ରାଉରକେଲାରେ ବାଣିଜ୍ୟିକ ବିମାନ ସେବା

ଜାନକୀଶ ବଡ଼ପଣ୍ଡା ଏବେ ଆଷ୍ଟ୍ରୋଟର୍ଫ ଉପରେ ହକି ବଲ ତୀବ୍ରଗତିରେ ଗଡ଼ିଲା ଭଳି ରାଉରକେଲା ବିମାନ ବନ୍ଦରର ବାକି ରହିଯାଇଥିବା କାମଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ସ୍ପର୍ଶ ଦିଆସରିଛି। ଭାରତୀୟ ଇସ୍ପାତ ପ୍ରାଧିକରଣ (SAIL) ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ମଧ୍ୟରେ ନୂଆଦିଲ୍ଲୀରେ ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖରେ ରାଉରକେଲା ବିମାନ ବନ୍ଦରକୁ ବ୍ୟାବସାୟିକ ବ୍ୟବହାର କରିବା ପାଇଁ କାର୍ଯ୍ୟ ଓ ପରିଚାଳନା (O&M) ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଫଳରେ ଉଡ଼ାନ ଯୋଜନାରେ ରାଉରକେଲା ଇସ୍ପାତ […]

Plane

Debendra Prusty
  • Published: Tuesday, 13 December 2022
  • , Updated: 13 December 2022, 03:18 PM IST
  • ଜାନକୀଶ ବଡ଼ପଣ୍ଡା

ଏବେ ଆଷ୍ଟ୍ରୋଟର୍ଫ ଉପରେ ହକି ବଲ ତୀବ୍ରଗତିରେ ଗଡ଼ିଲା ଭଳି ରାଉରକେଲା ବିମାନ ବନ୍ଦରର ବାକି ରହିଯାଇଥିବା କାମଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ସ୍ପର୍ଶ ଦିଆସରିଛି। ଭାରତୀୟ ଇସ୍ପାତ ପ୍ରାଧିକରଣ (SAIL) ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ମଧ୍ୟରେ ନୂଆଦିଲ୍ଲୀରେ ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖରେ ରାଉରକେଲା ବିମାନ ବନ୍ଦରକୁ ବ୍ୟାବସାୟିକ ବ୍ୟବହାର କରିବା ପାଇଁ କାର୍ଯ୍ୟ ଓ ପରିଚାଳନା (O&M) ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଫଳରେ ଉଡ଼ାନ ଯୋଜନାରେ ରାଉରକେଲା ଇସ୍ପାତ କାରଖାନା ନିଜର ବିମାନ ବନ୍ଦରକୁ ବାଣିଜ୍ୟିକ ବିମାନ ଚଳାଚଳ ପାଇଁ  ବ୍ୟବହାର କରିବାକୁ ଦେବାକୁ ବାଟ ଫିଟିଛି। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଙ୍କ ଆର୍ଥିକ ସହାୟତାରେ ଏହି ବିମାନବନ୍ଦରର ଉନ୍ନୟନ ଓ ସମ୍ପ୍ରସାରଣ ହୋଇଛି। ଉଡାନ ଯୋଜନାର ସର୍ତ୍ତ ଅନୁସାରେ, ଓଡ଼ିଶା ସରକାରଙ୍କ ପକ୍ଷରୁ ସୁରକ୍ଷା, ଅଗ୍ନିଶମ ସେବା ଏବଂ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ରାଉରକେଲା ଇସ୍ପାତ କାରଖାନା ହାତରେ ବିମାନ ବନ୍ଦର ମାଲିକାନା ରହିବ, ବିମାନବନ୍ଦର ପ୍ରାଧିକରଣ ଏହାକୁ କାର୍ଯ୍ୟକାରୀ ଓ ପରିଚାଳନା କରିବେ। ଉଡାନ ଯୋଜନାରେ ଏହା ହେବ ଝାରସୁଗୁଡ଼ା ଓ ଜୟପୁର ପରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ତୃତୀୟ ଏବଂ ଓଡ଼ିଶାର ଚତୁର୍ଥ ବାଣିଜ୍ୟିକ ବିମାନ ବନ୍ଦର। ରାଜ୍ୟର ଦ୍ଵିତୀୟ ସ୍ମାର୍ଟ ମହାନଗର ଏବେ ଯୋଡ଼ିହୋଇଯିବ ଆକାଶ ପଥରେ ଦେଶର ଅନ୍ୟାନ୍ୟ ସହର ସହ। ୧୯୫୪ ମସିହା ମାର୍ଚ୍ଚ ୩ ତାରିଖ ଯେମିତି ରାଉରକେଲା ସହରର ପ୍ରତିଷ୍ଠା ଦିବସ, ଏହାର ଉଦଘାଟନ ଦିନ ହିଁ  ସେହିଭଳି ବିମାନ ବନ୍ଦରର ପ୍ରତିଷ୍ଠା ଦିବସ ଭାବେ ମାନ୍ୟତା ପାଇବ।

ରାଉରକେଲା ବିମାନ ବନ୍ଦର ଇସ୍ପାତ ସହର ରାଉରକେଲାଠାରୁ ୬ କିଲୋମିଟର ଦୂର ପଶ୍ଚିମ ଦିଗରେ ଥିବା ଛେଣ୍ଡ କଲୋନୀ ନିକଟରେ ଅବସ୍ଥିତ। ଏହା ଭାରତୀୟ ଇସ୍ପାତ ପ୍ରାଧିକରଣଙ୍କ ମାଲିକାନାରେ ଥିବା ଏକ ବେସାମରିକ ବିମାନବନ୍ଦର। ଏହି ବିମାନବନ୍ଦରଟି ପ୍ରାୟତଃ ରାଉରକେଲାକୁ ପରିଦର୍ଶନରେ ଆସୁଥିବା ମାନ୍ୟଗଣ୍ୟ ବ୍ୟକ୍ତି, ବିଶେଷକରି ଇସ୍ପାତ ପ୍ରାଧିକରଣଙ୍କ ଉଚ୍ଚ ଅଧିକାରୀ ଏବଂ ଅନ୍ୟାନ୍ୟ ଅତି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ହୁଏ। ଏହାକୁ ଏବେ ବିମାନବନ୍ଦର ପ୍ରାଧିକରଣଙ୍କ କର୍ତ୍ତୃତ୍ୱକୁ ଆଣି ସର୍ବସାଧାରଣ ବ୍ୟବହାର କରିବାକୁ ଉଦ୍ୟମ ଚାଲିଥିବାରୁ ବିମାନବନ୍ଦରର ଯାତ୍ରୀ ଟର୍ମିନାଲକୁ ନବୀକରଣ କରାଯାଇଛି। ଇସ୍ପାତ କାରଖାନା ନିର୍ମାଣ ସମୟରେ ନିର୍ମିତ ହୋଇଥିଲା ରାଉରକେଲା ବିମାନ ଘାଟୀ। ଏଠାରୁ କେନ୍ଦ୍ର ସରକାରଙ୍କ 'ଉଡାନ'  ଯୋଜନାରେ ନିୟମିତ ଉଡ଼ାଣ ଆରମ୍ଭ ହେଉଛି। ବିମାନବନ୍ଦରକୁ ବାଣିଜ୍ୟିକ ବ୍ୟବହାର ପାଇଁ ଲାଇସେନ୍ସ ମିଳି ସାରିଛି। ଏବେ ରନୱେର ଲମ୍ବ ରହିଛି ୬,୦୦୦ ଫୁଟ, କିନ୍ତୁ ଏହାକୁ ୬,୩୩୦ ଫୁଟ (୧,୯୩୦ ମିଟର) ପର୍ଯ୍ୟନ୍ତ ବଢ଼ାଯିବା ସହିତ ରାତ୍ରିକାଳୀନ ଉଡ଼ାଣ ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି। ଏହା ଅଳ୍ପଦିନ ତଳେ 'ବି' ପର୍ଯାୟରୁ 'ସି' ପର୍ଯ୍ୟାୟ ବିମାନ ବନ୍ଦରକୁ ଉନ୍ନିତ ହୋଇଛି। ଫଳରେ ଏଠାରେ ବୋଇଙ୍ଗ ୭୩୭ ଓ ୭୬୭ ଜେଟ ବିମାନର ଉଡ଼ାଣ ଓ ଅବତରଣ ସମ୍ଭବ ହେବ।

ଅନ୍ତର୍ଜାତୀୟ ପୁରୁଷ ହକି ପ୍ରତିଯୋଗୀତା ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜକ ରାଷ୍ଟ୍ର ନିଜର ଯେଉଁ ସହରରେ ଏହାକୁ ଆୟୋଜନ କରେ, ସେହି ସହରରେ ନୂତନ ଭିତ୍ତିଭୂମି ନିର୍ମାଣ କରିବା ସହ ସମସ୍ତ ପୁରୁଣା ଭିତ୍ତିଭୂମି ଗୁଡ଼ିକର ଉନ୍ନତି ସାଧନ କରିଥାଏ। ୧୯୮୨ ମସିହାରେ ଦିଲ୍ଲୀଠାରେ ଏସୀୟ କ୍ରୀଡା ଆୟୋଜନ ହେବା ପୂର୍ବରୁ ଟେଲିଭିଜନ ପ୍ରସାରଣଠାରୁ ଆରମ୍ଭ କରି ନୂଆ ଷ୍ଟାଡିୟମ ଓ କ୍ରୀଡ଼ାଗ୍ରାମ ନିର୍ମାଣ କରାଯାଇଥିଲା। ସେହିପରି ୨୦୧୦ ମସିହାରେ ଆୟୋଜିତ ରାଷ୍ଟ୍ରଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ତୃତୀୟ ରନୱେ ସହ ଏକ ଭବ୍ୟ ନୂତନ ଟର୍ମିନାଲ୍ ମଧ୍ୟ ନିର୍ମାଣ  କରାଯାଇଥିଲା। ସେହିପରି, ଆସନ୍ତା ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହ ରାଉରକେଲା ସହରରେ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ରାଉରକେଲାଠାରେ ନୂତନ ହକି ଷ୍ଟାଡିୟମ ନିର୍ମିତ ହୋଇଛି ଓ ଏଠାରେ ଥିବା ବ୍ରାଉନ ଫିଲଡ ବିମାନ ବନ୍ଦରକୁ ସମ୍ପ୍ରସାରିତ ଓ ନବୀକରଣ କରି ସି-ବର୍ଗର ନିୟମିତ ବିମାନ ବନ୍ଦର ଭାବେ ଉନ୍ନୀତ କରାଯାଉଛି। ଓଡ଼ିଶା ରାଜ୍ୟ ସରକାର ଏହି ଦୁଇ ସହରରେ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଆୟୋଜନ କରୁଥିବାରୁ ଏଠାରେ ଦେଶ ଓ ବିଦେଶରୁ ଆସିବାକୁ ଥିବା ଖେଳାଳି, ପ୍ରଶିକ୍ଷକ, କ୍ରୀଡ଼ାପ୍ରେମୀ ପର୍ଯ୍ୟଟକ ଏବଂ କ୍ରୀଡ଼ା ଉତ୍ସାହୀଙ୍କ ବିପୁଳ ସମାଗମ ଦେଖିବାକୁ ମିଳିବ। ଏଥିପାଇଁ ଦୁଇ ଆୟୋଜକ ସହରରେ ବିମାନଚଳାଚଳ ପାଇଁ ଅନୁକୂଳ ଭିତ୍ତିଭୂମି ଆବଶ୍ୟକ ପଡୁଥିବାରୁ ରାଉରକେଲା ବିମାନବନ୍ଦରର ରନୱେ ସମ୍ପ୍ରସାରଣ, ଟର୍ମିନାଲ ଓ ସହର ସହ ସଂଯୁକ୍ତ ରାସ୍ତାର ପ୍ରଶସ୍ତିକରଣ ସହ ଆବଶ୍ୟକୀୟ ପର୍ଯ୍ୟାପ୍ତ ଭିତ୍ତିଭୂମି ନିର୍ମାଣ କରି ସେଠାରୁ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଉଦ୍ୟମ ହୋଇଛି। ଏଥିପାଇଁ, ରାଉରକେଲା ଇସ୍ପାତ କାରଖାନା (ଆରଏସପି) କର୍ତ୍ତୃପକ୍ଷ ବିମାନବନ୍ଦର ସନ୍ନିକଟ ୧୪୬ ଏକର ଜମି ଯୋଗାଇ ଦେଇଛନ୍ତି। ଫଳରେ ଆବଶ୍ୟକତା ଅନୁଯାୟୀ ଆଗାମୀ ଦିନରେ ରନୱେକୁ ମଧ୍ୟ ୭,୫୦୦ ଫୁଟଯାଏଁ ସମ୍ପ୍ରସାରିତ କରାଯାଇପାରିବ ଓ ଏଠାରୁ ଏ୩୨୦ ଏବଂ ବୋଇଙ୍ଗ ୭୩୭ ପରି ବିମାନ ଚଳାଚଳ ସମ୍ଭବ ହେବ।

ରାଉରକେଲାରୁ ବାଣିଜ୍ୟିକ ବିମାନ ସେବା ପାଇଁ ଏଏଆଇ ଓ ସେଲ୍‌ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା ଅନୁଯାୟୀ ବିମାନବନ୍ଦରର ସ୍ଵତ୍ଵାଧିକାର ସେଲ୍‌ ପାଖରେ ରହିବ। ଏଏଆଇ ବିମାନବନ୍ଦର ପରିଚାଳନା ଓ ପ୍ରବନ୍ଧନ ଦାୟିତ୍ଵ ନିର୍ବାହ କରିବ ଏବଂ ଓଡ଼ିଶା ସରକାର ବିମାନ ବନ୍ଦର ସୁରକ୍ଷା, ଅଗ୍ନିଶମ ସେବା, ଆମ୍ବୁଲାନ୍ସ ଆଦି ସେବା ଯୋଗାଇ ଦେବେ। ଯେହେତୁ ବିମାନବନ୍ଦରର ମାଲିକାନା ସେଲ୍‌ ପାଖରେ ରହିବ, ଏଣୁ ସେଲ୍‌କୁ ହିଁ ବାର୍ଷିକ ପ୍ରାୟ ୪ କୋଟି ଟଙ୍କା ବହନ କରିବାକୁ ପଡ଼ିବ। ଏହି ଅର୍ଥ ମଧ୍ୟରୁ କେବଳ ବିମାନ ସେବା ପାଇଁ ବିମାନବନ୍ଦର ପ୍ରାଧିକରଣଙ୍କୁ ବାର୍ଷିକ ପ୍ରାୟ ୨ କୋଟି ୮୦ ଲକ୍ଷ ଟଙ୍କା ଦେବାକୁ ହେବ ଓ ଟର୍ମିନାଲ ରକ୍ଷଣାବେକ୍ଷଣ, ମରାମତି, ପାଣି, ଡ୍ରେନ୍‌ ବ୍ୟବସ୍ଥା, ବିଦ୍ୟୁତ ବିଲ୍‌ ବାବଦକୁ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଡ଼ିବ। ପୂର୍ବରୁ ଏଏଆଇ ବାର୍ଷିକ ୯ କୋଟି ଟଙ୍କା ଦାବି କରିଥିବାବେଳେ ବ୍ୟାପକ ଆଲୋଚନା ପରେ ଶେଷରେ ୪ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା। ଏକାଧିକ ଯୋଜନା ମାଧ୍ୟମରେ ଜନସାଧାରଣଙ୍କୁ ସୁବିଧାସୁଯୋଗ ଯୋଗାଉଥିବାରୁ ରାଉରକେଲା ସହରବାସୀଙ୍କୁ ବିମାନ ସେବା ଯୋଗାଇବାକୁ ବାର୍ଷିକ ୪ କୋଟି ଟଙ୍କା ଦେବାକୁ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ପ୍ରସ୍ତୁତ ହୋଇଯିବା ଏକ ଶୁଭ ସୂଚନା। ଅପରପକ୍ଷରେ, ବିମାନବନ୍ଦର ପ୍ରାଧିକରଣ ଯେ ପର୍ଯ୍ୟନ୍ତ ବିମାନବନ୍ଦରର ମାଲିକାନା ନିଜ ଅଧୀନକୁ ନ ନେଇଛନ୍ତି, ସେ ପର୍ଯ୍ୟନ୍ତ ରାଉରକେଲା ବିମାନ ବନ୍ଦରର ଭବିଷ୍ୟତ ଅଭିବୃଦ୍ଧି, ସମ୍ପୂର୍ଣ୍ଣ ବିକାଶ, ବଡ ଆକାରର ବିମାନ ଉଡ଼ାଣ ବ୍ୟବସ୍ଥା  କରି  ଲାଇସେନ୍ସ ପ୍ରଦାନ ଆଦି ଆନୁସଙ୍ଗିକ ବ୍ୟବସ୍ଥାକୁ ଅଣଦେଖା କରିବାର ଆଶଙ୍କା ବଳବତ୍ତର ରହୁଛି। ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଉପରେ ଲଗାତାର ଚାପ ପ୍ରୟୋଗ କରିବାର ଆବଶ୍ୟକତା ରହିଛି। ଉଭୟ ଇସ୍ପାତ ଓ ବିମାନବନ୍ଦର ପ୍ରାଧିକରଣ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାରୁ ଉଡାନ ଯୋଜନାର ସଫଳତା ପାଇଁ କେନ୍ଦ୍ରପକ୍ଷରୁ ମଧ୍ୟ ଏହାର ସମାଧାନର ସୂତ୍ର ବାହାର କରିବାକୁ ହେବ।

ରାଉରକେଲାରୁ ବିମାନ ଉଡ଼ିବା ନେଇ ବିଗତ ଦିନରେ ଏକାଧିକ ବାର ପ୍ରୟାସ କରାଯାଇଆସିଛି। ରାଉରକେଲା ଚାମ୍ବର ଅଫ କମର୍ସ ଓ ରାଉରକେଲା ବିକାଶ ମଞ୍ଚ ଏଥିପାଇଁ ମଧ୍ୟ ପ୍ରଚେଷ୍ଟା କରିଥିଲେ ଏବଂ ଆଜି ବି ଉଦ୍ୟମ ଜାରି ରଖିଛନ୍ତି। ଫଳରେ କିଛି ଦିନ 'ଏୟାର ଓଡ଼ିଶା' ପକ୍ଷରୁ ମାତ୍ର ୧୯ ଆସନ ବିଶିଷ୍ଟ ବିମାନ ଉଡ଼ାଣ ସମ୍ଭବପର ହୋଇଥିଲା। ପରେ 'ଏୟାର ଓଡ଼ିଶା' ପକ୍ଷରୁ ଏହାକୁ ବନ୍ଦ କରିଦିଆ ଯାଇଥିଲା। ସମସ୍ତେ ସନ୍ଦେହ କରୁଛନ୍ତି ଯେ ହକି ବିଶ୍ୱକପ୍‌ ପ୍ରତିଯୋଗିତା ସରିଯିବା ପରେ ସମାନ ଦୃଶ୍ୟର ପୁନରାବୃତ୍ତି ହେବନାହିଁ ତ?

ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକ୍ନୋଲଜି (ବିପିୟୁଟି) ପରିସରରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ସରିଛି ଓ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବାକୁ ଆସୁଥିବା ଅନ୍ତର୍ଜାତୀୟ ପୁରୁଷ ହକି ଖେଳାଳୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇ ରହିଛ। ଏହା କେବଳ ଓଡ଼ିଶା ପାଇଁ ସମ୍ମାନର ପ୍ରସଙ୍ଗ ନୁହେଁ, ବରଂ ଦେଶର ସମ୍ମାନ ସହ ଯୋଡ଼ି ହୋଇ ରହିଛି। ସେଥିପାଇଁ ରାଉରକେଲା ବିମାନବନ୍ଦର ଏବଂ ଏହାସହ ସମ୍ପର୍କିତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ସମସ୍ତଙ୍କ ନଜର ରହି ଆସିଛି। ରାଉରକେଲାରେ ପ୍ରାୟ ୨୦ଟି ମ୍ୟାଚ ଖେଳାଯିବା ପାଇଁ ସୂଚୀ ପ୍ରସ୍ତୁତ ହୋଇଛି। ଏତେସଂଖ୍ୟକ ଖେଳାଳୀଙ୍କ ଯାତାୟାତ ସୁବିଧା ଲାଗି ଭୁବନେଶ୍ଵରରୁ ରାଉରକେଲାକୁ ସିଧାସଳଖ ଚାର୍ଟର ବିମାନ ଚଳାଚଳ କରିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି। ତାହାଛଡ଼ା ହକିପ୍ରେମୀ ଦର୍ଶକ, ବିଭିନ୍ନ ଦେଶର ଗଣମାଧ୍ୟମର ପ୍ରତିନିଧି, ହକିସଂଘ କର୍ମକର୍ତ୍ତା ଓ ଏହି ସମୟରେ ଦେଶ ବିଦେଶରୁ ଆସିବାକୁ ଥିବା ଶିଳ୍ପପତି, ବ୍ୟବସାୟୀମାନଙ୍କ ପାଇଁ ନିୟମିତ ବ୍ୟାବସାୟିକ ବିମାନ ସେବା ଅତ୍ୟାବଶ୍ୟକ ହେବ।

ଇତିମଧ୍ୟରେ ରାଉରକେଲା ବିମାନଘାଟିକୁ ୩-ସି ବର୍ଗର ବିମାନବନ୍ଦର ଭାବେ ସମ୍ପ୍ରସାରିତ କରାଯାଇ ମାତ୍ର ୫,୬୫୫ ଫୁଟ ଦୀର୍ଘ ରନୱେକୁ ବଢ଼ାଯାଇ ୬,୦୦୦ ଫୁଟ କରାଯାଇଛି। ଏବେ ଏଠାରୁ ଏଟିଆର-୭୨-୬୦୦ ଭଳି ୭୨ଟି ଆସନ ବିଶିଷ୍ଟ ମଧ୍ୟମ ଆକାରର ବିମାନ ଉଡ଼ାଣ ସମ୍ଭବ। ବିମାନ ବନ୍ଦର ପରିସରରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥା, କର୍ମଚାରୀଙ୍କ ବାସଗୃହ, ଟ୍ୟାକ୍ସି ୱେ ନିର୍ମାଣ କାମ ସରିଯାଇଛି। ସହର, ହକି ଷ୍ଟାଡିଅମ ଓ ହୋଟେଲ ସହ ବିମାନ ବନ୍ଦରକୁ ସଂଯୋଗ କରୁଥିବା ରାଜରାସ୍ତା ଗୁଡ଼ିକୁ ସମ୍ପ୍ରସାରିତ ଓ ଭବ୍ୟ କରାଯାଇ ସାରିଛି। ରାଉରକେଲା ଏବେ ନବବଧୂ ପରି ସଜେଇ ହୋଇ ପୁରୁଷ ହକି ବିଶ୍ଵକପ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇ ରହିଥିଲା ବେଳେ ନିୟମିତ ବାଣିଜ୍ୟିକ ବିମାନ ସେବାକୁ ଅପେକ୍ଷା କରି ରହିଥିଲା, ଯାହା ପୂରଣ ହେବାକୁ ଯାଉଛି। ଆଶା କରାଯାଏ ଯେ, ଯୁଦ୍ଧକାଳୀନ ଭିତ୍ତିରେ ଏଠାରେ ରାତ୍ରିକାଳୀନ ବିମାନ ଚଳାଚଳ ପାଇଁ ଆବଶ୍ୟକୀୟ ସୁବିଧା ଉଡାନ ଯୋଜନା ମାଧ୍ୟମରେ ବେସାମରିକ ବିମାନସେବା ମନ୍ତ୍ରଣାଳୟ ଯଥାଶୀଘ୍ର କରିବେ।

ରାଉରକେଲାଠାରୁ ବିଭିନ୍ନ ବିମାନ ବନ୍ଦରଗୁଡ଼ିକର ଦୂରତ୍ୱ ଯଥାକ୍ରମେ ଝାରସୁଗୁଡ଼ା -୧୪୦, ରାଞ୍ଚି -୧୬୭ ଓ ଭୁବନେଶ୍ୱର -୩୧୭ କିଲୋମିଟର। ଝାରସୁଗୁଡ଼ାସ୍ଥିତ ବିମାନବନ୍ଦର ରାଉରକେଲା ଭଳି ଏକ ଉଡାନ ଯୋଜନାରେ ରୂପାନ୍ତରିତ ବ୍ରାଉନଫିଲଡ ବିମାନବନ୍ଦର। ଝାରସୁଗୁଡ଼ା ବିମାନବନ୍ଦରକୁ ଭାରତ ସରକାର କୃଷି ଉଡ଼ାଣ ଯୋଜନାରେ ଅନ୍ତର୍ଭୁକ୍ତ କରିଥିବାରୁ ଏହି ବିମାନବନ୍ଦରର ଗୁରୁତ୍ୱ ବୃଦ୍ଧି ପାଇଛି। ଏଠାରୁ କୃଷି ସାମଗ୍ରୀ ବିମାନରେ ପରିବହନ କଲେ, ଶସ୍ତା ଓ ଅଳ୍ପ ସମୟରେ ଦେଶର ବିଭିନ୍ନ ସହରରେ ପହଞ୍ଚିଯାଇ ପାରିବ। ଏଠାରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଥିବାରୁ ଏବଂ ନିକଟସ୍ଥ ସମ୍ବଲପୁର ସହର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ, ମହାନଦୀ କୋଲ ଫିଲଡ, ବୁର୍ଲାସ୍ଥିତ ଇଂଜିନିୟରିଂ, ମେଡିକାଲ ଓ ବିଶ୍ୱବିଦ୍ୟାଳୟ ଇତ୍ୟାଦି ଥିବାରୁ ଆଗାମୀ  ବର୍ଷମାନଙ୍କରେ ଏହାର ଭବିଷ୍ୟତ ଅତି ଉଜ୍ଜ୍ୱଳ। ସେହି ଅନୁପାତରେ ରାଉରକେଲା ସହର ଚାରିପଟର ଭିତ୍ତିଭୂମି ବିକଶିତ ନୁହେଁ। ଯଦିଓ, ଏହା ଦେଶର ପ୍ରଥମ ଇସ୍ପାତନଗରୀ ଭାବେ ମାନ୍ୟତା ପାଏ ତଥାପି ଏଠାରେ ଯେଭଳି ଶିଳ୍ପାୟନ କରାଯାଇ ପାରିଥାଆନ୍ତା ତାହା ହୋଇ ପାରିନି। ଜର୍ମାନ 'ଇଶାନ କମ୍ପାନୀ'ର 'କୃପ ସାହେବ'ଙ୍କ ନକ୍ସା ଅନୁସାରେ ଇସ୍ପାତ ନଗରୀ ଓ ସାର ନଗରୀ ସହିତ କର୍ମଚାରୀଙ୍କ ସୁଖଦ ନିବାସ ଲାଗି ପରିକଳ୍ପିତ ସହରରେ ଯଦିଓ ପରବର୍ତ୍ତୀ କାଳରେ ଗଢ଼ିଉଠିଛି ଜାତୀୟ ଇଂଜିନିୟରିଂ ପ୍ରତିଷ୍ଠାନ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କିଛି ଶିଳ୍ପାନୁଷ୍ଠାନ, ତଥାପି ଏଠାରେ ପ୍ରତିଷ୍ଠା ହୋଇଥିବା ବିମାନବନ୍ଦର ଭବିଷ୍ୟତରେ ପୁଣିଥରେ ଯାତ୍ରୀଙ୍କ ଅଭାବରୁ ବନ୍ଦ ହୋଇ ଯିବାର ଆଶଙ୍କା କରାଯାଉଛି କାହିଁକି?

ଦିନେ ରାଉରକେଲା କର୍ମନିଯୁକ୍ତି ପାଇଁ ଆଶ୍ରୟସ୍ଥଳୀ ଥିଲା। ଜର୍ମାନୀର ଇଂଜିନିୟର ଓ ବୈଷୟିକ ମାନବ ସମ୍ବଳ, ଦେଶର କୋଣ ଅନୁକୋଣରୁ ଆସି ଇସ୍ପାତ ନଗରୀରେ କର୍ମନିଯୁକ୍ତି ପାଇଥିବା ଓ ଏଠାରେ ବାଣିଜ୍ୟ ବ୍ୟବସାୟ କରୁଥିବା ଭାରତୀୟଙ୍କ କାରଣରୁ ରାଉରକେଲା ଏକ ମେଟ୍ରୋ ସହରରେ ପରିଣତ ହେବାରେ କିଛି ବି ଅସୁବିଧା ନଥିଲା। ଯଦିଓ, ଏହା ବିଳମ୍ବରେ ସ୍ମାର୍ଟ ସହର ଭାବେ ବିକଶିତ ହେଉଛି, ତଥାପି ଏହି ଶିଳ୍ପ ସହରକୁ ଆମେ ଯେ ଅବହେଳା କରିଛେ ଏହା ନିଃସନ୍ଦେହରେ କୁହାଯାଇ ପାରେ। ଏଠାରେ ପର୍ଯ୍ୟଟନ ପାଇଁ ଅପାର ସମ୍ଭାବନା ରହିଛି। ଭୁବନେଶ୍ୱର ବିମାନ ବନ୍ଦରରୁ ଯଥାଶୀଘ୍ର ବ୍ୟାଙ୍କକ, କୁଆଲାମପୁର, ସିଙ୍ଗାପୁରକୁ ବିମାନ ସେବା ଆରମ୍ଭ ନହେଲେ ଓ ଭୁବନେଶ୍ୱର ଦେଇ ରାଉରକେଲା, ଝାରସୁଗୁଡ଼ା, ଜୟପୁରରୁ ଯାତ୍ରୀମାନେ ଶସ୍ତା ଓ ସୁବିଧାରେ ବିମାନ ସେବା ନପାଇଲେ, ଉଡ଼ାଣ ଯୋଜନାର ଲାଭ ଦେଶର ସାଧାରଣ ନାଗରିକଙ୍କୁ ମିଳିପାରିବନି।

ଫୋ- ୯୪୩୮୨୯୯୦୩୭

Related story