ଦେବ ରଞ୍ଜନ
ଇଂରାଜୀ ସାପ୍ତାହିକୀ ପତ୍ରିକା ‘ଇଣ୍ଡିଆ ଟୁଡେ’ ଫେବୃଆରୀ ମାସ ୨୦୨୪ ମସିହାରେ ଦେଶର ଅଧିକ ପ୍ରିୟ ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାରେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ସ୍ଥାନରେ ରଖିଥିଲା। ଏହାର ଠିକ ପରେ ରାଜ୍ୟରେ ନିର୍ବାଚନ ହେଲା। ନବୀନ ପଟ୍ଟନାୟକ ଯେ କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀରେ ହାରିଗଲେ ଓ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଅତି କମ ବ୍ୟବଧାନରେ ଜିତିଲେ ତାହା ନୁହେଁ, ତାଙ୍କ ‘ବିଜୁ ଜନତା ଦଳ’ ମଧ୍ୟ ଉପକୂଳ ଓଡ଼ିଶାରେ ଅନେକ ସିଟ ହରାଇଲା। ଏହାକୁ ଦଳ ନିଜର ଗଡ଼ ବୋଲି ଭାବୁଥିଲା। ଏହା ସହିତ ରାଜ୍ୟରେ କ୍ଷମତାରେ ପରିବର୍ତ୍ତନ ମଧ୍ୟ ଘଟିଲା। ‘ଇଣ୍ଡିଆ ଟୁଡେ’ ଭଳି ସମ୍ମାନଜନକ ସାପ୍ତାହିକୀ ପତ୍ରିକାର ସଚ୍ଚୋଟତା ଓ ସାଧୁତା ଉପରେ ଏହାଦ୍ୱାରା ପ୍ରଶ୍ନ ଚିହ୍ନ ଆସିଲା ନାହିଁ କି?
କେବଳ ଥରେ ନୁହେଁ ଲଗାତର ଭାବରେ ‘ଇଣ୍ଡିଆ ଟୁଡେ’ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକଙ୍କୁ ପୁରସ୍କୃତ କରିଥିଲା। ବିଜେଡ଼ି ଦଳ ଏହାକୁ ଆୟୂଧ କରି ବିରୋଧୀଙ୍କ ସ୍ଵରକୁ ଚୁପ ମଧ୍ୟ କରିଥିଲା। ‘ଇଣ୍ଡିଆ ଟୁଡେ’ର ଭୁଲ ରାଙ୍କିଙ୍ଗରେ ବିଜେଡ଼ି ବିପଥଗାମୀ ତ ହେଲା, କ୍ଷତି ମଧ୍ୟ ସହିଲା। ଏହା ସହିତ ପତ୍ରିକାର ଏତାଦୃଶ ବ୍ୟବହାର ସମଗ୍ର ଗଣମାଧ୍ୟମର ଆଭିମୁଖ୍ୟ ପ୍ରତି ସନ୍ଦେହ ସୃଷ୍ଟି କରିଦେଲା।
ଓଡ଼ିଶାର ସର୍ବାଧିକ ପାଠକ ରହିଥିବାର ଦାବି କରୁଥିବା ଚାରି ପାଞ୍ଚଟି ଖବରକାଗଜର ଆଭିମୁଖ୍ୟ ମଧ୍ୟ ସମାନ ଥିଲା। ଗଲା ପାଞ୍ଚ ବର୍ଷ ହେଲା ପ୍ରଥମ ପୃଷ୍ଠାରୁ ଶେଷ ପୃଷ୍ଠା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଜ୍ଞାପନରେ ଭରପୂର ଥିବା ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ହସ ହସ ମୁହଁ ସହିତ ଅନେକ ଚାଷୀ, ମହିଳା, ଛାତ୍ରଛାତ୍ରୀଙ୍କ ପୋଷାକ ପରିହିତ ମଡେଲଙ୍କ କୃତଜ୍ଞତାପୂର୍ଣ୍ଣ ହସ, ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଏଥିରେ ପ୍ରକାଶ ପାଉଥିଲା। ପୂର୍ବ ସରକାରଙ୍କ କାର୍ଯ୍ୟକ୍ରମ ସମ୍ବନ୍ଧରେ ଖବର ଛୋଟ ଆକାରରେ ନୁହେଁ ବେଶ ବଡ଼ ଆକାରରେ ମଧ୍ୟ ପ୍ରକାଶ ପାଉଥିଲା ଯାହାକୁ ‘ପେଡ ନ୍ୟୁଜ’ ବି କୁହାଯାଇପାରିବ।
ଲୋକେ ଗଲା ନିର୍ବାଚନରେ ପରିବର୍ତ୍ତନ ଆଣିଲେ। ଏବେ ଜଣାପଡ଼ିଲା ଯେ ସେହି ସମସ୍ତ ହସ, ନ୍ୟୁଜର ବର୍ଣ୍ଣନା ଓ ବିଭିନ୍ନ ରିପୋର୍ଟ ମିଥ୍ୟା ଥିଲା। ତାହା ଯେ ମିଥ୍ୟା ସେ ସମୟରେ ବଡ଼ ସଂବାଦପତ୍ରମାନେ ରାଜ୍ୟବାସୀଙ୍କୁ କହିନଥିଲେ। ବରଂ ଲୋକଙ୍କ ଅସନ୍ତୋଷକୁ ବାଟବଣା କରିବା ଲାଗି ବିଜେଡ଼ି ଅଧିକ ମାତ୍ରାରେ ଯେଉଁ ବିଜ୍ଞାପନ ସବୁ ଦେଉଥିଲା ତାହାର ଫାଇଦା ଉକ୍ତ ସଂବାଦପତ୍ରମାନେ ନେଇଥିଲେ। ଆଜି ଲୋକେ ଯେଉଁ ପରିବର୍ତ୍ତନ ଆଣିଲେ ଏଭଳି ପରିବର୍ତ୍ତନର ନିଷ୍ପତ୍ତିରେ କୌଣସି ସମ୍ବାଦପତ୍ର ଦାବି କରିପାରିବ ନାହିଁ ଯେ ସେଥିରେ ତାହାର ଭୂମିକା ରହିଛି। ଟିଭିର ସ୍ଥିତି ମଧ୍ୟ ପ୍ରାୟ ସମାନ।
ଗଣମାଧ୍ୟମ ନିଜର ଲୋଭ ଉପରେ ଅଙ୍କୁଶ ଲଗାଇପାରିଥିଲେ ଆଜି ପାଠକ ହ୍ରାସ ହେଉଥିବାର କ୍ଷୋଭ ବିଭିନ୍ନ ସଭାସମିତିରେ ପ୍ରକାଶ କରୁନଥାନ୍ତେ। ସାମାଜିକ ଗଣମାଧ୍ୟମ ଓ ଅଣ୍ଡ୍ରୋଏଡ ମୋବାଇଲର ଦୋଷ କହି ଲୋକଙ୍କୁ ଏଥିଲାଗି ଦାୟୀ କରିବା ସହଜ ହୋଇପାରେ। ମାତ୍ର ଆତ୍ମସମୀକ୍ଷା କଲେ ସତ୍ୟ ନିଶ୍ଚିତ ସେମାନଙ୍କୁ ଦେଖାଯା’ନ୍ତା। ସେମାନେ ସମସ୍ତେ ହୁଏତ ‘ଇଣ୍ଡିଆ ଟୁଡେ’ ଭଳି ନଥିଲେ। ରାଜ୍ୟ ତ ଛାଡ଼ନ୍ତୁ ଜାତୀୟ ଗଣମାଧ୍ୟମରେ ମଧ୍ୟ ଓଡ଼ିଶା ସମ୍ବନ୍ଧରେ କୌଣସି ଅନୁସନ୍ଧାନମୂଳକ ସତ୍ୟ ଆଧାରିତ ଆର୍ଥିକ ସମସ୍ୟା ସମ୍ବନ୍ଧିତ ଅଗ୍ରଲେଖା ବା ବିଶେଷ ଷ୍ଟୋରି ପ୍ରକାଶ ପାଇନଥିଲା। ଏହାର ମୂଳ କାରଣ ଥିଲା ବିଜ୍ଞାପନ। ଏହି ହେତୁ ପରିବର୍ତ୍ତନ ଲାଗି ଲୋକଙ୍କୁ ୨୦୨୪ ମସିହାର ସାଧାରଣ ନିର୍ବାଚନକୁ ଅପେକ୍ଷା କରିବାକୁ ପଡ଼ିଲା। ଏହା ସହିତ ଗଣମାଧ୍ୟମ ନିଜର ଗୁରୁତ୍ଵ ହରାଇବାରେ ମଧ୍ୟ ଲାଗିଲା।
ଓଡ଼ିଶାର ଗଣମାଧ୍ୟମ ବିଶେଷକରି ସଂବାଦପତ୍ରମାନେ ଧନୀ ଓ ସେଲେବ୍ରିଟିଙ୍କ ବ୍ୟକ୍ତିଗତ ଜୀବନର ଘଟଣାକୁ ଗୁରୁତ୍ଵ ଦେଇ ରୋଚକ ଢଙ୍ଗରେ ଅଧିକ ସମୟ ପ୍ରକାଶ କରିବା ସମୟରେ ସେମାନେ ଭୁଲିଗଲେ ଯେ ଅର୍ଥ ଖର୍ଚ୍ଚ କରି ଯିଏ ସମ୍ବାଦପତ୍ର କିଣୁଛି (ବା ଚ୍ୟାନେଲକୁ ସବସ୍କ୍ରାଇବ କରୁଛି) ସେମାନଙ୍କ ଲାଗି ନିଜର ଗଣମାଧ୍ୟମ କେତେ ଉପଯୋଗୀ ହୋଇପାରିବ। ନିଜ ପାଠକ ବା ଦର୍ଶକଙ୍କୁ ନିଜ ସହିତ ରଖିବାର ଶିକ୍ଷା ଗଣମାଧ୍ୟମ ପାଇଲା ନାହିଁ। ଯେଉଁ ଘଟଣାର ସତ୍ୟାସତ୍ୟ ଓ ଅଧିକ ଜାଣିବା ଲାଗି ପାଠକ ଆଗ୍ରହୀ ତାହାକୁ ସମ୍ବାଦପତ୍ର ଭୁଲିଗଲା। ସେହି ସ୍ଥାନରେ ସେଲିବ୍ରିଟିଙ୍କ ଜୀବନରେ ଘଟୁଥିବା ଅଘଟଣକୁ ରୋଚକ ଢଙ୍ଗରେ ପ୍ରକାଶ କରି ନୂଆ ଆଗ୍ରହ ସୃଷ୍ଟି କଲା। ଲୋକେ କିଛି ସମୟ ତାହାକୁ ନେଇ ଉତ୍ତେଜିତ ହେଲେ। କିନ୍ତୁ ଦୀର୍ଘ କାଳରେ ସେହି ଲୋକେ ପୁଣି ସେମାନଙ୍କ ସହିତ ରହିଲେ କି? ଏହା ଖବରକାଗଜକୁ ଅଧିକ ପାଠକ ଦେବାରେ ସାହାଯ୍ୟ କଲା କି?
ସଂବାଦପତ୍ରମାନେ ଲୋକଙ୍କ ଦୃଷ୍ଟିରେ ନିଜର ଗୁରୁତ୍ଵ ହରାଇବାର ଅନ୍ୟ ଏକ କାରଣ ହେଲା ଲୋକଙ୍କ ସମସ୍ୟା, ପ୍ରତିବାଦ ଓ ସମାଧାନର ରାସ୍ତା ପ୍ରତି କାଗଜର ମାଲିକଙ୍କ ନିରୁତ୍ସାହବୋଧ। ଗଲା ଚବିଶ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ମନରେଗା ଅଚଳ ହୋଇଗଲା ଓ ଲୋକେ ଦାଦନ ଖଟିବାକୁ ଗଲେ, ଚାଷୀର ଧାନ ନା ଉପଯୁକ୍ତ ଦରରେ ବିକ୍ରି ହେଲା ନା ତାକୁ ପରିଶ୍ରମର ମୂଲ୍ୟ ମିଳିଲା? ଶିଳ୍ପ କାରଖାନାରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣାରେ ଶ୍ରମିକ ମୃତ୍ୟୁବରଣ କଲେ। ନଦୀ ଓ ବାୟୁ ପ୍ରଦୂଷିତ ହୋଇ ବେମାରୀ ବଢ଼ିବାରେ ଲାଗିଲା। ସାଧାରଣ ଲୋକଙ୍କୁ ଗାଁ ଜୀବିକା ଦେଲାନାହିଁ କି ସହର ସୁରକ୍ଷିତ ସ୍ଥାନଟିଏ ରହିବା ଲାଗି ଦେଲାନାହିଁ। ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟୟବହୁଳ ହୋଇଗଲା। ଅନେକ ଲୋକ ପୁଲିସ ହାଜତରେ, ଏନକାଉଣ୍ଟରରେ, ଗୁଳିରେ ମଲେ ଯାହାର କୌଣସି ନ୍ୟାୟିକ ତଦନ୍ତ ହେଲା ନାହିଁ। ମହିଳାଙ୍କ ଯୌନ ଶୋଷଣକାରୀକୁ ସରକାରୀ ସୁରକ୍ଷା ମିଳୁଥିବାର ପ୍ରମାଣ ମିଳିବାରେ ଲାଗିଲା। ଅଥଚ ମୁଖ୍ୟ ସମ୍ବାଦପତ୍ର ବା ଗଣମାଧ୍ୟମ କେବଳ ବିଜ୍ଞାପନ ଲାଗି ଏ ସମସ୍ତ ସମସ୍ୟା ପ୍ରତି ଆଖିବୁଜିଦେଲେ। ଏଥିରୁ କୌଣସି ଗୋଟିଏ ଉପରେ ବିଚାରଗତ ନିଷ୍ପତ୍ତି ନେଇ ଯଦି ଗୋଟିଏ ବି ସମ୍ବାଦପତ୍ର ନିଷ୍ଠାର ସହିତ କାର୍ଯ୍ୟ କରିଥାନ୍ତା ତେବେ ଆଜି ଆମେ ଏହାର ସୁଫଳ ପାଇସାରିଥାନ୍ତେ।
ସମ୍ବାଦପତ୍ର ଶିଳ୍ପରେ ଦୀର୍ଘ ବର୍ଷ ସଂଶ୍ଳିଷ୍ଟ ରହିଥିବା ମାଲିକ-ସାମ୍ବାଦିକଙ୍କ ମାନସିକତା ନା ଯୁବାପିଢ଼ି ମଧ୍ୟରେ କୌଣସି ପ୍ରେରଣା ତିଆରି କରିପାରୁଛି ନା ନୂଆ ଖବରକାଗଜଟିଏ ଆରମ୍ଭ କରିବା ଲାଗି ଅନ୍ୟ କେହି ଆଗ୍ରହୀ ହେଉଛନ୍ତି? ସମ୍ବାଦିକତା କ୍ଷେତ୍ରରେ ନୂଆ ପିଢ଼ି ସୃଷ୍ଟି ହେବା ବନ୍ଦ ହୋଇଗଲାଣି। ନୂଆ ପ୍ରକାର ଅଗ୍ରଲେଖା ଲେଖିବା, ସ୍ଵାଧୀନ ଭାବରେ ଲେଖିବା, ନୂଆ ଢଙ୍ଗରେ ଲେଖିବା ଓ ନୂଆ ତଥ୍ୟ ଉପସ୍ଥାପନ କରି ଲେଖିବା ଖବରକାଗଜରେ ଦେଖାଯାଉନାହିଁ। ଯାହା ଚାଲିଛି ତାହା କେବଳ ଗତାନୁଗତିକ।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମର୍ଯ୍ୟଦା ଗଣମାଧ୍ୟମକୁ ଏବେ ବି ମିଳୁଛି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସମ୍ବାଦପତ୍ର ମାଲିକମାନେ ସ୍ତମ୍ଭ ନୁହେଁ ନିଜ ଲାଗି ନିଜେ ଗାତ ଖୋଳିଦେଇଛନ୍ତି। ଫିଲ୍ମ ଯେମିତି ନିଜର ଦର୍ଶକକୁ, ପୁସ୍ତକ ନିଜର ପାଠକକୁ, କଳା ନିଜର ପ୍ରଶଂସକଙ୍କୁ ହରାଇଲେ ଯେଉଁ ଅବସ୍ଥା ହୋଇଥାଏ ଆଜି ସଂବାଦପତ୍ରର ସ୍ଥିତି ତାହା ହିଁ ହୋଇଛି। ଲୋକଙ୍କ ଅଧିକାରର ସୁରକ୍ଷା କରୁଥିବା ସମ୍ବାଦ ଖବରକାଗଜମାନଙ୍କ ପୃଷ୍ଠାରୁ ଲିଭିଯାଇଛି। କାଁ ଭାଁ ଯାହା ପ୍ରକାଶିତ ହେଉଛି ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଞ୍ଚଳିକ ପୃଷ୍ଠାରେ ରହୁଛି। ରାଜ୍ୟର ସମ୍ବାଦପତ୍ର ନିଜର ସାମାଜିକ ଆବଶ୍ୟକତା ରଖିନପରିବା ହିଁ ଏହାର ଅଧୋପତନର କାରଣ।
ଆଜି ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ନୂଆ ଦଳ ଶାସନକୁ ଆସିଛି। କିନ୍ତୁ ଗଣମାଧ୍ୟମ ବିଶେଷକରି ଖବରକାଗଜଗୁଡିକର ଭୂମିକା ପୁଣି ସମାନ ହୋଇଯାଇଛି। ଏହାର ଅର୍ଦ୍ଧାଧିକ ସ୍ଥାନରେ ସରକାରୀ ବିଜ୍ଞାପନ ସ୍ଥାନ ନେଉଛି। ସମୁଦାୟ ଷୋହଳ ପୃଷ୍ଠାର ସମ୍ବାଦପତ୍ରରୁ ଛଅରୁ ଆଠ ପୃଷ୍ଠା ସରକାରୀ ବିଜ୍ଞାପନରେ ଭରପୂର ରହୁଛି।
ସମ୍ବାଦପତ୍ରର ସମ୍ପାଦକୀୟ ପୃଷ୍ଠାରେ ଅଣସାମ୍ବାଦିକ ଲେଖକଙ୍କ ଦ୍ଵାରା ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଲେଖା ପ୍ରକାଶିତ ହୋଇଥାଏ। ଏବେ ସେହି ସ୍ଥାନ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରୀ ମୁଖ୍ୟମାନେ ନେଇଯାଉଛନ୍ତି। ସେମାନଙ୍କ ସମାନ ଲେଖା ଗୋଟିଏ ଦିନରେ ସମସ୍ତ ଖବରକାଗଜରେ ପ୍ରକାଶ ପାଉଛି। ଏହା ବିଜ୍ଞାପନ ନହୋଇ ମଧ୍ୟ ବିଜ୍ଞାପନ। ତେଣୁ ଲୋକଙ୍କ ଲାଗି ଯେଉଁ ସ୍ଥାନଟି ଅନ୍ତତଃ ରହିଥିଲା ତାହାକୁ ସରକାର ତ ନେଇଯାଉଛନ୍ତି, ଖବରକାଗଜମାନେ ନୈତିକତାର ଦୃଷ୍ଟିରୁ ଏହାକୁ ମନା ମଧ୍ୟ କରୁନାହାନ୍ତି। ସରକାରୀ ବିଜ୍ଞାପନର ଲୋଭ ସେମାନଙ୍କୁ ଏଥିରୁ ବାରଣ କରୁଥାଇପାରେ।
ଏହି ସମସ୍ତ ପ୍ରକ୍ରିୟା ମଧ୍ୟରେ ରାଜ୍ୟବାସୀ ନିଜର ଅନ୍ତରଙ୍ଗ ସାଥିଟିଏ ହରାଉଛନ୍ତି। ଆଜି ବି ଲୋକେ ସମଗ୍ର ରାଜ୍ୟରେ ପାନୀୟ ଜଳର ସଙ୍କଟ ଠାରୁ ପରିବେଶ ପ୍ରଦୂଷଣ, ଦୂଷିତ ନଦୀ ଠାରୁ ଜଙ୍ଗଲ ଧ୍ଵଂସ ପର୍ଯ୍ୟନ୍ତ, ଶ୍ରମିକର ପ୍ଳାଣ୍ଟରେ ମୃତ୍ୟୁ ଠାରୁ ବିସ୍ଥାପନ ପର୍ଯ୍ୟନ୍ତ, ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ଠାରୁ ଚାଷୀଙ୍କ ଆତ୍ମହତ୍ୟା ପର୍ଯ୍ୟନ୍ତ, ଯୁବାବର୍ଗକୁ କମ୍ପାନୀ ଓ ସିକ୍ୟୁରିଟି ସଂସ୍ଥାମାନେ ରାତି ଅଧରେ ବିନା ସୂଚନା ଓ କ୍ଷତିପୂରଣରେ ଚାକିରିରୁ ବହିଷ୍କାର ପର୍ଯ୍ୟନ୍ତ, ଶିକ୍ଷକଙ୍କ ଠାରୁ ଅଙ୍ଗନବାଡ଼ି କର୍ମୀଙ୍କ ଭଳି ଅସ୍ଥାୟୀ ଠିକା ଶ୍ରମିକ/କର୍ମଚାରୀ ପର୍ଯ୍ୟନ୍ତ ରାଜ୍ୟବାସୀ ବିଭିନ୍ନ ସ୍ଥାନରେ ଛୋଟ ବଡ ପ୍ରତିବାଦ କରୁଛନ୍ତି। ସେମାନେ ଗଣମାଧ୍ୟମକୁ ଏବେ ବି ନିଜର ସାଥି ଭାବରେ ଦେଖୁଛନ୍ତି ଓ ଆଶା କରୁଛନ୍ତି ହୁଏତ ଏହି ମାଧ୍ୟମ ସେମାନଙ୍କ କଥାକୁ ସରକାରଙ୍କ ନିକଟରେ ପହଞ୍ଚାଇବ। ଏବେ ବି ଅନୁଭବ କରନ୍ତି ଯେ ଗଣମାଧ୍ୟମ ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭ ଓ ଗଣତନ୍ତ୍ରକୁ ଦୃଢ଼ କରିବାରେ ଗଣମାଧ୍ୟମର ବଳିଷ୍ଠ ଭୂମିକା ରହିଛି।
ବଡ଼ ନହେଲେ ବି ଅନ୍ତତଃ ଛୋଟ ଆକାରରେ ଆଞ୍ଚଳିକ ସ୍ତରରେ ନୂଆ ନୂଆ ସମ୍ବାଦପତ୍ର ଓ ପତ୍ରିକା ସୃଷ୍ଟି ହେବା ଆବଶ୍ୟକ। ସେମାନେ ହିଁ ସମ୍ବିଧାନ ସ୍ୱୀକୃତ ବାକ୍ ସ୍ଵାଧୀନତାର ସୁରକ୍ଷା କରିପାରିବେ। ଲୋକଙ୍କ ସ୍ଵପ୍ନକୁ ଓ ଅଭିଳାଷକୁ ପୂରଣ କରିବାରେ ସେମାନେ ହିଁ ଉଲ୍ଲେଖନୀୟ ଭୂମିକା ନେବେ ବୋଲି ମୋର ବିଶ୍ଵାସ ରହିଛି।
ମୋବାଇଲ- ୯୪୩୭୭୬୨୨୭୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।