- ରବି ଦାସ
ନଭେମ୍ବର ୨୬ ତାରିଖକୁ ୨୦୧୫ ମସିହାରୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। କାରଣ ୧୯୪୯ ନଭେମ୍ବର ୨୬ ତାରିଖ ଦିନ ଦେଶର ସମ୍ବିଧାନ ପ୍ରଣୟନ କମିଟି ଚୂଡ଼ାନ୍ତ ଚିଠା ପ୍ରଣୟନ କରି ସମ୍ବିଧାନ ସଭା ନିକଟରେ ଉପସ୍ଥାପିତ କରିଥିଲେ ଓ ଏହି ପ୍ରସ୍ତାବ ଗୃହୀତ ହେଲା ପରେ ୧୯୫୦ ଜାନୁଆରୀ ୨୬କୁ ସାଧାରଣତନ୍ତ୍ର ଦିବସ ଭାବେ ଗ୍ରହଣ କରାଯାଇ ପ୍ରତିବର୍ଷ ତାହା ପାଳିତ ହୋଇଆସୁଅଛି। ଡ. ବି. ଆର. ଆମ୍ବେଦକରଙ୍କ ନେତୃତ୍ୱରେ ଥିବା ଚିଠା କମିଟି ଚୂଡ଼ାନ୍ତ ସମ୍ବିଧାନ ୧୯୪୯ ନଭେମ୍ବର ୨୬ରେ ଶେଷ କରିଥିବାରୁ ସମ୍ବିଧାନର ମୁଖବନ୍ଧରେ ଏହି ଦିବସକୁ ଉଲ୍ଲେଖ କରାଯାଇଛି। ଏହି ଦିବସକୁ ସମ୍ବିଧାନ ଦିବସ ଭାବେ ପାଳନ କରିବା ଯଥାର୍ଥ ବୋଲି କୁହାଯାଇପାରିବ। ସମ୍ବିଧାନର ଏହି ମୁଖବନ୍ଧ ଯାହାକି ସମ୍ବିଧାନର ଆତ୍ମା, ତାହାକୁ ଲକ୍ଷ୍ୟ କଲେ ନ୍ୟାୟ, ବ୍ୟକ୍ତି ସ୍ୱାଧୀନତା, ସମାନତା ଓ ପ୍ରତ୍ୟେକ ନାଗରିକଙ୍କୁ ମର୍ଯ୍ୟାଦା ପ୍ରଦାନ ସହ ଭାଇଚାରାର ପ୍ରତିଶ୍ରୁତି ପ୍ରଦାନ କରୁଛି। ନ୍ୟାୟ ଅର୍ଥ ସାମାଜିକ, ଅର୍ଥନୈତିକ ଓ ରାଜନୀତି କ୍ଷେତ୍ରରେ ଅନ୍ୟାୟର ଅବସାନ। ବ୍ୟକ୍ତି ସ୍ୱାଧୀନତାର ଅର୍ଥ ହେଲା ମତପ୍ରକାଶ କରିବା, ବିଶ୍ୱାସ, ଆସ୍ଥା ଓ ପୂଜାର୍ଚ୍ଚନା କରିବାର ସ୍ୱାଧୀନତା। ସମତାର ଅର୍ଥ ହେଲା ପ୍ରତ୍ୟେକଙ୍କୁ ସମାନ ଭାବରେ ଓ ସମାନ ସୁଯୋଗ ପ୍ରଦାନ କରିବା ଓ ଭାଇଚାରାର ଉଦ୍ଦେଶ୍ୟ ହେଲା ଯେଉଁଥିରେ ପ୍ରତ୍ୟେକ ନାଗରିକର ସମାନ ମର୍ଯ୍ୟାଦା ରକ୍ଷା ସହ ଭାଇଚାରାର ଭାବ ଆଣିବା।
ସ୍ୱାଧୀନତା ସଂଗ୍ରାମ ସମୟରେ ଯେଉଁ ଆଦର୍ଶ ଓ ଆଶା ଆକାଂକ୍ଷାକୁ ନେଇ ସ୍ୱାଧୀନତା ସଂଗ୍ରାମ ହୋଇଥିଲା ତାହାକୁ ପୂରଣ କରିବା ନିମନ୍ତେ ଯାହା ଆବଶ୍ୟକ ତାହାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦିଆଯାଇଛି। ସମ୍ବିଧାନ ସୃଷ୍ଟି କରିଥିବା କୌଣସି କର୍ତ୍ତୃପକ୍ଷ ସମ୍ବିଧାନଠାରୁ ବଡ଼ ନୁହେଁ। ଅର୍ଥାତ୍ ସମ୍ବିଧାନ ହିଁ ଦେଶର ସର୍ବୋଚ୍ଚ ଅଧିକାରୀ। ସମ୍ବିଧାନରେ ମୌଳିକ ଅଧିକାରରେ ନାଗରିକମାନଙ୍କୁ ଯେଉଁ କ୍ଷମତା ଦିଆଯାଇଛି ତାହାକୁ ବ୍ୟତିକ୍ରମ କଲା ପରି କୌଣସି ଆଇନ, ପ୍ରଥା ଓ ପରମ୍ପରା ପ୍ରଭୃତି ଯଦିଥାଏ ତେବେ ସେଗୁଡ଼ିକ ଅବୈଧ ବୋଲି ବିଚାର କରାଯିବ ବୋଲି ସମ୍ବିଧାନର ୧୩ ଧାରାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇ ଆଇନ ଆଗରେ ସମସ୍ତେ ସମାନ ସଂପର୍କିତ ମୌଳିକ ଅଧିକାର ଅର୍ଥାତ୍ ସମ୍ବିଧାନର ୧୪ ଧାରାଠାରୁ ୩୫ ଧାରା ପର୍ଯ୍ୟନ୍ତ ବ୍ୟବସ୍ଥାଗୁଡ଼ିକ ଉଲ୍ଲେଖ କରାଯାଇଛି। ଅର୍ଥାତ୍ ଯେଉଁ ପ୍ରଥା ଓ ପରମ୍ପରାଗୁଡ଼ିକ ମୌଳିକ ଅଧିକାର ବିରୋଧୀ ସେଗୁଡ଼ିକ ଦେଶରେ ଅବୈଧ। ଯେପରି ମନୁ ସଂହିତା ବା ଅନ୍ୟ ବହୁ ପ୍ରକାର ପ୍ରଥା ଓ ପରମ୍ପରା। ତେଣୁ ଯେଉଁମାନେ ନିଜକୁ ପରମ୍ପରାବାଦୀ ବୋଲି କହୁଛନ୍ତି ସେମାନେ ପ୍ରଥମେ ଦେଖିବା ଉଚିତ ଯେ, ସେହି ପରମ୍ପରା ବା ବ୍ୟବସ୍ଥାଗୁଡ଼ିକ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି ନା ନାହିଁ। କାରଣ ଏପରି ପ୍ରଥା ଓ ପରମ୍ପରାକୁ ସମ୍ବିଧାନର ୧୩ ଧାରାରେ ଅବୈଧ ଘୋଷଣା କରାଯାଇଛି। ବାସ୍ତବରେ ପ୍ରଥା ଓ ପରମ୍ପରାଗୁଡ଼ିକ ଯେପରି ଭାବରେ ବର୍ଷ ବର୍ଷ ଧରି ଚାଲିଆସିଛି ସେଗୁଡ଼ିକ ସମ୍ବିଧାନର ମୌଳିକ ଅଧିକାରର ବିରୁଦ୍ଧାଚରଣ କରୁଛି କି ନାହିଁ ତାହା ଅନେକ ସମୟରେ ଜାଣିହୁଏ ନାହିଁ। କାରଣ ସମ୍ବିଧାନ ସଂପର୍କରେ ସର୍ବନିମ୍ନ ଜ୍ଞାନ ବା ଧାରଣା ଅନେକ ଶିକ୍ଷିତ ଲୋକଙ୍କ ମଧ୍ୟରେ ନାହିଁ। କୌଣସି ବାପା ମା’ ବା ସମାଜ ଏ ସମ୍ପର୍କରେ ଶିକ୍ଷା ଦିଏନାହିଁ।
ସ୍ୱତନ୍ତ୍ର ଭାବରେ ସମ୍ବିଧାନ ବିଷୟରେ ଯେଉଁମାନେ ଜ୍ଞାନ ଅର୍ଜନ କରୁଛନ୍ତି ସେମାନଙ୍କୁ ଛାଡ଼ିଦେଲେ ପ୍ରାଥମିକ ବିଦ୍ୟାଳୟ ବା ହାଇସ୍କୁଲ ମାନଙ୍କରେ ବା କଲେଜରେ ମଧ୍ୟ ସମ୍ବିଧାନ ସଂପର୍କରେ ପାଠ୍ୟକ୍ରମରେ ସେପରି କିଛି ପାଠ ପଢ଼ାଯାଉ ନାହିଁ ଯାହାକି ଜଣେ ବ୍ୟକ୍ତି ସମ୍ବିଧାନ ସଂପର୍କରେ ଜାଣିବାରା ସୁଯୋଗ ମିଳିବ। ସମ୍ବିଧାନକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁସବୁ ଆଇନ ରହିଛି ସେଗୁଡ଼ିକ ଅନେକ ପ୍ରଥା ଓ ପରମ୍ପରା ଚାଲୁ କରିବାରେ ପ୍ରତିବନ୍ଧକ ହେଲେ ମଧ୍ୟ ସାଧାରଣ ଲୋକମାନେ ପରମ୍ପରାବାଦୀ ନାଁରେ ଏହି ଆଇନକୁ କିପରି ଅକାମୀ କରାଯାଇପାରିବ ସେଥିପାଇଁ ଉପାୟ ଖୋଜୁଛନ୍ତି। କିନ୍ତୁ ପରମ୍ପରା ବା ପ୍ରଥାକୁ ବନ୍ଦ କରି ସମ୍ବିଧାନ ଲକ୍ଷ୍ୟ ପୂରଣ ପାଇଁ ନୂଆ ପରମ୍ପରା ସୃଷ୍ଟି କରିବାରେ ଜନସାଧାରଣ ଅନେକ ସମୟରେ ସହଯୋଗ କରୁନାହାନ୍ତି। କାରଣ ଆଇନ କାର୍ଯ୍ୟକାରୀ ଦାୟିତ୍ୱ ଯେଉଁମାନଙ୍କୁ ଦିଆଯାଉଛି ସେମାନେ ମଧ୍ୟ ପରମ୍ପରାବାଦର ଶିକାର। ଯଦିଓ ସମ୍ବିଧାନରେ ମୌଳିକ ଅଧିକାର କ୍ଷୂର୍ଣ୍ଣ କଲା ଭଳି କୌଣସି ଆଇନ ଏପରିକି ପ୍ରଥା ଓ ପରମ୍ପରା ବିରୋଧରେ ଜଣେ ନାଗରିକ ନ୍ୟାୟପାଳିକାର ଦ୍ୱାରସ୍ଥ ହୋଇପାରିବ। ସୁପ୍ରିମକୋର୍ଟ ନିମନ୍ତେ ସମ୍ବିଧାନର ୩୨ ଧାରାରେ ନାଗରିକଙ୍କୁ କ୍ଷମତା ଦିଆଯାଇଛି। ସେହିପରି ହାଇକୋର୍ଟ ନିମନ୍ତେ ସମ୍ବିଧାନର ୨୨୬ ଧାରାରେ କ୍ଷମତା ରହିଛି।
ସମ୍ବିଧାନ ଦିବସ ପାଳନ କରୁଥିବା ଜନସାଧାରଣ ଓ ସରକାର ପ୍ରଥା ଓ ପରମ୍ପରା ନାମରେ ଏପରି କିଛି କରିବା ଉଚିତ ନୁହେଁ, ଯାହା ସମ୍ବିଧାନର ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ଆଇନର ଶାସନ ଓ ବ୍ୟବସ୍ଥାଗତ ବିଧି ସାମ୍ବିଧାନିକ ଗଣତାନ୍ତ୍ରିକ ଶାସନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନିକଟରେ ଦେଶରେ ସମ୍ବିଧାନରେ ନିର୍ବାଚନ ପରିଚାଳନା ପାଇଁ ୩୨୪ ଧାରାରେ ନିର୍ବାଚନ କମିଶନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି ନା ନାହିଁ ଏବଂ ନିର୍ବାଚନ କମିଶନ ନିଯୁକ୍ତି ପାଇଁ ସମ୍ବିଧାନରେ ଥିବା ବ୍ୟବସ୍ଥା ନିୟମ ଅନୁସାରେ କାର୍ଯ୍ୟକାରୀ ହେଉଛି ନା ନାହିଁ ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ବେଂଚ ଜାଣିବାକୁ ଚାହିଁବାରୁ ଦେଶରେ ଏକ ବଡ଼ ବିତର୍କର ସୂତ୍ରପାତ ହୋଇଛି। ସାମ୍ବିଧାନିକ ବେଂଚ ଏହି ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ସମ୍ବିଧାନ ବ୍ୟବସ୍ଥା ଅନୁସାରେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନଙ୍କୁ ଅଗାଧ କ୍ଷମତା ଦିଆଯାଇଛି। ଏଣୁ ଏହି ଅନୁଷ୍ଠାନ ଏକ ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ସବୁ ଦୃଷ୍ଟିରୁ କ୍ଷମତାପ୍ରାପ୍ତ। ବ୍ୟବସ୍ଥା ଅନୁସାରେ ପାର୍ଲାମେଂଟ ନିର୍ବାଚନ କମିଶନ ନିଯୁକ୍ତି ପାଇଁ ଆଇନ କରିବା କଥା। କିନ୍ତୁ ରାଷ୍ଟ୍ରପତି ହିଁ ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନର ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା ଥିବାରୁ ନିଯୁକ୍ତି ନିମନ୍ତେ କୌଣସି ଆଇନ କରା ନଯାଇ ନିର୍ବାଚନ କମିଶନର ନିଯୁକ୍ତି କରାଯାଉଛି। ସାଧାରଣତଃ ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରି ପରିଷଦର ସୁପାରିଶ କ୍ରମେ ନିର୍ବାଚନ କମିଶନର ନିଯୁକ୍ତି କରୁଛନ୍ତି। ଫଳରେ ଅବସ୍ଥା ଏପରି ହୋଇଛି ଯେ, ନିର୍ବାଚନ କମିଶନ ନିମନ୍ତେ ବ୍ୟକ୍ତି ଚୟନ ଓ ନିଯୁକ୍ତି ଗୋଟିଏ ଦିନରେ ମଧ୍ୟ ସଂପୂର୍ଣ୍ଣ ହୋଇଯାଉଛି। ଏହାକୁ ଦେଖି ଆଇନ ବା ନିୟମର ବ୍ୟବସ୍ଥା ଅନୁସାରେ ଏହି କାର୍ଯ୍ୟ କରାଯାଉଛି ନା ନାହିଁ ତାହା ଜାଣିବାକୁ ଚାହିଁବାରୁ ସାମ୍ବିଧାନିକ ବେଂଚ ଆଗରେ ଅନେକଗୁଡ଼ିଏ ପ୍ରଶ୍ନ ଆସିଛି।
ନ୍ୟାୟପାଳିକା ନିର୍ବାଚନ କମିଶନର ନିଯୁକ୍ତି ନିମନ୍ତେ ସମ୍ବିଧାନର ଗଣ୍ଡି ଭିତରେ ଏକ କଲେଜିୟମ ବ୍ୟବସ୍ଥା କରିପାରିବେ କି ନାହିଁ ତାହା ରାୟ ପ୍ରକାଶ ପରେ ଜଣାପଡ଼ିବ। କିନ୍ତୁ ପ୍ରମୁଖ କଥା ହେଉଛି ଯେ, ସମ୍ବିଧାନର ପ୍ରତ୍ୟେକଟି ବ୍ୟବସ୍ଥା ଏପରି ଭାବେ ଖଞ୍ଜାଯାଇଛି ଯେଉଁଠାରେ ମନୋମୁଖୀ ବ୍ୟବସ୍ଥା କୌଣସି ସଂସ୍ଥା ବା ଅନୁଷ୍ଠାନ କରିପାରିବ ନାହିଁ। ନ୍ୟାୟପାଳିକା ସହିତ ସରକାର ଓ ସବୁ ଅନୁଷ୍ଠାନଗୁଡ଼ିକୁ ସେହି ଅନୁସାରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଥିବା ସମ୍ବିଧାନ ଦିବସ ଜରିଆରେ ବାର୍ତ୍ତା ଦିଆଯିବା ଉଚିତ। କିନ୍ତୁ ଅସଲ କଥା ହେଉଛି ଯେଉଁମାନେ ପୁରୁଣା ପ୍ରଥା ଓ ପରମ୍ପରାକୁ ନେଇ ସମାଜ ଉପରେ କୌଣସି କଥାକୁ ଚାଲୁରଖିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ସମ୍ବିଧାନର ୧୩ ଧାରାରେ ଯାହା କୁହାଯାଇଛି ତାହାକୁ ସବୁବେଳେ ମନେ ପକାଇବା ଉଚିତ।
ବରିଷ୍ଠ ସାମ୍ବାଦିକ
ମୋ: ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।