/odisha-reporter/media/post_attachments/uploadimage/library/16_9/16_9_0/IMAGE_1748609300.jpg)
Variety Of Dals
ଜାନକୀଶ ବଡ଼ପଣ୍ଡା
କୌଣସି ଜିନିଷ କିମ୍ବା କାର୍ଯ୍ୟ ଉପରେ ସନ୍ଦେହ ହେଲେ, ତାହାକୁ ପ୍ରକାଶ କରିବା ପାଇଁ ଆମେ ରାଷ୍ଟ୍ରୀୟ ଭାଷା ହିନ୍ଦୀରେ କହୁ ‘ଡାଲ୍ ମେଁ କୁଛ କାଲା ହୈ’। ଏହାର ଅର୍ଥ ହେଲା ଯେ, କିଛି ଭୁଲ ଅଛି କିମ୍ବା କୌଣସି ଗୁପ୍ତ ରହସ୍ୟ ଅଛି। ମୁଗ ହେଉ କି ହରଡ଼ ଡାଲି, କାଙ୍ଗୁଲ ହେଉ କି ବରଗୁଡ଼ି ଡାଲି, ରଙ୍ଗ କିନ୍ତୁ ତୋଫା ହଳଦିଆ କିମ୍ବା ମାଟିଆ। ଯଦି ଏଥିରୁ ପ୍ରସ୍ତୁତ ଡାଲି, ଡାଲମା କିମ୍ବା ସମ୍ବରର ରଙ୍ଗ କଳା ଦେଖାଯାଏ, ମନରେ ସନ୍ଦେହ ସୃଷ୍ଟି ହୁଏ ଯେ କିଛି ଘଟିଛି, ଯାହା ହେବାର ନଥିଲା। ଆମେ ଯେତେବେଳେ ଅନୁଭବ କରୁ ଯେ କିଛି ଜିନିଷ କିମ୍ବା କାର୍ଯ୍ୟ ଭଲ ଭାବରେ ହେଉନାହିଁ, ପାଟିରୁ ବାହାରି ଆସେ, ‘ଡାଲ୍ ମେ କୁଛ କାଲା ହୈ’! ଯଦିଓ କୋଉଠି ଭୁଲ୍ ହୋଇଗଲା, ଅନେକେ ତାହା କହିପାରନ୍ତି ନାହିଁ, ଭୁଲ ହେଉଥିବାର ଅନୁଭବ କରିବାରୁ ତାଙ୍କୁ ଅଟକେଇବ ବା କିଏ? କଥାଟା କେବଳ କୌଣସି ଜିନିଷ କିମ୍ବା କାର୍ଯ୍ୟରେ ସୀମିତ ନହୋଇ ଜଣେ ବ୍ୟକ୍ତିଙ୍କ ଆଚରଣ ଓ ଉଚ୍ଚାରଣରେ କିଛି ଭୁଲ ଦେଖିଲେ ବି ସେହି କଥା କୁହାଯାଏ। ବୋଧହୁଏ, କଳାଟଙ୍କା ଶବ୍ଦର ସୃଷ୍ଟି ଏହିଭଳି କିଛି ସନ୍ଦେହରୁ।
ଗତ ଜୁନ୍ ୨୮ ତାରିଖରେ ଚଳିତ ଖରିଫ୍ ଋତୁ ପାଇଁ ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ ଦ୍ଵାରା ଘୋଷଣା କରାଯାଇଛି। ଏହା ସେସବୁ ଫସଲର ହାରାହାରି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣରୁ ଅଧିକ। ଧାନ ଫସଲ ପାଇଁ କୁଇଣ୍ଟାଲ ପ୍ରତି ମାତ୍ର ୬୯ ଟଙ୍କା ବୃଦ୍ଧି କରା ଯାଇଥିବା ବେଳେ ବିରି ପାଇଁ ୪୦୦, ହରଡ଼ ୪୫୦, ରାଶି ୫୭୯ ଏବଂ ଅଳସୀ ପାଇଁ ୮୨୦ ଟଙ୍କା ବୃଦ୍ଧି କରାଯାଇଛି। ଫସଲ ଚାଷ ପାଇଁ କରାଯାଉଥିବା ହାରାହାରି ଖର୍ଚ୍ଚକୁ ଦେଖି ଏମଏସପି ଏଭଳି ବୃଦ୍ଧି କରାଯାଇଛି। ଉଦ୍ଦେଶ୍ୟ ହେଉଛି ଯେ ଚାଷୀମାନେ ଅଧିକ ଜମିରେ ଧାନ ଚାଷ ନକରି ଅଣଧାନ ଚାଷ ପାଇଁ ଅଧିକ ଆଗ୍ରହ ପ୍ରକାଶ କରନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୀତିକ ବ୍ୟାପାର କ୍ୟାବିନେଟ କମିଟି ନେଇଥିବା ଏହି ନିଷ୍ପତ୍ତି ୧୪ଟି ଫସଲର ଏମଏସ୍ପି ବୃଦ୍ଧି କରିଛି, ଯେଉଁଥିରେ ଖରିଫ ଋତୁରେ ଚାଷ ହେଉଥିବା ୪ଟି ଡାଲି ଓ ୫ଟି ତୈଳବୀଜ ଫସଲ ରହିଛି। ଭାରତ ଡାଲି ଓ ତୈଳବୀଜ ଶସ୍ୟ ଚାହିଦା ଅନୁଯାୟୀ ବିଦେଶରୁ ଆମଦାନୀ କରିଥାଏ।
୨୦୨୧-୨୨ ଆର୍ଥିକ ବର୍ଷରେ, ଭାରତରେ ଡାଲି ଚାହିଦା ୨୬୭.୨ ଲକ୍ଷ ଟନ୍ ଥିଲାବେଳେ, ଉତ୍ପାଦନ ହୋଇଥିଲା ୨୬୯.୬ ଲକ୍ଷ ଟନ୍। ତଥାପି ସେହି ବର୍ଷ ଡାଲି ଆମଦାନୀ ୨୬.୯୯ ଲକ୍ଷ ଟନ୍ ଥିଲା। ଚାହିଦା ପୂରଣ କରିବା ପାଇଁ ୨୦୨୩-୨୪ ବର୍ଷରେ ଭାରତର ଡାଲି ଆମଦାନୀ ୪୭.୩୮ ଲକ୍ଷ ଟନରେ ପହଞ୍ଚିଥିଲା। ୨୦୨୪-୨୫ ସୁଦ୍ଧା ଉତ୍ପାଦନ ବିଶେଷ ନବଢି ଚାହିଦା ବଢ଼ିଥିବାରୁ ଭାରତ ବିଦେଶରୁ ଡାଲି ଜାତୀୟ ଶସ୍ୟ ଆମଦାନୀ କରିବାକୁ ବାଧ୍ୟ ହୋଇଥିଲା। ନୀତି ଆୟୋଗ ଆକଳନ କରିଛନ୍ତି ଯେ, ୨୦୨୯-୩୦ ମସିହା ସୁଦ୍ଧା ଡାଲିର ଚାହିଦା ୩୨୬.୪ ଲକ୍ଷ ଟନକୁ ବୃଦ୍ଧି ପାଇବ। ଏଣୁ, ସରକାର ଡାଲି ଉତ୍ପାଦନ ପାଇଁ ପ୍ରୟାସ କରିବା ଏବଂ ଚାଷୀଙ୍କ ପାଇଁ ଲାଭଦାୟକ ମୂଲ୍ୟ ପ୍ରଦାନ କରିବା ପାଇଁ ‘ପିଏମ୍ ଆଶା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତାହା ସହିତ ଘରୋଇ ଚାହିଦା ପୂରଣ କରିବା ପାଇଁ, ଡାଲି ଆମଦାନୀ କରିଆସୁଛନ୍ତି।
ଦେଶର ପ୍ରମୁଖ ଡାଲି ଉତ୍ପାଦକ ରାଜ୍ୟଗୁଡିକ ହେଲେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକ। କାଳକାଳ ଧରି ଭାରତୀୟ ଖାଦ୍ୟ ଅଭ୍ୟାସରେ ଭାତ କିମ୍ବା ରୁଟି ସହିତ ଡାଲି ରହି ଆସିଥିବାରୁ ଡାଲିଜାତୀୟ ଫସଲ ଚାଷ କୃଷି ବ୍ୟବସ୍ଥାରେ ଅବିଚ୍ଛେଦ୍ୟ ଅଙ୍ଗ।
ଆମ ଓଡ଼ିଶାରେ, ଡାଲିର ଚାହିଦା ଉତ୍ପାଦନଠାରୁ ଯଥେଷ୍ଟ ଅଧିକ। ଯାହା ଫଳରେ ଏହି ଅଭାବ ପୂରଣ କରିବା ପାଇଁ ଆମକୁ ଅନ୍ୟ ରାଜ୍ୟରୁ, ମୁଖ୍ୟତଃ ମହାରାଷ୍ଟ୍ରରୁ ଡାଲି ଆମଦାନୀ କରିବାକୁ ପଡ଼ିଥାଏ। ଓଡ଼ିଶା ବାର୍ଷିକ ପ୍ରାୟ ୪ ଲକ୍ଷ ଟନ୍ ଡାଲି ଆବଶ୍ୟକ କରୁଥିବା ବେଳେ ପ୍ରାୟ ୧.୫ ଲକ୍ଷ ଟନ୍ ଉତ୍ପାଦନ କରେ। ଓଡ଼ିଶାରେ ଡାଲିର ହାରାହାରି ଉତ୍ପାଦକତା ମଧ୍ୟ ଜାତୀୟ ହାରାହାରି ତୁଳନାରେ କମ୍ ରହୁଥିବାରୁ, ଉନ୍ନତ କିସମ ବିହନ ବ୍ୟବହାର, ଜଳସେଚନ ଏବଂ ଚାଷ ପଦ୍ଧତିର ଆବଶ୍ୟକତା ଅନୁଭୁତ ହୁଏ। ତେବେ, ଚାହିଦା ତୁଳନାରେ ଉତ୍ପାଦନ କମ୍ ହେଉଥିବାରୁ ଓଡ଼ିଶାରେ ଡାଲିର ମୂଲ୍ୟ ଉଚ୍ଚାରହେ। ଏହାହିଁ ଅପପୁଷ୍ଟି ଏବଂ ମାତୃ ଓ ଶିଶୁ ମୃତ୍ୟୁହାର ବଢ଼ିବାର ଅନ୍ୟତମ ମୁଖ୍ୟ କାରଣ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଡାଲି ଉତ୍ପାଦନ ବୃଦ୍ଧି କରିବା ପାଇଁ ସାତଟି ଜିଲ୍ଲାରେ ଥିବା ଡାଲି ବିହନ କେନ୍ଦ୍ର ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ବିକାଶ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଭାରତୀୟ ଡାଲି ଗବେଷଣା ସଂସ୍ଥାନ ଖୋର୍ଦ୍ଧାରେ ଏକ ଆଞ୍ଚଳିକ କେନ୍ଦ୍ର ସ୍ଥାପନ କରି ଗବେଷଣା କରୁଛନ୍ତି। ଏହା ବ୍ୟତିତ ଶୁଷ୍କାଞ୍ଚଳ ଅନ୍ତର୍ଜାତୀୟ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ମଧ୍ୟ ଓଡ଼ିଶାର ଚାଷୀଙ୍କୁ ଜଳବାୟୁ-ଉପଯୋଗୀ ଡାଲି ଚାଷ କରିବାକୁ ପ୍ରୋତ୍ସାହନ ଦିଆଯାଉଛି।
ନୟାଗଡ଼ ମୁଗ କହିଲେ, ଆମେ ଉଚ୍ଚମାନର ମୁଗଡାଲିକୁ ବୁଝୁ। ସ୍ଥାନୀୟ ମୁଗଡାଲିର ବାସ୍ନା, ସ୍ୱାଦ ଏବଂ ଗୁଣବତ୍ତା ଅତ୍ୟନ୍ତ ଆକର୍ଷଣୀୟI ସେଠାରେ ଆବହମାନ କାଳରୁ ସ୍ଥାନୀୟ କିସମ ମୁଗ ଚାଷ ହୋଇ ଆସୁଛି। ସେଥିପାଇଁ ଓଡ଼ିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ନୟାଗଡ଼ରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ତଳୁ ଏକ ଡାଲି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ନୂଆ କିସମର ମୁଗଡାଲି ଉଦ୍ଭାବନ କରିବା ସହିତ ବିଭିନ୍ନ ଡାଲି ଜାତୀୟ ଫସଲକୁ ସ୍ଥାନୀୟ ଜଳବାୟୁରେ ପରୀକ୍ଷାମୂଳକ ଚାଷକରି ପ୍ରଶଂସା ସାଉଣ୍ଟି ଥିଲେ ହେଁ ୩୬ ଏକର ଜମିରେ ଥିବା ଏହି ଗବେଷଣା କେନ୍ଦ୍ର ଏବେ ବନ୍ଦ ହୋଇ ଯାଇଛି। ଏହାକୁ କାର୍ଯ୍ୟକ୍ଷମ କରାନଗଲେ ଅଧିକ ଅମଳକ୍ଷମ ଡାଲି ଜାତୀୟ ଫସଲ ଚାଷକୁ ପ୍ରୋତ୍ସାହନ ମିଳିବନି।
ଆସନ୍ତୁ, ଆଉ ଗୋଟିଏ ଦୃଷ୍ଟିରୁ ଆଲୋଚନା କରିବା। ଭାରତରେ କେବଳ ଧାନଚାଷ ପାଇଁ ଦେଶର ମୋଟ ଜଳସମ୍ପଦର ୧୬.୬୭ ପ୍ରତିଶତ ଖର୍ଚ୍ଚ ହେଉଥିବା ବେଳେ ଏକ କିଲୋଗ୍ରାମ ଧାନ ଓ ଗହମ ଉତ୍ପାଦନ ପାଇଁ ଯଥାକ୍ରମେ ୨,୦୦୦ ଓ ୧,୪୫୦ ଲିଟର ଜଳ ଆବଶ୍ୟକ ହୁଏ। ଏକ କିଲୋଗ୍ରାମ ମୁଗ ଓ ହରଡ଼ ଡାଲି ଉତ୍ପାଦନ ପାଇଁ ଯଥାକ୍ରମେ ୩୫୦ ଓ ୨୨୫ ଲିଟର ପାଣି ଆବଶ୍ୟକ ହୋଇଥାଏ। ଯଦି ଏକର ପ୍ରତି ହାରାହାରି ୧୫ କୁଇଣ୍ଟାଲ୍ ଧାନ, ୫ କୁଇଣ୍ଟାଲ୍ ମୁଗ ଏବଂ ୬ କୁଇଣ୍ଟାଲ୍ ହରଡ଼ ଅମଳ ହୁଏ ଏବଂ ଫସଲ ଚାଷ ପାଇଁ ଏକର ପିଛା ଯଥାକ୍ରମେ ୩୦, ୮ ଏବଂ ୧୨ ହଜାର ଖର୍ଚ୍ଚ କରାଯାଏ, ମୂଲ୍ୟ ଦୃଷ୍ଟିରୁ ଦେଖିଲେ ଓଡ଼ିଶାର ଜଣେ ଚାଷୀ ଏକର ପିଛା ମୋଟ ଲାଭ କରିବେ ୩୧,୫୦୦ ଟଙ୍କା, ୩୫,୫୦୦ ଟଙ୍କା ଓ ୩୬ ହଜାର ଟଙ୍କା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଧାନ ଅପେକ୍ଷା ଡାଲି ଫସଲରୁ ଅଧିକ ଲାଭ ମିଳେ ଏବଂ କମ୍ ଜଳ ବ୍ୟବହାର କରିବାକୁ ପଡେ। ଡାଲି ଭଳି ତୈଳବୀଜ ଫସଲରେ ମୋଟାମୋଟି ସମାନ କଥା। ସେଇଥି ପାଇଁ ତ ଚଳିତ ଖରିଫ ଋତୁପାଇଁ ୪ଟି ଡାଲି ଓ ୫ଟି ତୈଳବୀଜ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର- ପରୋକ୍ଷରେ ଚାଷୀଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, ଅଧିକ ପରିମାଣରେ ଡାଲି ଓ ତୈଳବୀଜ ଫସଲ ଚାଷ କର। ଚାଷୀ ପାଇବେ ଅଧିକ ଲାଭ ଓ ଭାରତକୁ ବିଦେଶରୁ ଏସବୁ ଫସଲ ଆମଦାନି କରିବାକୁ ପଡ଼ିବନି। ଲୋକମାନେ ଶସ୍ତାରେ ଡାଲି ପାଇବେ, ଅପପୁଷ୍ଟି ରହିବନି, କ୍ଷୁଧା ସୂଚକାଙ୍କରେ ସୁଧାର ଆସିବ।
ରାଜ୍ୟରେ ଏବେ ଡବଲ୍ ଇଞ୍ଜିନ୍ ସରକାର। କେନ୍ଦ୍ର ସରକାର ଯାହା ଚାହୁଁଛନ୍ତି, ରାଜ୍ୟ ସରକାର ସମାନ ଭାବେ ନଚାହିଁଲେ ବିକାଶର ନନ୍ଦିଘୋଷ ଆଗକୁ କିଭଳି ଗଡିବ! କେନ୍ଦ୍ର ସରକାର ଖରିଫ୍ ଧାନର ସଂଗ୍ରହ ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୨୩୭୦ ଟଙ୍କା ରଖିଥିଲା ବେଳେ ଓଡିଶା ସରକାର ୩,୧୦୦ ଟଙ୍କା ଦେବା ଠିକ୍ ନୁହେଁ। ଯଦିଓ ନିର୍ବାଚନ ପ୍ରତିଶୃତି ପାଳନ କରିବାକୁ ଏଭଳି ବର୍ଦ୍ଧିତ ମୂଲ୍ୟ ଦେଉଛନ୍ତି, ତେବେ ରବିଧାନ କ୍ରୟ କଲାବେଳେ କେନ୍ଦ୍ର ନିର୍ଦ୍ଧାରିତ ହାରରେ ଦେବା ଉଚିତ। ପଡ଼ୋଶୀ ଛତିଶଗଡ଼ ସରକାର ତାହା ହିଁ କରୁଛନ୍ତି। ଯଦି ଓଡ଼ିଶା ସରକାର ଚାଷୀଙ୍କଠାରୁ ମୁଗ, ହରଡ଼ ଓ ବିରି ଭଳି ଡାଲି ଜାତୀୟ ଶସ୍ୟ ଅଧିକ ମୂଲ୍ୟ ଦେଇ କିଣି ନିଅନ୍ତେ, ଓଡ଼ିଶା ମଧ୍ୟ ଏ ଦିଗରେ ବଳକା ରାଜ୍ୟରେ ପରିଣତ ହୋଇ ପାରନ୍ତା।
ଗତ ୨୯ ତାରିଖରେ କେନ୍ଦ୍ର କୃଷିମନ୍ତ୍ରୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ କରିଛନ୍ତି। ଦେଶକୁ ଖାଦ୍ୟ ଭଣ୍ଡାରରେ ପରିଣତ କରିବା ପାଇଁ ଆହ୍ୱାନ ଦେଇ କହିଛନ୍ତି ଯେ, କୃଷି ବୈଜ୍ଞାନିକମାନେ ଗବେଷଣାଗାରରୁ ବାହାରି ଚାଷୀଙ୍କ ପାଖକୁ ଯାଆନ୍ତୁ। ଓଡ଼ିଶା ସରକାର ନିଜର ଝୋଟ, ଆଖୁ, ମୁଗ ଗବେଷଣା କେନ୍ଦ୍ର ଗୁଡିକୁ ବନ୍ଦ କରି ଚାଲିଥିଲା ବେଳେ ଓ କୃଷି ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦେଉ ନଥିଲା ବେଳେ ଚାଷୀଙ୍କୁ ନୂତନ କୃଷି ପ୍ରଣାଳୀ, ବିହନ କିଭଳି ମିଳି ପାରିବ! ଓଡ଼ିଶାରେ ଏକର ପିଛା ଅମଳ ବଢ଼େଇବା ପଥରେ ଯେତେ ସବୁ ପ୍ରତିବନ୍ଧକ ରହିଛି, ସେଗୁଡ଼ିକୁ ସରକାରଙ୍କୁ ହଟାଇବାକୁ ପଡ଼ିବ। ଓଡ଼ିଶାର ଚାଷୀଙ୍କୁ ପାଣି, ସାର, ଉନ୍ନତ ବିହନ ଓ ଆଧୁନିକତମ ଚାଷ କୌଶଳ ସହିତ ସାହାଯ୍ୟର ହାତ ବଢ଼ାନ୍ତୁ ରାଜ୍ୟ ସରକାର, ଓଡ଼ିଶାର ଚାଷୀ ସୁନା ଫଳେଇ ପାରିବେ। ସେତିକି ନକରି ଆଉ ଯାହା ସଂକଳ୍ପ କଲେ ବି ଲୋକ କହିବେ, ଡାଲ୍ ମେ କୁଛ କାଲା ହୈ!
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
