Advertisment

‘ବ’ରେ ବିକାଶ, ‘ବ’ରେ ବିସ୍ଥାପନ, ‘ବ’ରେ ବିରୋଧ

ସ୍କୁଲ ବହିରେ କଲମକୁ ଦେଖି ‘କ’ ଓ ଖାତାର ଚିତ୍ରକୁ ଦେଖି ‘ଖ’ ଅକ୍ଷର ପଢ଼ିଲା ଭଳି ବିକାଶର ଚିତ୍ରକୁ ଦେଖି ‘ବ’ ଅକ୍ଷର ପାଠ୍ୟ ପୁସ୍ତକରେ ରହୁଛି। ବିକାଶର ଚିତ୍ର କହିଲେ କେଉଁଠି କାରଖାନା ତ କେଉଁଠି ବୃହତ ନଦୀବନ୍ଧକୁ ସ୍କୁଲ ବହିରେ ଦେଖାଯାଇଥାଏ

Lower Suktel Dam

Lower Suktel Dam

Advertisment

ଦେବ ରଞ୍ଜନ

ସ୍କୁଲ ବହିରେ କଲମକୁ ଦେଖି ‘କ’ ଓ ଖାତାର ଚିତ୍ରକୁ ଦେଖି ‘ଖ’ ଅକ୍ଷର ପଢ଼ିଲା ଭଳି ବିକାଶର ଚିତ୍ରକୁ ଦେଖି ‘ବ’ ଅକ୍ଷର ପାଠ୍ୟ ପୁସ୍ତକରେ ରହୁଛି। ବିକାଶର ଚିତ୍ର କହିଲେ କେଉଁଠି କାରଖାନା ତ କେଉଁଠି ବୃହତ ନଦୀବନ୍ଧକୁ ସ୍କୁଲ ବହିରେ ଦେଖାଯାଇଥାଏ। ଗଲା ସତୁରୀ ବର୍ଷ ମଧ୍ୟରେ ଦେଶର ବିକାଶ କହିଲେ ଉକ୍ତ ଉଭୟ ଚିତ୍ରକୁ ଏଭଳି ଭାବରେ ନୂତନ ପିଢ଼ି ମଧ୍ୟରେ ସ୍ଥାନିତ କରିଦିଆଯାଇଛି ଯେ ଏହାର ବିଷମ ପରିଣତି ଓ ପ୍ରତିବାଦ ସମ୍ପର୍କରେ ସାମାନ୍ୟତମ ଆଲୋଚନା ମଧ୍ୟ ଦେଶରେ କ୍ରମଶଃ ଅସମ୍ଭବ ହୋଇଯାଉଛି।

Advertisment

ବଲାଙ୍ଗୀର ଜିଲ୍ଲାର ମାଗୁରବେଡ଼ା ଠାରେ ସରକାରଙ୍କ ଦ୍ଵାରା ଲୋୟର ସୁକତେଲ ଡ୍ୟାମ ପ୍ରକଳ୍ପ ନିର୍ମିତ ହୋଇଛି। ଏହାର ଉଦ୍ଦେଶ୍ୟ ‘ବ’ ଅର୍ଥାତ ବିକାଶ। ବିଡ଼ମ୍ବନା ଯେ ‘ବ’ରେ ବି ହୁଏ ବିସ୍ଥାପନ। କିନ୍ତୁ ତାହାକୁ ସ୍ଵୀକାର ମଧ୍ୟ କରିବା ଯେମିତି ଏକ ଅପରାଧ, ଏଭଳି ଅବଧାରଣା ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ତିଆରି ସରିଛି। ଲୋୟର ସୁକତେଲ ଡ୍ୟାମ ପ୍ରତିଷ୍ଠା ହେଲେ ବଲାଙ୍ଗୀର ସହରକୁ ପାଣି ଯୋଗାଇ ଦିଆଯିବ ବୋଲି ଏହି ଯୋଜନାର ପ୍ରସ୍ତୁତି ସମୟରେ ସରକାରଙ୍କ ଦ୍ଵାରା ପ୍ରତିଶୃତି ଦିଆଯାଇଥିଲା। ମାତ୍ର ଏଥିଲାଗି ଆବଶ୍ୟକୀୟ କେନାଲ ନିର୍ମାଣ ପୂର୍ବରୁ ଗଲା ବର୍ଷ ପ୍ରାରମ୍ଭରେ ରାଜ୍ୟ ସରକାର ଜଳ ଭଣ୍ଡାରରେ ପାଣି ରଖିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହା କିଭଳି ହେଲା ତାହାକୁ ପ୍ରଶ୍ନ କରାଯାଇପାରିଲା ନାହିଁ। ଜଳ ଭଣ୍ଡାରରେ ଏଭଳି ପାଣି ରଖିବା ଦ୍ଵାରା ଅନେକ ଗାଁରେ ପାଣି ପଶିଗଲା। ଅନେକ ଘର ବୁଡ଼ି ଗଲା। କୌଣସି କ୍ଷତିପୂରଣ ପାଇନଥିବା ଲୋକେ ବି ବାଧ୍ୟ ହୋଇ ଗାଁ ଛାଡ଼ିଲେ। ସରକାରୀ ହିସାବରେ ଜିଲ୍ଲାର ତିନୋଟି ବ୍ଲକ (ବଲାଙ୍ଗୀର, ପାଟଣାଗଡ଼ ଓ ଲୋଇସିଂହା)ର ୨୯ଟି ଗ୍ରାମର ୧୦,୪୧୬ ପରିବାର ଜୀବିକା ହରାଇଲେ।

ପରିସ୍ଥିତିକୁ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଗଲା ବର୍ଷ ସେପ୍ଟେମ୍ବର ମାସରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଲୋୟର ସୁକତେଲ ଦ୍ଵାରା ବିସ୍ଥାପିତ ପରିବାରଙ୍କୁ ସେମାନଙ୍କ ପୁନର୍ବାସ କଲୋନୀରେ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ଵୟ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ, ଏଆଇସିସିଟିୟୁ ଓ ଇନସାଫର ସଦସ୍ୟମାନେ ଥିଲେ।

Advertisment

ଉକ୍ତ ଦଳ ଯାଇଥିବା କୁସୁମେଲ କଲୋନୀରେ ଲୋଇସିଂହା ବ୍ଲକର ବେର୍ଣାପାଲି, କୋଇଣ୍ଡାପାଲି, ଡୁଙ୍ଗୁରିପାଲି ଗ୍ରାମରୁ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ୩୫ ପରିବାର ରହୁଛନ୍ତି। ସେମାନଙ୍କୁ ଘର କହିଲେ ମିଳିଛି ୧୫ ଫୁଟରେ ୧୨ ଫୁଟ ପରିମିତ ଏକ ଟିଣ ଘର। ଏହାର କାନ୍ଥ, ଛାତ, କବାଟ ଓ ଘର ସବୁ ଟିଣରେ ନିର୍ମିତ।

ବିସ୍ଥାପିତଙ୍କୁ ୫ ଡେସିମଲ ଜମି ଯୋଗାଇ ଦିଆଯିବାର ଯେଉଁ ପ୍ରତିଶୃତି ଦିଆଯାଇଥିଲା ତାହା କାର୍ଯ୍ୟକାରୀ ହୋଇନାହିଁ। କଲୋନୀ ନିକଟରେ ପାଣିର ସୁବିଧା ନାହିଁ। ପଶ୍ଚିମ ଓଡ଼ିଶାର ଅତ୍ୟଧିକ ରୌଦ୍ରତାପରୁ ନିଜକୁ ବଞ୍ଚାଇବା ଲାଗି ନଦୀ ପାଖର ଏହି ମଣିଷମାନଙ୍କୁ ଏକ ଉପାନ୍ତ ଶୁଷ୍କ ଓ ବୃକ୍ଷବିହୀନ ଅଞ୍ଚଳରେ ସଂଘର୍ଷ କରିବାକୁ ପଡୁଛି।

ଉକ୍ତ ଦଳ ବନଛୋରପାଲିର ସ୍ଥାୟୀ କଲୋନୀକୁ ମଧ୍ୟ ଯାଇଥିଲେ। ସେଠାରେ ମଧ୍ୟ ଲୋକେ ଟିଣ ଘରେ ବସବାସ କରୁଛନ୍ତି। ପାଖରେ ନୂଆ ରାସନ କାର୍ଡ ନାହିଁ। ପିଲାଙ୍କ ପଢ଼ିବା ଲାଗି ଜାତି ସାର୍ଟିଫିକେଟ ନୂଆ ଠିକଣାରେ ମିଳୁନାହିଁ। ଜମି ବିକି ଯେଉଁ ଅର୍ଥ ପାଇଥିଲେ ସେଥିରେ ଅଧା ଜମି ମଧ୍ୟ ହେଉନାହିଁ। କାରଣ ଜମିର ଦର ବଢ଼ିଯାଇଛି। ନଦୀର ପାଣିରେ ବର୍ଷ ତମାମ ଚାଷ କରୁଥିବା ପରିବାର ଏବେ ଜୀବିକା ବିହୀନ ଜୀବନ ବିତାଉଛନ୍ତି। ଧୀରେ ଧୀରେ ଅର୍ଥ ସରିଯିବାରେ ଲାଗିଛି।

ବିକାଶର ଅର୍ଥ ମଣିଷର ଖୁସିର ଚିହ୍ନ। ଏହା ନିଜ ଭିତରର ଖୁସିର ହସ ଯାହା କେବଳ ଆତ୍ମିକ ସନ୍ତୋଷରୁ ଆସିଥାଏ। ଦେଶର ଅର୍ଥନୀତି ଯେତେ ସମାନତା ଆଡ଼କୁ ଯିବ ସେତେ ଏହି ହସ ସବୁଠାରେ ଦେଖାଯିବ। ଦେଶରେ ବିକାଶ ହେଲେ ଲୋକଙ୍କ ମଧ୍ୟରେ ସେହି ଆତ୍ମିକ ହସ ଦେଖାଯିବ ବୋଲି ଗଲା ଅଶି ବର୍ଷ ତଳେ ହୀରାକୁଦ ନଦୀବନ୍ଧ ଯୋଜନା କରାଯାଇଥିଲା। ବାସ୍ତବରେ କିନ୍ତୁ ଏସିଆର ଏହି ବୃହତ୍ତମ ନଦୀବନ୍ଧ ଯୋଜନାରେ ପଚାଶ ଦଶକରେ ୧୫,୦୦୦ ପରିବାରଙ୍କୁ ବିସ୍ଥାପିତ କରଯାଇଥିଲା। ଏହା ସରକାରୀ ଭାବରେ କୁହାଗଲା। ପ୍ରକୃତ ସଂଖ୍ୟା ଏହାଠାରୁ ବେଶ ଅଧିକ।

ହୀରାକୁଦ ବିସ୍ଥାପିତଙ୍କ ଲାଗି ‘ଆଦର୍ଶ ଗ୍ରାମ’ ରହିଥିବା କଥା ସରକାରୀ ସ୍ତରରେ କୁହାଯାଇଥିଲା। ବିସ୍ଥାପିତ ଲୋକେ ଅଧିକ ସୁଖରେ ଏଠାରେ ରହିବେ ବୋଲି ଭାରତ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଓ ଆଜାର ମୀରଙ୍କ ଦ୍ଵାରା ନିର୍ମିତ ବୃତ୍ତଚିତ୍ର ‘ହିରାକୁଦ’ ଫିଲ୍ମରେ ଦେଖାଗଲା। ଜମଡ଼ା ଗ୍ରାମର ଯେଉଁ ୨୪ ଆଦିବାସୀ-ଦଳିତ ପରିବାରଙ୍କୁ ପ୍ରଥମେ ବିସ୍ଥାପିତ କରାଯାଇଥିଲା ସେମାନଙ୍କୁ ନା ମିଳିଥିଲା ଘର ନା ଜମି ବଦଳରେ ଜମି। ୧୯୫୦ ମସିହାର ବିଧାନସଭା ବିବରଣୀରୁ ମିଳେ ଯେ ଗ୍ରାମବାସୀଙ୍କ ୨୭ ଏକର ୭୬ ଡେସିମଲ ଜମି ଲାଗି କ୍ଷତିପୂରଣ ରାଶି ଥିଲା ମାତ୍ର ୫୧୯ ଟଙ୍କା, ଅର୍ଥାତ ଏକର ପିଛା ମୂଲ୍ୟ ଥିଲା ମାତ୍ର ୧୮ ଟଙ୍କା ୧୨ ଅଣା ପଇସା। ତାହାକୁ ମଧ୍ୟ ବିଧାନସଭାରେ ‘ଉପଯୁକ୍ତ କ୍ଷତିପୂରଣ’ ବୋଲି ଯୁକ୍ତି କରାଯାଇଥିଲା।

ଗୃହଶୂନ୍ୟ, ଜୀବିକାଶୂନ୍ୟ ମହାନଦୀବାସୀଙ୍କ ରାଲି ଆଜି ବି ସମ୍ବଲପୁରରେ ହୁଏ। ସେମାନେ ସମ୍ବଲପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ଦିଅନ୍ତି। ସରକାର ବଦଳନ୍ତି। ନୂଆ ସରକାର ପୁଣି ପୁରୁଣା ପ୍ରତିଶୃତି ଦିଅନ୍ତି। କିନ୍ତୁ ‘ଠିକଣା ମିଳୁନାହିଁ’ର ବାହାନାରେ ସେ ପ୍ରତିଶୃତି କିଛି କାମ କରେନାହିଁ। ଠିକଣା ମିଳୁଥିବା ଲୋକଙ୍କୁ ସେ କ୍ଷତିପୂରଣ ମିଳେନାହିଁ। ସେମାନେ ଦୀର୍ଘ ସତୁରୀ ବର୍ଷ ପରେ ବି ଦୟନୀୟ ଜୀବନ ବିତାଉଛନ୍ତି। ତାହା ସେହି ରାଲି ହିଁ ବର୍ଣ୍ଣନା କରିଦିଏ।

ଡ୍ୟାମର ଇତିହାସ ବେଶ ଲମ୍ବା। ପ୍ରାଚୀନ ସଭ୍ୟତାରେ ଛୋଟ ଛୋଟ ବନ୍ଧ ଦ୍ଵାରା ବର୍ଷା ପାଣିକୁ ଅଟକାଇ ପାନୀୟ ଓ କୃଷି ଲାଗି ବ୍ୟବହାର କରାଯାଉଥିଲା। ଉନ୍ନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ ଧନୀ ବ୍ୟକ୍ତି, ରାଜା ଓ କିଛି ସ୍ଥାନୀୟ ସରକାରଙ୍କ ଦ୍ଵାରା ବିଭିନ୍ନ ଦେଶରେ ନଦୀବନ୍ଧ କରାଯାଉଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ।

ବହୁମୁଖୀ ବିରାଟ ନଦୀବନ୍ଧ ଯୋଜନା କିନ୍ତୁ ବିଂଶ ଶତାବ୍ଦୀରେ ଆମେରିକା ସରକାରଙ୍କ ନିଜସ୍ଵ ତତ୍ତ୍ୱାବଧାନରେ ପ୍ରଥମେ ଆରମ୍ଭ ହୋଇଥିଲା। ଏଭଳି ଜଳଭଣ୍ଡାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜଳବିଦ୍ୟୁତ ସୃଷ୍ଟି ଓ ଶିଳ୍ପକୁ ସହାୟତା। ୧୯୩୦ ଦଶକରେ ଆମେରିକାର ଶିଳ୍ପ ଅର୍ଥନୀତିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ହୁଭର ଡ୍ୟାମ, ଗାରିସନ ଡ୍ୟାମ, ଗ୍ରାଣ୍ଡ କୌଲି ଡ୍ୟାମ ସରକାରଙ୍କ ପ୍ରତ୍ୟକ୍ଷ ଅର୍ଥ ବିନିଯୋଗ ଦ୍ଵାରା ନିର୍ମିତ ହୋଇଥିଲା।

ବହୁମୁଖୀ ନଦୀବନ୍ଧ ଯୋଜନା ପୂର୍ବ ନଦୀବନ୍ଧ ଠାରୁ ଭିନ୍ନ ଥିଲା। ବିଦ୍ୟୁତ ଉତ୍ପାଦନ ଲାଗି ଆବଶ୍ୟକ ଟରବାଇନ ଅଧିକ ଦିନ ଚାଲିବା ଲାଗି ଜଳଭଣ୍ଡାରର ଆକାର ଏଥିରେ ବିଶାଳ କରାଗଲା। ଟରବାଇନ ଯେପରି ଅଧିକ ବେଗରେ ଚାଲିବ ସେଥିଲାଗି ନଦୀବନ୍ଧର ଉଚ୍ଚତା ମଧ୍ୟ ଅଧିକ ରଖାଗଲା। ଜଳଭଣ୍ଡାରରେ ଅଧିକ କ୍ୟୁବିକ ମିଟର ଜଳ ରହିଲେ ତାହା ଅଧିକ ଚାପ ସୃଷ୍ଟି କରି ହୁଏତ ବନ୍ଧକୁ କେଉଁଠି ଭାଙ୍ଗିଦେଇପାରେ। ତେଣୁ ନଦୀର ଉଭୟ ପଟରେ ଅଧିକ ସଂଖ୍ୟାରେ ଲାଗି ଲାଗି ଯେଉଁଠି ପାହାଡ଼ ରହିଛି ପାହାଡ଼ ପାହାଡ଼ ମଧ୍ୟରେ ରହିଥିବା ଶୂନ୍ୟସ୍ଥାନକୁ ଯୋଡି ଜଳଭଣ୍ଡାରର ଆକରକୁ ଅତି ବିଶାଳ କରାଗଲା।

ବିଶାଳ ଜଳଭଣ୍ଡାର ନିର୍ମାଣ ହେତୁ ଏହାରି ମଧ୍ୟରେ ସହର, ଗାଁ, ଜଙ୍ଗଲ, ଦେବାଳୟ, ଚାଷଜମି ଇତ୍ୟାଦି ଲୁପ୍ତ ହୋଇଗଲେ। ତାହାର ଅର୍ଥନୀତିକୁ କ୍ଷତିପୂରଣ ଆଳରେ ଗୌଣ କରିଦିଆଗଲା। ଉତ୍ପାଦନ ଶିଳ୍ପର ଗୁରୁତ୍ଵ ବଢାଇବା ପାଇଁ ନଦୀବନ୍ଧ ଯୋଜନାକୁ ବିକାଶ ସହିତ ଯୋଡି ଏହାକୁ ଅତି ଆବଶ୍ୟକ ବୋଲି ଯୁକ୍ତି କରାଗଲା।

ଶିଳ୍ପ ଅର୍ଥନୀତିରେ ହିଁ ସମ୍ପତ୍ତି ଦ୍ରୁତ ଗତିରେ ଠୁଳ ହେବାର ସମ୍ଭାବନା ରହିଛି, କୃଷି କି ଜଙ୍ଗଲ ଅର୍ଥନୀତିରେ ସେହି ସମ୍ଭାବନା ନାହିଁ। ସମ୍ପତ୍ତିର ଦ୍ରୁତ ଠୁଳିକରଣ ପ୍ରକ୍ରିୟାକୁ ସମାଜରେ ଗ୍ରହଣୀୟ କରାଇବା ଲାଗି ‘ବିକାଶ’ ଶବ୍ଦର ପରିଭାଷାକୁ ସରକାରୀ ସହାୟତାରେ ପରିବର୍ତ୍ତନ କରିଦିଆଗଲା। ଆଜି ଯେଉଁମାନେ ନଦୀବନ୍ଧ ଯୋଜନାକୁ ବିକାଶର ନାମରେ ସମର୍ଥନ କରୁଛନ୍ତି ସେମାନେ ଧନୀକୁ ଧନୀ ଓ ଅନ୍ୟମାନଙ୍କୁ ଅଧିକ ଗରିବ କରିବାର ପ୍ରକ୍ରିୟାକୁ କେବଳ ସମର୍ଥନ କରୁଛନ୍ତି, ବିକାଶକୁ ନୁହେଁ।

ଚାଳିଶ ଦଶକରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ହ୍ୟାରି ଟ୍ରୁମ୍ୟାନ (୧୯୪୫ ରୁ ୧୯୫୩) ଆମେରିକା ଶିଳ୍ପପତିଙ୍କ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ଲାଗି ‘ମାର୍ଶାଲ ଯୋଜନା’ ପ୍ରଣୟନ କରିଥିଲେ। ଏଭଳି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦେଶୀ ରାଷ୍ଟ୍ରଙ୍କୁ ସର୍ତ୍ତମୂଳକ ଅର୍ଥ ସହାୟତା ଓ ବୈଷୟିକ ସହାୟତା ଯୋଗାଇବା, ‘କମ୍ୟୁନିଜିମ’କୁ ବିରୋଧ କରିବା ଲାଗି ପ୍ରବର୍ତ୍ତାଇବା, ୱାର୍ସଠାରୁ ଦୂରରେ ରହିବା ଶିଳ୍ପ ଲାଗି ବିଭିନ୍ନ ୟୁରୋପ ଓ ଏସିଆରେ ଭିତ୍ତିଭୂମି ନିର୍ମାଣ କରିବା, ମୁକ୍ତ ବଜାର ଅର୍ଥନୀତି ପ୍ରଚଳନ କରିବା ଓ ‘ନାଟୋ’ ମାଧ୍ୟମରେ (୧୯୪୯ ମସିହାରେ ଗଠିତ) ଯୁଦ୍ଧ ଶିଳ୍ପକୁ ପ୍ରମୁଖତା ଦେବା। ଶିଳ୍ପ କାରଖାନା ଲାଗି ଅବିଚ୍ଛିନ୍ନ ବିଦ୍ୟୁତ ସଂଯୋଗର ଆବଶ୍ୟକ ରହିଛି। ଏଥିଲାଗି ବହୁମୁଖୀ ନଦୀବନ୍ଧ ଯୋଜନାକୁ ଆମେରିକା ସମେତ ବିଶ୍ଵର ଅନେକ ଦେଶରେ କାର୍ଯ୍ୟକାରୀ କରାଯାଇଥିଲା।

ଏଭଳି ଯୋଜନା ମଣିଷ ସମାଜ ଓ ପ୍ରକୃତିର ଅନେକ କ୍ଷତି କରୁଥିଲେ ମଧ୍ୟ ‘ବିକାଶ’ର ଏକମାତ୍ର ରାସ୍ତା ଭାବରେ ଯୁକ୍ତି କରାଯାଇଥିଲା। ସମଗ୍ର ବିଶ୍ଵକୁ ବିକଶିତ, ବିକାଶମୁଖୀ ଓ ଅବିକଶିତ ଭାବରେ ବିଭାଗୀକରଣ କରିବା ଓ ସେଥିରେ ଆମେରିକାକୁ ବିକଶିତ ଦେଶ ବୋଲି ଡିଣ୍ଡିମ ପିଟିବା ପରେ ଆମେରିକାର ଅନୁକରଣ ହିଁ ଦେଶର ପ୍ରକୃତ ବିକାଶ ବୋଲି ବିଭିନ୍ନ ଦେଶର ସରକାରୀ ସ୍ତରରେ ଧରିନିଆଗଲା।

ଭାରତରେ ପଚାଶ ଦଶକରେ ନେହେରୁ ଅର୍ଥନୀତିରେ ହୀରାକୁଦ ନଦୀବନ୍ଧ ଯୋଜନା ହୋଇଥିଲା। ନଦୀବନ୍ଧ ଗଠନର ଠିକ ପରେ ପରେ, ଷାଠିଏ ଦଶକରେ ଆଦିତ୍ୟ ବିରଳାର ଆଲୁମିନିୟମ ପ୍ଳାଣ୍ଟ ଓ କାଗଜ କଳ ହୀରାକୁଦ ଜଳଭଣ୍ଡାର କଡରେ ନିର୍ମିତ ହେଲା। ପରେ ପରେ ଜିନ୍ଦଲ, ବେଦାନ୍ତ, ଭୂଷଣ (ଏବେ ଟାଟା) ଇତ୍ୟାଦିଙ୍କ ଅନେକ ପ୍ରକାରର ପ୍ଳାଣ୍ଟ ହୀରାକୁଦ ଜଳଭଣ୍ଡାରରୁ ଜଳ ଓ ବିଦ୍ୟୁତ ନେବା ଲାଗି ଚାଲିଆସିଲେ। ହୀରାକୁଦ ନଦୀବନ୍ଧ ନିର୍ମାଣ ପରେ ପରେ କୃଷକ ସମବାୟ ହାତକୁ ଜଳବଣ୍ଟନର ଅଧିକାର ଦିଆଗଲା ନାହିଁ। ସରକାର ନିଜେ ଏହାକୁ ନିଜ ହାତରେ ରଖିଲେ। ପରେ ଜଳଭଣ୍ଡାର ଜଳକୁ ବିଭିନ୍ନ କମ୍ପାନୀମାନଙ୍କୁ ଦିଆଗଲା।

ମହାନଦୀର ଉପରମୁଣ୍ଡରେ ମଧ୍ୟ ସେହି ଅବସ୍ଥା। ଜଳଭଣ୍ଡାରରୁ ପାଣି ନପାଇବା କାରଣରୁ ଚାଷୀମାନେ ଚାଷୀରେଖା ଟାଣି, ମାନବ ଶୃଙ୍ଖଳ କରି ସରକାରଙ୍କ କୃଷି ମାରଣ ଓ ଶିଳ୍ପ ବଞ୍ଚାଅ ନୀତିର ପ୍ରତିବାଦ କରୁଛନ୍ତି। ବିରୋଧୀ ଦଳରେ ଥିବା ସମୟରେ ଭାରତୀୟ ଜନତା ପାର୍ଟି ମହାନଦୀ ପ୍ରସଙ୍ଗରେ ବିଜୁ ଜନତା ଦଳକୁ ବିରୋଧ କରୁଥିଲା। ମାତ୍ର ଏବେ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ବିଜେପିର ତିନି ଇଞ୍ଜିନ ସରକାର ଥାଇ ମଧ୍ୟ ମହାନଦୀର ଜଳ ଉପରେ କୃଷକର ଅଧିକାରକୁ ନିଶ୍ଚିତ କରୁନାହାନ୍ତି। ଏହାର କାରଣ ବେଶ ସ୍ପଷ୍ଟ।

ଆଜି ଲୋୟର ସୁକତେଲ ନଦୀବନ୍ଧ ଯୋଜନା ଆଗାମୀ ଦିନରେ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବ, ଏହି ଉଦ୍ଦେଶ୍ୟ ରଖି ନିର୍ମିତ ହୋଇଛି। ସୁକତେଲର ଉପର ମୁଣ୍ଡରେ ଗନ୍ଧମାର୍ଦ୍ଦନ ବକ୍ସାଇଟ ପାହାଡ଼ ରହିଛି। ଏଥିରୁ ବକ୍ସାଇଟ ନେବା ଲାଗି ବେଦାନ୍ତ ଓ ଆଦାନୀ ଇତ୍ୟାଦି କମ୍ପାନୀ କେବେଠାରୁ ଧାଡ଼ି ଲଗାଇଛନ୍ତି। ନଦୀବନ୍ଧ ଦ୍ଵାରା ଯେ ବିକାଶ ହେବ ତାହାକୁ କେବଳ ଏକ ବାହାନା ଭାବରେ ବ୍ୟବହାର କରାଯାଉଛି। ବରଂ ଏହା ସ୍ଥାନୀୟ ଅଞ୍ଚଳରେ ଶୋଷଣ ଅର୍ଥନୀତିକୁ ହିଁ ପ୍ରୋତ୍ସାହିତ କରୁଛି।

ବିସ୍ଥାପିତଙ୍କ ଦୟନୀୟ ସ୍ଥିତି ଓ ନଦୀବନ୍ଧ ଯୋଜନା ପଛରେ ରହିଥିବା ଶୋଷଣ ଅର୍ଥନୀତିକୁ ବିରୋଧ କଲେ ସେଭଳି ଆଲୋଚନାକାରୀକୁ ସରକାରଙ୍କ ଦ୍ଵାରା କେବେ ‘ଦେଶଦ୍ରୋହୀ’ ଓ ‘ବିକାଶ ବିରୋଧୀ’ କହି ଜେଲ ପଠାଇ ଦିଆଯାଉଛି, ତୀରଷ୍କାର କରାଯାଉଛି ଓ ଆକ୍ରମଣ ମଧ୍ୟ କରାଯାଉଛି। ଏହି ସମସ୍ତ ବୃହତ ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ଓ ଜୀବିକା ହରାଉଥିବା ସ୍ଥାନୀୟ ଅଧିବାସୀମାନଙ୍କ ବିରୋଧର ସ୍ଵରକୁ ଦବାଇ ଦିଆଯାଉଛି- ନା କୌଣସି ସରକାର ବିସ୍ଥାପିତଙ୍କ ସମସ୍ୟାକୁ ସମାଧାନ କରିବା ଲାଗି ଚାହୁଁଛନ୍ତି ନା କେଉଁଠି ବି ସେମାନଙ୍କ ଜୀବନ ସୁରକ୍ଷିତ ରହୁଛି। କିନ୍ତୁ ପୁଣି ଏକ ନୂଆ ନଦୀବନ୍ଧ ପ୍ରକଳ୍ପର ଯୋଜନା କରାଯାଉଛି।

କୌଣସି ବି ନୂତନ ନଦୀବନ୍ଧ ଯୋଜନାକୁ ଆଦୌ ଅନୁମତି ନଦେବା ଦ୍ଵାରା ହିଁ ସମାଜର ଓ ଦେଶର ପ୍ରକୃତ ବିକାଶ ହୋଇପାରିବ। ବିରୋଧ ହିଁ ‘ବ’ ଅକ୍ଷରର ପ୍ରକୃତ ଚିତ୍ର ହେଉ।

ମୋବାଇଲ- ୯୪୩୭୭୬୨୨୭୨

Odisha Balangir Development Lower Suktel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe