ଦେବ ରଞ୍ଜନ
ଭୁବନେଶ୍ୱରରୁ ଆନ୍ଧ୍ର ବାଟ ଦେଇ ଆପଣ ଯଦି ବସରେ କୋରାପୁଟ ଯାଉଥାନ୍ତି ତେବେ ସୁଙ୍କି ଘାଟି ଡେଇଁଲେ ଆସିବ ପଟାଙ୍ଗି ଛକ। ଏହା କୋରାପୁଟ ଜିଲ୍ଲାର ଅଂଶ କିନ୍ତୁ ଆନ୍ଧ୍ର ପ୍ରଦେଶକୁ ଛୁଇଁଛି। ପଟାଙ୍ଗି ପରେ ବସ ପୁଣି ଚାଲେ କୋରାପୁଟ, ଜୟପୁର, ନବରଙ୍ଗପୁର ଓ ମାଲକାନଗିରି ଇତ୍ୟାଦି – ପୂରା ଦକ୍ଷିଣ ଓଡ଼ିଶା। ପଟାଙ୍ଗି ବସ ଷ୍ଟପରେ ଓହ୍ଲାଇ ବ୍ଲକ ଅଫିସ ଆଡ଼କୁ ଚାହିଁଲେ ଦେଖାଯିବା ଲମ୍ବା ପାହାଡ଼। ଏହି ପାହାଡର ନାମ ସେରୁବନ୍ଧ। ସେରୁବନ୍ଧର ଝରଣାରେ ବର୍ଷ ସାରା ପାଣି ଆସେ। ସେହି ଝରଣାର ପାଣିରେ ଚାଷ କରି ଜୀବନ ବିତାଉଛନ୍ତି ୬ଟି ଗ୍ରାମ ପଞ୍ଚାୟତର ୪୪ ଗ୍ରାମର ଅନ୍ୟୁନ ୩୦ ହଜାର ଲୋକ। ଲୋକେ କହିଲେ ମୁଖ୍ୟତଃ ଆଦିବାସୀ। ସେହି ଆଦିବାସୀଙ୍କ ଭିତରେ ଅଛନ୍ତି କନ୍ଧ, ଗଦବା, ଦୁରୁଆ ଓ ପରଜା ସଂପ୍ରଦାୟ। ଏତଦବ୍ୟତୀତ ଦଳିତ ଓ ମାଳୀ ଜାତିର କିଛି ପ୍ରତିଶତ ଲୋକ ଅଛନ୍ତି। ପାହାଡ଼ରୁ ନିର୍ଗତ ଝରଣାରୁ ବର୍ଷ ତମାମ ଚାଷ କରି ଜୀବିକା ନିର୍ବାହ କରିବା ହେଲା ସେ ସମସ୍ତଙ୍କ କାମ।
ଗଲା ଅଗଷ୍ଟ ୧୦ ତାରିଖର କଥା। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ନାଲକୋର ଭୂମିପୂଜନ ଲାଗି ପହଞ୍ଚିଥିଲେ ପଟାଙ୍ଗି ଅଞ୍ଚଳରେ। ମନ୍ତ୍ରୀଙ୍କ ଗସ୍ତକୁ ସରକାରୀ ସ୍ତରରେ ସଂପୂର୍ଣ୍ଣ ଗୋପନୀୟ ରଖାଯାଇଥିଲା। ମନ୍ତ୍ରୀଙ୍କ ଆସିବା ପୂର୍ବରୁ କିନ୍ତୁ ସ୍ଥାନୀୟ ତହସିଲଦାର ଓ ପୁଲିସ ଏସଡ଼ିପିଓ ଅଞ୍ଚଳକୁ ଆସି କହି ଯାଇଥିଲେ, ‘ଆସନ୍ତା କାଲି କେହି ପାହାଡ଼କୁ ଯିବେ ନାହିଁ। କିଛି ବିପଦ ଘଟିପାରେ।’ ସ୍ଥାନୀୟ ଲୋକଙ୍କ ପାଇଁ ଏତିକି ସୂଚନା ଯଥେଷ୍ଟ ଥିଲା। ଅଞ୍ଚଳବାସୀ ବୁଝି ଯାଇଥିଲେ ଯେ କିଛି ବିପଦପୂର୍ଣ୍ଣ ଘଟଣା ତାଙ୍କ ଲାଗି ଘଟିବାକୁ ଯାଉଛି। କେନ୍ଦ୍ର ମନ୍ତ୍ରୀ କୁନ୍ଦଲି ରାସ୍ତା ଦେଇ ସେରୁବନ୍ଧ ଉପରକୁ ଉଠିଲେ। ମୁଁ ନିଶ୍ଚିତ ଯେ ସେ କଦାପି କୁନ୍ଦଲିର ସେହି ଝିଅଟିର ଘରକୁ ଯାଇନଥିବେ ଯିଏ ଗଣ ବଳତ୍କାରର ଅଭିଯୋଗ ଆଣିଥିଲେ ଓ ସରକାରଙ୍କ ଅବହେଳାକୁ ସହ୍ୟ କରି ନପାରି ଆତ୍ମହତ୍ୟା କରିଥିଲେ। ତେବେ ମନ୍ତ୍ରୀ ପାହାଡ଼ ଚଢ଼ିବା ଦେଖି ଅଞ୍ଚଳବାସୀ ରାସ୍ତା ଉପରେ ଶୋଇଯାଇଥିଲେ ଯେମିତି କି ମନ୍ତ୍ରୀ ଆଉ ଆଗକୁ ଯାଇ ନପାରନ୍ତି।
ସେରୁବନ୍ଧ ବକ୍ସାଇଟ ପାହାଡ଼ ଉପରେ ଏବେ କେନ୍ଦ୍ର ସରକାରଙ୍କ ପବ୍ଲିକ ସେକ୍ଟର କମ୍ପାନୀ ନାଲକୋର ନଜର। କାରଣ ନାଲକୋ ଅଧୀନସ୍ଥ ପଞ୍ଚପୁଟମାଳୀ ଶେଷ ହେବା ଉପରେ। ୧୯୮୧ ମସିହା ଜୁନ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ନାଲକୋ ପ୍ରକଳ୍ପର ଉଦ୍ଘାଟନ ହୋଇଥିଲା। ଯାହା ସର୍ବଦା କୁହାଯାଇଥାଏ ଏହି ସମସ୍ତ ଆଧୁନିକ ମନ୍ଦିର, ନେହେରୁଙ୍କ ଭାଷାରେ, ଯୋଗୁଁ ସଂପୂର୍ଣ୍ଣ କୋରାପୁଟ ୟୁରୋପର କୌଣସି ଏକ ଉନ୍ନତ ଦେଶର ସମକକ୍ଷ ହୋଇଯିବ, ତାହା ଅଞ୍ଚଳବାସୀଙ୍କୁ ସେ ସମୟରେ କୁହାଯାଇଥିଲା। କିନ୍ତୁ ଫଳାଫଳ ଓଲଟା ଥିଲା। ୨୦୧୧ ମସିହାର ଜନଗଣନା ସମୟରେ ଜଣାପଡ଼ିଲା ଯେ କୋରାପୁଟ ଜିଲ୍ଲାର ୮୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ। ଏହାପରେ ଆଉ ଜନଗଣନା ହୋଇନାହିଁ। କୋରାପୁଟରେ ଜଙ୍ଗଲ କଟିଯିବା ଓ ବର୍ଷାର ମାତ୍ରା କମ ହେବା କାରଣରୁ ଲୋକେ ଦାଦନ ଖଟିବାକୁ ଏବେ ବାହାର ରାଜ୍ୟକୁ ଯାଉଥିବାର ଅନେକ ଦୃଷ୍ଟାନ୍ତ ରହିଛି।
ସମଗ୍ର ଦକ୍ଷିଣ ଓଡ଼ିଶାରେ ସରକାରୀ ହିସାବ (୨୦୦୯) ଅନୁସାରେ ୧୮୪୬ ନିୟୁତ ଟନ ବକ୍ସାଇଟ ଗଚ୍ଛିତ ଅଛି। ପ୍ରତି ବକ୍ସାଇଟ ଟନର ବଜାର ମୂଲ୍ୟ ୨୦୦ରୁ ୩୫୦ ଟଙ୍କା। ତେଣୁ ହିସାବ ଅନୁସାରେ ଅନୁମାନିକ ୬୫ ହଜାର କୋଟି ଟଙ୍କାର ବକ୍ସାଇଟ ଗଚ୍ଛିତ ଅଛି। ଏହାକୁ ଉତ୍ତୋଳନ କରି ବିକିବା ଓ ନିଜର ପ୍ଳାଣ୍ଟରେ ବ୍ୟବହାର କରିବା ଲାଗି ନାଲକୋ ସମେତ ହିଣ୍ଡାଲକୋ, ଆଦିତ୍ୟ ବିର୍ଲା, ବେଦାନ୍ତ ଇତ୍ୟାଦି କମ୍ପାନୀ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିସାରିଲେଣି।
ଏହି ସମସ୍ତ ପ୍ରକଳ୍ପକୁ କୌଣସି ଜାଗାରେ ବିରୋଧ ନହେଉଛି, ତା’ ନୁହେଁ। କିନ୍ତୁ ପୁଲିସ ଓ ଅର୍ଥ ବଳରେ କମ୍ପାନୀମାନେ ଅଞ୍ଚଳକୁ ପ୍ରବେଶ କରିବାରେ ସକ୍ଷମ ହେଉଛନ୍ତି। ଏହା ପଛରେ ପୂର୍ବ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗ ସର୍ବଦା ରହିଆସିଥିଲା। କୋରାପୁଟ ପଞ୍ଚମ ଅନୁଚ୍ଛେଦ ଅଞ୍ଚଳରେ ଆସୁଥିବା ହେତୁ ସମ୍ବିଧାନର ନିୟମ ଅନୁସାରେ ଗ୍ରାମସଭାର ପ୍ରାଥମିକ ଅଧିକାର ରହିଛି। କିନ୍ତୁ ପ୍ରତ୍ୟେକ ଅଞ୍ଚଳରେ ଏପରିକି ସେରୁବନ୍ଧ ଅଞ୍ଚଳରେ ମଧ୍ୟ ବନ୍ଧୁକ ମୁନରେ ଗ୍ରାମସଭା ଆୟୋଜନ କରି ସେଥିରେ କମ୍ପାନୀ ସପକ୍ଷରେ ନିଷ୍ପତ୍ତି ନିଆଯାଇଛି।
ସେଦିନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ମହାଶୟ (ଅଗଷ୍ଟ ୧୦ ତାରିଖ) ଫେରିଆସିବା ଅଥଚ ପୁଲିସ ଦ୍ଵାରା କୌଣସି ଜବରଦସ୍ତି ନହେବା ଆଶ୍ଚର୍ଯ୍ୟର ବିଷୟ ଥିଲା। ଏହି ଜିଲ୍ଲାର ପୁଲିସ ଦିନେ ଯେଉଁଠି ବିରୋଧ କରୁଥିବା ଗ୍ରାମବାସୀଙ୍କ ମଧ୍ୟରେ ଏକ ଆତଙ୍କ ରଚି ଥିଲା ସେ ପୁଣି ନୀରବ କେଉଁଭଳି ରହିଲା? ପୁଲିସ କ’ଣ କେବଳ ପୂର୍ବ ବିଜେଡ଼ି ସରକାରଙ୍କ ନିର୍ଦ୍ଦେଶକୁ ମାନି ସେପରି ଅତ୍ୟାଚାର କରିଥିଲା? ତାହା ଯେ ଆଇନ ଅନୁମୋଦିତ ନଥିଲା ତାହା କଣ ପୁଲିସ ଏ ସରକାର ସମୟରେ ବୁଝିଗଲା? ବର୍ତ୍ତମାନର ବିଜେପି ସରକାରଙ୍କ ଟ୍ରାକ ରେକର୍ଡ କଣ କହୁଛି? ଅନ୍ୟ ରାଜ୍ୟରେ ଏମାନେ ପୁଲିସର ବ୍ୟବହାର ଲୋକଙ୍କ ବିରୁଦ୍ଧରେ କରିଛନ୍ତି କି ନାହିଁ? ଏହିଭଳି ଅନେକ ପ୍ରଶ୍ନ ସ୍ଵାଭାବିକ ଭାବରେ ମନକୁ ଆସୁଛି।
ଗଲା ବର୍ଷ ଦକ୍ଷିଣାଞ୍ଚଳ ଆଇଜିଙ୍କ ଅଧୀନରେ ଥିବା ସମସ୍ତ ଜିଲ୍ଲାରେ କମ୍ପାନୀର ପ୍ରକଳ୍ପକୁ ବିରୋଧ କରିବା କାରଣରୁ ଗିରଫଦାରୀ ଚରମ ସୀମାରେ ପହଞ୍ଚିଯାଇଥିଲା। ଗଲା ବର୍ଷର କେବଳ ଅଗଷ୍ଟ ମାସର ଘଟଣା କ୍ରମକୁ ଉଲ୍ଲେଖ କରୁଛି। ଅଗଷ୍ଟ ପାଞ୍ଚ ତାରିଖ ଦିନ ନିୟମଗିରି ଅଞ୍ଚଳର ଲାଖପଦର ଗ୍ରାମର କୃଷ୍ଣ ସିକକା ଓ ବାରି ସିକକାଙ୍କୁ ସଦା ପୋଷାକଧାରୀ ପୁଲିସ ଲାଞ୍ଜିଗଡ଼ ହାଟ ନିକଟରୁ ଉଠାଇ ନେଇଥିଲେ। ପରେ ବାରୀଙ୍କୁ ଛାଡ଼ିଦେଇଥିଲେ ମଧ୍ୟ କୃଷ୍ଣଙ୍କ ନାମରେ ପୁରୁଣା କେସରେ ଜେଲ ପଠାଇଥିଲେ। ସେ ଏବେ ଜାମିନରେ ଆସିଛନ୍ତି। ଏଠାରେ ଆଦିବାସୀ ବେଦାନ୍ତ କମ୍ପାନୀ ବିପକ୍ଷରେ ଲଢ଼େଇ କରିଆସୁଛନ୍ତି।
ଗଲା ବର୍ଷ ଅଗଷ୍ଟ ୧୬ ତାରିଖ, ସ୍ଵାଧୀନତା ପାଳନର ଠିକ ପରଦିନ, ରାୟଗଡ଼ା ଜିଲ୍ଲା ପୁଲିସ କାଶୀପୁର ବ୍ଲକ ଅନ୍ତର୍ଗତ ‘ସିଜିମାଳି କୁଟୃମାଳି ସୁରକ୍ଷା ସମିତି’ର ୨୧ ଜଣ କର୍ମକର୍ତ୍ତାଙ୍କୁ ଗିରଫ ଦର୍ଶାଇଥିଲେ। ଅଭିଯୋଗ ହେଲା ଯେ ମୈତ୍ରୀ-ବେଦାନ୍ତର ସର୍ଭେ କାମରେ କାଶୀପୁର ଗ୍ରାମବାସୀ ବାଧା ଦେଇଥିଲେ।
କୋରାପୁଟ ଜିଲ୍ଲାରେ ଦେଓମାଳୀ ନିକଟରେ ଅବସ୍ଥିତ ମାଳୀ ପର୍ବତ। ଏଠାରୁ ହିଣ୍ଡାଲକୋ ଖଣି ଉତ୍ତୋଳନ କରିବା ଲାଗି ଆଗ୍ରହୀ ହେବା କାରଣରୁ ରାଜ୍ୟ ସରକାର ଜନଶୁଣାଣି ଆୟୋଜନ କରିଥିଲେ ସେପ୍ଟେମ୍ବର ୨୨, ୨୦୨୧ରେ। ଏହାର ଆୟୋଜନରେ ସରକାରୀ ନିୟମର ଉଲ୍ଲଂଘନ ଅଭିଯୋଗ ନେଇ ଗ୍ରାମବାସୀ ପ୍ରତିବାଦ କରିବାରୁ ସରକାର ଯଦିଓ ଶୁଣାଣିକୁ ବାତିଲ କରିଥିଲେ କିନ୍ତୁ ପରଦିନ ୨୮ ଜଣ ଲୋକଙ୍କୁ ଗିରଫ କରିଥିଲେ। ସେଥିରେ ସେରୁବନ୍ଧ ଅଞ୍ଚଳର ଦୁଇ ଜଣ ଲୋକ ମଧ୍ୟ ଥିଲେ। ଉଭୟ ମାଳୀ ପର୍ବତ ଓ ସେରୁବନ୍ଧକୁ ଉକ୍ତ ଗିରଫଦାରୀ କାରଣରୁ ତଥ୍ୟ ଅନୁସନ୍ଧାନରେ ‘ଗାସ’ ନାମକ ସଂଗଠନ ତରଫରୁ ମୋତେ ଓ କିଛି ସାଥୀଙ୍କୁ ଯିବାକୁ ହୋଇଥିଲା।
ତେବେ ଆଜି ଯେବେ କେନ୍ଦ୍ରମନ୍ତ୍ରୀ ସେହି ପୁଲିସର ଉପସ୍ଥିତିରେ ଫେରିଆସୁଛନ୍ତି ସେତେବେଳେ ସନ୍ଦେହ ଉଠିବା ସ୍ଵାଭାବିକ। ଏମିତି ନୁହେଁ ଯେ ବିଜେପି କର୍ପୋରେଟ ଉପସ୍ଥିତିକୁ ବିରୋଧ କରୁଛି। ଯେଉଁ ଆର୍ଥିକ ସଂସ୍କାର କଂଗ୍ରେସ ଆରମ୍ଭ କରିଥିଲା ତାହାକୁ ବୁଲେଟ ଗତିରେ ପ୍ରୟୋଗ କରିବାର କାର୍ଯ୍ୟ ବିଜେପି କରିଆସିଛି। ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟରେ ଅବସ୍ଥିତ ଖଣିଜ ପଦାର୍ଥ ବହୁଳ ଅଞ୍ଚଳ (ବକ୍ସାଇଟ, ଲୁହାପଥର, କ୍ରୋମାଇଟ, ଚୂନ ପଥର, ଲିଡ ଇତ୍ୟାଦି)କୁ କଂଗ୍ରେସ ନେତୃତ୍ଵାଧୀନ ସରକାର ମାଓବାଦୀ କରିଡର ବା ଲାଲ କରିଡର କହି ଦମନ ଆରମ୍ଭ କରିଦେଇଥିଲେ। ମାଓବାଦୀଙ୍କୁ ଦେଶର ଆଭ୍ୟନ୍ତରୀଣ ଶତୃ ବୋଲି ଆଖ୍ୟା ଦେଇ ଗିରଫ, ହରଣଚାଳ, ଏନକାଉଣ୍ଟର, ଗୃହଦାହ ଭଳି ଅତି ଜଘନ୍ୟ କାଣ୍ଡ ସରକାରୀ ପୁଲିସ ଦ୍ଵାରା କରାଇଥିଲେ। କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରେ ଏହି ସମସ୍ତ ଅଞ୍ଚଳକୁ ଦେଶଦ୍ରୋହୀଙ୍କ କରିଡର ଆଖ୍ୟା ଦେଲାଲା ଓ ସେହି ସମସ୍ତ ଦମନ କୌଶଳ ଅପଣାଇଲେ ଯାହା କଂଗ୍ରେସ କରୁଥିଲା। ଏହି ସମୟରେ ବରଂ ବନ, ପାହାଡ଼ ଜଙ୍ଗଲରେ ବୁଲୁଥିବା ଆଦିବାସୀଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରିବାର ସଂଖ୍ୟା ବଢ଼ିବାରେ ଲାଗିଲା।
ଓଡ଼ିଶାରେ ବିଜୁ ଜନତା ଦଳ ଶାସନରେ ପୁଲିସର ମାତ୍ରାଧିକ କାର୍ଯ୍ୟ ହେତୁ ଅନେକ ଜନଜୀବନ ନଷ୍ଟ ହୋଇଥିଲା। ଦଳର କର୍ପୋରେଟ ନୀତି ଲାଗି ଦକ୍ଷିଣ ଓଡ଼ିଶା ଆକ୍ରମଣର ଲକ୍ଷ୍ୟ ପାଲଟିଥିଲା। ଦଳ ଜାଣିଥିଲା ଯେ ଦକ୍ଷିଣ ଓଡ଼ିଶାରେ ସେମାନେ ବିଶେଷ କିଛି ଭଲ କରିବେ ନାହିଁ। କିନ୍ତୁ ଉପକୂଳ ଓଡ଼ିଶାବାସୀ ଦଳକୁ ନଜିତାଇବା କାରଣରୁ ବିଜୁ ଜନତା ଦଳ ନିର୍ବାଚନରେ ହାରିଯାଇଥିଲା। ଗଲା ବିଧାନସଭା ନିର୍ବାଚନରେ ଯଦିଓ ବିଜେପି କ୍ଷମତାକୁ ଆସିଲା କିନ୍ତୁ ଦକ୍ଷିଣ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କଲା।
ଏହି ସମସ୍ତ ଘଟଣାକୁ ବିଶ୍ଳେଷଣ କଲେ ଆମେ ଏହି ନିଷ୍କର୍ଷରେ ପହଞ୍ଚିପାରିବା ଯେ ନୂତନ ରାଜ୍ୟ ସରକାର ଜାଣିଗଲେ ଯେ ପୁଲିସକୁ ସ୍ଥାନୀୟ ଲୋକଙ୍କ ବିରୁଦ୍ଧରେ ବ୍ୟବହାର କରିବା ଅର୍ଥ ସରକାରୀ ଦଳ ନିଜର ଆସନ ଆଗାମୀ ନିର୍ବାଚନରେ ହରାଇବ। ଦକ୍ଷିଣ ଓଡ଼ିଶାରେ ଅଧିକ ବିଧାନସଭା ସିଟ କଂଗ୍ରେସ ହାତକୁ ଯିବାର ପ୍ରାଥମିକ କାରଣ ହେଲା ପୁଲିସର ବଳପ୍ରୟୋଗ ଦ୍ଵାରା କମ୍ପାନୀ ଲାଗି ଜମି ଅଧିଗ୍ରହଣ ପୂର୍ବ ସରକାର ଦ୍ଵାରା କରାଯିବା। ଲୋକଙ୍କ ମାନସିକତା ବିରୁଦ୍ଧରେ କାର୍ଯ୍ୟ କଲେ କ୍ଷମତାରୁ ଅପସାରିତ ହେବାକୁ ଯେ ବେଶି ସମୟ ଲାଗିନଥାଏ ଏହା ବିଜୁ ଜନତା ଦଳର ସ୍ଥିତିରୁ ପ୍ରମାଣିତ। ବୋଧହୁଏ ଏହି କଥା ନୂତନ ଭାବରେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି ଅନୁଭବ କରିଛି। ତେଣୁ ସେମାନେ ବିଜୁ ଜନତା ଦଳର ଭୁଲକୁ ଦୋହରାଇବା ଲାଗି ଚାହିଁଲେ ନାହିଁ। ପୁଲିସର ବିନା ବଳପ୍ରୟୋଗରେ ମନ୍ତ୍ରୀ ନାଲକୋ ଲାଗି ଭୂମିପୂଜା ନକରି ଫେରିଆସିଲେ।
ମୋବାଇଲ - ୯୪୩୭୭୬୨୨୭୨