ରାଜ୍ୟ ଉପରେ ଟିକାକରଣ ବୋଝ

ସରଳ କୁମାର ଦାସ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶର ଅଗ୍ରାଧିକାର ଜନସଂଖ୍ୟା କୁହାଯାଉଥିବା ୪୫ ବର୍ଷ ଓ ତା’ଠାରୁ ଅଧିକ ବୟସର ଲୋକ, ସ୍ୱାସ୍ଥ୍ୟ କର୍ମୀ, କୋଭିଡର ସମ୍ମୁଖ ଯୋଦ୍ଧାଙ୍କ ସରକାରୀ ହସପିଟାଲରେ ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ନିଃଶୁଳ୍କ ବହନ କରୁଥିବା ବେଳେ ୧୮ ବର୍ଷରୁ ୪୫ ବର୍ଷ ବୟସ ବର୍ଗରେ ଥିବା ଲୋକଙ୍କ ଟିକାକରଣ ଦାୟିତ୍ୱ ରାଜ୍ୟଗୁଡିକ ଉପରେ ନ୍ୟସ୍ତ କରାଯାଇଛି। ଓଡିଶା ସମେତ କେତେକ ରାଜ୍ୟ ଏହି ବୟସ ବର୍ଗର ସରକାରୀ ହସପିଟାଲରେ ଟିକାକରଣକୁ ନିଃଶୁଳ୍କ ଘୋଷଣା କରି ସାରିଛନ୍ତି। ଦେଶର ସମୁଦାୟ ଜନସଂଖ୍ୟା ୧୩୩ କୋଟିରୁ ଟିକା ନେବା ପାଇଁ ଯୋଗ୍ୟ (୧୮ ବର୍ଷରୁ ଅଧିକ) ଲୋକଙ୍କ ସଂଖ୍ୟା ପ୍ରାୟ ୮୪ କୋଟି।

ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କର ଟିକାକରଣ ପାଇଁ ୬୭,୧୯୩ କୋଟି ଟଙ୍କା ବା ସମୁଦାୟ ଘରୋଇ ଉତ୍ପାଦର ୦.୩୬ ପ୍ରତିଶତ ବ୍ୟୟ ହୋଇପାରେ ବୋଲି ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ (ଇଣ୍ଡ-ରା) ସଂସ୍ଥା ଅପ୍ରେଲ ମାସର ଶେଷ ଆଡ଼କୁ ଆକଳନ କରିଥିଲେ। ସେହି ଆକଳନ ଅନୁଯାୟୀ ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ ୨୦,୮୭୦ କୋଟି ଟଙ୍କା (ଜିଡିପିର ୦.୧୨ ପ୍ରତିଶତ) ଓ ରାଜ୍ୟଗୁଡିକ ଉପରେ ୪୬,୩୨୩ କୋଟି ଟଙ୍କା (ଜିଡିପିର ୦.୨୪ ପ୍ରତିଶତ) ବୋଝ ପଡ଼ିପାରେ। ତେବେ ଏହା ଦ୍ୱାରା ଯେଉଁ ରାଜ୍ୟଗୁଡିକ ଉପରେ ସର୍ବାଧିକ ପ୍ରଭାବ ପଡ଼ିବ ସେଗୁଡ଼ିକ ହେଲା ବିହାର (ଜିଡିପିର ୦.୬୦ ପ୍ରତିଶତ), ଉତ୍ତରପ୍ରଦେଶ (୦.୪୭), ଝାରଖଣ୍ଡ (୦.୩୭), ମଣିପୁର (୦.୩୬), ଆସାମ (୦.୩୫), ମଧ୍ୟପ୍ରଦେଶ (୦.୩୦) ଓ ଓଡ଼ିଶା (୦.୩୦)। ଏହା ଓଡ଼ିଶା ପାଇଁ ଶୁଭ ଖବର ନୁହେଁ। ଟିକାକରଣ ବାବଦ ବ୍ୟୟ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ବଜେଟର ହାରାହାରି ୨୭ ପ୍ରତିଶତ ହେବ ବୋଲି କୁହାଯାଉଛି।

ଇତିମଧ୍ୟରେ ଟିକାକରଣ ପରିଦୃଶ୍ୟରେ ଯଥେଷ୍ଟ ପରିବର୍ତ୍ତନ ହୋଇ ସାରିଥିବାରୁ ବ୍ୟୟ ଆକଳନରେ ବି ପରିବର୍ତ୍ତନ ହୋଇପାରେ। ଭାରତ ହେଉଛି ଏକମାତ୍ର ଟିକା ଉତ୍ପାଦନକାରୀ ଦେଶ ଯିଏ ଟିକା ପାଇଁ ଘରୋଇ ବଜାର ଖୋଲି ଦେଇ ନାଗରିକଙ୍କୁ ଟିକା କିଣିବା ପାଇଁ ପ୍ରେରିତ କରୁଛି। ତେଣୁ ଏହି ବଡ଼ ଘରୋଇ ବଜାରଟିରେ ପ୍ରବେଶ କରିବା ଆଶାରେ ବିଦେଶୀ ଟିକା ଉତ୍ପାଦନକାରୀମାନେ ଅନାଇ ବସିଛନ୍ତି। ତେବେ ଏ ଯାଏଁ ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଦ୍ୱାରା କେବଳ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ ଭଳି ତିନିଟି ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି। ସ୍ପୁଟନିକ ଟିକାର ମୂଲ୍ୟ ଡୋଜ ପ୍ରତି ୯୯୬ ଟଙ୍କା। ଆମ ପଡ଼ୋଶୀ ଦେଶ ବଙ୍ଗଳାଦେଶର ଘରୋଇ ବଜାରରେ କୋଭିସିଲ୍ଡ ଟିକା ଡୋଜ ପ୍ରତି ପ୍ରାୟ ୯୫୦ ଟଙ୍କା (୧୩ ଡଲାର)ରେ ବିକ୍ରି ହେଉଥିବା ବେଳେ, ଥାଇଲାଣ୍ଡରେ କରୋନାଭାକ୍ସ ଟିକା ୨୩୪୦ ଟଙ୍କା (୩୨ ଡଲାର), ନେପାଳରେ କୋଭାକ୍ସିନ ଟିକା ୨୫୦୦ ଟଙ୍କା (୩୫ ଡଲାର) ଓ ପାକିସ୍ତାନରେ ସ୍ପୁଟନିକ ଟିକା ଡୋଜ ପ୍ରତି ୧୯୦୦ ଟଙ୍କା (୨୭ ଡଲାର)ରେ ଉପଲବ୍ଧ। ଅର୍ଥାତ୍, ବିଦେଶୀ ଟିକା ଆମଦାନୀ କରି ଟିକାକରଣ କରିବା ରାଜ୍ୟଗୁଡ଼ିକ ପକ୍ଷରେ ନିଶ୍ଚିତ ଭାବେ ଅଧିକ ବ୍ୟୟ ବହୁଳ ହେବ।

ଓଡ଼ିଶା ଉପରେ ମଧ୍ୟ ଟିକାକରଣ ବୋଝ ଯଥେଷ୍ଟ ବେଶି ପଡ଼ିବାକୁ ଯାଉଛି। ଏହାର ସାଢ଼େ ଚାରି କୋଟିର ଜନସଂଖ୍ୟା ମଧ୍ୟରୁ ଟିକା ନେବା ଯୋଗ୍ୟ ୧୮ରୁ ଅଧିକ ବର୍ଷ ବୟସର ଲୋକଙ୍କ ସଂଖ୍ୟା ପ୍ରାୟ ୩.୨୫ କୋଟି (୨୦୧୯ ଭୋଟର ତାଲିକା ଆଧାରରେ)। ଏମାନଙ୍କ ମଧ୍ୟରୁ ପ୍ରାୟ ୪୫ ବର୍ଷରୁ ଅଧିକ ବୟସ ବର୍ଗର ପ୍ରାୟ ୧.୪୦ କୋଟି ହୋଇଥିବା ବେଳେ ୧.୮୫ କୋଟି ୧୮ରୁ ୪୫ ବର୍ଷ ବୟସ ବର୍ଗର। ୪୫ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କ ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ବହନ କରିଥିବାରୁ ୧.୮୫ କୋଟି ଲୋକଙ୍କ ଟିକାକରଣ ଦାୟିତ୍ୱ ଓଡ଼ିଶା ସରକାରଙ୍କ ଉପରେ ପଡ଼ିବ। ଅବଶ୍ୟ ଏମାନଙ୍କ ମଧ୍ୟରୁ ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକ ନିଜେ ଏବଂ କମ୍ପାନୀ ବା କର୍ପୋରେଟ ହାଉସମାନେ ନିଜ କର୍ମଚାରୀମାନଙ୍କ ଟିକାକରଣ ଦାୟିତ୍ୱ ବହନ କରି ଘରୋଇ ହସପିଟାଲଗୁଡ଼ିକରେ ଟିକାକରଣ କରି ପାରନ୍ତି। ଓଡ଼ିଶାରେ ସେଭଳି ଲୋକ ଓ କମ୍ପାନୀର କର୍ମଚାରୀଙ୍କ ସଂଖ୍ୟା ଅଧିକ ହୋଇ ନ ଥିବାରୁ ଅତି ବେଶିରେ ୫ ପ୍ରତିଶତ ବା ୨୦ ଲକ୍ଷ ଲୋକ ଘରୋଇ ହସପିଟାଲରେ ଟିକା ନେଇ ପାରନ୍ତି। ଏହି ବର୍ଗର ଅବଶିଷ୍ଟ ୧.୬୫ କୋଟି ଲୋକଙ୍କୁ ଦୁଇ ଡୋଜ ଲେଖାଏଁ ଟିକା ଦେଲେ ସମୁଦାୟ ୩.୩୦ କୋଟି ଡୋଜ ଟିକା ଓ ୫ ପ୍ରତିଶତ ଟିକା ନଷ୍ଟ ହେବ ବୋଲି ଧରିଲେ ସେ ବାବଦକୁ ୦.୨୦ କୋଟି ଡୋଜ ଟିକା ଏହିପରି ସମୁଦାୟ ପ୍ରାୟ ୩.୫୦ କୋଟି ଡୋଜ ଟିକାର ଆବଶ୍ୟକତା ପଡ଼ିବ। ରାଜ୍ୟଗୁଡ଼ିକୁ ଏସଆଇଆଇ କମ୍ପାନୀ କୋଭିସିଲ୍ଡ ଟିକା ଡୋଜ ପ୍ରତି ୩୦୦ ଟଙ୍କା ଓ ଭାରତ ବାଇଓଟେକ କମ୍ପାନୀ କୋଭାକ୍ସିନ ଟିକା ଡୋଜ ପ୍ରତି ୪୦୦ ଟଙ୍କାରେ ଯୋଗାଇବାକୁ ଘୋଷଣା କରିଛନ୍ତି। ଅବଶ୍ୟ ତା’ ଉପରେ ଜିଏସଟି ଲାଗିବ। ତେଣୁ ହାରାହାରି ଡୋଜ ପ୍ରତି ୪୦୦ ଟଙ୍କା ପଡ଼ିଲେ ଜଣକର ଦୁଇ ଡୋଜ ଟିକାକରଣ ବାବଦକୁ ୮୦୦ ଟଙ୍କା ପଡ଼ିପାରେ। ଯଦି ରାଜ୍ୟ ତା’ର ସମସ୍ତ ଟିକା ଆବଶ୍ୟକତା ଏହି ଦୁଇ ପ୍ରକାର ଟିକା ଉପରେ ନିର୍ଭର କରି ତୁଲାଇ ପାରିବ ତେବେ ୩.୫୦ କୋଟି ଡୋଜ ଟିକା ପାଇଁ ରାଜ୍ୟକୁ ପ୍ରାୟ ୧୪୦୦ କୋଟି ଟଙ୍କା ବହନ କରିବାକୁ ପଡ଼ିବ।

କିନ୍ତୁ ବାସ୍ତବତା ହେଉଛି ଏହି ଦୁଇଟି ଟିକା ଉତ୍ପାଦନକାରୀ କମ୍ପାନୀ ରାଜ୍ୟକୁ ନିକଟ ଭବିଷ୍ୟତରେ ଏତେ ପରିମାଣର ଟିକା ଯୋଗାଇ ଦେବାକୁ ସମର୍ଥ ନୁହନ୍ତି। କାରଣ ସେମାନଙ୍କ ଦ୍ୱାରା ଉତ୍ପାଦିତ ଟିକାର ୫୦ ପ୍ରତିଶତ କେନ୍ଦ୍ର ସରକାରଙ୍କୁ ଦିଆ ଯାଉଥିବା ବେଳେ ବାକି ୫୦ ପ୍ରତିଶତ ସବୁ ରାଜ୍ୟ ଓ ହସପିଟାଲଗୁଡ଼ିକୁ ଯୋଗାଇ ଦିଆଯାଉଛି। ତେଣୁ ଓଡ଼ିଶାକୁ ଦେଶୀ ଟିକା ସହ ସ୍ପୁଟନିକ, ଫାଇଜର, ମଡର୍ଣ୍ଣା, ଜନସନ ଆଣ୍ଡ ଜନସନ ଭଳି ବିଦେଶୀ ଟିକା ଉପରେ ବି ନିର୍ଭର କରିବାକୁ ପଡ଼ିବ। ଏଗୁଡ଼ିକ ମଧ୍ୟରୁ ରୁଷିଆର ସ୍ପୁଟନିକ-୫ ଟିକା ଭାରତରେ ଉପଲବ୍ଧ ହେଲାଣି ଓ ଏହାର ଡୋଜ ପିଛା ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା। ଅନ୍ୟ ଟିକାଗୁଡ଼ିକର ମୂଲ୍ୟ କ’ଣ ହେବ ଜଣା ନ ଥିଲେ ବି ଅନ୍ୟ ଦେଶଗୁଡ଼ିକରେ ସେଗୁଡ଼ିକ ଯେଉଁ ଦରରେ ବିକ୍ରି ହେଉଛି, ସେଥିରୁ ଭାରତରେ ସେଗୁଡ଼ିକର ମୂଲ୍ୟ ଡୋଜ ପ୍ରତି ଅନ୍ତତଃ ୧୫୦୦ରୁ ୨୦୦୦ ଟଙ୍କା ଲେଖାଏଁ ହେବ ବୋଲି ଅନୁମାନ କରା ଯାଇପାରେ। ତେଣୁ ଭାରତରେ ବିଦେଶୀ ଟିକାର ଦର ହାରାହାରି ଡୋଜ ପ୍ରତି ପ୍ରାୟ ୧୫୦୦ ଟଙ୍କା ହୋଇପାରେ। ଏବେ ଦୁଇଟି ପୃଥକ୍ ସ୍ଥିତିରେ – କୋଭିସିଲ୍ଡ ଓ କୋଭାକ୍ସିନ ଟିକା ୭୫ ପ୍ରତିଶତ ସହ ବିଦେଶୀ ଟିକା ୨୫ ପ୍ରତିଶତ ବା କୋଭିସିଲ୍ଡ ଓ କୋଭାକ୍ସିନ ଟିକା ୫୦ ପ୍ରତିଶତ ସହ ବିଦେଶୀ ଟିକା ୫୦ ପ୍ରତିଶତ – ଓଡ଼ିଶା ଉପରେ କେତେ ଆର୍ଥିକ ବୋଝ ପଡ଼ିପାରେ, ତାହା ଆକଳନ କରାଯାଉ। ପ୍ରଥମ ସ୍ଥିତିରେ ୨.୬୩ କୋଟି ଡୋଜ ଦେଶୀ ଟିକା ଓ ୦.୮୭ କୋଟି ଡୋଜ ବିଦେଶୀ ଟିକା ଆବଶ୍ୟକ ହେଉଥିବା ବେଳେ ଦ୍ୱିତୀୟ ସ୍ଥିତିରେ ୧.୭୫ କୋଟି ଦେଶୀ ଟିକା ଓ ୧.୭୫ କୋଟି ବିଦେଶୀ ଟିକା ଦରକାର ହେବ। ପ୍ରଥମ ସ୍ଥିତିରେ ଦେଶୀ ଟିକା ବାବଦକୁ ୧୦୫୨ କୋଟି ଟଙ୍କା ଓ ବିଦେଶୀ ଟିକା ବାବଦକୁ ୧୩୦୫ କୋଟି ଟଙ୍କା, ଏହିପରି ସମୁଦାୟ ପ୍ରାୟ ୨୩୫୭ କୋଟି ଟଙ୍କାର ବୋଝ ପଡ଼ିବ। ଅନ୍ୟ ପକ୍ଷରେ ଦ୍ୱିତୀୟ ସ୍ଥିତିରେ ଦେଶୀ ଟିକା ବାବଦକୁ ୭୦୦ କୋଟି ଟଙ୍କା ଓ ବିଦେଶୀ ଟିକା ବାବଦକୁ ୨୬୨୫ କୋଟି ଟଙ୍କା, ଏହିପରି ସମୁଦାୟ ୩୩୨୫ କୋଟି ଟଙ୍କାର ବୋଝ ପଡ଼ିବ। ଅର୍ଥାତ୍, ଯେତେ ଅଧିକ ସଂଖ୍ୟକ ଲୋକଙ୍କୁ ଦେଶୀ ଟିକା ଦେଇ ବିଦେଶୀ ଟିକା ଉପରେ ନିର୍ଭରଶୀଳତା ହ୍ରାସ କରି ହେବ ରାଜ୍ୟ ଉପରେ ଆର୍ଥିକ ବୋଝ ସେତେ କମ ହେବ। ତେବେ କୌଣସି ମତେ ତାହା ୨୩୫୦ କୋଟି ଟଙ୍କାରୁ କମ ହେଲା ପରି ମନେ ହେଉ ନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୧-୨୨ରେ ଓଡ଼ିଶା ସରକାରଙ୍କ ବଜେଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୯୧୬୪ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ତେଣୁ ଟିକାକରଣ ବାବଦ ବ୍ୟୟ ଏହି ବଜେଟୀୟ ପ୍ରାବଧାନର ପ୍ରାୟ ୨୬ ପ୍ରତିଶତ ହେବ, ଯଦ୍ଦ୍ୱାରା ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖା ଦେଇପାରେ। ପୁଣି ୧୮ ବର୍ଷରୁ କମ ବୟସ ବର୍ଗର ପିଲାଙ୍କ ପାଇଁ ଟିକା ଦେବାର ଦାୟିତ୍ୱ ରାଜ୍ୟଗୁଡିକ ଉପରେ ପଡ଼ିଲେ ସେଥିପାଇଁ ବି ହଜାର ହଜାର କୋଟି ଟଙ୍କାର ଆବଶ୍ୟକତା ଉପୁଜିପାରେ।

ଭାରତୀୟ ଟିକାର ଉତ୍ପାଦନ ଖର୍ଚ୍ଚ କେତେ, ତାହା ସର୍ବସାଧାରଣରେ ଉପଲବ୍ଧ ନାହିଁ। ତେବେ ଭାରତ ସରକାରଙ୍କୁ ଡୋଜ ପ୍ରତି ୧୫୦ ଟଙ୍କାରେ କୋଭିସିଲ୍ଡ ଟିକା ବିକ୍ରି କରୁଥିଲା ବେଳେ ଏସଆଇଆଇର ମୁଖ୍ୟ ଅଦାର ପୁନାୱାଲା ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ସେଥିରେ ବି ତାଙ୍କର ଲାଭ ଅଛି। ଅର୍ଥାତ୍, ବର୍ତ୍ତମାନ ରାଜ୍ୟମାନେ ଯେଉଁ ଦରରେ ଟିକା କିଣୁଛନ୍ତି ବା କିଣିବାକୁ ଯାଉଛନ୍ତି ସେଥିରେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକର ଯେ ଅତ୍ୟଧିକ ଲାଭ ରହୁଛି, ସେଥିରେ ସନ୍ଦେହ ନାହିଁ। ତା’ ଛଡ଼ା ଥରେ ଟିକା ନେଇ ଗଲେ ଯେ ଆଉ ନେବାକୁ ହେବ ନାହିଁ, ତାହା ମଧ୍ୟ ନୁହେଁ। ଭାଇରସର ନୂଆ ନୂଆ ମ୍ୟୁଟାଣ୍ଟ ବାହାରୁଥିବାରୁ ତାହା ନେଇଥିବା ଟିକାକୁ ବେଶି ଦିନ ପ୍ରଭାବଶାଳୀ ହୋଇ ରହିବାକୁ ଦେବ ନାହିଁ। କୁହାଯାଉଛି ଟିକାର ପ୍ରଭାବ ଖୁବ ବେଶିରେ ଛଅ ମାସରୁ ଦେଢ଼ ବର୍ଷ ଯାଏଁ ରହିପାରେ। ତେଣୁ କୋଭିଡ ପାଇଁ ଟିକାକରଣ ସରକାରଙ୍କ ପାଇଁ ଏକ ନିୟମିତ କାର୍ଯ୍ୟରେ ପରିଣତ ହୋଇ ପ୍ରତି ବର୍ଷ ଏଥିପାଇଁ ଏକ ବଡ଼ ବଜେଟ ଆବଶ୍ୟକ ହୋଇପାରେ। ଏହି ବାସ୍ତବତାକୁ ଆଖି ଆଗରେ ରଖି ସରକାର ଖୁବ ଶୀଘ୍ର ସରକାରୀ ସ୍ତରରେ ନିଜସ୍ୱ ଏକ ଟିକା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା କଥା ବିଚାର କରି ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ନ ହେଲେ ଟିକା ପାଇଁ ଘରୋଇ କମ୍ପାନୀଙ୍କ ଉପରେ ଯେତେ ବେଶି ନିର୍ଭରଶୀଳତା ରହିବ ରାଜ୍ୟକୁ ସେ ବାବଦରେ ହଜାର ହଜାର କୋଟି ଟଙ୍କାର ଅଧିକ ତଣ୍ଡ ଗଣିବାକୁ ପଡୁଥିବ। ଅବଶ୍ୟ ରାଜ୍ୟ ସରକାର ଭୁବନେଶ୍ୱରର ଅନ୍ଧାରୁଆଠାରେ ଭାରତ ବାଇଓଟେକ କମ୍ପାନୀକୁ ଏକ ଟିକା ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ପାଇଁ ଜମି ଯୋଗାଇ ଦେଇ ରାଜ୍ୟରେ ଟିକା ଉତ୍ପାଦନକୁ ବଢ଼ାଇବା ଦିଗରେ ଚେଷ୍ଟା କରିଛନ୍ତି। କିନ୍ତୁ ତଦ୍ଦ୍ୱାରା ରାଜ୍ୟ ସରକାରଙ୍କୁ କମ ଦରରେ ଟିକା ମିଳିବାରେ କେତେ ସହାୟକ ହେବ ତାହା ସ୍ପଷ୍ଟ ହୋଇ ନ ଥିବାରୁ ଉପରୋକ୍ତ ପ୍ରସ୍ତାବଟିକୁ ବିଚାର କରା ଯାଇପାରେ। ସରକାର ଯଦି ଅକ୍ସିଜେନ ପ୍ଲାଣ୍ଟ ବସାଇ ପାରୁଛନ୍ତି, ତେବେ ଟିକା ତିଆରି କାରଖାନା ବସାଇବାରେ ଅସୁବିଧା କେଉଁଠି?

ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ହସ୍ତାନ୍ତର ନ କରି ନିଜ ପାଖରେ ରଖିଲେ ତାହା ସାରା ଦେଶରେ ଏକ ପ୍ରକାର ଟିକାକରଣକୁ ସୁନିଶ୍ଚିତ କରି ପାରନ୍ତା। ଅଧିକନ୍ତୁ, ଏଥିପାଇଁ ୨୦୨୧-୨୨ କେନ୍ଦ୍ର ବଜେଟରେ ୩୫,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଗ୍ରହଣ କଲେ ଆବଶ୍ୟକ ହେଉଥିବା ଅଧିକ ରାଶିକୁ ପିଏମ କେଆରସ ଫଣ୍ଡରୁ ଭରଣା କରା ଯାଇପାରନ୍ତା। ଅତୀତରେ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ସଦାସର୍ବଦା କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇ ଆସିଛି। କେନ୍ଦ୍ର ସରକାର ଆବଶ୍ୟକ ପରିମାଣର ଟିକା ସଂଗ୍ରହ କରନ୍ତି, ସେଥିପାଇଁ ଖର୍ଚ୍ଚ ବହନ କରନ୍ତି, ସେଗୁଡିକୁ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଅନ୍ତି। ରାଜ୍ୟ ସରକାରଗୁଡ଼ିକ କେବଳ ନିଜ ରାଜ୍ୟରେ କାର୍ଯ୍ୟଟିକୁ ସମ୍ପାଦନ କରନ୍ତି। ସେମାନଙ୍କର ଟିକା ସଂଗ୍ରହ ଓ ଟିକା ଯୋଗାଣକାରୀଙ୍କ ସହ ଦର କଷାକଷି କରିବାର ପୂର୍ବ ଅଭିଜ୍ଞତା ନ ଥିବାରୁ ସେମାନଙ୍କୁ ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ସଂଗ୍ରହ କରିବାକୁ କହିବା ଅର୍ଥ ସେମାନଙ୍କ ଦୁର୍ବଳତାକୁ ବିଦେଶରେ ପ୍ରଘଟ କରାଇ ଟିକା ଉତ୍ପାଦନକାରୀଙ୍କ ଶୋଷଣର ଶିକାର ହେବା ପାଇଁ ଛାଡ଼ି ଦେବା। ଫାଇଜର, ମଡର୍ଣ୍ଣା ଭଳି କେତେକ କମ୍ପାନୀ ରାଜ୍ୟମାନଙ୍କ ଗ୍ଲୋବାଲ ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଅରାଜି ହୋଇ ଏଥିପାଇଁ ଭାରତ ସରକାରଙ୍କ ବ୍ୟତୀତ ରାଜ୍ୟଗୁଡିକ ସହ କଥା ହେବାକୁ ମନା କରି ଦେଇ ସାରିଲେଣି।

ଉଲ୍ଲେଖଯୋଗ୍ୟ, ଏ ପର୍ଯ୍ୟନ୍ତ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ ଭିନ୍ନ ଅନ୍ୟ କେଉଁ ବିଦେଶୀ ଟିକାକୁ ଭାରତରେ ବ୍ୟବହାର ପାଇଁ ଡିସିଜିଆଇ ତରଫରୁ ଅନୁମତି ମିଳିନାହିଁ। ଦେଶୀ ଟିକା କମ୍ପାନୀଙ୍କ ଉତ୍ପାଦନ ଓ ଯୋଗାଣ ଉପରେ ଭାରତ ସରକାରଙ୍କ ନିୟନ୍ତ୍ରଣ ଥିବା ବେଳେ ବିଦେଶୀ ଉତ୍ପାଦନକାରୀଙ୍କ ଭାରତରେ ଟିକା ଯୋଗାଣ ମଧ୍ୟ ଭାରତ ସରକାରଙ୍କ ନିୟନ୍ତ୍ରଣାଧୀନ। ତେଣୁ ସେହି ଧରଣର କମ୍ପାନୀ ଅନୁମତି ନ ମିଳିବା ପର୍ଯ୍ୟନ୍ତ ରାଜ୍ୟଗୁଡିକୁ ଟିକା ଯୋଗାଇବା ପାଇଁ ଆଗ୍ରହ ନ ଦେଖାଇବା ସ୍ୱାଭାବିକ। ତା’ ଛଡ଼ା ଏବେ ଟିକାର ବିକ୍ରେତାଙ୍କ ଅପେକ୍ଷା କ୍ରେତାଙ୍କ ସଂଖ୍ୟା ଅତ୍ୟଧିକ ହୋଇଥିବାରୁ ଏହି ବିକ୍ରେତାଙ୍କ ବଜାରରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ପ୍ରଦେଶଙ୍କୁ ପୃଥକ ପୃଥକ ଭାବେ କିଣିବା ପାଇଁ ପ୍ରତିଯୋଗିତାରେ ଓହ୍ଲାଇ ଦେବା ଅର୍ଥ ସେମାନଙ୍କୁ ଅସହାୟ ଅବସ୍ଥାରେ ମଝି ଦରିଆରେ ଛାଡ଼ି ଦେବା। ତେଣୁ ବାହାରୁ ଟିକା ଆମଦାନୀର ଦାୟିତ୍ୱ କେନ୍ଦ୍ର ସରକାର ଗ୍ରହଣ କରି ଆବଶ୍ୟକତାନୁସାରେ ରାଜ୍ୟଗୁଡ଼ିକୁ ଯୋଗାଇ ଦେବା ଉଚିତ। ଏବେ ପ୍ରଶ୍ନ ଉଠୁଛି, କୋଭିଡ ଟିକାକରଣରୁ କେନ୍ଦ୍ର ସରକାର ପ୍ରଥମ ଥର ଲାଗି ଆଂଶିକ ଭାବେ ହେଲେ ବି ଓହରି ଯାଇ ରାଜ୍ୟଗୁଡ଼ିକୁ ଦାୟିତ୍ୱ ହସ୍ତାନ୍ତର କରିଥିବାରୁ ଭବିଷ୍ୟତରେ ହେବାକୁ ଥିବା ମହାମାରୀଗୁଡ଼ିକରେ ବି ଅନୁରୂପ ଭାବେ ଟିକାକରଣରୁ ଓହରି ଯାଇପାରନ୍ତି। ସଂଘୀୟ ବ୍ୟବସ୍ଥାରେ ହଠାତ୍ ଏ ଭଳି ନିଷ୍ପତ୍ତି ନିଆଗଲେ ତାହା ଛୋଟ ଛୋଟ ରାଜ୍ୟଗୁଡ଼ିକର ରାଜକୋଷ ଉପରେ ଅତ୍ୟଧିକ ଚାପ ପକାଇବାର ଆଶଙ୍କା ଥିବାରୁ ଦେଶରେ ଟିକାକରଣ ନେଇ ବିମର୍ଶ ହୋଇ ଏଥିରେ କେନ୍ଦ୍ର-ରାଜ୍ୟ ଭୂମିକା ସମ୍ପର୍କରେ ସ୍ପଷ୍ଟ ନୀତି ବିକଶିତ ହେବା ଉଚିତ ଓ ରାଜ୍ୟମାନେ ଏଇ ନୂଆ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ନିଜକୁ ପୂର୍ବରୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।