Drug And Alcohol
ଡ. ରୀନା ରାଉତରାୟ
ଏହି ଶତାବ୍ଦୀର ସବୁଠୁ ବଡ଼ ସାମାଜିକ ଅଭିଶାପ ହେଲା ନିଶା।
ନିଶା ଏପରି ଏକ ଶବ୍ଦ, ଯାହା ଆଜି ଦୂର୍ଭାଗ୍ୟବଶତଃ ଯୁବପିଢ଼ିର ଜୀବନକୁ ଅନ୍ଧକାରକୁ ଠେଲିଦେଉଛି। ଏହା ଏପରି ଏକ ମାନସିକ ଓ ଶାରୀରିକ ଆସକ୍ତି ଯାହା ବ୍ୟକ୍ତିଗତ ଜୀବନକୁ ବିକ୍ଷିପ୍ତ କରିବା ସହିତ ଘର ପରିବାର, ସମାଜ ଓ ସମଗ୍ର ରାଷ୍ଟ୍ରକୁ ମଧ୍ୟ ଅସ୍ଥିର କରିଥାଏ।
ନିଶା ଯେ କେବଳ ଏକ ବ୍ୟକ୍ତିଗତ ରୁଚିର ବିକୃତି ନୁହେଁ, ବରଂ ସମାଜରେ ଅରାଜକତା ଓ ନୈତିକ ଅଧୋପତନର ମୁଖ୍ୟ କାରଣ।
କୋମଳମତି ଯୁବକ ଓ ଯୁବତୀମାନେ ଏହି ନିଶାର ଶିକାର ହେବା ଦ୍ଵାରା ଘର, ପରିବାର, ଶିକ୍ଷା ପ୍ରତିଷ୍ଠାନ ଓ ସମାଜ ମଧ୍ୟ ବିପର୍ଯ୍ୟସ୍ତ ହେଉଛି। କେବଳ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ନୁହେଁ, ବରଂ ସାମୂହିକ ସୁରକ୍ଷା, ନୈତିକ ମୂଲ୍ୟବୋଧ ଓ ଆର୍ଥିକ ଅବସ୍ଥାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରୁଛି।
ନିଶାଗ୍ରସ୍ତ ବ୍ୟକ୍ତି ତାଙ୍କର ଆସକ୍ତି ପୂରଣ ପାଇଁ ନିଜ ଘରର ସାମଗ୍ରୀ, ଟଙ୍କା ସୁନା ଇତ୍ୟାଦି ଚୋରି କରିଥାଏ। ଅସ୍ଥିର ମନୋବୃତ୍ତି ଯୋଗୁ ସେ ଅନ୍ୟର ଘର ବା ବ୍ୟବସାୟରେ ଲୁଟ କରିବାକୁ ମଧ୍ୟ ଚେଷ୍ଟା କରେ। ମୋବାଇଲ୍ ଚୋରି, ଗାଡ଼ି ଚୋରି, ଏଟିଏମ ଲୁଟ ଇତ୍ୟାଦିରେ ଲିପ୍ତ ହୁଅନ୍ତି। ମଦ, ଗଞ୍ଜେଇ, ହେରୋଇନରେ ଆସକ୍ତ ବ୍ୟକ୍ତିର ମାନସିକତା ଅସ୍ଥିର ଓ ନିୟନ୍ତ୍ରଣହୀନ ହୋଇଯାଏ। ଏହି ସ୍ଥିତିରେ ସେ ନୈତିକତା ହରାଇ ନାରୀ ହିଂସା, ଗଣଧର୍ଷଣ, ଉତ୍ପୀଡନ, ଅପହରଣ ଇତ୍ୟାଦି କାର୍ଯ୍ୟରେ ଲିପ୍ତ ହୁଏ।
ଓଡ଼ିଶାରେ ଏପର୍ଯ୍ୟନ୍ତ ଘଟିଥିବା ଅନେକ ଗଣଧର୍ଷଣ ମାମଲାରେ ଅଭିଯୁକ୍ତମାନେ ନିଶାଗ୍ରସ୍ତ ଥିବା ପ୍ରମାଣ ମିଳିଛି।
ନିଶାଗ୍ରସ୍ତ ବ୍ୟକ୍ତି ନିଜ ଘରକୁ ମଧ୍ୟ ନର୍କ କରିଦେଇଥାନ୍ତି। ସ୍ତ୍ରୀ ଓ ପିଲାମାନେ ଦୈନିକ ହିଂସା ଓ ଅପମାନର ସମ୍ମୁଖୀନ ହୁଅନ୍ତି। ପରିବାରର ଆର୍ଥିକ ସ୍ଥିତି ଖରାପ ହୁଏ। ଶିଶୁମାନେ ଶିକ୍ଷା ଛାଡ଼ି ଶ୍ରମିକ ହୋଇଯାଆନ୍ତି। ନିଶା ଦ୍ୱାରା ଘଟୁଥିବା ଘରୋଇ ହିଂସାଜନିତ ଦୁଃଖ ସମାଜ ପାଇଁ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି।
ନିଶା ସେବନ ଦ୍ୱାରା ମାନସିକ ସନ୍ତୁଳନ ବିଗିଡ଼ି ଯାଏ। କେତେବେଳେ ଉନ୍ମାଦନା ତ ଆଉ କେତବେଳେ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ପରି କରୁଣ ପରିଣତିର ରୂପ ନିଏ। ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ପ୍ରତିଭା ନଷ୍ଟ କରିଦିଏ। ଯୁବ ପିଢ଼ି ବଞ୍ଚିଲେ ରାଷ୍ଟ୍ର ବଞ୍ଚିବ, ତେଣୁ ଏମାନଙ୍କ ନଷ୍ଟ ଭବିଷ୍ୟତ ମାନେ ଦେଶ ଅନ୍ଧକାର।
୨୦୧୮ରେ AIIMS ଓ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ପକ୍ଷରୁ କରାଯାଇଥିବା "Magnitude of Substance Use in India" ଅନୁଧ୍ୟାନ ଅନୁସାରେ ଆମ ଦେଶର ପ୍ରାୟ ୪.୬ କୋଟି ଲୋକ ନିୟମିତ ଭାବେ ନିଶା ସେବନ କରନ୍ତି। ପ୍ରାୟ ୩.୨ କୋଟି ଲୋକ ଆଲକୋହଲ ଜନିତ ସମସ୍ୟାରୁ ବାହାରି ନିଶାମୁକ୍ତ ଜୀବନଯାପନ କରିବା ପାଇଁ ରିହାବିଲିଟେସନର ସାହାଯ୍ୟ ନେଇଥାନ୍ତି। ଗଞ୍ଜେଇ ସେବନକାରୀ ଲୋକ ପ୍ରାୟ ୨.୨ କୋଟି। ହେରୋଇନ, ଓପିଅମ, ବ୍ରାଉନ୍ ସୁଗାର ପ୍ରତି ଆସକ୍ତି ବାର୍ଷିକ ପ୍ରାୟ ୨୦-୩୦% ବୃଦ୍ଧି ହେଉଛି। ଏହି ବୁଢିଆଣୀ ଜାଲରେ ଛନ୍ଦି ହେଉଛନ୍ତି ୧୫ରୁ ୨୪ ବୟସର ଯୁବପିଢ଼ୀ। ସହର ଓ ଗ୍ରାମାଞ୍ଚଳ ଉଭୟର ଯୁବପିଢ଼ି ଏହି ନିଶା ସଂକ୍ରମଣର ଶିକାର ହୋଇଛନ୍ତି।
ଓଡ଼ିଶା ରାଜ୍ୟ ମଦ ନୀତି ଓ ରିହାବିଲିଟେସନ ସେଣ୍ଟର ତଥ୍ୟ ୨୦୨୩ ଅନୁଯାୟୀ ରାଜ୍ୟରେ ପ୍ରତି ଦିନ ପ୍ରାୟ ୧୦ରୁ ୧୫ ଲୋକ ଡ୍ରଗ୍ ସେବନ ଅଭିଯୋଗରେ ଗିରଫ ହୁଅନ୍ତି। କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଏହି ଅଞ୍ଚଳରେ ମଦ ଓ ଡ୍ରଗ୍ ସେବନ ମାତ୍ରାଧିକ ଅଟେ।
ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଦ, ଜର୍ଦ୍ଦା, ଗୁଟ୍ଖା ଇତ୍ୟାଦି ନିକୋଟିନଯୁକ୍ତ ପଦାର୍ଥ ଉପରେ ଆସକ୍ତି ଦିନକୁ ଦିନ ବଢ଼ୁଛି। ଅନେକ କେସରେ ପ୍ରଥମ ନିଶା ୧୩ରୁ ୧୫ ବର୍ଷ ବୟସରେ ଆରମ୍ଭ ହେଉଛି।
ଏହି ଅନାଚାରର ପଛରେ ଅନେକ କାରଣ ରହିଛି। ପ୍ରଥମତଃ ଘରେ ସଂସ୍କାର ଓ ଶୃଙ୍ଖଳାର ଅଭାବ, ଦ୍ୱିତୀୟରେ ମାନସିକ ଚାପ, କୁସଙ୍ଗର ପ୍ରଭାବ, ଅତ୍ୟାଧୁନିକ ଜୀବନଶୈଳୀ, ଏବଂ ମୋବାଇଲ ଓ ଇଣ୍ଟରନେଟ ମାଧ୍ୟମରେ ଆନନ୍ଦ ଉପଭୋଗ ପାଇଁ ଉତ୍ସୁକତା। ତୃତୀୟତଃ ନିଶା ଦ୍ରବ୍ୟ ଉପଲବ୍ଧତାରେ ସହଜତା, ଅନୁପଯୁକ୍ତ ନିୟନ୍ତ୍ରଣ ବ୍ୟବସ୍ଥା, ଓ ଅକାମୀ ଅନୁସନ୍ଧାନ ବ୍ୟବସ୍ଥା। ଯାହାର ଫଳ ସ୍ୱରୂପ ଯୁବବର୍ଗ ଆଜି ତାଙ୍କର ଜୀବନ ଓ ଭବିଷ୍ୟତକୁ ନିଶାର ଅନ୍ଧକାରରେ ନଷ୍ଟ କରୁଛନ୍ତି। ଅପରାଧ, ନାରୀ ନିର୍ଯ୍ୟାତନା, ଛିନ୍ତାଇ , ଆତ୍ମହତ୍ୟା, ପାରିବାରିକ କଳହ, ଗଣଧର୍ଷଣ, ସଡ଼କ ଦୁର୍ଘଟଣା ଇତ୍ୟାଦି ଆଜି ଘରେ ଘରେ ଦୁଃଖ ଆଣିଛି। ଅନେକ ପରିବାର ନଷ୍ଟ ହୋଇଛି।
ସମାଜରେ ନୈତିକ ମୂଲ୍ୟବୋଧର ଅଧୋପତନ ଘଟିଛି। ଏହି ସମସ୍ୟା କେବଳ ପୋଲିସି ଓ ଆଇନ ଦ୍ୱାରା ସମାଧାନ ସମ୍ଭବ ନୁହେଁ, ବରଂ ଏହି ଦିଗରେ ସାମୂହିକ ସଚେତନତା ଏବଂ ମାନବିକ ଉଦ୍ୟମ ଆବଶ୍ୟକ।
ଏହି ଉଦ୍ୟମ ପ୍ରଥମେ ଘରୁ ଆରମ୍ଭ କରିବା ଦରକାର। ପିତାମାତାଙ୍କର ଦାୟିତ୍ୱ ହେଉଛି ଶିଶୁଙ୍କୁ ଭଲ ବ୍ୟବହାର, ନୈତିକତା ଓ ସଂସ୍କାର ଦେବା। ଶିକ୍ଷକମାନେ ପାଠ ପଢ଼ାଇବା ସହିତ ନୈତିକ ଶିକ୍ଷା ଓ ଜୀବନ ଦିଗଦର୍ଶନ ଦିଅନ୍ତୁ। ସ୍କୁଲ ଓ କଲେଜରେ ନିଶା ନିବାରଣ ଅଭିଯାନ, ସେମିନାର ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ବିଷୟରେ ସଚେତନ କରାଯିବା ଦରକାର।
ସରକାର ପକ୍ଷରୁ ନିୟମକାନୁନ କଠୋର କରାଯିବା ସହିତ ଯେଉଁମାନେ ଏହି ବ୍ୟବସାୟରେ ଲିପ୍ତ, ସେମାନେ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ସେଥିପାଇଁ ଏକ ଶକ୍ତିଶାଳୀ ଏବଂ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଦରକାର। ଅନେକ ସ୍ୱୟଂସେବୀ ସଂଗଠନ ମଧ୍ୟ ଏହି ନିଶାବିରୋଧୀ ଅଭିଯାନ ଚାଲାଇଛନ୍ତି, ଯାହାକୁ ସମାଜ ଏବଂ ମିଡ଼ିଆର ସହଯୋଗ ଦରକାର। ନିଶାସକ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ କାଉନସେଲିଁ କରିବା ସହିତ ପୁନର୍ବାସ କେନ୍ଦ୍ରରେ ରହିବାର ସୁଯୋଗ ଓ ପରିବେଶ ସୃଷ୍ଟି କରାଯିବା ଜରୁରୀ ଅଟେ।
ଯୁବକମାନଙ୍କୁ ସାମିଲ କରି ସଚେତନତା କ୍ୟାମ୍ପ ଓ ସ୍କୁଲ ଅଭିଯାନ ଆବଶ୍ୟକ। ଅନେକ ସ୍ଥାନରେ ଏନଜିଓ, ଯୁବ ସଂଗଠନ ମାନେ ନିଶା ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି, କିନ୍ତୁ ରାଜ୍ୟ ସ୍ତରରେ ଏହାର ପ୍ରଭାବ ଅଧିକ ଦୃଶ୍ୟମାନ ନୁହେଁ।
ମଦ ବା କୌଣସି ପ୍ରକାରର ନିଶାଦ୍ରବ୍ୟ ବ୍ୟକ୍ତିର ମୌଳିକ ଆବଶ୍ୟକତା ନୁହେଁ। ଏହା ଏକ ସୌଖିନ ଆସକ୍ତି ବା ଅଭ୍ୟାସ ଯାହା ମନୁଷ୍ୟକୁ ବିପଥଗାମୀ କରାଇବା ସହିତ ସମାଜରେ ଅରାଜକତା ବ୍ୟାପୀବାରେ ସକ୍ରିୟ ଭୂମିକା ଗ୍ରହଣ କରିଛି। ତେଣୁ ନୀତି ନିର୍ଦ୍ଧାରଣରେ ଆବଶ୍ୟକୀୟ ପରିବର୍ତ୍ତନ ଆଣି ସରକାରୀ ସ୍ତରରେ ଏହାକୁ ବନ୍ଦ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ। ରାଜନୈତିକ ଦୃଢ଼ ଇଚ୍ଛାଶକ୍ତିର ଅଭାବ ହିଁ ଏହି ନିଶା ସାମ୍ରାଜ୍ୟର ଚେରକୁ ନଷ୍ଟ କରିବାର ସବୁଠୁ ବଡ଼ ବାଧକ ସାଜିଛି।
ସମଗ୍ର ଦେଶରେ ନିଶା ଏକ ଗଭୀର ସାମାଜିକ ସମସ୍ୟା। ଏହି ଦିଗରେ ସ୍ଥାନୀୟ ଓ ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟଯୋଜନା ଗଠନ କରିବା ଆବଶ୍ୟକ। ସଚେତନ ହେବା, ନିଶା ରୋକିବାର ପ୍ରଥମ ପଦକ୍ଷେପ। ଆମେ ସମସ୍ତଙ୍କୁ ଏହି ଅରାଜକତା ବିରୋଧରେ ମିଳିତ ସ୍ୱର ଉତ୍ତୋଳନ କରିବାକୁ ହେବ। ନିଶା କେବଳ ଏକ ବ୍ୟକ୍ତିକୁ ନୁହେଁ, ପୂରା ପିଢ଼ିକୁ ଧ୍ୱଂସ କରିଦେବାକୁ ବସିଛି। ଏହି ଅନ୍ଧକାରକୁ ଆଲୋକରେ ବଦଳାଇବା ପାଇଁ ଆଜି ଅନୁଶାସନ, ଶିକ୍ଷା, ସକାରାତ୍ମକ ମନୋବୃତ୍ତି ଓ ସଚେତନ ସମାଜ ଦରକାର।
ନିଶାକୁ 'ନା' କହି ଜୀବନକୁ 'ହଁ' କହିବାର ଦିନ ଆସିବା ପାଇଁ ଆମକୁ ବଳିଷ୍ଠ ପଦକ୍ଷେପ ନେବାକୁ ପଡ଼ିବ। ସମାଜର ପ୍ରତ୍ୟେକ ମନୁଷ୍ୟ ଏଥିପାଇଁ ଦାୟିତ୍ୱବାନ ଓ ସଚେତନ ହେବା ଦରକାର। ଏକ ଶକ୍ତିଶାଳୀ, ଉଚ୍ଚ ସଂସ୍କୃତି ସମ୍ପନ୍ନ ଓ ନିଶାମୁକ୍ତ ସମାଜ ତିଆରି କରିବାର ସମୂହ ଚେଷ୍ଟା, ଏକତା ଓ ଏକାଗ୍ରତାର ସମୟ ଉପନୀତ।
‘ନିଶା ନୁହେଁ, ଜୀବନ ବାଛନ୍ତୁ’, ଏହା ହେଉ ନୂଆ ସମାଜର ବାର୍ତ୍ତା।
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1753435941.jpg)