/odisha-reporter/media/post_attachments/uploadimage/library/16_9/16_9_0/IMAGE_1756965472.jpg)
Representative Image
ପଞ୍ଚାନନ କାନୁନଗୋ
ଗତ କିଛି ବର୍ଷ ହେବ ବିକାଶକୁ ନେଇ ଅନେକ ତୁମ୍ବିତୋଫାନ, ଅନେକ ଘୋଷଣା ଏପରିକି ବିଜ୍ଞାପନର ଅସରନ୍ତି ସାଜସଜ୍ଜା ସର୍ବତ୍ର ଦେଖିବାକୁ ମିଳୁଛି। ଭାରତରେ ୨୦୧୪ ନିର୍ବାଚନ ପୂର୍ବରୁ ବିକାଶର କଥାକୁ ନେଇ ଖୁବ୍ ଗୋଟେ ବଡ଼ ଆଲୋଚନା, ଚର୍ଚ୍ଚା ଉଚ୍ଚ ସ୍ୱରରେ ଶୁଣିବାକୁ ମିଳିଆସୁଛି। ମନେହୁଏ ସତେ ଯେପରି ପୂର୍ବରୁ ବିକାଶ କ୍ଷେତ୍ରଗୁଡ଼ିକ ଅଗୋଚର ବା ଆତ୍ମପ୍ରକାଶ କରିନଥିଲା। ଏପରିକି ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ ଉଚ୍ଚ ସ୍ୱରରେ ସେ ସମୟରେ ଘୋଷଣା କଲେ କଂଗ୍ରେସକୁ ୬୦ ବର୍ଷ ସରକାର ଗଢ଼ିବାର ସୁଯୋଗ ଦିଆଯାଇଥିଲା, ଆମକୁ ଅର୍ଥାତ୍ ଏନ୍ଡିଏ ସରକାରକୁ ୬୦ ମାସ ସୁଯୋଗ ଦିଆଯାଉ, ବିକାଶ ଗତି ପ୍ରଖର ହେବ ଏବଂ ଚିରସ୍ଥାୟୀ ହେବ। ଆଚ୍ଛା ଦିନ ଆସିବ। କେହି ବେକାର ରହିବେ ନାହିଁ। ସମସ୍ତଙ୍କର ଆୟ ବଢ଼ିବ। ଏପରିକି ଚାଷୀଙ୍କର ଆୟ ଦ୍ୱିଗୁଣିତ ହେବ। ବିଦେଶରେ ରାଜନେତା ବେପାରୀ ଠୁଳ କରିଥିବା କଳା ଟଙ୍କା ଫେରାଇ ଅଣାଯିବ। ପ୍ରତ୍ୟେକ ଲୋକ ହାତରେ ୧୫,୦୦୦ ଟଙ୍କା ପହଞ୍ଚିବ। ଯାହା ସ୍ୱପ୍ନରେ କେହି ଚିନ୍ତା କରିନଥିବେ ତାହା ଘଟିବ।
ତାଙ୍କର ୬୦ ମାସ ପୂରିଗଲା, ଅର୍ଥାତ୍ ୫ ବର୍ଷ ପୂରଣ ହେଲା। ୨୦୧୯ ରେ ସେ ପୁନଶ୍ଚ କ୍ଷମତା ହାସଲ କଲେ। ପୁନର୍ବାର ତୃତୀୟ ଥର ପାଇଁ ୨୦୨୪ରେ ଭାରତର ସରକାର ଗଠନ କଲେ। କିନ୍ତୁ ଏ ସମୟକୁ ତାଙ୍କର କୌଣସି ନିର୍ଦ୍ଦିଷ୍ଟ ସୀମାଧାର୍ଯ୍ୟ ହେଲାନାହିଁ ବରଂ ଅମୃତ କାଳ, ଅନିର୍ଦ୍ଦିଷ୍ଟ କାଳ ଅପେକ୍ଷା କରିବା ପାଇଁ ଦେଶବାସୀଙ୍କୁ କୁହାଗଲା। ଏହି ଅନନ୍ତ କାଳ ବା ଅମୃତ କାଳ କେବେ ଆସିବ ତାହା କାହାରିକୁ ଜଣାନାହିଁ। ଅନେକ ନୂଆ ନୂଆ ସ୍ଳୋଗାନ ସେଥିମଧ୍ୟରେ ଦିଆଗଲା। ଲୋକମାନେ ଅସମ୍ଭବ ବିକାଶ ଦେଖିବେ। ଭାରତ ପୃଥିବୀରେ ସର୍ବଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ ହେବ। କୁହାଗଲା ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବିତ୍ତଶାଳୀ ରାଷ୍ଟ୍ରରେ ପହଞ୍ଚିଛି। ସୋପାନ ପରେ ସୋପାନ ଉଠୁଛି, ଉଠିବ। ଏପ୍ରକାର ନୂଆ ନୂଆ ଆଶ୍ୱାସନା ପୁନଃ ପୁନଃ ଦିଆଗଲା।
କିନ୍ତୁ ବର୍ତ୍ତମାନ ସୁଦ୍ଧା ଯଦି ଆମେ ସମସ୍ତ ଗତି ଓ ପ୍ରଗତିକୁ ଲକ୍ଷ୍ୟ କରିବା ବିକାଶର ସାଧାରଣ ତତ୍ତ୍ୱଟି ମଧ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। ଏବେ କୁହାଗଲାଣି ୨୦୪୭ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଅର୍ଥାତ୍ ଭାରତର ସ୍ୱାଧୀନତା ମିଳିଥିବାର ବୟସ ୧୦୦ ବର୍ଷ ହେଲେ ଭାରତବାସୀ ଏକ ସମୃଦ୍ଧ ଭାରତ ଦେଖିବେ। ଏ ସମ୍ପର୍କରେ ଅନେକ ତଥ୍ୟ ସାମ୍ମନାକୁ ଆସୁଛି। ବିକାଶର ଗଣିତ ଉପସ୍ଥାପିତ ହେଉଛି। କିନ୍ତୁ ଦୁଃଖର ବିଷୟ ସେହି ବିକାଶର ଆକଳନ ସବୁ ମଣିଷକୁ ବିଭ୍ରାନ୍ତି ଭିତରକୁ ଠେଲି ନେଉଥିବାର ଦେଖାଯାଉଛି। ଏହି ଯେପରି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି। ଅର୍ଥାତ୍ ୧୨ ଟ୍ରିଲିଅନ୍ ଅର୍ଥନୀତିର ଅଧିକାରୀ ହେବ ବୋଲି ଚାରିଆଡେ କୁହାଯାଉଛି ଏବଂ ବେଳେ ବେଳେ ସାମଗ୍ରିକ ବିକାଶ (ଜି.ଡ଼ି.ପି)ର ହିସାବକୁ ସାମନାକୁ ଆଣି ଆଶା ଓ ସ୍ୱପ୍ନ ବଣ୍ଟା ଯାଉଛି। ଏ
ଅଳ୍ପଦିନ ତଳେ ଭାରତର ତ୍ରୈମାସିକ ସାମଗ୍ରିକ ବିକାଶର ବିକାଶ ହାର ୭.୮ ପ୍ରତିଶତ ବୋଲି କୁହାଯାଇଛି। ଯାହାକୁ ଦେଖାଇ ଭାରତ ଖୁବ୍ଶୀଘ୍ର ଆଗକୁ ଦୌଡୁଛି ବୋଲି ଦାବି ହେଉଛି। ସମସ୍ତେ ଜାଣିବା ଦରକାର ଏହି ଗଣିତ ସାମନାକୁ ଆଣିଲା ବେଳେ ଭାରତ ଉପରେ ବିଦେଶୀ ରାଷ୍ଟ୍ରମାନଙ୍କର ବିଶେଷତଃ ଆମେରିକାର ଅର୍ଥନୈତିକ ଚାପର ଆଧିକ୍ୟ ନଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ଆମଦାନୀ କରାଯାଉଥିବା ସମସ୍ତ ପଦାର୍ଥ ଉପରେ ୬୦ ପ୍ରତିଶତ ଶୁଳ୍କ ବସାଇବାକୁ ସ୍ଥିର କରି ଭାରତର ଅନେକ ସାମୁଦ୍ରିକ ବାଣିଜ୍ୟ ସଂକୁଚିତ କରିଦେଇଛନ୍ତି। ଏବେ ପୁଣି ସମ୍ବାଦ ପ୍ରକାଶ ପାଇଛି ଯେ, ଆମେରିକା ଭାରତର ଔଷଧ ଉପରେ ୧୦୦ ପ୍ରତିଶତରେ ଅଧିକ ଶୁଳ୍କ ଧାର୍ଯ୍ୟ କରିବ। ପୃଥିବୀରେ ସବୁଠାରୁ ବଡ଼ ଚାପ ସୃଷ୍ଟିକାରୀ ବ୍ୟବସାୟ ତୈଳଜାତ ସାମଗ୍ରୀକୁ ନେଇ ହୋଇଥାଏ। ବିଶେଷତଃ ଭାରତ ତାହାର ବ୍ୟବହାର କରୁଥିବା ସମସ୍ତ ଅଶୋଧିତ ତୈଳଜାତ ଦ୍ରବ୍ୟର ୮୫ ଭାଗ ବିଦେଶରୁ ଆମଦାନୀ କରିଥାଏ ଏବଂ ଏହାର ବଜାର ଦର ଏତେ ଅସ୍ଥିର ଓ ଅଧିକ ଯେ, ତାହା ଭାରତବର୍ଷର ସମସ୍ତ ଆର୍ଥିକ ବ୍ୟବସ୍ଥାକୁ ବାରମ୍ବାର ଦୋହଲାଇ ଦେଇଥିବାର ଦେଖାଯାଇଥାଏ। ଏବେ ଡଲାର୍ ଓ ଟଙ୍କା ସହିତ ସମ୍ପର୍କ ଦେଖିଲେ ଭାରତ ଏକ ଚରମ କ୍ଷତି ଭିତରକୁ ଠେଲି ହୋଇଯିବାର ଆଶଙ୍କା ଦେଖାଦେଇଛି। ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧିପାଇ ୮୯ରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ଡଲାର୍ ପିଛା ୮୯ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି।
ଏହାକୁ ଲକ୍ଷ୍ୟ କଲେ ଭାରତର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବ ସିନା ସବଳ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଅଧିକନ୍ତୁ, ଆମ ଦେଶର ଶାସକ ଖୁବ୍ ବଡ଼ ଚିତ୍କାର କରି ଚୀନ୍ ଓ ରୁଷିଆ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ତୁରନ୍ତ ଭାରତ ତା’ର ବ୍ୟବସାୟିକ ଶତ୍ରୁ ଆମେରିକାକୁ ଜବତ କରିଦେବ ବୋଲି ଘୋଷଣା କରାଯାଉଛି। କିନ୍ତୁ ମନେ ରଖିବାକୁ ହେବ ଚୀନ୍ ସହିତ ଭାରତର ସମ୍ପର୍କ ଯେତେ ସୁଦୃଢ଼ ହେବାପାଇଁ ଚେଷ୍ଟାକରାଗଲେ ମଧ୍ୟ ଚୀନ୍ ତା’ର ବ୍ୟବସାୟରେ ଅଧିକ ଲାଭବାନ୍ ହେବ ଓ ଭାରତ କ୍ଷତି ସହିବ। ଚୀନ୍ର ମୋଟ ଲକ୍ଷ୍ୟ ହେଉଛି ବିସ୍ତାରବାଦ। ଅଞ୍ଚଳ ବିସ୍ତାର କରିବ, ବ୍ୟବସାୟ ବାଣିଜ୍ୟ ବିସ୍ତାରିତ କରିବ। ସେହି ଲକ୍ଷ୍ୟରେ ସେ ଆଗକୁ ବଢ଼ିଥାଏ ଓ ତା’ର ବୈଦେଶିକ ନୀତି ନିର୍ଦ୍ଧାରଣ କରିଥାଏ। ଭାରତର ଅନେକ ପଡ଼ୋଶୀ ରାଷ୍ଟ୍ରତାର ଶତ୍ରୁ ଭାବେ ରହିଛନ୍ତି। ସେମାନେ ସମସ୍ତେ ଚୀନ୍ର ସାହାଯ୍ୟରେ ଆଗଉଛନ୍ତି। ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଏପରିକି ନେପାଳ ଭାରତ ପାଇଁ ବଡ଼ ବିପଦ ଭାବେ ଅଛନ୍ତି।
ଏଥିସହିତ ଚୀନ୍-ଭାରତ ସମ୍ପର୍କର ଅତୀତ ଇତିହାସକୁ ଲକ୍ଷ୍ୟକଲେ ଚୀନ୍ ଭାରତର ଏକ ବିରାଟ ଅଞ୍ଚଳ ଦଖଲ କରିନେବା ପାଇଁ ସବୁବେଳେ ଚେଷ୍ଟାରେ ରହିଥିବା ଦେଖିଆସିଛେ। ଯେକୌଣସି ସମୟରେ ସେ ତା’ର ସୁଯୋଗ ନେଇ ଭାରତର ଉତ୍ତରରେ ଥିବା ଲଦାଖ ଓ ଭୁଟାନ୍, ମେଘାଳୟ, ମିଜୋରାମ ପ୍ରଭୃତି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ନିମନ୍ତେ ଚେଷ୍ଟା କରିଆସିଛି ଓ ନେପାଳ ବାଟ ଦେଇ ବା ଭୁଟାନ୍, ସିକିମ୍ ବାଟଦେଇ ଭାରତରେ ତା’ର ବାଣିଜ୍ୟିକ ବ୍ୟବସାୟକୁ ବିସ୍ତାର କରିବା ନିମନ୍ତେ ଚେଷ୍ଟା କରିଥାଏ। ତା’ର ଅର୍ଥନୈତିକ ବିସ୍ତାର ଯୋଜନା ଓ ଆଞ୍ଚଳିକ ବିସ୍ତାର ଯୋଜନା ବିଷୟରେ ଆମେ ସମସ୍ତେ ଅବଗତ। ଏକ ସମୟରେ ଚୀନ୍ ଉପରେ ବିଶ୍ୱାସ କରି ଭାରତ ପ୍ରତାରିତ ହୋଇଥିବା ଇତିହାସରେ ଦେଖିବାକୁ ମିଳେ। ଭବିଷ୍ୟତରେ ତାହା ଯେ ନ ଘଟିବ କହିହେବ ନାହିଁ। ଗୋଟିଏ କଥା ସ୍ପଷ୍ଟ ଯେ ରୁଷିଆ ସହିତ ଭାରତ ମିତ୍ରତା ବିଶ୍ୱାସଯୋଗ୍ୟ।
ଆମେ ସମସ୍ତେ ଜାଣିଛେ ବର୍ତ୍ତମାନ ଆମ ସମୃଦ୍ଧିର କଥା ଯେତେ କହିଲେ ବି ସମଗ୍ର ବିଶ୍ୱରେ ମାନବ ବିକାଶର ଯେଉଁ ମାତ୍ରା ରହିଛି ସେଥିରେ ଭାରତ ଏବେ ବି ବହୁତ ତଳେ ରହିଛି। ସମଗ୍ର ବିଶ୍ୱରେ ଥିବା ୧୯୩ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୦ରେ। ଭାରତ ଯେତେ ଚିତ୍କାର କରି କହିଲେ ମଧ୍ୟ ଏବେ ବି ଭାରତର ଆମଦାନୀ ରପ୍ତାନୀ ଠାରୁ ବହୁତ ଆଗରେ ଅଛି। ଭାରତରେ ଦାରିଦ୍ର୍ୟ ଓ ବୈଷମ୍ୟ ଭରପୂର ରହିଛି। ଆର୍ଥିକ ପ୍ରଗତିରେ ଅସ୍ଥିରତା ଅଛି। ବୈଷମ୍ୟ ଅଛି। ଚାପ ଅଛି। ଦୈବୀ ଦୁର୍ବିପାକ ରହିଛି। ଏହା ଭାରତ ଶାସନରେ ଅନେକ ଅସ୍ଥିରତା ସୃଷ୍ଟି କରିଥାଏ। ଏହିପରି ଏକ ସ୍ଥିତିରେ ଭାରତର ବିକାଶର ସ୍ପପ୍ନ ବାଣ୍ଟିବା ଏକ ହାସ୍ୟାସ୍ପଦ ଘଟଣା। ଏ ସବୁର ଦୂରୀକରଣ ପ୍ରଥମ ଆବଶ୍ୟକତା ରହିଛି।
ଏହି ସମୟରେ ଆମେ ଜାଣିବା ଦରକାର ଭାରତରେ ଆର୍ଥିକ ବୈଷମ୍ୟ ଓ ଆଞ୍ଚଳିକ ବୈଷମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଳ୍ପକିଛି ଲୋକଙ୍କ ହାତରେ ସମ୍ପତ୍ତି ଠୁଳ ହେଉଛି ଓ ବହୁତ କିଛି ଲୋକ ପ୍ରତି ସମୟରେ ସମ୍ପତ୍ତି ହରାଉଛନ୍ତି। ଅର୍ଥଶାସ୍ତ୍ରୀ ପି.କେ.ଟିଙ୍କ ଆକଳନ ଅନୁସାରେ ଗତ ୩୦ ବର୍ଷ ଭିତରେ ସମଗ୍ର ଲୋକସଂଖ୍ୟାର ଏକ ପ୍ରତିଶତ ଲୋକଙ୍କ ହାତରେ ଦେଶର ୧୫ ପ୍ରତିଶତରୁ ଉର୍ଦ୍ଧ୍ୱ ସମ୍ପତ୍ତି ଠୁଳ ହୋଇଛି ଓ ୯୯ ପ୍ରତିଶତ ଲୋକଙ୍କ ହାତରେ ୮୫ ଭାଗ ସମ୍ପତ୍ତି ବାଣ୍ଟି ହୋଇ ରହିଛି। ଲୋକଙ୍କର କ୍ରୟ ଶକ୍ତିରେ ଦିନକୁ ଦିନ କ୍ଷୟ ଘଟୁଛି ଲୋକଙ୍କର ସମସ୍ତ ସାମଗ୍ରିକ ବିକାଶ ଧାରାଗୁଡ଼ିକୁ ଲକ୍ଷ୍ୟକଲେ ଅନେକ ଦୃଷ୍ଟିରୁ ଏବେ ବି ବ୍ୟକ୍ତି ରୁଗ୍ଣ ଏବଂ ଅନ୍ୟଦେଶ ତୁଳନାରେ ଦେଶ ଦୁର୍ବଳ ଅଛି। ଲକ୍ଷ୍ୟ କରିବା କଥା ଯେ, ଭାରତବର୍ଷ (ୟୁଏନ୍ଡିପି) ଆନ୍ତର୍ଜାତୀୟ ସଂସ୍ଥାର ଏକ ଆକଳନ ଅନୁସାରେ ଭାରତର ଏଚ୍ଡିଆଇ ମାନବିକ ବିକାଶ ଧାରା ୦.୬୮୪ ରହିଛି। ସେହି ସମୟରେ ଅନ୍ୟ ବହୁ ଦେଶରେ ଏହା ୦.୯୭୨% ପାଖାପାଖି ରହିଥିବାର ଦେଖାଯାଇଛି।
କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ ଏକ ସାସ୍କୃତିକ ବିଚାରକୁ ସାମନାକୁ ଆଣିଲେ ଆମେ କେତେ ଯେ ଦୁର୍ବଳ ତାହା ସ୍ପଷ୍ଟ ହୋଇଉଠେ। ବିଶ୍ୱ ଅଲିମ୍ପିକ୍ କ୍ଷେତ୍ରରେ ଛୋଟ ଛୋଟ ଦେଶ ଜାପାନ, କୋରିଆ ଅଧିକସଂଖ୍ୟକ ସ୍ୱର୍ଣ୍ଣପଦକ ହାସଲ କରୁଥିବା ବେଳେ ଆମେ ଅଳ୍ପକିଛିରେ ସନ୍ତୁଷ୍ଟ ହୋଇଥାଉ। ବିଶ୍ୱ ଖେଳ ଜଗତରେ ଆମର ସ୍ଥିତି ସେତେ ପ୍ରଣିଧାନ ଯୋଗ୍ୟ ନୁହେଁ। ଆମ ଦେଶରେ ଶିକ୍ଷା ଓ ସ୍ୱାସ୍ଥ୍ୟର ମାନ ଅତିନିମ୍ନରେ ଅଛି। ଭାରତ ବିଶ୍ୱଗୁରୁ ହେବ ଏହି ସ୍ଳୋଗାନ ଆମେ ଦେଇଚାଲିଛୁ। କିନ୍ତୁ ଅନ୍ୟର ପଛରେ ଧାଇଁ ଧାଇଁ ସେମାନଙ୍କ ସମକକ୍ଷ ହେବାପାଇଁ ଯୋଗ୍ୟତା ଏପର୍ଯ୍ୟନ୍ତ ମଧ୍ୟ ହାସଲ କରିପାରି ନାହୁଁ। କହିବା ଅପେକ୍ଷା କରିବାରେ ଅଧିକ ସମୟ ଚେଷ୍ଟାକଲେ ହୁଏତ ଆମେ ଆମର ଦେଶ ପାଇଁ ଗୋଟିଏ ଗର୍ବ ଓ ବିଶିଷ୍ଟ ସ୍ଥାନ ସୃଷ୍ଟି କରିପାରିବା। ତାହା ହେଉନାହିଁ । ବରଂ ଆମେ କହିଚାଲିଛୁ। ସଜାଡ଼ିବା ଅପେକ୍ଷା ଅସଜାଡ଼ିବାରେ ଲାଗି ରହିଛି।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
