/odisha-reporter/media/media_files/2025/12/22/food-waste-2025-12-22-13-47-30.jpg)
Wasted Food Photograph: (Internet)
ଜାନକୀଶ ବଡ଼ପଣ୍ଡା
ଭାରତରେ କ୍ଷୁଧାକୁ ଏକ ଅର୍ଥନୈତିକ କିମ୍ବା ଗ୍ରାମୀଣ ସମସ୍ୟା ଭାବେ ଚିତ୍ରଣ ନକରି ମାନବିକ ସଙ୍କଟ କହିଲେ ଅଧିକ ପ୍ରସଙ୍ଗିକ ହେବ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ସଙ୍କଟକୁ ସାମ୍ନା କରନ୍ତି। ଆମେ ପ୍ରଯୁକ୍ତି ଜ୍ଞାନକୌଶଳ ଏବଂ ବିକାଶ କ୍ଷେତ୍ରରେ ଅନେକ କୀର୍ତ୍ତିମାନ ହାସଲ କରିଥିଲେ ହେଁ ଜନସଂଖ୍ୟର ବିରାଟ ଅଂଶ ଆଜି ବି ମୌଳିକ ପୁଷ୍ଟିସାଧନ ଠାରୁ ଅପହଞ୍ଚ ଦୂରତାରେ ରହିବାକୁ ବାଧ୍ୟ ହୋଇଛନ୍ତି, ଏହା ଦିବାଲୋକ ପରି ସ୍ପଷ୍ଟ।
ବିଶ୍ଵ କ୍ଷୁଧା ସୁଚକାଙ୍କ ଅନୁସାରେ ୧୨୫ଟି ଦେଶ ମଧ୍ୟରେ ଭାରତ ୧୧୧ତମ ସ୍ଥାନରେ ଏବଂ କ୍ଷୁଧାସ୍ତର ଗମ୍ଭୀର ରହିଛି। ଦେଶର ୨୨ କୋଟି ୪୦ ଲକ୍ଷ ଲୋକ ଅପପୁଷ୍ଟି କବଳରେ ଅଛନ୍ତି। ପ୍ରାୟ ୩୫.୫ ପ୍ରତିଶତ ଶିଶୁ ଅପପୁଷ୍ଟିର ଶିକାର ଓ ୬୭ ପ୍ରତିଶତ ଶିଶୁ ରକ୍ତହୀନତା ରୋଗରେ ପୀଡ଼ିତ। ୨୦ କୋଟି ଲୋକ ରାତିରେ ଉପାସରେ ଶୋଉଛନ୍ତି। ଏ ସମସ୍ତ ପରିସଂଖ୍ୟାନରୁ ଗୋଟିଏ କଥା ସ୍ପଷ୍ଟ ଯେ, ଖାଦ୍ୟ ଉପଲବ୍ଧି, ସଚେତନତା ଏବଂ ବଣ୍ଟନ ବ୍ୟବସ୍ଥା ଭୁଷୁଡି ଯାଇଛି। ଆମେ ସବୁଜ, ଶ୍ୱେତ ଏବଂ ନୀଳ ବିପ୍ଲବରେ ଅପାର ସଫଲତା ହାସଲ କରିଥିଲେ ବି ଦେଶର ଏତେ ଲୋକ କ୍ଷୁଧାର ଶିକାର ହେଉଛନ୍ତି କାହିଁକି?
ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବିଶେଷ ଶ୍ରମ କରିବାକୁ ପଡ଼ିବନି। ଆଜି ବି ଉତ୍କଟ ଦାରିଦ୍ର୍ୟ ରହିଛି ଓ ଲୋକଙ୍କୁ ନିଯୁକ୍ତିସୁଯୋଗ ମିଳୁନଥିବାରୁ ପିତାମାତାହୀନ ପରିତ୍ୟକ୍ତ ଶିଶୁ ଓ ଦରିଦ୍ର ପରିବାରର ସନ୍ତାନ ସନ୍ତତି କ୍ଷୁଧା ଓ ଅପପୁଷ୍ଟିଗ୍ରସ୍ତ। ଆମ ଦେଶରେ ପ୍ରାୟ ୩ କୋଟି ପରିତ୍ୟକ୍ତ ଶିଶୁ ରହିଛନ୍ତି। କ୍ଷୁଧିତ ଶିଶୁଙ୍କ ଶାରୀରିକ, ମାନସିକ ଅଭିବୃଦ୍ଧି ହୋଇପାରେନା ଏବଂ ସେମାନଙ୍କ ବିଦ୍ୟାଳୟ ଶିକ୍ଷା ତଥା ସାମଗ୍ରିକ ସୁସ୍ଥ ନାଗରିକତ୍ୱ ବାଧାପ୍ରାପ୍ତ ହୁଏ।
ଖାଦ୍ୟାଭାବ କାରଣରୁ ଯେ କ୍ଷୁଧା ରହିବ, ଏହା ଏକ ଭ୍ରାନ୍ତି। ସାମାଜିକ, ଅର୍ଥନୈତିକ ଏବଂ ଭିତ୍ତିଭୂମି ସମସ୍ୟାରୁ ଏହା ସୃଷ୍ଟି ହୋଇଥାଏ। ଗରିବୀ ରହିଲେ, ଅତ୍ୟାବଶ୍ୟକ ରୋଜଗାର କମିଗଲେ, ଲୋକମାନଙ୍କ ସର୍ବନିମ୍ନ ପୁଷ୍ଟିକର ଖାଦ୍ୟ କ୍ରୟଶକ୍ତି କମିଯାଏ ଓ ସେମାନେ ଗଣ୍ଡେ ଖାଇବା ପାଇଁ ସୂର୍ଯ୍ୟ ଉଦୟରୁ ଅସ୍ତ ହେବା ଯାଏଁ ଜୀବନ ସଂଗ୍ରାମ କରନ୍ତି। ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁସାରେ ଭାରତର ଅନେକ ଲୋକଙ୍କ ଦୈନିକ ରୋଜଗାର ଶହେ ଟଙ୍କାରୁ ବି କମ୍।
ଓଡ଼ିଶାର ଚାଷୀ ପରିବାର ମାସିକ ରୋଜଗାର ମାତ୍ରା ୫,୧୧୨ ଟଙ୍କା। ଗରିବୀ ଓ ବେରୋଜଗାରୀ ପରେ ଖାଦ୍ୟ ଅପଚୟ ଓ ଅସମ ବଣ୍ଟନ କାରଣରୁ ଭାରତରେ କ୍ଷୁଧା ରହି ଆସିଛି। ଆମେ ପ୍ରତିବର୍ଷ ଯେତିକି ଖାଦ୍ୟ ଉତ୍ପାଦନ କରୁଛେ, ତାହାର ୪୦ ପ୍ରତିଶତ ନଷ୍ଟ କରୁଛେ। ଏଥିରେ ସାମିଲ ରହିଛି ସାଇତିକରି ରଖିପାରୁନଥିବା ନାନାଦି ଖାଦ୍ୟଶସ୍ୟ, ଫଳ, ପନିପରିବା ଇତ୍ୟାଦି। ଯେଉଁଠାରେ ବି ଖାଦ୍ୟ ଉପଲବ୍ଧ ରହିଛି, ପୁଷ୍ଟିଅଜ୍ଞତା କାରଣରୁ ଲୋକମାନେ ଅପପୁଷ୍ଟ ରହୁଛନ୍ତି। ଅନେକେ ପୁଷ୍ଟିହୀନ ଅଥଚ ଅଧିକ କ୍ୟାଲୋରି ଥିବା ଖାଦ୍ୟ ଖାଉଥିବାରୁ ଶିଶୁଙ୍କ ସ୍ୱଳ୍ପ ଶାରୀରିକ ଅଭିବୃଦ୍ଧି, ଓଜନ ହ୍ରାସ ଓ ରକ୍ତହୀନତା ଦେଖିବାକୁ ମିଳୁଛି।
ପାଠକଙ୍କ ମନେ ଥାଇପାରେ ଯେ, କିଛିଦିନ ତଳେ ଭୁବନେଶ୍ୱର ମହାନଗର ନିଗମ ନିଷ୍ପତ୍ତି ନେଇଥିଲେ ଯେ, ଭୋଜିଭାତ ଓ ହୋଟେଲ ମାନଙ୍କରେ ଯେଉଁସବୁ ଖାଦ୍ୟ ବଳକା ହୋଇ ନଷ୍ଟ ହେଉଛି, ସେସବୁକୁ ସେମାନେ ନଫିଙ୍ଗି କିଛି ପଞ୍ଜିକୃତ ଘୁଷୁରୀ ପାଳକଙ୍କୁ ଦେବେ, ଯାହା ସେମାନେ ଫାର୍ମରେ ଘୁଷୁରୀଖାଦ୍ୟ ରୂପେ ବ୍ୟବହାର କରିବେ। ଏଥିରୁ ନିଗମ ଉପରେ ଓଦା-ଆବର୍ଜନା ପରିଚାଳନାଗତ ଚାପ କମିବା ସହିତ ନଷ୍ଟ ହେଉଥିବା ରନ୍ଧାଖାଦ୍ୟର ଉପଯୋଗ ହେବ। ଏପରି ପ୍ରୟାସ ସାଧାରଣ ମନେ ହେଉଥିଲେ ବି ବାସ୍ତବରେ ଦୂରଦୃଷ୍ଟି ସମ୍ପନ୍ନ ବୋଲି କହିହେବ। ଏହା ଆମକୁ ବଳକା ହୋଇ ରହୁଥିବା ରନ୍ଧାଖାଦ୍ୟର ସଦୁପଯୋଗ ବିଷୟରେ ସଚେତନ କରିପାରିଛି। ଆମ ଦେଶରେ ରନ୍ଧାଖାଦ୍ୟ ନଷ୍ଟ କଲେ ଦଣ୍ଡ ବ୍ୟବସ୍ଥା ଓ ସେହିଭଳି ଆଇନ ନଥିବାରୁ ଆମେ ସମସ୍ତେ କିଛି କିଛି ଖାଦ୍ୟ ନଷ୍ଟ କରିବାକୁ ଅଭ୍ୟାସରେ ପରିଣତ କରି ସାରିଛେ। ଯଦିଓ ଉଭୟ ସରକାର ଏବଂ ଅଦାଲତଗୁଡ଼ିକ ଖାଦ୍ୟ ଅପଚୟ କମାଇବା ଏବଂ ଆଇନ ପ୍ରଣୟନ କରିବାକୁ ପଦକ୍ଷେପ ନେବାକୁ ଚାହିଁଛନ୍ତି, ତଥାପି କେବଳ ସଚେତନତା ବୃଦ୍ଧି କରିବା ଉପରେ ଜୋର ଦିଆ ଯାଉଛି ସିନା, କ୍ୟାଟେରିଂ ସଂସ୍ଥା, ହୋଟେଲ୍ ଏବଂ ବାହାଘର କରୁଥିବା କର୍ତ୍ତାଙ୍କ ଉପରେ ଆଇନଗତ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛନ୍ତି।
ପୁଣେ ସହରରେ ଗୋଟିଏ ରେସ୍ତାରୋଁର ମଜାଦାର ବିଜ୍ଞାପନ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇ ଯେତିକି ପ୍ରଶଂସା ପାଉଛି, ସେତିକି ପ୍ରେରଣା ମଧ୍ୟ ଦେଉଛି। ଗ୍ରାହକମାନେ ଯେପରି ରନ୍ଧାଖାଦ୍ୟ ନଷ୍ଟ ନକରିବେ ସେଥିପାଇଁ ରେସ୍ତାରୋଁ ମାଲିକ ଗୋଟିଏ ନିୟମ କରିଛନ୍ତି- ଥାଳିରେ ଅଇଁଠା ଖାଦ୍ୟ ଛାଡ଼ିଲେ, ଗ୍ରାହକଙ୍କୁ ଜରିମାନା ଦେବାକୁ ପଡ଼ିବ ୨୦ ଟଙ୍କା। ଅର୍ଥାତ୍, ରନ୍ଧାଖାଦ୍ୟ ନଷ୍ଟ କରନି, ଯେତିକି ଖାଇବ, ସେତିକି ନିଅ! ବଡ଼ ବଡ଼ ହୋଟେଲ୍ ଓ ରେସ୍ତାରୋଁ ମାନଙ୍କରେ ବ୍ୟବସ୍ଥା ଥାଏ ଯେ, ଗ୍ରାହକ ଚାହିଁଲେ, ସେମାନେ ଯେଉଁ ଖାଦ୍ୟ ଖାଇ ପାରିନଥାନ୍ତି, ତାହାକୁ ସାଥିରେ ଘରକୁ ନେଇଯାଇ ପାରିବେ। ଗୋଟିଏ ଗୁଳିରେ ଦୁଇ ଶିକାର- ଖାଦ୍ୟ ଅପଚୟ ଓ ଆବର୍ଜନା ପରିଚାଳନାରୁ ମୁକ୍ତି।
କିଛି ଦେଶରେ ରନ୍ଧାଖାଦ୍ୟ ନଷ୍ଟକରିବା ଦଣ୍ଡନୀୟ ଅପରାଧ। ଫ୍ରାନ୍ସରେ ଏହି ଧରଣର ଅପରାଧ ପାଇଁ ଅର୍ଥଦଣ୍ଡ କିମ୍ବା ଜେଲ୍ ଯିବାକୁ ପଡ଼େ। ଇଟାଲୀରେ ଏଭଳି ଅପରାଧ କରିନଥିବା ନାଗରିକଙ୍କୁ ଟିକସ ରିହାତି ମିଳେ। ଆମେରିକାର କାଲିଫର୍ଣ୍ଣିଆରେ, ଜର୍ମାନୀ ଏବଂ ଚୀନରେ ଖାଦ୍ୟ ଅପଚୟ କଲେ ଦଣ୍ଡ ଦେବାକୁ ଆଇନ ହୋଇଛି। ଆମ ଦେଶରେ ଆଜିଯାଏଁ ଦଣ୍ଡଦେବାର ବ୍ୟବସ୍ଥା ହୋଇନଥିଲେ ବି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ) ପକ୍ଷରୁ ଉତ୍ସବ ଓ ରେସ୍ତାରୋଁରେ ଖାଦ୍ୟ ଅପଚୟ ରୋକିବାକୁ ନୀତି ଏବଂ ଅର୍ଥଦଣ୍ଡ ବିଷୟରେ କେବଳ ପର୍ଯ୍ୟାଲୋଚନା ଚାଲିଛି। ତଥାପି, ପ୍ରଚଳିତ ଏଫ୍.ଏସ୍.ଏସ୍.ଏ.ଆଇ ଆଇନ ମାଧ୍ୟମରେ ନିରାପଦ ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇ ପାରନ୍ତା, ଯାହା କରାଯାଉନାହିଁ। ପାର୍ଲାମେଣ୍ଟରେ ତିନିଟି ଘରୋଇ ବିଲ୍ ଖାଦ୍ୟ ଅପଚୟ ହ୍ରାସ ପାଇଁ ୨୦୨୦ରୁ ୨୦୨୨ ମଧ୍ୟରେ ଆଗତ କରାଯାଇଥିଲେ ବି ପାରିତ ହୋଇନାହିଁ। ସରକାର ଏହା ଉପରେ ଗଭୀର ଭାବରେ ଚିନ୍ତା କରିବାର ଆବଶ୍ୟକତା ରହିଛି।
ଏହି ଖାଦ୍ୟ ଅପଚୟ ପ୍ରସଙ୍ଗରେ ଓଡିଶା ଖାଦ୍ୟ ସୁରକ୍ଷା କମିଶନ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ରାଜ୍ୟର ନୂଆ ସରକାର ବର୍ତ୍ତମାନ ଏହା ଉପରେ ବିଚାର କରିବା ପ୍ରାସଙ୍ଗିକ ମନେହୁଏ। ଖାଦ୍ୟ ଅପଚୟ ନିରାକରଣ ପାଇଁ ଖାଦ୍ୟ ପ୍ରସ୍ତୁତ ଓ ପରିବେଷଣ କରୁଥିବା ସଂସ୍ଥା, ନୀତି ପ୍ରଣେତା, ପରିଚାରକ ଓ ନିମନ୍ତ୍ରିତ ଅତିଥି- ସଭିଏଁ ସଚେତନ ହେବା ଆବଶ୍ୟକ। ଖାଦ୍ୟ ଅପଚୟ ହ୍ରାସ ପରିବେଶ ସୁରକ୍ଷା ସହିତ ଦେଶରେ କ୍ଷୁଧା ନିବାରଣ ପାଇଁ ସହାୟକ ହୋଇପାରିବ।
ଏବେ ବାହାଘର ଋତୁ ଚାଲିଛି। ବିବାହ ମଣ୍ଡପ, ବଡ଼ବଡ଼ ହୋଟେଲ, ପାର୍କ, ଖୋଲା ପଡ଼ିଆ ଓ ରାସ୍ତା ଉପରେ ଏହିସବୁ ସାମାଜିକ ଅନୁଷ୍ଠାନ ସହିତ ନିମନ୍ତ୍ରିତ ଅତିଥିଙ୍କୁ ଭୁରିଭୋଜନରେ ଆପ୍ୟାୟିତ କରାଯାଉଛି। ସହରାଞ୍ଚଳରେ ବହୁ ଜାକଜମକରେ ରିଂ ସେରେମନି, ବାହାଘର, ଜନ୍ମଦିନ; ଏପରିକି ବାରପତ୍ର ଭୋଜି ହେଉଛି। ସରକାର ଓ ଘରୋଇ ସଂସ୍ଥା କନଫରେନ୍ସ, କନକ୍ଲେଭ୍ ଇତ୍ୟାଦି ହୋଟେଲରେ ଆୟୋଜନ କରୁଛନ୍ତି। ରାଜନୈତିକ ସଭା ଓ ସମାବେଶ ପାଇଁ ଭୋଜି ହେଉଛି। ଆଶା ଅନୁରୂପ କର୍ମୀ ଓ ଦର୍ଶକ ନ ଆସିଲେ ରନ୍ଧାଖାଦ୍ୟ ଖାତ ଖୋଳି ଗଦା କରିଦିଆଯାଉଛି। ସେସବୁ ସଂକ୍ରମିତ ଖାଦ୍ୟ ଖାଇ ବୁଲା ଗାଈଗୋରୁ ମୃତ୍ୟୁବରଣ କରୁଥିବାର ଖବର ଆସୁଛି। ଥିଲାବାଲାଙ୍କ ଆଡ଼ମ୍ବରପୂର୍ଣ୍ଣ ଭୋଜିଭାତ ଦେଖିଲା ପରେ ଆପଣା ମହତ ରଖିବାକୁ ନଥିଲାବାଲା ବି ଖର୍ଚ୍ଚାନ୍ତ ହୋଇ ପାରମ୍ପରିକ ଭୋଜି ବଦଳରେ ବଫେ ଭୋଜି ବନ୍ଦୋବସ୍ତ କରୁଛନ୍ତି। କେତେ ଯେ ଖାଦ୍ୟ ଅପଚୟ ହେଉଛି ତାର ହିସାବ ନାହିଁ।
ପୁଷ୍ଟିତତ୍ତ୍ୱ ବିଜ୍ଞାନୀ କହନ୍ତି ଯେ, ଜଣେ ବୟସ୍କ ଦିନକୁ ୨୦-୩୦ ଗ୍ରାମ ତେଲ (୪-୬ ଚାମଚ) ଖାଇବା କଥା। କିନ୍ତୁ ଭୋଜିଭାତରେ ଆମେ ହାରାହାରି ତିନିଗୁଣ ତେଲ ଖାଇଥାଉ। ଯେତେ ଅଧିକ ପ୍ରକାର ତରକାରୀ, ସେତେ ଅଧିକ ଲୁଣ ଓ ତେଲ। ଏସବୁ ଆମ ଶରୀର ପାଇଁ କ୍ଷତିକାରକ, ପୁଣି ଖାଦ୍ୟ ନଷ୍ଟ। ଦାରିଦ୍ର୍ୟ ଦୂର ନହେବାର ଏହା ମଧ୍ୟ ଏକ ପ୍ରମୁଖ କାରଣ। ଆମ ଦେଶରେ ଏପରି ସାମାଜିକ ଉତ୍ସବରେ ସାଧାରଣତଃ ୧୦-୨୦ ପ୍ରତିଶତ ଏବଂ ସ୍ଥଳ ବିଶେଷରେ ୩୦-୪୦ ପ୍ରତିଶତ ଖାଦ୍ୟ ଅପଚୟ ହୁଏ। ଏହାର ମୂଲ୍ୟ ବାର୍ଷିକ ପ୍ରାୟ ୯୨ ହଜାର କୋଟି ଟଙ୍କା।
ଖାଦ୍ୟ ଅପଚୟ ହେବା ଦ୍ୱାରା ଖାଦ୍ୟ ଉତ୍ପାଦନ ପାଇଁ ବ୍ୟୟ ହୋଇଥିବା ବିହନ, ସାର , ପାଣି ଓ ଶ୍ରମ ମଧ୍ୟ ଅପଚୟ ହୋଇଥାଏ। କୃଷି ଉତ୍ପାଦନ ବଢ଼ାଇବାକୁ ଅତ୍ୟଧିକ ଚାପ ସୃଷ୍ଟି ହେବା ଫଳରେ କୀଟନାଶକ ଓ ରାସାୟନିକ ସାର ବ୍ୟବହାର କରାଯାଏ। ଜଳବାୟୁ ପରିବର୍ତ୍ତନର ମଧ୍ୟ ଏହା ଏକ କାରଣ। ଅପଚୟ ଖାଦ୍ୟ ଯୋଗୁ ପ୍ରାୟ ୧୦ ପ୍ରତିଶତ ସବୁଜ ଗୃହ ବାଷ୍ପ ବାୟୁମଣ୍ଡଳକୁ ନିର୍ଗତ ହୁଏ।
ଏପରି ଏକ ଗମ୍ଭୀର ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଆମେ ବଳକା ଖାଦ୍ୟକୁ ଜୀବାଣୁମୁକ୍ତ ପରିବେଶରେ ସାଇତି ରଖି କୌଣସି ବେସରକାରୀ ସଙ୍ଗଠନ କିମ୍ବା ଜରାଶ୍ରମକୁ ଦେଇପାରିବା। ବଳକା ଖାଦ୍ୟକୁ ଖାଦ୍ୟବ୍ୟାଙ୍କ କିମ୍ବା ଆହାର କେନ୍ଦ୍ରରେ ମହଜୁଦ କରି ରଖିଲେ ଗରିବ ଲୋକେ ଉପକୃତ ହେବେ। ସରକାରୀ ସ୍ତରରେ ମଧ୍ୟ ଖାଦ୍ୟ ଅପଚୟ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ଆଇନ୍ ଆସିବା ଆବଶ୍ୟକ।
କେଇ ସପ୍ତାହ ତଳେ ଅନୁଷ୍ଠିତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ବାହାଘର ଉତ୍ସବରେ ମାତ୍ର ୬୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଆମ ଦେଶର ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କନ୍ୟାଙ୍କ ବିବାହ ଉତ୍ସବ କୌଣସି ହୋଟେଲ କିମ୍ବା ପଡ଼ିଆରେ ନକରି ସେ ନିଜ ଘରେ ସମ୍ପନ୍ନ କରିଥିଲେ। ଏଥିରେ କେବଳ ବର ଓ କନ୍ୟା ପକ୍ଷର ନିକଟ ସମ୍ପର୍କୀୟଙ୍କ ବ୍ୟତିତ କୌଣସି ରାଜନୈତିକ ବ୍ୟକ୍ତି ଯୋଗ ଦେଇନଥିଲେ। ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ବାହାଘରମାନଙ୍କରେ ବରଯାତ୍ରୀ ସଂଖ୍ୟା ମାତ୍ର ୨୫ ଜଣରେ ସୀମିତ କରିବାକୁ ପ୍ରୟାସ କରିଥିଲେ। ଅଥଚ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆରେ ହଜାର ହଜାର ଲୋକଙ୍କୁ ନିମନ୍ତ୍ରଣ କରି ନିଜ ପୁଅର ବାହାଘର ଭୋଜି ଦେଇଥିଲେ, ଯାହାକୁ ବଳିଗଲେ ଜଣେ ସାଂସଦ, ଯେ ନିଜ ଝିଅଜ୍ୱାଇଁଙ୍କୁ ଶୁଭେଚ୍ଛା ଦେବାକୁ ରେକର୍ଡ଼ ସଂଖ୍ୟକ ଲୋକଙ୍କୁ ନିମନ୍ତ୍ରଣ କରି ଭୁରି ଭୋଜନ ଦେଇଥିଲେ।
ଏଭଳି ଅନାବଶ୍ୟକ ଭୋଜିଭାତ କେବଳ ଏକ ସାମାଜିକ କଳଙ୍କ ନୁହେଁ, ବରଂ ଅନ୍ୟମାନଙ୍କୁ ସେମାନଙ୍କ ପଦାଙ୍କ ଅନୁସରଣ କରିବାକୁ ପ୍ରଛନ୍ନ ପ୍ରୋତ୍ସାହନ। ଯେଉଁ ଦେଶରେ ୨୦ କୋଟି ଲୋକ ରାତିରେ ଉପାସରେ ଶୋଉଛନ୍ତି, ସେ ଦେଶର ନିର୍ବାଚିତ ପ୍ରତିନିଧିମାନେ ଯେ ଖାଦ୍ୟ ଅପଚୟ ରୋକିବାକୁ ଆଇନ ପ୍ରଣୟନ କରିବେ, ତାହା ଅସମ୍ଭବ ମନେ ହେଉଛି। ଏଭଳି ସ୍ଥିତିରେ ୨୦୩୬ ବେଳକୁ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ଭାରତ ବିକଶିତ ହେବ, ତାହା ଏକ ଦିବାସ୍ୱପ୍ନ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
