Advertisment

ସମ୍ବିଧାନ ଓ ସଂରକ୍ଷଣ

ଓଡ଼ିଶାରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତି ଭାବରେ ଜଣେ ଆଦିବାସୀ ମହିଳା ଥିଲେ ମଧ୍ୟ ଏହି ଶ୍ରେଣୀର ଲୋକମାନେ ବଡ଼ ବଡ଼ ପଦବୀଗୁଡ଼ିକରେ ସଂରକ୍ଷଣ ଭିତ୍ତିରେ ଯେଉଁସବୁ ସ୍ଥାନ ଦଖଲ କରିବା କଥା ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ।

author-image
Rabi Das
constitution

Constitution Of India Photograph: (Internet)

ରବି ଦାସ 

ଗତ ନଭେମ୍ବର ୨୬ ତାରିଖ ଦିନ ଦେଶରେ ସମ୍ବିଧାନ ଦିବସ ପାଳିତ ହୋଇଛି। ସମ୍ବିଧାନର ସୁରକ୍ଷା ପାଇଁ ରାଷ୍ଟ୍ରପତି ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ତାଙ୍କ ସରକାର କ୍ଷମତାସୀନ ହେଲା ପରେ ୨୦୧୫ରୁ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତି ନେଇଥିଲେ। ଅର୍ଥାତ୍ ଯେଉଁମାନେ ଦେଶର ସମ୍ବିଧାନ ପ୍ରଣୟନ କଲେ ସେମାନେ ଯେତେବେଳେ ଶାସନ ଦାୟିତ୍ୱରେ ଥିଲେ ସେତେବେଳେ ସମ୍ବିଧାନ ଦିବସ ପାଳନର ଆବଶ୍ୟକତା ଉପଲବ୍ଧି କରୁନଥିଲେ। ଅବଶ୍ୟ ଏହି ଦିନଟି ୨୦୧୫ ପୂର୍ବରୁ ଆଇନ ଦିବସ ଭାବେ ପାଳିତ ହେଉଥିଲା।

Advertisment

ଭାରତୀୟ ସମ୍ବିଧାନର ମୁଖ୍ୟପ୍ରଣେତା ଭାବରେ ଡକ୍ଟର୍ ଭୀମରାଓ ଆମ୍ବେଦକରଙ୍କୁ ବିଚାର କରାଯାଉଥିଲେ ମଧ୍ୟ ସେହି ସମୟରେ ସମ୍ବିଧାନ ପ୍ରଣୟନ ସଭାରେ ଯେଉଁମାନେ ସଦସ୍ୟ ଥିଲେ ସେମାନେ ସବୁ ଦୃଷ୍ଟିରୁ ବିଭିନ୍ନ ଦୃଷ୍ଟିରୁ ଅତ୍ୟନ୍ତ ବିଜ୍ଞ ବ୍ୟକ୍ତିବିଶେଷ ଥିଲେ। କିନ୍ତୁ ଏହି ସମ୍ବିଧାନ ସଭାରେ ସରକାରୀ ଦଳ ଭାବରେ କଂଗ୍ରେସ ଦଳର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିଲା। ତଥାପି ସମ୍ବିଧାନ ସଭାରେ ବିଭିନ୍ନ ବିଷୟରେ ଆଲୋଚନା ସମୟରେ କୌଣସି ହ୍ୱିପ୍ ବ୍ୟବସ୍ଥା ନଥିଲା। ତେଣୁ ସେତେବେଳେ ସେହି ସଭାର ଏକପ୍ରକାର ନେତୃତ୍ୱ ନେଉଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର୍‌ଲାଲ୍ ନେହେରୁ ଓ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡକ୍ଟର୍ ଭୀମରାଓ ଆମ୍ବେଦକରଙ୍କ ସମ୍ବିଧାନର ବିଭିନ୍ନ ବ୍ୟବସ୍ଥାକୁ ଗୃହୀତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। 

ଯଦିଓ କଂଗ୍ରେସ ଭିତରେ ମୌଳବାଦୀ ଚିନ୍ତାଧାରାର ବହୁସଂଖ୍ୟକ ନେତା ଥିଲେ, ତଥାପି ସେମାନେ ସମତାସମ୍ପନ୍ନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ, ସମ୍ମତାଭିତିକ ସମାଜ ସହିତ ସଂଘୀୟ ବ୍ୟବସ୍ଥାକୁ ଗ୍ରହଣ କଲେ। କେବଳ ସେତିକି ନୁହେଁ ଭାରତୀୟ ବ୍ୟବସ୍ଥାରେ ସବୁ ଧର୍ମକୁ ସମାନ ସୁବିଧା ଓ ସୁଯୋଗ ମିଳିବାର ବ୍ୟବସ୍ଥା ମଧ୍ୟ ମୌଳିକ ଧାରାରେ ସାମିଲ କଲେ। ଡକ୍ଟର୍ ଭୀମରାଓ ଆମ୍ବେଦକର ଯିଏକି ଜୀବନବ୍ୟାପୀ ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଥିଲେ ସେ ଏମାନଙ୍କୁ ସମାନ ଅଧିକାର ଦେବା ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ମୌଳିକ ଅଧିକାରରେ ସାମିଲ କରିଥିଲେ। ଏହି ବର୍ଗର ଲୋକମାନେ ସରକାରୀ ଶିକ୍ଷା ବିନା ମୂଲ୍ୟରେ କିପରି ପାଇପାରିବେ ଓ ସରକାରୀ ଚାକିରୀରେ ସେମାନଙ୍କର ସ୍ଥାନ ସଂରକ୍ଷଣ କିପରି ବଳବତ୍ତର ରହିବ ସେଥିପାଇଁ ବ୍ୟବସ୍ଥା କରିଥିଲେ। 

Advertisment

ବାସ୍ତବିକ ଏହି ଉଦ୍ୟମ ଯୋଗୁ ଏହି ବର୍ଗର ଯେଉଁମାନେ ସରକାରୀ ଶିକ୍ଷା ଲାଭ କଲେ ଓ ସରକାରୀ ଚାକିରୀର ସୁବିଧା ପାଇଲେ ସେମାନଙ୍କ ଜରିଆରେ ଏହି ବର୍ଗ ଭିତରେ ଏକ ମଧ୍ୟବିତ୍ତ ଚେତନାଦାୟକ ଶ୍ରେଣୀ ସୃଷ୍ଟି ହେଲା। ସେହିକ୍ରମରେ ଦେଖିଲେ ମଣ୍ଡଳ କମିଶନ୍‌ଙ୍କ ସୁପାରିଶକୁ କାର୍ଯ୍ୟକାରୀ କରି ଭି.ପି ସିଂହଙ୍କ ସରକାର ପଛୁଆବର୍ଗ ପାଇଁ ସରକାରୀ ଚାକିରୀ ଓ ଶିକ୍ଷାରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କଲେ ତାହା ଫଳରେ ଗତ ୩୫ ବର୍ଷ ଭିତରେ ଏହି ବର୍ଗରେ ଏକ ପ୍ରଭାବଶାଳୀ ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି ହୋଇଛି। ତଥାପି ଏହି ବର୍ଗରେ ଏବେ ବି ଅନେକ ଅତି ପଛୁଆବର୍ଗ ରହିଛନ୍ତି, ଯେଉଁମାନଙ୍କ ପାଖରେ ଶିକ୍ଷା ଓ ସରକାରୀ ଚାକିରୀ ଅପହଂଚ ହୋଇରହିଛି। ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ଉଚ୍ଚବର୍ଗର ଗରିବ ଲୋକମାନଙ୍କ ପାଇଁ ସମ୍ବିଧାନ ସଂଶୋଧନ ଜରିଆରେ ଏକ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। 

କିନ୍ତୁ ପଛୁଆବର୍ଗର ଲୋକସଂଖ୍ୟା ଦେଶରେ ଶତକଡ଼ା ୫୦ ଭାଗରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଏମାନଙ୍କ ପାଇଁ ସଂରକ୍ଷଣ ସୁବିଧା ସୁପ୍ରିମ୍‌କୋର୍ଟର ରାୟ ଫଳରେ ସଂକୁଚିତ କରିଦିଆଯାଇଛି। ସୁପ୍ରିମ୍‌କୋର୍ଟର ରାୟ ଅନୁସାରେ ମୋଟ ସଂରକ୍ଷଣ କେବେ ହେଲେ ବି ୫୦ ଭାଗକୁ ଟପି ପାରିବନାହିଁ ବୋଲି କୁହାଯାଇଛି। ଭାରତର ଅନୁସୂଚିତ ଜାତି ଓ ଜନଜାତି ସେମାନଙ୍କ ଲୋକସଂଖ୍ୟା ଅନୁସାରେ ସଂରକ୍ଷଣ ପାଇବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ଥିବାରୁ ସେମାନଙ୍କର ମୋଟ ସଂରକ୍ଷଣ ପରେ ପଛୁଆବର୍ଗ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ କରାଯାଇଛି। ଓଡ଼ିଶା ପରି ଯେଉଁ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ଲୋକସଂଖ୍ୟା ଶତକଡ଼ା ୩୮ ଭାଗ ଉପରେ ରହିଛି, ସେହି ରାଜ୍ୟରେ ପଛୁଆବର୍ଗ ପାଇଁ ସ୍ଥାନ ସଂରକ୍ଷଣ ୧୧ ଭାଗକୁ ଖସିଯାଇଛି। ଯାହା ସେମାନଙ୍କ ପାଇଁ ଘୋର ଅନ୍ୟାୟ ଭାବରେ ଦେଖାଯାଉଛି। ଏହି ବର୍ଗ ପାଇଁ ନିର୍ଦ୍ଦିଷ୍ଟ ଆୟ ସୀମା ଭିତରେ ଏହି ସଂରକ୍ଷଣ ସୁବିଧା ମିଳିବାର ଯେଉଁ ବ୍ୟବସ୍ଥା ରହିଛି ତାହା ଉଚ୍ଚବର୍ଗର ଗରିବ ଲୋକଙ୍କ ପାଇଁ ସଂରକ୍ଷିତ ବ୍ୟବସ୍ଥାରେ ମଧ୍ୟ ସେତିକି ଆୟସୀମା ରଖାଯାଇଛି। ଅର୍ଥାତ୍ ସାମାଜିକ ଦୁର୍ବଳ ଶ୍ରେଣୀ ନିମନ୍ତେ ଥିବା ବ୍ୟବସ୍ଥାକୁ ଏଥିରେ ଗୁରୁତ୍ୱ ଦିଆଯାଇନାହିଁ। 

ଏହି ପରିପ୍ରେକ୍ଷୀରେ ଓଡ଼ିଶା ପରି ଯେଉଁ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ସଂଖ୍ୟା ଅଧିକ ସେଠାରେ ପଛୁଆବର୍ଗ ପାଇଁ ସ୍ଥାନ ପୂରାପୂରି ସଂକୁଚିତ ହୋଇଯାଇଥିବା ସମୟରେ ଏହି ପଛୁଆବର୍ଗରେ କିପରି ଅଧିକ ଲୋକଙ୍କୁ, ଯେଉଁମାନେ କି ସାମାଜିକ ଦୃଷ୍ଟିରୁ ସେତେ ଦୁର୍ବଳ ନୁହଁନ୍ତି ସେମାନଙ୍କୁ ଭର୍ତି କରିବାର ଉଦ୍ୟମ ଚାଲିଛି। ନିକଟରେ ପଛୁଆବର୍ଗ କମିଶନ୍ ଓଡ଼ିଶା ଆସିଥିବା ସମୟରେ ଏହି ଦାବି ଉପସ୍ଥାପିତ ହୋଇଛି। 

ଅସଲକଥା ହେଉଛି, ଯେଉଁଭଳି ଭାବରେ ଡକ୍ଟର୍ ଆମ୍ବେଦକରଙ୍କର ଉଦ୍ୟମ ଫଳରେ ଓ ସମ୍ବିଧାନର ସଂରକ୍ଷଣ ବ୍ୟବସ୍ଥା ଯୋଗୁ ଦେଶରେ ସବୁଠାରୁ ବିଭିନ୍ନ ଦୃଷ୍ଟିରୁ ଶୋଷିତ ଓ ନିଷ୍ପେସିତ ହୋଇଥିବା ଶ୍ରେଣୀ ଭିତରେ ଏକ ସଚେତନ ମଧ୍ୟବୀତ ଶ୍ରେଣୀ ସୃଷ୍ଟି ହେଲା, ସେହି ଉଦ୍ୟମ ପଛୁଆବର୍ଗ ଓ ଅତି ପଛୁଆବର୍ଗଙ୍କ ପାଇଁ କରିବାର ଆବଶ୍ୟକତା ମଧ୍ୟ ରହିଛି। ଯଦିଓ ସରକାରୀ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଅନୁଯାୟୀ ଏବେ ବେସରକାରୀ ସ୍କୁଲ୍ ଓ ବିଶ୍ୱବିଦ୍ୟାଳୟ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରୀ ବିଦ୍ୟାଳୟଗୁଡ଼ିକର ମାନ ହ୍ରାସ ଘଟିବା ଫଳରେ ଘରୋଇ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପ୍ରତି ଆକର୍ଷଣ ମଧ୍ୟ ବଢୁଛି। ସରକାରୀ ଶିକ୍ଷା ପାଇଁ ଅନୁସୂଚିତ ଜାତି ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ପିଏଚ୍‌ଡ଼ି ଶିକ୍ଷା ପାଇଁ ଯେଉଁସବୁ ସ୍କଲାର୍‌ସିପ୍ ମିଳୁଥିଲା ତାହା ସଂପ୍ରସାରିତ ହେବା ବଦଳରେ କମାଇ ଦିଆଯାଉଛି। ଫଳରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହି ବର୍ଗର ଯେଉଁମାନେ ଶିକ୍ଷା ପାଉଛନ୍ତି ସେମାନଙ୍କ ନିକଟରେ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା କଲାଭଳି ସୁବିଧା ରହୁନାହିଁ। ସେଥିପାଇଁ ଅନେକ ଉଚ୍ଚ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ଏହି ସାମାଜିକ ଦ୍ୱନ୍ଦ ଗ୍ରାସ କରୁଥିବାରୁ ଏହି ବର୍ଗର ଅନେକ ପିଲା ସାମାଜିକ ଓ ଆର୍ଥୀକ ଅସମାନତାକୁ ସହ୍ୟ ନକରିପାରି ଆତ୍ମହତ୍ୟା ମଧ୍ୟ କରୁଛନ୍ତି। 

ଯଦିଓ ଏହା ସମସ୍ତଙ୍କୁ ଜଣା ଯେ, ଡକ୍ଟର୍ ଭୀମରାଓ ଆମ୍ବେଦକର ଯଦି ବିଦେଶୀ ଶିକ୍ଷା ପାଇନଥାନ୍ତେ ତେବେ ସେ ଭାରତବର୍ଷର ଜଣେ ବିଜ୍ଞ ବ୍ୟକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରି ଏହି ଶ୍ରେଣୀ ପାଇଁ ଲଢ଼ି ଶେଷରେ ଭାରତୀୟ ସମ୍ବିଧାନର ପ୍ରଣେତା ହୋଇପାରିନଥାନ୍ତେ। କାରଣ ତାଙ୍କର ବିଜ୍ଞତା ଯୋଗୁ ସେହି ଦାୟିତ୍ୱ ତାଙ୍କୁ ପ୍ରଦାନ ଦିଗରେ ସେତେବେଳେ କେହି ବି ବିରୋଧ କରିପାରିନଥିଲେ। ଏହିକ୍ରମରେ ଦେଖିଲେ ଓଡ଼ିଶାରେ ମୋହନ ମାଝୀଙ୍କ ସରକାରର ବିଦେଶ ଶିକ୍ଷାବୃତ୍ତି ପାଇଁ ଆରମ୍ଭ କରିଥିବା ଯୋଜନା ସ୍ୱାଗତଯୋଗ୍ୟ। ଏହି ଯୋଜନା ସମ୍ପର୍କରେ ଉଚ୍ଚ ଶିକ୍ଷାବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଅନୁସୂଚିତ ଜାତି ଓ ଜନଜାତି ପରିବାରର ଯେଉଁମାନଙ୍କର ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କା ଠାରୁ କମ୍ ସେହି ପରିବାରର ମେଧାବୀ ଛାତ୍ରମାନେ ଏହି ବୃତ୍ତି ପାଇବେ। ପ୍ରତିବର୍ଷ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ। ବିଶ୍ୱର କ୍ୱିଏସ ରାଙ୍କିଂରେ ସ୍ଥାନ ପାଇଥିବା ୨୦୦ଟି ଶିକ୍ଷକଙ୍କ ସ୍ଥାନରେ ବିଦେଶ ଶିକ୍ଷା ବୃତ୍ତିରେ ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କୁ ପୋଷ୍ଟ୍ ଗ୍ରାଜୁଏଟ୍ ଓ ପିଏଚ୍‌ଡି ପାଠ୍ୟକ୍ରମ ପାଇଁ ନାମ ଲେଖାଇବା ନିମନ୍ତେ ଏହି ବୃତ୍ତି ଦିଆଯିବ। 

ଓଡ଼ିଶା ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରଫେସର୍ ଓ ଆସିଷ୍ଟାଂଟ ପ୍ରଫେସର୍ ପ୍ରଭୃତି ବହୁ ପଦପଦବୀ ଖାଲି ଅଛି। ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀମାନେ ସେମାନଙ୍କ ସ୍ଥାନରେ ଆସିବାକୁ ହେଲେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ ଏହିସବୁ ପଦବୀ ପାଇଁ ଯେଉଁ ଯୋଗ୍ୟତା ଦର୍ଶାଇଛନ୍ତି, ସେହି ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀମାନଙ୍କର ଯୋଗ୍ୟତା ହେଉନଥିବାରୁ ସେହିସବୁ ସ୍ଥାନଗୁଡ଼ିକରେ ଏମାନଙ୍କୁ ନିଯୁକ୍ତି ଦିଆଯାଇପାରୁନାହିଁ। ସେହି ଦୃଷ୍ଟିରୁ ଦେଖିଲେ ଓଡ଼ିଶା ସରକାର ବିଦେଶରେ ଏହି ଶ୍ରେଣୀର ଛାତ୍ରଛାତ୍ରୀମାନେ ପୋଷ୍ଟଗ୍ରାଜୁଏଟ୍ ଓ ପିଏଚ୍‌ଡି କରିବା ପାଇଁ ବୃତ୍ତି ପ୍ରଦାନ କରିବା ଏକ ପ୍ରଶଂସନୀୟ ଉଦ୍ୟମ ଭାବରେ ବିବେଚିତ ହେବ। 

ଓଡ଼ିଶାରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତି ଭାବରେ ଜଣେ ଆଦିବାସୀ ମହିଳା ଥିଲେ ମଧ୍ୟ ଏହି ଶ୍ରେଣୀର ଲୋକମାନେ ବଡ଼ ବଡ଼ ପଦବୀଗୁଡ଼ିକରେ ସଂରକ୍ଷଣ ଭିତ୍ତିରେ ଯେଉଁସବୁ ସ୍ଥାନ ଦଖଲ କରିବା କଥା ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ। ଏପରିକି ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନେ ପ୍ରଶାସନରେ ଓ ପୋଲିସ୍ ବିଭାଗରେ ସର୍ବୋଚ୍ଚ ସ୍ଥାନ ପାଇବା ଏପର୍ଯ୍ୟନ୍ତ ବି ସମ୍ଭବ ହୋଇନାହିଁ। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜି ପାହ୍ୟାରେ ଅନୁସୂଚିତ ଜାତି ଓ ଜନଜାତିର ଲୋକମାନେ ସ୍ଥାପିତ ହେବାପାଇଁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତାକୁ ଗୁରୁତ୍ୱ ପ୍ରଦାନ କରିବା ଅତ୍ୟନ୍ତ ଆବଶ୍ୟକ। 

୨୦୨୪ ଲୋକସଭା ନିର୍ବାଚନ ସମୟରେ ବିରୋଧୀ ପକ୍ଷର ଏକ ମୁଖ୍ୟ ସ୍ଳୋଗାନ ଥିଲା ଯେ, ବିଜେପି ସଂସଦରେ ୪୦୦ ଆସନ ପାଇଁ ଯେଉଁ ଆହ୍ୱାନ ଦେଇଛି ତାହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି, ସମ୍ବିଧାନ ସଂଶୋଧନ ପାଇଁ ସେମାନଙ୍କୁ ସଂସଦରେ ଯଥେଷ୍ଟ ସଂଖ୍ୟା ଆବଶ୍ୟକ। ଏମାନେ ଏହି ସୁବିଧା ପାଇଲେ ସମ୍ବିଧାନ ସଂଶୋଧନ କରି ସଂରକ୍ଷଣ ବ୍ୟବସ୍ଥାକୁ ହଟାଇଦେବେ ଓ ତା’ ସହିତ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବେ। ବାସ୍ତବିକ ବିରୋଧୀ ଦଳମାନଙ୍କର ଏହି ସମ୍ବିଧାନ ସଂଶୋଧନ ସହିତ ସଂରକ୍ଷଣ ବ୍ୟବସ୍ଥା ହଟାଇ ଦିଆଯିବାର ଯେଉଁ ଆଶଙ୍କା ସୃଷ୍ଟି କରାଗଲା ତାହା ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁମାନଙ୍କ ଭିତରେ ଏକଜୁଟ ହେବା ପାଇଁ ପ୍ରେରଣା ଯୋଗାଇଲା। 

ବାସ୍ତବିକ ପୂରାମାତ୍ରାରେ ନହେଲେ ମଧ୍ୟ ସମ୍ବିଧାନ ସଂଶୋଧନ ଜରିଆରେ ସଂରକ୍ଷଣ ବ୍ୟବସ୍ଥାକୁ ଲୋପ କରିଦିଆଯିବ ଓ ଭାରତ ହିନ୍ଦୁ ରାଷ୍ଟ୍ରରେ ବା ମନୁବାଦୀ ବ୍ୟବସ୍ଥାରେ ପରିଣତ ହେବ ବୋଲି ଯେଉଁ ଆଶଙ୍କା ସୃଷ୍ଟି ହେଲା ତା’ ଫଳରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ଅତି ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ଭିତରେ ଏକ ସାମାଜିକ ମେଂଟ ହେବା ଫଳରେ ବିଜେପି ୪୦୦ ଆସନ ତ’ ଦୂରର କଥା ଲୋକସଭାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମଧ୍ୟ ନପାଇ ମାତ୍ର ୨୪୦ଟି ଆସନରେ ସେମାନଙ୍କ ସଂଖ୍ୟା ସୀମିତ ହୋଇଗଲା। ତେଣୁ ଭାରତୀୟ ସମ୍ବିଧାନ ସହିତ ସଂରକ୍ଷଣ ବ୍ୟବସ୍ଥା ଓ ଧର୍ମ ନିରପେକ୍ଷ ଆଦର୍ଶ ଓ ସଂଘୀୟ ବ୍ୟବସ୍ଥାର ଏକ ନିର୍ଦ୍ଦେଶନାମାକୁ ରକ୍ଷା କରିବା ପାଇଁ ସମ୍ବିଧାନ ସୁରକ୍ଷା ଗତ ଲୋକସଭା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଗଲା। 

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନ ଦିବସରେ ନାଗରିକମାନଙ୍କର ମୌଳିକ ଅଧିକାର ସହିତ ମୌଳିକ କର୍ତ୍ତବ୍ୟ ବିଷୟରେ ଧ୍ୟାନ ଦେବାପାଇଁ ନାଗରିକମାନଙ୍କୁ ଚିଠି ଲେଖିଛନ୍ତି। କିନ୍ତୁ ସମ୍ବିଧାନରେ ଏହି ମୌଳିକ କର୍ତ୍ତବ୍ୟ ବ୍ୟବସ୍ଥାଟି ଯାହାକି ସମ୍ବିଧାନର ୫୧(କ) ତାହା ଜରୁରୀ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧୀଙ୍କ ସରକାର ପ୍ରଣୟନ କରିଥିବା ସମ୍ବିଧାନର ୪୨ତମ ସଂଶୋଧନରେ ସମ୍ବିଧାନରେ ସ୍ଥାନିତ ହୋଇଥିଲା। ଯଦିଓ ଜରୁରୀ ପରିସ୍ଥିତି ସମୟରେ ଦେଶର ଗଣତନ୍ତ୍ର ଓ ସମ୍ବିଧାନ ନଷ୍ଟ ହୋଇଥିବା ଅଭିଯୋଗ ଯଥାର୍ଥ ଭାବରେ କରାଯାଉଛି।

ଫୋ- ୯୪୩୭୪୦୪୪୫୫

Odisha Narendra Modi Reservation Constitution Mohan Majhi