Advertisment

ସର୍ବଦଳୀୟ ଟିମରେ ଶଶି, କଂଗ୍ରେସ ନୁହେଁ ଖୁସି!

ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ ବିଦେଶ ରାଜଧାନୀକୁ ମନୋନୀତ ହୋଇଥିବା ସର୍ବଦଳୀୟ ଟିମ୍ ସେମାନଙ୍କ ଯାତ୍ରା ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁ ଢଙ୍ଗରେ ଏହି ୬ଟି ଯାକ ଟିମ୍ ଗଠିତ ହୋଇଛି ଓ ସେଥିରେ ଯେଉଁମାନଙ୍କୁ ସଭ୍ୟ କରାଯାଇଛି ସେ ନେଇ କେତେକ ଅଣଏନ୍‌ଡିଏ ଦଳରେ ମତଭେଦ ଥିଲେ ମଧ୍ୟ ସର୍ବାଧିକ ମତଭେଦ ବା ଭିନ୍ନ ମନୋଭାବ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦଳରେ ଦେଖାଦେଇଛି।

author-image
Debendra Prusty
Shashi Tharoor

Shashi Tharoor

ରବି ଦାସ

ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ ବିଦେଶ ରାଜଧାନୀକୁ ମନୋନୀତ ହୋଇଥିବା ସର୍ବଦଳୀୟ ଟିମ୍ ସେମାନଙ୍କ ଯାତ୍ରା ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁ ଢଙ୍ଗରେ ଏହି ୬ଟି ଯାକ ଟିମ୍ ଗଠିତ ହୋଇଛି ଓ ସେଥିରେ ଯେଉଁମାନଙ୍କୁ ସଭ୍ୟ କରାଯାଇଛି ସେ ନେଇ କେତେକ ଅଣଏନ୍‌ଡିଏ ଦଳରେ ମତଭେଦ ଥିଲେ ମଧ୍ୟ ସର୍ବାଧିକ ମତଭେଦ ବା ଭିନ୍ନ ମନୋଭାବ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦଳରେ ଦେଖାଦେଇଛି।

Advertisment

କଂଗ୍ରେସ ଦଳ ପକ୍ଷରୁ ଏହି ଟିମ୍‌ଗୁଡ଼ିକରେ କେଉଁମାନେ ସଦସ୍ୟ ହେବେ ସେଗୁଡ଼ିକର ନାମ ଦଳ ପକ୍ଷରୁ ସୁପାରିଶ କରାଯାଇଥିବା ସତ୍ତ୍ୱେ ସରକାର ତାହାକୁ ଗୁରୁତ୍ୱ ଦେଲେ ନାହିଁ। ବରଂ କଂଗ୍ରେସ ମନୋନୀତ କରିନଥିବା ଓ ବିଦେଶନୀତି ବିଷୟରେ ଯଥେଷ୍ଟ ଜ୍ଞାନ ରଖିଥିବା ଶଶି ଥରୁର୍‌ଙ୍କୁ ସରକାରଙ୍କ ପକ୍ଷରୁ ଆମେରିକା ଯିବାକୁ ଥିବା କମିଟିର ମୁଖ୍ୟ ଭାବରେ ବଛାଯାଇଛି। ସେହିପରି କଂଗ୍ରେସ ଦଳରୁ ମନୀଷ ତିୱାରୀ, ସଲ୍‌ମାନ୍ ଖୁର୍ସିଦ ଓ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଗୋଟିଏ ନାମ ଆନନ୍ଦ ଶର୍ମାଙ୍କୁ ମନୋନୀତ କରାଯାଇଛି। କଂଗ୍ରେସ ଯଦିଓ ଅପରେସନ୍ ସିନ୍ଦୂର ଅଭିଯାନରେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କ ସହିତ ଓ ସେନା ବାହିନୀ ସହିତ ପୂରା ମାତ୍ରାରେ ରହିଥିବା ଉପସ୍ଥାପିତ କରିଥିଲା କିନ୍ତୁ ଅସ୍ତ୍ରବିରତି ଘୋଷଣା ପରେ ପରେ କଂଗ୍ରେସ ପକ୍ଷରୁ ପହେଲଗାମ୍‌ରେ ଆତଙ୍କବାଦୀମାନଙ୍କର ବିନା ପ୍ରତିରୋଧରେ ପ୍ରବେଶ ଓ ସେହି ସ୍ଥାନରେ ଆତଙ୍କବାଦୀମାନେ ୨୬ ପର୍ଯ୍ୟଟକଙ୍କୁ ଗୁଳିମାରି ହତ୍ୟା କରିବା ସମୟରେ ସେହି ଅଂଚଳରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ପ୍ରସଙ୍ଗ ଉତ୍‌ଥାପନ କରିଥିଲା। ଏହାଛଡ଼ା କେଉଁ ପରିସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଏହି ଅସ୍ତ୍ରବିରତି ବିଷୟ ଘୋଷଣା କଲେ ଓ ଏଥିପାଇଁ ଭାରତ ପକ୍ଷରୁ କ’ଣ ସର୍ତ୍ତ ରଖାଯାଇଛି ତାହା ନେଇ ପ୍ରଶ୍ନ ଉଠାଇଛି। ଅପରେସନ୍ ସିନ୍ଦୂର ଅଭିଯାନରେ ଭାରତର କୌଣସି ଯୁଦ୍ଧବିମାନ କ୍ଷତିଗ୍ରସ୍ତ ହୋଇଛି କି ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଦଳ ଉଠାଇଛି।

ଅପରେସନ୍ ସିନ୍ଦୂରରେ ଦେଖାଗଲା ଯେ, ବିଶ୍ୱର କୌଣସି ରାଷ୍ଟ୍ର ସିଧାସଳଖ ଭାରତକୁ ସହାୟତା କରିବା ସମୟରେ ପାକିସ୍ତାନ ସହିତ ତୁର୍କୀ ଓ ଅଜରବୈଜାନ୍ ଛିଡ଼ା ହେଲେ। ଚୀନ୍ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମସ୍ତ ପ୍ରକାର ସାମରିକ ସାହାଯ୍ୟ ପ୍ରଦାନ କଲା। ଏପରିକି ଆମେରିକା ରାଷ୍ଟ୍ରପତି ଅସ୍ତ୍ରବିରତି ଘୋଷଣା ସହିତ କାଶ୍ମୀର ସମସ୍ୟାକୁ ଆନ୍ତର୍ଜାତିକ ରୂପ ଦେବାକୁ ଉଦ୍ୟମ କଲେ। ଯଦିଓ ଭାରତ ପରେ ଟ୍ରମ୍ପଙ୍କ କଥାକୁ ଗ୍ରହଣ କରିନାହିଁ, ହେଲେ ଅପରେସନ୍ ସିନ୍ଦୂରର ପୃଷ୍ଠଭୂମି ଆମେରିକା ରାଷ୍ଟ୍ରପତି ହୃଦୟଙ୍ଗମ କରିନଥିବା ଓ ଭାରତ ସହିତ ପାକିସ୍ତାନକୁ ଏକାପ୍ରକାର ବିଚାର କରିବା ଦେଶରେ ଯେଉଁସବୁ ପ୍ରଶ୍ନ ଉତ୍‌ଥାପିତ କଲା, ସେଥିରେ ବିଦେଶରେ ଭାରତର ସ୍ଥିତି ଠିକ୍ ଭାବରେ ପହଂଚାଇବା ପାଇଁ ଏକ ସର୍ବଦଳୀୟ ଟିମ୍‌ଗୁଡ଼ିକ ବିଶ୍ୱର ବିଭିନ୍ନ ଦେଶକୁ ପଠାଇବା ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକ ବୋଲି ଅନୁଭବ କରାଗଲା। ଯେହେତୁ ଭାରତର ସବୁ ଦଳ ଅପରେସନ୍ ସିନ୍ଦୂର ସହିତ ରହିଥିଲେ ଓ ଅତୀତରେ ଭାରତରେ ଯେବେ ବି ଜାତୀୟ ସୁରକ୍ଷାର ପ୍ରସଙ୍ଗ ଆସିଛି ସେତେବେଳେ ଦଳମତ ନିର୍ବିଶେଷରେ ସମସ୍ତେ ମିଳିତ ଭାବେ ବିଶ୍ୱବାସୀଙ୍କ ଆଗରେ ଭାରତରେ ଏକତାକୁ ପ୍ରତିପାଦନ କରିଥିବାର ବହୁ ନଜିର ଉପସ୍ଥାପିତ ହେଲା।

Advertisment

ତେଣୁ କଂଗ୍ରେସ ଦଳ ଜାତୀୟ ସୁରକ୍ଷା ପ୍ରସଙ୍ଗ ନେଇ ସର୍ବଦଳୀୟ କମିଟିରେ ଯିବାକୁ ଅରାଜି ନଥିଲେ। କିନ୍ତୁ ସେମାନଙ୍କ ଦଳ ଦ୍ୱାରା ମନୋନୀତ ସଭ୍ୟ ଏଥିରେ ସାମିଲ ହେବାକୁ ଚାହୁଁଥିଲେ। ଶଶି ଥରୁର କଂଗ୍ରେସ ଦଳର ୪ ଥର କ୍ରମାଗତ ସାଂସଦ ଓ ପାର୍ଲାମେଂଟର ବୈଦେଶିକ ବ୍ୟାପାର କମିଟିର ମୁଖ୍ୟ ହୋଇଥିବା ସତ୍ୱେ ଦଳ ତାଙ୍କୁ ମନୋନୀତ କଲାନାହିଁ। କଂଗ୍ରେସ ଦଳ ଭିତରର ଆଭ୍ୟନ୍ତରୀଣ ଛକାପଞ୍ଜା ଯୋଗୁ ଶଶି ଥରୁରଙ୍କ ନାମ ବାଦ୍ ଦିଆଗଲା ବୋଲି କୁହାଯାଉଛି। କିନ୍ତୁ ତା’ ପୂର୍ବରୁ ଅପରେସନ୍ ସିନ୍ଦୂର ସମୟରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଯେତେଗୁଡ଼ିଏ ରିପୋର୍ଟ ଓ ତଥ୍ୟଗୁଡ଼ିକ ପ୍ରକାଶ ପାଇଛି ସେଥିରେ ଅଧିକାଂଶ ରିପୋର୍ଟରେ ଭାରତ ପକ୍ଷରୁ ଶଶି ଥରୁର୍‌ଙ୍କର ମନ୍ତବ୍ୟକୁ ଗୁରୁତ୍ୱ ଦିଆଯାଇଛି। ସେ ଜଣେ ଅଭିଜ୍ଞ କୂଟନୀତିଜ୍ଞ ଓ କିଛିଦିନ ବୈଦେଶିକ ବ୍ୟାପାରର ମନ୍ତ୍ରୀ ମଧ୍ୟ ଥିଲେ। ଲେଖକ ଭାବରେ ସାରା ବିଶ୍ୱ ବୁଦ୍ଧିଜୀବିମାନଙ୍କ ଭିତରେ ତାଙ୍କର ପ୍ରତିଷ୍ଠା ରହିଛି। କିନ୍ତୁ ଶଶି ଥରୁର୍ ଏହିସବୁ ମନ୍ତବ୍ୟ ଦେବା ସମୟରେ କଂଗ୍ରେସ ପକ୍ଷରୁ ଯେଉଁସବୁ ପ୍ରଶ୍ନ ଉଠାଯାଉଛି ସେଗୁଡ଼ିକ ଆଦୌ ଉଲ୍ଲେଖ ନକରି ଏକ ଜାତୀୟ ବିପଦ ସମୟରେ ଜାତୀୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ସେ ପୂରାପୂରି ଭାବରେ ମୋଦୀ ସରକାରଙ୍କୁ ସମର୍ଥନ କରିଛନ୍ତି।

ଏହି ଘଟଣା ପୂର୍ବରୁ କେରଳରେ ହୋଇଥିବା ଏକ ଘଟଣା ଓ ସର୍ବୋପରି କେରଳ ରାଜନୀତିରେ ଶଶି ଥରୁର୍ ଯେଉଁ ଭୂମିକା ଚାହୁଁଛନ୍ତି ତାହା କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷ ପ୍ରଦାନ କରିନଥିବାରୁ ତାଙ୍କର ଅସନ୍ତୋଷ ଥିବା ଜଣାଥିଲା। ଏହିପରି ଏକ ଅବସ୍ଥାରେ କଂଗ୍ରେସ ପକ୍ଷରୁ ତାଙ୍କ ନାମ ନିଆନଗଲେ ମଧ୍ୟ ସରକାର ତାଙ୍କ ନାମ ଘୋଷଣା କଲେ। ତାଙ୍କର ଯୋଗ୍ୟତା ନେଇ କୌଣସି ସନ୍ଦେହ ନଥିବା ସତ୍ୱେ କଂଗ୍ରେସର ଦଳୀୟ ବ୍ୟାପାରରେ ସେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟ ପ୍ରଣାଳୀରେ ଅସୁଖି ଥିବା ସୂଚିତ ହେଉଥବାରୁ ତାଙ୍କର ନାମକୁ ସରକାର ଘୋଷଣା କରି ଏକ ଯୋଗ୍ୟ ଲୋକଙ୍କୁ ଏହି ସ୍ଥାନ ଦିଆଯାଇଥିବା ଜଣାଇବା ସହିତ କଂଗ୍ରେସ ନେତୃତ୍ୱକୁ ଏକ ବଡ଼ ଝଟ୍‌କା ପ୍ରଦାନ କରିଛନ୍ତି।

କେବଳ ଶଶି ଥରୁର୍ ନୁହଁନ୍ତି, କଂଗ୍ରେସ ଦଳ ଭିତରେ ମନୀଷ ତିୱାରୀ ଓ ସଲ୍‌ମାନ୍ ଖୁର୍ସିଦଙ୍କ ପରି ନେତାମାନେ ବୈଦେଶିକ ବ୍ୟାପାରରେ ଓ ଜାତୀୟ ପ୍ରସଙ୍ଗଗୁଡ଼ିକରେ ବେଶ୍ ଦକ୍ଷ ହୋଇଥିଲେ ମଧ୍ୟ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତିରେ ଏବେ ସେମାନଙ୍କର ସେହି ଗୁରୁତ୍ୱ ନାହିଁ। ମନୀଷ ତିୱାରୀ ଏବେ ଲୋକସଭାର ସଦସ୍ୟ ଅଛନ୍ତି। କଂଗ୍ରେସ ସରକାର ସମୟରେ ସେ ମନ୍ତ୍ରୀ ଥିଲେ ଏବଂ ଲୋକସଭାର ସଦସ୍ୟ ଭାବରେ ତାଙ୍କର ଭୂମିକା ଓ କାର୍ଯ୍ୟ ପ୍ରଣାଳୀ ମଧ୍ୟ ବେଶ୍ ଆକର୍ଷଣୀୟ, କିନ୍ତୁ ସଂଗଠନରେ ତାଙ୍କର ସେହି ଭୂମିକା ଦେଖିବାକୁ ମିଳୁନାହିଁ। ଯଦିଓ ସେ କଂଗ୍ରେସର ଜଣେ ପୁରୁଖା ନେତା। ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ବାଟଦେଇ ସେ କଂଗ୍ରେସରେ ପ୍ରତିଷ୍ଠିତ ହୋଇଛନ୍ତି। ଦଳ ପ୍ରତି ତାଙ୍କ ଆନୁଗତ୍ୟକୁ ସନ୍ଦେହ କରିବାର କାରଣ ବି ନାହିଁ। ହେଲେ ରାହୁଲ ଗାନ୍ଧୀ ଯେଉଁମାନଙ୍କୁ ନେଇ କଂଗ୍ରେସ ସଂଗଠନର କାର୍ଯ୍ୟ ଚଳାଇଛନ୍ତି ସେଥିରେ ସେ ଖୁସି ନାହାନ୍ତି। ସେଥିପାଇଁ ଅତୀତରେ କଂଗ୍ରେସର ଯେଉଁ ୨୩ ଜଣ ନେତାଙ୍କୁ ବିଦ୍ରୋହୀ ବୋଲି କୁହାଯାଉଥିଲା, ସେଥିରେ ତାଙ୍କର ନାମ ରହିଥିଲା। ସଲ୍‌ମାନ୍ ଖୁର୍ସିଦ୍ ମଧ୍ୟ ବେଶ୍ ଉଚ୍ଚ ଶିକ୍ଷିତ, ଲଣ୍ଡନରେ ପାଠ ପଢ଼ିଛନ୍ତି ଓ ବହୁଦିନ ଧରି କଂଗ୍ରେସରେ ରହିବା ସହିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବୈଦେଶିକ ବିଭାଗର ପରିଚାଳନା କରିଛନ୍ତି। ସେ ସୋନିଆ ଗାନ୍ଧୀଙ୍କର ବେଶ୍ ନିକଟବର୍ତ୍ତୀ ଥିଲେ ମଧ୍ୟ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଢଙ୍ଗରେ ସେ ସେତେଟା ଖୁସି ନାହାନ୍ତି ବା ସେହି ଅନୁସାରେ ଦଳ ଭିତରେ ତାଙ୍କୁ ପୂର୍ବପରି ଗୁରୁତ୍ୱ ଦିଆଯାଉନାହିଁ।

ଅବଶ୍ୟ କଂଗ୍ରେସ ପକ୍ଷରୁ ଆନନ୍ଦ ଶର୍ମାଙ୍କ ନାମ ସର୍ବଦଳୀୟ କମିଟି ପାଇଁ ଦିଆଯାଇଥିଲା। ସରକାର ଅନ୍ୟ ୩ ଜଣଙ୍କ ନାମ ବାଦ୍ ଦେଇଥିଲେ ମଧ୍ୟ ଆନନ୍ଦ ଶର୍ମାଙ୍କ ନାମକୁ ରଖିଛନ୍ତି। ସେ ମଧ୍ୟ ପୂର୍ବରୁ ବହୁଦିନ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଏପରିକି ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଥିଲେ। ହେଲେ ଯେଉଁ ୨୩ ଜଣ ବିଦ୍ରୋହୀଙ୍କ ନାମ ନେଇ ୩ ବର୍ଷ ତଳେ ଚର୍ଚ୍ଚା ଚାଲିଥିଲା, ସେହି ଗୋଷ୍ଠୀରେ ଆନନ୍ଦ ଶର୍ମା ବି ଥିଲେ। ସମ୍ଭବତଃ ସେହି କାରଣରୁ ତାଙ୍କ ନାମକୁ ସରକାର ଗ୍ରହଣ କରିନେଲେ। କଂଗ୍ରେସ ଦଳ ଭିତରେ ଏହି କମିଟି ଜରିଆରେ କିଛି ସଂକଟ ଓ ବିବାଦ ସୃଷ୍ଟି ପାଇଁ ସରକାର ଚେଷ୍ଟା କରୁଥିବା ସମୟରେ ଦଳ ପକ୍ଷରୁ ବିଶେଷ ଭାବରେ ରାହୁଲ ଗାନ୍ଧୀ ପ୍ରତିଦିନ ଅପରେସନ୍ ସିନ୍ଦୂରକୁ ନେଇ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରି ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରି ଚାଲିଛନ୍ତି।

ସର୍ବଦଳୀୟ କମିଟି ବିଦେଶ ଯାଇଥିବା ସମୟରେ ଅପରେସନ୍ ସିନ୍ଦୂରକୁ ନେଇ କେତେଗୁଡ଼ିଏ ପ୍ରଶ୍ନ କିପରି ଭାବରେ ରାହୁଲ ଗାନ୍ଧୀ ଓ ଅନ୍ୟ କେତେକ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି ତାହା ପରୋକ୍ଷରେ ପାକିସ୍ତାନ ପାଇଁ ସହାୟକ ହେବ ବୋଲି କୁହାଯାଉଛି। ସେଥିପାଇଁ ବିଜେପି ପକ୍ଷରୁ ରାହୁଲଙ୍କୁ କଡ଼ା ସମାଲୋଚନା କରାଯାଇ ସେ ପାକିସ୍ତାନୀ ଦଲାଲ୍ ବୋଲି କୁହାଯାଉଛି। ଅପରପକ୍ଷରେ ଦେଶରକ୍ଷା ମନ୍ତ୍ରୀ ଅପରେସନ୍ ସିନ୍ଦୂରର ବିମାନ ଆକ୍ରମଣ ପୂର୍ବରୁ ପାକିସ୍ତାନକୁ ସୂଚିତ କରିଥିବା ନେଇ ଜୟଶଙ୍କରଙ୍କ ଏକ ବକ୍ତବ୍ୟକୁ ଉଧାର କରି ତାଙ୍କୁ ମୀର ଜାଫର୍ ଭାବରେ ଅଭିହିତ କରାଯାଉଛି। ସରକାରଙ୍କ ପକ୍ଷରୁ ଖୋଦ୍ ପ୍ରଧାନମନ୍ତ୍ରୀ ଓ ଦେଶରକ୍ଷା ମନ୍ତ୍ରୀ ଖୋଲାଖୋଲି ଭାବରେ ଅପରେସନ୍ ସିନ୍ଦୂରରେ ଭାରତ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଥିବା ଓ ଅସ୍ତ୍ରବିରତି ସତ୍ୱେ ଏହି ଅପରେସନ୍ ବନ୍ଦ ହୋଇନଥିବା କହି ଚାରିଆଡ଼େ ସେନାବାହିନୀ ଗହଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସୈନ୍ୟ କାଇଦାର ଫଟୋ ଥାଇ ଦେଶବ୍ୟାପୀ ହୋର୍ଡ଼ିଂ ନିର୍ମାଣ ଚାଲିଛି। ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଓ ଆତଙ୍କବାଦୀ ଘଟଣା ସହିତ ପାକିସ୍ତାନ ବିରୋଧୀ ଘଟଣାରେ ଭାରତବାସୀ ସମ୍ପୂର୍ଣ୍ଣ ଭାବରେ ଏକ ଥିବା ସବୁ ସମୟରେ ପ୍ରମାଣିତ ହୋଇଛି।

ପୁଲୱାମା ଆତଙ୍କବାଦୀ ଘଟଣାପରେ ବାଲାକୋଟ୍ ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ନେଇ ୨୦୧୯ ନିର୍ବାଚନରେ ମୋଦୀ ଅଧିକ ସଂଖ୍ୟାରେ ସମର୍ଥନ ହାସଲ କରିଥିଲେ। ଅପରେସନ୍ ସିନ୍ଦୂରରେ ମଧ୍ୟ ସେହିପରି ଏକ ସୁଯୋଗ ଆସିପାରେ ବୋଲି ଅନେକ ବିଚାର କରୁଛନ୍ତି। ସମ୍ଭବତଃ ସେହି କାରଣରୁ ପୁଲୱାମା ଘଟଣାରେ ଆତଙ୍କବାଦୀମାନଙ୍କୁ ନେଇ ଯେଉଁସବୁ ପ୍ରଶ୍ନ ଥିଲା ସେଗୁଡ଼ିକ ଯେପରି ପଛକୁ ଚାଲିଗଲା। ଏବେ ଅପରେସନ୍ ସିନ୍ଦୂର ଘଟଣାରେ ସେପରି କିଛି ଯେପରି ନହେବ ସେଥିପାଇଁ କଂଗ୍ରେସ ପ୍ରଥମରୁ ଅସ୍ତ୍ରବିରତି ବନ୍ଦ ପରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଛି। କିନ୍ତୁ ବିଦେଶ ଗସ୍ତରେ ଯାଇଥିବା ଶଶି ଥରୁର୍ ସ୍ପଷ୍ଟ କରିଦେଇଛନ୍ତି ଯେ, ଅପରେସନ୍ ସିନ୍ଦୂରରେ ସରକାର ଯାହା କରିଛନ୍ତି ତାହା ଯଥାର୍ଥ। ଅନ୍ୟ କିଏ ପ୍ରଧାନମନ୍ତ୍ରୀ ଥିଲେ ଆହୁରି କିଛି ହୋଇପାରିଥାନ୍ତା ଏପରି ଭାବିବା ଠିକ୍ ନୁହେଁ। ଯଦିଓ ଏହି ଅପରେସନ୍‌ରେ ପାକିସ୍ତାନ ସଫଳ ହୋଇଥିବା ଦର୍ଶାଇବା ପାଇଁ ତାଙ୍କ ସେନା ବାହିନୀ ମୁଖ୍ୟ ଅସିମ୍ ମୁନିର୍‌ଙ୍କୁ ଏବେ ସିଧାସଳଖ ପ୍ରମୋସନ୍ ଦେଇ ଫିଲ୍ଡ ମାର୍ଶାଲ୍ କରିଛନ୍ତି। ସେନା ବାହିନୀରେ ଏହା ସର୍ବୋଚ୍ଚ ସମ୍ମାନ।

ତେବେ, ଶଶି ଥରୁର୍ ଓ ମନୀଷ ତିୱାରୀଙ୍କୁ ନେଇ ସରକାର ଯେଉଁ ଖେଳ କଂଗ୍ରେସ ପାଇଁ ଆରମ୍ଭ କରିଛନ୍ତି ଏହାର ପରିଣତି ହଠାତ୍ କହିବା ସମ୍ଭବ ନୁହେଁ। କିନ୍ତୁ ଏହା ପ୍ରମାଣ କରୁଛି ଯେ, ରାହୁଲ ଗାନ୍ଧୀଙ୍କର ନେତୃତ୍ୱରେ ପୂର୍ବ ଅପେକ୍ଷା ପରିପକ୍ୱତା ଆସିଥିଲେ ମଧ୍ୟ କଂଗ୍ରେସ ପରି ଏକ ଦଳକୁ ପରିଚାଳନା କରିବା ପାଇଁ ଯେଉଁ ଅଭିଜ୍ଞତାର ଆବଶ୍ୟକତା ଅଛି, ତାହା ତାଙ୍କ ନିକଟରେ ନାହିଁ। ନଚେତ୍ ଶଶି ଥରୁର୍‌ଙ୍କ ନାମ ନିଆଯିବା କ୍ଷଣି ଦଳ ପକ୍ଷରୁ ହଠାତ୍ ପ୍ରତିକ୍ରିୟାର ଆବଶ୍ୟକତା ନଥିଲା। ରାହୁଲ ଗାନ୍ଧୀ ଏବେ ମଧ୍ୟ ତାଙ୍କୁ ଘେରି ରହିଥିବା କିଛି ନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଅନେକ ନିଷ୍ପତି ବା ଦଳୀୟ ଦାୟିତ୍ୱ ନେଉଥିବା ନେଇ ଏକ ଧାରଣା ରହିଛି। ମାଲ୍ଲିକାର୍ଜୁନ ଖାଡ୍‌ଗେଙ୍କ ପରି ଅଭିଜ୍ଞ ନେତା ଦଳର ସଭାପତି ଥିଲେ ମଧ୍ୟ କଂଗ୍ରେସର ଅଧିକାଂଶ ନିଷ୍ପତି ଓ ବିଚାର ରାହୁଲଙ୍କୁ କେନ୍ଦ୍ର କରି ଚାଲିଛି। ଏହି ବିଚାର ପ୍ରକିୟାରେ ଅଭିଜ୍ଞତା ଆଣିବା ପାଇଁ ପୂର୍ବରୁ ଯେପରି କଂଗ୍ରେସର ସଂସଦୀୟ ବୋର୍ଡ ବରିଷ୍ଠ ନେତାମାନଙ୍କୁ ନେଇ ଥିଲା ଠିକ ସେହିପରି ମିଳିମିଶି ସମୂହ ଭାବରେ ନିଷ୍ପତି ନେବା ପ୍ରକ୍ରିୟା ଆରମ୍ଭ କରିବାକୁ ପଡ଼ିବ। ଶଶି ଥରୁର୍‌ଙ୍କ ଘଟଣା ଦଳ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।

ମୋ- ୮୦୧୮୦୯୪୪୫୫

Congress Rahul Gandhi Shashi Tharoor Pahalgam Operation Sindoor