ରବି ଦାସ
ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନର ଅନ୍ତ ଘଟାଇ ଗତ ନିର୍ବାଚନରେ ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକର୍ଷଣରେ ବିଜେପିକୁ ରାଜ୍ୟରେ ଗାଦିନସୀନ କଲା ପରେ ମୋହନ ଚରଣ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ୧୦୦ ଦିନର କାର୍ଯ୍ୟ ଶେଷ କରିଛନ୍ତି। କିନ୍ତୁ ୫ ବର୍ଷ ପାଇଁ ଜନମତ ପାଇଥିବା ବିଜେପି ସରକାର ପାଇଁ ଏହାର ପରବର୍ତ୍ତୀ ସମୟଗୁଡ଼ିକରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟରେ କି ଶାସନ ଓ ବିକାଶର ବାର୍ତ୍ତା ଆଣୁଛନ୍ତି ତାହା ଉପରେ ତାଙ୍କର ନେତୃତ୍ୱ ଓ ବିଜେପିର ଭବିଷ୍ୟତ ବହୁ ପରିମାଣରେ ନିର୍ଭର କରିବ। କାରଣ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିବା ଫଳରେ ରାଜ୍ୟର ଅମଲାତନ୍ତ୍ର ଓ ଲୋକମାନଙ୍କ ସମ୍ମୁଖରେ ଏପରି ଏକ ସ୍ଥିତିରେ ପହଂଚିଥିଲେ ଯେଉଁଥିରେ ମୋହନ ଚରଣ ମାଝୀଙ୍କ ପ୍ରତ୍ୟେକ କାର୍ଯ୍ୟକୁ ନବୀନ ପଟ୍ଟନାୟକଙ୍କ ମାପକାଠିରେ ଲୋକମାନେ ବିଚାର କରିବେ।
ସେହି ଦୃଷ୍ଟିରୁ ମୋହନ ଚରଣ ମାଝୀଙ୍କ ପାଇଁ ଆଗାମୀ ଦିନଗୁଡ଼ିକରେ କାର୍ଯ୍ୟ ଓ ନିଷ୍ପତ୍ତି ସହିତ ଶାସନର ଢାଞ୍ଚା ଆହ୍ୱାନପୂର୍ଣ୍ଣ ହୋଇ ରହିବା ସ୍ୱାଭାବିକ। ୧୦୦ ଦିନର ଶାସନରେ ମୋହନ ଚରଣ ମାଝୀଙ୍କ ସରକାର ନିର୍ବାଚନର ଏକ ପ୍ରତିଶ୍ରୁତି ଅନୁସାରେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଓ ରତ୍ନଭଣ୍ଡାର ଖୋଲିବା ପାଇଁ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି କେତେଦୂର ପାଳନ ହୋଇଛି ତାହା ବାସ୍ତବରେ ଲୋକମାନଙ୍କ ପାଇଁ ଏକ ଉପଲବ୍ଧି ଭାବରେ ବେଶିଦିନ ଲୋକେ ବିଚାରକୁ ନେବେ ନାହିଁ।
ଅସଲକଥା ହେଉଛି ପୂର୍ବ ଶାସନ ଅପେକ୍ଷା ମୋହନ ଚରଣ ମାଝୀଙ୍କ ଶାସନର ଭିନ୍ନତା ଜନସାଧାରଣ ଅନୁଭବ କରିବା ଓ ସେହି ଅନୁସାରେ ତାଙ୍କୁ ମୂଲ୍ୟାୟନ କରିବା ସମୟ ପହଂଚିଯାଇଛି। ଏହି ସମୟ ଭିତରେ ରାଜଧାନୀ ଭୁବନେଶ୍ୱରରେ ଭରତପୁର ଥାନାରେ ଘଟିଥିବା ଘଟଣା ସହିତ ରାଉରକେଲା ଓ ଅନ୍ୟ କେତେକ ପ୍ରାନ୍ତରେ ମହିଳାମାନଙ୍କ ବିରୋଧରେ ହୋଇଥିବା ହିଂସା ଘଟଣାଗୁଡ଼ିକ ଅଧିକ ଭାବରେ ଆଲୋଚିତ ହେବା ସ୍ୱାଭାବିକ କଥା। ଏହିସବୁ ଘଟଣା ରାଜ୍ୟ ଶାସନରେ ପରିବର୍ତ୍ତନର ବାର୍ତ୍ତାକୁ ଠିକ୍ ଭାବରେ ପହଞ୍ଚାଇବା ଦିଗରେ ଭଲ ସଂକେତ ଦେଇନାହିଁ। ଏହିସବୁ ଘଟଣାଗୁଡ଼ିକ ଭିତରେ ପୋଲିସ ଉପରେ ସାଧାରଣରେ ଭରତପୁର ଘଟଣାରେ ନିନ୍ଦା ହେବା ଯୋଗୁ ସେମାନେ ସରକାରଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ପୋଲିସ ସଂଘ ପକ୍ଷରୁ ଏକ ବିଦ୍ରୋହର ବାର୍ତ୍ତା ପ୍ରଦାନ ଦ୍ୱାରା ସରକାରକୁ ଶାସନକୁ ସଜାଡ଼ିବା ପାଇଁ କିପରି କଠୋର ଆଭିମୁଖ୍ୟ ନେବାକୁ ପଡ଼ିବ ତାହା ପରିଷ୍କାର ହୋଇଯାଇଛି।
ନବୀନ ପଟ୍ଟନାୟକଙ୍କ ସରକାରକୁ ଏକ ଅମଲାତାନ୍ତ୍ରିକ ସରକାର କୁହାଯିବାର ଯଥେଷ୍ଟ କାରଣ ଓ ତଥ୍ୟ ଥିଲେ ମଧ୍ୟ ଶାସନ ପାଇଁ ଅମଲାତନ୍ତ୍ରର ଉପଯୋଗିତା ସମସ୍ତଙ୍କୁ ଜଣା। ଓଡ଼ିଶାରେ ୨୪ ବର୍ଷ ଧରି ଜଣେ ବ୍ୟକ୍ତି ଓ ଗୋଟିଏ ଦଳର ଶାସନ ରହିବା ଫଳରେ ଅମଲାତନ୍ତ୍ର ଭିତରେ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ସହଯୋଗୀମାନଙ୍କ ପ୍ରଭାବ ରହିବାରେ କିଛି ଆଶ୍ଚର୍ଯ୍ୟ ହେବାରେ ନାହିଁ। ରାଜ୍ୟରେ ପ୍ରତି ୫ ବର୍ଷ କିମ୍ବା ୧୦ ବର୍ଷରେ ଶାସନ ପରିବର୍ତ୍ତନ ହେଉଥିଲେ ଅମଲାତନ୍ତ୍ର ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ସରକାର ପ୍ରତି ସହଜରେ ଆନୁଗତ୍ୟ ପ୍ରକାଶ କରିବାରେ ଅସୁବିଧା ହୁଏନାହିଁ। କିନ୍ତୁ ଓଡ଼ିଶାରେ ଏଥିରେ ଭିନ୍ନତା ଥିବାରୁ ମୋହନ ଚରଣ ମାଝୀଙ୍କ ପାଇଁ ଶାସନକୁ ନିୟନ୍ତ୍ରଣକୁ ଆଣିବା ଆହ୍ୱାନପୂର୍ଣ୍ଣ ହୋଇ ରହିଛି। ସେହିକ୍ରମରେ ସେ ଅମଲାତନ୍ତ୍ରରେ ପରିବର୍ତ୍ତନ ସହିତ ଜିଲ୍ଲାପାଳମାନଙ୍କ ପ୍ରଥମ ସମ୍ମିଳନୀରେ ସରକାରଙ୍କ ନୂଆ ବାର୍ତ୍ତା ଅତି ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି। ସାଧାରଣ ଲୋକମାନଙ୍କ ପାଇଁ ସରକାର କହିଲେ ଜିଲ୍ଲାପାଳ, ଏସପି, ଥାନା, ବ୍ଲକ ଅଫିସ୍, ତହସିଲ ଅଫିସ୍ ପ୍ରଭୃତି ବିଚାର କରାଯାଏ। ତେଣୁ ଏହିସବୁ ସରକାରୀ ସଂସ୍ଥାରେ ନୂଆ ସରକାରଙ୍କ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବା ନିମନ୍ତେ କିପରି କୌଶଳ ଆବଶ୍ୟକ ସେଥିପାଇଁ ମୋହନ ଚରଣ ମାଝୀଙ୍କୁ ଉପାୟ ବାହାର କରିବାକୁ ପଡ଼ିବ।
ରାଜନୈତିକ ସ୍ତରରେ ମୋହନ ଚରଣ ମାଝୀଙ୍କ ସରକାର ପଛରେ ବିଧାନସଭାରେ ୮୧ ଜଣ ସଦସ୍ୟଙ୍କ ସମର୍ଥନ ରହିଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶକ୍ତିଶାଳୀ ବିରୋଧୀ ପକ୍ଷ ମଧ୍ୟ ରହିଛି। ଏବେ ନିକଟରେ ସରକାରରେ କୌଣସି ଅସ୍ଥିରତା ସୃଷ୍ଟି ହେବାର ଆଦୌ ସମ୍ଭାବନା ନଥିଲେ ମଧ୍ୟ ରାଜନୈତିକ କଳ୍ପନା ଜଳ୍ପନା ଏ ସଂପର୍କରେ ଚାଲିବାରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। କାରଣ ୨୪ ବର୍ଷ କ୍ଷମତାରେ ଥିବା ଦଳ କ୍ଷମତା ହରାଇବା ପରେ ପୁଣି ଥରେ କ୍ଷମତା ଫେରି ପାଉଛନ୍ତି ବୋଲି ଭାବନା ସୃଷ୍ଟି ନକଲେ ସେମାନଙ୍କ ରାଜନୈତିକ କ୍ଷତି ହେବ। କ୍ଷମତା ଆଧାରିତ ବ୍ୟବସ୍ଥାରେ ଯେଉଁମାନେ ଗତ ସରକାରୀ ଦଳ ସହିତ ଓ ନବୀନ ପଟ୍ଟନାୟକଙ୍କ ସହିତ ଯୋଡ଼ି ହୋଇଥିଲେ ସେମାନେ ସରକାରୀ ପକ୍ଷକୁ ଚାଲିଯିବା ପାଇଁ ନିଶ୍ଚିତ ଉଦ୍ୟମ କରିବେ।
ବିଜେଡିର ଦୁଇଜଣ ରାଜ୍ୟସଭା ସଦସ୍ୟ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇ ସାରିଛନ୍ତି। ସମ୍ଭବତଃ ଏହାକୁ ଲକ୍ଷ୍ୟ କରି ଯେଉଁ ନବୀନ ପଟ୍ଟନାୟକ ଗତ ନିର୍ବାଚନ ପୂର୍ବରୁ ବସ୍ତୁତଃ କେଉଁ ଆଡ଼େ ନଯାଇ ଓ ଦଳକୁ କିଛି ଅମଲାତନ୍ତ୍ରୀଙ୍କ ହାତରେ ଛାଡ଼ିଦେଇ ଆରାମରେ ନିର୍ବାଚନରେ ବିଜୟୀ ହୋଇଯିବେ ବୋଲି ବସିଥିଲେ ସେ ହଠାତ୍ ସକ୍ରିୟ ହୋଇ ଦଳର ବିଭିନ୍ନ ନେତା ଓ କର୍ମୀମାନଙ୍କ ସହିତ ଘନଘନ ଆଲୋଚନା କରୁନଥାନ୍ତେ। ଯଦିଓ ଗତ ନିର୍ବାଚନ ବିପର୍ଯ୍ୟୟର ପ୍ରକୃତ କାରଣ ସେ ଏବେବି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଯେଉଁ ଅମଲାତନ୍ତ୍ରୀଙ୍କ ପାଇଁ ଦଳର ବିପର୍ଯ୍ୟୟ ହେଲା ସେମାନେ ଏବେ ମଧ୍ୟ ତାଙ୍କର ବିଶ୍ୱାସଭାଜନ ହୋଇ ରହିଛନ୍ତି। ତେଣୁ ରାଜନୈତିକ ଦୃଷ୍ଟିରୁ ଯେତେ ଯାହା କଲେ ମଧ୍ୟ ମୋହନ ଚରଣ ମାଝୀଙ୍କ ସରକାରକୁ ଆସନ୍ତା ନିର୍ବାଚନ ପୂର୍ବରୁ ଗାଦିଚ୍ୟୁତ କରିବା ଆଦୌ ସହଜ ନୁହେଁ। କିନ୍ତୁ ସରକାରଙ୍କ କାର୍ଯ୍ୟକଳାପ ଓ କାର୍ଯ୍ୟଧାରାକୁ ଜନସାଧାରଣ ଗ୍ରହଣ କରିବା କାର୍ଯ୍ୟ ଯେତେ ତ୍ୱରାନ୍ୱିତ ହେବ ସେହି ଅନୁସାରେ ମୋହନ ଚରଣ ମାଝୀଙ୍କ ଲୋକପ୍ରିୟତା ବଢ଼ିବ।
ସେ ପୂର୍ବରୁ ତିନିଥର ବିଧାୟକ ହୋଇଥିଲେ ମଧ୍ୟ କେବେ ମନ୍ତ୍ରୀ ହୋଇ ନଥିଲେ। ଏଥର ସିଧାସଳଖ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କର ବଡ଼ ଶକ୍ତି ହେଲା ଯେ ସେ ରାଜ୍ୟର ଆଦିବାସୀ ବର୍ଗର ନେତା। ଏହି ବର୍ଗ ରାଜ୍ୟରେ ସବୁଠାରୁ ବଡ଼ବର୍ଗ। କାରଣ ରାଜ୍ୟ ଲୋକସଂଖ୍ୟାର ପ୍ରାୟ ୨୩ ଭାଗରୁ ଊର୍ଦ୍ଧ୍ୱ ଲୋକ ଆଦିବାସୀ ବର୍ଗର। ଯେଉଁମାନେ କି ରାଜ୍ୟର ଶାସନ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ସବୁଠାରୁ ନିମ୍ନରେ ରହି ଆସିଛନ୍ତି। ତେଣୁ ରାଜ୍ୟରେ ସାମାଜିକ ନ୍ୟାୟ ଓ ଆର୍ଥିକ ସମତା ଦିଗରେ ଯେଉଁମାନେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ବିରୋଧ କରିବା ସହଜ କଥା ହେବ ନାହିଁ। ଗୋଟିଏ ଦୃଷ୍ଟିରୁ ବିଚାର କଲେ ଅତୀତରେ ଆଦିବାସୀ ବର୍ଗର ଅନ୍ୟଜଣେ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଠାରୁ ସେ ସଂପୂର୍ଣ୍ଣ ଭିନ୍ନ। କାରଣ ବିଜେପି ନିର୍ବାଚନ ଜିତିବା ପରେପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ କରାଇଛି। ତାଙ୍କ ନିକଟରେ ପୂରା ୫ ବର୍ଷ ନିମନ୍ତେ ଶାସନକୁ ସଜାଡ଼ିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଓ ସମୟ ରହିଛି। ହେଲେ ପ୍ରତିଦିନ ବା ପ୍ରତ୍ୟେକ ସମୟରେ ତାଙ୍କର କାର୍ଯ୍ୟ ଦ୍ୱାରା ସେ ଯଦି ନିଜ ନେତୃତ୍ୱର ଓ ସରକାରର ଲୋକପ୍ରିୟତା ଠିକ୍ ଭାବରେ ବଢ଼ାଇପାରିବେ ନାହିଁ ତେବେ ଛୋଟଛୋଟ ଅନେକ ଘଟଣା ତାଙ୍କ ଭାବମୂର୍ତ୍ତୀ ଓ ସରକାରକୁ ସହଜରେ ଦୁର୍ବଳ କରିଦେବ।
ସୁଭଦ୍ରା ଯୋଜନା ପରି ମହିଳାମାନଙ୍କ ପାଇଁ ଏକ ବିରାଟ କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଇଛନ୍ତି। ଏଥିରେ ୧ କୋଟି ମହିଳା ଉପକୃତ ହେବେ ବୋଲି ହିସାବ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ପାଇଁ ଯେଉଁ ପନ୍ଥାର ଆଶ୍ରୟ ନିଆଯାଉଛି ସେଥିରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ଓ ଅନେକ ଅଯୋଗ୍ୟ ହିତାଧିକାରୀ ଫାଇଦା ନେଇଯିବେ। ଯାହା ଗତ ସରକାର ସମୟରେ କାଳିଆ ଯୋଜନାରେ ହୋଇଥିଲା। ଏ ବିଷୟରେ ସିଏଜି ଅତି ସ୍ପଷ୍ଟ ଭାବରେ ମତ ଦେଇଛନ୍ତି। ଶାସନ କଳରେ ଯଦି ନିଷ୍ଠା ଓ ସାଧୁତା ରହିବ ତେବେ ସାଧାରଣ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମଗୁଡ଼ିକରେ କେବଳ ଟେକ୍ନୋଲୋଜି ଉପରେ ନିର୍ଭର କଲେ ଚଳିବ ନାହିଁ।
ଏବେ ଯେପରି ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନରେ ଯେଉଁ ୪ କୋଟି ଲୋକଙ୍କୁ ମାଗଣାରେ ରାସନ ଦିଆଯାଉଛି ସେଥିରେ ବିଭ୍ରାନ୍ତି ହୋଇଥିବା ଯୋଗୁ ଆଧାର ଓ ଅନ୍ୟ ବ୍ୟବସ୍ଥା ଦ୍ୱାରା କେୱାଇସି କରିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେବା ପରେ ଲକ୍ଷ ଲକ୍ଷ ରାସନ୍ କାର୍ଡଧାରୀ ଘୋର ଅସୁବିଧାରେ ପଡ଼ିଯାଇଛନ୍ତି। ଏଥିନିମନ୍ତେ ଏହି ଲୋକମାନେ ଲାଇନ୍ ବାନ୍ଧି ଆଧାର କେନ୍ଦ୍ରକୁ ଯିବାକୁ ବାଧ୍ୟ ହେଉଛନ୍ତି। କାରଣ ପୂର୍ବ ଆଧାର କାର୍ଡରେ ସାଧାରଣ ଅନେକ ଲୋକଙ୍କ ବାୟିଓମେଟ୍ରିକ୍ ଏପଟ ସେପଟ ହୋଇଯାଉଛି। ପୁରୁଣା ଆଧାର କାର୍ଡଗୁଡ଼ିକରେ ଅକ୍ଷରଗୁଡ଼ିକ ଓ ଜନ୍ମ ତାରିଖ ଠିକ୍ ଭାବରେ ଦେଖାଯାଉ ନାହିଁ। ବାସ୍ତବରେ ଏହି କାମରେ ଲକ୍ଷଲକ୍ଷ ଲୋକ କାମଧନ୍ଦା ବନ୍ଦ କରି ଲାଇନରେ ଲାଗୁଛନ୍ତି। ଏପରିକି ଯେଉଁ ପରିବାରରେ ଲୋକମାନେ ଦାଦନ ଶ୍ରମିକ ଭାବେ ଯାଇ ବାହାର ରାଜ୍ୟରେ କାମ କରୁଛନ୍ତି ସେମାନେ ରାସନ୍ କାର୍ଡ ଚାଲିଯିବା ଭୟରେ ସେହି ରାଜ୍ୟରୁ କାମ ବନ୍ଦ କରି ଅର୍ଥ ଖର୍ଚ୍ଚ କରି ରାଜ୍ୟକୁ ଫେରୁଛନ୍ତି। ୱାନ୍ ନେସନ୍ ୱାନ୍ କାର୍ଡ କଥା ଯେତେ କୁହାଗଲେ ମଧ୍ୟ ତାହା ଦେଶରେ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଅସଲକଥା ହେଉଛି ସରକାରୀ କଳକୁ ଓ ବ୍ୟବସ୍ଥାକୁ ଏପରି କରାଯିବା ଉଚିତ୍ ଯେଉଁଥିରେ ଜନସାଧାରଣ ବାରମ୍ବାର ସମୟ ନଷ୍ଟକରି ଦୀର୍ଘଦିନ ଧରି ଲାଇନରେ ଛିଡ଼ାହୋଇ ସେମାନଙ୍କ ପାଇଁ ପ୍ରାପ୍ୟ ସରକାରୀ ସାହାଯ୍ୟ ପାଇଁ ବୁଲିବା ଆବଶ୍ୟକ ପଡ଼ିବ ନାହିଁ। ସୁଭଦ୍ରା ଯୋଜନାରେ ମଧ୍ୟ ସେହି ପ୍ରକାର ନୀତିର ଆବଶ୍ୟକତା ରହିଛି।
ନିକଟରେ ରାଜ୍ୟ ସରକାର ଧାନ ଖର୍ଦ୍ଦି ସମୟରେ କ୍ୱିଂଟାଲ ପିଛା ୩୧୦୦ ଟଙ୍କାରେ ଚାଷୀମାନଙ୍କ ଠାରୁ ଧାନ ନେବେ ଓ ସେଥିରେ କଟନି ଛଟନି ରହିବ ନାହିଁ ବୋଲି ଦେଇଥିବା ପ୍ରତିଶ୍ରୁତି ଯଦି ଠିକ୍ ଭାବରେ ସରକାରୀ କଳ ଦ୍ୱାରା କାର୍ଯ୍ୟକାରୀ ହୁଏ ତେବେ ଚାଷୀମାନଙ୍କ ଭିତରେ ସରକାର ପ୍ରତି ଲୋକପ୍ରିୟତା ବଢ଼ିବ। କିନ୍ତୁ କେବଳ ଟେକ୍ନୋଲୋଜି ଉପରେ ନିର୍ଭର କରି ବସିଗଲେ ହେବ ନାହିଁ। ବିଶେଷ ଭାବରେ ଯୋଗାଣ ବିଭାଗ ଓ ସମବାୟ ବିଭାଗକୁ ସବୁ ସ୍ତରରେ ଏଥିନିମନ୍ତେ ସକ୍ରିୟ କରିବାକୁ ପଡ଼ିବ।
ରାଜ୍ୟର ଆର୍ଥିକ ସ୍ଥିତି ଭଲ ଥିଲେ ମଧ୍ୟ ଓଡ଼ିଶାରେ ବିକାଶ ହାର ବଢ଼ାଇବା ପାଇଁ ଯଥେଷ୍ଟ ସୁଯୋଗ ରହିଛି। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ରାଜ୍ୟର ଯେଉଁ ଉପଲବ୍ଧି ହୋଇଥିବା କୁହାଯାଉଛି ବା ଯାହାକୁ ନୀତି ଆୟୋଗ ଓ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ସ୍ୱୀକାର କରୁଛନ୍ତି ତାକୁ ଅନୁଧ୍ୟାନ କଲେ ସହଜରେ ଜଣାପଡ଼ିବ ଯେ ରାଜ୍ୟ ଆହୁରି ଅଧିକ ହାରରେ ପ୍ରଗତି କରିବା ପାଇଁ ସୁଯୋଗ ରହିଥିଲା। ଏବେ ବି ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ଆୟଠାରୁ ଯଥେଷ୍ଟ ପଛରେ ଅଛି। ଓଡ଼ିଶାର ବିପୁଳ ଖଣିଜ ସଂପଦ ଓ ସେଥିରୁ ରାଜ୍ୟ ଯେତିକି ରାଜସ୍ୱ ପାଉଛି ତାହା ଆହୁରି ବଢ଼ିବାର ପୂର୍ଣ୍ଣ ସୁଯୋଗ ରହିଛି। କିନ୍ତୁ ତାହାକୁ ବିଚାର କଲେ ଓଡ଼ିଶାର ପ୍ରଗତି ହାର କଦାପି ସନ୍ତୋଷଜନକ ନୁହେଁ। ବାସ୍ତବିକ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ହେବା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ରାଜ୍ୟରେ ରହିଛି। ମୋହନ ଚରଣ ମାଝୀ ଯେଉଁ ବର୍ଗରୁ ଆସିଛନ୍ତି ଓ ଯେଉଁ ଅଞ୍ଚଳରୁ ଆସିଛନ୍ତି ସେଥିରେ ଶାସନର ପ୍ରକୃତ ଦୁର୍ବଳତାକୁ ସେ ସହଜରେ ବୁଝିପାରୁଛନ୍ତି। ଜିଲ୍ଲାପାଳ ସମ୍ମିଳନୀରେ ସେ ନିଜ ଅଭିଜ୍ଞତା ଭିତ୍ତିରେ ଯାହା କହିଛନ୍ତି ତାହାକୁ ଯଦି ଶାସନରେ ପ୍ରତିଫଳିତ କରନ୍ତି ତେବେ ମୋହନ ଚରଣ ମାଝୀଙ୍କ ଲୋକପ୍ରିୟତା ବଢ଼ିବ। ତାଙ୍କ ଲୋକପ୍ରିୟତା ନବଢ଼ିଲେ ବିଜେପି ପ୍ରତି ରାଜ୍ୟରେ ସବୁବେଳେ ଏକ ଚାପ ରହିବ। କାରଣ ବିରୋଧୀ ପକ୍ଷରେ ନବୀନ ପଟ୍ଟନାୟକ ଅଛନ୍ତି ଯାହାଙ୍କର ଓଡ଼ିଶାରେ ଏବେ ବି ଏକ ଲୋକପ୍ରିୟତା ରହିଛି।
ବରିଷ୍ଠ ସାମ୍ବାଦିକ, ମୋ-୮୦୧୮୦୯୪୪୫୫