Advertisment

ବିଜେଡିରେ ଆସ୍ଥାଗତ ସଂକଟ

୨୫ ବର୍ଷ ଧରି କ୍ଷମତାରେ ରହିଥିବା ଓ ନବୀନଙ୍କ ଲୋକପ୍ରିୟତା ସହିତ ସାରା ଓଡ଼ିଶାରେ ଏହା ସବୁଠାରୁ ବଡ଼ ରାଜନୈତିକ ଦଳ ହୋଇଥିଲେ ମଧ୍ୟ ଆସ୍ଥା ସଂକଟ ସବୁଠାରେ ଦଳକୁ ଗ୍ରାସ କରୁଛି।

Pandian With Patnaik

Pandian With Patnaik

Advertisment

ରବି ଦାସ

ବିଜେଡି ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିବା ସତ୍ତ୍ୱେ ବିଧାନସଭାରେ ଏହା ଭୋଟ୍ ହାରରେ ବିଜେପିଠାରୁ ସାମାନ୍ୟ ଅଧିକ ଭୋଟ୍ ପାଇବା ଓ ଲୋକପ୍ରିୟତାରେ ବିଜେଡି ସୁପ୍ରିମୋ ନବୀନ ଏବେ ବି ଆଗରେ ଥିବାରୁ ବାହାରକୁ ଦେଖିଲେ ଦଳ ପାଇଁ କୌଣସି ବଡ଼ ଧରଣର ବିପଦ ନାହିଁ ବୋଲି ବିଚାର କରାଯାଉଥିଲା। ଅପରପକ୍ଷରେ ଓଡ଼ିଶାରେ ବିଜେପିର ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯେଉଁ ସରକାର ୧୫ ମାସ ହେଲା ଚାଲିଛି ସେଥିରେ ପୂର୍ବ ସରକାରର ଅଧିକାଂଶ କାର୍ଯ୍ୟକ୍ରମ ଯାହା ଲୋକମାନଙ୍କୁ ପ୍ରଭାବିତ କରିପାରିବ ସେଥିରେ କୌଣସି ବଡ଼ ଧରଣର ପରିବର୍ତ୍ତନ କରାଯାଇନାହିଁ। ବରଂ ସରକାରଙ୍କ ଲୋକପ୍ରିୟତାକୁ ବଢ଼ାଇବା ପାଇଁ ଧାନ କ୍ୱିଂଟାଲ ପିଛା ଖର୍ଦ୍ଦ ଦର ୩୧୦୦ ଟଙ୍କା କରିବା ଓ ଗତ ସରକାର ସମୟରେ ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ଯେପରି ଭାବରେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମିଶନ ଶକ୍ତି ମାଧ୍ୟମରେ ବ୍ୟବସ୍ଥା କରାଯାଇଥିଲା, ଏବେ ତାହା ସେହି ଢଙ୍ଗରେ ନହେଲେ ମଧ୍ୟ ସିଧାସଳଖ ଭାବରେ ୧ କୋଟି ମହିଳାମାନଙ୍କୁ ଥରକେ ୫୦୦୦ ଟଙ୍କା ହିସାବରେ ବର୍ଷକରେ ୨ଟି କିସ୍ତିରେ ୧୦ ହଜାର ଟଙ୍କା ପ୍ରଦାନ ମହିଳାମାନଙ୍କୁ କିଛି ପରିମାଣରେ ସନ୍ତୁଷ୍ଟ କରି ରଖିପାରିଛି।

Advertisment

ତା’ ସତ୍ତ୍ୱେ ସରକାରଙ୍କର କାର୍ଯ୍ୟକଳାପ ଓ ଶାସନ କରିବାର ଢଙ୍ଗ ସହିତ ମୁଖ୍ୟମନ୍ତ୍ରୀଙ୍କର ନେତୃତ୍ୱ ଓ କର୍ତ୍ତୃତ୍ୱକୁ ଠିକ୍ ଭାବରେ ଗୁରୁତ୍ୱ ଦିଆଯାଇ ନପାରୁଥିବାରୁ ନବୀନଙ୍କ ଶାସନରେ ଯେଉଁ ଧରଣର ଏକଚାଟିଆ ଶାସନ ବ୍ୟବସ୍ଥା ସହିତ ଲୋକମାନେ ଅଭ୍ୟସ୍ତ ହୋଇଯାଇଥିଲେ ତାହା ବର୍ତ୍ତମାନ ସରକାରରେ ହୋଇନଥିବାରୁ ସରକାରଙ୍କର ଗ୍ରହଣୀୟତା ଉପରେ ପ୍ରଶ୍ନମାନ ଉଠୁଛି। ସେଥିମଧ୍ୟରେ ଯେକୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ମହିଳାମାନଙ୍କ ଉପରେ କେତେଗୁଡ଼ିଏ ହିଂସା ଓ ଅତ୍ୟାଚାର ଘଟଣା ଖୁବ୍ ବଢେଇଚଢ଼େଇ ପ୍ରଦର୍ଶିତ ହେଉଛି। ଏହିସବୁ କାରଣରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରୁ କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ବଜାୟ ରହିଛି। କିନ୍ତୁ ଏହି ଲୋକପ୍ରିୟତା ସତ୍ତ୍ୱେ ଗତ ନିର୍ବାଚନରେ ଜନସାଧାରଣ ସେହି ସରକାରକୁ କାହିଁକି କ୍ଷମତାଚ୍ୟୁତ କଲେ ତାହା ଏପର୍ଯ୍ୟନ୍ତ ବି ବିଜେଡି ଠିକ୍ ଭାବରେ ଅନୁଧ୍ୟାନ କରି ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ କରିନାହିଁ। ଯେଉଁ କାରଣରୁ ନବୀନଙ୍କ ଲୋକପ୍ରିୟତା ସତ୍ତ୍ୱେ ସାଧାରଣ ଲୋକମାନେ ବିଜେଡି ଉପରୁ ଆସ୍ଥା ହରାଇଥିଲେ ତାହା ଧୀରେ ଧୀରେ ବିଜେଡି ଭିତରେ ସଂପ୍ରସାରିତ ହେବାରେ ଲାଗିଛି। ଅର୍ଥାତ୍ ଯେଉଁ ନେତୃତ୍ୱକୁ ଆଧାର କରି ଦଳ ୨୪ ବର୍ଷ କ୍ଷମତାରେ ରହିଲା ଏବେ ସେହି ନେତୃତ୍ୱ ଉପରେ ବିଜେଡିର ସାଧାରଣ ନେତା ଓ କର୍ମୀ ଆସ୍ଥା ହରାଇବାରେ ଲାଗିଛନ୍ତି। ଏହି କାରଣରୁ ଗୋଟିଏ ପରେ ଗୋଟିଏ ପଂଚାୟତ ସମିତି ଯେଉଁଗୁଡ଼ିକ ବିଜେଡି ନିୟନ୍ତ୍ରଣରେ ଥିଲା ସେଗୁଡ଼ିକରେ ଦଳ ପରିବର୍ତ୍ତନର ଘଟଣାଗୁଡ଼ିକ ପଦାକୁ ଆସୁଛି।

ବିଜେଡିର କିଛି ପୁରୁଖା ନେତା ବିଭିନ୍ନ ଭାବରେ ଦଳ ଭିତରେ ଆସ୍ଥାର ସଂକଟ ନେଇ ସୃଷ୍ଟି ହୋଇଥିବା ଘଟଣାଗୁଡ଼ିକ ପଦାକୁ ଆଣୁଛନ୍ତି। ଦଳର ଦୁଇଜଣ ବରିଷ୍ଠତମ ନେତା ଆଠ ଥର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କେନ୍ଦୁଝର ଜିଲ୍ଲାର ବରିଷ୍ଠତମ ନେତା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଦଳ ଭିତରେ ସୃଷ୍ଟି ହୋଇଥିବା ଆସ୍ଥାର ସଂକଟ ନେଇ ଭିନ୍ନ ଭିନ୍ନ ପ୍ରକାରରେ ମତପ୍ରକାଶ କରିଛନ୍ତି। ସେମାନଙ୍କର ଦଳ ପ୍ରତି ଓ ନେତାଙ୍କ ପ୍ରତି ପୂର୍ଣ୍ଣ ଆନୁଗତ୍ୟ ଥିଲେ ମଧ୍ୟ ଯେପରି ଭାବରେ ସର୍ବୋଚ୍ଚ ନେତା ନିର୍ବାଚନ ପୂର୍ବରୁ ନିଜର ଦାୟିତ୍ୱକୁ ଦଳ ସହିତ କେବେ ବି ନଥିବା ଜଣେ ଅଫିସରଙ୍କ ଉପରେ ସମ୍ପୂର୍ଣ୍ଣ ଛାଡ଼ିଦେଇଥିଲେ, ଯାହାକି ଦଳର ବିପର୍ଯ୍ୟୟର କାରଣ ହେଲା ତାହା ଏବେ ମଧ୍ୟ ଦଳରେ ସେହି ଢଙ୍ଗରେ ଅବ୍ୟାହତ ରହିଛି। ଯେଉଁ ଦଳର ଦଖଲେ ୩୦ଟି ଯାକ ଜିଲ୍ଲା ପରିଷଦ ଅଛି ଏବଂ ୨୭୦ରୁ ଉର୍ଦ୍ଧ୍ୱ ପଂଚାୟତ ସମିତି ସହିତ ୩ଟି ଯାକ ମହାନଗର ନିଗମ ସହିତ ଅଧିକାଂଶ ପୌର ପରିଷଦ ରହିଛି ଓ ଦଳର ବିଧାନସଭାରେ ୫୧ ଜଣ ସଦସ୍ୟ ଥିଲେ ମଧ୍ୟ ଦଳର ସାଧାରଣ ନେତା ଓ କର୍ମୀମାନଙ୍କ ଭିତରେ ଆସ୍ଥାଗତ ସଂକଟକୁ ଦୂର କରିବା ପାଇଁ ଦଳୀୟ ନେତୃତ୍ୱ ରଣ କୌଶଳ ସ୍ଥିର କରିପାରୁ ନାହାନ୍ତି।

Advertisment

ଦଳର ସାଂଗଠନିକ ନିର୍ବାଚନ ଯେଉଁ ଢଙ୍ଗରେ ହେଲା ସେଥିରେ ସେହି ଗୋଟିଏ ପ୍ରକାର ପରିଚାଳନା ଢଙ୍ଗ ପ୍ରତିଫଳିତ ହେଲା। ବିଜୁ ଜନତା ଦଳ ଯାହାକି ଓଡ଼ିଆ ଲୋକମାନଙ୍କ ଦଳ ଭାବରେ ପ୍ରତିଷ୍ଠା ଲାଭ କରିଥିଲା ସେହି ଦଳରେ ସେପରି ଭାବନା ଆଉ ଜାଗ୍ରତ ହୋଇପାରୁ ନାହିଁ। ବିଜୁଙ୍କ ଆଦର୍ଶର କୌଣସି ଚିନ୍ତା ଦଳ ଭିତରେ ନାହିଁ। ବିଜେଡ଼ି ଯେତେ ବଡ଼ ଦଳ ହେଲେ ମଧ୍ୟ ଦଳରେ ଯେଉଁ ଧରଣର ଅନୁଶାସନ ଓ ଶୃଙ୍ଖଳା ଥିଲା ତାହା କମିବାରେ ଲାଗିଛି। ଦଳରେ ତଥାକଥିତ ସାଙ୍ଗଠନିକ ନିର୍ବାଚନରେ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ସାରା ରାଜ୍ୟରେ ଦଳର ନେତା ଓ କର୍ମୀମାନଙ୍କ ଭିତରେ ଆସ୍ଥାଗତ ସଂକଟ ନେଇ ଥିବା ଦ୍ୱନ୍ଦକୁ ଦୂର କରି ପାରୁନାହାନ୍ତି। ଫଳରେ ତଳ ସ୍ଥରରେ ଅନେକ ନେତା ଦଳ ଛାଡ଼ି ଚାଲିଯିବାକୁ ସାହସ କରୁଛନ୍ତି। ଅନେକ ବିଜେଡ଼ି ହାତରେ ଥିବା ପଂଚାୟତ ସମିତିରେ ସେହି ବିଜେଡ଼ି ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଣୁଛନ୍ତି ଓ ବିଜେପି ସହିତ ସାମିଲ ହେଉଛନ୍ତି।

ଏହା ଭିତରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ କାରବାର ଉପରେ ପ୍ରଥମେ ସାମ୍ବାଦିକ ରୁବେନ୍ ବାନାର୍ଜୀ ଓ ପରେ ରାଜନେତା ପଂଚାନନ କାନୁନ୍‌ଗୋ ପୁସ୍ତକ ରଚନା କରି ଦର୍ଶାଇଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଯେଉଁ ଲୋକପ୍ରିୟତା ବହୁ ବର୍ଷ ଧରି ଓଡ଼ିଶାରେ ରହିଛି ତାହା ବାସ୍ତବରେ ଏକ ପ୍ରବଂଚନାର ଖୋଳପା। ସେ ବାହାରକୁ ଯେପରି ଭାବରେ ନିଜକୁ ଉପସ୍ଥାପିତ କରନ୍ତି ସେହି ଅନୁସାରେ ତାଙ୍କର ପ୍ରକୃତ ଆଚରଣ ନୁହେଁ। ହେଲେ ଜନସାଧାରଣ ନବୀନ ପଟ୍ଟନାୟକଙ୍କର ବାହ୍ୟ ଭାବମୂର୍ତ୍ତି ଓ କାର୍ଯ୍ୟକଳାପ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ବାରମ୍ବାର ରାଜ୍ୟରେ କ୍ଷମତା ଉପଭୋଗ କରିବାକୁ ଦେଇଆସିଛନ୍ତି। କିନ୍ତୁ ବିଜୁଙ୍କ ଆଦର୍ଶକୁ ଛାଡ଼ି କେବଳ କ୍ଷମତାରେ ରହିବା ପାଇଁ ନବୀନ ପଟ୍ଟନାୟକ ୨୦୧୯ ପରେ ଦିଲ୍ଲୀର ମୋଦୀ ସରକାରଙ୍କ ସହିତ ଯେଉଁ ବୁଝାମଣା କରିଥିଲେ ତାହା ୨୦୨୪ ନିର୍ବାଚନ ପୂର୍ବରୁ ଏକ ଭୟଙ୍କର ରୂପ ନେଇଥିଲା। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ି ୨୦୧୯ରେ ରାଜ୍ୟସଭାକୁ ପଠାଇବା ପରେ ୨୦୨୪ ଠିକ୍ ନିର୍ବାଚନ ପୂର୍ବରୁ ଆଉଥରେ ରାଜ୍ୟସଭାକୁ ପଠାଇଲା। ସେତେବେଳେ ବିଜେଡ଼ିର କେହି ଏହାକୁ ବିରୋଧ କରିନଥିଲେ। ସେମାନେ ଧରିନେଇଥିଲେ ଯେ, ଗୋଟିଏ ପକ୍ଷରେ ନବୀନଙ୍କ ବିଶ୍ୱସ୍ତ ଭି.କେ ପାଣ୍ଡିଆନ୍ ଓ ଅଶ୍ୱିନୀ ବୈଷ୍ଣବ ଯେଉଁ ବୁଝାମଣା କରିଛନ୍ତି ସେଥିରେ ସେମାନଙ୍କର ୨୦୨୪ ନିର୍ବାଚନରେ ପୁଣିଥରେ କ୍ଷମତା ଦଖଲ କରିବାରେ କିଛି ଅସୁବିଧା ହେବନାହିଁ।

ଏ ଧରଣର ରାଜନୀତି ଭାରତର କୌଣସି ରାଜ୍ୟରେ କେବେ ବି କୌଣସି ଆଂଚଳିକ ଦଳ କରିଥିବା ଇତିହାସ ଖୋଜିଲେ ବି ମିଳିବା କଷ୍ଟ। ବାସ୍ତବରେ ଏଥି ଯୋଗୁଁ ବିଜେପିରେ ଅଶ୍ୱିନୀ ବୈଷ୍ଣବଙ୍କର ପ୍ରତିଷ୍ଠା ବଢ଼ିଲା ଓ ଓଡ଼ିଶା ଲୋକଙ୍କ ଭିତରେ ଧାରଣା ହୋଇଗଲା ଯେ, ନବୀନ ପଟ୍ଟନାୟକ ସମ୍ଭବତଃ ନେତୃତ୍ୱ ନେବା ପାଇଁ ଅକ୍ଷମ ହୋଇଯାଇଛନ୍ତି। ଗତ ନିର୍ବାଚନରେ ସେହି ବିଚାର ଆଧାରରେ ଟିକଟ ବଂଟନ ହେଲା। ନିର୍ବାଚନ ପ୍ରଚାରରେ ନବୀନ ବସ୍ତୁତଃ ହଜିଯାଇ ଭି.କେ ପାଣ୍ଡିଆନ୍‌ଙ୍କୁ ଦଳର ମୁଖ୍ୟ ପ୍ରଚାରକ ଭାବରେ ରାସ୍ତାକୁ ପଠାଇଦେଲେ। ଯଦିଓ ବିଜେଡ଼ି ଭିତରେ ଅନେକ ପୁରୁଖା ନେତା ଓ ମନ୍ତ୍ରୀ ରହିଥିଲେ ମଧ୍ୟ ନିର୍ବାଚନ ପ୍ରଚାରରେ ସେମାନଙ୍କୁ କେବଳ ନିଜ ଅଂଚଳରେ ସୀମିତ କରିଦିଆଗଲା। ଦଳର ପାଣ୍ଠି ପାଣ୍ଡିଆନ୍‌ଙ୍କ ଇଚ୍ଛା ଅନୁସାରେ ଚାଲିବାରୁ ଲୋକସଭା ପ୍ରାର୍ଥୀମାନେ କୌଣସିଠାରେ ଆବଶ୍ୟକ ସମ୍ବଳ ପାଇଲେନାହିଁ।

ଏହିସବୁ ଘଟଣା ଦଳର ଯେଉଁ ନେତାମାନେ ଅନୁଭବ କରିଛନ୍ତି ସେମାନେ ଦଳ କ୍ଷମତାଚ୍ୟୁତ ହେଲା ପରେ ବିଭିନ୍ନ ଭାବରେ ସ୍ୱର ଉତ୍ତୋଳନ କରିବାକୁ ଉଦ୍ୟମ କରିବା ସମୟରେ ସେମାନଙ୍କ ସହିତ କୌଣସି ଆଲୋଚନା କରାଗଲା ନାହିଁ। ଯେଉଁ ତଥାକଥିତ ସାଙ୍ଗଠନିକ ନିର୍ବାଚନ କରାଗଲା ସେଥିରେ ଏହି ଭିନ୍ନ ସ୍ୱର ପ୍ରଦାନ କରୁଥିବା ନେତାମାନେ ବସ୍ତୁତଃ ଗାଏବ ହୋଇଗଲେ। ଏବେ ଯେଉଁମାନେ ସଙ୍ଗଠନର ତଥାକଥିତ ଦାୟିତ୍ୱରେ ଅଛନ୍ତି ସେମାନେ ରାଜ୍ୟସାରା ବିଜୁ ଜନତା ଦଳ ନେତାମାନଙ୍କ ଭିତରେ ନେତୃତ୍ୱ ପ୍ରତି ଆସ୍ଥା ହରାଇ ଦଳ ଛାଡ଼ିବାକୁ ବାହାରୁଥିବା ଘଟଣା ଜାଣିଥିଲେ ମଧ୍ୟ ସେମାନଙ୍କ ସହିତ ଯୋଗାଯୋଗ କରୁନାହାନ୍ତି। କାରଣ ସେମାନେ ଏବେ ବି ଦଳର ଭବିଷ୍ୟତ ଓ ନେତୃତ୍ୱର ସ୍ୱରୂପ ନେଇ ଠିକ୍ ଭାବରେ ଜାଣିବା ଅବସ୍ଥାରେ ନାହାନ୍ତି।

ବସ୍ତୁତଃ ବିଜୁ ଜନତା ଦଳ ଏପରି ଏକ ଅବସ୍ଥାରେ ଅଛି ଯେଉଁଠାରେ ନବୀନଙ୍କ ଶାରୀରିକ ଅସୁସ୍ଥତା ସହିତ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଭି.କେ ପାଣ୍ଡିଆନ୍ ନିୟନ୍ତ୍ରଣ କରୁଥିବାର ଚିତ୍ର ସେମାନଙ୍କର ନେତୃତ୍ୱ ଉପରେ ଆସ୍ଥାକୁ ଦୁର୍ବଳ କରୁଛି। ସେଥିପାଇଁ ୨୫ ବର୍ଷ ଧରି କ୍ଷମତାରେ ରହିଥିବା ଓ ନବୀନଙ୍କ ଲୋକପ୍ରିୟତା ସହିତ ସାରା ଓଡ଼ିଶାରେ ଏହା ସବୁଠାରୁ ବଡ଼ ରାଜନୈତିକ ଦଳ ହୋଇଥିଲେ ମଧ୍ୟ ଆସ୍ଥା ସଂକଟ ସବୁଠାରେ ଦଳକୁ ଗ୍ରାସ କରୁଛି। ଆଗାମୀ ନିର୍ବାଚନ ବେଳକୁ ନବୀନଙ୍କୁ ୮୩ ବର୍ଷ ହୋଇଥିବ। ସେହି ବୟସରେ ଓ ବର୍ତ୍ତମାନର ସ୍ୱାସ୍ଥ୍ୟ ନେଇ ସେ ଦଳକୁ କି ନେତୃତ୍ୱ ନେବେ? ତାଙ୍କ ବଦଳରେ କେଉଁମାନେ କେଉଁ ଢଙ୍ଗରେ ଦଳ ପରିଚାଳନା କରିବେ ଓ ଏହାର ରାଜ୍ୟ ଓ ଜାତୀୟ ନୀତି କ’ଣ ହେବ ତାହା ସ୍ପଷ୍ଟ ନହେଲା ପର୍ଯ୍ୟନ୍ତ ଆସ୍ଥାଗତ ସଂକଟ ଦ୍ୱନ୍ଦ ବଢ଼ି ବଢ଼ି ଚାଲିବ।

ମୋ- ୮୦୧୮୦୯୪୪୫୫

BjD Naveen Patnaik Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe