Advertisment

ଦୁର୍ନୀତି, ପରିବାର, ସମାଜ ଓ ରାଷ୍ଟ୍ର

ସଂପ୍ରତି ଭାରତରେ ଦୁର୍ନୀତିକୁ ନେଇ ଅନେକ ଉଚ୍ଚସ୍ୱରର ତୁମ୍ବି ତୋଫାନ ଦେଖିବାକୁ ମିଳୁଛି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଅନ୍ୟ ଦଳ ଓ ତାର ନେତାମାନଙ୍କ ବିରୋଧରେ ଖୁବ୍‌ ଉଚ୍ଚସ୍ୱରରେ ଦୁର୍ନୀତିର ସଂପୃକ୍ତି ସମ୍ପର୍କରେ କହିଥାନ୍ତି ଓ ସେମାନଙ୍କୁ କୌଣସି ପ୍ରକାର ଲୋକଲୋଚନରେ ନିନ୍ଦିତ କରିବାର ଚେଷ୍ଟା କରିଥାନ୍ତି ।

author-image
Panchanan Kanungo
Corruption

 - ପଞ୍ଚାନନ କାନୁନ୍‌ଗୋ
ସଂପ୍ରତି ଭାରତରେ ଦୁର୍ନୀତିକୁ ନେଇ ଅନେକ ଉଚ୍ଚସ୍ୱରର ତୁମ୍ବି ତୋଫାନ ଦେଖିବାକୁ ମିଳୁଛି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଅନ୍ୟ ଦଳ ଓ ତାର ନେତାମାନଙ୍କ ବିରୋଧରେ ଖୁବ୍‌ ଉଚ୍ଚସ୍ୱରରେ ଦୁର୍ନୀତିର ସଂପୃକ୍ତି ସମ୍ପର୍କରେ କହିଥାନ୍ତି ଓ ସେମାନଙ୍କୁ କୌଣସି ପ୍ରକାର ଲୋକଲୋଚନରେ ନିନ୍ଦିତ କରିବାର ଚେଷ୍ଟା କରିଥାନ୍ତି । ଏହି ଚେଷ୍ଟା ପଛରେ ସରକାରୀ ସ୍ତରରେ ଥିବା ଆଇନ ଓ ଶାସନ ବ୍ୟବସ୍ଥାକୁ ମଧ୍ୟ ବ୍ୟବହାର କରିବାରୁ ପଛାଇ ନଥାନ୍ତି । ବିଶେଷତଃ ଦେଶରେ ଥିବା ଏକ ସଂସ୍ଥା (ଇଡ଼ି)କୁ ବ୍ୟବହାର କରାଯାଇ ଅବା ଦୁର୍ନୀତି ନିବାରଣ ସଂସ୍ଥା ସି.ବି.ଆଇ ଅଥବା ଭିଜିଲାନ୍ସ ବିଭାଗକୁ ବ୍ୟବହାର କରି ରାଜନେତା ଓ ପ୍ରତିପକ୍ଷ ଦଳକୁ ନିନ୍ଦିତ କରବାରେ ଚେଷ୍ଟା କରାଯାଉଥିବାର ଦେଖିବାକୁ ମିଳୁଛି । ଅଭିଯୋଗ ପଛରେ କିଛି ସତ୍ୟତା ଯେ ନାହିଁ ତା’ ନୁହେଁ । କିନ୍ତୁ ନିର୍ଦ୍ଦିଷ୍ଟ କିଛି ରାଜନୈତିକ ଦଳ ଓ ତାର ବ୍ୟକ୍ତିମାନଙ୍କ ପିଛା ଏହିସବୁ ସଂସ୍ଥାକୁ ଲଗାଇ ବାରମ୍ବାର, ବିଶେଷତଃ ନିର୍ବାଚନ ସମୟରେ ସେମାନଙ୍କୁ ହଇରାଣ କରିବା, ନିନ୍ଦିତ କରିବା ଦ୍ୱାରା ସାଧାରଣ ଲୋକଙ୍କ ଭିତରେ ଅନେକ ସନେ୍ଦହ ଉପୁଜୁଛି । ସେମାନେ ବିଚାରୁଛନ୍ତି କେବଳ କ’ଣ ଏହିମାନେ ଚୋର, ଅନ୍ୟସମସ୍ତେ ସାଧୁ ଅଛନ୍ତି! ଯଦି ଅଭିଯୋଗ ଥିଲା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ କାହିଁକି? ଏବଂ ଯେତେବେଳେ କୌଣସି ନେତା ବା ଦଳ ଏହି ସଂସ୍ଥା ଦ୍ୱାରା ଧରାଯାଇ ପରବର୍ତ୍ତୀକାଳରେ ସରକାରୀ ଦଳର ଆଶ୍ରା ନେଲା ସେ ସ୍ୱଚ୍ଛ ଓ ସାଧୁତାର ପୋଷାକ ପିନ୍ଧି ପୁନଶ୍ଚ ରାଜନୀତି ବଜାରରେ ବୁଲିବାର ଦେଖାଦେଲା । ଏଣୁ ଇଡ଼ି ବିରୋଧରେ ଅତିଜୋର୍‌ରେ କୌଣସି ନେତା କହିବା ଉଚିତ୍‌ ନହେଲେ ମଧ୍ୟ, ଓ ଏବେ ଦେଖାଯାଉଛି ଇଡ଼ିକୁ ଅନେକ ଭାବରେ ନିନ୍ଦା କରିବା, ପ୍ରତ୍ୟାଖାନ କରିବା, ସମାଲୋଚନା କରିବା, ଯଦିଓ ଉଚିତ୍‌ ନୁହେଁ, କିନ୍ତୁ କିଛି ନେତା ଓ ଦଳ ସେପରି କରିବାକୁ ପଛାଇନାହାନ୍ତି ।

Advertisment

ଏବେ ନିକଟ ଅତୀତରେ ପଶ୍ଚିମବଙ୍ଗରେ ଥିବା ତୃଣମୂଳ କଂଗ୍ରେସର ସରକାର ଓ ତାର ନେତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଡ଼ିର ଅନୁସନ୍ଧାନ ବେଳେ କିଛି ଅଫିସରଙ୍କ ଠାରୁ କେତେକ କାଗଜପତ୍ର ଛଡ଼ାଇ ନେବାର ଅଭିଯୋଗ ହେଲା । ସେ ମଧ୍ୟ ପ୍ରତିଅଭିଯୋଗ କଲେ । ଏହି ଅଭିଯୋଗ ଓ ପ୍ରତିଅଭିଯୋଗ ଏପରି ସ୍ତରରେ ପହଞ୍ଚିଲା ଯେ, ସଂସ୍ଥା ଓ ସଂସ୍ଥାର ପଦାଧିକାରୀମାନେ ସାଧାରଣରେ ବିଶ୍ୱାସନୀୟତା ହରାଇଥିବାର ଅନେକ ଆଭାସ ମିଳିଲା । ସେହିପରି ଅନ୍ୟଏକ ସଂସ୍ଥା ଯାହାକି ଆୟକର ଫାଙ୍କିର ଅଭିଯୋଗରେ କିଛି ଧନାଢ଼୍ୟ ବ୍ୟକ୍ତିଙ୍କୁ ଧରିବା ଓ ସେମାନଙ୍କ ପାଖରେ ଠୁଳ ହୋଇ ରହିଥିବା ପ୍ରଚୁର ଅର୍ଥ ଯାହାକି ତାଙ୍କର ସ୍ୱଅର୍ଜିତ ଆୟ ବର୍ହିଭୁକ୍ତ ସମ୍ପତ୍ତି ଧରି ସାଧାରଣରେ ବିଜ୍ଞାପିତ କରିଥାନ୍ତି । ଅଧିକନ୍ତୁ କେନ୍ଦ୍ରିୟ ସ୍ତରରେ ସିବିଆଇ ଆଉ ରାଜ୍ୟସ୍ତରରେ ଭିଜିଲାନ୍ସ ସଂସ୍ଥାମାନେ ଅନୈତିକ ଅର୍ଥ ଠୁଳ କରିଥାନ୍ତି, ସେମାନଙ୍କୁ ଧରାଯାଏ । କିନ୍ତୁ ଦେଖାଯାଉଛି ଏହାସତ୍ୱେ ସରକାରୀ କର୍ମଚାରୀ ବା ପଦାଧିକାରୀମାନେ ଅଧିକରୁ ଅଧିକ ଦୁର୍ନୀତିର ଆଶ୍ରୟ ନେଇ ପ୍ରଚୁର ଅର୍ଥ ଠୁଳ କରିଚାଲିଛନ୍ତି । ଏମାନଙ୍କ ସଂଖ୍ୟା କମୁନାହିଁ । ଏମାନଙ୍କ ଭିତରୁ ଅନେକ କାରାଗାର ଗଲେ ବା ଦଣ୍ଡିତ ହେଲେ ଲଜ୍ୟାବୋଧ କରୁଥିବା ଦେଖାଯାଉନାହିଁ । ସେମାନେ ଅଭିଯୁକ୍ତ ହେଲେ ମଧ୍ୟ ଅତି ଗର୍ବର ସହିତ ସମାଜରେ ମୁଣ୍ଡଟେକି ଚାଲୁଛନ୍ତି ଓ ସମାଜରେ ଅତି ଆଡମ୍ବରରେ ପୁଅ-ଝିଅର ବାହାଘର କରାଇପାରୁଛନ୍ତି । ସେହିସବୁ ଆଡମ୍ବରପୂର୍ଣ୍ଣ ବିବାହ ଉତ୍ସବରେ ଅନେକ ରାଜନେତା ଓ ପଦାଧିକାରୀ ଏପରିକି ଅନୁସନ୍ଧାନକାରୀମାନେ ଯୋଗଦେଇଥିବା ମଧ୍ୟ ଦେଖାଯାଏ । ଏଣୁ ସମସ୍ତ ଅନୁସନ୍ଧାନ, ଧରପଗଡ଼ ବା ଅଭିଯୁକ୍ତଙ୍କୁ ଦଣ୍ଡଦେବା ଏକ ପ୍ରହସନରେ ପରିଣତ ହେଲାଣି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବାରେ ସର୍ବାଗ୍ରେ ବୋଧହୁଏ ରାଜନେତାମାନେ ଓ ତାଙ୍କର ପରିବାରବର୍ଗ ଥାଆନ୍ତି ।

ଆମେ ଇତିହାସକୁ ଲକ୍ଷ୍ୟ କରିଛେ ଓ ଅନେକ ଅଧ୍ୟୟନ କରିଛେ । ଭାରତୀୟ ମୁକ୍ତି ସଂଗ୍ରାମର ଦୁଇ ମୁଖ୍ୟନାୟକ ମହାତ୍ମା ଗାନ୍ଧୀ ଓ ଲାଲ୍‌ ବାହାଦୂର ଶାସ୍ତ୍ରୀ ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ । ଲୋକେ ଅତି ଆଗ୍ରହର ସହିତ ସେମାନଙ୍କ ହାତରେ ମୂଲ୍ୟବାନ୍‌ ଅଳଙ୍କାର ସହିତ ଟଙ୍କା ଦାନ କରୁଥିବାର ଅନେକ ହିସାବର କାହାଣୀ ସାମ୍ନାକୁ ଆସିଛି । କିନ୍ତୁ ସେମାନଙ୍କୁ କେହି ଦୁର୍ନୀତିଗ୍ରସ୍ତ ବୋଲି ବିଚାରୁନଥିଲେ । ମହାତ୍ମା ଗାନ୍ଧୀଙ୍କର ଗୋଟିଏ କାହାଣୀ ଆମେ ସମସ୍ତେ ଜାଣିଛେ । ସେ ଏକଦା କଲିକତାର ସହରରେ କଂଗ୍ରେସର ସଭାରେ ପାଣ୍ଠି ସଂଗ୍ରହ କରୁଥିଲେ । ହଠାତ୍‌ ଜଣେ ବ୍ୟକ୍ତି କିଛି ଅର୍ଥ ଦେବାପାଇଁ ମନସ୍ତ କରି ଖବର ପଠାଇଲେ । ଗାନ୍ଧିଜୀ ତାଙ୍କୁ ନିମନ୍ତ୍ରଣ କଲେ । ସେ ଯେତେବେଳେ ସଭା ମଣ୍ଡପ ଉପରକୁ ଯାଇ ଲୋକଙ୍କ ଉପସ୍ଥିତିରେ କିଛି ଅର୍ଥ ଗାନ୍ଧିଜୀଙ୍କୁ ଦାନ କଲେ, ଗାନ୍ଧିଜୀ ପଚାରିଲେ, ଆପଣ କ’ଣ କରନ୍ତି? ସେ କହିଲେ, ମୁଁ କପଡ଼ା ବ୍ୟବସାୟୀମାନଙ୍କର ପ୍ରତିନିଧି ଭାବେ ଏହି ଅର୍ଥ ଆପଣଙ୍କୁ ଦେଉଛି । ଗାନ୍ଧିଜୀ ହଠାତ୍‌ ବିବ୍ରତ ହୋଇ ସେ ଟଙ୍କା ତାଙ୍କୁ ଫେରାଇ ଦେଇଥିଲେ ଓ କହିଥିଲେ, ମୁଁ ବିଦେଶୀ କପଡ଼ା ବିରୋଧରେ ଆହ୍ୱାନ ଦେଇଛି, ସେଥିରେ କଂଗ୍ରେସ ଆନ୍ଦୋଳନ କରୁଛି । ଆପଣ କେଉଁ ସାହସରେ ଏ ପଇସା ଆଣି ମୋତେ ଦେଉଛନ୍ତି? ଲୋକଜଣକ ଅପଦସ୍ତ ହୋଇଯାଇଥିଲେ । ଦୁଃଖ ଓ ଅନୁଶୋଚନାର ସହିତ ଟଙ୍କା ଥଳିଟି ଧରି ଫେରିଯାଇଥିଲେ । ସେ ଆଣିଥିବା ଅର୍ଥଠାରୁ ଯଥେଷ୍ଟ କମ୍‌ ଅର୍ଥରାଶି ଥିବା ଥଳିଟିଏ ଧରି ଜଣେ ବ୍ୟକ୍ତି ଗାନ୍ଧିଜୀଙ୍କୁ ଏହି ଅର୍ଥ ଗ୍ରହଣ କରିବା ପାଇଁ ନିବେଦନ କଲେ । ଗାନ୍ଧିଜୀ ପଚାରିଥିଲେ, ଆପଣ କ’ଣ କରନ୍ତି? ଭଦ୍ରବ୍ୟକ୍ତିଙ୍କ ଉତ୍ତର ଥିଲା, ମୁଁ ଶସ୍ୟ ବ୍ୟବସାୟୀମାନଙ୍କର ପ୍ରତିନିଧି । ତାଙ୍କ ଠାରୁ ଏହା ସଂଗ୍ରହ କରିଛି । ଗାନ୍ଧିଜୀ ତତ୍‌କ୍ଷଣାତ୍‌ ହାତବଢ଼ାଇ ସେହି ଅର୍ଥ ଗ୍ରହଣ କରିଥିଲେ ।

Advertisment

ମୋଟାମୋଟି ଭାବେ ଦେଖିବାକୁ ଗଲେ ଦଳ ପରିଚାଳନା ବା ସଂଗଠନ କାର୍ଯ୍ୟରେ ଅର୍ଥ ଆବଶ୍ୟକ ହୋଇଥାଏ । କିନ୍ତୁ ଯେଉଁ ଅର୍ଥ ପଛରେ ନୀତିହିନତା ଥାଏ ସେପରି ଅର୍ଥ ସ୍ୱଚ୍ଛ ଓ ନିର୍ମଳ ନେତାମାନେ ଗ୍ରହଣ କରିବା ଉଚିତ୍‌ ନୁହେଁ ବୋଲି ଗାନ୍ଧିଜୀ ବାର୍ତ୍ତାଟିଏ ସମସ୍ତଙ୍କ ସାମ୍ନାରେ ଛାଡ଼ିଯାଇଛନ୍ତି । ଗାନ୍ଧିଜୀ ମଧ୍ୟ ଯେଉଁ ଅର୍ଥ ଯାହାଠାରୁ ଯେବେ ସଂଗ୍ରହ କରୁଥିଲେ ବା ଯାହାକୁ ଦାନ କରୁଥିଲେ ସେ ସମସ୍ତ ଆୟ ବ୍ୟୟର ଟିକିନିକି ହିସାବ ତାଙ୍କ ପ୍ରକାଶିତ ‘ହରିଜନ’ ପ୍ରତି୍ରକାରେ ନିୟମିତ ଭାବେ ପ୍ରକାଶିତ ହେଉଥିଲା । ସେ ନିଜେ ମଧ୍ୟ ଅତି ସରଳ ଜୀବନଯାପନ କରୁଥିଲେ । ଯେଉଁଥିରେ ତାଙ୍କ ନିଜ ପାଇଁ ପିନ୍ଧିବା, ଖାଇବା ଓ ଚଳିବା ନିମନ୍ତେ ପଇସାଟିଏ ବି ଖର୍ଚ୍ଚ ହେଉନଥିଲା । ଲୋକେ ଏସବୁ ଦେଖୁଥିଲେ । ତାଙ୍କୁ ଅବିଶ୍ୱାସ କରିବାର କୌଣସି କାରଣ ହିଁ ନଥିଲା । କିନ୍ତୁ ସାଂପ୍ରତ୍ତିକ ରାଜନୀତି କ୍ଷେତ୍ରରେ ଆମେ ସମସ୍ତେ ଦେଖୁଛେ ଯେଉଁମାନେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ବଡ଼ ଚିକ୍ରାର କରି କହୁଛନ୍ତି, ସେମାନେ ନିଜେ ମଧ୍ୟ ବିଭିନ୍ନ ଉପାୟରେ ଅର୍ଥ ଉପାର୍ଜନ କରନ୍ତି ଓ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି । ମନ୍ତ୍ରୀ, ନେତାମାନେ ସେହି ପଦ ପଦବୀକୁ ଆସିବା ପୂର୍ବରୁ ତାଙ୍କର ଚଳଣିକୁ ସାଧାରଣ ଜନତା ଦେଖିଥାନ୍ତି । ପରବର୍ତ୍ତୀକାଳରେ ପଦପଦବୀରେ ରହିବାପରେ ତାଙ୍କର ଚଳଣି ଓ ଖର୍ଚ୍ଚ ବହୁଳତା ଲୋକଙ୍କ ନଜରକୁ ଆସେ । ନିର୍ବାଚନରେ ଗୁପ୍ତଭାବରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଥିବା ସେହି ବ୍ୟକ୍ତିମାନଙ୍କୁ ଲୋକେ ବିଶ୍ୱାସ କରିବେ କିପରି? ସେମାନଙ୍କର କୌଣସି କଥାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡେନାହିଁ ବରଂ ଦୁର୍ନୀତି ବ୍ୟାପିବାରେ ଲାଗେ ।

ଭାରତ ଇତିହାସର ଦ୍ୱିତୀୟ ବ୍ୟକ୍ତି ହେଉଛନ୍ତି ଲାଲ୍‌ ବାହାଦୂର ଶାସ୍ତ୍ରୀ । ସେ ଅତ୍ୟନ୍ତ ସ୍ୱଳ୍ପବ୍ୟୟୀ, ନିର୍ମଳ ଓ ସରଳ ଜୀବନଯାପନ କରୁଥିଲେ । ସେ ଦଳ ପାଇଁ ପାଣ୍ଠି ସଂଗ୍ରହ କରିବାର ଦାୟିତ୍ୱରେ ମଧ୍ୟ ଥିଲେ । ଦଳ ପାଇଁ ସଂଗୃହୀତ ପାଣ୍ଠିକୁ ଦଳରେ ଜମାଦେବାର ପ୍ରାଥମିକତା ତାଙ୍କ ପାଖରେ ଥିଲା। ଏକଦା ସଂଗୃହୀତ ପାଣ୍ଠିକୁ ଦଳରେ ନଦେଇ ସେ ଘରକୁ ଫେରିଆସିଥିଲେ । ସେହି ମାସରେ ସେ ପାଉଥିବା ଦଳୀୟ ଦରମା ଆଣିବାରେ ତାଙ୍କର ବିଳମ୍ବ ଘଟିଥିବାରୁ ଘରେ ଖାଇବା ପାଇଁ ଆବଶ୍ୟକ ପଦାର୍ଥ କିଣିବାରେ ଅସୁବିଧା ଉପୁଜିଥିଲା । ଘରେ ଖାଇବା ପାଇଁ କିଛି ନଥିଲା । ତାଙ୍କ ସ୍ତ୍ରୀ ଲେଖିଛନ୍ତି, “ମୋ ପତି ମୋ ଦେବତା” । ସେ ଆଗରୁ କେବେ ଏପରି କାର୍ଯ୍ୟ କରିନଥିଲେ ମଧ୍ୟ ସେଦିନ ଘରେ କିଛି ଜିନିଷ ଖାଇବା ପାଇଁ ନଥିବାରୁ ଶାସ୍ତ୍ରୀଜୀଙ୍କ ପକେଟରୁ କିଛି ଅର୍ଥ ନେଇ ଖାଦ୍ୟ ପଦାର୍ଥ କିଣିଥିଲେ । ଶାସ୍ତ୍ରୀଜୀ ନିୟମିତ ଭାବେ ଭୋଜନ ସମ୍ପୂର୍ଣ୍ଣ କରି ଅଫିସ୍‌କୁ ଯାଇଥିଲେ । ପରବର୍ତ୍ତୀକାଳରେ ଘରକୁ ଫେରିଲାପରେ ସେ ଅତି ଗମ୍ଭୀର ହୋଇଯାଇଥିଲେ । ମୌନ ରହିବା ସହିତ ଅନଶନ ମଧ୍ୟ କରିଥିଲେ । ମା’ ବୁଝିପାରିଥିଲେ, ଶାସ୍ତ୍ରୀଜୀଙ୍କ କୌଣସି ନା କୌଣସି ଚିନ୍ତାରେ ଆଘାତ ଲାଗିଛି । ସେ ବୁଝିଥିଲେ, ତାଙ୍କ ପକେଟରୁ କିଛି ଦଳୀୟ ଚାନ୍ଦା ଚାଲିଯାଇଛି । କହିଥିଲେ, ଯେପର୍ଯ୍ୟନ୍ତ ମୁଁ ତା’ ଭରଣା ନକରିଛି ଘରେ ଜଳ ବି ସ୍ପର୍ଶ କରିବି ନାହିଁ । ଶାସ୍ତ୍ରୀଜୀଙ୍କର ଏହି ସଂକଳ୍ପ ଓ ଏହି ବାର୍ତ୍ତା ତାଙ୍କ ସ୍ତ୍ରୀଙ୍କ ଉପରେ ବଡ଼ ପ୍ରଭାବ ପକାଇଥିଲା । ସେ ଦୋଷ ସ୍ୱୀକାର କରିଥିଲେ । ଆଉ ଦିନେ ଏପରି କରିବେ ନାହିଁ ବୋଲି ସଂକଳ୍ପ ନେଇଥିଲେ । ଏହା ହିଁ ହେଉଛି ଜଣେ ନେତା ଓ ଉତ୍ତମ ବ୍ୟକ୍ତିଙ୍କର ପରିଚୟ । କିନ୍ତୁ ବର୍ତ୍ତମାନକାଳରେ କେବଳ ପଦାଧିକାରୀ ନେତା, ମନ୍ତ୍ରୀ ନୁହଁନ୍ତି ତାଙ୍କର ପରିବାରବର୍ଗ ଅର୍ଜିତ ଅର୍ଥକୁ ଅସଦ ଉପାୟରେ ହାତେଇବାରେ ପଛାଉନାହାନ୍ତି । ଏ ସମସ୍ତ କାହାଣୀ ବା ଆଦର୍ଶର ବାର୍ତ୍ତା ସେ ସମୟରେ ସଂଗ୍ରାମୀମାନଙ୍କ ଉପରେ ପଡୁଥିଲା । ବର୍ତ୍ତମାନ କାହାରି ପାଖରେ ଏପରି ସ୍ୱଚ୍ଛତା ନଥିବାରୁ ସେମାନଙ୍କର ଆଦର୍ଶର ପ୍ରଭାବ ତାଙ୍କ ପରିବାର ବା ସାଥୀମାନଙ୍କ ଉପରେ ପଡୁନାହିଁ। ଏବେ ଦେଖିବାକୁ ମିଳୁଛି ଯେ, ମନ୍ତ୍ରୀ ଓ ନେତାମାନେ ଅତି ନିର୍ଲଜ ଭାବେ ଯେପରି ଅର୍ଥସଂଗ୍ରହ କରୁଛନ୍ତି ତାର କୁପ୍ରଭାବରେ ତାଙ୍କର ପିଲାମାନେ ବରଂ ବେଶୀ ପ୍ରଭାବିତ ହେଉଛନ୍ତି । ଏହିପରି ଗୋଟିଏ ରାଜନୈତିକ ସ୍ଥିତି, ପାରିବାରିକ ସ୍ଥିତି ଆମ ସମାଜକୁ କଳୁଷିତ ଓ କଳଙ୍କିତ କରିବା ସହିତ ଆବଦ୍ଧ କରିରଖିଛି ।

ଗତ ଶତାବ୍ଦୀର ୬୦ଦଶକରେ ଗୁର୍ଣ୍ଣାଲ୍‌ ମେରିଡାଲ୍‌ଙ୍କ ରଚିତ ଏସିଆନ୍‌ ଡ୍ରାମା ଭାରତବର୍ଷରେ ଦୁର୍ନୀତି ବ୍ୟାପକତା ସମ୍ପର୍କରେ ଯେଉଁ ତଥ୍ୟ ଓ ମତାମତ ରଖିଥିଲେ, ସେଥିରେ ସେ ସମୟର ରାଜନୈତିକ ସ୍ଥିତି ଓ ଅର୍ଥନୈତିକ ଦୁର୍ବଳତା, ଅଭାବ, ଅନାଟନ ମୁଖ୍ୟତଃ ଦାୟୀ ବୋଲି ମତ ରଖିଥିଲେ । ଏବେ ଦେଖାଯାଉଛି ଯେଉଁମାନଙ୍କ ପାଖରେ ପ୍ରଚୁର ଅର୍ଥ ଅଛି ସେମାନେ ଅଧିକ ଦୁର୍ନୀତିଗ୍ରସ୍ତ ଓ ପୁଞ୍ଜି ଠୁଳ କରିବା ନିମନ୍ତେ ସମସ୍ତ ପ୍ରକାର ନୀତିହିନ କାର୍ଯ୍ୟରେ ଲାଗିଛନ୍ତି । ଏକଥା ମଧ୍ୟ ଦେଖାଯାଉଛି ଯେ, ଏହି ପୁଞ୍ଜି ଠୁଳକାରୀମାନେ ଅତ୍ୟନ୍ତ ଗର୍ବର ସହିତ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି ଓ ଦାମୀକିଆ ଗାଡ଼ି, ବିଳାସପୂର୍ଣ୍ଣ ପ୍ରାସାଦ ବ୍ୟବହାର କରୁଛନ୍ତି ।

ସଂପ୍ରତ୍ତି ଏକ ହିସାବରୁ ଜଣାଯାଏ, ବିଶ୍ୱରେ ଥିବା ୧୮୦ ଗୋଟି ରାଷ୍ଟ୍ର ମଧ୍ୟରୁ ଭାରତବର୍ଷ ୯୬ ତମ ସ୍ଥାନରେ ରହି ଦୁର୍ନୀତିର ଏକ ଶକ୍ତ ସ୍ତବର ପରିଚୟ ଦେଇଛି । ଗତ ୫ବର୍ଷ ତଳେ ଭାରତର ସ୍ଥାନ ୯୩ତମ ଥିଲା । ଏବେ ଖସିଆସି ୯୬ରେ ପହଞ୍ଚିଛି । ଦୁର୍ନୀତି ରାଷ୍ଟ୍ରକୁ ଦୁର୍ବଳ କରେ । ବ୍ୟକ୍ତି, ପରିବାର ଓ ସମାଜକୁ ରୁଗ୍‌ଣ କରିଥାଏ । ଏପରି ସ୍ଥିତିରେ ଥିବା ବ୍ୟକ୍ତି, ପରିବାର, ସମାଜ, ରାଷ୍ଟ୍ର କେହି ବି ଅନ୍ୟ ପାଇଁ ଆଦର୍ଶ ହୋଇପାରିବେ ନାହିଁ। ଏପରି ସ୍ଥିତିରେ କେହି ନିଜକୁ ଅନ୍ୟର ଗୁରୁ ଓ ଆଦର୍ଶ ବୋଲି କହିବା ହାସ୍ୟାସ୍ପଦ ମନେହୁଏ । ଭାରତ ଏପରି ସ୍ଥିତିରେ ବିଶ୍ୱର ଗୁରୁ ହେବ କେମିକି? କେବଳ ଉତ୍ତମ ପୁରୁଷ ବା ପୁରୁଷୋତ୍ତମଙ୍କ ନାମ ନେଇ କେହି କ’ଣ କେବେ ଆଦର୍ଶ ସ୍ଥାନୀୟ ହୋଇପାରିବ? ଆମେ ସମସ୍ତେ ଜାଣିବା ଦରକାର ଯେ, ଭାରତକୁ ଏକ ଆଦର୍ଶ ସ୍ଥାନୀୟ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଆମ ନେତାମାନଙ୍କର ଆଚରଣ ଓ ଉଚ୍ଚାରଣ ଭିତରେ ତଫାତ୍‌ ରହିବା ଠିକ୍‌ ନୁହେଁ । ସେମାନେ ନୀତିବାନ୍‌ ଓ ସଚ୍ଚୋଟ ହେବା ଦରକାର ।