- ସୂର୍ଯ୍ୟମଣି ମିଶ୍ର
ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇଛି। ଚାରି ରାଜ୍ୟରେ ବିଜେପି ସଫଳତା ପାଇଥିବା ବେଳେ ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି ଆଶାତୀତ ସଫଳତା ହାସଲ କରିଛି। ପଞ୍ଜାବରେ ମୋଟ ୧୧୭ ଆସନରୁ ଏକାକୀ ୯୨ ଆସନରେ ବିଜୟୀ ଆମ୍ ଆଦ୍ମୀ ପାର୍ଟି ସୁନ୍ଦର ପ୍ରଦର୍ଶନ କରିଛି। ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ପୁଣି ବିଜେପି ଆସିଛି। ଉତ୍ତରପ୍ରଦେଶରେ ଦ୍ୱିତୀୟଥର ପାଇଁ ବିଜେପି ବିଜୟୀ ହେବା ବିରୋଧୀ ଦଳଗୁଡ଼ିକୁ ଆଶ୍ଚର୍ଯ୍ୟ କରିଛି।
ଗତ କିଛିଦିନ ଧରି କେତେକ ରାଜନୀତି ବିଶ୍ଳେଷକ ପୂର୍ବାନୁମାନ କରିଥିଲେ ଯେ ବିଜେପି ଉତ୍ତରପ୍ରଦେଶରେ ପୁଣି ଫେରିବା କଷ୍ଟ। କିନ୍ତୁ ଏପରି ହେଲାନାହିଁ। ବିଜେପିର ଆସନ କମ ହୋଇଛି ସତ ଭୋଟ ହାର କିନ୍ତୁ ବଢ଼ିଛି। ଏହିଭଳି ଯେଉଁ ଲୋକମାନେ ଉତ୍ତରପ୍ରଦେଶ ଆଧାରରେ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ପୂର୍ବାନୁମାନ କରିଥିଲେ ଯେ ଆଉ କେନ୍ଦ୍ରରେ ବିଜେପି ନେତୃତ୍ୱରେ ସରକାର କରିପାରିବ ନାହିଁ ସେହି ଲୋକମାନେ ଏବେ ଚିନ୍ତାରେ।
୨୦୨୪ରେ ବିଜେପିକୁ ହଟାଇବା ସହଜ ନୁହେଁ। ବିଜେପି ବ୍ୟତୀତ ଅନ୍ୟ ଜାତୀୟ ଦଳକୁ ଉତ୍ତରପ୍ରଦେଶରେ ମାତ୍ର ୨ ପ୍ରତିଶତ ଭୋଟ ମିଳିଛି। ପଞ୍ଜାବରେ ଜାତୀୟ ଦଳକୁ ଯେଉଁ ଭୋଟ ମିଳିଛି, ତାହା ଚିନ୍ତା କରିବାର ପ୍ରସଙ୍ଗ ହୋଇଛି। ଗୋଆରେ ପୂର୍ବ ନିର୍ବାଚନଠାରୁ ଭୋଟ ହାର ଆହୁରି କମ୍। ଜାତୀୟ ଦଳ (କଂଗ୍ରେସ) ଅଧିକ ଦୁର୍ବଳ ହୋଇଛି। କିନ୍ତୁ ବିଜେପି ପରି ଏକମାତ୍ର ଜାତୀୟ ଦଳ ୪ ରାଜ୍ୟରେ ନିଜ ଉଦ୍ୟମରେ ବିଜୟ ହାସଲ କରିଛି। ପୂର୍ବଠାରୁ କଂଗ୍ରେସ ଆହୁରି ଦୁର୍ବଳ ହେବା ଜାତୀୟ ଦଳର ସ୍ଥିତିକୁ ନେଇ ବିତର୍କ ଆରମ୍ଭ ହୋଇଛି। ଯେଉଁ ସମୟରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଅବ୍ୟବସ୍ଥା, ଶୋଷଣ, କଷଣ ଏବଂ ଅତ୍ୟାଚାର ବଢ଼ିଛି, ସେହି ସମୟରେ ୫ ରାଜ୍ୟର ନିର୍ବାଚନୀ ଫଳାଫଳ ରାଜନୀତି ସମୀକ୍ଷକଙ୍କୁ ଚକିତ କରିଛି।
ପ୍ରଶ୍ନ ଉଠିଛି, କ’ଣ ଭାରତର ଗଣତନ୍ତ୍ର ଚୀନ୍ ଏବଂ ରୁଷ୍ର ଗଣତନ୍ତ୍ର ଭଳି ହୋଇଯିବ? କ’ଣ ସି ଜିନପିଙ୍ଗ୍ ଏବଂ ପୁଟିନ୍ଙ୍କ ଭଳି ମୋଦି ଆଜୀବନ ଭାରତର ଭାଗ୍ୟ ବିଧାତା ହୋଇ ରହିବେ? ଆମର ଗଣତନ୍ତ୍ରର ଅବସ୍ଥା କେଉଁଠି ପହଂଚିଛି? ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ସ୍ଥିର କରିଦେଇଛି ଆଗାମୀ ୨୦୨୪ରେ କ’ଣ ହେବ!
୨୦୨୫ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍)ର ଶତାବ୍ଦୀ ସମାରୋହ। କ’ଣ ଏହି ସମୟରେ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷିତ କରିଦିଆଯିବ? କିଛି ବି ହୋଇପାରେ?
ବିରୋଧୀ ଦଳର ବିଫଳତା ପାଇଁ ରାହୁଳ ଗାନ୍ଧିଙ୍କ ପରିବାର ଉପରେ କେବଳ ଦୋଷ ଦେବା ଅର୍ଥ ଦୋଷଦର୍ଶିୀ ହେବ। ଅନ୍ୟ ବିରୋଧୀ ଦଳଗୁଡ଼ିକର ଭୂମିକା କ’ଣ? ମୋର ମତ ହେଲା ରାହୁଳ, ତାଙ୍କ ମାଆ ସୋନିଆ, ତାଙ୍କ ଭଉଣୀ ପ୍ରିୟଙ୍କା ରାଜନୀତିରୁ ସନ୍ନ୍ୟାସ ନେଲେ କଂଗ୍ରେସ ପାଇଁ ଭଲ ହେବ ଏବଂ କଂଗ୍ରେସ ଦଳ ଶକ୍ତିଶାଳୀ ହେବ। ଅନ୍ୟ କଂଗ୍ରେସ ନେତା କଂଗ୍ରେସ ଦଳର ନେତୃତ୍ୱ ନେବା ଉଚିତ। ବିଜେପି ଏବଂ ଏହି ଦଳର ନେତା ଥରକୁ ଥର କଂଗ୍ରେସ ଉପରେ ପରିବାରବାଦର ଅଭିଯୋଗ କରିଆସିଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି କଂଗ୍ରେସ ଦଳର ସ୍ଥିତି ଯାହା, ଅନ୍ୟ କେହି କଂଗ୍ରେସ ନେତା ଦଳକୁ ଚଳେଇ ପାରିବେ ତ? ଗୋଟିଏ ଲମ୍ବା ସମୟ ଧରି ରାହୁଳ ଗାନ୍ଧିଙ୍କ ପରିବାର କଂଗ୍ରେସ ଦଳର ନେତୃତ୍ୱଠାରୁ ନିଜକୁ ପୃଥକ କରିଥିଲେ। ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ ୧୯୯୯ ଆରମ୍ଭ ଯାଏ ଦଳ ତଳକୁ ଖସିଯାଇଥିଲା। କିନ୍ତୁ ଏହା ପରେ ସୋନିଆ ଗାନ୍ଧି ଦଳକୁ ସମ୍ଭାଳି ଥିଲେ ଏବଂ ୨୦୦୪ରେ କଂଗ୍ରେସକୁ କ୍ଷମତାସୀନ କରିବାରେ ସଫଳ ହୋଇଥିଲେ। ଏ କଥା ଉପରେ ପ୍ରଧାନମନ୍ତ୍ରୀ ମୋଦି ଚର୍ଚ୍ଚା କରିପାରିବେ ନାହିଁ। କାରଣ ମୋଦିଙ୍କ ଲକ୍ଷ୍ୟ ହେଲା କଂଗ୍ରେସମୁକ୍ତ ଭାରତ।
ଦେଶରେ କମ୍ୟୁନିଷ୍ଟ ଦଳ ଅପ୍ରାସଙ୍ଗିକ କାହିଁକି ହୋଇଯାଉଛନ୍ତି? ଏହି ଦଳରେ ନା ପରିବାରବାଦ ଅଛି ନା ଅଯୋଗ୍ୟ ନେତୃତ୍ୱ? କେରଳ, ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ଆଜି ସିପିଏମ୍ କେଉଁଠି? ସିପିଏମ୍ ନେତାଙ୍କ ନାମରେ ତ କୌଣସି ଦୁର୍ନୀତିର ଅଭିଯୋଗ ନାହିଁ; ତେବେ ଏହି ଦଳ ଲୋକଙ୍କ ଭରସା ଜିତିପାରୁନାହିଁ କାହିଁକି? ବିଜେପି କ’ଣ ଏକା ପବିତ୍ର ଦଳ? ଏହି ଦଳ ତୁଳନାରେ କ’ଣ ଅନ୍ୟ ଦଳ ସବୁ ଭ୍ରଷ୍ଟ? କିନ୍ତୁ ବିଜେପିର ସ୍ଥିତି ବଳବତ୍ତର ରହିଛି। ଏଥିପାଇଁ ଯେ ଏହି ଦଳ ସହ ମଧ୍ୟମ ବର୍ଗ ରହିଛନ୍ତି। ଏହି ମଧ୍ୟମବର୍ଗ ପୂର୍ବରୁ କଂଗ୍ରେସ ସହ ଥିଲେ। ଏହି ମଧ୍ୟମ ବର୍ଗଙ୍କ ମଧ୍ୟରୁ କିଛି କଂଗ୍ରେସୀ, ସାମ୍ୟବାଦୀ ଏବଂ ସମାଜବାଦୀଙ୍କ ସହ ଜଡ଼ିତ। ଏହି ମଧ୍ୟମବର୍ଗ ଚତୁରତାର ସହ ହିନ୍ଦୁତ୍ୱ ବିଚାରଧାରା ଉପରେ ନିଜର ସହମତି ଦେଇଛନ୍ତି। ବିଜେପି ଏହି ରହସ୍ୟକୁ ବୁଝିଛି। ମଧ୍ୟମ ବର୍ଗଙ୍କ ନାଡ଼ି ଚିପିଛି। ହିନ୍ଦୁତ୍ୱ ବିଚାରଧାରାକୁ ନେଇ କେତେବେଳେ ମଧ୍ୟମବର୍ଗଙ୍କ ଚାପରେ କେତେବେଳେ ରାହୁଳ, କେତେବେଳେ ପ୍ରିୟଙ୍କା ଗାନ୍ଧି ପୂଜା ସ୍ଥଳକୁ ଯାଇ ମୁଣ୍ଡ ନୁଆଇଁଛନ୍ତି। ନିଜକୁ ହିନ୍ଦୁ ବୋଲି ଦାବି କରିଛନ୍ତି, ପଇତା ବି ଦେଖାଇଛନ୍ତି ରାହୁଳ, ମୁଣ୍ଡରେ ଚନ୍ଦନ-ତିଳକ ବି ବୋଳିଛନ୍ତି। ଏହି ପ୍ରତିଯୋଗିତାରେ ବିଜେପି ନେତାଙ୍କୁ ପଛକୁ ଠେଲିବା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି। ଏହା ବିଜେପି ଏବଂ ଏହି ଦଳର ହିନ୍ଦୁତ୍ୱବାଦୀ ଚେହେରା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ପାରିନାହିଁ।
ସମାଜବାଦୀ ବିଚାରଧାରାର କଥା କହୁଥିବା ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବିହାରରେ ରାଷ୍ଟ୍ରୀୟ ଜନତା ଦଳକୁ ଏବେ ସ୍ଥିର କରିବାକୁ ହେବ -ବର୍ତ୍ତମାନର କାର୍ଯ୍ୟ ଶୈଳୀକୁ ନେଇ କ’ଣ ବିଜେପି ସହ ଲଢ଼େଇ କରିପାରିବେ ନା ବିଜୟୀ ହୋଇ ପାରିବେ? ନା କେବେ ନୁହେଁ। ବିଚାରଧାରା କମ୍ ନାହିଁ। ହିନ୍ଦୁତ୍ୱଠାରୁ ଅଧିକ ଦୃଢ଼ ବିଚାରଧାରା କଂଗ୍ରେସ, କମ୍ୟୁନିଷ୍ଟ, ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ପାଖରେ ଅଛି। ସମାଜବାଦ ସହ ଭ୍ରାତୃତ୍ୱ ଭାବ ଏବଂ ବିଶ୍ୱ ପ୍ରତି ଏକ ବୈଜ୍ଞାନିକ ଦୃଷ୍ଟିକୋଣ ରହିଛି। କିନ୍ତୁ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଉପରେ ଆଖି ପକାଇଲେ ଗତ ଚାରି ଦଶନ୍ଧି ମଧ୍ୟରେ ଏହି ସମାଜବାଦୀ ବିଚାରଧାରା ଆଗକୁ ବଢ଼ି ପାରିନି। ଧର୍ମ ନିରପେକ୍ଷତା ନାମରେ ଅସାମାଜିକ ପ୍ରବୃତ୍ତିର ଲୋକଙ୍କୁ ଦଳ ଗୁରୁତ୍ୱ ଦେଇଛି। ଦଳର ନୈତିକତାକୁ ନେଇ ପ୍ରଶ୍ନ ଉଠିଛି।
ଆତ୍ମଚିନ୍ତନ, ଆତ୍ମସମୀକ୍ଷା ଓ ଆତ୍ମସଂସ୍କାର ବିନା ବିରୋଧୀ ଦଳ ଆଗକୁ ବଢ଼ିବା କଷ୍ଟ ଓ ବିଜେପିକୁ ମୁକାବିଲା କରିବା ଅସମ୍ଭବ। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର ଆସନ ସଂଖ୍ୟା ବଢ଼ିଛି। ୨୦୧୭ରେ ୪୭ ଆସନ ପାଇଥିବା ବେଳେ ୨୦୨୨ ନିର୍ବାଚନରେ ୧୧୨ ଆସନ ପାଇଛି। ଭୋଟ ହାର ୨୧ ପ୍ରତିଶତରୁ ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ସହଯୋଗୀ ଦଳର ଭୋଟ ହାରକୁ ମିଶାଇଲେ ଏହି ହାର ୩୮ ପ୍ରତିଶତ ହେବ। ୨୦୧୭ରେ ଭୋଟ ହାରର ବ୍ୟବଧାନ ୧୫ ପ୍ରତିଶତ ଥିବା ବେଳେ ଏବେ ଏହି ହାର ୪-୫ ପ୍ରତିଶତକୁ ଖସିଛି। ଏହା ସମ୍ଭବ ହେଲା ଅଖିଳେଶ ଯଦବଙ୍କ ପାଇଁ। ସେ ନିଜ ଦଳକୁ ପରିବାରବାଦରୁ ଆଂଶିକ ଭାବରେ ମୁକ୍ତ କରିଛନ୍ତି। ୫ ରାଜ୍ୟର ନିର୍ବାଚନ ଫଳାଫଳ ଶିକ୍ଷା ଦେଇଛି-ବିରୋଧୀ ଦଳଗୁଡ଼ିକୁ ଯେ ଆତ୍ମସମୀକ୍ଷା ଓ ଆତ୍ମ ସଂସ୍କାର କରିବା ଉଚିତ। ଗଣତନ୍ତ୍ର, ଜନାଦେଶ, ଧର୍ମତନ୍ତ୍ର, ଘୃଣାତନ୍ତ୍ର, ଧନତନ୍ତ୍ର ଓ ପ୍ରଚାର ତନ୍ତ୍ର ମଧ୍ୟରେ ଫରକ କ’ଣ, ଏହାକୁ ବୁଝିବାକୁ ହେବ ଏବଂ ଏ ସଂପର୍କରେ ବିତର୍କ ଆଜି ଦିନରେ ସବୁଠୁ ବଡ଼ ପ୍ରାସଙ୍ଗିକତା ବହନ କରିଛି।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଫୋନ୍: ୯୪୩୮୦୦୬୨୧୫