୬୫ ଥର ଭାଙ୍ଗିଛି କଂଗ୍ରେସ ଦଳ!

ସ୍ୱାଧୀନତା ପୂର୍ବରୁ ଚିତ୍ତରଂଜନ ଦାସ ଏବଂ ଜବାହରଲାଲ୍‌ ନେହେରୁଙ୍କ ବାପା ମୋତିଲାଲ ନେହେରୁ କଂଗ୍ରେସଠାରୁ ଅଲଗା ହୋଇ ସ୍ୱରାଜ ପାର୍ଟି ଗଠନ କରିଥିଲେ। ୧୯୨୫ରେ ଏହି ଦୁଇ ନେତା କଂଗ୍ରେସକୁ ଫେରି ନିଜେ ଗଢ଼ିଥିବା ଦଳକୁ କଂଗ୍ରେସରେ ମିଶାଇ ଦେଇଥିଲେ। ୧୯୩୯ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ କଂଗ୍ରେସ ଦଳର କିଛି ବଡ଼ ନେତାଙ୍କ ସହ ତାଙ୍କର ମତଭେଦ ଲାଗି ରହିଲା। ଫଳରେ ନେତାଜୀ ସୁଭାଷ କଂଗ୍ରେସ ଦଳ ଛାଡ଼ି ନିଜେ ଫରୱାର୍ଡ଼ ବ୍ଲକ ପାର୍ଟି ଗଠନ କରିଥିଲେ।

Present Symbol Of Congress Party

Present Symbol Of Congress Party

Debendra Prusty
  • Published: Monday, 15 May 2023
  • Updated: 15 May 2023, 04:45 PM IST

News Highlights

  • ସ୍ୱାଧୀନତା ପୂର୍ବରୁ ଜବାହରଲାଲ ନେହରୁଙ୍କ ବାପା ମୋତିଲାଲ ନେହରୁ କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିଲେ।
  • ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ କଂଗ୍ରେସ ଛାଡ଼ି ଫରୱାର୍ଡ଼ ବ୍ଲକ ଗଠନ କରିଥିଲେ।
  • ଓଡ଼ିଶାର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ନନ୍ଦିନୀ ଶତପଥୀ ମଧ୍ୟ କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିଲେ

Sports

Latest News

ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ହେବା ଦିନଠାରୁ ଆଜି ମଧ୍ୟରେ ପାଖାପାଖି ୬୫ ଥର ଭାଙ୍ଗି ପୁଣି ଯୋଡ଼ି ହୋଇଛି। ଅର୍ଥାତ୍‌ ବାରମ୍ବାର ଭାଙ୍ଗି ପୁଣି ଛିଡ଼ା ହୋଇଛି। ୧୮୮୫ରେ ଗଠନ ହୋଇଥିଲା କଂଗ୍ରେସ ଦଳ। ୧୯୨୩ରେ ପ୍ରଥମେ ଏହି ଦଳରୁ ପୃଥକ୍‌ ହୋଇ ଚିତ୍ତରଂଜନ ଦାସ ସ୍ୱରାଜ ପାର୍ଟି ଗଠନ କରିଥିଲେ। ୨୦୨୧ରେ କ୍ୟାପ୍ଟେନ୍‌ ଅମରେନ୍ଦ୍ର ସିଂହ ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିଲେ। ଏହା ମଧ୍ୟରେ ୬୫ ଥର କଂଗ୍ରେସ ଦଳର ନେତାମାନେ ପାର୍ଟିରୁ ପୃଥକ ହୋଇ ପୃଥକ ଦଳ ଗଠନ କରିଛନ୍ତି। କେତେକ ନେତା ପୁଣି ନିଜେ ଗଢିଥିବା ଦଳକୁ କଂଗ୍ରେସରେ ମିଶାଇ ଦେଇଛନ୍ତି।

୧୯୬୯ ଏବଂ ୭୮ରେ କଂଗ୍ରେସ ଦଳର ସର୍ବମାନ୍ୟ ସର୍ବୋଚ୍ଚ ନେତା ଇନ୍ଦିରା ଗାନ୍ଧିଙ୍କୁ ଦଳରୁ ବାହାର କରିଦେବା, ପରେ ଇନ୍ଦିରା ଗାନ୍ଧି ଯେଉଁ ଦଳ ଗଠନ କଲେ ସେହି ଦଳ ମୂଳ କଂଗ୍ରେସ ଭାବେ ଠିଆ ହୋଇଛି। ସ୍ୱାଧୀନତା ପୂର୍ବରୁ ଚିତ୍ତରଂଜନ ଦାସ ଏବଂ ଜବାହରଲାଲ୍‌ ନେହେରୁଙ୍କ ବାପା ମୋତିଲାଲ ନେହେରୁ କଂଗ୍ରେସଠାରୁ ଅଲଗା ହୋଇ ସ୍ୱରାଜ ପାର୍ଟି ଗଠନ କରିଥିଲେ। ୧୯୨୫ରେ ଏହି ଦୁଇ ନେତା କଂଗ୍ରେସକୁ ଫେରି ନିଜେ ଗଢ଼ିଥିବା ଦଳକୁ କଂଗ୍ରେସରେ ମିଶାଇ ଦେଇଥିଲେ। ୧୯୩୯ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ କଂଗ୍ରେସ ଦଳର କିଛି ବଡ଼ ନେତାଙ୍କ ସହ ତାଙ୍କର ମତଭେଦ ଲାଗି ରହିଲା। ଫଳରେ ନେତାଜୀ ସୁଭାଷ କଂଗ୍ରେସ ଦଳ ଛାଡ଼ି ନିଜେ ଫରୱାର୍ଡ଼ ବ୍ଲକ ପାର୍ଟି ଗଠନ କରିଥିଲେ। ଏହି ଦଳ ଏବେ ଦେଶର ଲେଫ୍ଟ ଫ୍ରଣ୍ଟରେ ଅଂଶୀଦାର ଭାବେ କାର୍ଯ୍ୟ କରୁଛି।

ସ୍ୱାଧୀନତା ପରେ ପ୍ରଥମ ସାଧାରଣ ନିର୍ବାଚନ ପୂର୍ବରୁ ୧୯୫୧ରେ କଂଗ୍ରେସର ବରିଷ୍ଠ ନେତା ଜିବତରାମ କୃପାଳିନୀ କଂଗ୍ରେସ ଛାଡ଼ି କିଷାନ ମଜଦୂର ପାର୍ଟି ଗଠନ କରିଥିଲେ। ୧୯୫୧ରେ ଟି. ପ୍ରକାଶମ୍‌ ଏବଂ ଏନ୍‌ଜି ରଙ୍ଗା ଗଠନ କରିଥିଲେ ହାଇଦ୍ରାବାଦ ଷ୍ଟେଟ୍‌ ପ୍ରଜାପାର୍ଟି। ଏହିପରି ଅନ୍ୟତମ କଂଗ୍ରେସ ନେତା ନରସିଂହ ଭାଇ ଖେଦୁତ ସଂଘ ନାମରେ ପୃଥକ୍‌ ଦଳ ଗଠନ କରିଥିଲେ। ହାଇଦ୍ରାବାଦ ଷ୍ଟେଟ୍‌ ପାର୍ଟି ପ୍ରଜାପାର୍ଟିରେ ମିଶିବା ପରେ ପ୍ରଜାପାର୍ଟିର ବିଲୟ ସୋସିଆଲିଷ୍ଟ୍‌ ପାର୍ଟିରେ ହୋଇଥିଲା। ଏହିପରି ଖେଦୁତ ସଂଘର ବିଲୟ ସ୍ୱତନ୍ତ୍ର ପାର୍ଟିରେ ହୋଇଥିଲା। ୧୯୫୬ରେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ୍‌ ସି. ରାଜଗୋପାଳଚାରୀ କଂଗ୍ରେସରୁ ପୃଥକ୍‌ ହୋଇ ଇଣ୍ଡିଆନ୍‌ ନ୍ୟାସନାଲ୍‌ ନାମରେ ଅନ୍ୟ ଏକ ପାର୍ଟି ଗଠନ କରିଥିଲେ। ସି. ରାଜଗୋପାଳଚାରୀ ଏବଂ ଏନ୍‌ଜି ରଙ୍ଗା ମିଶି ପୁଣି ୧୯୫୯ରେ ସ୍ୱତନ୍ତ୍ର ପାର୍ଟି ଗଠନ କରିଥିଲେ। ସ୍ୱତନ୍ତ୍ର ପାର୍ଟିର ପ୍ରଭାବ କ୍ଷେତ୍ର ଉତ୍ତର ଭାରତ ପରେ ୧୯୭୪ରେ ଏହାର ବିଲୟ ଚୌଧୁରୀ ଚରଣ ସିଂହଙ୍କ ଦଳ ଭାରତୀୟ କ୍ରାନ୍ତି ଦଳରେ ହୋଇଥିଲା। ୧୯୬୪ରେ କଂଗ୍ରେସଠୁ ପୃଥକ୍‌ ହୋଇ କେଟି ଜର୍ଜ କେରଳ କଂଗ୍ରେସ ଗଠନ କରିଥିଲେ। ଯେଉଁ ଦଳ ଏବେ କେରଳର କଂଗ୍ରେସ ଫ୍ରଣ୍ଟ ଅଂଶ ଭାବେ କାର୍ଯ୍ୟ କରୁଛି।

୧୯୬୬ରେ ଓଡ଼ିଶାର ବରିଷ୍ଠ ନେତା ହରେକୃଷ୍ଣ ମହତାବ କଂଗ୍ରେସଠାରୁ ପୃଥକ ହୋଇ ଜନ କଂଗ୍ରେସ ପାର୍ଟି ଗଠନ କରିଥିଲେ। ୧୨ ନଭେମ୍ବର ୧୯୬୯ରେ ଶ୍ରୀମତୀ ଇନ୍ଦିରା ଗାନ୍ଧି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ତାଙ୍କୁ କଂଗ୍ରେସରୁ ବାହାର କରିଦିଆଯାଇଥିଲା। ତାଙ୍କୁ ଯେଉଁ ନେତା କଂଗ୍ରେସ ଦଳରୁ ବାହାର କରିବାରେ ପ୍ରମୁଖ ଭୂମିକାରେ ଥିଲେ ସେ ହେଲେ କେ. କାମରାଜ ଏବଂ ମୋରାର୍‌ଜୀ ଦେଶାଇ। ସେହି କେ. କାମରାଜ ମୋରାର୍‌ଜୀ ଦେଶାଇଙ୍କୁ ପଛକୁ ଠେଲି ଲାଲ୍‌ବାହାଦୂର ଶାସ୍ତ୍ରୀଜୀଙ୍କ ମୃତ୍ୟୁ ପରେ ୧୯୬୭ରେ ଇନ୍ଦିରାଜୀଙ୍କୁ ନିଜ ଶକ୍ତି ଦ୍ୱାରା ପ୍ରଧାନମନ୍ତ୍ରୀ କରିଥିଲେ। ଏହି ସମୟ ଥିଲା କଂଗ୍ରେସ ଦଳ ପାଇଁ ବଡ଼ ବିଭାଜନର ସମୟ। ଏହି ସମୟରେ ଇନ୍ଦିରାଜୀ କଂଗ୍ରେସ (ଆଇ) ଗଠନ କରିଥିଲେ। ୧୯୬୯ରେ ବିଜୁ ପଟ୍ଟନାୟକ ଉକ୍ରଳ କଂଗ୍ରେସ ଗଠନ କରିଥିଲେ। ୧୯୭୧ରେ ପଶ୍ଚିମବଙ୍ଗର ସୁକୁମାର ରାୟ, ବିପ୍ଲବୀ ବାଂଲା କଂଗ୍ରେସ ଗଠନ କରିଥିଲେ। ଏହି ଦଳ ପରେ ବାମଦଳର ଅଂଶ ହୋଇ ବିଲୁପ୍ତ ହୋଇଯାଇଥିଲା।

୧୯୭୭ରେ ପ୍ରଥମ ଥର କଂଗ୍ରେସ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ଇନ୍ଦିରା ଗାନ୍ଧିଙ୍କୁ ଦାୟୀ କରାଯାଇଥିଲା। ୧୯୭୮ରେ ଦ୍ୱିତୀୟ ଥର ପାଇଁ ଇନ୍ଦିରା ଗାନ୍ଧିଙ୍କୁ ଦଳରୁ ବାହାର କଲା ପରେ ଇନ୍ଦିରା ଏହି ସମୟରେ କଂଗ୍ରେସ (ଆଇ) ଗଠନ କରିଥିଲେ। ସେହି ସମୟରେ ଅନ୍ୟ ଜଣେ ବରିଷ୍ଠ କଂଗ୍ରେସ ନେତା ବ୍ରହ୍ମାନନ୍ଦ ରେଡ୍ଡୀ ଆଉ ଏକ ଦଳ ଗଠନ କରିଥିଲେ। ୧୯୭୯, ୧୯୭୮, ୧୯୯୪ ଏବଂ ୧୯୯୯ରେ ଦଳରୁ କେତେକ ନେତା ବାହାରି ଯାଇ ନୂଆ ଦଳ ଗଠନ କରିଥିଲେ। ୧୯୮୮ରେ ଶିବାଜୀ ଗଣେଶନ୍‌ ତାମିଲନାଡୁ କଂଗ୍ରେସରୁ ଅଲଗା ହୋଇ ମୁକେପା ପାର୍ଟି ଗଠନ କରିଥିଲେ। ଏହି ଦଳ ପରେ ଜନତାଦଳରେ ବିଲୟ ହୋଇଥିଲା। ୧୯୯୦ରେ ବଂଶୀଲାଲ୍‌ କଂଗ୍ରେସରୁ ଅଲଗା ହୋଇ ହରିୟାଣା ବିକାଶ ପାର୍ଟି ଗଠନ କରିଥିଲେ। ୧୯୯୬ରେ ବଂଶୀଲାଲ୍‌ଙ୍କ ପୁଅ ଏହି ଦଳକୁ କଂଗ୍ରେସରେ ମିଶାଇ ଦେଇଥିଲେ। ୧୯୯୪ରେ ନରସିଂହ ରାଓଙ୍କୁ ବିରୋଧ କରି ଅର୍ଜୁନ ସିଂହ ଏବଂ ନାରାୟଣ ଦତ୍ତ ତିୱାରି ଅଲ୍‌ ଇଣ୍ଡିଆ ଇନ୍ଦିରା କଂଗ୍ରେସ ନାମରେ ଗୋଟିଏ ଦଳ ଗଠନ କରିଥିଲେ। ପରେ ଏହି ଦଳ କଂଗ୍ରେସରେ ମିଶିଯାଇଥିଲା। ୧୯୯୪ରେ ବାଙ୍ଗାରାପା କର୍ଣ୍ଣାଟକ କଂଗ୍ରେସ ପାର୍ଟି ଗଠନ କରିଥିଲେ। ପୁଣି ଏହି ଦଳ କଂଗ୍ରେସରେ ମିଶିଯାଇଥିଲା।

୧୯୯୪ରେ ବଜାପୁଡି ରାମମୂର୍ତ୍ତି କଂଗ୍ରେସରୁ ଅଲଗା ହୋଇ ତାମିଝାଗା ରବୀନ୍ଦ୍ର କଂଗ୍ରେସ ବୋଲି କଂଗ୍ରେସ ନାମରେ ଗୋଟିଏ ଦଳ ଗଠନ କରିଥିଲେ। ୧୯୯୬ରେ ପୁଣି ବାଙ୍ଗରାପା କଂଗ୍ରେସ ବିକାଶ ପାର୍ଟି ନାମରେ ନୂଆ ଦଳ ଗଠନ କରିଥିଲେ। ୧୯୯୬ରେ ଜିକେ ମୁପନ୍ନାର ତାମିଲ ମାନିଲା କଂଗ୍ରେସ ନାମରେ ଗୋଟିଏ ଦଳ ଗଠନ କରିଥିଲେ। ପରେ ଏହି ଦଳ ତାମିଲନାଡୁର ଡିଏମ୍‌କେ ସହ ମେଣ୍ଟ କରିଛି। ୨୦୧୪ରେ ମୁପାନ୍ନାରଙ୍କ ପୁଅ ଜି.କେ. ବାସନ ଏହି ନାମରେ ପାର୍ଟି ଗଠନ କରିଥିଲେ। ୧୯୯୬ରେ କଂଗ୍ରେସ ନେତା ମାଧବରାଓ ସିନ୍ଧିଆ ମଧ୍ୟପ୍ରଦେଶ ବିକାଶ ପାର୍ଟି ନାମରେ ଦଳ ଗଢ଼ିଥିଲେ। ପରେ ଏହି ଦଳ କଂଗ୍ରେସରେ ମିଶିଯାଇଥିଲା। ୧୯୭୭ରେ ବଜାପୁଟି ରାମମୂର୍ତ୍ତି ଦ୍ୱିତୀୟ ଥର ପାଇଁ କଂଗ୍ରେସରୁ ଅଲଗା ହୋଇ ତାମିଲନାଡୁ ମକ୍‌କଲ କଂଗ୍ରେସ ଗଠନ କରିଥିଲେ। ଏବେ ଏହି ଦଳର ଅସ୍ତିତ୍ୱ ନାହିଁ। ୧୯୯୭ରେ ପଣ୍ଡିତ ସୁଖରାମ ହିମାଚଳ ବିକାଶ କଂଗ୍ରେସ, ୧୯୯୭ରେ ମଣିପୁରରେ ନିପମଚା ସିଂହ ମଣିପୁର ଷ୍ଟେଟ୍‌ କଂଗ୍ରେସ ଗଠନ କରିଥିଲେ। ୧୯୯୮ରେ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ଦଳ ଗଠନ କରିଥିଲେ। ସେ ପ୍ରଥମେ ବିଜେପି ଓ ପରେ କଂଗ୍ରେସ ସହ ମେଣ୍ଟ କରିଥିଲେ। ଶରଦ ପାୱାର, ପି.କେ.ସାଙ୍ଗମାଓ ତାରିକ ଅନୱାର ୧୯୯୯ରେ ସୋନିଆ ଗାନ୍ଧିଙ୍କୁ ବିଦେଶିନୀ କହି ଦଳରୁ ଅଲଗା ହୋଇଥିଲେ।

୧୯୯୬, ୧୯୯୮, ୧୯୯୯ରେ ଦେଶରେ କଂଗ୍ରେସର ପ୍ରଦର୍ଶନ କ୍ରମାଗତ ହ୍ରାସ ପାଇଥିଲା। ୨୦୦୪ରେ ସୋନିଆ ଗାନ୍ଧି ସରକାରର ନେତୃତ୍ୱ ନେବାକୁ ଅସ୍ୱୀକାର କରି ପ୍ରଧାନମନ୍ତ୍ରୀ ପଦରେ ଡକ୍ଟର ମନମୋହନ ସିଂହଙ୍କୁ ବସାଇଥିଲେ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ୧୯୯୮ରେ ଫ୍ରାନ୍ସିସ ଡିସୁଜା କଂଗ୍ରେସରୁ ଅଲଗା ହୋଇ ଗୋଆ ରାଜୀବ କଂଗ୍ରେସ ଗଠନ କରିଥିଲେ। ଏହି ଦଳ ପରେ ଶରଦ ପାୱାରଙ୍କ ଏନ୍‌ସିପି ସହ ମିଶିଥିଲା। ୧୯୯୮ରେ ମୁକୁଟ ମିଠି କଂଗ୍ରେସରୁ ଅଲଗା ହୋଇ ଅରୁଣାଚଳ କଂଗ୍ରେସ ନାମରେ ଦଳ ଗଠନ କରିଥିଲେ। ୧୯୯୮ରେ ସିସରାମ ଓଲା କଂଗ୍ରେସ ଛାଡ଼ି ଅଲ ଇଣ୍ଡିଆ ଇନ୍ଦିରା କଂଗ୍ରେସ ଦଳ ଗଠନ କରିଥିଲେ। ୧୯୯୯ରେ ସୁରେଶ କାଲମାଡ଼ି କଂଗ୍ରେସ ଛାଡ଼ି ମହାରାଷ୍ଟ୍ର ବିକାଶ ଅଗାଡ଼ି ପାର୍ଟି ଗଠନ କରିଥିଲେ। ୧୯୯୯ ରେ କଂଗ୍ରେସରୁ ଅଲଗା ହୋଇ ମୁଫତି ମହମ୍ମଦ ସୟିଦ କାଶ୍ମୀରରେ ପିଡ଼ିପି ଦଳ ଗଠନ କରିଥିଲେ। ଏହି ଦଳ ଏବେ କାଶ୍ମୀରରେ ସକ୍ରିୟ ଅଛି। ୨୦୦୧ରେ ପି. ଚିଦାମ୍ବରମ୍‌ ଦଳରୁ ଅଲଗା ହୋଇ କଂଗ୍ରେସ ଜନନାୟକ ପିରାବାଇ ନାମରେ ଗୋଟିଏ ଦଳ ଗଢ଼ିଥିଲେ। ୨୦୦୧ରେ କୁମାର ଅନାଥନ୍‌ ଥଣ୍ଡର କଂଗ୍ରେସ ନାମରେ ଗୋଟିଏ ଦଳ ଗଢ଼ିଥିଲେ।

ବିଭିନ୍ନ ସମୟରେ ଛବିଳ ଦାସ ମେହେଟ୍ଟା, ପି. କାନନ୍‌, ସେକ୍‌ ହସନ୍‌, କେନେପିଆରିଓ, କେ କରୁଣାକରନ୍‌, ଚୌଧୁରୀ ଭଜନ ଲାଲ୍‌, ସୌମେନ୍ଦ୍ର ନାଥ ମିତ୍ରା, ଜଗମୋହନ ରେଡ୍ଡୀ, ଶ୍ରୀମତୀ ନନ୍ଦିନୀ ଶତପଥୀ, ଏନ୍‌.ରଙ୍ଗାସ୍ୱାମୀ, ଅଜିତ୍‌ ଯୋଗୀ, ବାବୁ ଜଗଜ୍ଜୀବନ ରାମ୍‌, ଏ.କେ. ଆଣ୍ଟୋନୀ, ଶରତ ଚନ୍ଦ୍ର ସିହ୍ନା, ପ୍ରଣବ ମୁଖାର୍ଜୀଙ୍କ ଭଳି ଅନେକ ନେତା କଂଗ୍ରେସରୁ ଅଲଗା ହୋଇ ନୂଆ ଦଳ ଗଠନ କରିଛନ୍ତି ଏବଂ ଦଳ ଦେଖିଛି ୬୫ ଥର ବିଭାଜନ।

କହିବା ଉଚିତ୍‌ ହେବ ଯେ, କଂଗ୍ରେସ ଦଳ ଗୋଟିଏ ବିଚାରର ଦଳ। ଏହି ଦଳର ବିଲୟ କେବଳ ଗୋଟିଏ ସ୍ଲୋଗାନ୍‌, ବାସ୍ତବତା ହେଉଛି ବିଚାରର ମୃତ୍ୟୁ ନଥାଏ କି ଦଳର। ବିଜେପି ଭଳି ଜାତୀୟ ଦଳ ମଧ୍ୟ ଗୋଟିଏ ବିଚାରର ଦଳ ଏବଂ କମ୍ୟୁନିଷ୍ଟ ପାର୍ଟିଗୁଡ଼ିକ ମଧ୍ୟ ବିଚାରର ଦଳ। ଏହି ଦଳ ଭାଙ୍ଗେ ପୁଣି ଛିଡ଼ା ହୁଏ।

ସୂର୍ଯ୍ୟମଣି ମିଶ୍ର, ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‌- ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos