Advertisment

ଜୈବ ବିବିଧତାର ସଂରକ୍ଷଣ ହିଁ ପରିବେଶ ସୁରକ୍ଷା

ଜୈବ ବିବିଧତାର ସଂରକ୍ଷଣ କରିବା ସହିତ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଜେନେଟିକ ବିବିଧତା ସଂରକ୍ଷଣ ପାଇଁ ଆମକୁ ପ୍ରକୃତି ସହିତ ବଂଚିବାକୁ ହେବ, ଏହାକୁ ନଷ୍ଟ କରି ନୁହେଁ।

author-image
Debendra Prusty
Jungle And Biodiversity

Jungle And Biodiversity

ପ୍ରକୃତିର ଶୋଭାରେ ପ୍ରଲୁବ୍ଧ ମଣିଷ ଏବେ ସ୍ୱାର୍ଥ ସର୍ବସ୍ୱ ନିଶାରେ ମସଗୁଲ। ପ୍ରକୃତି ସହ ମଣିଷର ସମ୍ପର୍କ ନିବିଡ଼। ଦିନ ଥିଲା ପ୍ରକୃତିର ନିନାଦିତ ସ୍ୱର ମଣିଷର ହୃଦୟକନ୍ଦରରେ ବଜାଉଥିଲା ନିର୍ମଳତାର ବୀଣାତନ୍ତ୍ର। ଆମ ପରିବେଶ, ଆମ ଜୀବନ ଥିଲା ସମସ୍ତଙ୍କର ଧ୍ୟେୟ ବାକ୍ୟ। ପରନ୍ତୁ ଏକବିଂଶ ଶତାବ୍ଦୀର ଶିଳ୍ପ ଭିତ୍ତିକ ସଭ୍ୟତା ପରିବେଶରେ ଆଣିଲା ନାହିଁ ନଥିବା ପରିବର୍ତ୍ତନ। ଚାଷଜମିରେ ସୃଷ୍ଟି ହେଲା ଶିଳ୍ପ ସଭ୍ୟତା। ସେଇ ସଭ୍ୟତାର ମୋହରେ ପଡ଼ି ପ୍ରକୃତିର ସରସ ସୁନ୍ଦର ରୂପକୁ ଜଳାଂଜଳି ଦେଇଦେଲା ଏ ମାନବ ସମାଜ। ନିଜର ବ୍ୟକ୍ତିଗତ ସ୍ୱାର୍ଥର ଚରିତାର୍ଥ କରିବାକୁ ପରିବେଶରେ ଭରିଦେଲା ପ୍ରଦୂଷଣର କଳା ବାଦଲ। ଯେଉଁ ପରିବେଶ ପାଇଁ ମଣିଷ ଦିନେ ଆତ୍ମହରା ହୋଇଉଠୁଥିଲା, ଆଜି ନିଜ ଅଜ୍ଞାତସାରରେ ତାହାର କରିବସୁଛି ଅନେକ କ୍ଷତି। ଶ୍ୟାମଳ ଜମିରେ ଯେଉଁଠାରେ ସୁବର୍ଣ୍ଣର ମାହୋଲ ଜମୁଥିଲା, ଆଜି ସେଠି ଯନ୍ତ୍ର ସଭ୍ୟତାର ଇମାରତ। ପରିବେଶର ପାରିପାର୍ଶ୍ୱିକ ସ୍ଥିତି ଏବେ ସଂଜ୍ଞାହୀନ ହେବାକୁ ବସିଲାଣି। ପ୍ରକୃତିକୁ ନେଇ ଏ ସମାଜ। ପ୍ରକୃତିର କରାଳ ରୂପକୁ ମାନବ ମୁହୂର୍ତ୍ତକ ପାଇଁ ମଧ୍ୟ ସହ୍ୟ କରିବା କଷ୍ଟକର ହୋଇପଡ଼େ। ଆଜି ଜୀବନ ଜୀଇଁବାର ପ୍ରତ୍ୟେକଟି ସୋପାନରେ କେବଳ ପ୍ରଦୂଷଣର ବିଷ। ତେବେ ଏସବୁଥିର ସମାଧାନ ମଣିଷ ଚାହିଁଲେ କରିପାରିବ। ସେ ହିଁ ସୃଷ୍ଟି କରିପାରିବ ପୁଣି ଥରେ ସବୁଜ ବନାନୀ। ପୁଣି ଥରେ ଗଢ଼ି ଉଠିବ ସବୁଜ ବାତାବରଣ। ପରିବେଶ ହେବ ସୌନ୍ଦର୍ଯ୍ୟମୟ, ନବୀନ ମନ୍ତ୍ରର ବାଣୀରେ ପୁଣିଥରେ ପ୍ରକମ୍ପିତ ହେବ ମାନବ ସମାଜ। ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଆମକୁ ସଚେତନ ହେବାକୁ ପଡ଼ିବ। ବିଶ୍ୱକୁ ସୁରଭିତ ଭାବେ ଗଢ଼ି ତୋଳିବାକୁ ସଂକଳ୍ପ ନେବାକୁ ହେବ। କେବଳ ପ୍ରତିବର୍ଷ ଜୁନ ମାସ ୫ ତାରିଖରେ ପାଳିତ ହେଉଥିବା ବିଶ୍ୱ ପରିବେଶ ଦିବସ ନୁହେଁ ବରଂ ପ୍ରତିଟି ଦିନ ଆମେ ପରିବେଶର ସୁରକ୍ଷା ପ୍ରତି ଯତ୍ନବାନ ହେବା ଜୁରରୀ। ତାହେଲେ ଯାଇ ଆମେ ବଂଚିବାର ପ୍ରକୃତ ରାହା ଖୋଜି ପାଇପାରିବା। ଯନ୍ତ୍ର ମାୟାରେ ପ୍ରଲୁବ୍ଧ ନହୋଇ ପ୍ରକୃତିର ପୂଜକ ସାଜିବା।

Advertisment

ମଣିଷ ନିଜର ଇପ୍ସିତ ଆଶାକୁ ପୂରଣ କରିବା ପାଇଁ ସବୁକିଛି ବଳି ଦେବାର ଉଦାହରଣ ସର୍ବତ୍ର ଦେଖିବାକୁ ମିଳେ। କାରଣ ମଣିଷ ଲୋଭର ବଶବର୍ତ୍ତୀ। ନିଜର ଲାଳସା ଉପରେ ମଣିଷର ଅକ୍ତିଆର ନାହିଁ। ବିଜ୍ଞାନର ବଳରେ ବଳୀୟାନ ଏହି ମାନବ ସମାଜ ଏବେ କ୍ଷଣିକ ସମୟରେ ସୃଷ୍ଟି କରିପାରୁଛି ପ୍ରଦୂଷଣର ବିଷମଂଜି। ଯେଉଁ ପରିବେଶ ଦିନେ ଶସ୍ୟଶ୍ୟାମଳା ଥିଲା ଆଜି ସେଠି କାରଖାନାର ମଂଚ। କେଉଁଠି ଛୋଟ କାରଖାନା ତ କେଉଁଠି ବଡ଼ ବଡ଼ ମିଲ୍। ବିକାଶିତ ଦେଶମାନଙ୍କରେ ତ ଏମାନଙ୍କ ସଂଖ୍ୟା ଖୁବ ଅଧିକ। ଦୃତ ଶିଳ୍ପାୟନର ପ୍ରଭାବ ଯୋଗୁଁ ବାୟୁରେ ଅମ୍ଳଜାନର ପରିମାଣ କମିବାରେ ଲାଗିଛି। କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ମଣିଷ ବ୍ୟବହାର କରୁଛି ବିଭିନ୍ନ ରାସାୟନିକ ବିଷ। ଏହା ଯୋଗୁଁ ବାୟୁମଣ୍ଡଳ ନଷ୍ଟ ହେବା ସହ ରାସାୟନିକ ସାରର ପ୍ରୟୋଗରେ ମୃତ୍ତିକାର ଉର୍ବରତା ବି ନଷ୍ଟ ହେଉଛି। ବିବେକହୀନ ମଣିଷ ପାଇଁ ଆଜି ଧ୍ୱଂସ ହେଉଛି ପୃଥିବୀ। ପରିବେଶର ମାନର ହ୍ରାସ ଘଟୁଛି। ବିଭିନ୍ନ ପୂଜାପର୍ବରେ ଡାକବାଜି ଯନ୍ତ୍ରର ଚାହିଦା ଯୋଗୁଁ ଅନେକ ଶବ୍ଦ ପ୍ରଦୂଷଣ ବି ହେଉଛି।

ଜୈବସନ୍ତୁଳନ ନଷ୍ଟ : ଜଳଭାଗ ଓ ସ୍ଥଳଭାଗରେ ବିଭିନ୍ନ ପ୍ରକାର ସଜୀବ ବାସ କରନ୍ତି। କୀଟ, ପତଙ୍ଗ, ଗଛ, ଗାଈଗୋରୁ ପ୍ରମୁଖ ସ୍ଥଳ ଭାଗରେ ଥିବା ସମୟରେ ମାଛ, ଜଳଜ ଉଦ୍ଭିଦ ପରି କେତେକ ମୁଖ୍ୟତଃ ଜଳ ଭାଗରେ ବସବାସ କରନ୍ତି। ଏହି ସ୍ଥଳ ଭାଗରେ ଥିବା ଜୈବସନ୍ତୁଳନ ମୁଖ୍ୟତଃ ଜଙ୍ଗଲ ପୋଡି, ଗାଈଗୋରୁମାନଙ୍କ ଅତ୍ୟଧିକ ଚରାଚର ପ୍ରବୃତ୍ତି, ଜଙ୍ଗଲ କ୍ଷୟ ପ୍ରଭୁତି ଯୋଗୁଁ ନଷ୍ଟ ହେବାରେ ଲାଗିଛି।

Advertisment

ଏଥିସହ ବନ୍ୟପ୍ରାଣୀମାନେ ନିଜ ବାସସ୍ଥଳୀ ହରାଇବା ସହିତ ବାସହରା ହୋଇଯାଇଛନ୍ତି। ଏହାର ପ୍ରମୁଖ କାରଣ ହେଲା ସହରାୟନ ଓ ଶିଳ୍ପାୟନ। ଏଥିସହ କୃଷିକାର୍ଯ୍ୟ ସମ୍ପାଦନ ପାଇଁ ମଧ୍ୟ ଜଙ୍ଗଲ କଟାଯାଉଛି। ଫଳରେ ବନ୍ୟପ୍ରାଣୀମାନେ ବାସହରା ହୋଇଯାଛନ୍ତି। ବନ୍ୟପ୍ରାଣୀମାନେ ଏହି ଲୋଭପିପାସୁ ମଣିଷମାନଙ୍କ ପାଇଁ ବିଲୁପ୍ତ ହେବାରେ ଲାଗିଛନ୍ତି। ଜଙ୍ଗଲକ୍ଷୟ ଯୋଗୁଁ ପରିବେଶ ସନ୍ତୁଳନ ନଷ୍ଟ ପ୍ରାୟ।

ଏବେ ଏକ ପ୍ରଶ୍ନ। ଯେଉଁମାନେ ଜୈବ ବିବିଧତା ନଷ୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି, ସେମାନେ କଣ ଏହାକୁ ସୁରକ୍ଷା ଦେଇପାରିବେ? ଉତ୍ତର ହେବ ହଁ। ମାନବ ସମାଜ ଯଦି ଜୀବନଶୈଳୀ ପରିବର୍ତ୍ତନ କରେ, ଅଳ୍ପରେ ସନ୍ତୁଷ୍ଟ ହୁଏ, ଆବଶ୍ୟକତାଠାରୁ ଅଧିକ ଉପଭୋଗ ନକରେ, ପ୍ରକୃତି ଓ ପରିବେଶର କ୍ଷତି ନକରି ସାମୂହିକ ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଏ ତେବେ ଏହା ସମ୍ଭବ। ଜୈବ ବିବିଧତାର ସଂରକ୍ଷଣ କରିବା ସହିତ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଜେନେଟିକ ବିବିଧତା ସଂରକ୍ଷଣ ପାଇଁ ଆମକୁ ପ୍ରକୃତି ସହିତ ବଂଚିବାକୁ ହେବ, ଏହାକୁ ନଷ୍ଟ କରି ନୁହେଁ।

ଡି ଶୁଭମ୍, ବାସୁଦେବପୁର, ଭଦ୍ରକ

ମୋ - ୯୪୩୮୪୬୭୦୭୯

Healthy Environment Human Development Bio Diversity