Advertisment

ଦାମ୍ପତ୍ୟ କଳହର କାରଣ ଓ ନିରାକରଣ

ମଧୁଲିତା ପରିଡ଼ା ଆଜି କାଲି ସୋସିଆଲ ମିଡ଼ିଆ ହେଉ କି ଟିଭି ଅବା ଖବର କାଗଜ ଖୋଲିଦେଲେ ଦାମ୍ପତ୍ୟ ଜୀବନରେ କଳହ ଆଉ ବେଳେ ବେଳେ ତା’ର କରୁଣ ପରିଣତି ଦେଖିବାକୁ ଆଉ ଶୁଣିବାକୁ ମିଳୁଛି। କେଉଁଠି ସ୍ଵାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ ହତ୍ୟାକାରୀ ସାଜୁଛି। ଆଉ କେଉଁ ଜାଗାରେ ଛାଡ଼ପତ୍ର ମଧ୍ୟ ହେଇଯାଉଛି। ଛୋଟ କାରଣର ଅର୍ଥ ବାହାରି ନପାରି ଅନର୍ଥରେ ପରିଣତ ହେଉଛି। ଛାଡ଼ପତ୍ର ପରିସଂଖ୍ୟାନ ଅନୁଯାୟୀ କୋଡ଼ିଏ ପ୍ରତିଶତ ବିବାହର ପାଞ୍ଚ ବର୍ଷ […]

ଦାମ୍ପତ୍ୟ କଳହର କାରଣ ଓ ନିରାକରଣ

couple

Advertisment

ମଧୁଲିତା ପରିଡ଼ା

ଆଜି କାଲି ସୋସିଆଲ ମିଡ଼ିଆ ହେଉ କି ଟିଭି ଅବା ଖବର କାଗଜ ଖୋଲିଦେଲେ ଦାମ୍ପତ୍ୟ ଜୀବନରେ କଳହ ଆଉ ବେଳେ ବେଳେ ତା’ର କରୁଣ ପରିଣତି ଦେଖିବାକୁ ଆଉ ଶୁଣିବାକୁ ମିଳୁଛି। କେଉଁଠି ସ୍ଵାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ ହତ୍ୟାକାରୀ ସାଜୁଛି। ଆଉ କେଉଁ ଜାଗାରେ ଛାଡ଼ପତ୍ର ମଧ୍ୟ ହେଇଯାଉଛି। ଛୋଟ କାରଣର ଅର୍ଥ ବାହାରି ନପାରି ଅନର୍ଥରେ ପରିଣତ ହେଉଛି। ଛାଡ଼ପତ୍ର ପରିସଂଖ୍ୟାନ ଅନୁଯାୟୀ କୋଡ଼ିଏ ପ୍ରତିଶତ ବିବାହର ପାଞ୍ଚ ବର୍ଷ ପରେ, ତେତିଶ ପ୍ରତିଶତ ଦଶ ବର୍ଷ ପରେ, ତେୟାଳିଶ ପ୍ରତିଶତ ପନ୍ଦର ବର୍ଷ ପରେ ହୋଇଥାଏ। ଆଉ ଜଣେ ବରିଷ୍ଠ ପାରିବାରିକ କାଉନସେଲରଙ୍କ ମତ ଅନୁଯାୟୀ ଛାଡ଼ପତ୍ରର କାରଣ ଛୋଟ ଛୋଟ ଭୁଲ ବୁଝାମଣାରୁ ଆରମ୍ଭ ହୋଇଥାଏ।

Advertisment

ସ୍ଵାମୀ ଆଉ ସ୍ତ୍ରୀ ଏମିତି ଏକ ସମ୍ପର୍କ ଯାହା ରକ୍ତ ସମ୍ପର୍କ ନୁହେଁ କିନ୍ତୁ ପରସ୍ପର ଭଲପାଇବା, ପରସ୍ପର ପ୍ରତି ସମ୍ମାନ ଆଉ ବିଶ୍ୱାସ ଏଇ ସମ୍ପର୍କକୁ ଆଗକୁ ବଢ଼େଇ ନେଇଚାଲେ।  କିନ୍ତୁ ଆଜିକାଲି ଏଇ ସମ୍ପର୍କରେ ହିଂସା ବଢ଼ିଚାଲିଛି। କିଏ ଯଦି କିଛି କରୁଛି କିମ୍ବା ତା’ର ସେଇ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଉଛି ତାହେଲେ ସେଇ ଜାଗାରେ ସ୍ଵାମୀ ହେଉ କି ସ୍ତ୍ରୀ ଆଜିକାଲି ଛାଡ଼ପତ୍ର ଭଳି ବଳିଷ୍ଠ ପଦକ୍ଷେପ ନେବାକୁ ବ୍ୟଗ୍ରତା ପ୍ରକାଶ କରୁଛନ୍ତି। ଏହାର ନିରାକରଣ ପାଇଁ ସବୁଠାରୁ ସରଳ ଉପାୟ ମନସ୍ତତ୍ତ୍ୱବିଦମାନଙ୍କ ମତରେ ହେଉଛି ଯେ ପ୍ରଥମେ ପରସ୍ପରକୁ ବୁଝିବା।

ଆଗରୁ ଆମେ ଆମ ପରିବାରରେ ଆମ ଜେଜେମା, ମା, ଶାଶୁଙ୍କୁ ଦେଖିଆସିଛେ। ଆଉ ଶାଶୁମାନେ ଉଚ୍ଚଶିକ୍ଷିତା ହେଲେ ମଧ୍ୟ ସବୁ କଥାରେ ପରିବାରରେ ବୁଝାମଣାରେ ହିଁ ସମ୍ପର୍କକୁ ମଜବୁତ କରିଥାନ୍ତି। ବିଶେଷ କରି ଆମେମାନେ ଦେଖିଆସିଛେ ଯେ ମାଆମାନେ ହିଁ ଏ କ୍ଷେତ୍ରରେ ଆଗୁଆ ରହିଥାନ୍ତି। ତେଣୁ ସମସ୍ୟା ଆଉ ଆଗକୁ ବଢିନଥାଏ। କିନ୍ତୁ ଏବେ ଆଉ ଦମ୍ପତିମାନେ ଏ ଦିଗରେ ନିଜ ଆଡ଼ୁ ପ୍ରୟାସ କରୁନାହାନ୍ତି। ଏବେ ଉଭୟ ସ୍ଵାମୀ ଓ ସ୍ତ୍ରୀ ଦୁଇ ଜଣ ରୋଜଗାରିଆ। ଦୁଇ ଜଣଙ୍କ ଶିକ୍ଷା ମଧ୍ୟ ସମାନ। ତାହେଲେ ସ୍ୱାଭାବିକ କଥା କିଏ କାହିଁକି ବୁଝାମଣା କରିବ? ସ୍ତ୍ରୀଟିଏ ମଧ୍ୟ ନିଜ ପାଇଁ ସମାନ ସମ୍ମାନ ପରିବାରରେ ଚାହେଁ। ଆଉ ସ୍ଵାମୀ ଯଦି ସେଥିରେ ସହଯୋଗ ନକରେ ତାହେଲେ ସମସ୍ୟା ଜଟିଳ ହୋଇଯାଏ। ଏବେ ଏଇ ସମସ୍ୟାଟି ବଡ଼ ସମସ୍ୟା ରୂପେ ପ୍ରକଟ ହୋଇଛି।

Advertisment

ସାଧାରଣ ଭାବରେ ଆମେ ଯଦି ଜଣେ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷଙ୍କୁ ପଚାରିବା ଏ ବାବଦରେ, ତାହେଲେ ତାଙ୍କ ମତ ରହିବ ଯେ ସମାଧାନର ବାଟ ସବୁବେଳେ ସ୍ତ୍ରୀ ଆଉ ସ୍ଵାମୀ ଉପରେ ଛାଡ଼ିଦେବା କଥା। ଉଭୟ ଉଭୟଙ୍କୁ ବୁଝିବା ଦରକାର। ନୂଆ ନୂଆ ବିବାହ କରିଥିବା ଦମ୍ପତିମାନଙ୍କ ପାଖରେ କେହି କାହାକୁ ସମୟ ନଦେବା ଫଳରେ ଦୂରତା ବଢ଼ୁଛି। ଆଉ ଏଇ ଦୂରତା ମଧ୍ୟ ଛାଡ଼ପତ୍ରର ବଡ଼ କାରଣ ସାଜୁଛି ବୋଲି ଡ଼କ୍ଟର ନିହାରିକା (ଫ୍ୟାମିଲି କାଉନସେଲର)ଙ୍କ ମତ।  ଡକ୍ଟର ନିହାରିକାଙ୍କ ମତରେ ମଧ୍ୟ ଆଜି କାଲି ଯୁବଗୋଷ୍ଠୀ ବାହାଘର ପୂର୍ବରୁ ପବ୍‌ ଯିବା, ପ୍ରିମାରିଟାଲ ସେକ୍ସ ଓ ପ୍ରଚୁର ମାତ୍ରାରେ ମଦ ପିଇବାର ଅଭ୍ୟାସରେ ପଡ଼ିଯାଇଥାନ୍ତି। ବିବାହ ପରେ ମଧ୍ୟ ଅଫିସ ଚାପ ହେଉ କି ଅନ୍ୟ ଚାପରୁ ଟିକେ ହାଲକା ହେବା ପାଇଁ ଏ ସବୁକୁ ଆଉ ଛାଡ଼ିପାରିନଥାନ୍ତି। ଯାହାର ଫଳ ସ୍ୱରୂପ ବିବାହ ପରେ ପ୍ରି-ମାରିଟାଲ ଆଫେୟାରଟା ଏକ୍ସଟ୍ରା ମାରିଟାଲ ଆଫେୟାରରେ ପରିଣତ ହୁଏ। ଆଉ ସେଇ ଜାଗାରେ ଛାଡ଼ପତ୍ରର ସମ୍ଭlବନା ଅଧିକ ବଢ଼ିଯାଏ। ଆଗରୁ ମହିଳାମାନେ ଆତ୍ମନିର୍ଭରଶୀଳ ନଥିଲେ ତେଣୁ ତାଙ୍କ ପାଖରେ ସବୁ କିଛିକୁ ସହିବା ଏକ ମାତ୍ର ଚାରା ଥିଲା। କିନ୍ତୁ ସମୟ ସାଙ୍ଗରେ ଏବେ ମହିଳାମାନେ ଆଗକୁ ଆସୁଛନ୍ତି। ତେଣୁ ସବୁ କଥାକୁ ବା ସେମାନେ କାହିଁକି ସହି ରହିବେ, ଏହା ଏବେ ବଡ଼ ପ୍ରଶ୍ନ!

ଖାଲି ସ୍ତ୍ରୀ କଥା କହିଲେ ହେବ ନାହିଁ। ସ୍ଵାମୀକୁ ମଧ୍ୟ ସେତିକି ବୁଝିବା ଦରକାର। ଆପୋଷ ବୁଝାମଣା ହିଁ ଏଇ ସମସ୍ୟାର ବଡ଼ ସମାଧାନ। ଆଜିକାଲି ପ୍ରି-ମ୍ୟାରେଜ କାଉନସେଲିଂର ବ୍ୟବସ୍ଥା ମଧ୍ୟ ସବୁ ଜାଗାରେ ଉପଲବ୍ଧ। ତେଣୁ ଦକ୍ଷ ସ୍ୱୀକୃତିପ୍ରାପ୍ତ କାଉନସେଲରଙ୍କ ସାଙ୍ଗରେ ମଧ୍ୟ ବିବାହ ପୂର୍ବରୁ ଉଭୟ ଝିଅ ଆଉ ପୁଅ ଉଚିତ ପରାମର୍ଶ ନେଇପାରିବେ। ଏମିତି କିଛି କଥାକୁ ନଜରକୁ ଆଣିପାରିଲେ ଛାଡ଼ପତ୍ରର ସଂଖ୍ୟା କମିବ ଆଉ ସମ୍ପର୍କରେ ବିଶ୍ୱାସ ଆଣିବାରେ ଉଭୟ ସ୍ଵାମୀ, ସ୍ତ୍ରୀଙ୍କର ସହଭାଗିତା ରହିପାରିବ। ଫଳରେ ସୁସ୍ଥ ଦାମ୍ପତ୍ୟ ପାଇଁ ସମାଧାନର ବାଟ ଆପେ ଆପେ ହୋଇଥାଏ।

ଫୋ-୯୪୩୭୧୩୨୯୬୩

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe