Advertisment

ବିଧବା ପ୍ରଥାର ସମାପ୍ତି ଜରୁରୀ!

ଊଣା ଅଧିକ ସମସ୍ତ ଧର୍ମରେ କୋଟି କୋଟି ମହିଳା ନିଜର ସ୍ୱାମୀକୁ ହରେଇଲା ପରେ ସାରା ଜୀଵନ ଏକ ଅପମାନଜନକ, ବାଛବିଚାର ପୂର୍ଣ୍ଣ ଜୀବନ ଜୀଇଁବାକୁ ବାଧ୍ୟ ହୋଇଥାନ୍ତି। ଭାରତ ପରି ହିନ୍ଦୁ ବହୁଳ ସମାଜରେ ନିଜର ଜୀବନସାଥୀକୁ ହରାଇବା ପରେ ମହିଳାମାନେ ସାଧାରଣତଃ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ସହ ଉଭୟ ପରିବାର ଓ ସମାଜରେ ସାମାଜିକ ବିଦ୍ଵେଷ, ଘୃଣା, ଶୋଷଣ ଓ ହିଂସାର ଶୀକାର ହୋଇଥାନ୍ତି।

Widows

Widows

Advertisment

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଏଇ ଗଲା ଜୁନ୍ ୨୩ ତାରିଖରେ ପାଳିତ ହେଉଥିଲା ବିଶ୍ଵ ବିଧବା ଦିବସ। ବିଧବା ଶବ୍ଦଟି ତା'ର ବ୍ୟବହାରିକ ଅର୍ଥରେ ମହିଳା ବିରୋଧୀ ଓ ଅପମାନଜନକ! ଯଦିଓ ଜଣେ ମହିଳା ନିଜର ସ୍ଵାମୀକୁ ହରାଇବା ପରି ଜଣେ ପୁରୁଷ ମଧ୍ୟ ତା'ର ପତ୍ନୀକୁ ହରାଇବାର ସମ୍ଭାବନା ଥାଏ, କିନ୍ତୁ ବିଧବା ଶବ୍ଦଟି କେବଳ ସ୍ଵାମୀହରା ମହିଳାଙ୍କ ପାଇଁ ପ୍ରଯୁଜ୍ୟ ହୋଇଥାଏ‌। ଜଣେ ମହିଳାଙ୍କ ପାଇଁ ବୈଧବ୍ୟ ହେଉଛି ଏକ ପ୍ରକାର ଭୟଙ୍କର ଦଣ୍ଡ, ଯାହା ସମ୍ପୃକ୍ତ ମହିଳାଙ୍କୁ ନିଜର କୌଣସି ଅପରାଧ ବିନା ମୃତ୍ୟୁ ପର୍ଯ୍ୟନ୍ତ ଭୋଗ କରିବାକୁ ପଡ଼ିଥାଏ।

Advertisment

ଊଣା ଅଧିକ ସମସ୍ତ ଧର୍ମରେ କୋଟି କୋଟି ମହିଳା ନିଜର ସ୍ୱାମୀକୁ ହରେଇଲା ପରେ ସାରା ଜୀଵନ ଏକ ଅପମାନଜନକ, ବାଛବିଚାର ପୂର୍ଣ୍ଣ ଜୀବନ ଜୀଇଁବାକୁ ବାଧ୍ୟ ହୋଇଥାନ୍ତି। ଭାରତ ପରି ହିନ୍ଦୁ ବହୁଳ ସମାଜରେ ନିଜର ଜୀବନସାଥୀକୁ ହରାଇବା ପରେ ମହିଳାମାନେ ସାଧାରଣତଃ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ସହ ଉଭୟ ପରିବାର ଓ ସମାଜରେ ସାମାଜିକ ବିଦ୍ଵେଷ, ଘୃଣା, ଶୋଷଣ ଓ ହିଂସାର ଶୀକାର ହୋଇଥାନ୍ତି। ସେମାନଙ୍କ ମୁହଁ ଦେଖିବା ବି ଅଶୁଭ ବୋଲି ଧରି ନିଆଯିବା ସହ ସେମାନଙ୍କୁ କୌଣସି ବିବାହ, ବ୍ରତ, ପୂଜା ଆଦି ତଥାକଥିତ ପବିତ୍ର କାର୍ଯ୍ୟମାନଙ୍କରେ ବାରଣ କରାଯାଇଥାଏ। ଏପରିକି ସେମାନଙ୍କୁ ନିଜର ପୁଅଝିଅଙ୍କ ବିବାହ ସମୟରେ ବି ବେଦୀରେ ପ୍ରବେଶକୁ ଅଶୁଭ ବୋଲି କହି ବାରଣ କରାଯାଇଥାଏ।

ପ୍ରଥା ଓ ପରମ୍ପରା ନାମରେ ଆମର ପୁରୁଷବାଦୀ ସମାଜରେ ସେମାନଙ୍କ ଉପରେ ଏଭଳି ଅବୈଜ୍ଞାନିକ ଓ ଅମାନବିକ କଟକଣାକୁ ଲଦିବା ସହିତ ସେମାନଙ୍କୁ ଯୌନଗତ ସ୍ଵାଧୀନତାରୁ ସମ୍ପୂର୍ଣ୍ଣ ବଂଚିତ କରାଯାଇଥାଏ। ବିଧବା ହେବା ପରେ ଜଣେ ମହିଳା ନିଜର ଯୌନ ଆବଶ୍ୟକତାକୁ ଚରିତାର୍ଥ କରିବା କିମ୍ବା ଆଉ ଜଣେ ପୁରୁଷକୁ ଜୀବନସାଥୀ କରିବା ପାପ ବା ଅପରାଧ ବୋଲି ଏଯାଏଁ ଧରାଯାଉଛି।

Advertisment

ବ୍ରିଟିଶ ଶାସନ କାଳରୁ ଆମ ଦେଶରେ ବିଧବା ପୁନଃ ବିବାହକୁ ଆଇନଗତ ଅନୁମତି ଦିଆଯାଇ ସାରିଥିଲେ ବି ଆଜି ମଧ୍ୟ ଜଣେ ବିଧବା ମହିଳାଙ୍କ ପୁନଃବିବାହକୁ ଆମ ସମାଜ ସହଜରେ ଗ୍ରହଣ କରିପାରିନି। ପତିହରା ମହିଳାଙ୍କ ବିବାହ ଆଜି ବି ଏତେ ସହଜ ନୁହେଁ। ଜଣେ ପତ୍ନୀହରା ସ୍ଵାମୀ ନିଜର ପତ୍ନୀ ମରିବାର ମାତ୍ର ବାର ଦିନ (ଧାର୍ମିକ ପରମ୍ପରା ଯୋଗୁଁ) ପରେ ପୁଣି ଥରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିପାରିବେ, କିନ୍ତୁ ପତିହରା ବିଧବାଟିଏ ଆମ ସମାଜରେ ପୁରୁଷଙ୍କ ସମାନ ସମ୍ମାନ ଓ ଅଧିକାର ପାଇବାକୁ ସମର୍ଥ ହୋଇନଥାଏ। ସେମାନଙ୍କ ଯୌନଇଚ୍ଛାକୁ ଦବେଇ ରଖିବା ନାମରେ ସେମାନଙ୍କୁ ଆମିଷ ପରି ପୁଷ୍ଟିକର ଖାଦ୍ୟ ଖାଇବାର ଅଧିକାରରୁ ବଞ୍ଚିତ କରାଯାଇଥାଏ। ଏପରିକି ଆମିଷ, ପିଆଜ, ରସୁଣ ଆଦି ଖାଦ୍ୟ ଖାଇଲେ ସେମାନଙ୍କ ଦେହରେ ଯୌନ ଉତ୍ତେଜନା ବୃଦ୍ଧି ହେବ ବୋଲି ଏକ ଅହେତୁକ ସନ୍ଦେହ ଥିବାରୁ ସେସବୁ ଖାଦ୍ୟ ଖାଇବାକୁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥାଏ।

କହିବାକୁ ଗଲେ ଏଭଳି ଅବୈଜ୍ଞାନିକ ଓ ଅଯୌକ୍ତିକ କଟକଣା ଜରିଆରେ ଆମର ପୁରୁଷବାଦୀ ସମାଜ ସ୍ଵାମୀହରା ମହିଳାଙ୍କ ଯୌନ ଇଚ୍ଛା ବା ଯୌନ ସ୍ଵାଧୀନତାକୁ ବଳପୂର୍ବକ ଦବେଇ ଦେବାକୁ ଚେଷ୍ଟା କରି ଆସିଛି। ଅତିତରେ ସ୍ଵାମୀ ଚାଲିଯିବା ପରେ ଜଣେ ମହିଳା କାଳେ ଅନ୍ୟ ପୁରୁଷ ପ୍ରତି ଆକର୍ଷିତ ହେବ, ସେଥିପାଇଁ ସତୀଦାହ ପରି ଅତ୍ୟନ୍ତ ଅମାନବୀୟ ପ୍ରଥା ସୃଷ୍ଟି କରାଯାଇଥିଲା। ଜଣେ ସ୍ତ୍ରୀକୁ ତା'ର ସ୍ଵାମୀର ସମ୍ପତ୍ତି ରୂପେ ଦେଖାଯିବା ସହ ମୃତ୍ୟୁ ପରେ ବି ତା'ରି ଉପରେ ଅନ୍ୟ କାହାର ଅଧିକାର ଯେପରି ନ ଆସିବ ସେଥିପାଇଁ ସ୍ଵାମୀର ମୃତ୍ୟୁ ପରେ ସ୍ତ୍ରୀକୁ ବଳପୂର୍ବକ ନିଶା ଖୁଆଇ ଅଥବା ତା'ର ମୁଣ୍ଡକୁ ଆଘାତ କରି ଅଚେତ କରିବା ସହ ତା'ର ଇଚ୍ଛା ବିରୁଦ୍ଧରେ ବଳପୂର୍ବକ ସ୍ଵାମୀର ଚିତାରେ ପକାଇ ଜୀଅନ୍ତା ପୋଡ଼ି ଦିଆଯାଉଥିଲା।

ସବୁଠାରୁ ଦୁଃଖଦାୟକ କଥା ହେଲା, ଆମ ସମାଜ ଏପରିକି ଖୋଦ୍ ଆମର ପରିବାର ମଧ୍ୟରେ ଆମ ନିଜର ଜେଜେମା, ଆଇ, ମାଆ, ଭଉଣୀ, ଝିଅମାନେ ଏଭଳି ଏକ ଅମାନବିକ ପ୍ରଥା ନାମରେ ପ୍ରତି ମୂହୁର୍ତ୍ତରେ ଭେଦଭାବ ଓ ଅନ୍ୟାୟର ଶୀକାର ହେଉଥିବା ବେଳେ ଆମେ ଏହାକୁ ଏକ ସାଧାରଣ ଘଟଣା ଭାବେ ଧରି ନେଉଛୁ ଏବଂ ସହ୍ୟ ବି କରିଚାଲିଛେ। ଆମର ଏ‌ହି ସମ୍ଵେଦନହୀନତା ସମାଜର କୋଟି କୋଟି ମହିଳାଙ୍କୁ ମାନବିକ ଅଧିକାରକୁ ଦଳି ଚକଟି ନଷ୍ଟ କରିଆସିଛି।

ବିଶ୍ଵ ବିଧବା ଦିବସ (ଜୁନ୍ ୨୩) ଅବସରରେ ସମାଜର ଲକ୍ଷ ଲକ୍ଷ ବିଧବା ମହିଳାମାନଙ୍କ ପ୍ରତି ଉଭୟ ଆମେ ଓ ସରକାର ଅଧିକ ସମ୍ବେଦନଶୀଳ ହେବା ସହ ସେମାନଙ୍କ ପ୍ରତି ରହିଆସିଥିବା ସମସ୍ତ ପ୍ରକାର ଭେଦଭାବ, ଶୋଷଣ ଓ ଅନ୍ୟାୟ ବିରୋଧରେ ସ୍ଵର ଉତ୍ତୋଳନ କରିବାର ପଣ ନିଆଯାଇଛି। ସେମାନେ ଯେପରି ପରିବାର ଓ ସମାଜରେ ଜଣେ ମଣିଷ ଭାବେ ସମ୍ମାନର ସହିତ ବଂଚିବେ ତଥା ଘୃଣା ଓ ଭେଦଭାବରୁ ମୁକ୍ତ ହୋଇ ଏକ ଆତ୍ମନିର୍ଭରଶୀଳ ଜୀବନ ଜୀଇଁବେ ସେ ଦିଗରେ ସରକାର ପଦକ୍ଷେପ ନେବା ଦରକାର। ଯେହେତୁ ଆମ ସମାଜର ଅଧିକାଂଶ ମହିଳା ଆର୍ଥିକ ଭାବେ ସ୍ଵାମୀଙ୍କ ଉପରେ ନିର୍ଭରଶୀଳ ତେଣୁ ସ୍ଵାମୀ ଚାଲିଯିବା ପରେ ସେମାନଙ୍କ ଅର୍ଥନୈତିକ ମେରୁଦଣ୍ଡଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥାଏ। ସେମାନେ ହଠାତ୍ ଆର୍ଥିକ ଭାବେ ଅସହାୟ ହୋଇପଡ଼ନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ କରି ସମାଜରେ ସମ୍ମାନର ସହ ବଞ୍ଚି ରହିବାର ପରିସ୍ଥିତି ସୃଷ୍ଟି କରିବା ହେଉଛି ସରକାରଙ୍କ ଦାୟିତ୍ୱ!

ବର୍ତ୍ତମାନ ସେମାନଙ୍କ ପାଇଁ ସରକାର କେବଳ ପ୍ରତି ମାସରେ ନାମକୁ ମାତ୍ର ଭତ୍ତାର ବ୍ୟବସ୍ଥା କରିଛନ୍ତି। ସେହି ଭତ୍ତାର ପରିମାଣ ବି ବହୁତ କମ୍ ଏବଂ ତାହା ବି ସମାଜର ସବୁ ଗରିବ ବିଧବାଙ୍କ ପାଇଁ ଉପଲବ୍ଧ ନୁହେଁ। ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ଏକ ସର୍ବନିମ୍ନ ଭତ୍ତା ସହ ସେମାନଙ୍କୁ ଆବଶ୍ୟକ ମତେ ତାଲିମ ଦେବା, ଚାକିରୀ କ୍ଷେତ୍ରରେ ସଂରକ୍ଷଣର ବ୍ୟବସ୍ଥା ଏବଂ ସର୍ବୋପରି ସେମାନଙ୍କୁ ମାଗଣାରେ ଜମି ଯୋଗାଇଦେବାର ବ୍ୟବସ୍ଥା ହେବା ଦରକାର!

ଫୋ- ୯୪୩୭୧୬୬୩୯୧

Widower Widow Pension Widow
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe