Advertisment

ଋଣଗ୍ରସ୍ତ ଭାରତ ଓ ବିକଶିତ ଭାରତ

କେନ୍ଦ୍ରୀୟ ବଜେଟ୍‌ ୨୦୨୫-୨୬ ପାଇଁ ଲୋକସଭାରେ ଆଗତ ହୋଇସାରିଛି। ପ୍ରତ୍ୟେକ ବଜେଟ୍‌ରେ ସବୁବର୍ଗର ଲୋକ କିଛି ନା କିଛି ଲାଭ ପାଇବାର ଆଶା ରଖିଥାନ୍ତି। ଏହି ଆଶାଭିତ୍ତିକ ବଜେଟକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ। ପ୍ରଥମ ହେଲା ଖାଲି ହାତ, ଦ୍ୱିତୀୟଟି ବୁଜା ହାତ ଓ ତୃତୀୟଟି ମୁକୁଳା ହାତ। ଏହି ତିନି ପ୍ରକାର ଆଶାୟୀ ବଜେଟରୁ ପାଇବା ପାଇଁ ଆଶା ରଖିଥାନ୍ତି।

ଅଦ୍ୟତନ ହୋଇଛି
Nirmala Sitharaman

Nirmala Sitharaman

Advertisment

ପଞ୍ଚାନନ କାନୁନଗୋ

କେନ୍ଦ୍ରୀୟ ବଜେଟ୍‌ ୨୦୨୫-୨୬ ପାଇଁ ଲୋକସଭାରେ ଆଗତ ହୋଇସାରିଛି। ପ୍ରତ୍ୟେକ ବଜେଟ୍‌ରେ ସବୁବର୍ଗର ଲୋକ କିଛି ନା କିଛି ଲାଭ ପାଇବାର ଆଶା ରଖିଥାନ୍ତି। ଏହି ଆଶାଭିତ୍ତିକ ବଜେଟକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ। ପ୍ରଥମ ହେଲା ଖାଲି ହାତ, ଦ୍ୱିତୀୟଟି ବୁଜା ହାତ ଓ ତୃତୀୟଟି ମୁକୁଳା ହାତ। ଏହି ତିନି ପ୍ରକାର ଆଶାୟୀ ବଜେଟରୁ ପାଇବା ପାଇଁ ଆଶା ରଖିଥାନ୍ତି। ଏଥିରେ ବଡ଼ ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ମଧ୍ୟମ ଶିଳ୍ପପତି ଓ ଛୋଟ ଉଦ୍ୟୋଗୀ ସମେତ ଚାଷୀ, ଦୋକାନୀ ଓ ବେକାର ରହିଥିବା ଯୁବକ ଯୁବତୀ ରୋଜଗାର ଚାହିଁଥାନ୍ତି। ଯେଉଁ ରୋଜଗାର ପାଇଛନ୍ତି ତାହା ଯେପରି ହାତକୁ ଖସି ନଯାଏ ସେଥିପାଇଁ ସତର୍କ ଥାନ୍ତି ଓ ପାଇଥିବା ରୋଜଗାରକୁ ବ୍ୟବହାର କରି ଅଧିକ କିଛି ରୋଜଗାର କରିବାର ସୁଯୋଗ ଆଶାରେ ଥାନ୍ତି।

Advertisment

ଚଳିତ ବଜେଟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଇନ୍‌କମ୍‌ ଟ୍ୟାକ୍ସ (ଆୟକର) ଦେଉଥିବା ମଧ୍ୟମ ବର୍ଗର ଲୋକଙ୍କ ପାଇଁ ଯେଉଁ ଘୋଷଣା କଲେ ସେଥିରେ ଆୟକର ଦେଉଥିବା ବ୍ୟକ୍ତିମାନଙ୍କୁ ନିଶ୍ଚିତ ଭାବରେ କିଛି ଲାଭ ମିଳିବାର ସୂଚନା ରହିଛି। ଟିକସ ରିହାତି ଓ ଟିକସ ପାଇଁ ରହିଥିବା ସ୍ଲାବ୍‌ ଉପରେ ବିଭିନ୍ନ ଧରଣର ଟିକସ ଧାର୍ଯ୍ୟ ଫଳରେ ନିଶ୍ଚିତ ଭାବେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା ବ୍ୟକ୍ତି ଏଥିରେ ଲାଭବାନ ହେବେ। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଟିକସ ଛାଡ଼ ହୋଇଥିବା କଥା ଯାହା କୁହାଯାଇଛି ସେଥିରେ ଦ୍ୱନ୍ଦ୍ୱ ରହିଛି। ଏହା ଲାଗୁ ହେଲା ପରେ (ଟିକସ ଆଇନ୍‌ ପାସ୍‌ ହେଲା ପରେ) ଜଣାପଡ଼ିବ ଯେ ୧୨ ଲକ୍ଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଟିକସ ଛାଡ଼ ହୋଇଛି କି ନାହିଁ।

ହାତ ଖାଲି କରି ବସିଥିବା ଅର୍ଥାତ୍‌ ରୋଜଗାର ଚାହୁଁଥିବା ବେକାର ଯୁବକ ଯୁବତୀଙ୍କ ପାଇଁ ବର୍ଷକୁ ୧ କୋଟି ନିଯୁକ୍ତି ସୃଷ୍ଟି ହେବ ବୋଲି ଗୋଟିଏ ସୂଚନା ଏହି ବଜେଟ୍‌ରେ ରହିଛି। ତାହା ହେଉଛି ଏମ୍ପ୍ଲଏମେଣ୍ଟ ଲିଙ୍କ୍‌ ଇନ୍‌ସେନ୍‌ଟିଭ୍‌, ଯାହାକି ପ୍ରଧାନମନ୍ତ୍ରୀଙ୍କ ଘୋଷିତ ୫ଟି ସ୍କିମ୍‌ ଅନ୍ତର୍ଭୁକ୍ତ। ଏହି ଯୋଜନାଗୁଡ଼ିକରେ ଆସନ୍ତା ୫ ବର୍ଷରେ କେନ୍ଦ୍ରୀୟ ବ୍ୟୟବରାଦ ୨ ଲକ୍ଷ କୋଟି ଟଙ୍କା ରଖାଯାଇଛି। ଏହାର ଉଦ୍ଦେଶ୍ୟ ରହିଛି ଯେ ଆଗାମୀ ୫ ବର୍ଷ ଭିତରେ ୪ କୋଟି ରୋଜଗାର ସୃଷ୍ଟି ହେବ। ଏଇଠି ଦେଖିବାର ଅଛି ଏହି ନିଯୁକ୍ତି କ୍ଷେତ୍ରରେ ଯେଉଁ ରୋଜଗାର ମିଳିବ ତାହା ବେରୋଜଗାରୀଙ୍କୁ ବାର୍ଷିକ ଆବଶ୍ୟକ ମୁତାବକ ଆୟ ଦେଉଛି କି ନାହିଁ। କାରଣ ଏ ପର୍ଯ୍ୟନ୍ତ ଗତ ୧୧ ବର୍ଷ ଭିତରେ ଯେଉଁସବୁ ରୋଜଗାର ସୃଷ୍ଟି କରାଯାଇଛି ସେଥିରେ ବାସ୍ତବ କ୍ଷେତ୍ରରେ ଚଳିଲା ଭଳି ଆୟ ଅନେକଙ୍କୁ ମିଳିନାହିଁ।

Advertisment

ଏକ ହିସାବରୁ ଜଣାଯାଏ ଯେ ଭାରତର ୮୦ କୋଟି ଲୋକ ୧ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ଭିତରେ ବର୍ଷକୁ ଆୟ କରିଥାନ୍ତି। ଏମାନଙ୍କ ଆୟ ସୀମିତ ଥିବା ହେତୁ ବ୍ୟୟ ମଧ୍ୟ ସୀମିତ ରହେ। ଯାହାଫଳରେ ବଜାରକୁ ଅଧିକ ଚଳଚଞ୍ଚଳ କରିବା ଓ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ବଜାରର ସହାୟତା ମିଳିବା ସଫଳ ହୋଇନାହିଁ। ଏବର୍ଷର ବଜେଟ୍‌ରେ ଆୟ କରକୁ କୋହଳ କରାଯାଇ ବଜାରକୁ ଚଳଚଞ୍ଚଳ କରିବାର କଥା ଯାହା କୁହାଯାଇଛି ତାହା କେତେଦୂର ସମ୍ଭବ ହେବ, ଦରଦାମ ନିୟନ୍ତ୍ରଣ ଓ ମୁଦ୍ରାସ୍ପୀତି ନିୟନ୍ତ୍ରଣ ଉପରେ ନିର୍ଭର କରେ। ଦରଦାମ ଜନିତ ବୃଦ୍ଧି ଘଟିଲେ ବଜାରରେ କ୍ରୟବିକ୍ରୟ କମିବ। ଏସବୁ କଥା ଆଗାମୀ ଦିନରେ ଦେଖାଯିବ। ଆୟ ଓ ବ୍ୟୟର ଏ ବଜେଟ୍‌ରେ ଯେଉଁ ଅଟକଳ ରଖାଯାଇଛି ସେଥିରେ ଅନେକ କିଛି ରୋଜଗାର ସୃଷ୍ଟି ହେବା ବା ବଢ଼ିବା ଆଶା କରିବା ବୃଥା। ଖାଲି ହାତକୁ ରୋଜଗାର ସୀମିତ, ପାଇଥିବା ଅର୍ଥ ବଜାରକୁ ଛାଡ଼ିବା କ୍ଷେତ୍ରଟି ମଧ୍ୟ ସଂକୁଚିତ ଓ ବିକଶିତ ଭାରତ ଦିଗରେ ଅଧିକ ବ୍ୟୟ କରିବାର କ୍ଷମତା ଚଳିତ ବଜେଟ୍‌ରେ ଦେଖିବାକୁ ମିଳୁନାହିଁ।

ଆନ୍ତର୍ଜାତିକ ବଜାରରେ ଭାରତବର୍ଷର ଆର୍ଥିକ ଅବସ୍ଥା ଦୋହଲି ଯାଇଛି। ଏହାର ମୁଖ୍ୟ କାରଣ ଆମେରିକାରେ ନୂତନ ରାଷ୍ଟ୍ରପତି ଭାବେ ଡୋନାଲଡ୍‌ ଟ୍ରମ୍ପ ଦାୟିତ୍ୱ ନେବାର କିଛି ଦିନ ଭିତରେ ଯେଉଁ ଅର୍ଥନୈତିକ ଘୋଷଣାଗୁଡ଼ିକ କରିଛନ୍ତି ତାହାର ପ୍ରଭାବ ଭାରତ ଉପରେ ପଡ଼ିଛି। ଭାରତବର୍ଷରେ ବଜେଟ୍‌ ଆଗତର କିଛିଦିନ ଭିତରେ ସେୟାର ବଜାରରେ କ୍ଷତି ପହଂଚିଥିବା ଲକ୍ଷ୍ୟ କରାଯାଇଛି। ଅପରପକ୍ଷରେ ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ୮୭ ଟଙ୍କାକୁ ବୃଦ୍ଧି ପାଇ ଏକ ଐତିହାସିକ ସୀମା ସୃଷ୍ଟି କରିଛି। ଆନ୍ତର୍ଜାତିକ ବଜାରରେ ସୁନାର ଦର ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଭାରତର ଋଣଭାର ବଢ଼ିବାରେ ଲାଗିଛି। ଭାରତ ସରକାରଙ୍କ ଋଣ ୨୦୨୪ ସେପ୍ଟେମ୍ବର ସୁଦ୍ଧା ୨୦୩୭ ଟ୍ରିଲିୟନ୍‌ ଡଲାରରେ ପହଂଚିଛି, ଯାହାକି ୧୯୯୮ ମସିହାରେ ମାତ୍ର ୨୩୨ ଟ୍ରିଲିୟନ ଡଲାର ଥିଲା। ଗତ ୧୧ ବର୍ଷ ଭିତରେ ଭାରତବର୍ଷ ବିଦେଶୀ ଋଣ ଆଣିବାରେ ଐତିହାସିକ ସୀମା ଲଂଘନ କରିଛି। ଏହାର ପ୍ରଭାବ ଆମେ ଭାରତବର୍ଷର ଜନସାଧାରଣଙ୍କ ଉପରେ ଖୁବ୍‌ଶୀଘ୍ର ଅନୁଭୂତ ହେବ। ଅଧିକନ୍ତୁ ଗଚ୍ଛିତ ବିଦେଶୀ ମୁଦ୍ରା ପରିମାଣ କମିବାରେ ଦେଖାଯାଉଛି।

ଫଳତଃ ଆଗାମୀ ଦିନରେ ଭାରତର ନେଣଦେଣ କାରବାର ସଂକୁଚିତ ହେବାର ଆଶଙ୍କା ଦେଖାଦେଇଛି। ଆୟ ବୃଦ୍ଧି ଘଟିବ ନାହିଁ, ବଜାର ଚଳଚଞ୍ଚଳ ହେବନାହିଁ। ଏଥିରେ ବାର୍ଷିକ ହାର ୮ ପ୍ରତିଶତ ସାମଗ୍ରିକ ଅଭିବୃଦ୍ଧି ଆଦୌ ସମ୍ଭବ ନୁହେଁ। ଗତ ବର୍ଷମାନଙ୍କରେ ହାରାହାରି ୬ ପ୍ରତିଶତ ଅଭିବୃଦ୍ଧି ହାର ରହିଆସିଛି। ଏଥିରେ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଦେଖିବାର ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ମିଳେଇଯିବ। ଚଳିତ ବଜେଟ୍‌ରେ ସ୍ୱଭାବକୁ ଲକ୍ଷ୍ୟ କଲେ ବର୍ତ୍ତମାନ ଦେଶରେ ପାଖାପାଖି ୮୦ କୋଟି ଲୋକ ପାଉଥିବା ଆୟ ମୁଦ୍ରାସ୍ପୀତି ଜନିତ ଦୁର୍ଦ୍ଦିନର ଶିକାର ହେବେ ଏବଂ ସେମାନଙ୍କ ଆୟ ମଧ୍ୟ ସଂକୁଚିତ ହେବ। ବ୍ୟୟ ବୃଦ୍ଧି ପାଇବ। ବଜେଟ୍‌ ସେହି ଶିଳ୍ପପତିମାନଙ୍କର ସମୃଦ୍ଧିରେ ସହାୟକ ହେବ ଯେଉଁମାନେ ବୀମା କମ୍ପାନୀମାନଙ୍କରେ ଅଧିକରୁ ଅଧିକ ନିବେଶ କରିବେ। କାରଣ ଏହି ବଜେଟ୍‌ରେ ବୀମା କମ୍ପାନୀର ବିଦେଶୀ ନିବେଶ ପରିମାଣ ୧୦୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ଏବଂ ନିବେଶ କରିବାର ସୁଯୋଗ ସୃଷ୍ଟି ରଖାଯାଇଛି।

କୃଷି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବାର ଯାହା ଆଶା କରାଯାଏ ତାହା ଭାରତବର୍ଷରେ କ୍ରମବର୍ଦ୍ଧିଷ୍ଣୁ ଜଳବାୟୁ ପରିବର୍ତ୍ତନ ହେତୁ ବାଧାପ୍ରାପ୍ତ ହେବ। ଭାରତକୁ ଡାଲି ଆମଦାନି କମାଇ ଡାଲି ଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବନଶୀଳ କରିବାକୁ ଘୋଷଣା ଏହି ବଜେଟ୍‌ରେ କରାଯାଇଛି। ଗତ କିଛିବର୍ଷ ତଳେ ଭାରତର ପୂର୍ବ ରାଜ୍ୟମାନଙ୍କରେ ଡାଲି ଉତ୍ପାଦନ ବୃଦ୍ଧି କରିବାର ସ୍ୱପ୍ନ ଓ ସଂକଳ୍ପ ଦେଖିବାକୁ ମିଳିଥିଲା। ସେଥିରେ ବିଶେଷ କିଛି ଉନ୍ନତି ଘଟିଲା ନାହିଁ। ଡାଲି ଉତ୍ପାଦନକାରୀ ଚାଷୀମାନଙ୍କୁ ଉଚ୍ଚ ହାରର ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ସହିତ ସମସ୍ତ ଡାଲିକୁ ଧାନ ଓ ଗହମ ପରି ସଂଗ୍ରହ କରିବାର ବ୍ୟବସ୍ଥା ସରକାରୀ ଭାବରେ ନହେଲେ ଚାଷୀ ଉତ୍ସାହିତ ହେବେନାହିଁ ବା ଅଧିକ ଉତ୍ପାଦନରେ ମନ ନିବେଶ କରିବେ ନାହିଁ।

ଠିକ୍‌ ସେହିପରି ଏମ୍‌ଏସଏମ୍‌ଇ କ୍ଷେତ୍ରରେ ଏହି ବଜେଟ୍‌ କିଛି ନୂଆ ସୁଯୋଗ ସୃଷ୍ଟି କରିଛି। କିନ୍ତୁ ସେମାନଙ୍କ ଉତ୍ପାଦିତ ପଦାର୍ଥ ବହୁ ଦେଶୀୟ କମ୍ପାନୀମାନଙ୍କ ପ୍ରତିଦ୍ୱନ୍ଦ୍ୱିତାରୁ ମୁକ୍ତ ରଖି ନପାରିଲେ ସେମାନଙ୍କ ଉତ୍ପାଦନ ବଜାରରେ ପହଂଚିବ ସିନା କିନ୍ତୁ ଗରାଖ ବା ଖାଉଟିମାନଙ୍କ ହାତରେ ନପହଂଚିବାର ଆଶଙ୍କା ରହିଛି। ଭାରତବର୍ଷରେ କୃତ୍ରିମ ବୁଦ୍ଧିମତା ବା ଏଆଇ ପ୍ରଯୁକ୍ତିର ବିସ୍ତୃତ ପ୍ରଚଳନ ପାଇଁ ଏହି ବଜେଟ୍‌ରେ ସୂଚନା ମିଳିଛି। ଯେଉଁଠି ପ୍ରତିବର୍ଷ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି ସେଠି ଏଆଇର ରୋବଟ ପ୍ରଚଳନ ନିଯୁକ୍ତି କ୍ଷେତ୍ରକୁ ନିଶ୍ଚୟ ସଂକୁଚିତ କରିବ। ଏଥିପାଇଁ ସରକାର ସତର୍କ ରହିବା ଉଚିତ୍‌। ଏହା ହୁଏତ ବଡ଼ କର୍ପୋରେଟ୍‌ ହାଉସ୍‌ମାନଙ୍କ ଉତ୍ପାଦନ ଖର୍ଚ୍ଚ କମାଇବାରେ ସହାୟକ ହୋଇପାରେ। କିନ୍ତୁ ନିଯୁକ୍ତି ପଥରେ ପ୍ରତିବନ୍ଧକ ହୋଇ ଛିଡ଼ା ହେବ।

୨୦୨୫-୨୬ର ବଜେଟ୍‌ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଯେଉଁ ପରିମାଣର ଅଧିକ ବିନିଯୋଗ ସଂକେତ ଦେଇଛି ତାହା କର୍ପୋରେଟ୍‌ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ପାଇଁ ଓ ସ୍ୱାସ୍ଥ୍ୟ ବୀମା କମ୍ପାନୀର ସ୍ୱାର୍ଥ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ। ତଳେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ବା ଶିକ୍ଷା କ୍ଷେତ୍ରରେ ଏଥିରେ କେଉଁ ପରିମାଣରେ ସଂପୃକ୍ତି ରହିବ ଏ ବଜେଟ୍‌ରେ ତା’ର କିଛି ସ୍ପଷ୍ଟ ଚିତ୍ର ନାହିଁ। ଏମ୍‌ଜିନରେଗା ପାଇଁ ଏ ବର୍ଷ ସେପରି କିଛି ଆଖି ଦୃଶିଆ ବ୍ୟୟବରାଦ ହୋଇନାହିଁ। ଯେଉଁ ରାଜ୍ୟମାନେ ଦାଦନ ଶ୍ରମିକ ଜନିତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ ସେମାନେ ତା’ଠାରୁ ଅଧିକ ବଡ଼ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଦେଶରେ ଦୁଇଟି କ୍ଷେତ୍ରରେ ଏ ବଜେଟ୍‌ରେ ଆଖିଦୃଶିଆ ବ୍ୟୟବରାଦ କରାଯାଇଛି। ତାହା ହେଉଛି ପ୍ରତିରକ୍ଷା ବିଭାଗ ଓ ଭିତ୍ତିଭୂମି ବିକାଶ। ହୁଏତ ଆମ ଦେଶର ଆବଶ୍ୟକତା ପାଇଁ ବ୍ୟୟବରାଦ ବଢ଼ାଇବା ଠିକ୍‌ ହୋଇପାରେ, ହେଲେ ଏଥିରେ ବିଶେଷ କିଛି ବିକାଶମୂଳକ କାର୍ଯ୍ୟ ସାଧିତ ହେଲା ପରି ଜଣାପଡୁନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ଏହି ବଜେଟ୍‌ଟି କେବଳ ମଧ୍ୟମବର୍ଗର କିଛି ହିତ ସାଧନ କରିଅଛି, କିନ୍ତୁ ବିକଶିତ ଭାରତର ସ୍ୱପ୍ନ ଦିଗରେ ଭାରତକୁ ଆଗେଇ ନେବାର କୌଣସି ସଂକେତ ପ୍ରତୀୟମାନ ହେଉନାହିଁ।

ମୋ- ୯୪୩୮୩୬୦୮୪୯

Income Tax Development Nirmala Sitharaman Union Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe