ସ୍ୱାସ୍ଥ୍ୟର ବଜାରୀକରଣ ଓ କୋଭିଡ଼ ମୁକାବିଲା ବିଫଳତା

ପ୍ରସ୍ତୁତି: ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା

ଉଭୟ ସୁପ୍ରିମ କୋର୍ଟ ଓ ବିଭିନ୍ନ ହାଇକୋର୍ଟ ଅନେକ ଥର ଏହି କଥା ଦୋହରାଇ ସାରିଛନ୍ତି ଯେ ସରକାରଙ୍କଠାରୁ ଉତ୍ତମ ଚିକିତ୍ସା ସୁବିଧା ପାଇବା ନାଗରିକର ମୌଳିକ ଅଧିକାର। ଆଜିର ମହାମାରୀ ସମୟରେ ଅକ୍ସିଜେନ ଅଭାବ ହେତୁ ଭାରତର ଅନେକ ବଡ଼ ସହରରେ ମୃତକଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ ଶ୍ମଶାନରେ ସ୍ଥାନ ମିଳୁନାହିଁ। କରୋନାର ଯଦି ତୃତୀୟ ଲହର ଆରମ୍ଭ ହେଲା ଓ ଆସନ୍ତା ଦିନରେ ଏହି ଲହର ଛୋଟ ସହର ଓ ଗ୍ରାମାଞ୍ଚଳକୁ ବ୍ୟାପିଲା ତେବେ ଭାରତର ପୁରପଲ୍ଲିରେ କୁଢ଼ କୁଢ଼ ଶବ ଗଦା ହୋଇଯିବ। ଭାରତରୁ ବାହାରିଥିବା ନୂଆ କରୋନା ଆଜି ପୃଥିବୀର ୧୭ଟି ଦେଶକୁ ପହଞ୍ଚିଯାଇଥିବା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହୁଛି। ଆଜି ଭାରତର ଏହି ଅବ୍ୟବସ୍ଥା ଯାହାକୁ ଆମେ ଗଣହତ୍ୟା ସହିତ ମଧ୍ୟ ତୁଳନା କରିବା ସେଥିଲାଗି ନିଜେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବରେ ଦାୟୀ ନୁହନ୍ତି କି? କାହିଁକି?

୧. କାରୋନାର ଦ୍ଵିତୀୟ ଲହରରେ ସକ୍ରିୟ ଭାଇରସ, ମେଡିକାଲ ଭାଷାରେ B.1.617, ଭାରତରେ ଅକ୍ଟୋବର ୨୦୨୦ରେ ପ୍ରଥମେ ଦେଖାଯାଇଥିଲା। ( Science Media Centre) ଏ ସମ୍ପର୍କରେ ଭାରତ ସରକାରଙ୍କୁ ଅବଗତ ମଧ୍ୟ କରିଦିଆଯାଇଥିଲା। (THE HINDU/ 24 October 2020 ) ହେଲେ କେନ୍ଦ୍ର ସରକାର ଏହାକୁ କେବଳ ଅଣ ଦେଖା କରିନଥିଲେ ଏହି ରିପୋର୍ଟକୁ ଉଦ୍ଦେଶ୍ୟମୂଳକ ଭାବରେ ଚାପିରଖିଦେଇଥିଲେ। ଭାରତୀୟ ଜନତା ପାର୍ଟି ପ୍ରକୃତରେ ୨୫ ଫେବୃଆରୀ ୨୦୨୧ ତାରିଖରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ଵାରା ୫ଟି ରାଜ୍ୟର ନିର୍ବାଚନ ଘୋଷଣାକୁ ଅପେକ୍ଷା କରୁଥିଲେ। ନିଜର ପରାକ୍ରମ ଦେଖାଇବାକୁ ଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ବାଚନ ପ୍ରଚାର ଆରମ୍ଭ କରିବାର କିଛି ଦିନ ପୂର୍ବରୁ ଘୋଷଣା କଲେ, “ଏବେ କରୋନାର ଖେଳ ସରିଯାଇଛି ଓ ଆମେ କରୋନା ମହାମାରୀକୁ ଜିତିସରିଛୁ।“ (MEDICON କନଫରେନ୍ସ ମାର୍ଚ୍ଚ ୦୭, ୨୦୨୧) କରୋନାର ଦ୍ଵିତୀୟ ଲହର ସମ୍ପର୍କରେ ଜାଣି ମଧ୍ୟ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ “ଆମେ ଜିତିସାରିଛୁ” ଘୋଷଣା କରିବା ଓ ପ୍ରଧାନମନ୍ତ୍ରୀ ନୀରବ ରହିବା ସତ୍ୟକୁ ରାଜନୈତିକ ଅଭୀପ୍ସା ଲାଗି ଲୁଚାଇବାର ଚେଷ୍ଠ ନୁହେଁ ତ ଆଉ କଣ? ଏହି ଘୋଷଣା ପଛରେ କେବଳ ନିର୍ବାଚନରେ ଜିତିବା ଥିଲା ଭାରତୀୟ ଜନତା ପାର୍ଟି ସରକାରର ମୂଳ ଉଦ୍ଦେଶ୍ୟ। ଆଜିର ଏହି ଗଣହତ୍ୟା ଲାଗି ସଂପୂର୍ଣ୍ଣ ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ନିର୍ବାଚିତ ସରକାରଙ୍କୁ ଦାୟୀ କରାଯିବ ନାହିଁ କି?

୨. ଡିସେମ୍ବର ୨୦୨୦ ମସିହାରେ ବ୍ରିଟେନରେ ଦ୍ଵିତୀୟ ଲହର ସମୟରେ ସେଠାର ସରକାର ସମସ୍ତ ସାମାଜିକ ମହୋତ୍ସବକୁ ବାତିଲ କରିବା ସହିତ ରୋଗୀ ବାହାରିଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ କରିଦେଇଥିଲେ। ଅଥଚ ଭାରତ ସରକାରଙ୍କ ଦ୍ଵାରା ତାହା ଠାରୁ ସାଂଘାତିକ B.1.617 ଭାଇରସ ଉତ୍ପତ୍ତି ଜାଣି ମଧ୍ୟ ଜାନୁଆରୀ ଓ ଫେବୃଆରୀ ମାସରେ ସମସ୍ତ ମନ୍ଦିର ଖୋଲିଦିଆଗଲା, ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ବାରମ୍ବାର  ଆସାମ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ରାଲିକୁ ସମ୍ବୋଧିତ କଲେ, ‘ଯୁବ ପାର୍ଲାମେଣ୍ଟ’, ‘ପରାକ୍ରମ ଦିବସ’ ଇତ୍ୟାଦି ଆୟୋଜନ  କରାଗଲା। ‘ହୋଲି, ଶିବରାତ୍ରି, ନବରାତ୍ରୀ, ସରସ୍ଵତୀ ପୂଜା ସାଙ୍ଗକୁ ବିବାହ ଉତ୍ସବ ଇତ୍ୟାଦିକୁ ଅନୁମତି ଦିଆଗଲା ଯେମିତି କରୋନା ଚାଲିଯାଇଛି। ଶେଷର କୁମ୍ଭମେଳା ଓ ନିର୍ବାଚନ ରୋଡ ଶୋକୁ ଦେଖିଲେ ଦେଶରେ କରୋନା ନିର୍ଦ୍ଦେଶାବଳୀ କିଛି ଥିଲା ଭଳି ଜଣାପଡୁନଥିଲା। ଏହା ଦ୍ଵାରା ମୃତ୍ୟୁର ବାହକ ସାଜିଥିବା B.1.617 ଭାଇରସକୁ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବା ଲାଗି ସୁଯୋଗ ଦିଆଯାଇଥିଲା। ଏହି ଅପରିଣାମଦର୍ଶୀ ପଦକ୍ଷେପ ଲାଗି ଆମେ ଆଉ କାହାକୁ ଦାୟୀ କରିବା?

୩. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚୀବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏହା ଉତ୍ତମ ଭାବରେ ଜଣାଅଛି ଯେ The Clinical Establishments (Registration and Regulation) Act 1991 ଓ ସଂଶୋଧିତ ଆଇନରେ (2010) ଓ ଓଡିଶା ରୁଲ୍ସରେ (2018) ଉଲ୍ଲେଖ ରହିଛି ସରକାରଙ୍କ ଦ୍ଵାରା ନିଯୁକ୍ତ Supervising Authority ବା ତଦାରଖ ଅଫିସର ନିଜ ରାଜ୍ୟର ସମସ୍ତ ପଞ୍ଜୀକୃତ ନର୍ସିଙ୍ଗ ହୋମ ଓ ମେଡିକାଲକୁ ଅଚାନକ ଗସ୍ତ କରି ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଚିକିତ୍ସା ସମ୍ପର୍କରେ ପଚାରିପାରିବେ (ଧାରା ୬), ରୋଗୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଦେବା ଲାଗି ନିର୍ଦ୍ଦେଶ ଦେଇପାରିବେ ଓ ନିର୍ଦ୍ଦେଶ ପାଳନ ନହେଲେ ନର୍ସିଙ୍ଗ ହୋମ ବା ମେଡିକାଲକୁ ଦିଆଯାଇଥିବା ପଞ୍ଜୀକରଣ ସାର୍ଟିଫିକେଟକୁ ବାତିଲ କରିପାରିବେ ଓ ତାହା ପୂର୍ବରୁ ସମସ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବେ। ଏହି ଆଇନ ଅନୁସାରେ ସମସ୍ତ ପଞ୍ଜୀକୃତ ନର୍ସିଙ୍ଗ ହୋମ ଓ ମେଡିକାଲ ନିଜର ସମସ୍ତ ତଥ୍ୟ ସର୍ବସାଧାରଣଙ୍କ ଜାଣିବା ଲାଗି ନୋଟିସ ବୋର୍ଡରେ ସ୍ଥାନିତ କରିବେ। ହେଲେ, କରୋନାର ମହାମାରୀ ସମୟରେ ମଧ୍ୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ନିଜ ଅଞ୍ଚଳର ପ୍ରାଇଭେଟ ମେଡିକାଲ ଓ ନର୍ସିଙ୍ଗ ହୋମର କାର୍ଯ୍ୟ ତଦାରଖ କରିବା ଲାଗି କୌଣସି ଅଧିକାରୀଙ୍କର ଫୋନ ନମ୍ବର ସର୍ବସାଧାରଣରେ ଜାରି କରିନାହାନ୍ତି। ପ୍ରାଇଭେଟ ମେଡିକାଲରେ କୋଭିଡ ସେଣ୍ଟର ସରକାରୀ ଅର୍ଥରେ ଖୋଲାଗଲା କିନ୍ତୁ ସର୍ବସାଧାରଣଙ୍କ ଉପକାର ଲାଗି ପ୍ରାଇଭେଟ ମେଡିକାଲକୁ ନିୟନ୍ତ୍ରଣ କରାନଯିବା ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ସନ୍ଦେହ ଆଣୁନାହିଁ କି?

୪. ଦେଶର ବିଭିନ୍ନ ପ୍ରାନ୍ତରୁ ଏହି ଖବର ଆସିବାରେ ଲାଗିଛି ଯେ କେଉଁଠି ଅକ୍ସିଜେନ ତ କେଉଁଠି ଆଇସିଇଉ ଓ ଭେଣ୍ଟିଲେଟରର ଅଭାବ ହେତୁ କରୋନା ଆକ୍ରାନ୍ତ ରୋଗୀ ମୃତ୍ୟୁ ବରଣ କରିବାରେ ଲାଗିଛନ୍ତି। ଜାନୁଆରୀ ୨୦୨୧ ମସିହାରେ ଯେଉଁ ଦେଶ ଅକ୍କ୍ସିଜେନ ରପ୍ତାନୀ କରୁଥିଲା (ପୂର୍ବ ବର୍ଷ ତୁଳନାରେ ୭୦୦% ଅଧିକ – NDTV/ 21 April 21) ସେହି ଦେଶର ଲୋକେ ଅକ୍କ୍ସିଜେନର ଅଭାବରୁ ମୃତ୍ୟୁବରଣ କରିବାକୁ ଆଗାମୀ ପୀଢି କ’ଣ ସତେରେ ବିଶ୍ଵାସ କରିବ? ଭାରତରେ ପ୍ରତି ବର୍ଷ ଏକ ଲକ୍ଷ ଟନ ଅକ୍କ୍ସିଜେନ ଉତ୍ପାଦନ ହୁଏ ଯାହା ମୁଖ୍ୟତଃ ପୂର୍ବ ଭାରତରେ ପବ୍ଲିକ ସେକ୍ଟର କମ୍ପାନୀ ଦ୍ଵାରା ଓ Linde and Innox ଭଳି ପ୍ରାଇଭେଟ କମ୍ପାନୀ ଦ୍ଵାରା ପ୍ରସ୍ତୁତ ହୋଇଥାଏ। ଥରେ ପ୍ଳାଣ୍ଟରୁ ବାହାରି ଅକ୍ସିଜେନ ଟ୍ୟାଙ୍କର ମେଡିକାଲରେ ପହଞ୍ଚିବା ପରେ ପୁଣି ଥରେ ମେଡିକାଲ ଆସିବା ଲାଗି ୭ରୁ ୧୦ ଦିନ ନେଇଥାଏ। (ସାକ୍ଷାତକାର , Hanuman  Lal Bengani, former CEO of Linde india.in)। କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବଢିବା ସମୟରେ ଯଦି ଜନସଂଖ୍ୟା ତୁଳନାରେ ଅଧିକ ହସ୍ପିଟାଲ ନରହିବ, ଅଧିକ ବେଡ ଓ ଆଇସିଇଉ ନରହିବ, ଯଦି ଅକ୍କ୍ସିଜେନ ଷ୍ଟୋରେଜ ସାମର୍ଥ୍ୟ ନବଢିବ, ଯଦି ନର୍ସ, ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନରହିବେ ତେବେ ଏହି ସମାନ ଅବସ୍ଥା ହେବ ନାହିଁ କି? ଆଜିର ଅକ୍ସିଜେନ ଅଭାବ ଭଳି ଆସନ୍ତା କାଲି ଯଥେଷ୍ଟ ସାଲାଇନ, ବଟିକାର ଅଭାବ ମଧ୍ୟ ଦେଖାଦେଇ ପାରେ। ଏଥିରେ ସରକାରଙ୍କ ପ୍ରସ୍ତୁତି ନରହିବା କଣ ବିଫଳତା ନୁହେଁ କି?

୫. ସ୍ୱାସ୍ଥ୍ୟର ବଜାରୀକରଣ ନିଷ୍ପତ୍ତି ପୁଞ୍ଜିପତି ଓ କଳାବଜାରୀ ହାତରେ ଆକାଶର ଜହ୍ନ ଆଣି ଧରାଇଦେବା ଭଳି କଥା ହୋଇଛି। ଗଲା ୨୦୨୦-୨୧ର ତଥ୍ୟ ଅନୁସାରେ ସରକାରୀ ହସ୍ପିଟାଲକୁ ୪୨% ରୋଗୀ ଯାଉଥିଲା ବେଳେ ବେସରକାରୀ ହସ୍ପିଟାଲକୁ (ଲାଭ କରିବା ଲାଗି ସୃଷ୍ଟ) ୫୫% ରୋଗୀ ଯାଉଛନ୍ତି ଓ ଦାତବ୍ୟ ଚିକିତ୍ସାଳୟ ହସ୍ପିଟାଲକୁ ମାତ୍ର ୩% ଯାଉଛନ୍ତି। (Economic and Political Weekly / 30 May 2020) ଆୟୁଷ୍ମାନ ଭାରତ ଯୋଜନାରେ ଏହି ବେସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ଯାହା ପରୋକ୍ଷରେ ସରକାରୀ ହସ୍ପିଟାଲକୁ ଦୁର୍ବଳ କରିଛି। କାରୋନା ଟୀକା ଯାହା ଏକ ସର୍ବସାଧାରଣ ଦ୍ରବ୍ୟ (public goods) ତାହାର ମଧ୍ୟ ବଜାରୀକରଣ ହୋଇଛି। ଏହା ଦ୍ଵାରା ‘ଉତ୍ତମ ଚିକିତ୍ସା ସୁବିଧା ପାଇବା ନାଗରିକର ମୌଳିକ ଅଧିକାର’ କେତେକ ଶବ୍ଦ ହୋଇରହିଯାଉନାହିଁ କି?

୬. ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସମ୍ପର୍କିତ ଅବହେଳା ସମ୍ବାଦକୁ ସୋସିଆଲ ମିଡିଆରେ ପୋଷ୍ଟ କଲେ ବ୍ଯକ୍ତି ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାର ନିଜର ସଂକ୍ରମିତଙ୍କ ସଂଖ୍ୟା, ବେଡ଼୍‌ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ମିଡିଆକୁ କୌଣସି ରିପୋର୍ଟ ନଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନିଜର ଅପାରଗତାକୁ ସରକାର ଲୁଚାଇବାକୁ ଯାଇ ପୋଲିସ ଓ କୋର୍ଟର ଆଶ୍ରୟ ନେବା ଏକ ପୁରୁଣା ଅଭ୍ଯାସ ଯାହା ପ୍ରତି ସରକାର କରିଆସିଛନ୍ତି। ସେଥିଲାଗି ସେମାନେ ପୁଲିସ ବ୍ୟବସ୍ଥାର ସଂସ୍କାର ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରିଛନ୍ତି। କିନ୍ତୁ ଏହା ବ୍ୟକ୍ତିର ବଞ୍ଚିବା ଓ କହିବାର ଅଧିକାରର ବିରୁଦ୍ଧାଚରଣ କରୁନାହିଁ କି?

ଗଲା ବର୍ଷ ମହାମାରୀର ସଂକ୍ଷିପ୍ତ ଇତିହାସ ଲେଖିବା ସମୟରେ ଆମେ କହୁଥିଲୁ, ‘ମହାମାରୀର ଏ ଲମ୍ବା ଇତିହାସକୁ ଅଣଦେଖା କରାନଯାଉ କରୋନାର ପ୍ରଥମ ବର୍ଷ ଏହି ଜୀବାଣୁର ଜନ୍ମ ଓ ବାହକକୁ ନେଇ ଆଲୋଚନା ସମୟରେ ସମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି କରାଗଲା। ଏହି ଦ୍ଵିତୀୟ ଲହର ସମୟରେ “ବ୍ୟବସ୍ଥାର ବିଫଳତା” ନାମରେ କେତେକ ରାଜ୍ୟଙ୍କୁ ଦୋଷ ଦେବା କେନ୍ଦ୍ର ସରକାରଙ୍କର ନିଜ ଉପରୁ ଦୋଷ ହଟାଇବାର ଉଦ୍ୟମ। ସରକାରୀ ବିଫଳତା ହେତୁ ଯେମିତି ଲଣ୍ଡନ ପ୍ଲେଗ, ରୁଷିଆ ପ୍ଲେଗ, ପ୍ରଥମ ବିଶ୍ଵଯୁଦ୍ଧ ପରେ ସ୍ଵାଇନ ଫ୍ଲୁ ହେତୁ ଅନେକ ଜୀବନ ଯାଇଥିଲା ଏକ ବିଂଶ ଶତାବ୍ଦୀରେ କରୋନାର ଦ୍ଵିତୀୟ ଲହରରେ ଆମେ ସେହି ଅବସ୍ଥା ଦେଖୁଛେ। ବିଶ୍ଵର ପ୍ରତି ମହାମାରୀ ପରେ ଦେଶ ମଧ୍ୟରେ ଜନପ୍ରତିବାଦ ହେତୁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ ଆସିଛି। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା ଆଜି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସେହିଭଳି ପରିବର୍ତ୍ତନ ଆଶାକରୁଛୁ। ତୁରନ୍ତ ଅସ୍ଥାୟୀ ସରକାରୀ ହସ୍ପିଟାଲ ସମସ୍ତ ଅଞ୍ଚଳରେ ଖୋଲିବା ଓ ଏହାକୁ ସ୍ଥାୟୀ କରିବା ଲାଗି ପ୍ରୟାସ କରିବା ଜରୁରୀ।

(ଏଠାରେ ଉପସ୍ଥାପିତ ମତାମତ ସହିତ ଓଡ଼ିଶା ରିପୋର୍ଟରର କୌଣସି ସଂପର୍କ ନାହିଁ। ଏହା ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ନିଜସ୍ୱ ମତ।)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।