ଭାଲଚନ୍ଦ୍ର ଷଡ଼ଙ୍ଗୀ
ବିକାଶ ନାଁରେ ସରକାର କିଭଳି ପ୍ରକୃତି, ପରିବେଶ ଓ ମଣିଷ ଜୀବନ ସହ ଭୟାନକ ଖେଳ ଖେଳୁଛନ୍ତି, ତା’ର ସଦ୍ୟତମ ପରିଣାମ ଏବେ ସିଲ୍କିୟାରାରୁ ଦେଖିବାକୁ ମିଳିଛି। ହିମାଳୟ ପର୍ବତମାଳାରେ ଅବସ୍ଥିତ ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଲ୍କିୟାରା- ବାରକୋଟର ନିର୍ମାଣାଧୀନ ସୁଡ଼ଙ୍ଗ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଦୁଇ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ମାଟି ଅତଡ଼ା ଖସିବାରୁ ସେହି ସୁଡ଼ଙ୍ଗ ମଧ୍ୟରେ ୪୧ ଜଣ ଶ୍ରମିକ ଅଟକି ରହିଛନ୍ତି। ପ୍ରାୟତଃ ପ୍ରବାସୀ ହୋଇଥିବା ଏହି ଶ୍ରମିକଙ୍କ ମଧ୍ୟରେ ପାଞ୍ଚ ଜଣ ଓଡ଼ିଆ ଶ୍ରମିକ ବି ରହିଥିବା ଜଣାପଡ଼ିଛି। ତେବେ ଅଟକ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯଦିଓ ସରକାରୀ ଭାବେ ଉଦ୍ୟମ ଅବ୍ୟାହତ ରହିଛି କିନ୍ତୁ ଏଯାଏଁ ସେ ଦିଗରେ ବିଶେଷ ସଫଳତା ମିଳିପାରିନି। କେବଳ ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ସେମାନଙ୍କ ପାଖକୁ କୌଣସିମତେ ଖାଦ୍ୟ ଓ ପାନୀୟ ପଠାଇବାର ହିଁ ବ୍ୟବସ୍ଥା ହୋଇପାରିଛି। ୱାକି ଟକି ମାଧ୍ୟମରେ ଉଦ୍ଧାରକାରୀ ଦଳ ସେମାନଙ୍କ ସହିତ ଯୋଗାଯୋଗରେ ରହିଛନ୍ତି।
ଶ୍ରମିକମାନେ ଯେଉଁ ସୁଡ଼ଙ୍ଗ ମଧ୍ୟରେ ନିର୍ମାଣ କାମ କରୁଥିବା ବେଳେ ଫସି ରହିଛନ୍ତି, ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟତମ ଉଚ୍ଚାଭିଳାଷୀ ପ୍ରକଳ୍ପ ଭାବେ ପରିଚିତ ‘ଚାରିଧାମ ପ୍ରକଳ୍ପ’ର ଅଂଶବିଶେଷ। ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପଟି ହିମାଳୟ ପର୍ବତମାଳାରେ ଥିବା ହିନ୍ଦୁମାନଙ୍କ ଚାରୋଟି ପ୍ରସିଦ୍ଧ ତୀର୍ଥକ୍ଷେତ୍ର ରୂପେ ପରିଚିତ ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ଦୀର୍ଘ ୮୨୫ କି.ମି ଲମ୍ବା ଦୁଇ ଲାଇନ୍ ବିଶିଷ୍ଟ ରେଳପଥ ଦ୍ୱାରା ଯୋଡ଼ିବାର ପ୍ରସ୍ତାବ ରହିଛି। ଏହି ସୁଡ଼ଙ୍ଗଟି ଉତ୍ତରାଖଣ୍ଡର ବ୍ରହ୍ମାଖଲ-ଯମୁନେତ୍ରୀ ସିଲ୍କିରା ଠାରୁ ଡାଣ୍ଡାଲଗାଓଁ ମଧ୍ୟରେ ନିର୍ମାଣ କରାଯାଉଛି।
ସିଲିକିୟାର ଦୁର୍ଘଟଣା ପରେ ବହୁଚର୍ଚ୍ଚିତ ଚାରଧାମ ପ୍ରକଳ୍ପ ଏବେ ଚର୍ଚ୍ଚା ଓ ବିବାଦର କେନ୍ଦ୍ରରେ ପରିଣତ ହୋଇଛି। ସରକାରୀ ରାଜକୋଷରୁ ବିପୁଳ ଅର୍ଥ ବିନିମୟରେ ନିର୍ମିତ ହେଉଥିବା ଏହି ପ୍ରକଳ୍ପ ଯଦିଓ ସରକାରଙ୍କ ହିନ୍ଦୁତ୍ୱ ରାଜନୀତିକୁ ଚମାକାଇବାକୁ ଲକ୍ଷ୍ୟ ରଖିଛି, କିନ୍ତୁ ଏହଫଳରେ ହିମାଳୟ ପର୍ବତମାଳାର ଯେ ଅଭୂତପୂର୍ବ କ୍ଷତି ହେବାକୁ ଯାଉଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଦେଶ ବିଦେଶର ବଡ଼ ବଡ଼ ବିଶେଷଜ୍ଞମାନଙ୍କ ପରାମର୍ଶକୁ ନମାନି ସରକାର ଯେଉଁ ପ୍ରକଳ୍ପ ନିର୍ମାଣ କରୁଛନ୍ତି, ତାହା କେତେ ବିପଦପୂର୍ଣ୍ଣ କମ୍ ସେ କମ୍ ସିଲକ୍ୟାରାର ଭୟାନକ ଦୁର୍ଘଟଣାରୁ ଉଜାଗର ହୋଇଛି।
ଆଜି ସିଲ୍କିୟାରାରେ ଯେଉଁ ବିପଦ ଦେଖାଦେଇଛି, ତାହା ମୂଳତଃ ମନୁଷ୍ୟକୃତ। କେବଳ ସେହି ଅଞ୍ଚଳ ନୁହେଁ, ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ନାଁରେ ସରକାର ସମଗ୍ର ଉତ୍ତରାଖଣ୍ଡ ଓ ସେଠାରେ ଥିବା ହିମାଳୟ ପାହାଡ଼କୁ ବୋଧହୁଏ ଧ୍ୱଂସ କରିଦେବାକୁ ଯାଉଛନ୍ତି। ଗତ କିଛି ବର୍ଷ ହେଲା, ଲଦାଖ୍, ହିମାଚଳ ପ୍ରଦେଶଠାରୁ ଆରମ୍ଭ କରି ସିକ୍କିମ ପର୍ଯ୍ୟନ୍ତ ସମଗ୍ର ହିମାଳୟ ପର୍ବତମାଳାରେ ସରକାର ବିକାଶ ନାଁରେ ପ୍ରକୃତି ସହ ଭୟଙ୍କର ଖେଳ ଖେଳି ଚାଲିଛନ୍ତି। ବିଶେଷ କରି ନଗରାୟନ ସହ ବଡ଼ ବଡ଼ ରାଜପଥ, ରେଳପଥ ଓ ଜଳ ବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ ପାଇଁ ବଡ଼ ବଡ଼ ପାହାଡ଼ ଓ ଜଙ୍ଗଲକୁ ଧ୍ୱଂସ କରିବା ସହ ପାହାଡ଼ ଭିତରେ ମାଇଲ ମାଇଲ ଧରି ସୁଡ଼ଙ୍ଗ ଖୋଳାଯାଇଛି। ଏସବୁ ବିରାଟକାୟ ସୁଡ଼ଙ୍ଗ ଖୋଳିବା ପାଇଁ ଯେଉଁ ପରିମାଣରେ ଡିନାମାଇଟ୍ ବିଷ୍ଫୋରକ ଭାବେ ବ୍ୟବହାର କରାଯାଉଛି ତାହା ହିଁ ଏବେ ବିପର୍ଯ୍ୟୟର ସବୁଠାରୁ ବଡ଼ କାରଣ ଭାବେ ମୁଣ୍ଡ ଟେକିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହିମାଳୟ ପର୍ବତମାଳା ବହୁତ କମ୍ ବୟସର ଏବଂ ତା’ର ଅଧିକାଂଶ ଭାଗ ନରମ ଚୂନମାଟିର ପାହାଡ଼ ହୋଇଥିବାରୁ ତା’ରି ଭିତରେ ବଡ଼ ଓ ଦୀର୍ଘକାୟ ସୁଡ଼ଙ୍ଗ ଖେଳିବା ଅତ୍ୟନ୍ତ ବିପଜ୍ଜନକ ବୋଲି ପରିବେଶ ବିଶେଷଜ୍ଞମାନେ ବାରମ୍ବାର ସତର୍କ କରାଇ ଆସିଛନ୍ତି।
ଏହାଛଡ଼ା ଏହି ଅଞ୍ଚଳ ଭୂମିକମ୍ପ ପ୍ରବଣ ଜୋନ୍ରେ ଆସୁଥିବାରୁ ହିମାଳୟରେ ସର୍ବଦା ଭୂମିକମ୍ପର ବିପଦ ରହିଛି। ଏଭଳି ପରିସ୍ଥିତିରେ ମୁନାଫା ପାଇଁ ହିମାଳୟର ବୁକୁ ଚିରି, ତା’ର ଭିତର ଦେଇ ଶହ ଶହ ମାଇଲର ସୁଡ଼ଙ୍ଗ ନିର୍ମାଣ କରି ଏବଂ ସେଠାରେ ଥିବା ଲକ୍ଷ ଲକ୍ଷ ବୃକ୍ଷଲତାକୁ ନଷ୍ଟ କରି ସରକାର ପ୍ରକୃତି ସହ ଯେଉଁ ବିପଜ୍ଜନକ ଖେଳ ଖେଳୁଛନ୍ତି, ତା’ର ପରିଣତି ଆଜି ବାରମ୍ବାର ଦେଖିବାକୁ ମିଳୁଛି। ହିମାଳୟ ପର୍ବତମାଳା ସଂଲଗ୍ନ ପ୍ରାୟତଃ ସବୁ ରାଜ୍ୟ ଗତ କିଛି ବର୍ଷ ଧରି ଲଗାତାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ଦେଖିବାକୁ ମିଳିଛି। କେତେବେଳେ ହଠାତ୍ ବାଦଲ ଫାଟି ଭୟଙ୍କର ସମଗ୍ର ଅଞ୍ଚଳକୁ ଧୋଇ ନେଇଯାଉଛି ତ କେତେବେଳେ ଭୂମିକମ୍ପର ତାଣ୍ଡବ ତ ଆଉ କେତେବେଳେ ମାଟି ଅତଡ଼ା ଖସି ବିପୁଳ ଧନ ଜୀବନ ନଷ୍ଟ ହେଉଛି। ସବୁଠାରୁ ବଡ଼ କଥା ହେଲା, ଜୟବାୟୁର ପରିବର୍ତ୍ତନ ଯୋଗୁଁ ଆଜି ହିମାଳୟର ତାପମାତ୍ରାରେ ଲଗାତାର ବୃଦ୍ଧି ଫଳରେ ତା ଦେହରେ ଥିବା ବରଫ ସବୁ ତରଳିବାରେ ଲାଗିଛି।
ସୁଡ଼ଙ୍ଗ ଭିତରେ ୪୧ ଜଣ ଶ୍ରମିକ ଅଟକି ରହିବା ଘଟଣାରେ ସମ୍ପୃକ୍ତ ନବଯୁଗ କନଷ୍ଟ୍ରକସନ୍ କମ୍ପାନୀ ଦ୍ୱାରା ଶ୍ରମିକମାନଙ୍କ ସୁରକ୍ଷା ବ୍ୟବସ୍ଥାରେ କରାଯାଇଥିବା ଅପରାଧିକ ଅବହେଳାଟି ସାମନାକୁ ଆସିଛି। ସବୁଠାରୁ ପରିତାପର ବିଷୟ ହେଲା, ଏତେ ସଂଖ୍ୟାରେ ଶ୍ରମିକ ମୃତ୍ୟୁ ମୁହଁରେ ପଡ଼ି ରହିଥିବା ସତ୍ତ୍ୱେ କେନ୍ଦ୍ର ଓ ଉତ୍ତରାଖଣ୍ଡ ସରକାର ପ୍ରଥମ ଦିନରୁ ଯେଉଁଭଳି ତତ୍ପରତା ଦେଖାଇବା କଥା ଦେଖାଇ ନାହାନ୍ତି। ଏପରିକି ସମ୍ପୂର୍ଣ୍ଣ ରୂପେ କ୍ରିକେଟ ବିଶ୍ୱ କପ୍ରେ ବୁଡ଼ି ରହିଥିବା ଜାତୀୟ ମିଡ଼ିଆ ବି ଏହିଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱ ଦେଇନାହିଁ। କେବଳ ଯେତେବେଳେ କମ୍ପାନୀର ଅନ୍ୟ ଶ୍ରମିକମାନେ ଉଦ୍ଧାର କାର୍ଯ୍ୟରେ ଅବହେଳାର ପ୍ରତିବାଦ କଲେ ଓ ଅଟକ ଥିବା ଶ୍ରମିକମାନଙ୍କ ପରିବାର ବର୍ଗଙ୍କ ପ୍ରତିବାଦ ଜୋରଦାର ହେଲା ଏବଂ ସର୍ବୋପରି ସୋସିଆଲ ମିଡ଼ିଆରେ ସେମାନଙ୍କ ପାଇଁ ସ୍ୱର ଜୋରଦାର ହେଲା ସେତେବେଳେ ଯାଇ ସରକାରଙ୍କ ଉଦ୍ଧାର କାର୍ଯ୍ୟ ଗତିଶୀଳ ହୋଇଥିଲା।
ଏଭଳି ଏକ ସୁଦୀର୍ଘ ସୁଡ଼ଙ୍ଗର ନିର୍ମାଣ ସମୟରେ ସୁରକ୍ଷା ପାଇଁ ଏକ ସମାନ୍ତରାଳ ସୁଡ଼ଙ୍ଗର ନିର୍ମାଣ ହେବା ବାଧ୍ୟତାମୂଳକ ରହିଥିବା କଥା ମିଡ଼ିଆରେ ପ୍ରକାଶିତ ହୋଇଛି। ସରକାର କିନ୍ତୁ ଏହା ସମ୍ପର୍କରେ ଏକଦମ୍ ନୀରବ ରହିଛନ୍ତି। କେବଳ ସେତିକି ନୁହେଁ ସରକାର ଏଭଳି ଏକ ବିପଦ ଶଙ୍କୁଳ ପ୍ରକଳ୍ପକୁ ଅନୁମତି ଦେବା ପୂର୍ବରୁ ତା’ର ଏକ ବିଜ୍ଞାନସମ୍ମତ ପରିବେଶଗତ ପ୍ରଭାବ ଦିଗରେ ଯେଉଁଭଳି ଅଧ୍ୟୟନ ଓ ଆକଳନ କରିବା କଥା ତାହା କରିନାହାନ୍ତି। ହିମାଳୟ ପରି ଏକ ଅର୍ଦ୍ଧ ଚୁନମାଟିର ପାହାଡ଼ ଭିତରେ ମାଇଲ ମାଇଲ ଧରି ଏତେ ବିରାଟ ବିରାଟ ସୁଡ଼ଙ୍ଗର ନିର୍ମାଣ ଯେ ଆଦୌ ସୁରକ୍ଷିତ ନୁହେଁ ଏକଥା ପୂର୍ବରୁ ଅନେକ ବିଶେଷଜ୍ଞ ସତର୍କ କରି ଆସିଛନ୍ତି। କହିବାକୁ ଗଲେ ପରିବେଶ ସୁରକ୍ଷାକୁ ସମ୍ପୂର୍ଣ୍ଣ ବେଖାତିର କରି ଏହି ପ୍ରକଳ୍ପକୁ ଅନୁମତି ଦିଆଯାଇଛି। ପ୍ରକଳ୍ପ ପାଇଁ ଆବଶ୍ୟକୀୟ ପରିବେଶ ମଞ୍ଜୁରୀ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟାକୁ ଆଖିବୁଜି ସମ୍ପୂର୍ଣ୍ଣ ଯୁଦ୍ଧକାଳୀନ ଭାବେ ପ୍ରଦାନ କରାଯାଇଛି। ମନଇଛା ହଜାର ହଜାର ସଂଖ୍ୟାରେ ଗଛ କାଟି ମାଇଲ ମାଇଲ ଧରି ଜଙ୍ଗଲକୁ ଧ୍ୱଂସ କରାଯାଇଛି। ହିମାଳୟ ପରି ପର୍ବତୀୟ କ୍ଷେତ୍ରରେ ପ୍ରତି ଶହେ କି.ମି ରାସ୍ତାର ପ୍ରକଳ୍ପ ପାଇଁ ପରିବେଶ ପ୍ରଭାବର ଆକଳନର ଆଇନଗତ ବାଧ୍ୟବାଧକତା ଥିବା ବେଳେ ସରକାର ତାକୁ ଏଡ଼େଇବା ପାଇଁ ସମଗ୍ର ୮୬୦ କି.ମିର ପ୍ରକଳ୍ପକୁ ଅନେକ ଛୋଟ ଛୋଟ ପ୍ରକଳ୍ପରେ ଭାଗ କରିଛନ୍ତି। ହିମାଳୟ ପରି ଏକ ଭୂମିକମ୍ପ ପ୍ରବଣ ପର୍ବତମାଳାରେ ଏହି ପ୍ରକଳ୍ପ ପାଇଁ ୮୬ଟି ସୁଡ଼ଙ୍ଗ ଖୋଲି ସରକାର ଏକ ବଡ଼ ଧରଣର ବିପର୍ଯ୍ୟୟକୁ ନିମନ୍ତ୍ରଣ କରିଛନ୍ତି ବୋଲି କୁହାଯାଇପାରେ।
ହିମାଳୟ ପର୍ବତମାଳାରେ ଗତ କିଛି ବର୍ଷ ଧରି ଚାରିଧାମ ପରି ଅନେକଗୁଡ଼ିଏ ରାସ୍ତା, ରେଳ ଓ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି। ଏସବୁ ଫଳରେ ସେଠାକାର ବିଭିନ୍ନ ଛୋଟବଡ଼ ନଦୀର ପ୍ରାକୃତିକ ଗତିପଥ ବଦଳିବା ସହିତ ବନ୍ୟା ଓ ପର୍ବତ ଧସିବାର ଘଟଣା ବହୁଗୁଣ ବୃଦ୍ଧି ପାଇଛି। ଦେଶର ଅର୍ଥନୀତିକୁ ପାଞ୍ଚ ଟ୍ରିଲିଅନ୍ କରିବା ତଥା ବିଶ୍ୱର ଚତୁର୍ଥ ଜିଡ଼ିପି ବାଲା ଦେଶରେ ପରିଣତ ହେବାର ନିଶାରେ ଆମ ସରକାର ଦେଶର ଜଙ୍ଗଲ, ପରିବେଶ ଓ ଶ୍ରମିକଙ୍କ ଜୀବନକୁ ବାଜି ଲଗେଇ ଏଭଳି ବିକାଶକୁ ଅନୁମତି ଦେଉଥିବା ଦେଖାଯାଇଛି। କିଛି ମାସ ତଳେ ମଣିପୁରରେ ଏଭଳି ଦାୟୀତ୍ୱହୀନ ରେଳ ପ୍ରକଳ୍ପର ନିର୍ମାଣ କାମରେ ନିୟୋଜିତ ୨୩ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଜୋଶୀମଠ ବି ଏଭଳି ଅବୈଜ୍ଞାନିକ ଓ ଅନିୟନ୍ତ୍ରିତ ବିକାଶ ପ୍ରକଳ୍ପର ପରିଣାମକୁ ସାମନା କରିଛି। ଚଳିତ ବର୍ଷ ଜାନୁଆରୀରେ ଜୋଶିମଠର ଅନେକ ସ୍ଥାନରେ ଭୂମିରେ ବିରାଟ ଫାଟ ସୃଷ୍ଟି ହୋଇଥିଲା। ଅନେକ ଘରେ ବି ଫାଟ ସୃଷ୍ଟି ହେବା ଫଳରେ ଶହ ଶହ ଲୋକ ପ୍ରାଣ ଭୟରେ ଜୋଶିମଠ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ ଶିବିରରେ ଆଶ୍ରୟ ନେବାକୁ ପଡ଼ିଲା। ଏସବୁ ଘଟଣା ପ୍ରମାଣିତ କରୁଛି ଯେ ସରକାର ନିଜର ନବ ଉଦାର ଅର୍ଥନୀତିକୁ ଲାଗୁ କରିବାକୁ ଯାଇ ପ୍ରକୃତି, ପରିବେଶ ଓ ମଣିଷର ଜୀବନ ତୁଳନାରେ ମୁନାଫାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି।
ଆମେ ପର୍ବତକୁ କିପରି ବ୍ୟବହାର କରୁଛେ, ତା’ର ଏକ ଅନନ୍ୟ ଉଦାହରଣ ଏହି ଦୁର୍ଘଟଣା ଆକାରରେ ଆମ ସମସ୍ତଙ୍କ ସାମ୍ନାରେ ଠିଆ ହୋଇଛି। ଅତଏବ ହିମାଳୟ ପରି ପାର୍ବତ୍ୟାଞ୍ଚଳରେ କେଉଁଭଳି ବିକାଶ କାର୍ଯ୍ୟକୁ ଅନୁମତି ଦିଆଯିବ ତାକୁ ବର୍ତ୍ତମାନ ଚିନ୍ତା କରିବାର ସମୟ ଆସିଛି। ଆମକୁ ଏଭଳି ବିକାଶର ରାସ୍ତା ଆପଣେଇବାକୁ ହେବ ଯାହା ଦ୍ୱାରା ପ୍ରକୃତିର ସର୍ବନିମ୍ନ କ୍ଷତି ହେବ ଏବଂ ଅନ୍ତତଃ ପକ୍ଷେ ଏପରି ଯନ୍ତ୍ରଣାଦାୟକ ଦୁର୍ଘଟଣାର ପୁନରାବୃତ୍ତି ଘଟିବ ନାହିଁ।
ସରକାର କେବଳ ଦେଶରେ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଅତ୍ୟନ୍ତ ତରବରିଆ ଭାବେ ଏହି ଚାରିଧାମ ପ୍ରକଳ୍ପକୁ ଆରମ୍ଭ କରିଛନ୍ତି। ଏହି ବହୁଚର୍ଚ୍ଚିତ ପ୍ରକଳ୍ପ ଫଳରେ, ହୁଏତ ଭବିଷ୍ୟତରେ ଶାସକ ଦଳ ପାଇଁ ଦେଶର ଧର୍ମଭୀରୁ ଲୋକଙ୍କ ଭୋଟ ହାତେଇବାରେ ସହାୟକ ହୋଇପାରେ କିନ୍ତୁ ଦେଶର ପରିବେଶ, ହିମାଳୟର ସୁରକ୍ଷା ଏବଂ ଶ୍ରମିକମାନଙ୍କ ଜୀବନର ସୁରକ୍ଷା ଦୃଷ୍ଟିରୁ ଧ୍ୱଂସକାରୀ ପ୍ରମାଣିତ ହେବାକୁ ଯାଉଛି। କମ୍ ସେ କମ୍ ସିଲିକିୟାରାର ସୁଡ଼ଙ୍ଗ ଦୁର୍ଘଟଣାରୁ ଏହି ସଙ୍କେତ ମିଳୁଛି।
ଫୋନ - ୯୪୩୭୧୬୬୩୯୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।