Advertisment

Budget: କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ବଜେଟ୍‌

ଭାରତବର୍ଷର ବିଦ୍ୱାନ ଓ ଚିନ୍ତାଶୀଳ ସମସ୍ତ ପଣ୍ଡିତମାନେ ଏକତ୍ରିତ ହୋଇ ଯେଉଁ ସମ୍ବିଧାନ ପ୍ରଣୟନ ସଭାରେ ଅନେକ ତର୍କ ବିତର୍କ ପରେ ଭାରତବର୍ଷ ପାଇଁ ସମ୍ବିଧାନଟିଏ ସ୍ଥିର କରିଥିଲେ ତାହା ସବୁଦୃଷ୍ଟିରୁ ଅତ୍ୟନ୍ତ ଚମତ୍କାର ଥିଲା ।

author-image
Jitendra Garnayak
BUDGET

*ପଞ୍ଚାନନ କାନୁନ୍‌ଗୋ

ଭାରତବର୍ଷର ବିଦ୍ୱାନ ଓ ଚିନ୍ତାଶୀଳ ସମସ୍ତ ପଣ୍ଡିତମାନେ ଏକତ୍ରିତ ହୋଇ ଯେଉଁ ସମ୍ବିଧାନ ପ୍ରଣୟନ ସଭାରେ ଅନେକ ତର୍କ ବିତର୍କ ପରେ ଭାରତବର୍ଷ ପାଇଁ ସମ୍ବିଧାନଟିଏ ସ୍ଥିର କରିଥିଲେ ତାହା ସବୁଦୃଷ୍ଟିରୁ ଅତ୍ୟନ୍ତ ଚମତ୍କାର ଥିଲା । ପ୍ରକୃତିଦତ୍ତ ଭୂମି, ଜଳବାୟୁର ସ୍ଥିତିକୁ ନେଇ ବିଭିନ୍ନ ରାଜ୍ୟରେ ହେଉଥିବା ଉତ୍ପାଦନର ଭିନ୍ନତାକୁ ମଧ୍ୟ ଦୃଷ୍ଟିରେ ରଖାଯାଇଥିଲା । ଭାରତ ବର୍ଷର ପରମ୍ପରାକୁ ଲକ୍ଷ୍ୟକରି ଭାରତବର୍ଷରେ ଏକ ସଂଘୀୟ ବ୍ୟବସ୍ଥା ପ୍ରଚେଷ୍ଟା କରାଯାଇଥିଲା । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ଉଭୟଙ୍କ ପାଇଁ ଦୁଇଟି ପୃଥକ୍‌ ସରକାର ରଖିବା ସହିତ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ସୁଚିନ୍ତିତ ସିଦ୍ଧାନ୍ତ ନିଆଯାଇଥିଲା । ରାଜ୍ୟ ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେହିସବୁ ତାଲିକା ଭିତରେ ଥିବା ବିଷୟ ଉପରେ ରାଜ୍ୟ ତାର ସମସ୍ତ ନିଷ୍ପତ୍ତି ନେଉଥିଲା । କେନ୍ଦ୍ର ପାଇଁ ଭିନ୍ନ ଏକ ତାଲିକା ପ୍ରସ୍ତୁତ କରାଯାଇ କୁହାଯାଇଥିଲା ଯେ, ସେହି ସମସ୍ତ ବିଷୟଗୁଡ଼ିକ ଉପରେ କେନ୍ଦ୍ର ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦାୟିତ୍ୱ ସମ୍ପନ୍ନ କରିବ । ସମ୍ବିଧାନରେ କେନ୍ଦ୍ର ଓ ରାଜ୍ୟ ଉଭୟଙ୍କ ପାଇଁ ଅନେକଗୁଡ଼ିଏ ବିଷୟ ରଖାଯାଇ ଉଭୟେ ସେହି ବିଷୟ ଉପରେ ସମସ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଥିଲା । ଏହାକୁ ଉଭୟ ତାଲିକାଭୁକ୍ତ ବିଷୟ ବୋଲି କୁହାଯାଇଥାଏ । ଅର୍ଥାତ୍‌ କେନ୍ଦ୍ର ପାଇଁ କେନ୍ଦ୍ର ତାଲିକା, ରାଜ୍ୟ ପାଇଁ ରାଜ୍ୟ ତାଲିକା ଓ ଉଭୟଙ୍କ ପାଇଁ ଉଭୟ ତାଲିକା । ଏହିପରି ତିନିଗୋଟି ତାଲିକା ସମ୍ବିଧାନରେ ସ୍ଥାନିତ ହୋଇଥିଲା । ଯେଉଁଠି କେନ୍ଦ୍ର ନିଷ୍ପତ୍ତି ନେଇଥିବ ହୁଏତ ରାଜ୍ୟ ନିଷ୍ପତ୍ତିର କୌଣସି ଆବଶ୍ୟକତା ପଡ଼ିବ ନାହିଁ । ଯେଉଁଠି ରାଜ୍ୟ ନିଷ୍ପତ୍ତି ନେଇଥିବ କେନ୍ଦ୍ର ନିଷ୍ପତ୍ତିର ଆବଶ୍ୟକତା ପଡ଼ିବ ନାହିଁ । କେନ୍ଦ୍ର ଓ ରାଜ୍ୟ ଉଭୟଙ୍କ ପାଇଁ ଆୟର ବ୍ୟବସ୍ଥା ଭିନ୍ନ ଭିନ୍ନ ଭାବରେ କରାଯାଇଥିଲା । କେନ୍ଦ୍ର କରୁଥିବା ଆୟର ଆବଣ୍ଟନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

Advertisment

ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କିଛି କେନ୍ଦ୍ରୀୟ ଆୟ ପାଞ୍ଚ ବର୍ଷରେ ବସୁଥିବା ଗୋଟିଏ ଅର୍ଥ କମିଶନ୍‌ ଜରିଆରେ ବଣ୍ଟନ କରାଯିବାର ବ୍ୟବସ୍ଥା ହୋଇଥିଲା । ଏହି ବଣ୍ଟନ ବ୍ୟବସ୍ଥା ଏପରି ଥିଲା ଯେ, ପ୍ରଥମେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ବଣ୍ଟନ କରାଯାଉଥିଲା ଓ ରାଜ୍ୟମାନଙ୍କ ପାଇଁ ସ୍ଥିର ହୋଇଥିବା ପାଣ୍ଠି ଏକ ନିର୍ଦ୍ଦିଷ୍ଠ ଧାରାରେ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଥିଲା । ରାଜ୍ୟମାନଙ୍କୁ ଦିଆଯାଉଥିବା ଅର୍ଥ ନିମନ୍ତେ ଏକ ମାପକ ସୂଚୀ ପ୍ରସ୍ତୁତ ହେଉଥିଲା । ଭିନ୍ନ ଭିନ୍ନ ଅର୍ଥ କମିଶନ୍‌ ମାପକଗୁଡ଼ିକ ସ୍ଥିର କରିବା ସହିତ କାହା ଉପରେ କେତେ ଗୁରୁତ୍ୱ ଦେବେ ସେସବୁ ଉପରେ ନିଷ୍ପତ୍ତି ନେଉଥିଲେ । ତାହା ବିଭିନ୍ନ ସମୟରେ ସେସବୁ ନିର୍ଣ୍ଣୟ କରୁଥିଲେ । କେନ୍ଦ୍ର ଆୟ କରୁଥିବା ଆୟ ମଧ୍ୟରେ ଯାହାସବୁ ରହିଥିଲା ସେଥିରୁ ଅନେକ କିଛି ଆୟର ବ୍ୟବସ୍ଥା ବାଦ୍‌ ପଡ଼ିଥିଲା । ଯାହାକି କେନ୍ଦ୍ର ଆୟ କରିବା ସହିତ ତାହାକୁ ଆବଣ୍ଟନ ପ୍ରକ୍ରିୟାରେ ସାମିଲ୍‌ କରୁନଥିଲା । ରାଜ୍ୟ ନିଜର ଆୟ ପାଇଁ ଟିକସ ବସାଇବାର କ୍ଷମତା ପ୍ରାପ୍ତ ହୋଇଥିଲା ଓ ସେ ଆଦାୟ କରୁଥିବା ସମସ୍ତ ଆୟ ନିଜ ଟିକସ ବ୍ୟବସ୍ଥାରୁ ନିଜ ବ୍ୟୟ ପାଇଁ ବ୍ୟବହାର କରୁଥିଲା । ଏବେ ଗତ କିଛିଦିନ ହେବ ଦେଖାଯାଉଛି, ରାଜ୍ୟର ଆୟ ପୁରାପୁରି ସଂକୁଚିତ ହୋଇଛି ଓ କେନ୍ଦ୍ର ହାତରେ ସମସ୍ତ ଆୟ ଠୁଳ ହେଉଛି । ଏପରିକି ରାଜ୍ୟ ତା ନିଜ ମାଟିତଳେ ଥିବା ସଂପଦ ବିକ୍ରି କରିବା ଓ ସେଥିରୁ ମିଳୁଥିବା ଆୟର ବିନିଯୋଗ କରିବା କ୍ଷମତାଟି ହରାଇ ବସିଛି । ତାହାସବୁ କେନ୍ଦ୍ର ହାତରେ ଠୁଳ ହୋଇଛି । ଅଧିକନ୍ତୁ, ରାଜ୍ୟ ଭିତରେ ଥିବା ଲୋକମାନେ ଯେଉଁସବୁ ପଦାର୍ଥ କିଣିଥାନ୍ତି ବା ବିକିଥାନ୍ତି, ସେସବୁ ଉପରେ ଟିକସ ବସୁଥିଲା । ସମସ୍ତ ଟିକସ ଆଦାୟ କରି ରାଜ୍ୟ ନିଜର ବ୍ୟୟ ପାଇଁ ଖର୍ଚ୍ଚ କରୁଥିଲା ।

ଏବେ ରାଜ୍ୟର ସମସ୍ତ ଟିକସ ବ୍ୟବସ୍ଥା ଏକତ୍ରିତ ହୋଇ ଗୋଟିଏ ଟିକସ ଜିଏସ୍‌ଟି ହେବାର ବ୍ୟବସ୍ଥା କରାଯାଇଛି । ଯେଉଁଥିରୁ କେନ୍ଦ୍ର-ରାଜ୍ୟକୁ ଅଧା ଟିକସ ଦେବାର ସ୍ଥିର କରାଯାଇଛି । କେଉଁ ବିଷୟରେ କେତେ ଟିକସ ବସିବ ତାହା ମଧ୍ୟ କେନ୍ଦ୍ର ଅଧିନସ୍ଥ ଏକ କାଉନ୍‌ସିଲ୍‌ ଧାର୍ଯ୍ୟ କରିବେ । ସେମାନେ ଜାଣନ୍ତି ନାହିଁ ଜଗନ୍ନାଥଙ୍କ ପାଖରେ ମିଳୁଥିବା ଅଭଡା ଏକ ହୋଟେଲ୍‌ରେ ମିଳୁଥିବା ଖାଦ୍ୟପରି ବ୍ୟବସାୟୀକ ବ୍ୟବସ୍ଥା ନୁହେଁ । ସେମାନେ ଜାଣନ୍ତି ନାହିଁ, ଓଡ଼ିଶାରେ ମିଳୁଥିବା ଗରିବ ଲୋକର ମୁଢ଼ି, ଖଇ ଅବା ଚୁଡ଼ା ଖାଦ୍ୟସାମଗ୍ରୀ ଉପରେ ଟିକସ ବସିବା ଉଚିତ୍‌ ନୁହେଁ । ଗରିବ, ଜଙ୍ଗଲ ମୂଲକର ମଣିଷ ଯେଉଁ ପତର ତୋଳି ବିକ୍ରି କରେ ପେଟ ପୋଷେ ତା’ ଉପରେ ଟିକସ ବସିବା ଉଚିତ୍‌ ନୁହେଁ ବୋଲି କେନ୍ଦ୍ରର ଲୋକମାନେ ଜାଣନ୍ତି ନାହିଁ । ଅନେକ କଥା କେନ୍ଦ୍ରୀୟ କମିଟିରେ ଥିବା ଅନ୍ୟ ରାଜ୍ୟର ବିଦ୍ୱାନ ପଣ୍ଡିତମାନଙ୍କୁ ଜଣାନାହିଁ । ତଥାପି କେନ୍ଦ୍ରୀୟ କମିଟି ହାତରେ ଟିକସ ବସାଇବା ବ୍ୟବସ୍ଥାଟି ସମର୍ପି ଦିଆଗଲା । ରାଜ୍ୟ ନିଜର ବ୍ୟୟ ପାଇଁ ବା ଆବଶ୍ୟକତା ପାଇଁ ପୁରାପୁରି କେନ୍ଦ୍ର ଉପରେ ନିର୍ଭରଶୀଳ । ଅନେକ କାର୍ଯ୍ୟକ୍ରମ କେନ୍ଦ୍ରସ୍ତରରେ ସ୍ଥିର ହେଉଥିଲା । ତାହା ମୁଖ୍ୟତଃ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ସବୁରେ ଖର୍ଚ୍ଚ ହେଉଥିଲା । କେନ୍ଦ୍ରୀୟ ଯୋଜନା ପୁରାପୁରି କେନ୍ଦ୍ର ଦ୍ୱାରା ସମ୍ପାଦିତ ହେଉଥିଲା । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଅଂଶ ସ୍ଥିର ହେଉଥିଲା । ଯେଉଁଥିରେ କେନ୍ଦ୍ର ୯୦ ପ୍ରତିଶତ ଓ ରାଜ୍ୟ ୧୦ ପ୍ରତିଶତ, କେନ୍ଦ୍ର ୭୫% ଓ ରାଜ୍ୟ ୨୫% ଏହିପରି ଭାବେ ବ୍ୟୟବଣ୍ଟନ କରାଯାଉଥିଲା । ଏବେ ଗତ କିଛିବର୍ଷ ହେଲା ଏହିସବୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ରର ଅଂଶ ୬୦% ରଖାଯାଇ ରାଜ୍ୟର ଅଂଶ ୪୦% କୁ ବୃଦ୍ଧି କରାଯାଇଛି । ରାଜ୍ୟମାନଙ୍କ ଉପରେ ଆର୍ଥୀକ ବୋଝ ବଢ଼ିଯାଇଛି ।

Advertisment

କେନ୍ଦ୍ର ପାଖରେ ଅନେକ ପୁଞ୍ଜି କେବଳ ଯେ, ଠୁଳ ହେଉଛି ତାହା ନୁହେଁ, ଠୁଳ ହେବାର ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି । ସେଥିମଧ୍ୟରେ ବିଶେଷତଃ ରିଜର୍ଭ ବ୍ୟାଙ୍କର ଲାଭାଂଶ ଓ ବିଭିନ୍ନ ବ୍ୟାଙ୍କ୍‌ ତଥା ବୀମା ସଂସ୍ଥା ପାଖରେ ରହୁଥିବା ଲାଭାଂଶ ତଥା ଠୁଳ ହେଉଥିବା ଧନରାଶି ଦାବିଦାର ନଥିବାରୁ ଠୁଳ ହେଉଥିବା ପୁଞ୍ଜିରାଶି କେବଳ କେନ୍ଦ୍ର ହିଁ ଭୋଗ କରିଥାଏ । କେନ୍ଦ୍ର ନିଜ ପାଖରେ ଥିବା କ୍ଷମତାଟି ବ୍ୟବହାର କରି ସେସ୍‌, ଅତିରିକ୍ତ ଆୟକର, ସର୍‌ଚାର୍ଜ ଆଦି ଆଦାୟ କରି ନିଜର ପୁଞ୍ଜି ବୃଦ୍ଧି କରିଥାଏ । ଏକ ଅତ୍ୟାଧୁନିକ ବ୍ୟବସ୍ଥା କେନ୍ଦ୍ର ଲୋକମାନଙ୍କ ଉପରେ ଲଦିଦେଇଛି । ତାହା ହେଉଛି ରାଜ୍ୟ ଭିତରେ ତିଆରି ହୋଇଥିବା ଜାତୀୟ ରାଜପଥ ଓ ନଦୀ ଉପରେ ନିର୍ମିତ ପୋଲମାନଙ୍କ ଉପରେ ପ୍ରଚୁର ପରିମାଣର ଟୋଲ୍‌ ଆଦାୟ କରାଯାଉଛି । ଏହି ଟୋଲ୍‌ର ସମସ୍ତ ଅଂଶରୁ ରାଜ୍ୟକୁ କିଛି ମିଳିନଥାଏ । ଅଧିକନ୍ତୁ, ଦେଖିବାକୁ ମିଳୁଛି ଯେ, କେନ୍ଦ୍ର ଇଚ୍ଛାକରି ପ୍ରଚୁର ପରିମାଣର ଋଣ ସଂଗ୍ରହ କରିପାରୁଛି । ସେପରି ସ୍ଥଳରେ ରାଜ୍ୟମାନେ ଋଣ କରିବା ଉପରେ ଅନେକ ପ୍ରତିବନ୍ଧକ ରହିଛି । ଏହିପରି ଭାବେ କେନ୍ଦ୍ର-ରାଜ୍ୟର ଆର୍ଥୀକ ଅବସ୍ଥାଟି ବର୍ତ୍ତମାନ ଏକ ଅସଜଡ଼ା ଅବସ୍ଥାକୁ ଆସିଯାଇଛି । ଯେଉଁଥିରେ କେନ୍ଦ୍ର ସର୍ବଶକ୍ତିମାନ ହୋଇଥିବା ବେଳେ ରାଜ୍ୟମାନେ ଦୁର୍ବଳରୁ ଦୁର୍ବଳତମ ସ୍ଥିତିକୁ ଖସିଯାଉଛନ୍ତି । କେବଳ ସେତିକି ନୁହେଁ, କେନ୍ଦ୍ରପାଖରେ ଠୁଳ ହୋଇଥିବା ଇଚ୍ଛାଧୀନ ପାଣ୍ଠି କେନ୍ଦ୍ର ତା’ର ନିଜ ଇଚ୍ଛାରେ ବଣ୍ଟନ କରିଆସୁଛି । ସେହି ସମୟରେ ଗୋଟିଏ ରାଜନୈତିକ ବାଧ୍ୟ ବାଧକତା ଲକ୍ଷ୍ୟ କରାଯାଉଛି । ଯେଉଁ ରାଜ୍ୟମାନେ କେନ୍ଦ୍ରୀୟ ଶାସିତ ରାଜନୈତିକ ଦଳ ବା ପରମ୍ପରା ଠାରୁ ଭିନ୍ନ ଶାସନ ଆପଣାଇଥାନ୍ତି ସେହିସବୁ ରାଜ୍ୟପ୍ରତି ଅବିଚାର କରାଯାଉଛି । ପାଣ୍ଠି ଦେବାରେ ବିଳମ୍ବ, ପାଣ୍ଠିର ପରିମାଣ ଦେବାରେ ସଂକୋଚନ ଆଦି ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥାଏ । ଅତଏବ ଆଜିର ରାଜ୍ୟ ନିଜେ ଏକ ସ୍ୱତନ୍ତ୍ର କ୍ଷମତା ସମ୍ପନ୍ନ ଶାସନ ବ୍ୟବସ୍ଥାର ଅଧିକାରୀ ନୁହେଁ । ଯାହାକି ମୂଳ ସମ୍ବିଧାନରେ ଥିଲା । ଏକ ସମୟରେ ଏକ ଦେଶ, ଏକ ଶାସକ, ଏକ ପତାକା ଧ୍ୱନି ଦେଉଥିବା ଦଳ ଓ ତାର ବିଚାରଧାରାକୁ ଭାରତବର୍ଷର ସମ୍ବିଧାନ ଦୂରେଇ ରଖିଥିଲା । ଏବେ ସେହି ଚିନ୍ତା ଓ ସେହି ବିଚାର ସମସ୍ତ ଦେଶରେ ଆଚ୍ଚାଦିତ ହୋଇଛି । ଫଳତଃ ରାଜ୍ୟ ଅବା ରାଜ୍ୟମାନେ ନିଜର ସ୍ୱାଧୀନ ଓ ସ୍ୱତନ୍ତ୍ର ପରମ୍ପରା ହରାଇ ସାରିଲେଣି ।

ଏପରି ଏକ ପରିପ୍ରେକ୍ଷୀରେ ଏବେ ଓଡ଼ିଶାର ବଜେଟ୍‌ ଉପସ୍ଥାପନ କରାଯିବାର ଅଛି । ଫେବୃଆରୀ ୨୦ ତାରିଖରେ ଓଡ଼ିଶା ପାଇଁ ବଜେଟ୍‌ ଉପସ୍ଥାପନ ହେବ । ନିଜର ଆୟ ବୃଦ୍ଧି ପାଇଁ କୌଣସି କ୍ଷମତା ରାଜ୍ୟ ପାଖରେ ଆଦୌ ନାହିଁ । ଆୟ ସଂଗ୍ରହ ପାଇଁ କେନ୍ଦ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଯଦିଓ ରାଜ୍ୟ ଓ କେନ୍ଦ୍ରରେ ଏକଦଳୀୟ ସରକାର ପ୍ରତିଷ୍ଠିତ ହୋଇଛି, ଯାହାକୁ କି ଡବଲ୍‌ ଇଞ୍ଜିନ୍‌ ସରକାର ବୋଲି କୁହାଯାଉ ଅଛି, ସେପରି ସ୍ଥଳରେ ରାଜ୍ୟ ବଜେଟ୍‌ ତାର ସ୍ୱତନ୍ତ୍ର ସତ୍ତା ହରାଇ ବସିଛି । ନା ଅଛି ଏଥିରେ ଆୟ କରିବାର ରାଜ୍ୟର ସ୍ୱତନ୍ତ୍ର ଭୂମିକା ବା ବ୍ୟୟ କରିବାର ନିଜ ଭିତରେ ଥିବା କିଛି କ୍ଷମତା । ଏପରି ସ୍ଥଳରେ ଓଡ଼ିଶା ବଜେଟ୍‌ କ’ଣ ହେବ, କାହା ସ୍ୱାର୍ଥରେ ହେବ ସେସବୁର ଆଲୋଚନା କରିବା ଅର୍ଥହୀନ । ରାଜ୍ୟ ଯାହାକିଛି ଋଣ କରିବ ବା ବାହ୍ୟ ନିବେଶ ଆମନ୍ତ୍ରଣ କରି ରାଜ୍ୟରେ ଖଟାଇବ ଏବଂ କେନ୍ଦ୍ରୀୟ ଅଭିବୃଦ୍ଧିର ଏକ ଶକ୍ତିଶାଳୀ ଅଂଶ ବୋଲି ଘୋଷଣା କରିବ ତାହା ହିଁ ଆସନ୍ତା ବଜେଟ୍‌ରେ ଖୋଜାପଡ଼ିବ ଓ ଚର୍ଚ୍ଚା ହେବ । କେନ୍ଦ୍ର-ରାଜ୍ୟର ସମ୍ପର୍କର ସ୍ୱତନ୍ତ୍ରତା ଏବେ ଆଦୌ ନାହିଁ । ବରଂ ରାଜ୍ୟ କେନ୍ଦ୍ରର ଅଧସ୍ଥନ ବା କେନ୍ଦ୍ର ଟାଣୁଥିବା ଇଞ୍ଜିନ୍‌ର ଏକ ସହଯୋଗୀ ଇଞ୍ଜିନ୍‌ ଭାବେ ରହିଲାଣି । ସମ୍ବିଧାନ ପ୍ରଣେତାମାନେ ଯେଉଁ ବିଚାର ନେଇ ସମ୍ବିଧାନ ପ୍ରଣୟନ କରିଥିଲେ ରାଜ୍ୟମାନଙ୍କୁ ସେଠିକାର ଜଳବାୟୁ, ଆଞ୍ଚଳିକ ସ୍ଥିତି, ଆଞ୍ଚଳିକ ଆବଶ୍ୟକତାକୁ ଲକ୍ଷ୍ୟ ରଖି ଯେଉଁସବୁ ନିଷ୍ପତ୍ତି ନେଇଥିଲେ, ସେସବୁ ଆଜି ପ୍ରାୟ ଲୋପ ପାଇଲାଣି । ବିବିଧତା ଭିତରେ ଶକ୍ତି ସଞ୍ଚୟ ଆଜି ଆଉ ନାହିଁ । ବରଂ ଶକ୍ତି ଠୁଳ ହେବା ଓ କେନ୍ଦ୍ରର ଶକ୍ତିକୁ ନେଇ ରାଜ୍ୟକୁ କେନ୍ଦ୍ରର ଇଚ୍ଛାମତେ କିଛି କିଛି ପ୍ରଦାନ କରିବା ଏହା ହେଉଛି ବର୍ତ୍ତମାନ କେନ୍ଦ୍ର-ରାଜ୍ୟ ସମ୍ପର୍କର ସର୍ବଶ୍ରେଷ୍ଠ ବିଚାର ।

କେନ୍ଦ୍ର-ରାଜ୍ୟର ସମ୍ପର୍କ ଏବେ ପୁରାପୁରି ବଦଳିଗଲାଣି । ସବୁ କ୍ଷେତ୍ରରେ କେବଳ ଆର୍ଥୀକ ଆବଣ୍ଟନରେ ନୁହେଁ, ରାଜନୈତିକ ବ୍ୟବସ୍ଥାରେ ମଧ୍ୟ ସତେ ଯେପରି କେନ୍ଦ୍ର ରାଜ୍ୟକୁ ନିଜ ଇଚ୍ଛାମତେ ଚଳାଇବାର ବ୍ୟବସ୍ଥା ଭିତରେ ରହିଛି ତାହା ଜଣାପଡୁଛି । ଏବେ ଆହୁରି ଏକ କଥା ଦେଖିବାକୁ ମିଳୁଛି ଯେ, ଦେଶରେ ଥିବା ଭାଷା ଓ ସଂସ୍କୃତିର ଭିନ୍ନତାକୁ ଲୋପ କରି ଗୋଟିଏ ଭାଷା ଓ ଏକ ସଂସ୍କୃତିକୁ ସମସ୍ତଙ୍କ ଉପରେ ଲଦିଦେବାର ଉଦ୍ୟମ ଚାଲିଛି । ଭିନ୍ନ ଭାବରେ କୁହାଯାଉଥିଲେ ମଧ୍ୟ କେନ୍ଦ୍ରରେ ଶାସନ କରୁଥିବା ଦଳ ତାର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମେନ୍ତ ଉଦ୍ୟମ ଆରମ୍ଭ କରିଛି । ସେମାନଙ୍କର ଉଦ୍ୟମ ଉତ୍ତରକୁ ପଶ୍ଚିମ ଓ ପୂର୍ବ ଦିଗକୁ ବ୍ୟାପୀବାରେ ଦେଖାଯାଉଛି । ଯେଉଁ ପଶ୍ଚିମ ଓ ପୂର୍ବ ଭାଗରେ ଥିବା ରାଜ୍ୟମାନେ ନିଜ ନିଜର ଭିନ୍ନ ଭିନ୍ନ ସଂସ୍କୃତି, ଆଧ୍ୟାତ୍ମିକ ଧାରା, ଭିନ୍ନ ଭିନ୍ନ ଭାଷାର ଅଧିକାରୀ ଥିଲେ, ସେମାନଙ୍କୁ ହିନ୍ଦୀ ଭାଷାଭାଷୀ ଅଞ୍ଚଳର ସାଂସ୍କୃତିକ ବିଚାର, ସାମାଜିକ ବିଚାର ଆପଣାଇବାକୁ ବାଧ୍ୟ କରାନଗଲେ ମଧ୍ୟ ଭିନ୍ନ ଭିନ୍ନ କୌଶଳ ମାଧ୍ୟମରେ ପ୍ରବର୍ତ୍ତାଯାଉଛି । କେବଳ ଯାହା ଦକ୍ଷିଣ ଭାରତର କେତୋଟି ରାଜ୍ୟ ଏହିସବୁ ଜବରଦସ୍ତି ବ୍ୟବସ୍ଥାରୁ ଦୂରେଇ ରହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର-ରାଜ୍ୟର ସମ୍ପର୍କ ଅର୍ଥନୈତିକ, ରାଜନୈତିକ, ସାମାଜିକ ବ୍ୟବସ୍ଥାରେ ଥିବା ଭିନ୍ନତାକୁ ନେଇ ବିଚାର କରାଯିବା ଉଚିତ୍‌ । ସମସ୍ତ ବିବିଧତାକୁ ରକ୍ଷାକରି ନିଜର ସ୍ୱତନ୍ତ୍ର ପରିଚୟ ନଷ୍ଟ ନକରି ନିଜ ନିଜର ଅସ୍ମିତାକୁ ରକ୍ଷା କରି ସମ୍ପର୍କ ଧାର୍ଯ୍ୟ କରାଯିବାର ସମୟ ଆସିଲାଣି । ବର୍ତ୍ତମାନ ଉପସ୍ଥାପିତ ହୋଇଥିବା ରାଜ୍ୟପାଳଙ୍କ ଅଭିଭାଷଣ ଅନୁଧ୍ୟାନ କରାଯିବା ଦରକାର ଓ ଆଗାମୀ ଦିନରେ ପାରିତ ହେବାକୁ ଥିବା ବଜେଟ୍‌କୁ ମଧ୍ୟ ଦେଖିବାର ଅଛି । ଏହି ଦୁଇ ବ୍ୟବସ୍ଥା ଭିତରେ ଜଣାପଡ଼ିଯିବ ଯେ, କେନ୍ଦ୍ର କିପରି ରାଜ୍ୟ ଉପରେ ସବୁଦିଗରୁ ଚାପ ସୃଷ୍ଟି କରି ଭାରାକ୍ରାନ୍ତ କରିଛି ।