ଦେବ ରଞ୍ଜନ
ସେ ଦିନର ‘ମୃଗୟା’ ଚଳଚ୍ଚିତ୍ରର ନାୟକ ମିଥୁନ ଚକ୍ରବର୍ତ୍ତୀ ଆଜି ଦାଦା ସାହେବ ଫାଲକେ ପୁରସ୍କାର ପାଇଛନ୍ତି। ଦୀର୍ଘ ପଚାଶ ବର୍ଷ ହିନ୍ଦୀ, ଓଡ଼ିଆ (‘ସହର ଜଳୁଛି’, ‘ଏ ଯୁଗର କୃଷ୍ଣ ସୁଦାମା’ ଇତ୍ୟାଦି), ତେଲେଗୁ ଓ ନିଜର ବଙ୍ଗାଳୀ ଭାଷାର ବିଭିନ୍ନ ଫିଲ୍ମରେ ଅଭିନୟ କରିଆସୁଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଭାରତୀୟ ଫିଲ୍ମ ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ମିଳିଛି।
୧୯୭୬ ମସିହାରେ ପ୍ରସିଦ୍ଧ ନିର୍ଦ୍ଦେଶକ ମୃଣାଳ ସେନ ଭଗବତୀ ପାଣିଗ୍ରାହୀଙ୍କ ଲିଖିତ ଓଡ଼ିଆ ଗଳ୍ପ ‘ଶିକାର’କୁ ଫିଲ୍ମ ରୂପାନ୍ତର କରିବା ଲାଗି (ଯାହାର ନାମ ସେ ‘ମୃଗୟା’ ରଖିଥିଲେ) ଅଧିକ ଉଚ୍ଚତା ବିଶିଷ୍ଟ, ଶ୍ୟାମଳ ବର୍ଣ୍ଣ ଓ ମଜଭୁତ ଦେଖାଯାଉଥିବା ଜଣେ କଳାକାର ଆବଶ୍ୟକ କରୁଥିଲେ। ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ଛାତ୍ର ଥିବା ସମୟରେ ‘ମୃଗୟା’ ଲାଗି ଚୁକ୍ତି କରିଥିବା ସେହି ଦୀର୍ଘକାୟ ଯୁବକ ମିଥୁନ ଚକ୍ରବର୍ତ୍ତୀ ଆଜି କେନ୍ଦ୍ର ସରକାରଙ୍କ ଦ୍ଵାରା ଦାଦା ସାହେବ ଫାଲକେ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ଏହି ୨୦୨୪ ମସିହାର କିଛି ଦିନ ଆଗରୁ ସେ କେନ୍ଦ୍ର ସରକାରଙ୍କ ଦ୍ଵାରା ପଦ୍ମଭୂଷଣ ପୁରସ୍କାର ଦ୍ଵାରା ମଧ୍ୟ ସମ୍ମାନିତ ହୋଇଥିଲେ।
ସାଧାରଣତଃ ମିଥୁନ ଚକ୍ରବର୍ତ୍ତୀ ନିଜର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ସଦସ୍ୟଙ୍କ ଭଳି କ୍ଵଚିତ ସାମାଜିକ ସମସ୍ୟା ଉପରେ ନିଜର ବକ୍ତବ୍ୟ ରଖିଥାନ୍ତି। କିନ୍ତୁ କଲିକତାର ଆର.ଜି. କର ମେଡିକାଲ କଲେଜ ଛାତ୍ରୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଦୋଷୀଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଆପଣାଇବା କାରଣରୁ ମିଥୁନ ଚକ୍ରବର୍ତ୍ତୀ ବ୍ୟସ୍ତ ହୋଇ ମନ୍ତବ୍ୟ ଦେଇଥିଲେ, ‘ରାଜ୍ୟ ସରକାରଙ୍କ ଏତାଦୃଶ ମନୋବୃତ୍ତି ହେତୁ ମୁଁ ଜଣେ ବଙ୍ଗାଳୀ ଭାବରେ ମୁଣ୍ଡ ଉଠାଇ ଚାଲିପାରୁନାହିଁ।’ କିନ୍ତୁ ସେ ମଣିପୁର ମହିଳାଙ୍କ ଗଣ ଦୁଷ୍କର୍ମ ମାମଲାରେ ସଂପୂର୍ଣ୍ଣ ନୀରବ ରହିଥିଲେ। (ଯୁକ୍ତି ଅନୁସାରେ ଏହା ପଶ୍ଚିମବଙ୍ଗ ମଧ୍ୟରେ ଘଟିନଥିଲା!!!)
ଏଠାରେ ଉଲ୍ଲେଖଯୋଗ୍ୟ କଥା ହେଲା ଯେ ୨୦୧୧ ମସିହାରେ ମିଥୁନ ଚକ୍ରବର୍ତ୍ତୀ ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ ଓ ୨୦୧୪ ମସିହାରେ ସେ ଏହି ଦଳ ତରଫରୁ ରାଜ୍ୟସଭା ସଦସ୍ୟ ହୋଇପାରିଥିଲେ। କିନ୍ତୁ ୨୦୧୬ ମସିହାରେ ‘ସାରଦା ଚିଟ ଫଣ୍ଡ ସ୍କାମ’ରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ ହୋଇଥିଲା। ସେ କେତେକ ଅର୍ଥରାଶି ଦଣ୍ଡ ସ୍ୱରୂପ ପଇଠ କରିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଓ ଏଥିଲାଗି ସେ ୨୦୧୬ ମସିହାରେ ତୃଣମୂଳ କଂଗ୍ରେସ ପାର୍ଟି ଛାଡ଼ିଥିଲେ। ୨୦୨୧ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୨୩ରେ ସେ ଅତି ଚର୍ଚ୍ଚିତ ଫିଲ୍ମ ‘ଦି ତାସକେନ୍ଟ ଫାଇଲ୍ସ’ ଓ ‘ଦି କାଶ୍ମୀର ଫାଇଲ୍ସ’ରେ ଅଭିନୟ କରିଥିଲେ।
ଦୀର୍ଘ ବର୍ଷ ହେଲା ଦାଦା ସାହେବ ଫାଲକେ ପୁରସ୍କାର ମନୋନୟନ ରାଜନୀତିକ ଆନୁଗତ୍ୟ ଦୃଷ୍ଟିକୋଣରୁ ହେଉଥିବା ନେଇ ଏକ ଧାରଣା ସୃଷ୍ଟି ହୋଇଛି। ଉଦାହରଣ ଭାବରେ ନେଲେ ଅମିତାଭ ବଚ୍ଚନ କଂଗ୍ରେସ ସରକାର ସମୟରେ ଦାଦା ସାହେବ ଫାଲକେ ପୁରସ୍କାର ପାଇନଥିଲେ। ଯଦିଓ ସେ ୧୯୮୪ରେ କଂଗ୍ରେସ ପାର୍ଟିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଓ ଆଲ୍ଲାହାବାଦ ସିଟରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ କିନ୍ତୁ ବୋଫର୍ସ ସ୍କାମ ପରେ ଉଭୟ କଂଗ୍ରେସ ଓ ବଚ୍ଚନଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ୨୦୦୬ ମସିହାରେ ଅମିତାଭ ବଚ୍ଚନଙ୍କ କମ୍ପାନୀକୁ ଆୟକର ବିଭାଗ ତରଫରୁ ନୋଟିସ ଆସିବା ସମୟରେ ସେ ଏହା କଂଗ୍ରେସ ପାର୍ଟିର ନିର୍ଦ୍ଦେଶରେ ହୋଇଥିବା ଅଭିଯୋଗ କରିଥିଲେ।
ଦୀର୍ଘ ବର୍ଷ ହେଲା ଅମିତାଭ ବଚ୍ଚନ ଓ କେନ୍ଦ୍ର ସରକାରଙ୍କ ମଧ୍ୟ ଉତ୍ତମ ସମ୍ପର୍କ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ଓ ଅମିତାଭ ବଚନଙ୍କ ମଧ୍ୟରେ ଆଜିର ଏକ୍ସ ତଥା ଗଲାକାଲିର ଟୁଇଟର ଆଳାପରୁ ଏହା ବେଶ ଜଣାପଡ଼େ। ସୌହାର୍ଦ୍ଦ୍ୟପୂର୍ଣ୍ଣ ଆତ୍ମୀୟ ସମ୍ପର୍କ ଲାଗି ଅମିତାଭ କେବେ କୋଭିଡରେ ଆକ୍ରାନ୍ତ ହୋଇ ମଧ୍ୟ ଏହାର ଅବ୍ୟବସ୍ଥା ସମ୍ପର୍କରେ ହେଉ ବା ଲୋକେ ଭୋଗୁଥିବା କୌଣସି ସାମାଜିକ, ଆର୍ଥିକ ଓ ରାଜନୈତିକ ସମସ୍ୟା ଉପରେ କେବେ ବି କୌଣସି ମନ୍ତବ୍ୟ ଦେଇନାହାନ୍ତି। ତେଣୁ ଏହା ସ୍ଵାଭାବିକ ଯେ ଅମିତାଭ ବଚ୍ଚନ ବିଜେପି ଶାସନ ସମୟରେ ୨୦୧୮ ମସିହାରେ ଦାଦା ସାହେବ ଫାଲକେ ପୁରସ୍କାର ପାଇଲେ। ସେହିଭଳି ଦେବାନନ୍ଦ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ଦୃଢ଼ ପ୍ରଶଂସକ ଥିଲେ ଓ ତାଙ୍କୁ ୨୦୦୨ ମସିହାରେ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ଦାଦା ସାହେବ ଫାଲକେ ପୁରସ୍କାର ମିଳିପାରିଥିଲା।
ତେବେ ଏଥିରେ ଏକ ବଡ଼ ବ୍ୟତିକ୍ରମ ହେଉଛନ୍ତି ହିନ୍ଦୀ ଫିଲ୍ମର ଗୀତିକାର ଓ ନିର୍ଦ୍ଦେଶକ ଗୁଲଜାର। ତାଙ୍କୁ ୨୦୧୩ ମସିହାରେ କଂଗ୍ରେସ ଶାସନ ସମୟରେ ଉକ୍ତ ପୁରସ୍କାର ମିଳିଥିଲା। ଅଥଚ ତାଙ୍କରି ଫିଲ୍ମ ‘ଆନ୍ଧି’ ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ଘୋଷିତ ଜରୁରୀକାଳୀନ ପରିସ୍ଥିତି ଉପରେ ପର୍ଯ୍ୟବସିତ ଥିଲା। ଜନତା ପାର୍ଟି ସରକାରରେ ଏଲକେ ଆଡଭାନୀ ପ୍ରସାରଣ ମନ୍ତ୍ରୀ ଥିବା ସମୟରେ ଏହାର ରିଲିଜ ଲାଗି ଅନୁମତି ଦିଆଯାଇଥିଲା।
ଗୁଲଜାରଙ୍କ ଅନ୍ୟତମ ପ୍ରସିଦ୍ଧ ଫିଲ୍ମ ‘ମାଚ୍ଚିସ’ ପଞ୍ଜାବରେ ‘ଅପରେସନ ବ୍ଲୂ ଷ୍ଟାର’ ସମୟରେ ହୋଇଥିବା ପୁଲିସ ଅତ୍ୟାଚାର ଓ ଏନକାଉଣ୍ଟର ହତ୍ୟା ଉପରେ ପର୍ଯ୍ୟବସିତ। ସମାଜରେ କେଉଁଭଳି ପ୍ରଭାବ ଉକ୍ତ ଅପରେଶନ ପକାଉଛି ତାହା ଉପରେ ଫିଲ୍ମର କଥାବସ୍ତୁ ଥିଲା। ସରକାରଙ୍କ ପଦକ୍ଷେପକୁ ସର୍ବଦା ସମାଲୋଚନା କରିଆସିଥିବା ଗୁଲଜାରଙ୍କୁ ୨୦୧୩ ମସିହାରେ ଫାଲକେ ପୁରସ୍କାର ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆଜି ପୁରସ୍କାରର ଯେଉଁଭଳି ରାଜନୀତିକରଣ ହୋଇଛି ଆଗାମୀ ଦିନରେ କମଳା ହସନ, ନସିରୁଦ୍ଦିନ ଶାହା, ଓମ ପୁରୀ, ଜାଭେଦ ଅଖତାର ଓ ଶାବନା ଆଜମୀ ପ୍ରମୁଖଙ୍କୁ ଉକ୍ତ ପୁରସ୍କାର ମିଳିବ କି ନାହିଁ ସନ୍ଦେହ ହୁଏ।
ଦାଦା ସାହେବ ଫାଲକେ ପୁରସ୍କାର ସମ୍ପର୍କରେ ଅନ୍ୟ ଏକ ଚିନ୍ତାଜନକ କଥା ହେଲା ମହିଳା କଳାକାର, ନିର୍ଦ୍ଦେଶିକା, ଗାୟୀକା ବା କଥାବସ୍ତୁ ଲେଖିକା କ୍ଵଚିତ ଉକ୍ତ ପୁରସ୍କାର ପାଇଥାନ୍ତି। ୧୯୬୯ରେ ଯେବେ ଏହା ଆରମ୍ଭ ହୋଇଥିଲା ସେତେବେଳେ ପ୍ରଥମ ପୁରସ୍କାର ଅଭିନେତ୍ରୀ ଦେବିକା ରାଣୀଙ୍କୁ (ଭାରତୀୟ ସିନେମାର ପ୍ରଥମ ମହିଳା) ମିଳିଥିଲା। ଅଥଚ ସମଗ୍ର ପୁରସ୍କାର ତାଲିକାରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅନେକ କମ। ଫିଲ୍ମ କ୍ଷେତ୍ରକୁ ଜୀବନ ବ୍ୟାପୀ ଅବଦାନ ଲାଗି ୨୦୦୦ ମସିହାଠାରୁ ୨୦୨୪ ମସିହା ମଧ୍ୟରେ କେବଳ ଆଶା ଭୋଁସଲେ (୨୦୦୦), ଆଶା ପାରେଖ (୨୦୨୨) ଓ ୱାହିଦା ରେହମାନ (୨୦୨୩)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ମହିଳା କଳାକାର ଏହି ସର୍ବୋଚ୍ଚ ସମ୍ମାନ ପାଇନାହାନ୍ତି। ଅଭିନେତ୍ରୀ ମଧୁବାଲା, ଶର୍ମୀଳା ଟାଗୋର, ନିର୍ଦ୍ଦେଶିକା ଦୀପା ମେହେଟା (‘ଫାୟାର’ ପ୍ରସିଦ୍ଧ), ଅପର୍ଣ୍ଣା ସେନ, ଗାୟୀକା ଏସ ଜାନକୀ (ମୃତ), କୋରିଓଗ୍ରାଫର ସରୋଜ ଖାନ (ମୃତ) ପ୍ରମୁଖ ଏହା ପାଇନାହାନ୍ତି। ଯେଉଁ ସଂଖ୍ୟାରେ ପୁରୁଷ ଅଭିନେତା, ନିର୍ଦ୍ଦେଶକ, ଗାୟକ ଇତ୍ୟାଦିଙ୍କୁ ଏ ପୁରସ୍କାର ମିଳିଛି ସେ ତୁଳନାରେ ମହିଳାଙ୍କୁ ମିଳିନାହିଁ।
ହିନ୍ଦୀ ଫିଲ୍ମର ଇତିହାସରେ ମହିଳାଙ୍କୁ ମୁଖ୍ୟ ଚରିତ୍ର କରି ବହୁତ କମ ଫିଲ୍ମ ତିଆରି ହୋଇଛି। ଯେତିକି ତିଆରି ହୋଇଛି ସେ ମଧ୍ୟରେ ପୁରୁଷତାନ୍ତ୍ରିକ ସମାଜର ବିପକ୍ଷରେ ବା ପ୍ରତିବାଦରେ ମହିଳା ଅଭିନେତ୍ରୀ ନିଜର ସଂଗ୍ରାମ ଜାରି ରଖିବାର ବିଷୟବସ୍ତୁକୁ ନେଇ କାହାଣୀ କ୍ଵଚିତ ତିଆରି ହୋଇଛି। ୧୯୫୭ରେ ନର୍ଗିସଙ୍କ ଅଭିନୀତ ଓ ମେହେବୁବ ଖାନ ନିର୍ଦ୍ଦେଶିତ ‘ମଦର ଇଣ୍ଡିଆ’ ଫିଲ୍ମ ପ୍ରଥମ। ସେତେବେଳକୁ ଅନ୍ୟୁନ ଦଶ ହଜାର ଫିଲ୍ମ ନିର୍ମିତ ହୋଇସାରିଥିବ।
ଏହାର ଦୀର୍ଘ ବର୍ଷ ପରେ ମୀନାକ୍ଷୀ ଶେଷାଦ୍ରିଙ୍କ ଅଭିନୀତ ‘ଦାମିନୀ’ (୧୯୯୩) ଓ ଏହାର ପୁଣି ଅନେକ ବର୍ଷ ପରେ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଥିଆୱାଡ଼ା’ ନିର୍ମିତ ହେଉଛି। ହିନ୍ଦୀ ଫିଲ୍ମରେ ଅତି ଦକ୍ଷ ଅଭିନେତ୍ରୀ ହେଲେ ଶ୍ରୀଦେବୀ, ଯାହାଙ୍କ ‘ସଦମା’ ଏକ ମାଇଲଖୁଣ୍ଟି। ଅଥଚ ତାଙ୍କର ବଳିଷ୍ଠ ଭୂମିକା ଥାଇ କୌଣସି ଗୋଟିଏ ବି ନାରୀବାଦୀ ଫିଲ୍ମ ନିର୍ମିତ ହୋଇପାରିନାହିଁ। ଏପରିକି ବିଦ୍ୟା ବାଲାନଙ୍କ ‘କାହାଣୀ’ ପରି ଫିଲ୍ମର ସଂଖ୍ୟା ମଧ୍ୟ ହାତଗଣତି।
ସମାଜରେ ଗୋଟିଏ ପଟରେ ନାରୀଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ଏ ଦିଗରେ ‘ପିଂକ’ ଭଳି କ୍ଵଚିତ ଫିଲ୍ମ ତିଆରି ହେଉଛି। (ଏହି ଫିଲ୍ମର କଥାବସ୍ତୁ ଅନୁସାରେ ଅମିତାଭ ବଚ୍ଚନ ଅଧିକ ଶକ୍ତିଶାଳୀ ଭୂମିକରେ ଅଛନ୍ତି ନା କୌଣସି ମହିଳା କର୍ମୀ।) ଏହା ଠାରୁ ଆହୁରି କମ ଫିଲ୍ମ ହେଉଛି ଯେଉଁଥିରେ ମହିଳାଙ୍କ ସମସ୍ୟାକୁ ନେଇ ଲିଖିତ ସ୍କ୍ରିପ୍ଟରେ ଅଭିନେତ୍ରୀ ଜଣକ ମୁଖ୍ୟ ହୋଇଛନ୍ତି। ସମାଜରେ ଦଳିତ ଭୂମିହୀନଙ୍କ ସମସ୍ୟାକୁ ନେଇ ଫିଲ୍ମ ନିର୍ମାଣର ସଂଖ୍ୟା ମଧ୍ୟ ସମାନ। ଏ ସଂକ୍ରାନ୍ତରେ ପ୍ରକାଶ ଝାଙ୍କ ‘ଦାମୂଲ’ (୧୯୮୫) ପରେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଆୟୁଷ୍ମାନ ଖୁରାନାଙ୍କ ନିର୍ଦ୍ଦେଶିତ ‘ଆର୍ଟିକଲ ୧୫’ (୨୦୧୯) ଫିଲ୍ମ ଆସିପାରିଲା। ସରକାରଙ୍କ ଦମନ ଓ ଆକ୍ରୋଶମୂଳକ ମନୋଭାବକୁ ନେଇ ନିର୍ମିତ ଫିଲ୍ମ ‘କୋର୍ଟ’ ଦୁଇ ଲକ୍ଷ ଫିଲ୍ମ ଭିତରେ ଗୋଟିଏ ତିଆରି ହୋଇପାରିଛି।
ଆମର ଜୀବନ କହିଲେ କେବଳ ଯୁବା ବୟସର ପ୍ରେମ, ସଂଘର୍ଷ ଓ ହାପି ଏଣ୍ଡିଙ୍ଗ ନୁହେଁ ଯେ ଲକ୍ଷାଧିକ ଫିଲ୍ମ ସେହି ଏକମାତ୍ର ବିଷୟବସ୍ତୁ ଉପରେ ତିଆରି ହେବ। ଏହି ହେତୁ ହିନ୍ଦୀ ଫିଲ୍ମ ନିଜର କଥାବସ୍ତୁ ଅଭାବରୁ ଅନେକ ରିଲିଜ ହେବା ପରେ କୁଆଡ଼େ ଯାଉଛି ତାହାର କୌଣସି ଖବର ଲୋକେ ପାଉନାହାନ୍ତି। ଗଲା ଦଶ ବର୍ଷ ମଧ୍ୟରେ ଏପରି କ୍ଵଚିତ ଫିଲ୍ମ ରହିଛି ଯାହାର କଥାବସ୍ତୁ ଲାଗି ଦର୍ଶକ ଅନ୍ତତଃ ଫିଲ୍ମ ଦେଖିଆସିବା ପରେ ମନେରଖିବ!
ଏବେ ହିନ୍ଦୀ ଫିଲ୍ମ କେତେବେଳେ ଅତିଭୌତିକ ଓ ପୁଣି କେତେବେଳେ ଅତି ଅଯୌକ୍ତିକ କଥାବସ୍ତୁକୁ ନେଇ କମ୍ପ୍ୟୁଟର ଗ୍ରାଫିକ୍ସ ଓ ସିମୁଲେସନ ମାଧ୍ୟମରେ ନିର୍ମିତ ହେଉଛି। ସମାଜର ସାଧାରଣ ଜୀବନରେ ଘଟୁଥିବା ସମସ୍ତ ସମସ୍ୟା, ସଂଘର୍ଷ ଓ ପ୍ରତିବାଦ ସହିତ ତାଳ ଦେଇ ହିନ୍ଦୀ ଫିଲ୍ମ ନିର୍ମାଣ ବନ୍ଦ ହୋଇଯାଇଛି। ଆଞ୍ଚଳିକ ଫିଲ୍ମର ଅବସ୍ଥା ମଧ୍ୟ ସମାନ।
ଏଭଳି ଏକ ସମୟରେ ଆମେ ଦେଖୁଛୁ ଯେ ନା ଫିଲ୍ମ ନିର୍ମାତାମାନେ ସମାଜର ସମସ୍ୟା ଓ ଏହାର ସମାଧାନ ପ୍ରତି ଆଗ୍ରହୀ ନା ଲୋକେ ଆଶା କରୁଛନ୍ତି ଯେ ଫିଲ୍ମ ଜଗତର ଲୋକେ ତାଙ୍କୁ ସମର୍ଥନ ଦିଅନ୍ତୁ ଓ ତାଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣନ୍ତୁ। ଗଲା କିଛି ମାସ ହେଲା ଲଦାଖ ଅଞ୍ଚଳର ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ସୋନମ ୱାଙ୍ଗଚୁକଙ୍କ ନେତୃତ୍ଵରେ ଲଦାଖବାସୀ ଏକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏ ସେହି ସୋନମ ୱାଙ୍ଗଚୁକ ଯାହାଙ୍କ ବ୍ୟକ୍ତିଗତ ଜୀବନ ଓ କୃତି ଉପରେ ଅମିର ଖାନଙ୍କ ଅଭିନୀତ ‘ଥ୍ରୀ ଇଡିୟାଟ୍ସ’ ହିନ୍ଦୀ ଫିଲ୍ମ ନିର୍ମିତ ହୋଇଛି। ଅକ୍ଟୋବର ୨ ତାରିଖରୁ ଲଦାଖ ଅଞ୍ଚଳରୁ ସୋନମ ୱାଙ୍ଗଚୁକଙ୍କ ଓ ସାଥିମାନେ ଦିଲ୍ଲୀ ଆସି ନିଜର ଦାବି ହାସଲ ଲାଗି ଧାରଣା, ପ୍ରତିବାଦ ଓ ଅନଶନ ଚାଲୁରଖିଛନ୍ତି। ଏହି ଅନଶନ ସ୍ଥଳକୁ ନା ‘ଥ୍ରୀ ଇଡିୟାଟ୍ସ’ରୁ କେହି ସମର୍ଥନ ଲାଗି ପହଞ୍ଚିଛନ୍ତି (ଯଦିଓ ସେମାନେ କୋଟି କୋଟି ଟଙ୍କା ସୋନମ ୱାଙ୍ଗଚୁକଙ୍କ କୃତିକୁ ନେଇ ଲାଭ କରିପାରିଛନ୍ତି) ନା ସୋନମ ୱାଙ୍ଗଚୁକ ସେମାନଙ୍କ ସମର୍ଥନ ପାଇବା ଲାଗି ଉଦ୍ୟମ କରିଛନ୍ତି।
ହିନ୍ଦୀ ଫିଲ୍ମ ଆଜି ନିଜ ଚାରିପାଖର ଲୋକ ଓ ସେମାନଙ୍କ ଦୈନନ୍ଦିନ ସମସ୍ୟା, ସୁଖ, ଦୁଃଖ, ଆବେଗଠାରୁ କ୍ରମଶଃ ଦୂରେଇ ଯାଇ କେବଳ ଅତ୍ୟଧିକ ଲାଭ କେନ୍ଦ୍ରିତ ହୋଇଯାଇଛି। ଏହି ହେତୁ ସେହି ଗତାନୁଗତିକ ଭାବରେ ଦାଦା ସାହେବ ଫାଲକେ ପୁରସ୍କାର, ସର୍ବଶ୍ରେଷ୍ଠ ଫିଲ୍ମ, ନିର୍ମାତା, ଅଭିନେତା ଓ ଅଭିନେତ୍ରୀର ପୁରସ୍କାର ଦେଇ ମଧ୍ୟ ଅଧିକ ସଂଖ୍ୟକ ଦର୍ଶକଙ୍କୁ ଆକର୍ଷିତ କରିପାରୁନାହିଁ। ତେଣୁ ହିନ୍ଦୀ ଫିଲ୍ମରେ ନାରୀ ଧର୍ମୀ ହେଉ ବା ବାସ୍ତବଧର୍ମୀ ବିଷୟ ଯେ କାହିଁକି ନାହିଁ ତାହାକୁ ନେଇ କେହି ପ୍ରଶ୍ନ ମଧ୍ୟ କରୁନାହାନ୍ତି। ହିନ୍ଦୀ ଫିଲ୍ମ ମଧ୍ୟ ନିଜର ବ୍ୟବସାୟ ଭିତରେ ଏପରି ଡୁବି କରି ରହିଛି ଯେ ଏହା ନିଜର ହରାଉଥିବା ଗ୍ରହଣିୟତା ପ୍ରତି ଆଦୌ ଚିନ୍ତିତ ନୁହେଁ। ଲୋକେ ମଧ୍ୟ ଏହି ଗଣମାଧ୍ୟମରେ ଅନୁପସ୍ଥିତ ରହିବାକୁ ନେଇ ଚିନ୍ତିତ ନୁହଁନ୍ତି।
ମୋବାଇଲ- ୯୪୩୭୭୬୨୨୭୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।