ରବି ଦାସ
୨୦୦୦ ମସିହାରେ କଂଗ୍ରେସ ରାଜ୍ୟରୁ କ୍ଷମତାଚ୍ୟୁତ ହେବା ଦିନଠାରୁ ରାଜ୍ୟ କଂଗ୍ରେସର ସଭାପତି ଆସନ ପାଇଁ ଦଳରେ ପ୍ରତିଯୋଗିତା ଓ ଗୋଷ୍ଠୀ ବିବାଦ ବଢ଼ି ଚାଲିଥିଲେ ମଧ୍ୟ ପ୍ରତ୍ୟେକ ନିର୍ବାଚନରେ କଂଗ୍ରେସର ଜନାଧାର ହ୍ରାସ ପାଇବାରେ ଲାଗିଛି। ଯେତେବେଳେ ବିଜେଡି-ବିଜେପି ମେଣ୍ଟ ରହିଥିଲା ସେତେବେଳେ କଂଗ୍ରେସ ଏକମାତ୍ର ବିକଳ୍ପ ଭାବରେ ଥିବାରୁ ସେମାନଙ୍କର ବିଫଳତାରୁ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିପାରିବ ବୋଲି ଧରିନେଇଥିଲା। କିନ୍ତୁ ୨୦୦୯ ନିର୍ବାଚନ ବେଳକୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗି ଯାଇଥିଲେ ମଧ୍ୟ ବିଜେଡି ତାହାର ଜନାଧାର ବଢ଼ାଇ ଏକାକୀ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ କ୍ଷମତାକୁ ଫେରିଥିଲା ଓ କଂଗ୍ରେସର ଜନାଧାର ୨୦୦୪ ତୁଳନାରେ ଯଥେଷ୍ଟ ହ୍ରାସ ପାଇ ଶତକଡ଼ା ୨୬କୁ ଖସିଯାଇଥିଲା। ୨୦୦୪ରେ କଂଗ୍ରେସକୁ ବିଜେଡି-ବିଜେପି ମେଂଟ ଥିଲାବେଳେ ଶତକଡ଼ା ୩୪ ଭାଗ ଭୋଟ୍ ମିଳିଥିଲା। ୨୦୧୪ରେ ଏହି ଭୋଟ୍ ହାର ଆହୁରି କମିଯିବା ଓ ୨୦୧୯ ବେଳକୁ ଶତକଡ଼ା ୧୪ ଭାଗକୁ ଖସିଆସିବା ସତ୍ତ୍ୱେ ଟେଲିଭିଜନ ବିତର୍କରେ ଯେତେବେଳେ କଂଗ୍ରେସର କ୍ରମାଗତ ଭୋଟହାର ହ୍ରାସ ପାଉଥିବା ସଂପର୍କରେ ପ୍ରଶ୍ନ ଉଠାଯାଏ ସେତେବେଳେ ସେମାନେ ୧୯୯୫ର ଉଦାହରଣ ଦେଇ କିପରି ଭାବରେ ୧୨୩ ଆସନ ପାଇଥିବା ବିଜୁ ପଟ୍ଟନାୟକଙ୍କ ଜନତା ଦଳକୁ ସେମାନେ ପରାସ୍ତ କରି ପୁଣି କ୍ଷମତାକୁ ଫେରିଲେ ତାହା ମନେପକାଇ ଦିଅନ୍ତି।
ଫଳରେ କଂଗ୍ରେସର ଜନାଧାର ଦୃତଗତିରେ ହ୍ରାସ ପାଉଥିବା ସଂକ୍ରାନ୍ତରେ ଦଳରେ ବସ୍ତୁତଃ କୌଣସି ଆଲୋଚନା ହୁଏନାହିଁ। ସେମାନେ ଧରିନେଇଥାନ୍ତି ଯେ ନବୀନ ପଟ୍ଟନାୟକଙ୍କ ସରକାର ବିଫଳ ହେଲେ ୧୯୯୫ ପରି ପୁଣି କଂଗ୍ରେସ ଦଳ କ୍ଷମତାକୁ ଫେରିଆସିବ। ଅବଶ୍ୟ ୨୦୧୯ ପରେ କଂଗ୍ରେସ ରାଜ୍ୟରେ ଆଉ ବିକଳ୍ପ ଦଳ ଭାବରେ ନରହି ତୃତୀୟ ସ୍ଥାନକୁ ଖସିଯାଇ ବିଜେପି ମୁଖ୍ୟ ବିରୋଧୀ ଦଳରେ ପରିଣତ ହୋଇଥିବାରୁ ସେହି ପୂର୍ବ ମାନସିକତାରେ କିଛି ପରିବର୍ତ୍ତନ ହୋଇଛି। ହେଲେ କଂଗ୍ରେସ ଆପଣା ଛାଏଁ ଅନ୍ୟମାନଙ୍କ ବିଫଳତାକୁ ଭିତ୍ତିକରି କ୍ଷମତାକୁ ଫେରିବ ବୋଲି ନେତାମାନେ ଧରିନେଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଯୋଗିତା ଓ ଗୋଷ୍ଠୀ ବିବାଦ ଲାଗି ରହୁଛି।
ଅସଲ କଥା ହେଉଛି କଂଗ୍ରେସର ରାଜ୍ୟରେ ଯେଉଁ ଜନାଧାର ଥିଲା ତାହା ଦଳିତ ଓ ଆଦିବାସୀମାନଙ୍କର କଂଗ୍ରେସ ପ୍ରତି ସମର୍ଥନ ଯୋଗୁ ସୃଷ୍ଟି ହୋଇଥିଲା। ଏପରିକି ୧୯୭୭ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଜରୁରୀ ପରିସ୍ଥିତି କାରଣରୁ କଂଗ୍ରେସ କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ ଦଳିତ ଓ ଆଦିବାସୀମାନଙ୍କ ଭିତରେ କଂଗ୍ରେସ ପ୍ରତି ସମର୍ଥନ ରହିଥିଲା। ସେଥିପାଇଁ ଜନତା ପାର୍ଟି ସରକାର ଗୋଷ୍ଠୀ ବିବାଦ ଯୋଗୁ ଦିଲ୍ଲୀରେ ଭାଙ୍ଗିଯିବା ପରେ ଯେଉଁ ନିର୍ବାଚନ ହେଲା ସେଥିରେ କଂଗ୍ରେସ ଦୁଇ ଭାଗ ହୋଇଥିଲେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ବିପୁଳ ସମର୍ଥନ ସହିତ ପ୍ରଥମେ ଲୋକସଭାରେ ଓ ପରେ ବିଧାନସଭାରେ କ୍ଷମତାକୁ ଆସିଲେ। ୧୯୮୯ରେ ରାଜ୍ୟରେ ପୁଣି ଥରେ କଂଗ୍ରେସ କ୍ଷମତାଚ୍ୟୁତ ହୋଇ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ୧୨୩ଟି ଆସନ ପାଇବା ଓ କଂଗ୍ରେସର ଆସନ ସଂଖ୍ୟା ୧୦କୁ କମିଯିବା ସତ୍ତ୍ୱେ ଦଳିତ ଓ ଆଦିବାସୀମାନଙ୍କ ସମର୍ଥନ ଅନେକ ପରିମାଣରେ କଂଗ୍ରେସ ପ୍ରତି ରହିଥିଲା।
ବାସ୍ତବିକ ଏହି ଆଧାର ଉପରେ ହିଁ ବିଜୁ ପଟ୍ଟନାୟକଙ୍କ ସରକାରଙ୍କ ବିରୋଧରେ ଅସନ୍ତୋଷ ଯୋଗୁ କଂଗ୍ରେସ ପୁଣି ଫାଇଦା ଉଠାଇ ୧୯୯୫ରେ କ୍ଷମତାକୁ ଆସିଲା। କିନ୍ତୁ ଲକ୍ଷ୍ୟ କରିବା କଥା, ଦଳିତ ଓ ଆଦିବାସୀମାନଙ୍କ ଉପରେ କଂଗ୍ରେସର ପ୍ରଭାବ ୨୦୦୪ ନିର୍ବାଚନ ପରଠାରୁ ଦୃତଗତିରେ ହ୍ରାସ ପାଇଛି। ପଂଚାୟତ ବ୍ୟବସ୍ଥାରେ ଦଳିତ ଓ ଆଦିବାସୀମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯିବା ଫଳରେ ବିଜେଡି ଓ ବିଜେପି ମଧ୍ୟ ଗ୍ରାମସ୍ତରରୁ ଆରମ୍ଭ କରି ପଂଚାୟତ ଓ ଜିଲ୍ଲା ପରିଷଦ ପାଇଁ ଆଦିବାସୀ ଓ ଦଳିତ ପ୍ରାର୍ଥୀ ପ୍ରତ୍ୟେକ ଅଂଚଳରେ ଛିଡ଼ା କରିବାର ସୁଯୋଗ ପାଇଲେ। ଏହି ପ୍ରାର୍ଥୀମାନେ ଧୀରେ ଧୀରେ ଗ୍ରାମାଞ୍ଚଳରେ ସେହିସବୁ ଦଳମାନଙ୍କ ପାଇଁ କ୍ୟାଡର ହୋଇଗଲେ। ୨୦୦୮ରେ ନବୀନ ପଟ୍ଟନାୟକଙ୍କ ସରକାର କେନ୍ଦ୍ର ପକ୍ଷରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରମାନଙ୍କ ପାଇଁ କମ୍ ଅର୍ଥରେ ଯେଉଁ ଚାଉଳ ଓ ଗହମ ଦେଉଥିଲେ ସେଥିରେ ରାଜ୍ୟ ସରକାରଙ୍କର କିଲୋ ପିଛା ୩ ଟଙ୍କା ସବ୍ସିଡି ଦେଇ ସେହି ଶ୍ରେଣୀର ଲୋକମାନଙ୍କୁ ୨ ଟଙ୍କାରେ ଚାଉଳ ଯୋଗାଇବା ଆରମ୍ଭ କଲେ। କେନ୍ଦ୍ରୀୟ ସ୍କିମ୍ରେ ଏହି ଚାଉଳ ମିଳୁଥିଲେ ମଧ୍ୟ ନବୀନ ପଟ୍ଟନାୟକ ୨ ଟଙ୍କାରେ ଚାଉଳ ଦେଉଛନ୍ତି ବୋଲି ପ୍ରଚାର କରାଗଲା। ଯେହେତୁ ଓଡ଼ିଶାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ଭିତରେ ପ୍ରାୟ ସମସ୍ତ ଦଳିତ ଓ ଆଦିବାସୀ ଶ୍ରେଣୀ ଲୋକ ରହିଛନ୍ତି ସେହେତୁ ଏହି ବର୍ଗର ଲୋକମାନେ ନବୀନ ପଟ୍ଟନାୟକଙ୍କଠାରୁ ୨ ଟଙ୍କାରେ ଚାଉଳ ପାଉଛନ୍ତି ବୋଲି ବିଶ୍ୱାସ କରି ସେମାନଙ୍କର କଂଗ୍ରେସ ପ୍ରତି ଥିବା ଦୃଢ଼ ସମର୍ଥନକୁ ବଦଳାଇ ବହୁ ପରିମାଣରେ ବିଜୁ ଜନତା ଦଳ ଆଡ଼କୁ ଆକୃଷ୍ଟ ହୋଇଥିଲେ।
ଏହି ଅବସ୍ଥାକୁ ଦେଖି ୨୦୦୯ ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ଜାତୀୟ ସ୍ତରରେ ୨ ଟଙ୍କାରେ ଚାଉଳ ଯୋଗାଇବା ପାଇଁ ଏକ ନିର୍ବାଚନୀ ପ୍ରତିଶ୍ରୁତି ବି ଦିଆଗଲା। କିନ୍ତୁ ଯେଉଁ ୟୁପିଏ ସରକାର ୨୦୦୪ରେ କ୍ଷମତାକୁ ଆସିବା ପରେ ଲୋକମାନଙ୍କୁ କାମ ଯୋଗାଇବା ପାଇଁ ମନରେଗା ସ୍କିମ୍ ପ୍ରଚଳନ କରିଥିଲେ ସେହି ସରକାର ୨୦୦୯ ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ପାଇଁ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ନେଇଗଲେ। ୨୦୧୪ ନିର୍ବାଚନ ପୂର୍ବରୁ ୨୦୧୩ରେ ଏହି ଆଇନ ଗୃହୀତ ହେଲେ ମଧ୍ୟ ୟୁପିଏ ସରକାର ସମୟରେ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମୋଦୀ ସରକାର ଆସିବା ପରେ ଏହା କାର୍ଯ୍ୟକାରୀ ହେବା ପରେ ତାହାରି ଅଧୀନରେ କରୋନା ସମୟରେ ଗରିବ କଲ୍ୟାଣ ଯୋଜନା ନାମରେ ସେହି ବର୍ଗର ଲୋକମାନଙ୍କୁ ମାଗଣା ଚାଉଳ ଦିଆଯାଇଛି। ନବୀନ ପଟ୍ଟନାୟକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆସିବା କ୍ଷଣି ଓଡ଼ିଶାରେ ୨ ଟଙ୍କିଆ ଚାଉଳକୁ ୧ ଟଙ୍କିଆ ଚାଉଳରେ ପରିଣତ କରିଦେଇଛନ୍ତି। ତେଣୁ ଦଳିତ ଓ ଆଦିବାସୀ ବର୍ଗର ସମର୍ଥନ କଂଗ୍ରେସ ଦଳ ଫେରିପାଇବାର କୌଣସି ସମ୍ଭାବନା ନଥିବାରୁ କଂଗ୍ରେସର ଏହି ଚିରାଚରିତ ଭୋଟବ୍ୟାଙ୍କ ଭିତରୁ ଅଧିକାଂଶ ବିଜେଡି ଆଡ଼କୁ ଓ ଆଉ କିଛି ପରିମାଣରେ ବିଜେପିର ଘନଘନ ପ୍ରଚାର ଯୋଗୁ ବିଜେପି ଆଡ଼କୁ ଆକୃଷ୍ଟ ହୋଇଛନ୍ତି।
କଂଗ୍ରେସ ଦଳ ରାଜ୍ୟରେ ହୋଇଥିବା ଅନ୍ୟ ୪ଟି ଉପନିର୍ବାଚନରେ ଅତି ଦୟନୀୟ ଭାବରେ ତୃତୀୟ ସ୍ଥାନରେ ରହିଥିବା ବେଳେ ନିକଟରେ ଶେଷ ହୋଇଥିବା ବ୍ରଜରାଜନଗର ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଆସିଯାଇଛି ବୋଲି କଂଗ୍ରେସ ରାଜ୍ୟରେ ପୁଣି କ୍ଷମତା ଫେରିପାଇବା ଦିଗରେ ଅଗ୍ରଗତି ହୋଇଛି ବୋଲି କିଛି ଦଳୀୟ ନେତା ନିଜେ ନିଜେ ଖୁସି ହେଉଛନ୍ତି। କାରଣ ଏହି ଉପନିର୍ବାଚନରେ ରାଜ୍ୟର ୨୦୧୯ଠାରୁ ବିଜେଡିର ବିକଳ୍ପ ଭାବରେ ଲୋକମାନେ ବିଚାର କରୁଥିବା ବିଜେପି ହଠାତ୍ ତୃତୀୟ ସ୍ଥାନକୁ ଚାଲିଯାଇ ଅମାନତ ହରାଇଛି। ଏହା ସତ୍ୟ ଯେ ବିଜେପି ଯେଉଁ ଆସନରେ ୨୦୧୪ ମସିହାରେ ବିଜୟ ହାସଲ କରିଥିଲା ଓ ୨୦୧୯ରେ ଶତକଡ଼ା ୪୧.୬୩ ଭାଗ ଭୋଟ୍ ପାଇଥିଲା ସେହି ଆସନରେ ସେହି ବିଜେପି ପ୍ରାର୍ଥୀଙ୍କୁ ମାତ୍ର ଶତକଡ଼ା ୧୪.୧୪ ଭାଗ ଜନସମର୍ଥନ ମିଳିଛି। କିନ୍ତୁ ଯେଉଁ କଂଗ୍ରେସ ଦଳ ପ୍ରାର୍ଥୀ ୨୦୧୪ ନିର୍ବାଚନରେ ଶତକଡ଼ା ୨୦.୧୯ ଭାଗ ଭୋଟ୍ ପାଇଥିଲେ ସେହି କଂଗ୍ରେସ ପ୍ରାର୍ଥୀ ଉପନିର୍ବାଚନରେ ମାତ୍ର ଶତକଡ଼ା ୧୮ ଭାଗ ଭୋଟ୍ ପାଇଛନ୍ତି। ଅର୍ଥାତ୍ ୨୦୦୪ ତୁଳନାରେ କଂଗ୍ରେସ ଭୋଟ୍ ଆହୁରି କମିଛି।
ଅସଲ କଥା ହେଉଛି କଂଗ୍ରେସର ଦଳିତ ଓ ଆଦିବାସୀମାନଙ୍କ ଭିତରେ ଥିବା ପୁରୁଣା ଜନାଧାର ଆଉ ନାହିଁ। ଏହି ଶ୍ରେଣୀର ଲୋକମାନେ ନିର୍ବାଚନରେ ଅନ୍ୟ ଯିଏ ଅର୍ଥ ଦେଲେ ମଧ୍ୟ ସେମାନଙ୍କର ଭୋଟ୍ କଂଗ୍ରେସ ଦଳକୁ ଦେଉଥିଲେ। ଏବେ ସେହି ଅବସ୍ଥା ନାହିଁ। ଏପରିକି ପ୍ରାର୍ଥୀ ଅର୍ଥ ଦେଲେ ମଧ୍ୟ ସେମାନଙ୍କର ପ୍ରଥମ ପସନ୍ଦ ଆଉ କଂଗ୍ରେସ ନୁହେଁ। ଇତି ମଧ୍ୟରେ ବିଜୁ ଜନତା ଦଳ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳା ସଶକ୍ତିକରଣ ସ୍ଲୋଗାନରେ ଯେପରି କ୍ରମାଗତ ଭାବରେ ଗତ ୧୫ ବର୍ଷ ହେଲା କାର୍ଯ୍ୟକଳାପ ଚଳାଇଛି ସେଥିରେ ଏକଦା ଯେପରି ଦଳିତ ଓ ଆଦିବାସୀମାନେ କଂଗ୍ରେସର ଭୋଟ୍ବ୍ୟାଙ୍କ ହୋଇଯାଇଥିଲେ ସେହିପରି ମହିଳାମାନେ ନବୀନଙ୍କର ଭୋଟ୍ ବ୍ୟାଙ୍କ ହେବାରେ ଲାଗିଛନ୍ତି। କଂଗ୍ରେସ ଦଳ ଜନଧାର ବଢ଼େଇବ କ’ଣ ପୂର୍ବ ଜନାଧାର ଫେରିପାଇବା ପାଇଁ ଗତ ୧୫ ବର୍ଷ ଭିତରେ କୌଣସି କୌଶଳ ଅବଲମ୍ବନ କରିନାହିଁ। ବିଜେଡି ସରକାର ବିଫଳ ହେଲେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଯେଉଁମାନେ ସ୍ୱପ୍ନ ଦେଖୁଥିଲେ ସେମାନେ ବାସ୍ତବତାକୁ ବୁଝିଯିବା ଆବଶ୍ୟକ।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।