Sonam Wangchuk Photograph: (Internet)
ଦେବ ରଞ୍ଜନ
ଲଦାଖବାସୀଙ୍କ ଆନ୍ଦୋଳନର ପ୍ରମୁଖ ନେତା ସୋନମ ୱାଙ୍ଗଚୁକଙ୍କୁ ବରଫାବୃତ ଅଞ୍ଚଳରୁ ଆଣି ସର୍ବାଧିକ ଗରମ ଥିବା ରାଜସ୍ଥାନର ଯୋଧପୁର ଅଞ୍ଚଳରେ ସରକାରଙ୍କ ଦ୍ଵାରା ରଖାଯିବାକୁ ଆମେ କ’ଣ କହିବା? ଏଭଳି ଏକ ଅମାନବୀୟ ସମ୍ବେଦନହୀନ କାର୍ଯ୍ୟକୁ ସରକାରଙ୍କ ଦ୍ଵାରା ଲଦାଖର ‘ବିକାଶ’ ଲାଗି ବିଶେଷ ଉଦ୍ୟମ ବୋଲି କହିବା? ଏହା ନୁହେଁ କି? ଲଦାଖକୁ ରାଜ୍ୟ ପାହ୍ୟା ଦାବି ରଖି ଅନଶନରେ ବସିଥିବା ସୋନମଙ୍କୁ ଯଦି ଦେଶର ବିକାଶ ବିରୋଧୀ କୁହାଯିବ ତେବେ ସରକାରଙ୍କ ଦ୍ଵାରା ଲାଗୁ ହୋଇଥିବା ଅଟକ ବନ୍ଦୀ ବିକାଶ ଲାଗି ଉଦ୍ଦିଷ୍ଟ ବୋଲି କୁହାଯିବ?
ମୃତ୍ୟୁ ଅନେକ ପ୍ରକାରର ହୋଇଥାଏ। କିନ୍ତୁ ଅତି ଥଣ୍ଡା ଅଞ୍ଚଳରୁ ଆଣି ଜଣକୁ ଅତି ଗରମ, ଅନ୍ୟୁନ ୪୦ ଡିଗ୍ରୀର ପାର୍ଥକ୍ୟ ମଧ୍ୟରେ କାହାରିକୁ ରଖିବାର ଉଦ୍ଦେଶ୍ୟ ତାହାକୁ ବଞ୍ଚାଇବା କି ଜୀବନରେ ମାରିଦେବା, କେଉଁଟି ଅଧିକ ଠିକ ଲାଗୁଛି? ସେ ପୁଣି କାହା ପାଇଁ? ଏଭଳି ଜଣେ ବୈଜ୍ଞାନିକ ଯିଏ ବରଫାବୃତ୍ତ ଲଦାଖରେ ରହୁଥିବା ଭାରତୀୟ ସେନାବାହିନୀ ଲାଗି ଏଭଳି ଏକ ଟେଣ୍ଟ ତିଆରି କରିଥିଲେ ଯାହାର ଭିତର ତାପମାତ୍ରା ୨୦ ଡିଗ୍ରୀ ସେଣ୍ଟିଗ୍ରେଡ ହୋଇପାରୁଛି। ଏବେ ପବ୍ଲିକର ଦୃଷ୍ଟିରେ ସେ ବଡ଼ ‘ଦେଶଦ୍ରୋହୀ’। ବାସ୍ତବରେ କେନ୍ଦ୍ର ସରକାର ଏହି ‘ଦେଶଦ୍ରୋହୀ’ଙ୍କର ଦେଶପ୍ରତି ନିଷ୍ଠାକୁ ପରୀକ୍ଷା କରୁଛନ୍ତି କି ତାଙ୍କର ଶାନ୍ତ ମୃତ୍ୟୁ ପାଇଁ ରାସ୍ତା ସୁଗମ କରୁଛନ୍ତି? ଏହା ଆଜି ଏକ ବଡ଼ ପ୍ରଶ୍ନ।
ସୋନମ ଏବେ କେନ୍ଦ୍ର ସରକାରଙ୍କ ଲାଗି ଜାତୀୟ ସୁରକ୍ଷାର ପ୍ରସଙ୍ଗ। ତାହାଙ୍କୁ ଏବେ ଜାତୀୟ ସୁରକ୍ଷା ଆଇନ, ୧୯୮୦ ସାହାଯ୍ୟରେ ବଳପୂର୍ବକ ଅଟକ ରଖାଯାଇଛି। ଏ ରାଜନୀତି ବି ବଡ଼ ବିଚିତ୍ର। ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ଚିହ୍ନବର୍ଣ୍ଣ ଲିଭାଇବା ଲାଗି ପ୍ରୟାସ କରୁଥିବା ଆଜିର କେନ୍ଦ୍ର ସରକାର ସେମାନଙ୍କ ପ୍ରଣୀତ ଆଇନ ସାହାଯ୍ୟରେ ସମଗ୍ର ଲଦାଖବାସୀଙ୍କ ଆନ୍ଦୋଳନକୁ ଅଟକ ରଖିବାର ନିଷ୍ପତ୍ତି ନେଉଛନ୍ତି। ଜଣେ ଅତ୍ୟାଚାରୀ ମନମୁଖୀ ପ୍ରଭୁତ୍ଵ ପରାୟଣ ସରକାର ଅନ୍ୟ ଜଣେ ପ୍ରଭୁତ୍ଵ ପରାୟଣ ସରକାରର ସାହାଯ୍ୟରେ ନିଶ୍ଚୟ ଆସିଥାଏ, ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଲୋକ ଦେଖାଣିଆ।
୧୯୮୦ ମସିହାରେ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ପ୍ରଣୟନ ହେବା ପୂର୍ବରୁ ଦେଶରେ ମିସା (ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ଯୁରିଟି ଆକ୍ଟ ବା ଆଭ୍ୟନ୍ତରୀଣ ସୁରକ୍ଷା ଆଇନ) ଲାଗୁ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏଭଳି ଦମନକାରୀ ଆଇନର ପ୍ରକୃତ ଉପଯୋଗ ଜରୁରୀ କାଳୀନ ପରିସ୍ଥିତି (୧୯୭୫-୭୭) ସମୟରେ କରିଥିଲେ। ଏହାକୁ ବିଜେପି ଅନେକ ଦିନରୁ ‘ଗଣତନ୍ତ୍ରରେ କଳାଦାଗ’ ବୋଲି କହିଆସୁଛି।
ଭାରତୀୟ ଗଣତନ୍ତ୍ରରେ ଅଦ୍ଭୁତ ଷଣ୍ଢ ଲଢ଼େଇ ଚାଲିଛି। ଯେହେତୁ ଇନ୍ଦିରା ଗାନ୍ଧୀ କେତେକ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର କର୍ମୀଙ୍କୁ ‘ମିସା’ ବଳରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଅଟକ ରଖିଥିଲେ ତେଣୁ ଏବର ସରକାର ସେହି ‘ମିସା’ ଅଟକମାନଙ୍କୁ ଦେଶପ୍ରେମୀ ନାମରେ ପୁରସ୍କୃତ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଓଡ଼ିଶା ସରକାର ଅନେକ ମିସାବନ୍ଦୀଙ୍କୁ ଗଲା ବର୍ଷ ଠାରୁ ଭତ୍ତା ମଧ୍ୟ ଦେଉଛନ୍ତି। (କେତେକ ମିସା ବନ୍ଦୀ ସରକାରଙ୍କ ଠାରୁ ପୁରସ୍କାର ନେବାକୁ ମନା କରିଦେଇଛନ୍ତି।) ମୋରାରାଜୀ ଦେଶାଇ ୧୯୭୮ ମସିହାରେ ‘ମିସା’କୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନେଇଥିଲେ।
ଇନ୍ଦିରା ଗାନ୍ଧୀ ପୁନର୍ବାର କ୍ଷମତାକୁ ଆସିବା ପରେ ୧୯୮୦ ମସିହାରେ ନୂତନ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ପ୍ରଣୟନ କରିଥିଲେ। ଏହାକୁ ଏବେ ବିଜେପି ପୁଣି ନିଜର ବିରୋଧୀଙ୍କ ବିପକ୍ଷରେ ବ୍ୟବହାର କରିଛି। ସୋନମ ଏହାର ସଦ୍ୟତମ ଲକ୍ଷ୍ୟ।
ମିସା, ଏନଏସଏ ଭଳି ଅଟକ ଆଇନ ସରକାରଙ୍କୁ ସ୍ଵେଚ୍ଛାଚାରୀ ହେବାର କ୍ଷମତା ଦିଏ। ଏଥିରେ ପ୍ରଥମେ ସରକାର କୌଣସି ବି ନାଗରିକକୁ ବିନା ଅପରାଧରେ ଅଟକ ରଖନ୍ତି ଓ ପରେ କାହିଁକି ରଖିଲେ ତାହାର ରିପୋର୍ଟ ତିଆରି କରନ୍ତି। ଏହା ଦେଶର ପେନାଲ କୋର୍ଡ ମଧ୍ୟରେ ଆସୁନାହିଁ। ତେଣୁ ଏଭଳି ଆଇନ ବଳରେ ଅଟକ ବ୍ୟକ୍ତିଙ୍କ ବିପକ୍ଷରେ କେହି ଏଫଆଇଆର ଦେବା ଆବଶ୍ୟକ ନାହିଁ।
ଏହି ସାଂଘାତିକ ଆଇନକୁ ‘ନା ଜାମିନ ନା ଓକିଲ ନା ଦଲିଲ’ ଆଇନ କୁହାଯାଏ। ଏଥିରେ ନା ଜାମିନ ବ୍ୟବସ୍ଥା ଅଛି ନା ତୁମେ ଓକିଲଙ୍କୁ ନିଯୁକ୍ତ କରିବାର ବ୍ୟବସ୍ଥା ରହିଛି ନା କୌଣସି ଏଫଆଇଆର ଅଛି। ଆଜି କେନ୍ଦ୍ର ସରକାର ସୋନମ ୱାଙ୍ଗଚୁକଙ୍କ ବିପକ୍ଷରେ ଏନଏସଏ ଭଳି ଏକ କଳା ଆଇନକୁ ବ୍ୟବହାର କରି ଜେଲକୁ ପଠାଇଛନ୍ତି କାରଣ ତାଙ୍କ ବିପକ୍ଷରେ କୌଣସି ଅପରାଧିକ କାର୍ଯ୍ୟର ଠୋସ ପ୍ରମାଣ ମିଳିପାରିଲା ନାହିଁ। ଯଦି ବି ଦଣ୍ଡବିଧି ଆଇନ ଦ୍ଵାରା ଗିରଫ କରାଯାଏ ତେବେ ସେଭଳି ମାମଲାରେ ତଳ କୋର୍ଟରେ ଜାମିନ ପାଇବାର ସମ୍ଭାବନା ରହିଥିବା ହେତୁ ସରକାରମାନେ ନିଜର ବିରୋଧୀଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏନଏସଏର ବ୍ୟବହାର କରିଥାନ୍ତି। ଅତୀତରେ କଂଗ୍ରେସ ସରକାର ଅନେକ ବାର ଏଭଳି ଅତ୍ୟାଚାର କରିଛନ୍ତି। ଏବେ ବିଜେପି ସରକାର ସେହି କାର୍ଯ୍ୟ କରୁଛନ୍ତି।
ଲଦାଖବାସୀଙ୍କୁ ୨୦୨୦ ମସିହାର ସ୍ଥାନୀୟ କାଉନସିଲ ନିର୍ବାଚନ ସମୟରେ ବିଜେପି ସରକାର ଲଦାଖକୁ ସଂପୂର୍ଣ୍ଣ ରାଜ୍ୟପାହ୍ୟା ଦେବା ଲାଗି ଓ ଏହାକୁ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ସାମିଲ କରିବାର ପ୍ରତିଶୃତି ଦେଇଥିଲେ। ସେ ସମୟରେ ଲିଖିତ ଘୋଷଣାପତ୍ରର ପ୍ରଥମ ପ୍ରତିଶୃତିରେ ଏହି ଘୋଷଣା ଉଲ୍ଲେଖ ରହିଛି। ତାହାହେଲେ ବିଜେପି ଉପରେ କ’ଣ ଚାପ ରହିଥାଇପାରେ ଯେଉଁଥି ଲାଗି ଲାଦାଖବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ଦଳ ପାଳନ କରୁନାହିଁ, ବରଂ ଏହାର ନେତାଙ୍କୁ ‘ଦେଶଲାଗି ବିପଦ’ ଘୋଷଣା କରୁଛି?
ଲଦାଖରେ ରହିଛି ଅମାପ ଖଣିଜ ସମ୍ପଦ। ଏ ମଧ୍ୟରୁ ଲିଥିୟମ ଅନ୍ୟତମ। ଗାଡ଼ିର ବ୍ୟାଟେରୀ ଲାଗି ଲିଥିୟମ ଆବଶ୍ୟକ ପଦାର୍ଥ। ଏବେ ଆଦାନୀ ଆମକୁ ବ୍ୟାଟେରୀ ଚାଳିତ ଗାଡ଼ି ଯୋଗାଇବାର ଜାତୀୟ ଆବଶ୍ୟକତାକୁ ପୂରଣ କରୁଛନ୍ତି। ଅବଶ୍ୟ ଏଥିଲାଗି ଆମକୁ ଲକ୍ଷାଧିକ ଟଙ୍କା ଦେବାକୁ ପଡୁଛି। କିନ୍ତୁ ଏହା ବ୍ୟବସାୟ ନୁହେଁ। ସରକାରଙ୍କ ଦୃଷ୍ଟିରେ ଏହା ବିକାଶ। ଏତଦବ୍ୟତୀତ, ଲାଦଖରେ ଏକ ସୋଲାର ପାୱାର ପ୍ରକଳ୍ପ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ଯୋଜନା କରିସାରିଛନ୍ତି। ଦେଶରେ ସୋଲାର ପାୱାର ପ୍ରକଳ୍ପର ଏକଚାଟିଆ ବ୍ୟବସାୟ ୨୦୧୯ ମସିହାରୁ ଆଦାନୀ ହାତରେ ରହିଛି।
ଲିଥିୟମ ଓ ସୋଲାର ପାୱାର ପ୍ରକଳ୍ପ ହିଁ ବିକାଶ। ଅଦାନୀ ହିଁ ବିକାଶ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହିଁ ବିକାଶ। ଏଥିଲାଗି ସୋନମଙ୍କ ଅଟକ ଜରୁରୀ, କାରଣ ଏଥିରେ ହିଁ ଲଦାଖବାସୀଙ୍କ ବିକାଶ, ଦେଶର ବିକାଶ। ଯଦି ଲଦାଖକୁ ସଂପୂର୍ଣ୍ଣ ରାଜ୍ୟ ପାହ୍ୟା ମିଳୁଛି ତେବେ ଅଦାନୀ ପ୍ରକଳ୍ପ ଲାଗି ରାଜ୍ୟ ସରକାରଙ୍କ ମଞ୍ଜୁରୀ ଜରୁରୀ ହୋଇଯିବ। ଯଦି ଏହି ଅଞ୍ଚଳ ସମ୍ବିଧାନର ଷଷ୍ଠ ଅନୁସୂଚୀତ ସୂଚୀରେ ସାମିଲ ହେଉଛି ତେବେ ଗ୍ରାମସଭାର ଅନୁମତି ପ୍ରତ୍ୟେକ ପ୍ରକଳ୍ପ ଲାଗି ଜରୁରୀ ହୋଇଯିବ। ଆଦାନି ଲାଗି ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହଜ ହେବ ନାହିଁ ଯଦି ଲଦାଖକୁ ରାଜ୍ୟ ପାହ୍ୟା ଓ ଷଷ୍ଠ ସୂଚୀରେ ସାମିଲ କରାଯାଉଛି। କେନ୍ଦ୍ର ସରକାର ଲଦାଖ ଉପରେ ନିଜର କର୍ତ୍ତୃତ୍ଵ ହରାଇବେ। ସେଥିଲାଗି ଲୋକଙ୍କ ଦାବିକୁ ପୂରଣ କରିବାରେ ବିଳମ୍ବ କରାଯାଉଛି।
ଲଦାଖବାସୀ ଗଲା ଚାରିବର୍ଷ ହେଲା ବିଭିନ୍ନ ଭାବରେ ଅହିଂସାର ରାସ୍ତାରେ ନିଜର ଦାବି କେନ୍ଦ୍ର ସରକାରଙ୍କ ନିକଟରେ ରଖିଆସୁଛନ୍ତି। ହଁ, ଦିନେ ଛତିଶଗଡ଼ ବସ୍ତର ଓ ମହାରାଷ୍ଟ୍ରର ଗଡ଼ଚିରୋଲି ଅଞ୍ଚଳରେ ମାଓବାଦୀଙ୍କୁ ‘ସମାପ୍ତ’ କରିବାର ଆହ୍ଵାନ ଦେବା ସମୟରେ କେନ୍ଦ୍ର ସରକାର କହିଥିଲେ, ‘ହିଂସାର ରାସ୍ତା ନୁହେଁ ଅହିଂସାର ରାସ୍ତାରେ ଲୋକେ ନିଜର ଦାବି ଉପସ୍ଥାପନ କରନ୍ତୁ। ତାହାହେଲେ ସେମାନଙ୍କ ଦାବିକୁ ନିଶ୍ଚୟ ଶୁଣାଯିବ।’ ଏହା ଠିକ ନିର୍ବାଚନୀ ‘ଜୁମୁଲା’ ଭଳି କିଛି ମିଥ୍ୟା ଆଶ୍ଵାସନା ଥିଲା। ଆଜି ସୋନମଙ୍କ ଅହିଂସା ଓ ଅନଶନର ରାସ୍ତାକୁ ମଧ୍ୟ କେନ୍ଦ୍ର ସରକାର ବରଦାସ୍ତ କରୁନାହାନ୍ତି।
ଗଲା ଚାରି ବର୍ଷ ମଧ୍ୟରେ ସୋନମ କିନ୍ତୁ କେବେ ବିଜେପିର ହାତ ଛାଡ଼ିନଥିଲେ। ଅନ୍ତତଃ ଏଥର ଅନଶନରେ ବସିବା ପୂର୍ବ ପର୍ଯ୍ୟନ୍ତ। ସେ ‘ଆଶାବାଦୀ’ ଥିଲେ ଯେ ବିଜେପି ନିଶ୍ଚିତ ରୂପେ ଲଦାଖବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିବ। ଆଦାନୀ ସହ ଫେବିକ୍ୱିକର ଯୋଡ଼କୁ ସେ ଭୁଲିଯାଇଥିଲେ। ଲଦାଖବାସୀ ନିଜର ନେତାଙ୍କୁ ସମ୍ଭବତଃ କେବେ ପ୍ରଶ୍ନ କରିନଥିଲେ।
ପ୍ରିୟ ଲଦାଖବାସୀଙ୍କ ଲାଗି ବିକାଶର ରାସ୍ତା ଗୋଟିଏ। ସେମାନେ କେନ୍ଦ୍ର ସରକାରଙ୍କ ଆଦାନୀ ମନ୍ତ୍ରକୁ ପ୍ରାତ୍ୟାଖାନ କରି ଲଦାଖର ପୂର୍ଣ୍ଣ ରାଜ୍ୟ ପାହ୍ୟା ଦାବିରେ ଦୃଢ଼ ରହିଛନ୍ତି। ଗଣତନ୍ତ୍ର କଦାପି କର୍ପୋରେଟ ତନ୍ତ୍ର ନୁହେଁ ଏହା ଗଣଙ୍କ ତନ୍ତ୍ର। ବହୁମତର ସୁରକ୍ଷା ଗଣତନ୍ତ୍ରର ମୂଳ ମନ୍ତ୍ର। ହେଲେ ସତରେ ପୁନର୍ଜନ୍ମ ଯଦି କିଛି ଅଛି ତେବେ କେନ୍ଦ୍ର ସରକାରଙ୍କୁ ଆଦାନୀ ମନ୍ତ୍ର ଛାଡ଼ିବା ଲାଗି ଆଉ ଏକ ଜନ୍ମ ଲାଗିଯିବ।
ମୋବାଇଲ - ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/08/sonam-wangchuk-2025-10-08-11-25-12.jpg)