ରବି ଦାସ
ଦୀର୍ଘ ୨୪ ବର୍ଷ ଧରି ଲଗାତାର ଭାବରେ ଓଡ଼ିଶାରେ ଶାସନ କରିବା ପରେ ବିଜେଡ଼ି ଗତ ନିର୍ବାଚନରେ ରାଜ୍ୟରେ କ୍ଷମତାଚ୍ୟୁତ ହୋଇଛି। କେବଳ ସେତିକି ନୁହେଁ, ଏହି ଦଳ ୧୯୯୭ ଡିସେମ୍ବରରେ ଗଠିତ ହେବା ପରଠାରୁ ୧୯୯୮, ୧୯୯୯, ୨୦୦୪ ଲୋକସଭା ନିର୍ବାଚନରେ ବିଜେପି ସହିତ ମେଣ୍ଟ ଓ ପରେ ୨୦୦୯ଠାରୁ ୨୦୧୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏକାକୀ ନିର୍ବାଚନ ଲଢ଼ି ମଧ୍ୟ ଲୋକସଭାରେ ଏହାର ସ୍ଥିତିକୁ ଯେପରି ବଜାୟ ରଖିଥିଲା, ୨୦୨୪ରେ ସେଥିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟି ଏଥର କୌଣସି ଲୋକସଭା ଆସନ ପାଇପାରି ନାହିଁ। ବିଜୁ ଜନତା ଦଳ ପାଇଁ ଏହା ଏକ ଲଜ୍ଜ୍ୟାଜନକ ସ୍ଥିତି ହେଲେ ମଧ୍ୟ ରାଜ୍ୟରେ ଏହା କ୍ଷମତା ହରେଇବା ଦଳ ପାଇଁ ପ୍ରକୃତ ସମସ୍ୟା ସୃଷ୍ଟି କରିଛି।
ବିଜୁ ଜନତା ଦଳ ଯେଉଁ ୨୪ ବର୍ଷ କାଳ ରାଜ୍ୟରେ ଶାସନ କରିଛି ତାହା ସମ୍ପୂର୍ଣ୍ଣ ଭାବରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ନିର୍ଭର କରି ଚାଲିଥିଲା। ନବୀନଙ୍କ ବୟସ ୨୦୨୪ ନିର୍ବାଚନ ବେଳକୁ ଯେଉଁ ଅବସ୍ଥାରେ ରହିଛି, ସେଥିରେ ଦଳରେ ଦ୍ୱିତୀୟ ପିଢ଼ି ନେତୃତ୍ୱର ଆବଶ୍ୟକତା ଥିବାବେଳେ ଜଣେ ଅଣଓଡ଼ିଆ ପ୍ରଶାସନିକ ଅଫିସର ଭି.କେ ପାଣ୍ଡିଆନଙ୍କୁ ଚାକିରୀରୁ ବାହାର କରି ନବୀନଙ୍କ ଦ୍ୱିତୀୟ ପିଢ଼ି ନେତା ଭାବରେ ଯେପରି ଉପସ୍ଥାପିତ କରାଗଲା, ତାହାର ପରିଣତି ହେଲା ଯେ ଦଳ ରାଜ୍ୟରେ କ୍ଷମତାଚ୍ୟୁତ ହେଲା ଓ ଲୋକସଭାରେ ଗୋଟିଏ ହେଲେ ଆସନ ପାଇଲା ନାହିଁ। ଯେଉଁ ନେତାମାନେ ନବୀନ କ୍ଷମତାରେ ଥିବାରୁ ଓ ପାଣ୍ଡିଆନ୍ ତାଙ୍କର ଏକାନ୍ତ ବିଶ୍ୱସ୍ତ ଥିବାରୁ ବାସ୍ତବ ସ୍ଥିତି ବିଷୟରେ କହିବାର ସାହାସ ଜୁଟାଇ ପାରୁନଥିଲେ ସେମାନେ ଦଳ କ୍ଷମତାଚ୍ୟୁତ ହେବା ପରଠାରୁ ଧୀରେ ଧୀରେ କହିବା ଆରମ୍ଭ କରିଛନ୍ତି, ଯଦିଓ ବିଜୁ ଜନତା ଦଳର ବିଧାନସଭାରେ ୫୧ ଜଣ ସଦସ୍ୟ ଅଛନ୍ତି ଓ ନବୀନ ପଟ୍ଟନାୟକ ଦଳର ସଭାପତି ଆସନ ସହିତ ବିରୋଧି ଦଳର ନେତା ମଧ୍ୟ ଅଛନ୍ତି।
ସେମାନେ ନିର୍ବାଚନରେ ଦେଖିଲେ ଯେ, ଖୋଦ୍ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରୁଥିବା ଗୋଟିଏ ଆସନରେ ପରାଜିତ ହୋଇଥିବାବେଳେ ନିଜର ପାରମ୍ପରିକ ଆସନ ହିଞ୍ଜିଳିକାଟୁରୁ ମାତ୍ର ୪ ହଜାର ଭୋଟରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ସେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ଫଳରେ ସାରା ରାଜ୍ୟରେ ତାଙ୍କର ଯେଉଁ ଲୋକପ୍ରିୟତା ଓ ଭାବମୁକ୍ତି ଅଛି ତା’ ସହିତ ସମକକ୍ଷ ହେଲା ଭଳି ରାଜ୍ୟରେ ଅନ୍ୟ କୌଣସି ଦଳରେ ନେତା ନାହାନ୍ତି। କିନ୍ତୁ ଏହି ଆଧାର ଉପରେ ନିର୍ଭର କରି ବିଜୁ ଜନତା ଦଳର ଯେଉଁ ନେତାମାନେ ଗତ ନିର୍ବାଚନରେ ଉପେକ୍ଷିତ ହୋଇଛନ୍ତି ଓ ଦଳ ଭିତରେ ବିଭ୍ରାନ୍ତି ଯୋଗୁଁ ପରାଜିତ ହୋଇଛନ୍ତି, ସେମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନବୀନ ପଟ୍ଟନାୟକଙ୍କର କାର୍ଯ୍ୟଶୈଳୀକୁ ନେଇ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀ ସେହି ଶ୍ରେଣୀର। କିନ୍ତୁ ଅସଲ ସମସ୍ୟା ସୃଷ୍ଟିର ମୁଖ୍ୟ କାରଣ ହେଉଛି ଯେ, ନବୀନ ପଟ୍ଟନାୟକଙ୍କ ବୟସ ଏବେ ୭୯ରେ ପହଂଚିଥିବା ବେଳେ ଆଗାମୀ ୫ ବର୍ଷ ପାଇଁ ସେ ଦଳର ନେତୃତ୍ୱ ନେଇ ପୁଣି ଥରେ ଦଳକୁ କ୍ଷମତାଶୀଳ କରିପାରିବେ ବୋଲି ଦଳର ଯୁବଗୋଷ୍ଠୀର ସଦସ୍ୟମାନେ ଯେଉଁମାନେ ଅଧିକ ବର୍ଷ ରାଜନୀତି କରିବାକୁ ଭାବିଛନ୍ତି, ସେମାନେ କେତେ ଦୂର ଭରସା କରିବେ?
ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ସତ୍ତ୍ୱେ ତାଙ୍କ ହାତରେ ରାଜ୍ୟର କ୍ଷମତା ନଥିବାରୁ ଜିଲ୍ଲାପାଳ, ଏସପି, ପୋଲିସ ବାହିନୀ ଓ ସରକାରୀ କଳ ତାଙ୍କ ନିର୍ଦ୍ଦେଶରେ ବା ଇଙ୍ଗିତରେ କାମ କରିବେ ନାହିଁ। ଗତ ବର୍ଷ ଭି.କେ ପାଣ୍ଡିଆନଙ୍କୁ ଦଳର ଉତ୍ତରାଧିକାରୀ ଭାବରେ ଉପସ୍ଥାପିତ କରି ଯେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବରେ ରାଜ୍ୟ ଗସ୍ତ କଲେ ତାହାକୁ ବିଜେଡ଼ିରେ ସେତେବେଳେ ବିଧାୟକ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ବାଦ ଖବରକାଗଜର ସମ୍ପାଦକ ଭାବରେ ସମାଲୋଚନା କରି ଦୁଇ-ତିନୋଟି ଲେଖା ପ୍ରକାଶ କରିବାରୁ ସିଧାସଳଖ ଭାବରେ ତାଙ୍କ ଅନୁଷ୍ଠାନ ବିରୁଧରେ ଏପରି କାର୍ଯ୍ୟାନୁଷ୍ଠାନ ହେଲା ଯେ, ସମ୍ବାଦପତ୍ର ବଞ୍ଚାଇବା ପାଇଁ ସେ ସମ୍ପାଦକ ପଦରୁ ଇସ୍ତଫା ଦେଲେ ଓ ତାଙ୍କୁ ବିଜେଡ଼ିରୁ ବହିଷ୍କାର କରି ଦିଆଗଲା। ସେତେବେଳେ ହୁଏତ ଏହି ଘଟଣା ଅନ୍ୟମାନଙ୍କୁ ନୂଆ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ମାନିବାକୁ ପରୋକ୍ଷରେ ବାଧ୍ୟ କରିଥିଲା। ହେଲେ ଏବେ ଦଳ କ୍ଷମତାଚ୍ୟୁତ ହେବା ପରେ ସେହି ପରିବେଶ ନାହିଁ। ଏକ ବିରୋଧି ଦଳ ଭାବରେ ବିଜେଡ଼ି କାର୍ଯ୍ୟ କରିବା ପାଇଁ କେଉଁସବୁ ଆଦର୍ଶଗତ ଓ ନୀତିଗତ ପାର୍ଥକ୍ୟ ରାଜ୍ୟରେ କ୍ଷମତାସୀନ ବିଜେପିଠାରୁ ପ୍ରଦର୍ଶନ କରିବ ତାହାକୁ ଏପର୍ଯ୍ୟନ୍ତ ଚିହ୍ନଟ କରିପାରିନାହିଁ।
ତେଣୁ ସରକାରୀ ଦଳ ବା ବିଜେପି ତାଙ୍କ ସରକାର ଦ୍ୱାରା ଚିହ୍ନଟ କାର୍ଯ୍ୟକ୍ରମ ଓ ସ୍କିମ୍ ଗୁଡ଼ିକ କେବଳ ନାମ ପରିବର୍ତ୍ତନ କରି ଚଳାଇଛନ୍ତି ବୋଲି ଆକ୍ଷେପ କରୁଛନ୍ତି। ସେହିପରି ସରକାରଙ୍କ ଶାସନଗତ ବିଫଳତାକୁ ପୁଞ୍ଜିକରି ସରକାର ବିରୁଧରେ ସମାଲୋଚନା କରୁଛନ୍ତି। କିନ୍ତୁ ନୀତିଗତ ଭାବରେ ବିଜେପି ସରକାରକୁ ସମାଲୋଚନା କରିବା ପାଇଁ ସେମାନଙ୍କ ପାଖରେ କୌଣସି ଅସ୍ତ୍ର ନାହିଁ। ବରଂ ପୂର୍ବ ସରକାର ସମୟରେ ୫-ଟି ଠାରୁ ଆରମ୍ଭ କରି ସେମାନେ ଲୋକପ୍ରିୟ ହୋଇଥିଲେ ବୋଲି ଭାବୁଥିଲେ, ସେଥିରେ ଥିବା ବିଭିନ୍ନ ଦୁର୍ନୀତି ଓ ଅନୀତିକୁ ନୂଆ ସରକାର ଉତ୍ଥାପନ କରି ପୂର୍ବ ସରକାର ବିରୁଧରେ ଆକ୍ରମଣ କରୁଛନ୍ତି।
ରାଜ୍ୟର ଆର୍ଥିକ କ୍ଷେତ୍ରରେ ଯେଉଁ ସଫଳତା ହୋଇଥିବା ଦାବୀ କରାଯାଉଛି, ତାହାର ମୂଳଭିତ୍ତି ହେଉଛି ରାଜ୍ୟର ଖଣିଜ ସମ୍ପଦ। ଓଡ଼ିଶାର ବିପୁଳ ଖଣିଜ ସମ୍ପଦକୁ କମ୍ପାନୀମାନଙ୍କୁ ଲିଜ୍ ଦିଆଯାଇ ଆଇନ ଓ ବେଆଇନ୍ ଭାବରେ ଯେଉଁ ଖଣିଜ ସମ୍ପଦ ଉତ୍ତୋଳିତ ହୋଇଛି, ସେଥିରେ ରୟାଲିଟି ଓ ରାଜଭାଗ ଭାବରେ ଓଡ଼ିଶାର ରାଜସ୍ୱ ବଢ଼ିଛି। ତା’ ଛଡ଼ା ଏହି ସବୁ ଖଣିଜ ସମ୍ପଦକୁ ବୋହିନେବା ପାଇଁ ରାଜ୍ୟରେ ବିପୁଳ ପରିବହନ ବ୍ୟବସ୍ଥା ହେବା ଯୋଗୁ ରାଜ୍ୟର ପରିବହନ ଆୟ ମଧ୍ୟ ବଢ଼ିବା ସହିତ ରାସ୍ତାଘାଟର ସମ୍ପ୍ରସାରଣ ହୋଇଛି। ଏହାକୁ ବିକାଶ ଭାବରେ ଉପସ୍ଥାପିତ କରାଯାଉଛି। ରାଜ୍ୟର ସମ୍ବଳ ବୃଦ୍ଧି ଯୋଗୁ ଲୋକମାନଙ୍କୁ କେଉଁ ବାଟରେ କ’ଣ ଅର୍ଥଦାନ କରି ସେମାନଙ୍କୁ ସରକାରୀ ଦଳ ସହିତ ରଖାଯାଇପାରିବ ସେଥିପାଇଁ ସ୍କିମ୍ ଓ କାର୍ଯ୍ୟକ୍ରମ କରାଯାଇଛି। କିନ୍ତୁ ଯେଉଁ ସବୁ ଅଞ୍ଚଳରେ ରାଜ୍ୟର ବିପୁଳ ଖଣିଜ ସମ୍ପଦ ରହିଛି, ଯଥା- କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, ଅନୁଗୁଳ, ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ପ୍ରଭୃତି ଜିଲ୍ଲାଗୁଡ଼ିକରେ ଯେଉଁମାନେ ଏହି ଖଣିଜ ସମ୍ପଦକୁ ବର୍ଷ ବର୍ଷ ଧରି ଜଗିରହି ସେମାନଙ୍କର ଜୀବନ ଜୀବିକା ଜଙ୍ଗଲ ଓ ଚାଷ ଯୋଗୁ ଚଳାଉଥିଲେ, ସେମାନେ ଖଣିଜ ସମ୍ପଦର ବିକାଶ ଓ ତାହାକୁ ନେଇ ଶିଳ୍ପ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ନିଃସ୍ୱ ହୋଇଯାଇଛନ୍ତି।
ସେହି ସବୁ ଅଞ୍ଚଳରେ ରହୁଥିବା ଆଦିବାସୀ, ଦଳିତ ଓ ଗରିବ ଶ୍ରେଣୀ ସମ୍ପ୍ରଦାୟ ଏବେ ବି ରାଜ୍ୟର ଦରିଦ୍ରତମ ତାଲିକାରେ ଶେଷ ଭାଗରେ ଅଛନ୍ତି। ସରକାରଙ୍କ ଦ୍ୱାରା ଦିଆଯାଉଥିବା ମାଗଣା ରେସନ୍ ଓ କିଛି ଭତ୍ତାକୁ ଆଧାର କରି ସେହି ଲୋକମାନେ କାଳ କଟାଉଛନ୍ତି। ସେମାନଙ୍କର ଅଧିକାଂଶ ଲୋକଙ୍କ ଚାଷ ଜମି ଓ ଜଙ୍ଗଲ ଚାଲିଯିବା ଫଳରେ ନିଜସ୍ୱ ନିଯୁକ୍ତି ପାଇଁ ସେମାନେ ଦାଦନ ଶ୍ରମିକ ଭାବରେ ଯାଉଛନ୍ତି। ଯେଉଁଠାରେ କୋଇଲା ଖଣିଗୁଡ଼ିକ ଅଛି ଓ ଏବେ ମଧ୍ୟ ନୂଆ ନୂଆ କୋଇଲା ଖଣି ଲିଜ୍ ଦିଆଯାଉଛି ସେହି ସବୁ ଅଞ୍ଚଳରେ ଏହି ସ୍ଥାନ ଗୁଡ଼ିକରେ ଚାଷଜମି ଓ ଜଙ୍ଗଲ ରହିଥିବାରୁ କୋଇଲା ଖଣି ପାଇଁ ସେହି ଜମି ଦେଇ ଦିଆଯିବା ଫଳରେ ଲକ୍ଷ ଲକ୍ଷ ଲୋକ ଚାଷ ଓ ନିଜସ୍ୱ ବୃତ୍ତିରୁ ବଂଚିତ ହେଉଛନ୍ତି। ଯେଉଁଠାରେ ବକ୍ସାଇଟ ରହିଛି, ସେଠାରେ ପରିସ୍ଥିତି ଆହୁରି ଭୟଙ୍କର ହେଉଛି। ଜମି, ଜଙ୍ଗଲ, ଝରଣା, ପାହାଡ଼ ସବୁ ନଷ୍ଟ ହୋଇ ଲୋକମାନଙ୍କୁ ନିସ୍ୱ କରିଦେବା ପରେ କେବଳ ସରକାରୀ ସାହାଯ୍ୟରେ କିପରି ସେମାନେ କାଳକାଳ ବଂଚିବେ? ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସେହି ସବୁ ଅଞ୍ଚଳ ରାଜ୍ୟର ସବୁଠାରୁ ପଛରେ ଅଛନ୍ତି କାହିଁକି? ବିଜୁ ଜନତା ଦଳ ସରକାର ରହି ୨୪ ବର୍ଷ କାଳ ଯେଉଁ ନୀତି ଗ୍ରହଣ କରିଥିଲା, ଏବେ ତାହା ବିରୁଦ୍ଧରେ ମତ ଦେଇପାରିବ କି? ବିଜେଡ଼ିର ଏହି ଦୁର୍ବଳତା ସହିତ ନବୀନଙ୍କ ବୟସ ବିଜେଡ଼ି ପାଇଁ ପ୍ରତିଦିନ ନୂଆ ନୂଆ ଆହ୍ୱାନ ସୃଷ୍ଟି କରିଚାଲିବ।
ଫୋ- ୯୪୩୭୪୦୪୪୫୫