ସୂର୍ଯ୍ୟମଣି ମିଶ୍ର
ହାରାହାରି ପାଞ୍ଚ ଦଶନ୍ଧି ଯାଏଁ ସାମରିକ ଶାସନାଧୀନ ରହିବା ପରେ ଅଳ୍ପ ସମୟ ପାଇଁ ଗଣତନ୍ତ୍ର ପାଇଥିବା ମିଆଁମାର ପୁଣି ଥରେ ସାମରିକ ଶାସନକୁ ଫେରିଛି। ଏବେ ଏହି ଦେଶ ସୈନ୍ୟଙ୍କ ଅଧୀନରେ। ମିଆଁମାରରେ ଗଣତନ୍ତ୍ର ପାଇଁ ପାଖାପାଖି ୨୨ ବର୍ଷ ଯାଏ ଲମ୍ବା ଲଢେଇ ଲଢିଥିଲେ ସାନ୍-ସୁ-ଚି। ଜୀବନର ଦୁଇଦଶନ୍ଧି ଧରି ସେ ନଜରବନ୍ଦୀ ଜୀବନ ବି ବିତାଇଥିଲେ। କିନ୍ତୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଶେଷରେ ସଫଳତା ପାଇଥିଲେ। ଏବେ ନିର୍ବାଚନରେ ଜାଲିଆତି ଏବଂ କରୋନା ନାମରେ ସାମରିକ ଶାସନ ପ୍ରତିଷ୍ଠା ହୋଇଛି। ଗତ ସୋମବାର ଦିନ ସେନାବାହିନୀ ଦ୍ୱାରା ଦେଶର ସର୍ବୋଚ୍ଚ ନେତା ତଥା ଷ୍ଟେଟ୍ କାଉନ୍ସିଲର ଆଙ୍ଗ୍-ସାନ୍-ସୁ-ଚି ଏବଂ ରାଷ୍ଟ୍ରପତି ବିନ୍ ନଭେଙ୍କ ସମେତ ଦେଶର କେତେକ ବରିଷ୍ଠ ନେତାଙ୍କୁ ଗିରଫ କରାଯିବା ସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏବେ ଦେଶ ଶାସନର ଡୋର ଗୋଟିଏ ବର୍ଷ ପାଇଁ ଉପରାଷ୍ଟ୍ରପତି ମିଣ୍ଟ୍ ସ୍ୱେଙ୍କ ହାତରେ ସେନାବାହିନୀ ଅର୍ପଣ କରିଛନ୍ତି। ସ୍ୱେ ପ୍ରଥମେ ସାମରିକ ଅଧିକାରୀ ରହିଥିଲେ। କିନ୍ତୁ ଦେଶର ସର୍ବାଧିକ ଶକ୍ତିମାନ ସଶସ୍ତ୍ର ବଳର କମାଣ୍ଡର ଜେନେରାଲ୍ ଆଙ୍ଗ୍ ଲାଇଙ୍ଗ୍। ଜେନେରାଲ୍ ଲାଇଙ୍ଗ୍ ଚଳିତ ବର୍ଷ ଜୁଲାଇରେ ଅବସର ଗ୍ରହଣ କରିଥାନ୍ତେ, କିନ୍ତୁ ଏବେ ତାଙ୍କ ହାତରେ ଅମାପ କ୍ଷମତା। ତାଙ୍କ କାର୍ଯ୍ୟକାଳରେ ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ଅତ୍ୟାଚାର ପାଇଁ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନାକୁ ସାମ୍ନା କରିବାକୁ ପଡ଼ିଥିଲା। ଜାତିସଂଘ ମାନବାଧିକାର ପରିଷଦ ତାଙ୍କ ମାନବତା ବିରୁଦ୍ଧରେ ଯୁଦ୍ଧ ପାଇଁ ଅଭିଯୋଗରେ ଦଣ୍ଡ ମିଳିବାର କଥା କହିଥିଲେ। କିନ୍ତୁ ଏହାସତ୍ତ୍ୱେ ଜେନେରାଲ୍ ଲାଇଙ୍ଗ୍ ନିଜର ଶକ୍ତି ବଜାୟ ରଖିଥିଲେ। ସେତେବେଳେ ରୋହିଙ୍ଗ୍ୟା ମୁସଲମାନଙ୍କ ପକ୍ଷରେ ଠିଆ ହୋଇଥିବା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ପରିଚିତ ସାନ୍-ସୁ’ଙ୍କ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିଲା। ୨୦୧୬ରେ ଅନୁଷ୍ଠିତ ନିର୍ବାଚନରେ ଯେତେବେଳେ ଆଙ୍ଗ୍-ସାନ୍-ସୁ-ଚିଙ୍କ ଦଳ ନ୍ୟାସନାଲ୍ ଲିଗ୍ ଫର୍ ଡେମୋକ୍ରାସି କ୍ଷମତାକୁ ଆସିଲା ସେତେବେଳେ ସେ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ କରିଥିଲେ। ଏନ୍ଏଲ୍ଡି ଦଳ ସମ୍ବିଧାନ ପରିବର୍ତ୍ତନ କରି ସାମରିକ ଶକ୍ତିକୁ ସୀମିତ କରିବାର ଉଦ୍ୟମ କରିଥିଲେ। କିନ୍ତୁ ଜେନେରାଲ୍ ଲାଇଙ୍ଗ୍ ଏହା ସୁନିଶ୍ଚିତ କରିପାରିଥିଲେ ଯେ, ସଂସଦରେ ସାମରିକ ବାହିନୀ ହାତରେ ୨୫ ପ୍ରତିଶତ ଆସନ ରହିବ ଏବଂ ସୁରକ୍ଷା ସହ ଯୋଡ଼ି ହୋଇଥିବା ଆବଶ୍ୟକ ପୋର୍ଟଫୋଲିଓ ସେନା ନିକଟରେ ରହିବ। ସାନ୍-ସୁ-ଚି ସବୁବେଳେ ଏହି ପ୍ରସଙ୍ଗରେ ଗୁରୁତ୍ୱ ଦେଇଥିଲେ ଯେ, ସାମରିକ ଶକ୍ତିକୁ ସୀମିତ କରାଯିବା ଉଚିତ୍। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ କ୍ରିୟାଶୀଳ କରିବା। କିନ୍ତୁ ଜେନେରାଲ୍ ଲାଇଙ୍ଗ୍ କିଛିଦିନ ଗଣତନ୍ତ୍ର ପଦ୍ଧତି ସହ ପାଦ ମିଳାଇ ନିଜର କୌଶଳ ଯାହା ସାମରିକ ଶକ୍ତି ହିଁ ସର୍ବୋଚ୍ଚ ଭୂମିକାରେ ରହିବ ତାହାକୁ ସାକାର କରିବା ପାଇଁ ଉଦ୍ୟମ କରୁଥିଲେ। ଏହା ବାହାରକୁ ଜଣାପଡ଼ିନଥିଲା ଯାହାର ଏବେ ପର୍ଦ୍ଦାଫାଶ ହୋଇଛି।
ମିଆଁମାରରେ ଗତ ନଭେମ୍ବରରେ ସଂସଦୀୟ ନିର୍ବାଚନ ହୋଇଥିଲା। ଯେଉଁଥିରେ ଏନ୍ଏଲ୍ଡିକୁ ମୋଟ ୪୭୬ ଆସନ ମଧ୍ୟରୁ ୩୯୬ ଆସନ ମିଳିଥିଲା। ସେନାବାହିନୀ ପକ୍ଷରୁ ଏହି ନିର୍ବାଚନ ଫଳାଫଳ ପ୍ରକାଶ ପରେ ନିର୍ବାଚନରେ ଜାଲିଆତି ହୋଇଥିବା ଦାବି କରି ନିର୍ବାଚନକୁ ଅସିଦ୍ଧ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯାଇଥିଲା। କିନ୍ତୁ ନିର୍ବାଚନ କମିଶନ ଏହି ଦାବି ବା ଅଭିଯୋଗକୁ ଗ୍ରହଣ କରିନଥିଲେ। ନୂଆ ସଂସଦ ଗତ ଫେବୃଆରୀ ୧ରେ ପ୍ରଭାବୀ ହୋଇଥାନ୍ତା। ସୁ-ଚି ସମେତ ଅନ୍ୟ ସାଂସଦ ଏହି ଦିନ ଶପଥ ନେଇଥାନ୍ତେ, କିନ୍ତୁ ଏହା ପୂର୍ବରୁ ସେନାବାହିନୀ ପକ୍ଷରୁ କ୍ଷମତାକୁ ବଳପୂର୍ବକ ଭାବେ ନିଜ ଅଧୀନକୁ ନେଇଥିଲେ। ସେନା ମାଲିକାନାରେ ଚାଲୁଥିବା ମୟାୱାଡ଼ି ଟିଭିର ପ୍ରଚାର ଅନୁଯାୟୀ ମିଆଁମାର ସମ୍ବିଧାନର ଅନୁଚ୍ଛେଦ ୪୧୭ ଅନୁଯାୟୀ ସେନା ନିଜ ହାତକୁ କ୍ଷମତା ନେଇଛି। ରାଜଧାନୀ ନେପିତା ସମେତ ଦେଶର କେତେକ ସହରରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ସିପି ହିଲ୍ ଭଳି ପ୍ରମୁଖ ସରକାରୀ ଭବନରେ ସେନା ମୁତୟନ। ସ୍ଥାନେ ସ୍ଥାନେ ସଡ଼କକୁ ସୈନ୍ୟବାହିନୀମାନେ ନିଜ ଅକ୍ତିଆରକୁ ନେଇଛନ୍ତି। ବିଶ୍ୱସ୍ତରରେ ମିଆଁମାରର ଏହି ରାଜନୈତିକ ଘଟଣା କ୍ରମକୁ ନେଇ ଆଲୋଚନା ଚାଲିଛି। ଆମେରିକା ସମେତ କେତେକ ଦେଶ ଏହା ପରେ ମିଆଁମାର ଉପରେ ପ୍ରତିବଂଧାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାନବାଧିକାର ସଂଗଠନ ପକ୍ଷରୁ ଚିନ୍ତାପ୍ରକଟ କରାଯାଇଛି। ଏବେ ମିଆଁମାରରେ ସଂଖ୍ୟାଲଘୁ, ରାଜନୈତିକ ବିରୋଧୀ ତଥା ସାମ୍ବାଦିକଙ୍କ ଉପରେ ଦମନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଭାରତ ପାଇଁ ମିଆଁମାରର ଏହି ଘଟଣାକ୍ରମ ମଧ୍ୟ ଚିନ୍ତାର କାରଣ ହୋଇଛି। ପ୍ରଥମତଃ ଏହି ପଡ଼ୋଶୀ ଦେଶରେ ରାଜନୈତିକ ଅସ୍ଥିରତା ଏବଂ ଗଣତନ୍ତ୍ରକୁ ବନ୍ଧକ କରାଯିବା ଗୋଟିଏ ଗଣତାନ୍ତ୍ରିକ ଦେଶର ନାଗରିକଙ୍କ ପାଇଁ କିପରି ବିପଦ ସେ ନେଇ ଚାଲିଛି ବିତର୍କ। ଦ୍ୱିତୀୟରେ ମିଆଁମାର ଏବଂ ଚୀନ ମଧ୍ୟରେ ଥିବା ବନ୍ଧୁତ୍ୱ ସଂପର୍କ ଭାରତ ପାଇଁ ଆଉ ଏକ ଚିନ୍ତାର କାରଣ। ଅରୁଣାଚଳ ପ୍ରଦେଶ ଏବଂ ଲଦାଖରେ ଭାରତ-ଚୀନ୍ ମୁହାଁମୁହିଁ। ଉତ୍ତରପୂର୍ବରେ କେତେକ ଉଗ୍ରବାଦୀ ସଂଗଠନର ଗତିବିଧି ମଧ୍ୟ ଭାରତ ପାଇଁ ଉଦବେଗର ବିଷୟ। ପୁଣି ମିଆଁମାର୍ ସୀମାରେ ଏହି ଉଗ୍ରବାଦୀ ସକ୍ରିୟ। ତେଣୁ ଭାରତ ଏବଂ ମିଆଁମାର ଭଳି ଦୁଇଗଣତାନ୍ତ୍ରିକ ଦେଶ ଆଜି ଦିନରେ ନିଜ ନିଜ ମଧ୍ୟରେ ସାମରିକ ଶାସନକୁ ନେଇ ଚର୍ଚ୍ଚା କରିବା ଆବଶ୍ୟକ। ମିଆଁମାରରେ ସାମରିକ ଶାସନ ଦ୍ୱାରା ଗଣତନ୍ତ୍ର ଉପରେ ଆକ୍ରମଣ ଚାଲିଛି। ନାଗରିକଙ୍କ ଅଧିକାରକୁ ଦମନ କରାଯାଉଛି। ଲୋକଙ୍କ ଅଧିକାର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ସ୍ୱାଧୀନତାକୁ ଦଳିମକଚି ଦିଆଯାଇଛି। ଯାହାକୁ ସଂକ୍ଷିପ୍ତରେ ଗଣତନ୍ତ୍ର ଏବେ ବନ୍ଦୀ ବୋଲି କହିଲେ ଭୁଲ ହେବନାହିଁ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଫୋନ୍:୯୪୩୮୦୦୬୨୧୫