Advertisment

ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ସାମ୍ବିଧାନିକ କ୍ଷମତା ଉପରେ ବିତର୍କ

ବର୍ତ୍ତମାନ ଭାରତବର୍ଷର ଗଣତନ୍ତ୍ରଣକୁ ସୁଦୃଢ଼ ଓ ସୁଦୀର୍ଘ କରାଇବା ଲକ୍ଷ୍ୟରେ ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ଅଧିକ ଚର୍ଚ୍ଚା ଓ ନିଷ୍ପତ୍ତିର ଆବଶ୍ୟକତା ରହିଛି। ୫ ଜଣ ସଦସ୍ୟ ବିଶିଷ୍ଟ ମାନ୍ୟବର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସମ୍ପର୍କରେ ଏକ ସୁଚିନ୍ତିତ ରାୟ ଦେଲେ ତାହା କିଛି ଅଯୌକ୍ତିକ ବା ସାମ୍ବିଧାନିକ ବ୍ୟବସ୍ଥାକୁ ସଂକୁଚିତ କରିବାର ଉଦ୍ଦେଶ୍ୟରେ ହେବନାହିଁ।

author-image
Debendra Prusty
Rashtrapati Bhavan

Rashtrapati Bhavan

ପଞ୍ଚାନନ କାନୁନଗୋ

ସମ୍ବିଧାନର ଧାରା ୨୦୦ ଅନୁସାରେ ଯେତେବେଳେ ବିଧାନସଭା ବା ଲୋକସଭାରେ କୌଣସି ଏକ ବିଲ୍‍ ପ୍ରସ୍ତାବ ପାରିତ ହୋଇଯାଏ ଏହା ପରେ ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କର ଅନୁମୋଦନ ପାଇଁ ପ୍ରେରିତ ହୋଇଥାଏ। ରାଜ୍ୟପାଳ ବା ରାଷ୍ଟ୍ରପତି ଏହି ପାରିତ ହୋଇଥିବା ବିଲ୍‍ଟିକୁ ଅନୁମୋଦନ ଦେବେ ଅଥବା ସେ ମନେ କଲେ ଏଥିରେ ଆବଶ୍ୟକ ଥିବା ସଂଶୋଧନ କରିବା ନିମନ୍ତେ ପରାମର୍ଶ ଦେଇ ପୁନଃ ସଂଶୋଧନ ପାଇଁ ଗୃହକୁ ପଠାଇବେ। ଉକ୍ତ ବିଲ୍‍ଟି ପୁନଃ ସଂଶୋଧିତ ହୋଇ ବା ଅବିକଳ ନକଲ ସହ ପ୍ରତ୍ୟାବର୍ତ୍ତନ କଲେ ତାହାକୁ କେତେ ଦିନ ଭିତରେ ରାଜ୍ୟପାଳ ବା ରାଷ୍ଟ୍ରପତି ଅନୁମୋଦନ କରିବେ ତା’ର କୌଣସି ସମୟସୀମା ଧାର୍ଯ୍ୟ ହୋଇନାହିଁ। ଯାହାର ସୁଯୋଗ ନେଇ ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିବା ବିଲ୍‍ଟି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଙ୍କ ପାଖରେ ଅଟକି ଯାଇଥାଏ। କେବଳ ଅର୍ଥ ବିଲ୍‌କୁ ରାଜ୍ୟପାଳ ଓ ରାଷ୍ଟ୍ରପତି ଅଟକାଇ ପାରନ୍ତି ନାହିଁ। ତାହା ଏପରି ଭାବରେ ପ୍ରେରିତ ହୋଇନଥାଏ।

Advertisment

ବର୍ତ୍ତମାନ ରାଜ୍ୟପାଳଙ୍କର ଭୂମିକା ଏପରିକି ମାନ୍ୟବର ରାଷ୍ଟ୍ରପତିଙ୍କ ଏହିପରି ଭୂମିକାକୁ ନେଇ ଏକ ବିତର୍କ ଆରମ୍ଭ ହୋଇଯାଇଛି। ଏହି ବିତର୍କ ଆରମ୍ଭ ହେଲା ଯେଉଁ ସମୟରେ ବିଧାନସଭାରେ ପାରିତ ହୋଇଥିବା ବା ଲୋକସଭାରେ ପାରିତ ହୋଇଥିବା ବିଲ୍‍ ବା ବିଲ୍‍ଗୁଡ଼ିକ ମାନ୍ୟବର ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ ପାଖରେ ଦୀର୍ଘ ଦିନଧରି ଅନୁମୋଦନ ପାଇଁ ପଡ଼ିରହିଲା। ଏପରିକି ରାଷ୍ଟ୍ରପତିଙ୍କ ପାଖକୁ ଆସିଥିବା କୌଣସି ବିଲ୍‍ ପୁନଶ୍ଚ ରାଜ୍ୟପାଳଙ୍କ ପାଖକୁ ଫେରିଗଲେ ଓ ପୁନର୍ବାର ସଂଶୋଧିତ ହୋଇ ଫେରିଲେ ତାହା ମଧ୍ୟ ଦୀର୍ଘ ଦିନଧରି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଅପେକ୍ଷା କରି ପଡ଼ି ରହିଲାରୁ ମନେ ହେଲା ଯେ ଗଣତାନ୍ତ୍ରିକ ବ୍ୟବସ୍ଥା ବିଧାନସଭା ହେଉ ବା ଲୋକସଭା ହେଉ ତା’ର ଦାୟିତ୍ୱ ଓ କ୍ଷମତା ଉପରେ ଏକ ଶକ୍ତ ଆଘାତ ଲାଗିଲା। ଯାହାଫଳରେ କେତେକ ରାଜ୍ୟ ସରକାର ଆଇନ ପ୍ରଣୟନ କ୍ଷେତ୍ରରେ ଅଯଥା ଗୁଡ଼ାଏ ସମୟ ନେବାକୁ ବାଧ୍ୟ ହେଲେ। ଏହି ବିଚାରରେ ତାମିଲନାଡୁ ସମେତ କେତେକ ସରକାର ଏନେଇ ଦେଶର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ।

ସଂପ୍ରତି ଦେଶର ମାନ୍ୟବର ସୁପ୍ରିମକୋର୍ଟ ଏକ ରାୟରେ ଭାରତବର୍ଷର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଯଥା- ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଏହି ସାମ୍ବିଧାନିକ କ୍ଷମତାକୁ ନେଇ ଯେଉଁ ମତ ଦେଇଛନ୍ତି ତାହା ଉପରେ ଦେଶ ତମାମ ଏକ ନୂଆ ବିତର୍କ ସାମନାକୁ ଆସିଛି। ବିଧାନସଭାରେ ଆଗତ ହୋଇଥିବା ବିଲ୍‍ ପାରିତ ହେବା ପରେ ପ୍ରତ୍ୟେକ ବିଲ୍‍ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥାଏ। ସମ୍ବିଧାନର ଧାରା ୨୦୧ ଅନୁସାରେ ରାଜ୍ୟପାଳ ପ୍ରେରିତ ବିଲ୍‍କୁ ଅନୁମୋଦନ ନକରି କିଛି ସଂଶୋଧନ କରିବା ଉଦ୍ଦେଶ୍ୟରେ ଫେରାଇ ଦେଇଥାନ୍ତି, ପୁନଶ୍ଚ ବିଲ୍‍ଟି ଯଦି ରାଜ୍ୟପାଳଙ୍କ ପାଖକୁ ସେହି ଅବସ୍ଥାରେ ବା ସଂଶୋଧନ କରାଯାଇ ଅନୁମୋଦନ ପାଇଁ ପଠାଯାଏ ତେବେ ସେ ତାହାକୁ ଅନୁମୋଦନ କରିବାକୁ ବାଧ୍ୟ ହୋଇଥାନ୍ତି। ବେଳେବେଳେ ବିଲ୍‍ଟିକୁ ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇଥାନ୍ତି, ଉଦ୍ଦେଶ୍ୟ ଏହାକୁ ଗ୍ରହଣ ନ କରିବା ବା ଅଗ୍ରାହ୍ୟ କରିଦେବା। କେନ୍ଦ୍ର ସରକାର ରାଜ୍ୟର କୌଣସି ଆଇନ ଉପରେ ଅଙ୍କୁଶ ଲଗାଇବାର ଏହା ହେଉଛି ଏକ ସ୍ପଷ୍ଟ ଚିତ୍ର।

Advertisment

ରାଜ୍ୟ ସରକାର ଯଦି କେନ୍ଦ୍ରରେ ଥିବା ସରକାରୀ ଦଳଠାରୁ ଭିନ୍ନ ହୋଇଥାନ୍ତି, ତେବେ ରାଜ୍ୟପାଳମାନେ ନିଜ ଇଚ୍ଛା ଅନୁସାରେ ବିଧାନସଭାରୁ ପ୍ରେରିତ ବିଲ୍‍ଟିକୁ ବହୁଦିନ ଧରି ପାଖରେ ରଖନ୍ତି। ଏହାର ସଦ୍ୟତମ ପ୍ରମାଣ ତାମିଲନାଡୁରେ ଓ କେରଳରେ ଦେଖିବାକୁ ମିଳିଛି। ଦିଲ୍ଲୀ ସରକାରଙ୍କର ମଧ୍ୟ ଏକ ବିଲ୍‍କୁ ନେଇ ଏହି ସମସ୍ୟା ଉପୁଜିଥିଲା। ଏହା ଉପରେ ସମୟସୀମା ଧାର୍ଯ୍ୟ କରିବା ନିମନ୍ତେ କୌଣସି ସାମ୍ବିଧାନିକ ବ୍ୟବସ୍ଥା ନାହିଁ। ଏଣୁ ରାଜ୍ୟମାନଙ୍କୁ ବେଶ୍‍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏପରି ଏକ ଅବ୍ୟବସ୍ଥା ବିରୋଧରେ ତାମିଲନାଡ଼ୁ ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହି ଅଭିଯୋଗର ଶୁଣାଣୀ କରି ମାନ୍ୟବର ସୁପ୍ରିମକୋର୍ଟ ବିଲ୍‍ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟରେ ରାଜ୍ୟପାଳ ଅନୁମୋଦନ କରିବା ପାଇଁ ଏକ ପରାମର୍ଶସୂଚକ ରାୟ ଦେଲେ। ସେହି ଅନୁସାରେ ଦେଶର ସର୍ବୋଚ୍ଚ ଦାୟିତ୍ୱସମ୍ପନ୍ନ କର୍ତ୍ତା ରାଷ୍ଟ୍ରପତି ମଧ୍ୟ ଯେକୌଣସି ବିଲ୍‍କୁ ବେଶୀଦିନ ଅଟକାଇ ପାରିବେ ନାହିଁ ଓ ଏକ ନିର୍ଦ୍ଦିଷ୍ଟ ଏ ସମୟସୀମା ଭିତରେ ଅନୁମୋଦନ କରିବେ ସେ ସମ୍ପର୍କରେ ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଲେ। ଏହାକୁ ନେଇ ଅନେକ ବିତର୍କ ଦେଶରେ ଦେଖାଦେଇଛି। ରାଷ୍ଟ୍ରପତିଙ୍କର ଦାୟିତ୍ୱ ଉପରେ ଏପରି ନିଷ୍ପତ୍ତି ଶୁଣାଇବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ଏହି ବିତର୍କ ଉଠିଛି। ସେହିପରି ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ରାଜ୍ୟପାଳଙ୍କୁ ନିୟନ୍ତ୍ରଣ କରିବା କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସମ୍ବିଧାନ ପ୍ରଣୟନ ସମୟରେ ରାଜ୍ୟପାଳ ପଦବୀକୁ ନେଇ ଅନେକ ତର୍କ ହୋଇଥିଲା। କେନ୍ଦ୍ର-ରାଜ୍ୟ ମଧ୍ୟରେ ମଧ୍ୟସ୍ଥ ବା ସୁ-ସଂପର୍କ ରଖିବାର ଆଳ ନେଇ ସମ୍ବିଧାନରେ ରାଜ୍ୟପାଳ ପଦବୀ ସୃଷ୍ଟି ବସ୍ତୁତଃ ରାଜ୍ୟମାନଙ୍କ ସ୍ୱାର୍ଥ ତଥା ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ୱାତନ୍ତ୍ର‌୍ୟ ପ୍ରତି ଚରମ ବିଶ୍ୱାସଘାତକତା କରିଥିବାର ଦେଖାଯିବାରୁ ଅତୀତରେ ଏହି ପଦବୀ ନେଇ ବହୁ ବାଦାନୁବାଦ ଦେଖାଯାଇଛି। ରାଷ୍ଟ୍ରପତିଙ୍କ ପରି ରାଜ୍ୟର ଏକ ସ୍ୱତନ୍ତ୍ର ନିର୍ବାଚନ ପ୍ରଣାଳୀ ଦ୍ୱାରା ରାଜ୍ୟପାଳ ନିର୍ବାଚିତ ହେବା ପାଇଁ ବହୁ ରାଜନୀତିଜ୍ଞମାନଙ୍କ ମତ ଥିଲା। ଏ ସମ୍ପର୍କରେ ସମ୍ବିଧାନ ପ୍ରଣୟନ ସଭାରେ ଅନେକ ବିତର୍କ ହୋଇଥିଲା। ଏକଦା କଲିକତାଠାରେ ଅନୁଷ୍ଠିତ କଂଗ୍ରେସ ବିରୋଧୀ ଦଳମାନଙ୍କ ବୈଠକରେ ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍‍.ଟି. ରାମାରାଓ ରାଜ୍ୟପାଳ ପଦବୀ ପୂରାପୁରି ଉଠାଇ ଦେବା ପାଇଁ ମତ ଦେଇଥିଲେ। ସାଂପ୍ରତିକ ବିତର୍କ ମଧ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟପାଳ ରାଜ୍ୟର ମୁଖମଣ୍ଡଳରେ ଏକ ‘ଦୁଷ୍ଟବ୍ରଣ ସଦୃଶ ଅନାବଶ୍ୟକ ତଥା ବ୍ୟଥାଦାୟକ’ ବୋଲି ଅନୁଭବ ହେବା ଦିନକୁ ଦିନ ସ୍ପଷ୍ଟ ହୋଇ ଉଠିଛି। ଚଳିତ ଶତାବ୍ଦୀର ପ୍ରଥମ ଭାଗରେ କର୍ଣ୍ଣାଟକ ଓ ଗୁଜୁରାଟ ରାଜ୍ୟପାଳଙ୍କ ଭୂମିକାକୁ ନେଇ ଏକ ବଡ଼ ଝଡ଼ ଉଠିଥିବାର ଲକ୍ଷ୍ୟ କରାଯାଇଥିଲା।

ଏବେ ଉଚ୍ଚତମ ନ୍ୟାୟାଳୟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ ସେଥିରେ ମୁଖ୍ୟ ବିଚାରପତି ବି.ଆର୍‍ ଗବାଇଙ୍କ ସମେତ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ବିକ୍ରମ ନାଥ, ବିଚାରପତି ପି.ଏସ୍‍ ନରସିଂହା, ବିଚାରପତି ଏସ୍‍. ଚନ୍ଦ୍ରକାନ୍ତ ଥିଲେ। ଏହା ଭାରତର ବୋଧହୁଏ ପ୍ରଥମ ସାମ୍ବିଧାନିକ ବେଞ୍ଚ, ଯାହାକି ରାଷ୍ଟ୍ରପତିଙ୍କ କ୍ଷମତା ଉପରେ ଆଲୋଚନା କରିଥିଲେ ଓ ମତାମତ ଦେଇଥିଲେ। ରାଷ୍ଟ୍ରପତିଙ୍କ କ୍ଷମତା ସମ୍ପର୍କରେ ଯେଉଁ ବିଚାର ରଖାଯାଇଥିଲା ତାହା ବସ୍ତୁତଃ ତାମିଲନାଡୁର ରାଜ୍ୟପାଳଙ୍କ କାର୍ଯ୍ୟକଳାପକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ହିଁ ଆଧାରିତ ଥିଲା। ପୂର୍ବରୁ ଏକ ରାୟ ପ୍ରକାଶ କରି ବିଚାରପତି ଜେ.ବି ପାଡିୱାଲା ଏବଂ ଆର୍‍. ମହାଦେବନ୍‍ କହିଥିଲେ ଯେ, ରାଜ୍ୟପାଳ ବା ରାଷ୍ଟ୍ରପତି କୌଣସି ବିଲ୍‍କୁ ଦୀର୍ଘ ସମୟ ଅଟକାଇ ରଖିପାରିବେ ନାହିଁ। ଏହାର ମାସକ ପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସମ୍ବିଧାନର ଧାରା ୧୪୩କୁ ବ୍ୟବହାର କରି କୋର୍ଟର ମାନ୍ୟବର ବିଚାରପତିଙ୍କ ଏପରି ମନ୍ତବ୍ୟକୁ ଅଗ୍ରାହ୍ୟ କରିଦେଇଥିଲେ। କେତେକ ସମ୍ବିଧାନଶାସ୍ତ୍ରୀଙ୍କ ମତ ଅନୁସାରେ ସମ୍ବିଧାନର ଧାରା ୨୦୦ ଅନୁସାରେ ବିଲ୍‌କୁ ସ୍ୱୀକୃତି ଦେବା ନେଇ କୌଣସି ସମୟସୀମା ରଖାଯାଇନାହିଁ। ଏଣୁ ସେପରି ଏକ ସମୟସୀମା ଧାର୍ଯ୍ୟ କରିବା ଉଚିତ୍‍ ନୁହେଁ।

ପ୍ରଥମେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ତରଫରୁ ଯୁକ୍ତି ରଖାଯାଇଥିଲା ଯେ, ଏପରି କୌଣସି ଆଇନଗତ ଅଙ୍କୁଶ ନାହିଁ ଯାହାଫଳରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ରାଜ୍ୟପାଳ ବା ରାଷ୍ଟ୍ରପତି ତାଙ୍କର ଅନୁମୋଦନ ଦେବେ। ଡକ୍ଟର ବି.ଏ.ଆର୍‍ ଆମ୍ବେଦକର ସମ୍ବିଧାନ ପ୍ରଣୟନ ସଭାରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଯେତେ ଶୀଘ୍ର ସମ୍ଭବ ହେବ ‘ଆଜ୍‍ ସୁନ୍‍ ଆଜ୍‍ ପସିବୁଲ୍‍’ ରଖିବାକୁ କହିଥିଲେ। କିନ୍ତୁ ସମ୍ବିଧାନ ପ୍ରଣୟନ ସଭାରେ ଏ ସମ୍ପର୍କରେ ଯେଉଁ ତର୍କ ରଖାଯାଇଥିଲା ମାନ୍ୟବର ରାଷ୍ଟ୍ରପତି ସମ୍ବିଧାନର ଧାରା ୧୪୩ ଅନୁସାରେ ମାନ୍ୟବର ସୁପ୍ରିମକୋର୍ଟର ପରାମର୍ଶ ଚାହିଁଥିଲେ। ଯେଉଁଥିରେ ସମ୍ବିଧାନ ପ୍ରଣୟନ ସଭାରେ କେତେକ ସଂଶୋଧନ ପ୍ରସ୍ତାବ ଆସି ୬ ସପ୍ତାହ ମଧ୍ୟରେ ଅନୁମୋଦନ ଦେବା ପାଇଁ କୁହାଯାଇଥିଲା। କିନ୍ତୁ ତାହା ପ୍ରତ୍ୟାଖ୍ୟାତ ହୋଇଥିଲା। ମାନ୍ୟବର ସୁପ୍ରିମ୍‍କୋର୍ଟଙ୍କ ୫ ଜଣିଆ ବିଚାରପତି ମଣ୍ଡଳୀ ଏବେ ସେମାନଙ୍କର ରାୟ ସ୍ଥଗିତ ରଖିଥିଲେ ମଧ୍ୟ ପୂର୍ବରୁ ଦିଆଯାଇଥିବା ଦୁଇ ଜଣିଆ ବିଚାରପତି ମଣ୍ଡଳୀର ରାୟକୁ ଗ୍ରହଣ କରି କହିଛନ୍ତି ଯେ, ପ୍ରଥମଥର ପାଇଁ ଏହା ଉପରେ ଯେଉଁ ପ୍ରଶ୍ନ ଉଠିଛି ସେହି ଅନୁସାରେ ରାଜ୍ୟପାଳ ବା ରାଷ୍ଟ୍ରପତି ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମସ୍ତ ବିଲ୍‍କୁ ଅନୁମୋଦନ କରିବାର ଆବଶ୍ୟକତା ଅଛି।

ମାନ୍ୟବର ରାଷ୍ଟ୍ରପତି ଆବଶ୍ୟକସ୍ଥଳେ କେତେକ ପରାମର୍ଶ ଲୋଡ଼ିବାର ବ୍ୟବସ୍ଥା ରହିଛି, ଯେଉଁଥିପାଇଁ ଏହି ସମୟସୀମା ଧାର୍ଯ୍ୟ କରିବା ଉପରେ ମାନ୍ୟବର ସୁପ୍ରିମକୋର୍ଟ ନିଜର ମତବ୍ୟକ୍ତ କରିବାର ସାମ୍ବିଧାନିକ କ୍ଷମତା ରହିଛି ଏବଂ ଯେଉଁ ମତ ଆଧାରରେ ରାଜ୍ୟପାଳ ବା ରାଷ୍ଟ୍ରପତି କାର୍ଯ୍ୟ କରିବାରେ କୌଣସି ଅସୁବିଧା ନାହିଁ ବୋଲି ବା ରାଷ୍ଟ୍ରପତିଙ୍କର କାର୍ଯ୍ୟାଧାରା ଉପରେ ହସ୍ତକ୍ଷେପ ବୋଲି ବିଚାର କରାଯିବ ନାହିଁ ବୋଲି ମାନ୍ୟବର ବିଚାରପତିମାନେ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ମୋଟ ଉପରେ ମୂଳରୁ ରାଜ୍ୟପାଳଙ୍କ କାର୍ଯ୍ୟକଳାପ ଉପରେ ଯେଉଁ ସନ୍ଦେହ ପ୍ରକାଶ ପାଉଥିଲା ଏହା ଏକ ଦୁଷ୍ଟ ବ୍ରଣ ଭାବରେ ଗଣତାନ୍ତ୍ରିକ ବ୍ୟବସ୍ଥାର ମୁଖମଣ୍ଡଳରେ ଅବସ୍ଥାପିତ କରାଯାଇଅଛି ତାହା ହିଁ କାର୍ଯ୍ୟତଃ ଦେଖିବାକୁ ମିଳୁଛି। ସେମାନେ ଅନେକ ସମୟରେ ତାଙ୍କର ନିୟନ୍ତ୍ରଣ କର୍ତ୍ତା ବା ନିଯୁକ୍ତିଦାତା କେନ୍ଦ୍ର ସରକାରରେ ଥିବା ଦଳର ପରାମର୍ଶକ୍ରମେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ଓ ବିରୋଧୀ ରାଜନୈତିକ ଦଳର ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ ବିଭିନ୍ନ ସମୟରେ ଉଦ୍ୟମ କରୁଛନ୍ତି।

ଏ ସବୁ ବ୍ୟବସ୍ଥା ଲକ୍ଷ୍ୟକରି ବର୍ତ୍ତମାନ ଭାରତବର୍ଷର ଗଣତନ୍ତ୍ରଣକୁ ସୁଦୃଢ଼ ଓ ସୁଦୀର୍ଘ କରାଇବା ଲକ୍ଷ୍ୟରେ ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ଅଧିକ ଚର୍ଚ୍ଚା ଓ ନିଷ୍ପତ୍ତିର ଆବଶ୍ୟକତା ରହିଛି। ୫ ଜଣ ସଦସ୍ୟ ବିଶିଷ୍ଟ ମାନ୍ୟବର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସମ୍ପର୍କରେ ଏକ ସୁଚିନ୍ତିତ ରାୟ ଦେଲେ ତାହା କିଛି ଅଯୌକ୍ତିକ ବା ସାମ୍ବିଧାନିକ ବ୍ୟବସ୍ଥାକୁ ସଂକୁଚିତ କରିବାର ଉଦ୍ଦେଶ୍ୟରେ ହେବନାହିଁ। ବରଂ ସାମ୍ବିଧାନିକ କ୍ଷମତାକୁ ଅଧିକ ସୁଦୃଢ଼ କରିବ ଓ ସରକାରରେ ଥିବା ଦଳର ମନମାନୀକୁ ହଟାଇବାରେ ଏକ ପ୍ରମୁଖ ଅଧ୍ୟାୟ ସୃଷ୍ଟି କରିବ।

ଫୋ- ୯୪୩୮୩୬୦୮୪୯

Supreme Court President Of India Indian Constitution Constitution