Advertisment

ବିକଶିତ ଓଡ଼ିଶା: ଚିନ୍ତା ଗୋଟେ ଆଡ଼େ, କାର୍ଯ୍ୟ ଅନ୍ୟ ଆଡ଼େ

ସେମାନେ ସମସ୍ତେ ମନେରଖିବା ଉଚିତ୍‍ ଯେ, ଏ ସମସ୍ତ ପଦାର୍ଥ ପୁନଃ ପୁନଃ ଉତ୍ତୋଳନ ହେବାର ସୁଯୋଗ ନାହିଁ। ଅବିଚାରିତ ଭାବେ ଏସବୁର ଉତ୍ତୋଳନ ଓ ବ୍ୟବହାର କରିଚାଲିଲେ ଖୁବ୍‍ଶୀଘ୍ର ଏହା ସରିଯିବ।

Developing Odisha

Developing Odisha

Advertisment

ପଞ୍ଚାନନ କାନୁନଗୋ

ସଂପ୍ରତି ରାଜ୍ୟରେ ରାଜନୈତିକ ସ୍ତରରେ ହେଉ ବା ବିଭିନ୍ନ ଚର୍ଚ୍ଚାମୂଳକ କାର୍ଯ୍ୟକ୍ରମରେ ହେଉ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବଡ଼ ଆଲୋଚନା ହେବାରେ ଲାଗିଛି। ଏପରି ସମୟ ସ୍ଥିର କରିବାର ଉଦ୍ଦେଶ୍ୟ ହେଉଛି ଓଡ଼ିଶା ୧୯୩୬ ମସିହାରେ ଏକ ଭୌଗୋଳିକ ସ୍ଥିତିକୁ ନେଇ ଜନ୍ମ ନେଇଥିଲା ଓ ଏହାର ୧୦୦ ବର୍ଷ ପୂର୍ତ୍ତି ୨୦୩୬ ମସିହାରେ ପଡୁଛି। ଶତାୟୁ ଓଡ଼ିଶାକୁ ଏକ ବିକଶିତ ଓଡ଼ିଶାରେ ପରିଣତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ପ୍ରତ୍ୟୟ ହୁଏ। ଗତ ବର୍ଷମାନଙ୍କ ଭିତରେ ରାଜ୍ୟଟି ଯେ, ଖରାପ ସ୍ଥିତିରୁ ଭଲ ଆଡ଼କୁ ଗତି ନକରିଛି ତା’ ନୁହେଁ; ଖାଦ୍ୟାଭାବ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଅନେକ ପ୍ରକାର ସମସ୍ୟା ଦୂର ହୋଇପାରିଛି। ରାଜ୍ୟର ଆର୍ଥିକ ସ୍ଥିତି ଖୁବ୍‍ ଖରାପ ଅବସ୍ଥାରୁ ସୁଧୁରି ସବଳ ସ୍ଥିତିକୁ ଆସିଛି।

Advertisment

୧୯୩୬ ମସିହା ପରଠାରୁ ରାଜ୍ୟ ଆର୍ଥିକ ଦୃଷ୍ଟିରୁ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଥିଲା, ଯାହାଫଳରେ ୨୦୦୨ ମସିହା ବେଳକୁ ରାଜ୍ୟର ରାଜସ୍ୱ ନିଅଣ୍ଟ ବୃଦ୍ଧି ପାଇ ସର୍ବୋଚ୍ଚ ୨୮୦୦ କୋଟି ଟଙ୍କାରେ ପହଞ୍ଚିଥିଲା। ଏହିସବୁ ବର୍ଷ ବିଶେଷ ଭାବରେ ରାଜସ୍ୱ ନିଅଣ୍ଟରେ ଗତି କରିଥିଲା। ବର୍ଷକର ୩୬୫ ଦିନରୁ ୩୬୪ ଦିନ ରାଜ୍ୟଟି ଋଣ ଭାରରେ ଛଟପଟ ହେଉଥିଲା। ଏପରିକି ୩୬୪ ଦିନ ୱେଜ୍‍ ଆଣ୍ଡ ମିନ୍‍ସ୍‍ ଓ ଓଭର୍‍ଡ୍ରାଫଟ୍‌ ଉପରେ ନିର୍ଭର କରୁଥିଲା। ଋଣ କରି ଋଣ ସୁଝିବାକୁ ହେଉଥିଲା। ଦୃଢ଼ ଓ ସ୍ୱଚ୍ଛ ନେତୃତ୍ୱ, ଆର୍ଥିକ ସଂସ୍କାର, ଦ୍ୱାଦଶ ଓ ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଏହିସବୁ ଖରାପ ଅବସ୍ଥାରୁ ରାଜ୍ୟ ଉଧୁରିବାର ବାଟ ପାଇଲା, ଯାହା ଫଳରେ ୨୦୦୪-୫ରେ ରାଜସ୍ୱ ବଳକା ସ୍ଥିତିକୁ ରାଜ୍ୟ ଆସିଲା। ସେହି ଦିନଠାରୁ କ୍ରମାଗତ ଭାବେ ଏପରି ଏକ ସ୍ଥିତିରେ ରାଜ୍ୟ ଅଛି ଏବଂ ପ୍ରତିବର୍ଷର ବଜେଟ୍‍ ଯେତେ ବଡ଼ ହେଉ ନା କାହିଁକି ବାର୍ଷିକ ବ୍ୟୟ ଅଟକଳରେ ସବୁବେଳେ ବଳକା ଦେଖାଯାଇଆସିଛି। ଏଥିପାଇଁ ହୁଏତ ଗତ କିଛି ବର୍ଷ ଧରି ଅନ୍ତର୍ଜାତୀୟ ବଜାରରେ ଖଣିଜ ଦର ବୃଦ୍ଧି ଓ ବହୁଳ ଭାବେ ଖଣି ଖାଦନର ବ୍ୟବହାର ଓ ବିକ୍ରି ଧନ ପ୍ରମୁଖ କାରଣ ହୋଇପାରେ।

ଭାରତ ବର୍ଷରେ ୯୫ଟି ଖଣିଜ ପଦାର୍ଥ ଉପଲବ୍ଧ ହୋଇଥାଏ। ଏହି ଖଣିଜ ପଦାର୍ଥଗୁଡ଼ିକୁ ଜାଳେଣି ଖଣିଜ, ଧାତବ ଖଣିଜ, ଅଣଧାତବ ଖଣିଜ, ପରମାଣୁ ଖଣିଜ ଓ ଲଘୁ ଖଣିଜ ଭାବରେ ବିଭାଜନ କରାଯାଇଛି। ମୋଟ୍‍ ଖଣିଜ ଉତ୍ପାଦନର ପ୍ରାୟ ଅଧା କିସମର ଖଣିଜ ହେଉଛି ଲଘୁ ଖଣିଜ। ଏହି ଖଣିଜ ପଦାର୍ଥ ମଧ୍ୟରୁ ମୂଲ୍ୟବାନ ଖଣିଜର ମାଲିକାନା ଭାରତ ସରକାରଙ୍କ ଅଧୀନକୁ ଚାଲିଯାଇଛି। ଯଦିଓ ଭାରତ ସ୍ୱାଧୀନତା ପ୍ରାପ୍ତିର ପରବର୍ତ୍ତୀ ଅବସ୍ଥାରେ ଏହିସବୁ ଖଣିଜ ପଦାର୍ଥର ମାଲିକାନା ଉଭୟ କେନ୍ଦ୍ର ଓ ରାଜ୍ୟ ହାତରେ ଥିଲା ତାହା କ୍ରମାଗତ ଭାବେ କେନ୍ଦ୍ର ହାତକୁ ଚାଲିଯିବାର ଦେଖାଗଲା। କିଛି ଖଣିଜର ମାଲିକାନା ଓ ପରିଚାଳନା ସମ୍ବିଧାନର ସପ୍ତମ ଅନୁଚ୍ଛେଦର କେନ୍ଦ୍ର ତାଲିକାରେ ଥିଲା ବେଳେ କିଛି ଖଣିଜ ରାଜ୍ୟ ଓ ଯୁଗ୍ମ ତାଲିକାରେ ରହିଛି। ସମ୍ବିଧାନ ଅନୁସାରେ ସମସ୍ତ ଜମି ଅଧିକାର ରାଜ୍ୟମାନଙ୍କୁ ଦିଆଯାଇଛି। ଅର୍ଥାତ୍‍ ଜମି ରାଜ୍ୟର ଓ ତା’ତଳେ ଥିବା ଖଣିଜ ପଦାର୍ଥ କେନ୍ଦ୍ର ହାତରେ ରହିଛି। ଯଦ୍ୱାରା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

କେନ୍ଦ୍ର ସରକାର ଖଣିଜ ସମ୍ପଦ ପରିଚାଳନା ତାଲିକାର ୫୪ ଧାରା ଆଧାରରେ କରିଥାନ୍ତି। ଏହାକୁ ଭିତ୍ତିକରି ୨୦୧୯ରେ ଭାରତ ସରକାର ଜାତୀୟ ଖଣିଜ ନୀତି ପ୍ରଣୟନ କରିଛନ୍ତି। ଭାରତରେ ଉତ୍ପାଦିତ ଲୁହାପଥରର ୫୫ ଭାଗ କେବଳ ଓଡ଼ିଶାରୁ ହିଁ ଉତ୍ତୋଳିତ ହୋଇଥାଏ। ସେହିପରି ୯୯ ଭାଗ କ୍ରୋମାଇଟ୍‍ ଓଡ଼ିଶାରୁ ଉତ୍ପାଦିତ ହୋଇଥାଏ। କୋଇଲା ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ଅନ୍ୟ କେତେକ ପ୍ରକାରର ଖଣିଜ ପଦାର୍ଥ ଏପରିକି ପରମାଣୁ ଖଣିଜ ମଧ୍ୟ ଓଡ଼ିଶାରୁ ବହୁଳ ପରିମାଣର ଉତ୍ପାଦିତ ହେବାର ସୌଭାଗ୍ୟ ଓଡ଼ିଶା ପାଖରେ ଅଛି। ଏବେ ଲଘୁ ଖଣିଜ ପଦାର୍ଥ ବହୁଳ ଭାବରେ ଓଡ଼ିଶାରୁ ଉତ୍ପାଦିତ ହୋଇ ବାହାର ରାଜ୍ୟକୁ ରପ୍ତାନୀ ହେବାରେ ଲାଗିଲାଣି। ଏହି ପଦାର୍ଥ ଭିତରେ ବିଶେଷତଃ ଓଡ଼ିଶାରେ ପ୍ରବାହିତ ନଦୀମାଙ୍କରୁ ବାହାରୁଥିବା ବାଲି ନିଆଯାଇଛି। ପଡ଼ୋଶୀ ରାଜ୍ୟମାନେ ଚୋରାରେ ଏହି ବାଲି ନିଜ ରାଜ୍ୟରେ ବ୍ୟବହାର କରିବାକୁ ନେଉଥିବା ଓଡ଼ିଶା କ୍ରମାଗତ ଭାବେ ଅଭିଯୋଗ କରି ଆସିଛି। ମୋଟାମୋଟି ଭାବେ ପ୍ରକୃତିଦତ୍ତ ଏହି ସୌଭାଗ୍ୟ ଓଡ଼ିଶାକୁ ବର୍ତ୍ତମାନ ଏକ ବୃହତ ସମ୍ବଳର ଅଧିକାରୀ କରିପାରିଛି।

ଏହିସବୁ ବ୍ୟବସ୍ଥାକୁ ଦେଖି ଆମ ସରକାର ଓ ସରକାରଙ୍କୁ ପରାମର୍ଶ ଦେଉଥିବା ଅର୍ଥଶାସ୍ତ୍ରୀମାନେ ଅତ୍ୟନ୍ତ ଉତ୍‍ଫୁଲିତ ହେବାର ଦେଖାଯାଉଛି। ଏ ସବୁକୁ ବହୁଳ ଭାବେ ଉତ୍ତୋଳନ କରି ବିକ୍ରି କରିବା ଓ ତହିଁରୁ ଲବ୍‍ଧ ଅର୍ଥ ବିକାଶ ନାମରେ ଖର୍ଚ୍ଚ କରିବା ଦେଖାଯାଉଛି। ଏହାକୁ ବାଧା ଦେଲେ ବା ଏଥିରେ ଅଂକୁଶ ଲାଗାଇବାର କଥା କହିଲେ ବିକାଶ ବିରୋଧି ବୋଲି ଆଖ୍ୟା ଦିଆଯାଏ। କିନ୍ତୁ ସେମାନେ ସମସ୍ତେ ମନେରଖିବା ଉଚିତ୍‍ ଯେ, ଏ ସମସ୍ତ ପଦାର୍ଥ ପୁନଃ ପୁନଃ ଉତ୍ତୋଳନ ହେବାର ସୁଯୋଗ ନାହିଁ। ଅବିଚାରିତ ଭାବେ ଏସବୁର ଉତ୍ତୋଳନ ଓ ବ୍ୟବହାର କରିଚାଲିଲେ ଖୁବ୍‍ଶୀଘ୍ର ଏହା ସରିଯିବ। ସେଥିପାଇଁ ପ୍ରକୃତି ଖଣିଜ ସମ୍ପଦ ସହ ଓଡ଼ିଶାକୁ ଅନ୍ୟ ସମସ୍ତ ସମ୍ବଳ ଯଥା:- ଜଙ୍ଗଲ ସମ୍ପଦ ଓ କୃଷିଜାତ ଦ୍ରବ୍ୟ(ଚାଷ), ଗୋ-ସମ୍ପଦ, ମତ୍ସ୍ୟ ସମ୍ପଦ ଆଦି ପୁନଃ ପୁନଃ ଉତ୍ପାଦନ କରିବାର ସୌଭାଗ୍ୟ ଦେବା ସହିତ ମାନବିକ ସମ୍ବଳ ମଧ୍ୟ ଦେଇଛି। ସବୁଗୁଡ଼ିକୁ ସଠିକ୍‍ ଭାବେ ବ୍ୟବହାର କଲେ ରାଜ୍ୟର ସାମଗ୍ରିକ ବିକାଶ ହୋଇପାରିବ। ଏଥିସହିତ ରାଜ୍ୟରେ ଥିବା ଭୌଗୋଳିକ ସ୍ଥିତି ଏକ ଉନ୍ନତମାନର ପର୍ଯ୍ୟଟନ କ୍ଷେତ୍ର ପ୍ରଦାନ କରିଥାଏ। ଯେଉଁଥିପାଇଁ ଅତୀତରେ ଓଡ଼ିଶାକୁ ରାଜାମାନେ ଆକ୍ରମଣ କରି ଏହାର ପର୍ଯ୍ୟଟନର ପ୍ରମୁଖ କ୍ଷେତ୍ର ମନ୍ଦିର ସବୁକୁ ଲୁଣ୍ଠନ କରିବା ଦେଖାଯାଇଥିଲା।

ବିକାଶର କଥା ଚିନ୍ତା କଲାବେଳେ ରାଜ୍ୟରେ ଥିବା ସମସ୍ତ ମଣିଷର ବିକାଶ କଥା ଆଖି ସାମ୍ମନାକୁ ଆସିଥାଏ। ଏଥିସହିତ ସମସ୍ତ ଅଂଚଳର ଏକ ସମୟରେ ବିକାଶ ଘଟିବା ବିଚାର କରାଯାଏ। ଏହା ହେଲେ ରାଜ୍ୟଟି ଯେ, ପୂର୍ଣ୍ଣ ଓ ସର୍ବକାଳୀନ ବିକଶିତ ହେବ ଦୃଢ଼ଭାବେ କୁହାଯାଇପାରେ। କିନ୍ତୁ ଦୁଃଖର କଥା ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଲୋକଙ୍କର ମୁଖ୍ୟ ଆବଶ୍ୟକତା ଖାଇବା ପିନ୍ଧିବା ପାଇଁ କେବଳ ଚାଉଳକୁ ଛାଡ଼ିଦେଲେ ୯୫ ଭାଗ ବାହାର ରାଜ୍ୟ ବା ବାହାର ଦେଶ ଉପରେ ନିର୍ଭର କରିବାକୁ ପଡୁଛି। ଏପରିକି ଶିଶୁଖାଦ୍ୟ ପ୍ରସ୍ତୁତ ପାଇଁ ରାଜ୍ୟରେ କୌଣସି ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ବର୍ତ୍ତମାନ ବି ରାଜ୍ୟର ଅଧିକାଂଶ ଶିଶୁ ଓ ମହିଳା ପୁଷ୍ଟିକର ଖାଦ୍ୟ ଅଭାବରୁ ରକ୍ତହୀନତା ଓ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ଏହା ଦେଶର ସବୁ ରାଜ୍ୟ ତୁଳନାରେ ଖୁବ୍‍ ଅଧିକ ଓ ଏକ ଲଜ୍ଜ୍ୟାଜନକ ସ୍ଥିତିରେ ରହିଛି।

ରାଜ୍ୟର ଚାଷ ଓ ଚାଷଜମିକୁ ସଜାଡ଼ିବା ସହିତ ପଶୁ ସମ୍ପଦ ଓ ମତ୍ସ୍ୟ ସମ୍ପଦକୁ ଅଗ୍ରାଧିକାର ଦେଇ ଏହାର ଉତ୍ପାଦନ ଓ ଉତ୍ପାଦିକା ଶକ୍ତି ବୃଦ୍ଧି କରାଇବାର ଆବଶ୍ୟକତା ରହିଛି। ତାହାହେଲେ ରାଜ୍ୟବାସୀ ନିଜର ସମସ୍ତ ଆବଶ୍ୟକତା ମେଂଟାଇବା ସହିତ ଦେଶ ଭିତରେ ଓ ଦେଶ ବାହାରକୁ ରପ୍ତାନୀ କରିବାରେ ସକ୍ଷମ ହେବେ। ଗୋଟିଏ ଉଦାହରଣ ଦିଆଯାଇପାରେ- ଆମ ରାଜ୍ୟରେ ୮୦ ଦଶକରୁ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଓମ୍‌ଫେଡ୍‍ କାର୍ଯ୍ୟକାରୀ ହୋଇଆସୁଛି। କିନ୍ତୁ ଏବେ ସୁଦ୍ଧା ରାଜ୍ୟକୁ ଅମୁଲ ପରି ଅନେକ ଦୁଗ୍ଧ ଉତ୍ପାଦନ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ବଜାରରେ ସେ ସବୁ ପଦାର୍ଥର ଚାପ ଦେଖିଲେ ଓମ୍‌ଫେଡ୍‍ ଲଜ୍ଜ୍ୟାରେ ମୁଣ୍ଡ ତଳକୁ ନୁଆଁଏ। ମଧୁର ଜଳର ମତ୍ସ୍ୟଚାଷ କରିବାରେ ରାଜ୍ୟର ସେପରି ଅଗ୍ରଗତି ଘଟିନଥିବା ହେତୁ ଆନ୍ଧ୍ର ପରି ଅନେକ ରାଜ୍ୟରୁ ଆମେ ମତ୍ସ୍ୟ ଆମଦାନୀ କରିଥାଉ। ଆଳୁ, ପିଆଜ ପରି ଅନେକ ପରିବା ଆମଦାନୀ କରିବା ପାଇଁ ସରକାର ଯେତେ ବାହାଦୂରୀ କଲେ ମଧ୍ୟ ଏବେ ବି ଅନ୍ୟ ରାଜ୍ୟମାନଙ୍କ ପାଖରେ ହାତପାତି, ମଥାନତ କରି ଚାଲିଛନ୍ତି। ଏହିସବୁ ପରିବାର ୭୦ ଭାଗ ବାହାର ରାଜ୍ୟରୁ ଅଣାଯାଇ ଆବଶ୍ୟକତା ଭରଣା କରାଯାଇଥାଏ।

ଏକଦା ଯେଉଁ ରାଜ୍ୟ ଲୁଣ ଉତ୍ପାଦନରେ ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଥିଲା, ସେହି ରାଜ୍ୟ ବାହାରୁ ଲୁଣ ଆମଦାନୀ କରାଯାଇ ଆବଶ୍ୟକତା ମେଂଟା ଯାଉଛି। ଟାଟା ପରି କମ୍ପାନୀମାନେ ଏଥିରୁ ଫାଇଦା ନେଉଛନ୍ତି। ଏସବୁ ଲକ୍ଷ୍ୟରେ ରଖି ୨୦୩୬ ମସିହାର ଏକ ବିକଶିତ ଓଡ଼ିଶା ବା ଏକ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ କରିବାର ସ୍ୱପ୍ନ ଦେଖୁଥିବା ଶାସକମାନେ ଯୋଜନା ପ୍ରସ୍ତୁତ କରିବା ଉଚିତ୍‍। ଯେଉଁ ଯୋଜନାରେ ବିକାଶ ଓ ସାମାଜିକ ନ୍ୟାୟ ଯୋଡ଼ି ହୋଇ ରହିବ ଓ କେବଳ ଖଣିଜ ପଦାର୍ଥ ଉପରେ ନିର୍ଭର ନକରି ପ୍ରକୃତଦତ୍ତ ଅନ୍ୟ ସମସ୍ତ ସମ୍ପଦ ଏପରିକି ମାନବ ସମ୍ବଳ ଓ ଜଳ ସମ୍ପଦକୁ ମଧ୍ୟ ସଠିକ୍‍ ଭାବରେ ବ୍ୟବହାର କରିବା ପାଇଁ ଯୋଜନା ପ୍ରସ୍ତୁତ ହେବା ଦରକାର। ଏହି ଯୋଜନା ପ୍ରସ୍ତୁତ କରାଗଲା ବେଳେ ରାଜ୍ୟରେ ଥିବା ଅବହେଳିତ ବର୍ଗ ଓ ଅବହେଳିତ ଅଂଚଳର ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବା ଦରକାର। ତେବେ ସେହିସବୁ ଅଂଚଳରୁ ବାହାରକୁ ଦାଦନ ଖଟିବା ପାଇଁ ଲୋକଙ୍କ ସଂଖ୍ୟା କମିବ। ଶକ୍ତିଶାଳୀ ମଣିଷଙ୍କୁ କାମରେ ଲଗାଇ ସେ ଅଂଚଳର ଉନ୍ନତି ଏବଂ ସେହିସବୁ ଲୋକଙ୍କର ବିକାଶର ପଥ ପରିଷ୍କାର ହେବ।

ଏ ସମସ୍ତ ଯୋଜନା କରାଗଲା ବେଳେ ରାଜ୍ୟରେ ଘଟୁଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ମଧ୍ୟ ଚିନ୍ତା କରାଯିବା ଉଚିତ୍‍। ବିଜ୍ଞାନର ଅଗ୍ରଗତି ଏତେ ଅଧିକ ଯେ, ସହଜରେ ଆମେ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇପାରିବା। ବର୍ଷକରେ ହାରାହାରି କେତେ ବୃଷ୍ଟିପାତ ହେଉଛି ଓ ମାଟିତଳେ କେତେ ଜଳ ସଂଗୃହୀତ ରହିଛି ସେ ସମ୍ପର୍କରେ ଜାଣିବାକୁ ସମସ୍ତଙ୍କୁ ଜ୍ଞାତ ଅଛି। ସେସବୁର ଉପଯୁକ୍ତ ବ୍ୟବହାର ପାଇଁ ଯୋଜନା କରାଗଲେ ଉଭୟ ବନ୍ୟା ଓ ମରୁଡ଼ିରୁ ସମଗ୍ର ରାଜ୍ୟଟିକୁ ରକ୍ଷା କରିପାରିବା। ସେହିପରି ବାତ୍ୟାରୁ ରକ୍ଷା ପାଇବା ପାଇଁ ସମୁଦ୍ର କୂଳରେ ଏକ ଦୃଢ଼ ସବୁଜ ପ୍ରାଚୀର ନିର୍ମାଣର କୌଶଳ ପ୍ରସ୍ତୁତ କରିବାକୁ ହେବ, ଯେଉଁଥିରେ ବାତ୍ୟା ପୂରାପୂରି ରୋକା ନଗଲେ ମଧ୍ୟ ବାତ୍ୟାର କ୍ରୁରତାରୁ ଅଂଚଳକୁ ରକ୍ଷା କରିବା ପାଇଁ କାର୍ଯ୍ୟ ହୋଇପାରିବ। ଏଥିସହିତ ବିଭିନ୍ନ ସମୟରେ ଘଟୁଥିବା ଛୋଟ ଛୋଟ ବିପର୍ଯ୍ୟୟ ଯଥା:- ଚାଷ ଓ ଚାଷୀର କ୍ଷତି ଘଟାଉଥିବା ବନ୍ୟଜନ୍ତୁଙ୍କ ଦାଉରୁ ରକ୍ଷା କରିବା ପାଇଁ ସରକାର ଚେଷ୍ଟାକଲେ ସଫଳ ହୋଇପାରିବେ। ଉତ୍ପାଦିତ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଓ ବଜାର ପ୍ରଚଳନକୁ ସଠିକ ଭାବରେ ନିୟନ୍ତ୍ରଣ କଲେ ଉତ୍ପାଦନରେ ଘଟୁଥିବା ଅଧିକ କ୍ଷତିକୁ ନିୟନ୍ତ୍ରଣରେ ଅଣାଯାଇପାରିବ ଓ ଲୋକମାନେ ଏଥିରୁ ଲାଭ ଉଠାଇପାରିବେ। ରାଜ୍ୟରେ କୋଇଲା ବା ଜଳର ବ୍ୟବହାର କରି ବିଦ୍ୟୁତ୍‍ ଉତ୍ପାଦନ ପ୍ରକ୍ରିୟା ବଦଳରେ ଯଦି ସୌରରଶ୍ମି ଉପରେ ନିର୍ଭର କରି ବିଦ୍ୟୁତ୍‍ ଉତ୍ପାଦନ ବହୁଳ ଭାବରେ କରାଯାଏ ତେବେ ଅଳ୍ପମୂଲ୍ୟରେ ବହୁ ବିଦ୍ୟୁତ୍‍ ଶକ୍ତି ଉତ୍ପାଦିତ ହୋଇ ଯୋଗାଯାଇପାରିବ। ଶିଳ୍ପ, କୃଷି ସହିତ ସମସ୍ତ ଘରୋଇ ଆବଶ୍ୟକତା ସ୍ୱଚ୍ଛ ଭାବରେ ସ୍ୱଳ୍ପ ମୂଲ୍ୟରେ ମେଣ୍ଟାଯାଇ ପାରିବ।

ବାସ୍ତବ ସାର୍ବଜନୀନ ଓ ସର୍ବକାଳୀନ ବିକାଶ କଥା ବିଚାର କଲାବେଳେ ପୂର୍ବୋକ୍ତ ଦିଗଗୁଡ଼ିକ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଫୋ- ୯୪୩୮୩୬୦୮୪୯

Odisha Odisha Finance Development Odisha Mines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe