ଜାନକୀଶ ବଡ଼ପଣ୍ଡା
ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ ଉତ୍କର୍ଷ ଓଡ଼ିଶା -୨୦୨୫ ଶିଳ୍ପ ସମାରୋହ। ଓଡ଼ିଶାରେ ପର୍ଯ୍ୟଟନକୁ ଶିଳ୍ପ ମାନ୍ୟତା ଦିଆଯାଇ ଥିବାରୁ ଏହି ସମାରୋହରେ ପର୍ଯ୍ୟଟନ ବିକାଶ ପାଇଁ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ ବୋଲି ଆଶା କରାଯାଇପାରେ। କାରଣ, ରୋଜଗାର ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଅପାର ସାମର୍ଥ୍ୟ ତଥା ସମ୍ଭାବନା ରହିଛି ପର୍ଯ୍ୟଟନ ବିକାଶରେ।
ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣ ବିନା, କେବଳ ପ୍ରକୃତିଦତ୍ତ ନୈସର୍ଗିକ ସମ୍ପଦକୁ ଉପଯୋଗ କରି ଆଞ୍ଚଳିକ ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି କରି ରୋଜଗାର ବୃଦ୍ଧି କରିବା ଓ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସମ୍ଭବ ହୋଇଥାଏ କେବଳ ପର୍ଯ୍ୟଟନ ଶିଳ୍ପ ଜରିଆରେ। ଖଣିଜ ସମ୍ପଦ ରପ୍ତାନୀ ନକରି ବୈଦେଶିକ ମୁଦ୍ରା ରୋଜଗାର ବୃଦ୍ଧି କରିବା ସମ୍ଭବ ହୋଇଥାଏ ଯଦି ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ରାଜ୍ୟକୁ ଆସନ୍ତି I କିନ୍ତୁ ଆମେ ଓଡିଶାର ବିଶ୍ୱସ୍ତରୀୟ ହୀରକ-ତ୍ରିଭୁଜ ପର୍ଯ୍ୟଟନକ୍ଷେତ୍ର ରତ୍ନଗିରି-ଉଦୟଗିରି-ଲଳିତଗିରି ପ୍ରତି ଅଣଦେଖା କରିଆସିଛେ। ଓଡ଼ିଶାର ବିରଳ ଐତିହାସିକ ବୌଦ୍ଧବିହାରଗୁଡ଼ିକୁ ଆମେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରି ନଥିବାରୁ କେବଳ ଭୁବନେଶ୍ବର-ପୁରୀ-କୋଣାର୍କ ସ୍ୱର୍ଣ୍ଣ ତ୍ରିଭୁଜ ଉପରେ ନିର୍ଭରଶୀଳ ହୋଇ ଓଡ଼ିଶା ପର୍ଯ୍ୟଟନ ରହିଆସିଛି। ଓଡ଼ିଶା ଆସୁଥିବା ପର୍ଯ୍ୟଟକମାନଙ୍କୁ ପର୍ଯ୍ୟଟନ-ବିବିଧତା ପରିବେଷଣ ନକଲେ, ସେମାନେ ଭାରତ ଆସିଲେ, କେରଳ, ଗୋଆ କିମ୍ବା ରାଜସ୍ଥାନ ନଯାଇ ଓଡ଼ିଶା ଆସିବାକୁ ଆଗ୍ରହୀ ହେବେ ବା କାହିଁକି?

ହଜାର ହଜାର ବର୍ଷର ଗୌରବମୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ମୂକସାକ୍ଷୀ ହୀରକ ତ୍ରିଭୁଜ। ରାଜ୍ୟର ୩ଟି ପ୍ରସିଦ୍ଧ ବୌଦ୍ଧ ବିହାର ମଧ୍ୟରୁ ଗୋଟିଏ ଲଳିତଗିରି, ଯାହା କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳରେ ରହିଛି। ଅବଶିଷ୍ଟ ୨ଟି ବୌଦ୍ଧବିହାର ରହିଛି ଯାଜପୁର ଜିଲ୍ଲାର ରତ୍ନଗିରି ଓ ଉଦୟଗିରିରେ। ଏହି ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳଗୁଡିକ ଏବେ ଅବହେଳାର ଶୀକାର ହୋଇ ଧ୍ୱଂସମୁଖରେ ପଡ଼ିଛନ୍ତି। ଉଦୟଗିରି ବୌଦ୍ଧ ବିହାରରେ ଅନ୍ତର୍ଜାତୀୟ ମାନର ସଂଗ୍ରହାଳୟଟିଏ ନାହିଁ। ହଜାରହଜାର ବର୍ଷ ତଳର ମୂର୍ତ୍ତିଗୁଡ଼ିକ ଖରା, ବର୍ଷା କାକରରେ ପଡି କ୍ଷୟ ହେବାରେ ଲାଗିଛି। ଏପରିକି ବହୁ ବର୍ଷ ତଳୁ ଏହି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ସନ୍ଧାନ ମିଳିଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ କିଛି ସୁରକ୍ଷା କର୍ମୀ ମୁତୟନ କରି ନିଶ୍ଚିନ୍ତରେ। ଅନେକ ବିରଳ ମୂର୍ତ୍ତି ଏଥି ମଧ୍ୟରେ ଚୋରି ହୋଇଗଲାଣି। ଏହାର ଗାରିମମୟ ଇତିହାସ ଏବେ ବି ମାଟି ତଳେ ପୋତି ହୋଇ ଅଜଣା ରହିଯାଇଛି। ରତ୍ନଗିରିରେ କିଛି ମୂର୍ତ୍ତି ଯଦିଓ ସଂଗ୍ରହାଳୟରେ ରହିଛି, ଅଧିକାଂଶ ବାହାରେ ବିକ୍ଷିପ୍ତ ଭାବେ ପଡ଼ିରହିଛି। ଏହି ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳ ଗୋରୁଗାଈଙ୍କ ଚାରଣ ଭୂଇଁ ପାଲିଟିଛି। ଏହା ଦ୍ୱାରା କେବଳ କୀର୍ତ୍ତିରାଜି ନଷ୍ଟ ହେଉନାହିଁ, ବରଂ ପାହାଡ଼ ଉପରେ ଥିବା ଏହି ୨ଟି ବୌଦ୍ଧ ବିହାରକୁ ଆସୁଥିବା ଗବେଷକ ଓ ଐତିହାସିକଙ୍କ ପାଇଁ ପରିବେଶ ଅସୁରକ୍ଷିତ ହୋଇ ଯାଇଛି। ଦେଶ ବିଦେଶରୁ ଆସୁଥିବା ବୌଦ୍ଧାବଲମ୍ବୀମାନେ ଏଠାରେ ରହି ଧ୍ୟାନ ପ୍ରାର୍ଥନା କରିବା ସମ୍ଭବ ହେଉନାହିଁ। ଇତିହାସର ମୂକସାକ୍ଷୀ ଏହି ବୌଦ୍ଧ ବିହାରକୁ ଚୀନ୍, ଜାପାନ୍ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରରୁ ପର୍ଯ୍ୟଟନରେ ଆସୁଥିବା ବିଦେଶୀ ଗବେଷକ, ଐତିହାସିକ, ପର୍ଯ୍ୟଟକ, ଲେଖକ ଓ ସାମ୍ବାଦିକମାନେ ନିରାଶା ବ୍ୟକ୍ତ କରୁଛନ୍ତି। ସେମାନଙ୍କ ନିରାପଦ, ସୁଖଦ ରହଣୀ ପାଇଁ ପରିଚ୍ଛନ୍ନ କୋଠାରୀ, ସ୍ବାସ୍ଥ୍ୟକର ଖାଦ୍ୟ-ପାନୀୟ ଓ ଶୌଚାଳୟ ବ୍ୟବସ୍ଥା ନାହିଁ। ଏଠାରେ ପର୍ଯ୍ୟଟନ ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇଥିବାର ଅନୁଭବ କରିହେବ ନାହିଁ। ଯାଜପୁର ଏକ ଶିଳ୍ପୋନ୍ନତ ଜିଲ୍ଲା ହୋଇଥିବାରୁ ବୃହତ ଶିଳ୍ପାନୁଷ୍ଠାନମାନେ ପ୍ରଦାନ କରୁଥିବା ସିଏସ୍ଆର୍ ଅନୁଦାନ ବ୍ୟବହାର କରି ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରଭାବେ ହୀରକ ତ୍ରିଭୁଜକୁ ବିଶ୍ୱ ପର୍ଯ୍ୟଟନ-ମାନଚିତ୍ରରେ ଉଚିତ ଗୁରୁତ୍ୱ ଦିଆଯାଇ ପାରିଥାଆନ୍ତା। ଅଥଚ ସ୍ଥାନୀୟ ପ୍ରଶାସନ, ଲୋକପ୍ରତିନିଧି, ରାଜ୍ୟ କିମ୍ବା କେନ୍ଦ୍ର ସରକାର କେହିବି ଏଥିପ୍ରତି ଗୁରୁତ୍ୱ ଦେଇ ନାହାନ୍ତି।
ଲଲିତଗିରି ବା ନଳିତଗିରି ବୌଦ୍ଧପୀଠ ରତ୍ନଗିରି ଭଳି ଏକ ପୁରାତନ କୀର୍ତ୍ତିରାଜିର ଭଣ୍ଡାର। ଲଳିତଗିରି, ଉଦୟଗିରି ଓ ରତ୍ନଗିରି ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ ବିଶେଷ। ଏହାର ଐତିହାସିକ ନାମ ଥିଲା ମାଧବପୁର ମହାବିହାର। ୧୯୮୫ରୁ ୧୯୯୨ ମଧ୍ୟରେ ଲଳିତଗିରିର ଉତ୍ଖନନ କରାଯିବା ବେଳେ ବହୁ ଦୁର୍ମୂଲ୍ୟ ବୁଦ୍ଧ ମୂର୍ତ୍ତି ଓ ବିଶାଳ ବୌଦ୍ଧସ୍ତୂପ ଲୋକଲୋଚନକୁ ଆସିଥିଲା। ଉକ୍ତ ସ୍ତୂପ ମଧ୍ୟରୁ ମିଳିଥିଲା ଗୋଟିଏ ଭିତରେ ଆଉ ଗୋଟିଏ ଥିବା ୪ଟି ଫରୁଆ। ଖାଣ୍ଡେଲାଇଟ ପଥରରେ ନିର୍ମିତ ପ୍ରଥମ ଫରୁଆ ମଧ୍ୟରେ ଖଡିପଥର ନିର୍ମିତ ଏକ ଫରୁଆ, ତା’ମଧ୍ୟରେ ରୂପାର ନିର୍ମିତ ଫରୁଆ ଏବଂ ସେଥିମଧ୍ୟରେ ଥିଲା ଏକ ସୁନା ଫରୁଆ। ସୁନା ଫରୁଆ ମଧ୍ୟରେ ଗୌତମ ବୁଦ୍ଧଙ୍କ ଦେହାବଶେଷ ଥିଲା। ଉକ୍ତ ଦେହାବଶେଷ ସହ ୪ଟି ଫରୁଆ ବର୍ତ୍ତମାନ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱରସ୍ଥ କାର୍ଯ୍ୟାଳୟରେ ରଖାଯାଇଛି।
୧୯୮୬ ମସିହାରୁ ଉଦୟଗିରି ବୌଦ୍ଧପୀଠରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଦ୍ୱାରା ଉତ୍ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଖନନ ସମୟରେ ୧୯୮୭ ମାର୍ଚ୍ଚ ମାସରେ ଏକ ବିଶାଳ ଧ୍ୟାନୀ ମହାସ୍ତୂପ ଓ ସ୍ତୂପ ନିକଟରେ ବୁଦ୍ଧ ମହାବିହାର ଆବିଷ୍କୃତ ହୋଇଥିଲା। ୪୫ ଫୁଟ ଲମ୍ବ ଏବଂ ଓସାର ବିଶିଷ୍ଟ ଏହି ମହାବିହାର ଅଷ୍ଟମ-ନବମ ଶତାବ୍ଦୀର ଏକ ବିରଳ କୀର୍ତ୍ତି ବୋଲି ଜଣାପଡ଼ିଥିଲା। ସେହିଭଳି ୧୯୯୮ରେ ଦ୍ୱିତୀୟ ପର୍ଯ୍ୟାୟ ଉତ୍ଖନନ ସମୟରେ ସିଂହପ୍ରସ୍ଥ ମହାବିହାର ଓ ବିରଳ ଚୈତ୍ୟଗୃହ ମଣ୍ଡଳ ଆବିଷ୍କୃତ ହୋଇଥିଲା। ତାହା
ପରଠାରୁ ଆଉ ଖନନ ହୋଇନାହିଁ । କିଛିବର୍ଷ ତଳେ ଉଦୟଗିରି ବୌଦ୍ଧ ମହାବିହାରରୁ ଅନେକବାର ବିରଳ ମୂର୍ତ୍ତି ଚୋରି ହୋଇଛି; ଯାହା ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇ ପାରିନାହିଁ। ଆବିଷ୍କୃତ ସିଂହପ୍ରସ୍ଥ ବୌଦ୍ଧବିହାର ଏବେ ଭଗ୍ନସ୍ତୂପରେ ପରିଣତ ହେଲାଣି। ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବ ଓ ଖୋଲା ଆକାଶ ତଳେ ସଂରକ୍ଷଣ ଅଭାବରୁ ଏହି ମନୋରମ ବୌଦ୍ଧବିହାରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏଭଳି ପ୍ରସିଦ୍ଧ ବୌଦ୍ଧପୀଠକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଉଦ୍ୟମ ସହ ଏଠାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଇବା ଲାଗି ଏଠାରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବିଦେଶରୁ ଆସିଥିବା ଅନେକ ଗବେଷକ ଓ ପର୍ଯ୍ୟଟକ ଏହି ବୌଦ୍ଧପୀଠକୁ ବିଶ୍ୱର ବିରଳତମ ପୀଠ ବୋଲି ଅଭିହିତ କରିବା ସହ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରି ଆସିଛନ୍ତି।
ସେହିପରି ରତ୍ନଗିରି ବୌଦ୍ଧପୀଠକୁ ସର୍ବେକ୍ଷଣ କରି ଏଏସ୍ଆଇ ପକ୍ଷରୁ ୧୯୫୮ରେ ଏଠାରେ ଉତ୍ଖନନ କରାଯାଇଥିଲା। ସେହି ସମୟରେ ସେଠାରେ ବିଶାଳ ଓ ପରିବ୍ୟାପ୍ତ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା। ରତ୍ନଗିରିରୁ ବିପୁଳ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ସମେତ ବିଭିନ୍ନ ମୁଦ୍ରାରେ ଆସୀନ ମନୋଜ୍ଞ ବୌଦ୍ଧ ବିଗ୍ରହ ବୋଧିସତ୍ତ୍ୱ, ତାରା, ହାରିତୀ, ବସୁଧାରା, ପ୍ରଜ୍ଞାପାରମିତା, ମଞ୍ଜୁଶ୍ରୀ, ମହାକାଳ, ହେରୁକ, ପଦ୍ମପାଣି ବୁଦ୍ଧ ଓ ଅପରାଜିତାଙ୍କ ଶହଶହ ପ୍ରତିମା ଆବିଷ୍କୃତ ହୋଇଥିଲା। ରତ୍ନଗିରିଠାରେ ଥିବା ସଂଗ୍ରହାଳୟରେ ବୌଦ୍ଧ ଭାସ୍କର୍ଯ୍ୟ, ପୁରାତନ ଅସ୍ତ୍ରଶସ୍ତ୍ର ଆଦି ସ୍ଥାନିତ ହୋଇ ଦେଶ ବିଦେଶରୁ ଆସୁଥିବା ଶତାଧିକ ବୌଦ୍ଧପର୍ଯ୍ୟଟକଙ୍କ ପ୍ରଶଂସା ଅର୍ଜନ କରିଛି।
ଭାରତ, ଜାପାନ, ଚୀନ, ଶ୍ରୀଲଙ୍କା ସମେତ ବିଶ୍ୱର ଅନେକ ଦେଶରେ ହଜାରହଜାର ବୌଦ୍ଧ ଧର୍ମାବଲମ୍ବୀ ଅଛନ୍ତି। ବୌଦ୍ଧ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଉପଯୁକ୍ତ ବିକାଶ ହୋଇଥିଲେ, ସ୍ୱର୍ଣ୍ଣ-ତ୍ରିଭୁଜ ଭଳି ହୀରକ-ତ୍ରିଭୁଜ ମଧ୍ୟ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ପରିଗଣିତ ହୋଇଥାଆନ୍ତା। ଲଳିତଗିରି,ଉଦୟଗିରି ଓରତ୍ନଗିରି ସହିତ ଲାଙ୍ଗୁଡ଼ି ପାହାଡ଼, ବଜ୍ରଗିରି, କାଏମା, ଦେଉଳି ପାହାଡ଼ ସମେତ ବିଭିନ୍ନ ସ୍ଥାନରେ ବୌଦ୍ଧ ଐତିହ୍ୟର ପଦଚିହ୍ନ ରହିଛି। ଏସବୁର ଗବେଷଣା ସହିତ ରକ୍ଷଣାବେକ୍ଷଣ ଆବଶ୍ୟକ। ଫଳରେ ଓଡ଼ିଶାର ଗୌରବମୟ ପ୍ରାଚୀନ ଇତିହାସ ଉନ୍ମୋଚନ ହେବା ସହିତ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇ ପାରିବ।
ପୂର୍ବ ଭାରତର ପ୍ରମୁଖ ବୌଦ୍ଧ କୀର୍ତ୍ତିରାଜି ‘ହୀରକ ତ୍ରିଭୁଜ’ ପରିମଣ୍ଡଳ ଅନ୍ତର୍ଗତ ଲଳିତଗିରି-ରତ୍ନଗିରି-ଉଦୟଗିରି ଏବଂ ରାଜ୍ୟର ଅନ୍ୟ ଐତିହ୍ୟ-ସଂସ୍କୃତି ସମ୍ପନ୍ନ ପୀଠକୁ ଦକ୍ଷିଣ-ପୂର୍ବ ଏସିଆ ମହାଦେଶରେ ବାସକରୁଥିବା ବୌଦ୍ଧ ଧର୍ମାବଲମ୍ବୀ ପର୍ଯ୍ୟଟକମାନେ ଆସିବାକୁ ଆଗ୍ରହୀ। କିଛି ପ୍ରବାସୀ ଓଡ଼ିଆ ଏଥିପାଇଁ ଭିଏତନାମ ସମେତ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସ,ବାଣିଜ୍ୟ ଦୂତାବାସ ସହଯୋଗରେ ବାଣିଜ୍ୟ-ପର୍ଯ୍ୟଟନ-ସଂସ୍କୃତି ବିକାଶ ସମ୍ମିଳନୀ ଆୟୋଜନ କରୁଛନ୍ତି। କିଛିଦିନ ତଳେ ଓଡ଼ିଶାର ଉଦୟଗିରି ବୌଦ୍ଧପୀଠରେ ଆୟୋଜିତ ହୋଇଯାଇଛି ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ। ଗୁରୁ ପଦ୍ମସମ୍ଭବଙ୍କ ଜୀବନୀ, ଆଦର୍ଶକୁ ଆଧାର କରି ଅନୁଷ୍ଠିତ ହୋଇଥିବା ଏହି ମହାସମାବେଶରେ ୧୭ଟି ଦେଶର ୧୫୦୦ ବୌଦ୍ଧ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀ ଯୋଗ ଦେଇଥିଲେ। ଜାନୁଆରୀ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିବା ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧଧର୍ମର ଗୁରୁ, ପଣ୍ଡିତ, ବୌଦ୍ଧ ଧର୍ମର ପ୍ରଚାରକ ଏବଂ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟନ ବିକାଶ କରିବାର ସମ୍ଭାବନା ରହିଛି I
ଭୁବନେଶ୍ୱରରୁ ଦୁବାଇ, କୁଆଲାଲୁମ୍ପୁର, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ସିଧାସଳଖ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତିIଦକ୍ଷିଣ-ପୂର୍ବ ଏସୀୟ ଦେଶ ଭଳି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଆକାଶ ପଥରେ ସିଧାସଳଖ ଉଡାଣ ପାଇଁ ବିମାନ ଚଳାଉଥିବା ସଂସ୍ଥା ‘ଇଣ୍ଡି ଗୋ’ ଏବଂ ‘ଏଆର୍ ଏସିଆ’କୁ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଏହି ସହାୟତା ରାଶି ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ (ଭିଜିଏଫ) ମାଧ୍ୟମରେ ପ୍ରଦାନ କରାଯାଉଛି I
ଉଡାନ୍ ଯୋଜନାରେ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ନୂତନ ବିମାନ ବନ୍ଦରଗୁଡିକୁ ଭୁବନେଶ୍ବର ସହିତ ଯୋଡୁଥିବା ବିମାନ କମ୍ପାନୀଗୁଡ଼ିକୁ ଥରେ ଯିବା ଆସିବା ପାଇଁ ୫ ଲକ୍ଷ ଟଙ୍କା ଦିଆ ଯାଉଛି।ୟ ସେହିଭଳି ଆନ୍ତର୍ଜାତୀୟ ଉଡ଼ାଣପାଇଁ ପ୍ରତି ରାଉଣ୍ଡ ଟ୍ରିପ୍ ପାଇଁ ୧୦ ଲକ୍ଷ ଟଙ୍କା ଦିଆ ସହାୟତା ଯାଉଛି।I ବିମାନଯାତ୍ରୀଙ୍କ ସଂଖ୍ୟା ବଢିବା ଯାଏଁ ପ୍ରାଥମିକ ଅବସ୍ଥାରେ ଏଭଳି ସହାୟତାର ଦେବା ଆବଶ୍ୟକ ହୋଇଥାଏ। କାରଣ, କ୍ଷତିସହି ବିମାନ କମ୍ପାନୀଗୁଡ଼ିକ ବିମାନସେବା ବନ୍ଦ କରିଦେଲେ, ବିମାନସେବା ମିଳିବନି ଓ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏଣୁ ବିମାନ ଯାତ୍ରାକୁ ଅଧିକ ସୁଗମ କରିବା ଏବଂ ଆଞ୍ଚଳିକ ସଂଯୋଗକୁ ବୃଦ୍ଧି କରିବା ଲକ୍ଷରେ ଏହି ସହାୟତା ଦିଆଯାଇ ଆସୁଛି। ଆଶା କରାଯାଉଥିଲା ଯେ ଦୁବାଇ ଦେଇ ୟୁରୋପ୍ ଓ ଆମେରିକାରୁ ପର୍ଯ୍ୟଟକମାନେ ଅଳ୍ପ ଖର୍ଚ୍ଚରେ ସିଧା ସଳଖ ଓଡିଶା ଆସିବାକୁ ଆଗ୍ରହୀ ହେବେ ଏବଂ କୁଆଲାଲୁମ୍ପୁର, ସିଙ୍ଗାପୁର ଏବଂ ବ୍ୟାଙ୍କକ ଦେଇ ବୌଦ୍ଧଧର୍ମାବଲମ୍ବୀ ପର୍ଯ୍ୟଟକମାନେ ଓଡ଼ିଶାର ହୀରକ ତ୍ରିଭୁଜ ଦେଖିବେ। ମୋଟାମୋଟି ଭାବେ, ଓଡିଶାରେ ପର୍ଯ୍ୟଟନ ବଢ଼ିବ, ନିଯୁକ୍ତି ଓ ରୋଜଗାର ବୃଦ୍ଧି ହେବ। କିନ୍ତୁ, ସରକାର ପର୍ଯ୍ୟଟନ ଭିତ୍ତିଭୂମିର ଆବଶ୍ୟକ ବିକାଶ ନକରି ଭିଜିଏଫ ସହାୟତା ଦେବା ଫଳରେ, ରାଜ୍ୟ ରାଜକୋଷରୁ ଅର୍ଥ ଶ୍ରାଦ୍ଧ ହେଉଛି, ଯାହାର ଲାଭ ଉଠାଇ ଶସ୍ତାରେ ବିଦେଶ ଯାତ୍ରା କରୁଛନ୍ତି ଦେଶୀ ଧନୀକ ପର୍ଯ୍ୟଟକ। ଆମ ଅର୍ଥରେ ଲାଭ ପାଉଛି ବିଦେଶର ପର୍ଯ୍ୟଟନ ସ୍ଥଳୀ। ଆସିବା ବଦଳରେ ଆମ ଦେଶରୁ ଯାଉଛି ବିଦେଶୀ ମୁଦ୍ରା। ଏହା ଏକ ଆତ୍ମଘାତୀ ରଣନୈତିକ ପଦକ୍ଷେପ।
କୋଭିଡ୍ ପୂର୍ବରୁ ରାଜ୍ୟକୁ ଆସୁଥିବା ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଯାହା ଥିଲା, ଏବେ ତାହା କମି ଯାଇଛି। କୋଭିଡ୍ ଧକ୍କାରୁ ମୁକୁଳି ପାରିନି ପର୍ଯ୍ୟଟନ। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟକୁ ଆସିଥିଲେ ୮୬ ଲକ୍ଷ ଦେଶୀ ଓ ୪୦ ହଜାର ବିଦେଶୀ ପର୍ଯ୍ୟଟକ; ଯେତେବେଳେ କି ୨୦୧୯-୨୦ ରେ ଏହି ସଂଖ୍ୟା ଥିଲା ଯଥାକ୍ରମେ ଦେଢ଼ କୋଟି ଓ ଏକ ଲକ୍ଷ। ସେତେବେଳେ ପର୍ଯ୍ୟଟକମାନେ ସମୁଦାୟ ୧୫,୩୮୯ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବେଳେ, ତାହା ଏବେ ଖସିଆସିଛି ୮,୭୦୫ କୋଟି ଟଙ୍କାକୁ। କୋଭିଡ୍ କାଳରେ ହୋଟେଲ୍ ରହଣୀ ହାର ୨୦ ପ୍ରତିଶତକୁ ଖସିଆସିଥିଲା ବେଳେ, ଏହା ୨୦୨୨ ବେଳକୁ ବଢ଼ି ୪୬ ପ୍ରତିଶତ ଛୁଇଁଛି ସତ; କିନ୍ତୁ ୨୦୧୮ ମସିହାରେ ଥିବା ହାରାହାରି ୬୧ ପ୍ରତିଶତ ଅଙ୍କ ତଳକୁ ରହିଛି। ଏହି ହାର ଅନ୍ତତଃ ୮୦ ପ୍ରତିଶତକୁ ବଢ଼ିବା ଦରକାର। ଇକୋ-ରିଟ୍ରିଟ୍ ପ୍ରକୃତି-ପର୍ଯ୍ୟଟନ ସ୍ଥଳୀ ଓ ସେଠାକାର ସ୍ଥାନୀୟ ଅଧିବାସୀଙ୍କ ସହଭାଗିତା ଉପଯୋଗ କରାଯାଇ କ୍ରମଶଃ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଯାଇ ପାରିବ। ସେତେବେଳେ, ଏହାକୁ ପାରମ୍ପରିକ ଭାବେ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରା ବା ଟ୍ରାଭେଲିଙ୍ଗ ନକହି ନବ-ପର୍ଯ୍ୟଟନ ନାମାନୁସାରେ ‘ସୁଖଦ-ରହଣୀ’ ବା ଗ୍ଲାମ୍ପିଙ୍ଗ (ଗ୍ଲାମର କ୍ୟାମ୍ପିଙ୍ଗ) କହି ପାରିବା। ଯେହେତୁ ଆମ ରାଜ୍ୟରେ ରହିଛି ଅନେକ ଶାନ୍ତ-ସ୍ନିଗ୍ଧ ମନଲୋଭା ସାମୁଦ୍ରିକ ଉପକୂଳ, ଗିରିଶୃଙ୍ଗ, ହ୍ରଦ, ବନାନୀ, ଜଳ ପ୍ରପାତ, ଅଭୟାରଣ୍ୟ, ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ – ଏସବୁର ଆଧାରରେ ଓଡ଼ୀଶା ପର୍ଯ୍ୟଟନକୁ ଅନେକ ପାହାଚଉପରକୁ, ଅଧିକ ଉନ୍ନତସ୍ତରକୁ ଅଣାଯାଇ ପାରିବ। ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେବେ ତ ?
ଫୋନ୍ ନମ୍ବର: ୯୪୩୮୨୯୯୦୩୭