ପ୍ରଚାରଧର୍ମୀ ଓ କାର୍ଯ୍ୟଧର୍ମୀ ବାତ୍ୟା ମୁକାବିଲା

ପୂର୍ବାନୁଭୂତିକୁ ଲକ୍ଷ୍ୟ କରି ସରକାର ରାଜ୍ୟର ୪୮୦ କିମି ବ୍ୟାପି ସମୁଦ୍ରତଟରେ ୧୦ କିମି ଚଉଡ଼ା ସବୁଜ ପ୍ରାଚୀର, କିଆ, ଝାଉଁ, କାଜୁ ବାଦାମ, ବିଭିନ୍ନ କଣ୍ଟାକୋଳି ଗଛ, ବାଉଁଶ ବୁଦା ସହିତ ଉଚ୍ଚତା ବିଶିଷ୍ଟ ଖଜୁରୀ, ତାଳ, ନଡ଼ିଆ ଓ ବୁଦାଗଛ, ବର, ଅଶ୍ୱସ୍ତ, ନିମ, ରବର ଆଦି ଓହଳ ଥିବା ଗଛ ରୋପଣର ବ୍ୟବସ୍ଥା ସହିତ ସବୁ ନଦୀ ସଂଯୋଗକାରୀ ସର୍ବକାଳୀନ ନୌସେବା ସୁଯୋଗ ଥିବା ପ୍ରଶସ୍ଥ ନାଳ ଖୋଳାଇବାର ବ୍ୟବସ୍ଥାରେ ମନ ନିବେଶ କରନ୍ତୁ। ଏଥିସହିତ ସବୁ ଘର ପକ୍କା ଘର କରିବା ସହିତ ଉପକୂଳବର୍ତ୍ତୀ ଇଲାକାରେ ଭୂତଳ କେବୁଲ ଯୋଗେ ବିଦ୍ୟୁତକରଣ ବ୍ୟବସ୍ଥା କରନ୍ତୁ।

Impact Of Cyclone Dana

  • Published: Monday, 28 October 2024
  • , Updated: 28 October 2024, 04:49 PM IST

ପଞ୍ଚାନନ କାନୁନଗୋ

ଆମ ରାଜ୍ୟ ଭୌଗୋଳିକ ସ୍ଥିତି ପାଇଁ ପ୍ରାୟ ପ୍ରତି ବର୍ଷ ବନ୍ୟା, ମରୁଡ଼ି ବା ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଅବଶ୍ୟ ଏବେ ବହୁ ପରିମାଣରେ ମରୁଡ଼ି ବା ବନ୍ୟା ଜନିତ କ୍ଷୟକ୍ଷତି କମିଛି। ହେଲେ ବଙ୍ଗୋପସାଗରରେ ଜନ୍ମ ନେଉଥିବା ବାତ୍ୟାକୁ ସମ୍ମୁଖୀନ ହେବାକୁ ପଡୁଛି। ଏଇ କେଇ ଦିନ ତଳେ ଓଡ଼ିଶାର ଏକ ଭୂଖଣ୍ଡ ଦେଇ ସାମୁଦ୍ରିକ ଝଡ଼ ପ୍ରବାହିତ ହୋଇଗଲା। ସାଧାରଣ ଲୋକଙ୍କ ଭିତରେ ଏହି ଝଡ଼ ‘ଦାନା’ ବଡ଼ ଆତଙ୍କ ସୃଷ୍ଟିକାରୀ ଥିଲା। ଯଦିଓ ଏହାର ବେଗ ମୂଳରୁ ହିଁ ୧୦୦ରୁ ୧୧୦ ବା ଅତିବେଶିରେ ୧୨୦ କିଲୋମିଟର ବେଗ ରହିବ ବୋଲି ବାରମ୍ବାର ପୂର୍ବାନୁମାନ କରାଯାଉଥିଲା, ତେବେ ଏହାର ଦିଗ ଓ ପ୍ରଭାବ ସଂପର୍କରେ ବଡ଼ ଅସ୍ଥିର ଥିବା ପାଣିପାଗ ବିଶେଷଜ୍ଞମାନେ କହୁଥିଲେ। କେତେବେଳେ ଉପକୂଳବର୍ତ୍ତୀ ୧୪ଟି ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବ ବୋଲି କୁହାଗଲା ତ କେତେବେଳେ ୧୧ଟି ଜିଲ୍ଲା ଓ ପରେ ୭ରୁ ୯ ଜିଲ୍ଲାରେ ରହିବ ବୋଲି କୁହାଗଲା। ବାସ୍ତବ କ୍ଷେତ୍ରରେ ମାତ୍ର ୩ ଗୋଟି ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କେତେଗୋଟି ଅଞ୍ଚଳରେ ଏହି ବାତ୍ୟାର ପ୍ରଭାବ ପଡ଼ିଥିଲା।

ଏହି ପ୍ରଭାବର ସତ୍ୟ ଅବଲୋକନ କଲେ ଅଳ୍ପ କିଛି ଅଞ୍ଚଳରେ ବଡ଼ ଗଛ ଉପୁଡ଼ି ପଡିଥିଲା ଅବା ବିଦ୍ୟୁତ ତାର ବିଚ୍ଛିନ୍ନ ହୋଇଥିଲା। ଅଳ୍ପ କିଛି ଚାଳ ଛପର ଘର ସଂପୂର୍ଣ୍ଣ ବା ଆଂଶିକ ନଷ୍ଟ ହୋଇଥିଲା। ବେଶି ନଷ୍ଟ ହୋଇଥିଲା ଚାଷୀର ଚାଷ। ବାତ୍ୟା ଅପେକ୍ଷା ତତ୍‌ସଂପର୍କିତ ବର୍ଷା ପ୍ରାବଲ୍ୟ ଓ ତୀକ୍ଷ୍ଣତା ହିଁ ବିଭବ ସମ୍ଭାର ସୃଷ୍ଟି କରୁଥିବା ଧାନକ୍ଷେତ ଉଜାଡ଼ି ଦେଇଥିଲା। ସରକାରୀ କଳର ପ୍ରାଥମିକ ଆକଳନ ଅନୁସାରେ ଏହା ହୁଏତ ୧ ଲକ୍ଷ ୭୫ ହଜାର ଏକର ଜମି ହେବ ବୋଲି କୁହାଯାଉଛି। ପରବର୍ତ୍ତୀ ବାସ୍ତବ ଆକଳନରେ ଏହା ହୁଏତ କିଛି କମବେଶି ହୋଇପାରେ। ଅନ୍ୟାନ୍ୟ ଫସଲ ଯଥା ପାନ ବରଜ, ନଡ଼ିଆ, ଗୁଆ ବଗିଚା, ଆରମ୍ଭ ହୋଇଥିବା ଶୀତ ଦିନିଆା ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ସମୁଦ୍ରକୂଳିଆ ଚିଙ୍ଗୁଡ଼ି ଘେରି ଅବା ମାଛ ପୋଖରୀ କ୍ଷତିର ସମ୍ମୁଖୀନ ହୋଇଛି।

ସରକାରୀ ସ୍ତରରେ ଯେତେ ଯାହା ଜୋରଦାର ପ୍ରଚାର କରାଯାଇଥିଲେ ମଧ୍ୟ ସାଧାରଣ ଲୋକେ ଏତେ ଆତଙ୍କିତ ନଥିଲେ। କାରଣ ବର୍ତ୍ତମାନ ବାତ୍ୟା ‘ଦାନା’ ଠାରୁ ଆହୁରି ବଡ଼ ଭୟଙ୍କର ବାତ୍ୟା ଏମାନେ ଗତ ୭୦ ବର୍ଷରେ ଦେଖିଥିବା ଏବଂ ସେସବୁ କଷ୍ଟ ସହିଥିବା ଲୋକମାନେ ହିଁ ଏବେ ବହୁ ସଂଖ୍ୟାରେ ଆତଯାତ ହେଉଛନ୍ତି। ଏଥିରେ ୧୯୯୯ ମସିହାର ମହାବାତ୍ୟା ଓ ତା’ପରବର୍ତ୍ତୀ ଫାଇଲିନ୍‌, ଫନି, ହୁଡ୍‌ହୁଡ୍‌, ତିତ୍‌ଲି, ଅମ୍ପନ ଆଦି ବାତ୍ୟାରେ ଘଣ୍ଟା ପ୍ରତି ୨୦୦ କିମିରୁ ଅଧିକ ବେଗରେ ପବନ ବହୁଥିଲା। ୮ ମିଟର ଉଚ୍ଚର ଜୁଆର କୂଳ ଲଙ୍ଘିଥିଲା। କ୍ଷୟକ୍ଷତି ଯଥେଷ୍ଟ ଅଧିକ ଥିଲା।

ମହାବାତ୍ୟା ସମୟରେ ବାତ୍ୟାର ନାମକରଣ ହୋଇନଥିଲା। ତେବେ ତା’ ପୂର୍ବରୁ ଉପକୂଳବାସୀ ୧୯୬୭, ୧୯୭୧, ୧୯୮୨ରେ ବାତ୍ୟାର ସମ୍ମୁଖୀନ ହୋଇଥିଲେ। ବଙ୍ଗୋପସାଗରରେ ଗତ ୭୦ ବର୍ଷ ମଧ୍ୟରେ ଯେଉଁସବୁ ବାତ୍ୟା ସଂଗଠିତ ହୋଇ ରାଜ୍ୟକୁ ଛୁଇଁଛି ସେଥିରେ ମୃତାହତ ସଂଖ୍ୟା କମିଛି। ତେବେ ସଂପଦ କ୍ଷୟକ୍ଷତି ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶରେ ଅନ୍ତରାୟ ସୃଷ୍ଟି କରିଛି। ୧୯୯୯ର ମହାବାତ୍ୟା ଅକ୍ଟୋବର ୨୯ରେ ଘଟିଥିଲା। ୨୦୧୩ ମସିହା ଅକ୍ଟୋବର ୧୨ ତାରିଖର ବାତ୍ୟା ନାଁ ଥିଲା ଫାଇଲିନ୍‌। ୨୦୧୪ ଅକ୍ଟୋବର ୧୨ରେ ହୁଡ୍‌ହୁଡ୍‌ ବାତ୍ୟା ପ୍ରଭୁତ କ୍ଷତି ପହଞ୍ଚାଇଥିଲା। ୨୦୧୮ ମସିହା ଅକ୍ଟୋବର ୧୧ ତାରିଖର ବାତ୍ୟା ତିତ୍‌ଲି ୭ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥିଲା। ବାତ୍ୟା ଅମ୍ପନ ଓଡ଼ିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଉପକୂଳକୁ କ୍ଷତି ପହଞ୍ଚାଇଥିଲା। ୧୯୭୧ ମସିହା ଅକ୍ଟୋବର ମାସର ବାତ୍ୟା କେନ୍ଦ୍ରାପଡ଼ାର କେବଳ ସାତଭାୟା ଅଞ୍ଚଳରେ ୭ ହଜାରରୁ ଅଧିକ ପ୍ରାଣହାନିର କାରଣ ଓ ସାରା ଓଡ଼ିଶାରେ ୧୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିଲା। ସାତଭାୟା ଅଞ୍ଚଳର ୫ ଖଣ୍ଡ ଗାଁ ସମୁଦ୍ରରେ ଲୀନ ହୋଇଗଲା। ୨୦୧୯ ମସିହା ମଇ ୩ ତାରିଖରେ ବାତ୍ୟା ଫନି ପୁରୀଠାରେ ସ୍ଥଳଭାଗକୁ ଛୁଇଁ ବିଶେଷତଃ ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ପ୍ରଭାବ ବିସ୍ତାର କରିଥିଲା। ୨୦୧୯ ନଭେମ୍ବର ମାସ ୯ ତାରିଖରେ ବାତ୍ୟା ବୁଲ୍‌ବୁଲ୍‌, ୨୦୨୧ ମଇ ୨୭ରେ ବାତ୍ୟା ୟସ୍‌, ୨୦୨୧ ନଭେମ୍ବର ମାସ ୨୭ ତାରିଖରେ ବାତ୍ୟା ଗୁଲାବ, ସେହିବର୍ଷ ଡିସେମ୍ବର ୪ରେ ବାତ୍ୟା ଜୱାଦ୍‌, ୨୦୨୨ ଅକ୍ଟୋବରର ବାତ୍ୟା ସିତରଙ୍ଗ, ୨୦୨୩ ଡିସେମ୍ବର ୨ରେ ବାତ୍ୟା ମିଚାଉଙ୍ଗ ଓଡ଼ିଶାବାସୀ ଅଙ୍ଗେ ନିଭେଇଛନ୍ତି।

କିନ୍ତୁ ଆସିଥିବା ନୂଆ ସରକାର ନିଜର ଉପସ୍ଥିତି ଜାହିର କରିବା ପାଇଁ ଯେଉଁ ନିଷ୍ଠା ପ୍ରଦର୍ଶନ କଲେ, ପ୍ରସ୍ତୁତି ପ୍ରକ୍ରିୟା ବାରମ୍ବାର ଘୋଷଣା କଲେ ସେଥିରେ ଅଧିକ ଆତଙ୍କ ସୃଷ୍ଟି ହେବା ପରି ଗୋଟିଏ ପରିସ୍ଥିତି ଉପୁଜିଲା। ଆବଶ୍ୟକତା ଠାରୁ ଅଧିକ ପ୍ରତିଯୋଗିତାରେ ଥିବା ବୈଦ୍ୟୁତିକ ଗଣମାଧ୍ୟମ ଦିନରାତି ଏକ କରି ‘ଦାନା’ ବାତ୍ୟାର ପ୍ରଚାର କଲେ। ବାତ୍ୟାରେ କ୍ଷୟକ୍ଷତି ସିନା ସୀମିତ କ୍ଷେତ୍ରକୁ ପ୍ରଭାବିତ କଲା, ହେଲେ ବାତ୍ୟା ପୂର୍ବର ବଜାର ଜନିତ କ୍ଷୟକ୍ଷତି ଖୁବ୍‌ ବଢ଼ି ଯାଇଥିଲା। ସରକାରରେ ସମସ୍ତେ ଚେଷ୍ଟା କରି ଧମକପୂର୍ଣ୍ଣ ପ୍ରଚାର କଲେ ମଧ୍ୟ ବେପାରୀଙ୍କ କୌଶଳ ଆଗରେ ହାର ମାନିବା ଦେଖାଗଲା। ସରକାରଙ୍କ ନାକ ତଳେ ଥିବା ରାଜଧାନୀ ଭୁବନେଶ୍ୱରର କୁବେରପୁରୀ ଆଳୁ ଗୋଦାମରେ ୨୦ ତାରିଖ ଆଳୁ ଦର ହଠାତ୍‌ ୨୫ ଟଙ୍କାରୁ ବଢ଼ି ୩୨ ଟଙ୍କା ହେବା ଦେଖାଗଲା। ଅନ୍ୟତ୍ର ଖୁଚୁରା ଦୋକାନମାନଙ୍କରେ ଏହି ଦର କିଲୋ ପିଛା ୪୫ ଟଙ୍କା ବୃଦ୍ଧି ପାଇଥିଲା। ଲୋକଙ୍କ କେଜିଏ ୨ କେଜି ଜାଗାରେ ୧୦ରୁ ୧୨ କିଲୋ କିଣିଲେ। ଅନେକ ବଜାରରେ ସେହିଦିନ ରାତି ବେଳକୁ ଆଳୁ କିଲୋ ୬୫ ଟଙ୍କା ହୋଇଥିଲା।

ପ୍ରଚାର ଜନିତ ଛାନିଆର ପରିଣତି ଏହାଥିଲା। ଲୋକେ ବଜାରରେ ଭିଡ଼ ଜମାଇଲେ। ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ସାଉଁଟିଲେ। ବେପାରୀ ଦର ବଢ଼ିଲା, ସ୍ଥଳବିଶେଷରେ ଦୁଇଗୁଣ କରିଦେଲେ। ବାତ୍ୟାଜନିତ ଆତଙ୍କ ହେତୁ ବାତ୍ୟା ଛୁଇଁ ନଥିବା ଇଲାକାରେ ଏପରି ମନୁଷ୍ୟକୃତ ପ୍ରଭାବ ଓ ଅଭାବ ପରିଲକ୍ଷିତ ହେଲା। ବାତ୍ୟା ବିଧ୍ୱସ୍ତ ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକେ ସରକାରୀ, ବେସରକାରୀ ସୂତ୍ରରୁ ମିଳୁଥିବା ସାହାଯ୍ୟ ଜରିଆରେ କିଛି ହେଲେ ବି କ୍ଷତିଭରଣା କରିବେ। ତେବେ ଯେଉଁ ଅଞ୍ଚଳରେ ବାତ୍ୟା ଭୟରେ ଅଧିକ ମୂଲ୍ୟରେ ଓ ଅଯଥା କିଣାକିଣି କଲେ ସେମାନଙ୍କ କ୍ଷତି କେହି ଭରଣା କରିବା ଭଳି ଅବସ୍ଥା ନାହିଁ। ମହଙ୍ଗା ଭତ୍ତା ଦେବାବେଳେ ଏ ପ୍ରଭାବର ହିସାବ କରାଯିବ ନାହିଁ। ଜଣେ ପଡ଼ୋଶୀଙ୍କ ପୁଅ ହାଟରୁ ସାଇକେଲ୍‌ରେ ଜାର୍‌ରେ ୫ ଲିଟର କିରାସିନି ପୂରାଇ ଆଣୁଥିବା ଦେଖିବାକୁ ମିଳିଲା। ପ୍ରଶ୍ନର ଉତ୍ତରରେ କହିଲେ, ଏହା ବାତ୍ୟା ସମୟରେ ବିଦ୍ୟୁତ କଟିଲେ କାର୍ଯ୍ୟରେ ଆସିବ। ମାତ୍ର ପବନର ବେଗ ବଢ଼ିଲା ନାହିଁ କି ବିଦ୍ୟୁତ କଟିଲା ନାହିଁ। ସବୁ ବର୍ଗର ଲୋକେ ବାତ୍ୟା ଆତଙ୍କରେ ଏହିପରି ଅଳ୍ପବହୁତେ କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ଏଠାରେ ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ଏଥିରେ ଅତ୍ୟଧିକ ପ୍ରଚାର ପ୍ରତିଯୋଗିତା ଓ ବୈଦ୍ୟୁତିକ ଗଣମାଧ୍ୟମର ଆବଶ୍ୟକତା ଠାରୁ ଅଧିକ ପ୍ରଚାର ଏଥିପାଇଁ ଦାୟୀ। ପ୍ରଚାର ସମୟରେ ଯେଉଁସବୁ ଶବ୍ଦ ବ୍ୟବହାର କରାଯାଉଥିଲା ସେସବୁ ବାତ୍ୟା ତଥ୍ୟକୁ ଲୁଚାଇ ଦେଉଥିଲା। ପ୍ରବଳ ବେଗରେ ମାଡ଼ି ଆସୁଛି, ପ୍ରଚଣ୍ଡ ବେଗରେ ବର୍ଷା ବର୍ଷିବ, ତଳ ଅଞ୍ଚଳ ବୁଡ଼ିଯିବ, ସମୁଦ୍ର ଜୁଆର ମାଡ଼ି ଆସିବ, ଆଦି ପ୍ରଚାର ତୁହାକୁ ତୁହା କରାଯାଉଥିଲା, ଏସବୁ ଶୁଣିଲେ ଯେ କେହି ନିଶ୍ଚୟ ଆତଙ୍କିତ ହେବ। ଏହା ଗୁଜବ ନଥିଲା କି ମାଳିକା ବଚନ ନଥିଲା। ବେଶ୍‌ ଘଣ୍ଟା ଧରି ବଡ଼ ସ୍ୱରରେ ପ୍ରଚାର ଥିଲା। ବାତ୍ୟାର ତାଣ୍ଡବ ଭୟଙ୍କର, ସାମ୍‌ନା କରିବାକୁ ହେଲିକପ୍ଟର ମଗାଯାଇଛି, ଏପରି କଥା ମଧ୍ୟ ଶୁଣିବାକୁ ମିଳିଲା।

ସତର୍କତା ଓ ନିଷ୍ଠା ପାଇଁ ନୂଆକରି ଦାୟିତ୍ୱରେ ଥିବା ସରକାର ନିଶ୍ଚୟ ପ୍ରଶଂସନୀୟ। ମାତ୍ର ସଂଯମତା ସହ ଶବ୍ଦ ଅପେକ୍ଷା ତଥ୍ୟ ପ୍ରଚାରିତ ହେବା ଏବଂ ସରକାରୀ ପ୍ରସ୍ତୁତି ପ୍ରଚାରଧର୍ମୀ ନହୋଇ କାର୍ଯ୍ୟଧର୍ମୀ ହୋଇଥିଲେ ହୁଏତ ଅଧିକ ସୁଫଳ ମିଳିଥାନ୍ତା। ବାତ୍ୟା ମୁକାବିଲା ପାଇଁ ୧୯୯୯ ମହାବାତ୍ୟା ସମୟରେ ଇଞ୍ଜିନ୍‌ ଚାଳିତ ଗଛକଟା କରତଟିଏ ନଥିଲା। ବିଦ୍ୟୁତ ଖୁଣ୍ଟ ସଜାଡ଼ିବା ପାଇଁ ବର୍ଷାରେ ଲୋକେ ମିଳୁନଥିଲେ। ଓଡ଼ିଶାକୁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଏବେ ତ ଆମ ରାଜ୍ୟର ସଦାପ୍ରସ୍ତୁତ ସୁଦକ୍ଷ ଓଡ୍ରାଫ୍‌ ଓ ଜାତୀୟ ସ୍ତରୀୟ ଏନ୍‌ଡିଆରଏଫ୍‌ ଟିମ୍‌ ବହୁ ପୂର୍ବରୁ ଅଞ୍ଚଳରେ ପହଂଚିବାର ବ୍ୟବସ୍ଥା ରହିଛି। ବିଭିନ୍ନ ଭାବରେ ଯାତାୟାତ ଏପରିକି ଏକ ସମୟର ଦୁର୍ଗମ ଅଞ୍ଚଳକୁ ଏବେ ସୁଗମ ହୋଇଛି। ଗୋଟିଏ ଜାଗାରେ ପହଂଚିଲେ ବିଭିନ୍ନ ଦିଗକୁ ଯାଇ ହେଉଛି। ତଥାପି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରକୁ ଏନ୍‌ଡିଆରଏଫ୍‌ ଓ ଚପର୍‌ ମଗାଯାଇଥିବା କଥା ପ୍ରକାଶ କରିଥିଲେ। ବାତ୍ୟା, ବନ୍ୟା ବେଳେ ଆକାଶ ମାର୍ଗରୁ ଖାଦ୍ୟ ପୁଡ଼ିଆ ପକାଇବାର ସମ୍ଭାବନା କମିଯାଉଛି। ଆଜି ଯାହା ପୂର୍ବପରି ସେଇଆ- ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ଆକାଶ ମାର୍ଗରୁ କ୍ଷୟକ୍ଷତି ଆକଳନ କରିବା ପାଇଁ ହେଲିକପ୍ଟର ଦରକାର ହୋଇପାରେ। କାରଣ ସେମାନେ ଦିନ ବେଳେ ବୁଲି ରାତିରେ ରିଲିଫ୍‌ ପ୍ରସ୍ତୁତ କେନ୍ଦ୍ର ବା ସାମ୍ବାଦିକ ସମ୍ମିଳନୀ ପାଇଁ ସନ୍ଧ୍ୟା ବେଳେ ସମୟ ନିର୍ଣ୍ଣୟ କରିପାରିବେ।

ଏହିସବୁ ପୂର୍ବାନୁଭୂତିକୁ ଲକ୍ଷ୍ୟ କରି ସରକାର ରାଜ୍ୟର ୪୮୦ କିମି ବ୍ୟାପି ସମୁଦ୍ରତଟରେ ୧୦ କିମି ଚଉଡ଼ା ସବୁଜ ପ୍ରାଚୀର, କିଆ, ଝାଉଁ, କାଜୁ ବାଦାମ, ବିଭିନ୍ନ କଣ୍ଟାକୋଳି ଗଛ, ବାଉଁଶ ବୁଦା ସହିତ ଉଚ୍ଚତା ବିଶିଷ୍ଟ ଖଜୁରୀ, ତାଳ, ନଡ଼ିଆ ଓ ବୁଦାଗଛ, ବର, ଅଶ୍ୱସ୍ତ, ନିମ, ରବର ଆଦି ଓହଳ ଥିବା ଗଛ ରୋପଣର ବ୍ୟବସ୍ଥା ସହିତ ସବୁ ନଦୀ ସଂଯୋଗକାରୀ ସର୍ବକାଳୀନ ନୌସେବା ସୁଯୋଗ ଥିବା ପ୍ରଶସ୍ଥ ନାଳ ଖୋଳାଇବାର ବ୍ୟବସ୍ଥାରେ ମନ ନିବେଶ କରନ୍ତୁ। ଏଥିସହିତ ସବୁ ଘର ପକ୍କା ଘର କରିବା ସହିତ ଉପକୂଳବର୍ତ୍ତୀ ଇଲାକାରେ ଭୂତଳ କେବୁଲ ଯୋଗେ ବିଦ୍ୟୁତକରଣ ବ୍ୟବସ୍ଥା କରନ୍ତୁ। ଦେଶର ସରକାର ଓ ରାଜ୍ୟ ସରକାର ଗୋଟିଏ ଦଳର ହୋଇଥିବାରୁ ଏହା ସହଜ ହେବ ଏବଂ ଓଡ଼ିଶା ପାଇଁ କେବଳ ନୁହେଁ ଭାରତର ବିକାଶ ପଥରେ ସହାୟକ ହେବ। ଏଥିପାଇଁ କେନ୍ଦ୍ର ପାଖରେ ଏକ ସ୍ୱତନ୍ତ୍ର ପ୍ୟାକେଜ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରିବା ଯଥାର୍ଥ ହେବ।

ଦୂରଭାଷ- ୯୪୩୮୩୬୦୮୪୯

Related story