ଜାନକୀଶ ବଡ଼ପଣ୍ଡା
ଛତିଶଗଡ଼ କ୍ୟାଡରର ୨୦୦୯ ବ୍ୟାଚ୍ ଅଧିକାରୀ ସମୀର ବୈଷ୍ନୋଇଙ୍କ ୫୦୦ କୋଟି ଟଙ୍କା ଲାଞ୍ଚ ଗ୍ରହଣ ଓ କୃଷି ସଚିବ ଥିବା ବାବୁଲାଲ୍ ଅଗ୍ରବାଲଙ୍କ ଅମାପ ସମ୍ପତ୍ତି ଆହରଣ, ଝାରଖଣ୍ଡର ୨୦୦୦ ବ୍ୟାଚର ପୂଜା ସିଂଘଲଙ୍କ ଅର୍ଥ ତୋଷରପାତ, ଗୁଜରାଟର ୨୦୧୧ ବ୍ୟାଚର କେ. ରାଜେଶଙ୍କ ଲାଞ୍ଚ ଗ୍ରହଣ, ଉତ୍ତର ପ୍ରଦେଶର ନୀରା ଯାଦବଙ୍କ ଜମି ଦୁର୍ନୀତି ଓ ଲାଞ୍ଚ କାରବାର, ରାକେଶ ବାହାଦୂରଙ୍କ ବିରୁଦ୍ଧରେ ୪ ହଜାର କୋଟି ଟଙ୍କାର ନଏଡ଼ା ଜମି ଦୁର୍ନୀତି, ରାକେଶ କୁମାର ଜୈନଙ୍କ ୭.୫ କୋଟି ଟଙ୍କାରୁ ଅଧିକ ଲାଞ୍ଚ ଗ୍ରହଣ, କେରଳର ଟି. ଓ. ସୂରଜଙ୍କ ଦୁର୍ନୀତି ତଥା ଜମି କେଳେଙ୍କାରୀ, ହିମାଚଳ ପ୍ରଦେଶର ସୁଭାଷ ଆହଲୁବାଲିୟା ଦମ୍ପତିଙ୍କ ଅଚଳାଚଳ ସମ୍ପତ୍ତି ଜବତ, ରାଜସ୍ଥାନର ପ୍ରମୁଖ ସଚିବ ଥିବା ଅଶୋକ ସିଂହଭୀଙ୍କ ୨.୫୫ କୋଟି ଟଙ୍କା ଲାଞ୍ଚ ଗ୍ରହଣ, ତାମିଲନାଡୁର ଏସ୍ ମଲର୍ଭିଝିଙ୍କ ଅପରାଧିକ ଷଡ଼ଯନ୍ତ୍ରରେ ସମ୍ପୃକ୍ତି ତଥା ସରକାରୀ ତହବିଲରୁ ୧.୩୧ କୋଟି ଟଙ୍କା ହଡ଼ପ, ଘରକୁ ପଶିବା ପୂର୍ବରୁ ଚାଳରେ ମୁଣ୍ଡ ବାଜିବା ଭଳି ପୂଜା ଖେଡକରଙ୍କ କାରବାର ହେଉ କି ଆମ ଓଡ଼ିଶାର ଧର୍ମଗଡ଼ର ଉପଜିଲ୍ଲାପାଳ ଥାଇ ୧୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ ବେଳେ ଧରାପଡ଼ିଥିବା ଧୀମାନ ଚକମାଙ୍କ ଘଟଣା ହେଉ, ଏସବୁ କେବଳ ଆଇଏଏସ ଅଧିକାରୀଙ୍କ ଦୁର୍ନୀତିକୁ ନେଇ ଗଣମାଧ୍ୟମରେ ବହୁ ଚର୍ଚ୍ଚିତ ଦୁଃଖଦ ଖବର। ସର୍ବଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ମାତ୍ର ୫,୫୦୦ ଅଧିକାରୀଙ୍କ ମଧ୍ୟରେ ଅନେକ ‘ଧୀମାନ’ଙ୍କ ଉପସ୍ଥିତି ସତ୍ତ୍ୱେ ସେମାନଙ୍କ ଦୁର୍ନୀତି କେବଳ ଗୁଜବରେ ସୀମିତ ରହିଆସିଥିଲା ବେଳେ ସଚ୍ଚୋଟ, ଚରିତ୍ରବାନ୍, ଦକ୍ଷ ଏବଂ ଉଦାହରଣୀୟ ସେବା ମନୋଭାବଧାରୀ ଅଧିକାରୀଙ୍କ ଉପସ୍ଥିତି ରହିଛି, ଯାହା ଦେଖିଲା ପରେ ଆଶାବାଦ ନବପଲ୍ଲବିତ ହେଉଛି।
ଆମ ଓଡ଼ିଶାରେ ଜନ୍ମିତ ଅନେକ ପ୍ରତିଭାବାନ ଆଇଏଏସ୍ ଅଧିକାରୀ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରି ଆସିଛନ୍ତି। ଆଜି ଦୁଇଜଣ ଓଡ଼ିଆ ଦେଶର ଶ୍ରେଷ୍ଠ-ସର୍ବଶକ୍ତିମାନ ଆଇଏଏସ୍ ଅଧିକାରୀ ଭାବେ ପ୍ରତିଷ୍ଠା ପାଇବା ତାହାର ଉଦାହରଣ। ତଥାପି କିଛି ଅଧିକାରୀ ଯେ, ଓଡ଼ିଶା ପାଇଁ କଳଙ୍କ ଆଣି ନାହାନ୍ତି, ତାହା ମଧ୍ୟ ନୁହେଁ। ପୂର୍ବରୁ ୧୯୯୦ ମସିହାରେ ରମେଶ ଚନ୍ଦ୍ର ବେହେରା (ଆୟ ଅପେକ୍ଷା ଅଧିକ ସମ୍ପତ୍ତି ଅର୍ଜନ), ଆଇଏଏସ୍ ପରୀକ୍ଷାରେ ଟପର୍ ହୋଇଥିବା ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର (ଆର୍ଥିକ ଦୁର୍ନୀତି ଅଭିଯୋଗ-୨୦୦୪), ୨୦୧୯ରେ ବିଜୟ କେତନ ଉପାଧ୍ୟାୟ (ଲାଞ୍ଚ ଅଭିଯୋଗ)ରେ ଗିରଫ ହୋଇଥିଲେ। ଦୁର୍ନୀତି ଅଭିଯୋଗରେ ୧୯୮୯ ବ୍ୟାଚର ଅଧିକାରୀ ବିନୋଦ କୁମାର ଗ୍ରାମ୍ୟ ଗୃହ ନିର୍ମାଣ କେଳେଙ୍କାରୀରେ ଫସିଥିଲେ। ଚାକିରୀରୁ ବହିଷ୍କାର ହୋଇଥିବା ଏହି ଅଧିକାରୀଙ୍କ ବିରୁଦ୍ଧରେ ୨୭ଟି ମାମଲା ରହିଛି। ସେହି ଭଳି ବିଷ୍ଣୁପଦ ସେଠୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ଚାଲିଛି।
ତାମିଲନାଡୁରେ ଜନ୍ମିତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏକ ଆଶ୍ଚର୍ଯ୍ୟ ଜନକ ପ୍ରତିଭା। ସେ ପ୍ରଥମେ ପଞ୍ଜାବ ଓ ପରେ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ I କର୍ମନିଷ୍ଠା ବଳରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଜିଣି, ପ୍ରଶାସକ ଥିଲାବେଳେ ରାଜନୈତିକ କାର୍ଯ୍ୟ ଓ ସ୍ୱେଛାକୃତ ଅବସର ନେଇ ରାଜନୈତିକ ଦଳରେ ଯୋଗଦାନ ପରେ ବି ପ୍ରଶାସନରେ ହସ୍ତକ୍ଷେପ କରୁଥିଲେ। ସମ୍ବିଧାନ ଓ ଗଣତନ୍ତ୍ରକୁ ଅବଦମିତ କରି ନିର୍ବାଚିତ ରାଜନେତାଙ୍କ ଠାରୁ ପ୍ରଶାସନ ଯେ କ୍ଷମତାଶାଳୀ, ତାହା ପ୍ରମାଣିତ କରିବାକୁ ଅହରହ ଉଦ୍ୟମ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ତଥା ସରକାରୀ ଦଳର ଅଧ୍ୟକ୍ଷଙ୍କ ଆଦେଶ ପାଳନ କରୁଥିବାର କହୁଥିଲେ ଏବଂ ଅମାପ ଆର୍ଥିକ ଓ ପ୍ରଶାସନିକ କ୍ଷମତା ଉପଭୋଗ କରୁଥିବାରୁ ନିଜକୁ ଅଘୋଷିତ ମୁଖ୍ୟମନ୍ତ୍ରୀ ଭାବୁଥିଲେ। ରାଜନୈତିକ ରଣନୀତିକାର ଭାବେ ସେ ଏପରି ପ୍ରଭାବୀ ହୋଇଗଲେ ଯେ, କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ତାଙ୍କ ସହିତ ନିଭୃତ ଆଲୋଚନା କରିବାକୁ ଅସୁଖକର ମଣି ନଥିଲେ। ଅଣ-ଓଡ଼ିଆ ହୋଇଥିବାରୁ ତାଙ୍କର ରଣନୀତି ଅସଫଳ ହେଲା ଏବଂ ଜାଗ୍ରତ ଓଡ଼ିଆ ଅସ୍ମିତା ହିଁ ବଦଳେଇ ଦେଲା ସରକାର। ତାଙ୍କ ବିରୁଦ୍ଧରେ ଥିବା ମାଳ ମାଳ ଦୁର୍ନୀତି ଓ ଅନୈତିକ ଭାବେ ସମ୍ପତ୍ତି ଆହରଣ ଅଭିଯୋଗଗୁଡ଼ିକୁ ସେ ଚତୁର ଗୋଟିଚାଳନା କରି ଅକାମୀ କରିବା ସହିତ ନିଜର ଅନୈତିକ-ସହଯୋଗୀଙ୍କ ନିରାପତ୍ତା ନିଶ୍ଚିତ କରିପାରିଛନ୍ତି। ତାଙ୍କୁ ଯଦି କେହିବି ଉଚ୍ଚ ଅଧିକାରୀ ଆଦର୍ଶ ଭାବେ ଗ୍ରହଣ କରନ୍ତି, ତାହା ଗଣତନ୍ତ୍ର ପାଇଁ ବିପଦ।
ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୧ଶ ପ୍ରଚେଷ୍ଟାରେ ୮୨୪ତମ ସ୍ଥାନରେ ରହିଥିବା ପୂଜା ଖେଡକରଙ୍କ ଯୋଗ୍ୟତା ଥିଲା ଦିବ୍ୟାଙ୍ଗ କୋଟାରେ ଆରକ୍ଷଣ ସୁବିଧା। ପ୍ରାର୍ଥୀ ଦିବ୍ୟାଙ୍ଗ କି ନୁହନ୍ତି, ତାହାର ଯାଞ୍ଚ କେବଳ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ବା ‘ଏମ୍ସ’ରେ କରାଯିବାର ବ୍ୟବସ୍ଥା ଥିବା ବେଳେ ପୂଜା ଏକ ଘରୋଇ ହାସପାତାଳରୁ ସଂଗୃହିତ ପ୍ରମାଣପତ୍ର ଦାଖଲ କରିଥିଲେ। ‘ଲାଲ ବାହଦୁର ଶାସ୍ତ୍ରୀ ନେସ୍ନାଲ୍ ଏକାଡେମି ଅଫ୍ ଆଡ୍ମିନିଷ୍ଟ୍ରେସନ୍’ ବା ‘ଲବାସନା’ ଦ୍ୱାରା ଏହା ସ୍ୱୀକୃତ ନହେବାରୁ ପୂଜା ‘କ୍ୟାଟ୍’ରେ ଫେରାଦ ହୋଇଥିଲେ। ସେଠାରେ ବିଫଳ ହେବା ସତ୍ତ୍ୱେ ସେହି ଘରୋଇ ମେଡିକାଲ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ଆଶ୍ଚର୍ଯ୍ୟଜନକ ଭାବେ ‘ଲବାସନା’ ଦ୍ୱାରା ଗୃହୀତ ହୋଇଯାଇଥିଲା। ଏହି ରହସ୍ୟ ପଛରେ ନିଃସନ୍ଦେହରେ ଦୁର୍ନୀତି ହିଁ କାରଣ ରହିଥିବ। ରାଜନୀତିରେ ସକ୍ରିୟ ଥିବା ପୂଜାଙ୍କ ବିତ୍ତଶାଳୀ ପୂର୍ବତନ-ବ୍ୟୁରୋକ୍ରାଟ୍ ପିତାଙ୍କ ପ୍ରଭାବ କାରଣରୁ ଏଭଳି ହୋଇଥିବାର ଅଭିଯୋଗ ହେଉଛି। ଯଦି ଏହା ସତ୍ୟ ହୋଇଥାଏ, ଆମେ ଆଶାନୁରୂପ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପାଇପାରିବା କି?
ସର୍ଦ୍ଦାର ପଟେଲ ୨୧ ଏପ୍ରିଲ, ୧୯୪୭ରେ ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବୀଶଙ୍କୁ ଏକ ପ୍ରେରଣାଦାୟୀ ଭାଷଣ ପ୍ରଦାନ କରି କହିଥିଲେ, ‘ଆପଣମାନେ ଭାରତର ଷ୍ଟିଲ୍ ଫ୍ରେମ୍ ଏବଂ ଅମଲାତନ୍ତ୍ରର ଶୀର୍ଷସ୍ଥାନୀୟ ଅଧିକାରୀ। ଏହାର ଭବିଷ୍ୟତ ରୂପରେଖ ଆପଣମାନେ ପକାଉଥିବା ମୂଳଦୁଆ ଏବଂ ପ୍ରତିଷ୍ଠା କରୁଥିବା ପରମ୍ପରା ଉପରେ ଠିଆ ହେବ। ସେଥିପାଇଁ ଆପଣଙ୍କ ଚରିତ୍ର, ଦକ୍ଷତା ଏବଂ ସେବା ମନୋଭାବ ଆଦର୍ଶ ସ୍ଥାନୀୟ ହେବା ଆବଶ୍ୟକ।’ ସର୍ଦ୍ଦାର ପଟେଲ ଶିକ୍ଷାନବୀଶମାନଙ୍କୁ ନିଜର ଆଚରଣ ଓ ଉଚ୍ଚାରଣରେ ଉଚ୍ଚ ପଦାଧିକାରୀଙ୍କ ପାଞ୍ଚଟି ବୈଶିଷ୍ଟ୍ୟ - ନିରପେକ୍ଷ ଓ ଦୁର୍ନୀତିମୁକ୍ତ, ସାଧୁତା ପ୍ରତି ଅନୁରକ୍ତ, ଗର୍ବ ଓ ଅହଙ୍କାର ବିବର୍ଜିତ ଭାବନା ଏବଂ ପାରସ୍ପରିକ ବିଶ୍ୱସ୍ତତା ସହ ପୁରସ୍କାର ଆଶା ନରଖି କର୍ମ, ସାର୍ବଭୌମତ୍ୱ ଏବଂ ସେବା ଭାବନା ଉପରେ ଜୋର ଦେଇଥିଲେ। ତତ୍କାଳୀନ ଅଧିକାରୀମାନେ ମଧ୍ୟ ସ୍ଵାଧୀନୋତ୍ତର ଭାରତର ଦାରିଦ୍ର୍ୟ ଓ ସାମାଜିକ-ଅର୍ଥନୈତିକ ଅସମାନତା, ଭିତ୍ତିଭୂମି ଅଭାବ ଏବଂ ସାମ୍ପ୍ରଦାୟିକ କଳହ ସତ୍ତ୍ୱେ, ସର୍ଦ୍ଦାର ପଟେଲଙ୍କ ପଞ୍ଚସୂତ୍ରୀ ଆଚରଣ ଆଧାରରେ ଦେଶକୁ ଆଗକୁ ନେବାରେ ସଫଳ ହୋଇଥିଲେ ଓ ପରପିଢ଼ିଙ୍କ ପାଇଁ ସଶକ୍ତ ମୂଳଦୁଆ ସ୍ଥାପନ କରିଥିଲେ।
ଆଜି ‘ଦୁର୍ନୀତିର ଛାଇ ମାଡ଼ୁ ନଥିବା’ ଭଳି ଯୋଗ୍ୟ ପ୍ରଶାସକ ଦୁଷ୍ପ୍ରାପ୍ୟ। ଏକ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଦେଶର ଜୀବନଶୈଳୀକୁ ଧ୍ୱଂସ କରୁଥିବାରୁ ପ୍ରଶାସକମାନେ ଅଧିକ ପରିପକ୍ୱତା ତଥା ନିରପେକ୍ଷତା ପ୍ରଦର୍ଶନ କରିବେ ବୋଲି ସଭିଏଁ ଆଶା କରନ୍ତି। ସରକାରୀ ଓ ସରକାରୀ କର୍ମଚାରୀଙ୍କ ବିଶ୍ୱାସନୀୟତା ଉପରେ ଜନସାଧାରଣ ସନ୍ଦେହ ବଢ଼ିବା ନିଶ୍ଚୟ ଉଦବେଗଜନକ। ପ୍ରତ୍ୟେକ ବୃତ୍ତିରେ କିଛି 'କଳା ମେଣ୍ଢା’ କିମ୍ବା ‘ବ୍ୟତିକ୍ରମ' ରହିଥିବା କଥା କହି ଏହାକୁ ହାଲୁକା ଭାବେ ନିଆଯାଇ ନପାରେ। କିଛି ବର୍ଷ ତଳେ, ପଶ୍ଚିମବଙ୍ଗ ଏବଂ ପଞ୍ଜାବ ମୁଖ୍ୟ ଶାସନ ସଚିବ ନିଜ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ମୋଦି ବିରୋଧୀ ଆଭିମୁଖ୍ୟ କାରଣରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବାକୁ ପଛେଇ ନଥିଲେ। ଦୁଇବର୍ଷ ତଳେ, ଦିଲ୍ଲୀରେ ଏକ ପ୍ରଶାସକ ଦମ୍ପତ୍ତି ନିର୍ଜନ ଷ୍ଟାଡ଼ିୟମରେ କୁକୁର ବୁଲାଇବାକୁ ଇଚ୍ଛା କଲାରୁ ଖେଳାଳୀମାନଙ୍କୁ ସହଳ କ୍ରୀଡ଼ା ଅଭ୍ୟାସ ସାରି ପ୍ରସ୍ଥାନ କରିବାକୁ ପଡ଼ିଥିଲା। କିଛି ବର୍ଷ ତଳେ ଶିକ୍ଷା ଭ୍ରମଣରେ ପୁରୀ ଆସିଥିବା ୧୮୧ ଜଣ ଶିକ୍ଷାନବୀଶ ଯୁବ ଆଇଏଏସ ଅଧିକାରୀଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ଯେପରି ସମସ୍ତ ନୀତି ନୈତିକତା ଜଳାଞ୍ଜଳି ଦେଇ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାଟେରି ଚାଳିତ ଗାଡ଼ିଗୁଡ଼ିକୁ ପୁରୀ ଜିଲ୍ଲା ପ୍ରଶାସନ ନିୟୋଜିତ କରିଥିଲେ ସେଥିରୁ ତାଲିମ ସହ ସମ୍ପୃକ୍ତ ଅଧିକାରୀଙ୍କ ମାନସିକତା ସ୍ପଷ୍ଟ। ଏହିପରି ତାଲିମପ୍ରାପ୍ତ ପ୍ରଶାସକମାନେ ଇସ୍ପାତ ଛାଞ୍ଚ ହେବା ସମ୍ଭବ କି? ଦେଶରେ ଘଟୁଥିବା ଏପରି ଅନେକ ଘଟଣା, ଦୁର୍ଘଟଣା ମଧ୍ୟରୁ ଏହା ଦୁଇ ତିନୋଟି ଉଦାହରଣ ମାତ୍ର; ଯାହା ଇସ୍ପାତ ଛାଞ୍ଚରେ କଳଙ୍କି ଲାଗିଥିବାର ନିଆରା ଦୁଃଖଦ ପ୍ରମାଣ।
କ୍ରମଶଃ ଜନସାଧାରଣଙ୍କ ଧାରଣା ଦୃଢ଼ୀଭୂତ ହେଉଛି ଯେ ଆଇଏଏସ ଅଧିକାରୀମାନେ ଆଭିଜାତ୍ୟପୂର୍ଣ୍ଣ, ଆତ୍ମ-ସେବାମଗ୍ନ ଏବଂ ନିଜେ ନିରାପଦ ସ୍ଥିତିରେ ରହିବା ବ୍ୟକ୍ତି; ଯେଉଁମାନେ ବାସ୍ତବ ଦୁନିଆଠୁ ଦୂରରେ ଓ ସତ୍ୟ ସପକ୍ଷରେ ଠିଆ ହେବା ପାଇଁ ଦୃଢ଼ତା ଓ ସାହସ ହରାଇ ବସିଛନ୍ତି। ନିର୍ବାଚିତ ସରକାରଙ୍କ ବୋଲକରା ବିବେଚନା କରାଯାଉଥିବାରୁ ଏମାନେ ବିଶ୍ୱସନୀୟତା ହରାଇ ବସୁଛନ୍ତି। ଆଇଏଏସ ଅଧିକାରୀଙ୍କୁ ଲୋକମାନେ 'ଆଇ ଆମ ସେଫ' ବା 'ମୁଁ ନିରାପଦ' କହି ନୀରବ ବିଦ୍ରୁପ କରିବା ଅନେକ କିଛି ସଙ୍କେତ ଦିଏ। ଜଣେ ପୂର୍ବତନ ଆଇଏଏସ ଅଧିକାରୀ କ୍ଷୋଭଭରା ଭାଷାରେ କହିଛନ୍ତି, ‘ଭାରତୀୟ ଅମଲାତନ୍ତ୍ର ଲୋକମାନଙ୍କ ପାଇଁ କେବେବି ଇସ୍ପାତ ଫ୍ରେମ୍ ନଥିଲା। ବ୍ରିଟିଶ୍ ଶାସନ କାଳରେ ସେମାନେ ବିଦେଶୀ ଅନୁପ୍ରବେଶକାରୀଙ୍କ ସେବକ ରୂପେ ଭାରତୀୟଙ୍କୁ ଶାସନ କରିଥିଲେ। ଆଜି ସେମାନଙ୍କ ଉତ୍ତରସୂରୀ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କୁ ସମର୍ଥନ କରୁଛନ୍ତି। ଅମଲାତନ୍ତ୍ର ଏବେ ବି ରାଜନୈତିକ ପ୍ରଭୁମାନଙ୍କୁ ସେବା ଯୋଗାଇ ଆସୁଛି। ସେମାନଙ୍କଠାରୁ ନିରପେକ୍ଷତା ଆଶା କରିବା ଭୁଲ। ଆମେ ସ୍ୱାଧୀନତା ଲାଭ କରି ଗଣତନ୍ତ୍ର ଶାସନ ପଦ୍ଧତି ଆପଣେଇବା ସତ୍ତ୍ୱେ ଆଧୁନିକ ଭାରତରେ ଅମଲାତନ୍ତ୍ରର ଔପନିବେଶିକ ତାଲିମ ବଳବତ୍ତର ରହିଛି। ପ୍ରକୃତରେ ଇସ୍ପାତର ସିଡ଼ିକୁ ଆମେ ଇସ୍ପାତର ଛାଞ୍ଚ (ଫ୍ରେମ୍) ଭାବି ନେଇଛେ କେବଳ।’
ଯଦିଓ, ଆଜି ବି ଦେଶର ମେଧାବୀ ଯୁବ ବର୍ଗ ସମ୍ମାନଜନକ ସର୍ବଭାରତୀୟ ସେବାରେ ନିଯୁକ୍ତି ପାଇବାକୁ କଠୋର ପରିଶ୍ରମ କରୁଛନ୍ତି, ତଥାପି ଏହା ପଛର ଉଦ୍ଦେଶ୍ୟ ଯେ କେବଳ ଜନସେବା ନୁହେଁ, ବରଂ ଅଧିକ ପରିମାଣରେ ଆତ୍ମସେବା, ଏହା ଖୋଲାଖୋଲି କୁହାନଗଲେ ବି ବି ସ୍ପଷ୍ଟ। ରାଜନେତାଙ୍କ ମଧ୍ୟରୁ ରାଷ୍ଟ୍ରନୀତିଜ୍ଞଙ୍କୁ ଖୋଜି ପାଇବା ଦୁର୍ଲଭ ହୋଇଯାଉଥିବା ବେଳେ ମେଧାବୀ ଓ ବୁଦ୍ଧିମତ୍ତା ସମ୍ପନ୍ନ ପ୍ରଶାସକମାନଙ୍କ ଉପରେ ଦେଶବାସୀଙ୍କ ନିର୍ଭରଶୀଳତା ବଢିଯାଇଛି। ଏହି ପରିସ୍ଥିତିକୁ ଏକ ସୁଯୋଗ ଭାବେ କିଛି ପ୍ରଶାସକ ଗ୍ରହଣ କରି ନେଉଛନ୍ତି। ସେଥିପାଇଁ ନୀତିନିଷ୍ଠ, ନିରପେକ୍ଷ ଓ ଦୁର୍ନୀତିମୁକ୍ତ ପ୍ରଶାସକମାନେ ହତାଦର ହେଉଛନ୍ତି।
ଡଃ ଆମ୍ବେଦକର କହିଥିଲେ ଯେ ସାଧୁତା କେବେ ହେଁ ପ୍ରାକୃତିକ ମାନସିକତା ନୁହେଁ, ଏହାକୁ ଆହରଣ ତଥା ପ୍ରୟୋଗ ପାଇଁ ସାଧନା କରିବାକୁ ପଡ଼େ। ଆଶା, ଆମର ପ୍ରଶାସକମାନେ ସାଧୁତାକୁ ଜୀବନର ବ୍ରତ କରିବେ। ବିକଶିତ ଭାରତ କଥା କହୁଥିବା ସରକାର କାର୍ଯ୍ୟପାଳିକାକୁ କଳଙ୍କ ନିରୋଧୀ କରିବାର ପ୍ରୟାସ କରନ୍ତୁ। ନୂତନ ଶିକ୍ଷା ବ୍ୟବସ୍ଥା ନିର୍ମାଣ କରନ୍ତୁ ସାଧୁ ଓ ସତ୍ ଚରିତ୍ର ଯୁବାବର୍ଗ। ଅଧିକାରୀ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ସଶକ୍ତ, ପାରଦର୍ଶୀ ଓ ମନୋବିଜ୍ଞାନ ଆଧାରିତ କରାଯାଉ। ତାଲିମଦାତା ନିଯୁକ୍ତି ଓ ତାଲିମ କାଳରେ ଅଧିକାରୀମାନେ ଯେପରି ରାଜନୈତିକ ଚାପସତ୍ତ୍ୱେ ସାଧନା ପ୍ରୟାସୀ ହୋଇ ରହିବେ, ସେଥିପାଇଁ ବ୍ୟବସ୍ଥା ରହୁ। ଆମେ ଏବେ ପଚି ଯାଇଥିବା ଆଳୁକୁ ଫିଙ୍ଗି ଚାଲିଛେ, ପଚିବାକୁ ଆରମ୍ଭ କରିଥିବା ଆଳୁର ପଚା ଅଂଶକୁ କାଟି ଭଲ ଅଂଶକୁ ବ୍ୟବହାର କରି ଚାଲିଛେ। ସମୟ ଆସିଛି, କମ୍ ପଚନଶୀଳ ଆଳୁ ବିହନ ସୃଷ୍ଟି କରିବା ସହିତ ଦେଶକୁ ଏଭଳି ଏକ ଶୀତଳ ଭଣ୍ଡାରରେ ପରିଣତ କରିବାକୁ ପଡ଼ିବ, ଯେଭଳି ପଚାଆଳୁ ଆଉ ଦେଖିବାକୁ ମିଳିବନି।
ଫୋ- ୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।