର ମାଟିରେ ଥିଲେ ବି ଜୈବିକ ଉପାୟରେ ଚାଷ କଲେ ୭୬ ପ୍ରତିଶତ ଅଧିକ ମାତ୍ରାରେ ଗଛକୁ ମିଳେ। ପ୍ରାକୃତିକ ଚାଷ ଏବଂ ଶୂନ୍ୟ ବଜେଟ୍ ପ୍ରାକୃତିକ କୃଷି (ZBNF) କଲେ ମାଟିର ସ୍ୱାସ୍ଥ୍ୟ ଏବଂ ଉର୍ବରତା, ପୋଷକ ତତ୍ତ୍ୱ, ମୃତ୍ତିକା ଜୈବ-ଅଙ୍ଗାର ଓ ଏନଜାଇମ୍, ଜିଆ, ମାଟି ଭିତରେ ବାୟୁ ଚଳାଚଳ ଏବଂ ଅଣୁଜୀବମଣ୍ଡଳ ବୃଦ୍ଧି ହୁଏ। ପ୍ରାକୃତିକ ଚାଷ ପ୍ରଣାଳୀରେ ଫସଲ ପ୍ରତିକୂଳ ଜଳବାୟୁ ପରିସ୍ଥିତିରେ ମଧ୍ୟ ସାମଗ୍ରିକଭାବେ ସ୍ଥିର ରହେ। ଶୂନ୍ୟ ବଜେଟ୍ ପ୍ରାକୃତିକ କୃଷି ପ୍ରଣାଳୀ ଭୂତଳ ଜଳର ଅବକ୍ଷୟ ରୋକିବାରେ ସାହାଯ୍ୟ କରି ମାଟିର ଜଳଧାରଣ କ୍ଷମତା ବୃଦ୍ଧି କରେ। ଜୈବିକ ଉପାୟରେ ଉତ୍ପାଦିତ ଫସଲର ଖାଦ୍ୟ ଗୁଣବତ୍ତା ଓ ପୁଷ୍ଟି ଅତି ଭଲ। ପନିପରିବା ଗୁଡ଼ିକ ମଧ୍ୟ ଦେଖିବାକୁ ଲୋଭନୀୟ। ଜୈବିକ ଉପାୟରେ ଉତ୍ପାଦିତ ଫସଲର ଗ୍ରାହକୀୟ ଚାହିଦା ଅଧିକ ଥିବାରୁ ଅଧିକ ଦରରେ ବିକ୍ରି ହୁଏ। ଚାଷରେ ବ୍ୟବହୃତ ଜୈବିକ ଉପାଦାନଗୁଡ଼ିକୁ ଚାଷୀ ବଜାରରୁ ନ କିଣି ନିଜେ ଉତ୍ପାଦନ କଲେ କମ୍ ଖର୍ଚ୍ଚକରି ଅଧିକ ଲାଭ ପାଇବା ସୁନିଶ୍ଚିତ। ବିଭିନ୍ନ ବୈଜ୍ଞାନିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଜୈବିକ ଓ ପ୍ରାକୃତିକ ଚାଷ କଲେ ସବୁ ପ୍ରକାର ଫସଲର ଅମଳ ବହୁତ ଅଧିକ ନ ହେଲେବି ଲାଭ-ଖର୍ଚ୍ଚର ଅନୁପାତ ରାସାୟନିକ ଚାଷ ତୁଳନାରେ ଅନେକ ଗୁଣ ଅଧିକ।
ଆମକୁ ଏଭଳି ଏକ ରାସ୍ତା ବିକାଶ କରିବାକୁ ପଡ଼ିବ, ଯାହାଫଳରେ ଆମେ ଏକାଧାରରେ ଦେଶବାସୀଙ୍କ ପୁଷ୍ଟିକର ଖାଦ୍ୟ ସୁରକ୍ଷା, କୃଷକଙ୍କ ଜୀବିକା, ପ୍ରକୃତି-ସଂରକ୍ଷଣ, ଜୈବ ବିବିଧତା ଇତ୍ୟାଦିକୁ ପୁନର୍ଜୀବନ ଦେଇପାରିବା। ଏହି ରାସ୍ତାଟି ହୁଏତ ଦେଶର କୃଷି-ଜଳବାୟୁ ବିଭିନ୍ନତା ଆଧାରରେ ଭିନ୍ନ ହୋଇପାରେ; କିନ୍ତୁ ସେସବୁ ଅଞ୍ଚଳରେ ଦୀର୍ଘକାଳୀନ କାର୍ଯ୍ୟକ୍ରମ ଭାବେ ଚାଷୀଙ୍କ କୌଶଳଦକ୍ଷତା ବୃଦ୍ଧି, ମୃତ୍ତିକା-ସ୍ୱାସ୍ଥ୍ୟରକ୍ଷା, ରୋଗପୋକଙ୍କୁ ଦୂରେଇ ରଖି ଜଳବାୟୁ ସଙ୍କଟ ଦୂର କରିବା ପାଇଁ ସମର୍ଥ ହେବ। ଏହି ରାସ୍ତା ଏପରି ହେବା ଦରକାର, ଯାହା ଫଳରେ କୃଷି-ପରିବେଶ ରକ୍ଷା କରିବା ପାଇଁ ଚାଷୀଙ୍କୁ ବୈଷୟିକ ଏବଂ ଆର୍ଥିକ ସହାୟତା ମାଧ୍ୟମରେ ପ୍ରୋତ୍ସାହନ ମିଳିପାରିବ। ରାସାୟନିକ କୃଷି ବ୍ୟବସ୍ଥାରୁ ଜୈବିକ ଏବଂ ପ୍ରାକୃତିକ ଚାଷକୁ ଆଦରିନେବା ପାଇଁ କିଛି ବର୍ଷ ସମୟ ଲାଗିପାରେ। ଏହି ଅନ୍ତରୀଣ ସମୟରେ କୃଷକମାନଙ୍କୁ ପ୍ରୋତ୍ସାହନ ସହାୟତା କରାଯିବାକୁ ସରକାର ବିଶେଷ ଧ୍ୟାନ ଦେବା ଉଚିତ। ବିଶ୍ୱ ପରିବେଶ ଓ ଜଳବାୟୁ ପାଇଁ ଏକ ହିତକାରକ ବ୍ୟବସ୍ଥା ଆପଣେଇବା ନିଶ୍ଚୟ ଏକ ଉଚ୍ଚାଭିଳାଷୀ ପରିକଳ୍ପନା। ଏହାକୁ ଦେଶବ୍ୟାପୀ କରାଯିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ, ପାଣ୍ଠି ଓ ଉତ୍ତରଦାୟିତ୍ୱ ଆବଣ୍ଟନ ସହିତ କେନ୍ଦ୍ର-ରାଜ୍ୟ ମଧ୍ୟରେ ସହଯୋଗ ଅତ୍ୟାବଶ୍ୟକ। ଫଳରେ ଜୈବିକ ଫସଲର ବିକ୍ରି ବ୍ୟବସ୍ଥା ସୁନିୟନ୍ତ୍ରିତ ହୋଇପାରିବ। କମ୍ ମୂଲ୍ୟରେ ଉପଯୁକ୍ତ ଜୈବିକ ସାର ପ୍ରସ୍ତୁତି, ପ୍ରୟୋଗ ଏବଂ ଉପଲବ୍ଧ କରିବା ପାଇଁ ପଦକ୍ଷେପ ନେଇହେବ।
କେବଳ ଯୋଜନା କରିଦେଲେ ହେବନି। ଏହାକୁ ଚାଷୀଙ୍କ ଦ୍ୱାରା ଗ୍ରହଣୀୟ ଓ ଲାଭଜନକ କରିବାକୁ ପଡ଼ିବ। ସେମାନଙ୍କ ଉତ୍ପାଦିତ ଫସଲ ଯେ ଜୈବିକ ଉତ୍ପାଦ, ଏଥିପାଇଁ ସରଳ ପ୍ରକ୍ରିୟାରେ, ସୁବିଧାଜନକ ଭାବେ, ସ୍ୱଳ୍ପ ଖର୍ଚ୍ଚରେ ଗ୍ୟାରେଣ୍ଟି ସିଷ୍ଟମ୍ ଅଫ୍ ଇଣ୍ଡିଆରୁ ସଂସ୍ଥାଗତ ପ୍ରମାଣ ଯୋଗାଇଦେବାକୁ ପଡ଼ିବ। ଜୈବିକ ଏବଂ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ପଡ଼ିବ। ଫଳରେ ମୂଲ୍ୟ ଶୃଙ୍ଖଳା ବିକଶିତ ହେବ, ଚାଷୀଙ୍କୁ ନିଜ ଜୈବିକ ଉତ୍ପାଦ ବିକ୍ରୟ ଏବଂ ପରିଶ୍ରମର ମୂଲ୍ୟ ମିଳିବ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
