ସୁଧାଂଶୁ ରଞ୍ଜନ ଦାସ
ଆହ୍ଲାବାଦ ମୁଖ୍ୟ ବିଚାରାଳୟ ଏକ ୧୨ ପୃଷ୍ଠା ଆଦେଶରେ ଗୋମାତାଙ୍କୁ ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଇବା ସଂଗେ ସଂଗେ ଗୋମାତାଙ୍କୁ ରାଷ୍ଟ୍ରୀୟ ପଶୁର ମାନ୍ୟତା ଦେବା ପାଇଁ କହିଛନ୍ତି। ଗୋମାତାଙ୍କୁ ରାଷ୍ଟ୍ରୀୟ ପଶୁର ମାନ୍ୟତା ପାଇଁ ସଂସଦରେ ବିଲ୍ ମଧ୍ୟ ପାସ କରିବା ଦରକାର ବୋଲି ମୁଖ୍ୟ ବିଚାରାଳୟ ଉଲ୍ଲେଖ କରିଛନ୍ତି। ବିଚାରାଳୟ ବାବର, ହୁମାୟୁନ ଓ ମହୀଶୂରର ଶାସକ ହାଇଦର ଅଲ୍ଲୀ ଗୋହତ୍ୟା ନିଷେଧ କରିଥିଲେ ବୋଲି ଉଦାହରଣ ଦେଇଛନ୍ତି। ଗୋମାତାର ସୁରକ୍ଷା ହିନ୍ଦୁ ସମ୍ପ୍ରଦାୟର ମୌଳିକ ଅଧିକାର ହେବା ଉଚିତ ବୋଲି ମଧ୍ୟ ମୁଖ୍ୟ ବିଚାରାଳୟ କହିଛନ୍ତି। ବିଚାରପତି ଶେଖର କୁମାର ଯାଦବ ଉଲ୍ଲେଖ କରିଛନ୍ତି ଗୋମାଂସ ଭକ୍ଷଣ କରିବା କୌଣସି ବ୍ୟକ୍ତିର ଜନ୍ମଗତ ଅଧିକାର ନୁହେଁ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ ଗୋମାତାକୁ ରାଷ୍ଟ୍ରୀୟ ପଶୁ ଘୋଷଣା କରି ଏହାର ସୁରକ୍ଷା ପାଇଁ ଆଇନ ପ୍ରଣୟନ କଲେ କ’ଣ ଗୋମାତା ପ୍ରକୃତରେ ସୁରକ୍ଷିତ ରହିପାରିବ? ଗୋମାତାର ସୁରକ୍ଷା ସମ୍ଭବ ହେବ ଯଦି ପ୍ରତ୍ୟେକ ଭାରତୀୟ ସମାଜ ପ୍ରତି ଗୋମାତାର ଅବଦାନ ବିଷୟରେ ଅବଗତ ହେବେ ଓ ପ୍ରକୃତ ଭକ୍ତି ଓ ଶ୍ରଦ୍ଧାର ସହିତ ଗୋମାତାର ସୁରକ୍ଷା କରିବେ।
ପୂର୍ବେ ମୁନିଋଷିମାନେ ଗାଈର ମନୁଷ୍ୟ ସମାଜ ପ୍ରତି ଅତୁଳନୀୟ ଅବଦାନକୁ ହୃଦୟଙ୍ଗମ କରି ଗାଈକୁ ଗୋମାତା କହୁଥିଲେ। ଗାଈ ନିଃଶ୍ୱାସ ନେଲା ବେଳେ ଅମ୍ଳଜାନ ନିଏ ଓ ପ୍ରଶ୍ୱାସରେ ମଧ୍ୟ ଅମ୍ଳଜାନ ଛାଡ଼ିଥାଏ। ଗାଈର ପ୍ରତ୍ୟେକ ବସ୍ତୁ ମନୁଷ୍ୟ ଉପଯୋଗୀ ହୋଇଥାଏ। ଗାଈ ଗୋବରରୁ ଉତ୍କୃଷ୍ଟ ଧରଣର ଖତ ଓ ଇନ୍ଧନ ଗ୍ୟାସ ମିଳିଥାଏ। ଯୁଗ ଯୁଗ ଧରି ଗାଈର ଗୋବର ଓ ମୂତ୍ର କୀଟନାଶକ ଭାବରେ ବ୍ୟବହାର କରାଯାଉଛି। ପାତଞ୍ଜଳି ଓ ବଡ଼ ବଡ଼ ଆୟୁର୍ବେଦ କମ୍ପାନୀମାନେ ଗାଈଠାରୁ ଉପଲବ୍ଧ ହେଉଥିବା ଅନେକ ଉତ୍ପାଦଗୁଡ଼ିକୁ ବଜାରରେ ବିକି ଲାଭବାନ ହୋଇଥାନ୍ତି।
ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ କେନ୍ଦ୍ର (ସିଏସଆଇଆର), ଲକ୍ଷ୍ନୌ ଗୋମୂତ୍ରରେ କ୍ୟାନ୍ସର ଓ ଅନ୍ୟାନ୍ୟ ରୋଗର ଚିକତ୍ସା କରିହେବ ବୋଲି ଉଲ୍ଲେଖ କରିଛନ୍ତି। ଶ୍ରୀପଦ ୟେଷୁ ନାୟକ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ, ଆୟୁଷ ଏକ ରାଜ୍ୟସଭା ପ୍ରଶ୍ନର ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି, ଗୋମୂତ୍ରରେ କ୍ୟାନ୍ସର ଉପଚାର ପାଇଁ ଟାକ୍ସଲ ଉପାଦାନ ମିଳିଥାଏ। ଦୁଃଖର କଥା ଭାରତରେ ଗୋଉତ୍ପାଦ ଉପରେ ଗବେଷଣା ପାଇଁ ତତ୍ପରତା ଦେଖାଯାଉନାହିଁ। ଗୋମାତାକୁ ରାଜନୀତିକରଣ ନକରି ଗୋ ଉତ୍ପାଦ ଉପରେ ଗବେଷଣା କରି ଏହାକୁ ପାଟେଣ୍ଟ କରିବାର ଆବଶ୍ୟକତା ଅଛି।
ସାମୂହିକ ଆର୍ଥିକ ବିକାଶରେ ଗୋ ଅର୍ଥନୀତିର ଭୂମିକା ଅତ୍ୟନ୍ତ ମହତ୍ଵପୁର୍ଣ। କେବଳ କଳ କାରଖାନା ହେଲେ ହିଁ ବିକାଶ ହେବ ବୋଲି କୁହେଳିକା ସୃଷ୍ଟି କରୁଥିବା ଅର୍ଥନୀତିଜ୍ଞ ଓ ନେତାମାନେ ଦେଶର ସାମୂହିକ ଆର୍ଥିକ ବିକାଶରେ ଅପୂରଣୀୟ କ୍ଷତି ଘଟାଇଥାନ୍ତି। ଭାରତର ଅନେକ ଆର୍ଥିକ ସେକ୍ଟର ଉପରେ ଅନଭିଜ୍ଞ ଏହି ବିଲାତି ନେତା ଓ ଅର୍ଥନୀତିଜ୍ଞମାନେ ଗାଁ କନିଆଁ ସିଂଘାଣି ନାକି କହି ଅନେକ ପ୍ରାକୃତିକ ସେକ୍ଟରକୁ ଅବହେଳା କରିବାର ଦେଖାଯାଏ। ଅନଭିଜ୍ଞ ଓ ବିଲାତି ଆର୍ଥିକ ଚିନ୍ତାଧାରା ଦ୍ୱାରା ଆମ ଦେଶରେ ଆଜି ବେରୋଜଗାରର ଏକ ଭୟାବହ ସମସ୍ୟା ଦେଖା ଦେଇଛି। ଓଡ଼ିଶା ମଧ୍ୟ ଏହି ବେରୋଜଗାରର ଶିକାର ହୋଇଛି। ଓଡ଼ିଶାରେ ଯଦି ଗୋସମ୍ପଦର ବିକାଶ ହୁଏ ଏହା ଅନେକ ଗ୍ରାମବାସୀଙ୍କୁ ରୋଜଗାର ଦେବା ସଂଗେ ସଂଗେ ଲୋକଙ୍କ ଭିତରେ ବଢୁଥିବା ପୁଷ୍ଟିହୀନତାକୁ ଲାଘବ କରିବ।
ଦେଶୀ ଗାଈ ବିଦେଶୀ ଗାଈ ଅପେକ୍ଷା ଗ୍ରାମବାସୀଙ୍କ ପାଇଁ ଅଧିକ ଉପଯୋଗୀ ହୋଇଥାଏ। ପ୍ରଥମେ ଓଡ଼ିଶା ସରକାର ଗୋସମ୍ପଦ ଉପରେ ତୃଣମୂଳ ଜ୍ଞାନ ଥିବା ଅଧିକାରୀଙ୍କୁ ଠାବକରି ଦାୟିତ୍ୱ ଦେବା ଉଚିତ। ଓଡ଼ିଶାରେ ଗୋ ସମ୍ପଦର ଗଣନା କରଯାଇ ଓଡ଼ିଶାରେ କେତୋଟି ଦେଶୀ ଗାଈ ଓ କେତେ ପ୍ରକାରର ଦେଶୀ ଗାଈ ଅଛନ୍ତି ଏହାର ଗଣନା କରିବା ଦରକାର। କାରଣ ବିଦେଶୀ ଗାଈର ରକ୍ଷଣାବେକ୍ଷଣ ବ୍ୟୟସାପେକ୍ଷ ହୋଇଥାଏ। ଦେଶୀ ଗାଈ ଉପରେ ଗବେଷଣା କରିଥିବା କେତେକ ବିଶେଷଜ୍ଞଙ୍କ ମତରେ କୁଜଵାଲା ଦେଶୀ ଗାଈର କ୍ଷୀର ବିଦେଶୀ ଗାଈ ତୁଳନାରେ ଅଧିକ ଉତ୍କୃଷ୍ଟ ଓ ସ୍ୱାଦିଷ୍ଟ ହୋଇଥାଏ। ଯଦିଓ ଦେଶୀ ଗାଈ ବିଦେଶୀ ଗାଈ ତୁଳନାରେ ଅଧିକ କ୍ଷୀର ଦିଏନାହିଁ, ଉପଯୁକ୍ତ ପରିବେଶ ଓ ଗୋଖାଦ୍ୟ ଦେଲେ ଦେଶୀ ଗାଈ ମଧ୍ୟ ଅଧିକ କ୍ଷୀର ଦେଇପାରିବ ବୋଲି ବିଶେଷଜ୍ଞମାନେ କହନ୍ତି। ଓଡ଼ିଶାର ଦେଶୀ ଗାଈର ବିଲୁପ୍ତିକରଣ ନହେବା ପାଇଁ ସରକାର ସମସ୍ତ ପଦକ୍ଷେପ ନେବା ଉଚିତ। ରାଜ୍ୟର ସାମୂହିକ ଆର୍ଥିକ ବିକାଶରେ ଦେଶୀ ଗାଈ ବିଦେଶୀ ଗାଈ ଅପେକ୍ଷା ବେଶୀ ଲାଭକାରୀ ହେବ। ଆନ୍ଧ୍ର ପ୍ରଦେଶର ଚି଼ତ୍ତୁର ଜିଲାରେ ପୁଂଗୁଣୁର ଗାଈ ଦେଖିବାକୁ ମିଳେ। ଏହି ସୁନ୍ଦର ଗାଈଟି ଆକାରରେ ବାଛୁରୀଠାରୁ ଟିକେ ବଡ଼ କିନ୍ତୁ ଏହି ପୁଂଗୁଣୁର ଗାଈ ଦୁଇରୁ ତିନି ଲିଟର ଅତି ଉତ୍କୃଷ୍ଟ ମାନର କ୍ଷୀର ଦେଇଥାଏ। ଏହି ଗାଈକୁ ଅତି ସହଜରେ ଓ କମ ଖର୍ଚ୍ଚରେ ରଖାଯାଇପାରେ। ଓଡ଼ିଶାରେ ଏହି ପୁଂଗୁଣୁର ଗାଈ ପରୀକ୍ଷାମୂଳକ ଭାବରେ ପ୍ରଥମେ ରଖାଗଲେ ଏହା ଅନେକ ଗ୍ରାମୀଣ ପରିବାର ପାଇଁ ସହାୟକ ହୋଇପାରନ୍ତା।
ଓଡ଼ିଶାରେ ଗୋ ସମ୍ପଦର ବିକାଶ ପାଇଁ ପ୍ରଥମେ ଗୋମାତା ପାଇଁ ଚରାଭୂଇଁ, ପ୍ରଚୁର ପରିମାଣରେ ସବୁଜ ଘାସ, ଜଳ ଓ ପଶୁ ଡାକ୍ତର ସେବାର ବ୍ୟବସ୍ଥା କରିବା ଉଚିତ। ଗୋ ସମ୍ପଦର ବିକାଶ ପାଇଁ ଜଳର ସୁବିଧା ଥିବା ଅତ୍ୟନ୍ତ ଆବଶ୍ୟକ। ଗାଁ ଗଣ୍ଡାରେ ସମସ୍ତ ହ୍ରଦ ଓ ପୋଖରୀକୁ ଜିଓ ଟ୍ୟାଗ କରି ସେଗୁଡିକର ସଂରକ୍ଷଣ କରିବା ନିହାତି ଦରକାର। ଗ୍ରାମବାସୀମାନଙ୍କ ଭିତରେ ଜଳଧନର ବିକାଶ ଓ ସରଂକ୍ଷଣ ପାଇଁ ଲୋକ ସଚେତନତା ବଢ଼ାଇବା ଦରକାର। ଗାଁର ଚାରିପାର୍ଶ୍ୱରେ ଥିବା ଚାରଣଭୂମି ଯେପରି ଜବର ଦଖଲ ନହୁଏ ସେଥିପାଇଁ କର୍ତ୍ତୃପକ୍ଷ ଧ୍ୟାନ ଦେବା ଉଚିତ। ଓଡ଼ିଶାରେ ଥିବା ଗୋପାଳ ସମ୍ପ୍ରଦାୟଙ୍କୁ ଉପଯୁକ୍ତ ତାଲିମ ଦେଇ ସେମାନେ କିଭଳି ଗୋପାଳନରୁ ଲାଭବାନ ହେବେ ସେଥିପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ। ଦୁଗ୍ଧ ଉତ୍ପାଦନ କରୁଥିବା ସମସ୍ତ ଗାଁକୁ ଦୁଗ୍ଧ ସଂଗ୍ରହକାରୀ ଗାଡ଼ି ସହିତ ସଂଯୋଗ କଲେ ଗ୍ରାମବାସୀମାନେ ଏହାର ଲାଭ ଉଠାଇପାରିବେ। ଓମ୍ଫେଡ କିମ୍ବା ଅନ୍ୟ ଯେକୌଣସି ଦୁଗ୍ଧ ସଂସ୍ଥା କିଭଳି ପ୍ୟାକେଟ କ୍ଷୀରର ଗୁଣାତ୍ମକ ମାନ ରଖିପାରିବେ ଏହାର ଦାୟିତ୍ୱ ସରକାର ନେବା ଉଚିତ। ଗାଈ କ୍ଷୀରରେ ଯେପରି କୌଣସି ପ୍ରକାର ଭେଜାଲ ନହୁଏ ଏହାର ପରୀକ୍ଷା ପାଇଁ ପ୍ରତ୍ୟେକ ସହର ଓ ବ୍ଲକରେ ବ୍ୟବସ୍ଥା ହେବା ଦରକାର। କ୍ଷୀରର ଗୁଣାତ୍ମକ ମାନ କ୍ଷୀରର ଚାହିଦା ବହୁତ ବଢ଼ାଇ ଦେଇଥାଏ। ସରକାର ଭେଜାଲ କ୍ଷୀର ବିକୁଥିବା ଯେକୌଣସି ସଂସ୍ଥା ପ୍ରତି ଜିରୋ ଟଲେରାନ୍ସ ଭାବ ରଖିଲେ ଏହା ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ।
ଓଡ଼ିଶାରେ ଗୋପାଳନ କରୁଥିବା ଅନେକ ଚାଷୀ ବୁଢ଼ୀଗାଈକୁ ଭରଣ ପୋଷଣ କରି ନପାରିବାରୁ ବିକିଦେଇଥାନ୍ତି। ଅନେକ ଗାଈ ମଧ୍ୟ ରାସ୍ତା ଘାଟରେ ବୁଲୁଥିବାର ଦେଖିବାକୁ ମିଳେ। ସରକାର ଓ ଜନସାଧାରଣଙ୍କ ସହଯୋଗରେ ଗୋ ଅଭୟାରଣ୍ୟ ତିଆରି କରି ଗୋମାତାର ସୁରକ୍ଷା କରିବା ନିହାତି ଦରକାର। ଗୋପାଳକମାନଙ୍କୁ କିଭଳି ଗୋଖାଦ୍ୟ, ଔଷଧ, ଜଳ ଓ ସବୁଜ ଘାସ କମଦାମରେ ଓ ସହଜରେ ଉପଲବ୍ଧ ହେବ ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ନେବା ଉଚିତ। ବନ୍ୟା ଓ ବାତ୍ୟା ଦ୍ୱାରା ଓଡ଼ିଶାରେ ହଜାର ହଜାର ଗାଈ ମାରିଥାନ୍ତି। ସରକାର, ସମାଜସେବୀ ସଂସ୍ଥା ଓ ଶ୍ରଦ୍ଧାଳୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ଗୋମାତାର ସୁରକ୍ଷା ପାଇଁ ଗୋ ଆଶ୍ରୟ ବନାଇବା ଦରକାର।
ଓଡ଼ିଶାର ଗୁଡ଼ିଆ ଓ ଅନ୍ୟ ବର୍ଗର ଲୋକମାନେ ୧୦୦ରୁ ଅଧିକ ସୁସ୍ୱାଦୁ ଦୁଗ୍ଧଜାତ ଖାଦ୍ୟଦ୍ରବ୍ୟ ତିଆରି କରିଥାନ୍ତି। ଓଡ଼ିଶାରେ ତିଆରି ହେଉଥିବା ଅନେକ ଦୁଗ୍ଧଜାତ ଖାଦ୍ୟଦ୍ରବ୍ୟ ଯଥା ଛେନାଗଜା, ରସଗୋଲା, ଛେନାପୋଡ଼, ରସାବଳି, ଛେନା ତାଡ଼ିଆ ଓ ଛେନା ଝିଲ୍ଲୀ ଇତ୍ୟାଦି ଯଦି ପ୍ୟାକେଟ କରାଯାଇ ଅନ୍ୟାନ୍ୟ ରାଜ୍ୟ ଓ ବିଦେଶକୁ ପଠାଇ ହୁଅନ୍ତା ତେବେ ଓଡ଼ିଶାରେ ରୋଜଗାର ସୃଷ୍ଟି ହେବା ସଂଗେ ସଂଗେ ଓଡ଼ିଶା ବିଦେଶୀ ମୁଦ୍ରା ମଧ୍ୟ ଅର୍ଜନ କରିପାରନ୍ତା। ଏଥିପାଇଁ ସରକାର ଯୁବପିଢିଙ୍କୁ ତାଲିମ ଦେବା ଦରକାର ଓ ପୁଞ୍ଜିନିବେଶ ପାଇଁ ଉପଯୁକ୍ତ ବାତାବରଣ ତିଆରି କରିବା ଉଚିତ। ଗାଈ କ୍ଷୀରରୁ ତିଆରି ବିଭିନ୍ନ ପ୍ରକାର ମିଷ୍ଟାନ୍ନର ଗୁଣାତ୍ମକ ମାନ କିଭଳି ରକ୍ଷା କରାଯିବ ଏଥିପାଇଁ ଏକ ଓଡ଼ିଶା ପ୍ରେମୀ ଯୋଗ୍ୟ ଅଧିକାରୀକୁ ନିୟୋଜିତ କରିବା ଉଚିତ। ଓଡ଼ିଶାରେ ହଜାର ହଜାର ବର୍ଷ ଧରି ବନୁ ଥିବା ଦୁଗ୍ଧଜାତ ଦ୍ରବ୍ୟ ଗୁଡ଼ିକର ପାଟେଣ୍ଟ ହେବା ନିହାତି ଦରକାର।
ଇଣ୍ଟରନେଟ ମାର୍କେଟିଙ୍ଗ ଦକ୍ଷତାର ଅଭାବ, ପୁଞ୍ଜିନିଵେଶରେ ବିଳମ୍ବ ଓ ଯୁବପିଢ଼ିର ଉଦାସୀନତା, ଉପଯୁକ୍ତ ତାଲିମ ଓ ମାର୍ଗଦର୍ଶନର ଅଭାବରୁ ଓଡ଼ିଶା ଆଜି ତାର ଗୋସମ୍ପଦରୁ ଲାଭବାନ ହୋଇପାରୁନାହିଁ। ସରକାର ଓ ଜନସାଧାରଣ ମିଳିତ ଭାବରେ ଯଦି ଗୋ ଅର୍ଥନୀତିର ସୁରକ୍ଷା ଓ ବିକାଶ କରିପାରନ୍ତେ ତେବେ ଓଡ଼ିଶାର ଗ୍ରାମୀଣ ଇଲାକାରେ ରୋଜଗାରର ଅନେକ ସଂଭାବନା ସୃଷ୍ଟି ହୋଇପାରନ୍ତା।