ଗତ କିଛି ସପ୍ତାହ ହେଲା ପ୍ରାୟ ସମସ୍ତ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରମାନଙ୍କରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଚୀନରେ ମଧ୍ୟ ହାରାହାରି ତାପମାତ୍ରା ୩୫ ଡିଗ୍ରି ଛୁଇଁଛି ଏବଂ ଉତ୍ତର ଆଫ୍ରିକାରେ ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିଅସ ରହୁଛି। ଏପରିକି, ଆଣ୍ଟାର୍କଟିକାରେ ମଧ୍ୟ ଏବେ ଶୀତ ଋତୁରେ ତାପମାତ୍ରା ଅତ୍ୟଧିକ ରହିଛି। ବିଭିନ୍ନ ଗବେଷଣାଗାରରେ ଲିପିବଦ୍ଧ ହୋଇଥିବା ଚଳିତ ଜୁଲାଇ ମାସର ତାପମାତ୍ରା ୮.୭ ଡିଗ୍ରି ସେଲସିଅସରେ ପହଞ୍ଚି ପୂର୍ବ ରେକର୍ଡକୁ ଭାଙ୍ଗିଦେଇଛି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଜନସାଧାରଣ ଓ ପରିବେଶ ପାଇଁ ଏହି ବର୍ଦ୍ଧିତ ତାପମାତ୍ରା ମୃତ୍ୟୁଦଣ୍ଡଠାରୁ କିଛି କମ ନୁହେଁ। ଏଭଳି ସମସ୍ୟା ସୃଷ୍ଟି ପଛରେ ବୈଶ୍ଵିକ ଜଳବାୟୁ ପରିବର୍ତ୍ତନ ଏବଂ ବଢୁଥିବା ଏଲ ନିନୋ ଢାଞ୍ଚା ସମ୍ପୂର୍ଣ୍ଣ ଭାବେ ଦାୟୀ। ଚଳିତ ମାସରେ ଲିପବଦ୍ଧ ରେକର୍ଡ ମଧ୍ୟ ଆଗକୁ ଭାଙ୍ଗିଯିବାର ଆଶଙ୍କା କରାଯାଉଛି। ଆଗକୁ ଆହୁରି ଅନେକ ନୂଆ ନୂଆ ରେକର୍ଡ ଦେଖିବାକୁ ମିଳିବ। କାରଣ, ଅଙ୍ଗାରକାମ୍ଳ ଓ ସବୁଜ ଗୃହ ଗ୍ୟାସର ନିର୍ଗମନ ବୃଦ୍ଧି ସହ ବଢୁଥିବା ଏଲ ନିନୋ ବିଶ୍ୱ ତାପମାତ୍ରାକୁ ବିପଦଜ୍ଜନକ ଅବସ୍ଥାକୁ ନେଇଚାଲିଛି ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରି ସାରିଛନ୍ତି।
ପ୍ରଶାନ୍ତ ମହାସାଗରରେ ଏଲ ନିନୋ ଅବସ୍ଥା ଆରମ୍ଭ ହୋଇ ସାରିଛି ବୋଲି ବିଶ୍ୱ ପାଣିପାଗ ସଂଗଠନ ଘୋଷଣା କରିଛି। ବିଶ୍ୱର ବାୟୁମଣ୍ଡଳୀୟ ତଥା ମହାସାଗରୀୟ ତାପମାତ୍ରା ବୃଦ୍ଧି ସହିତ ଉତ୍ତାପ ବୃଦ୍ଧି ଓ ମରୁଡ଼ି ପରିସ୍ଥିତି ଭଳି ତିରୋଟ ପାଣିପାଗ ସମ୍ପର୍କିତ ଘଟଣାକୁ ନଜରରେ ରଖି ବିଶ୍ୱବାସୀଙ୍କୁ ସତର୍କ ରହିବାକୁ ସଙ୍ଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଶେଷଜ୍ଞମାନଙ୍କ ମତରେ ଏଲ ନିନୋ ଓ ଲା ନିନା ହେଉଛି ବୈଶ୍ଵିକ ଜଳବାୟୁର ଦୁଇ ଭିନ୍ନ ସାମୟିକ ଅବସ୍ଥା। ଏହି ଦୁଇଟିର ମଧ୍ୟବର୍ତ୍ତୀ ଅବସ୍ଥାକୁ ନିରପେକ୍ଷ ଅବସ୍ଥା (ନିଉଟ୍ରାଲ) କୁହାଯାଏ। ଯେତେବେଳେ କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗରରେ ରହିଥିବା ଜଳରାଶିର ତାପମାତ୍ରା ସ୍ୱାଭାବିକ ତାପମାନଠାରୁ ମାତ୍ର ୦.୫୦ ଡିଗ୍ରୀ ସେଲସିଅସରୁ ଅଧିକ ବଢ଼ିଯାଏ ଏହାକୁ ଏଲ ନିନୋ ଓ କମିଗଲେ ଲା ନିନା ଅବସ୍ଥା କୁହାଯାଏ। ଗତ ଏକମାସରୁ ଅଧିକ ସମୟ ଧରି ପ୍ରଶାନ୍ତ ମହାସାଗର ଜଳରାଶିର କିଛି ଅଂଶରେ ଏଭଳି ଉତ୍ତାପ ବୃଦ୍ଧି ପରିସ୍ଥିତି ଉପୁଜିଥିଲା। ମାତ୍ର ବର୍ତ୍ତମାନ ସାମଗ୍ରିକ ଭାବେ ପ୍ରଶାନ୍ତ ମହାସାଗରର ପ୍ରାୟ ସମସ୍ତ ଅଞ୍ଚଳରେ ସ୍ୱାଭାବିକ ତାପମାନଠାରୁ ୦.୫୦ ଡିଗ୍ରୀ ସେଲସିଅସରୁ ଅଧିକ ଉତ୍ତାପ ବଢ଼ିଥିବାର ରେକର୍ଡ କରାଯାଇଛି। ଏପରିକି, କିଛି ସ୍ଥାନରେ ସ୍ୱାଭାବିକଠାରୁ ୧.୦୦ ଡିଗ୍ରୀ ସେଲସିଅସରୁ ଅଧିକ ଉତ୍ତାପ ବଢ଼ିଛି; ଯାହା ଏଲ ନିନୋ ପ୍ରଭାବକୁ ଶକ୍ତିଶାଳୀ କରିଛି।
ପାଣିପାଗ ବିଶେଷଜ୍ଞମାନଙ୍କ କହିବାନୁଯାୟୀ ଉତ୍ତର ଗୋଲାର୍ଦ୍ଧରେ ଏବେ ଗ୍ରୀଷ୍ମ ଋତୁ ଚାଲିଛି। ଦକ୍ଷିଣ ଗୋଲାର୍ଦ୍ଧରେ ସହଜେ ଅଧିକ ଗରମ। ଏଣୁ, ବିଶ୍ୱର ହାରାହାରି ତାପମାତ୍ରା ଅଧିକ ରହୁଛି। ଓଡ଼ିଶାରେ ଏବେ ତାପମାତ୍ରା ହ୍ରାସ ପାଉଥିଲେ ବି ହ୍ରାସହାର ଓ ଗତି ଦୁର୍ବଳ। ତାହା ସହ ବାୟୁମଣ୍ଡଳରେ ଅତ୍ୟଧିକ ଜଳୀୟ ବାଷ୍ପ ରହୁଥିବାରୁ ତାପମାତ୍ରାର ପ୍ରଭାବ ଅଧିକ ଥିଲା ଭଳି ଅନୁଭୂତ ହେଉଛି। ବାୟୁମଣ୍ଡଳରେ ସାଧାରଣତଃ ଯେତିକି ଜଳୀୟବାଷ୍ପ ବା ଆର୍ଦ୍ରତା ରହିବା କଥା ତାହାଠାରୁ ଯଥେଷ୍ଟ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି, ଯାହା ଗରମ ବାମ୍ଫ ଭର୍ତ୍ତି କୋଠରୀ ଭିତରେ ରହିବା ଭଳି ଏକ ପରିସ୍ଥିତି। ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ ବୋଲି ଯଦିଓ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି, ଏବେ ଚାଲିଥିବା ଏଲ ନିନୋର ପ୍ରଭାବ ଆସନ୍ତା ୨୦୨୪ ଗ୍ରୀଷ୍ମ ଋତୁ ଯାଏଁ ପଡ଼ିବା ନିଶ୍ଚିତ। ସ୍ମରଣ ଥାଇପାରେ ଯେ, ୨୦୧୫ ବର୍ଷ ଏହିଭଳି ଏଲ ନିନୋ ସୃଷ୍ଟି ହୋଇଥିଲା, ଯାହାର ପ୍ରଭାବ ପରବର୍ଷ ୨୦୧୬ରେ ଅନୁଭୂତ ହୋଇଥିଲା। ସେହି ସମାନ ନିୟମ ଓ ଅଭିଜ୍ଞତା ଆଧାରରେ ଏଥର ବି ସେହିଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଇପାରେ।
ଏଲ ନିନୋ ପ୍ରଭାବରେ ସମୁଦ୍ର ଜଳର ଉତ୍ତାପ ବୃଦ୍ଧି ହେଲେ ସମୁଦ୍ର ପତ୍ତନ ଉପରିଭାଗ ବାୟୁମଣ୍ଡଳ ମଧ୍ୟ ଉତ୍ତପ୍ତ ହୋଇଯାଏ ଏବଂ ବାୟୁ ପ୍ରବାହ ଦିଗ ପ୍ରଭାବିତ ହୁଏ। ଏହି ବାୟୁ ପ୍ରବାହରେ ଅନିୟମିତତା ଓ ଦିଗ ପରିବର୍ତ୍ତନ ହିଁ ମୌସୁମୀ ବାୟୁ ବାହିତ ମୌସୁମୀ ବର୍ଷାକୁ ଦିଗହରା, ଅନିୟମିତ ତଥା ବିଳମ୍ବିତ କରିଦିଏ। ସାମଗ୍ରିକ ଭାବେ, ଅନେକ ସ୍ଥାନରେ ବର୍ଷା ପରିମାଣ କମ ରହେ ଓ ନିୟମିତ ଏବଂ ପର୍ଯ୍ୟାପ୍ତ ହୋଇପାରେନା। ଦେଖାଯାଇଛି ଯେ ପ୍ରାୟ ୬୦ ପ୍ରତିଶତ ଏଲ ନିନୋ ବର୍ଷରେ ପାଣିପାଗ ପ୍ରତିକୂଳ ରହେ। ଏହାର ପ୍ରଭାବରେ ଭାରତୀୟ ଉପମହାଦେଶ ସମେତ, ଆଫ୍ରିକା, ଅଷ୍ଟ୍ରେଲିଆ, ୟୁରୋପ, ଉତ୍ତର ଓ ଦକ୍ଷିଣ ଆମେରିକା ମହାଦେଶ ଅନ୍ତର୍ଗତ ଦେଶମାନେ ଅସ୍ୱାଭାବିକ ଓ ପ୍ରତିକୂଳ ପାଣିପାଗକୁ ସାମନା କରନ୍ତି। ଏଲ ନିନୋ ବର୍ଷମାନଙ୍କରେ ବାୟୁ ପ୍ରବାହ ଦିଗ ଅସ୍ୱାଭାବିକ ଭାବେ ଓଲଟିଯାଏ। ବିଷୁବ ରେଖାର ନିମ୍ନ ଭାଗରେ ଥିବା ଦକ୍ଷିଣ ଗୋଲାର୍ଦ୍ଧରେ ସୃଷ୍ଟ ମୌସୁମୀ ବାୟୁ ବିଷୁବ ରେଖା ଅତିକ୍ରମ କରିପାରେନା। ଫଳରେ, ଆକାଶରେ ମେଘ ତିଆରି ହୋଇପାରେନା, ମୌସୁମୀ ବାୟୁ ପ୍ରବାହ ବିଳମ୍ୱିତ, ଅନିୟମିତ ଓ ବିନା ବୃଷ୍ଟିରେ ବିଲୀନ ହୁଏ। ସ୍ୱାଭାବିକ ବର୍ଷମାନଙ୍କରେ ପୂର୍ବ ପ୍ରଶାନ୍ତ ମହାସାଗର ଅଞ୍ଚଳରୁ ବାୟୁ ପ୍ରବାହ ଭାରତ ମହାସାଗର ଉପର ଦେଇ ପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଓ ନିୟମିତ ବୃଷ୍ଟିପାତ କରାଉଥିଲାବେଳେ ଏହି ଏଲ ନିନୋ ପ୍ରକ୍ରିୟା କାରଣରୁ ହିଁ ଆସନ୍ତା ବର୍ଷ ସମଗ୍ର ବିଶ୍ଵ ପାଇଁ ଅନିୟମିତ ଓ ସ୍ୱଳ୍ପ ବର୍ଷାର କାରଣ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ସମଗ୍ର ଭାରତ ମୁଖ୍ୟତଃ ଏକ କୃଷି ପ୍ରଧାନ ଦେଶ ଓ ଏହାର ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ଲୋକ କୃଷି ଉପରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ। ଆମ ରାଜ୍ୟ ଓଡ଼ିଶାରେ ଏହି ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୭୦ ପ୍ରତିଶତ ହୋଇଥିଲେ ହେଁ ମାତ୍ର ୩୦-୩୫ ପ୍ରତିଶତ ଚାଷଜମି ଜଳସେଚିତ। ବାକି ୬୫ ପ୍ରତିଶତ ଚାଷୋପଯୋଗୀ ଜମି ବର୍ଷା ଉପରେ ନିର୍ଭରଶୀଳ। ଏଲ ନିନୋ ପ୍ରଭାବରେ ମୌସୁମୀ ବର୍ଷା ପରିମାଣ କମିଗଲେ କିମ୍ବା ଅନିୟମିତ ହୋଇଗଲେ ଅଣ ଜଳସେଚିତ ଅଞ୍ଚଳରେ କୃଷିକାର୍ଯ୍ୟ ପ୍ରଭାବିତ ହୁଏ। ବୁଣାଧାନରେ ଗଜାମରୁଡ଼ି ହେବା ସଙ୍ଗେ ସଙ୍ଗେ ସଠିକ ସମୟରେ ତଳିଧାନ ରୁଆ, ବଛା ଓ ଖେଳୁଆ ପଡ଼ି ପାରେନା। ଆମର ସମସ୍ତ ଜଳଭଣ୍ଡାର ମଧ୍ୟ ବର୍ଷାଜଳପୁଷ୍ଟ। ସମସ୍ତ ଜଳଭଣ୍ଡାର, ପୋଖରୀ, କଟାମାନଙ୍କରେ ସଞ୍ଚିତ ଜଳ ପରିମାଣ କମିଯାଇ ଥିବାରୁ ଜଳସେଚିତ ଜମିରେ ମଧ୍ୟ ଦରକାର ହେଉଥିବା ଜଳ ଯୋଗାଣ ସମ୍ଭବ ହୋଇପାରେନା। ବର୍ଷା ଋତୁରେ (ଖରିଫ) ଫସଲ ଚାଷ କେବଳ ଜଳ କ୍ଳିଷ୍ଟତା କାରଣରୁ ସମ୍ଭବ ହୋଇପାରୁ ନଥିବା ବେଳେ ଶୀତଦିନିଆ ରବି ଫସଲ ଅବସ୍ଥା ସହଜରେ ଅନୁମାନ କରାଯାଇପାରେ। ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ବେଳକୁ ଏଲ ନିନୋ ସର୍ବାଧିକ ଶକ୍ତିଶାଳୀ ରହିବ ବୋଲି ଜଳବାୟୁ ବିଜ୍ଞାନୀ କହୁଛନ୍ତି। ତେଣୁ, ସେତେବେଳକୁ ଅମଳ ହୋଇ ନଥିବା ଖରିଫ ଫସଲ ଓ ଆରମ୍ଭ ହେବାକୁ ଯାଉଥିବା ରବିଚାଷ ପ୍ରଭାବିତ ହେବା ନିଶ୍ଚିତ। ଅନ୍ୟ ଭାଷାରେ କହିଲେ, ମୌସୁମୀ ପ୍ରବାହ ଶୀଘ୍ର ଫେରିଯିବ ଓ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବ।
ଧାନ ଓଡ଼ିଶାର ମୁଖ୍ୟ ଫସଲ। ଏବେ ସୁଦ୍ଧା ତଳିଘରାରେ ଧାନତଳି କିଛି ସ୍ଥାନରେ ପ୍ରସ୍ତୁତ ହୋଇ ଯାଇଛି। ଚାଷୀ ମେଘକୁ ଚାହିଁ ବସିଛନ୍ତି। ଯେଉଁ ଅଞ୍ଚଳରେ ତଳି ରୋଇବା ପାଇଁ ପ୍ରାୟ ପ୍ରସ୍ତୁତ ହୋଇ ଗଲାଣି ଚାଷୀମାନେ ସେଠାରେ ଜମି କାଦୁଅ କରି ରୋଇବା ପାଇଁ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ବର୍ଷା ବିଳମ୍ବିତ ହେଲେ ତଳି ବୁଢ଼ା ହୋଇଯିବ କିମ୍ବା ରୁଆଯାଇଥିବା ଧାନଗଛ ଜଳବିନା ମରିଯିବାର ଆଶଙ୍କା କରୁଛନ୍ତି ଚାଷୀ। ଶ୍ରାବଣ ମାସ ଆରମ୍ଭ ହୋଇସାରିଥିଲେ ବି ଅନେକ ଜମିକୁ ହଳ ଯାଇନି, ପଡ଼ିଆ ପଡ଼ିଛି। ଏବେ ଯଦି ଲଗାଣ ବର୍ଷା ହୁଏ ଓ ତଳି ପକାଯାଏ ଧାନ ପାଚିବା ବେଳକୁ ଅକ୍ଟୋବର-ନଭେମ୍ବର ହୋଇଯିବ। କିନ୍ତୁ ଏଲ ନିନୋ ପ୍ରଭାବରେ ଅକ୍ଟୋବର ମାସଠାରୁ ମୌସୁମୀ ବର୍ଷା ପ୍ରତ୍ୟାବର୍ତ୍ତନ କରିଗଲେ କ୍ଷୀର ଢୋକିଥିବା ଧାନକେଣ୍ଡା ଅଗାଡ଼ି ହୋଇଯାଇପାରେ କିମ୍ବା ଅମଳ ବହୁମାତ୍ରାରେ ପ୍ରଭାବିତ ହେବା ନିଶ୍ଚିତ। କେବଳ କେନାଲ ଜଳସେଚିତ ଅଞ୍ଚଳରେ ଧାନ ଫସଲ ମରୁଡ଼ିରୁ ରକ୍ଷା ପାଇଯାଇପାରେ, କିନ୍ତୁ ସମଗ୍ର ରାଜ୍ୟର ଧାନ ଉତ୍ପାଦନ ନୈରାଶ୍ୟଜନକ ହେବା ନିଶ୍ଚିତ।
ଗତ ଜୁଲାଇ ୩ ତାରିଖର ତାପମାତ୍ରା ବଜାଇ ସାରିଛି ଆମ ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି। ଏହା ଆଗକୁ ଏଭଳି ଅନିୟମିତ ପାଣିପାଗ, ଏପରିକି ସ୍ଥାନେ ସ୍ଥାନେ ଅତ୍ୟଧିକ କିମ୍ବା ସ୍ୱଳ୍ପ ବୃଷ୍ଟିପାତ ସମ୍ଭାବନା ରହିବାର ଆଶଙ୍କା ବ୍ୟକ୍ତ କରିଛି। ଏହାର ପ୍ରଭାବ ଓଡ଼ିଶା ସମେତ ସମଗ୍ର ବିଶ୍ୱର ପ୍ରାଣୀ ଜଗତ ଉପରେ ପଡ଼ିବI ନିଶ୍ଚିତ। ଜୁଲାଇ ମାସ ୩ ତାରିଖ ବିଶ୍ୱର ସବୁଠୁ ଉତ୍ତପ୍ତ ଦିବସ ଭାବେ ପରିଗଣିତ ହୋଇ ଆମର ସ୍ଥିତିପ୍ରତି ଆହ୍ୱାନ ସୃଷ୍ଟି କରିଛି। ହାରାହାରି ହିସାବରେ ଜୁଲାଇ ମାସରେ ବିଶ୍ୱର ସର୍ବାଧିକ ତାପମାତ୍ରା ସବୁ ରେକର୍ଡକୁ ପଛରେ ପକାଇ ଦେଇଛି। ଅତୀତରେ ୨୦୧୬ ଅଗଷ୍ଟ ମାସରେ ବିଶ୍ୱର ହାରାହାରି ତାପମାତ୍ରା ୧୬.୯୨ ଡିଗ୍ରୀ ସେଲସିଅସ ରହିଥିଲା ଯାହାକି ଚଳିତ ୨୦୨୩ ମସିହା ଜୁଲାଇ ମାସ ୩ ତାରିଖ ଦିନ ୧୭.୦୧ ଡିଗ୍ରୀ ସେଲସିଅସ ଛୁଇଁବା କାରଣରୁ ଭାଙ୍ଗିଯାଇଛି।
ବ୍ରହ୍ମାଣ୍ଡ ଏବଂ ସୌର ମଣ୍ଡଳର କିଛି ଗ୍ରହ ଓ ଉପଗ୍ରହରେ କେବେ ଜୀବସତ୍ତା ଥିଲେବି ଆଜି ନାହିଁ। ପୃଥିବୀ ଭଳି ଗ୍ରହରେ ଜୀବସତ୍ତା ବିପଦରେ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ ମିଥେନ ବାଷ୍ପ ପରିମାଣ ବଢ଼ିଯାଉଥିବାରୁ ସୂର୍ଯ୍ୟଙ୍କ ପ୍ରଭାବ ଅଧିକରୁ ଅଧିକ ଅନୁଭୂତ ହେଉଛି। ଯେଭଳି କିଛି ପ୍ରାଣୀ ଓ ଉଦ୍ଭିଦ ଏବେ ନିଶ୍ଚିହ୍ନ ହୋଇଯାଇଛନ୍ତି ସେଭଳି ଆଗକୁ ମଧ୍ୟ ଘଟି ଚାଲିବ। କେବଳ ଯେଉଁ ପ୍ରାଣୀ ଓ ଉଦ୍ଭିଦମାନେ ପ୍ରତିକୂଳ ଜଳବାୟୁ ପରିବେଶ ମଧ୍ୟରେ ବଞ୍ଚିରହିବାର ଉପାୟ ଅଭ୍ୟାସ କରିନେବେ ପୃଥିବୀ ପୃଷ୍ଠରେ ସେମାନଙ୍କ ପ୍ରଜାତି ହୁଏତ ଅଧିକ କାଳ ବଞ୍ଚି ରହିବେ। ଏବେ ଆମେରିକାର ବୈଜ୍ଞାନିକମାନେ ପୃଥିବୀର ବାୟୁମଣ୍ଡଳ ଉପରି ଭାଗରେ ଏଭଳି ଏକ ଆସ୍ତରଣ ଦେବାକୁ ପ୍ରଚେଷ୍ଟା କରୁଛନ୍ତି ଯାହା ସୂର୍ଯ୍ୟଙ୍କ ପ୍ରଖରତାକୁ କମାଇଦେଇ ପାରିବ। ଆମକୁ କିନ୍ତୁ ନିଜ ନିଜ ପରିଧିରେ କିଛି ନୂତନ ଜୀବନଚର୍ଯ୍ୟା ପାଳନ କରିବାକୁ ହେବ ଯାହା ଫଳରେ ଜୀବ ଜଗତ ନିଶ୍ଚିହ୍ନ ହେବାକୁ ଆମେ ବିଳମ୍ବିତ କରିଦେଇ ପାରିବା। ସେଗୁଡ଼ିକ ହେଲା:
୧. ଜୀବମାନଙ୍କର ଦେହାବଶେଷ ଓ ମଳମୂତ୍ରରୁ ସୃଷ୍ଟ ମିଥେନ ଗ୍ୟାସକୁ ଜାଳେଣୀ ରୂପେ ବ୍ୟବହାର କରି ବାୟୁମଣ୍ଡଳରୁ ସବୁଜ ଗ୍ୟାସ କମାଇବା।
୨. ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରୁ ଯଥାସମ୍ଭବ କମାଇବା ପାଇଁ କୋଇଲା ଓ ପେଟ୍ରୋଲିୟମ ଇନ୍ଧନ ବ୍ୟବହାର କମାଇ ବିକଳ୍ପ ଉର୍ଜ୍ଜାଉତ୍ସ ଯଥା ସୂର୍ଯ୍ୟାଲୋକ, ପବନ ଓ ଜଳବିଦ୍ୟୁତ ଇତ୍ୟାଦିର ବ୍ୟବହାର ବଢାଇବା।
୩. ଅବିଚାରିତ ଭାବେ ବୃକ୍ଷ ଚ୍ଛେଦନ ନକରି ବୃକ୍ଷରୋପଣ, ନୂତନ ଜଙ୍ଗଲ ସୃଷ୍ଟି ଓ ପୁରୁଣା ଜଙ୍ଗଲଗୁଡ଼ିକୁ ସୁରକ୍ଷିତ ରଖିବାକୁ ହେବ। ଅଧିକ ଅଙ୍ଗାରକାମ୍ଳ ଶୋଷି ନେବାକୁ ସକ୍ଷମ ବାଉଁଶ ଜାତୀୟ ବୃକ୍ଷ, ଅଧିକ ଛାୟା ପ୍ରଦାନକାରୀ ତଥା ଔଷଧୀୟ ବୃକ୍ଷରୋପଣ ମଧ୍ୟ କରିବାକୁ ହେବ।
୫. ଭୂତଳ ଜଳ ବ୍ୟବହାର ବଦଳରେ ଭୂପୃଷ୍ଠ ଜଳ ଯଥା, ନଦୀ, ନାଳ, ପୋଖରୀ, କଟା ଏବଂ ଅମଳ କରାଯାଉଥିବା ବର୍ଷାଜଳ ବ୍ୟବହାର ହେବା ଦରକାର। ବାୟୁମଣ୍ଡଳରେ ଥିବା ଆର୍ଦ୍ରତା ବା ଜଳୀୟ ବାଷ୍ପରୁ ମଧ୍ୟ ଜଳ ଅମଳ କରିବା ପାଇଁ ପ୍ରଚେଷ୍ଟା ଗୁରୁତ୍ୱପୂର୍ଣ୍ଣ। ଆମେ ନଳକୂପ, ଏପରିକି କୂଅ ବ୍ୟବହାର ନକମାଇଲେ ମାଟିରୁ ଜଳୀୟ ଅଂଶ କମିଯିବ। ବୃକ୍ଷରାଜି ସବୁ ଶୁଖି ମରିଯିବେ, ଜଙ୍ଗଲରେ ଅଧିକ ନିଆଁ ଲାଗିବାର ଦେଖିବାକୁ ମିଳିବ।
୫. ଅନିୟମିତ ବର୍ଷା ଓ କମ ବର୍ଷା ହେଉଥିବା ଅଣ ଜଳସେଚିତ ଅଞ୍ଚଳରେ ଆମେ ଫସଲ ଖସଡ଼ା ଓ ପର୍ଯ୍ୟାୟ ବଦଳାଇବାକୁ ପଡ଼ିବ। କୃଷି ବୈଜ୍ଞାନିକଙ୍କ ପାଇଁ ଏହା ଏକ ଆହ୍ୱାନ। ସେମାନଙ୍କୁ ଅଳ୍ପଦିନରେ ଅଧିକ ଅମଳ ହୋଇ ପାରୁଥିବା ଫସଲ କିସମ ସୃଷ୍ଟିକରିବାକୁ ପଡ଼ିବ। ଆମକୁ ଖାଦ୍ୟାଭ୍ୟାସ ବଦଳେଇବାକୁ ପଡ଼ିବ। ଆମକୁ ଶାକାହାରୀ ହେବା ସହ ମାଣ୍ଡିଆ ଭଳି ନିପାଣିଆ ଫସଲ ଖାଇକରି ବଞ୍ଚିଶିଖିବାକୁ ହେବ।
୬. ଉତ୍ତପ୍ତ ଜଳବାୟୁରେ ଆମକୁ ଚଳିବାକୁ ପଡ଼ିବା ସହ କର୍ମଠ ଓ କଷ୍ଟ ସହିଷ୍ଣୁ ହେବାକୁ ପଡ଼ିବ। ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର ନକରି ବଞ୍ଚିବାର କୌଶଳ ଶିଖିବାକୁ ଓ ଅଭ୍ୟାସ କରିବାକୁ ପଡ଼ିବ।
୭. ପ୍ରତ୍ୟେକ ଫଳ ଫୁଲ ଓ ଖାଦ୍ୟୋପଯୋଗୀ ଉଦ୍ଭିଦ ପାଇଁ ନିର୍ଦିଷ୍ଟ ଉତ୍ତାପ ଅତ୍ୟାବଶ୍ୟକ। ତାହା ନମିଳିଲେ ଫୁଲ ଧରିବନି, ପରାଗସଙ୍ଗମ ହେବନି କି ଗର୍ଭାଧାନ ସମ୍ଭବ ହେବନାହିଁ। ଏଣୁ, ଆମକୁ ପଲିଥିନ ଘର ତିଆରି କରି କୄତ୍ରିମ ପରିବେଶରେ ଚାଷବାସ କରିବାକୁ ପଡ଼ିବ। ଜଳସେଚନ ବ୍ୟବସ୍ଥାକୁ ଅଧିକ ଉନ୍ନତ ତଥା କାର୍ଯ୍ୟଦକ୍ଷ କରିବାକୁ ହେବ।
ପ୍ରକୃତିକୁ ସିନା ଆମେ ବଦଳେଇ ଦେଇପାରିବାନି ଓ ବନ୍ୟା-ବାତ୍ୟା-ବର୍ଷା ଚକ୍ରକୁ ନିୟନ୍ତ୍ରିତ କରି ପାରିବାନି, କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ‘ମୁଁ ନୁହେଁ, ଆମକୁ’ ବଞ୍ଚିବାକୁ ହେବ। ଭାରତୀୟ ସଂସ୍କୃତି ତାହାହିଁ ଘୋଷଣା କରେ।
ଜାନକୀଶ ବଡ଼ପଣ୍ଡା
ଫୋ- ୯୪୩୮୨୯୯୦୩୭