ଜାନକୀଶ ବଡ଼ପଣ୍ଡା
ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ହିନ୍ଦୁ ଦେବାଦେବୀ ମନ୍ଦିର ମଧ୍ୟକୁ ପ୍ରତ୍ୟେକ ଦିନ ଦର୍ଶନାର୍ଥୀ ଭକ୍ତଗଣ ବହୁସଂଖ୍ୟାରେ ପ୍ରବେଶ କରନ୍ତି ଓ ପୂଜା, ଅର୍ଚ୍ଚନା, ଦର୍ଶନ ସୁଯୋଗ ଲାଭ କରି ନିଜ ଜୀବନକୁ ଧନ୍ୟ ମନେକରନ୍ତି। ସେଥିପାଇଁ ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଦେବାଳୟ ଖୋଲିବା ପରେ ପରେ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଯାଏ। ପ୍ରତ୍ୟେକ ଦିନର ନିର୍ଦ୍ଧାରିତ ନୀତି, ସମୟ ନିର୍ଘଣ୍ଟ ଅନୁସାରେ ଆଗେଇ ଚାଲେ - ବିଳମ୍ବିତ ରାତ୍ରିରେ ଠାକୁରଙ୍କ ପହୁଡ଼ ପଡ଼ିବା ପର୍ଯ୍ୟନ୍ତ। ଠାକୁରଙ୍କ ନିତ୍ୟକର୍ମ, ସ୍ନାନ, ବେଶ, ଆଳତି ଏବଂ ଭୋଗ ଚାଲିଥାଏ ପାରମ୍ପରିକ ଢଙ୍ଗରେ ଓ ତାହାର ଭିତରେ ଥାଏ ନିର୍ଦ୍ଦିଷ୍ଟ ସମୟର ଦର୍ଶନ ବ୍ୟବସ୍ଥା। କିଛି ଗୁପ୍ତ ନୀତି ପାଳନ କାଳରେ ଗୋପନୀୟତା ଆବଶ୍ୟକ ଥିବାରୁ, ସର୍ବସାଧାରଣ ଦର୍ଶନ ମନା ହୋଇଥାଏ। ସେଥିପାଇଁ, ଦୂର ଦୂରାନ୍ତରୁ ଆସିଥିବା ବହୁ ଭକ୍ତ ସୀମିତ ଅବଧିରେ ଦର୍ଶନ ସାରି ଲେଉଟିବାକୁ ଉଚ୍ଛନ୍ନ ହୁଅନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭକ୍ତମାନେ ଦୀର୍ଘ ସମୟ ପାଇଁ ଧାଡି ବାନ୍ଧି ଅପେକ୍ଷା କରୁଥିଲେ ବି ଶ୍ରୀଜଗନ୍ନାଥ ମନ୍ଦିରରେ ଦେବ ଦର୍ଶନ ପାଇଁ ବିଭିନ୍ନ ପ୍ରକାର ପ୍ରୟୋଗ ସତ୍ତ୍ୱେ, ନାଟମନ୍ଦିର ଠାରୁ ଗର୍ଭଗୃହ ଯାଏଁ ଗହଳି ଲାଗି ରହୁଥିବାର ଲକ୍ଷ୍ୟ କରାଯାଉଛି। ଏଥିରେ ଶିଶୁ, ମହିଳା ଓ ବୟସ୍କମାନେ ଅସୁବିଧା ଭୋଗ କରୁଥିବାର ଅଭିଯୋଗ ହେଉଛି, ଯାହାର ସମାଧାନ ପାଇଁ ସିଧାସଳଖ ଟେଲିଭିଜନ ପ୍ରସାରଣ ବିଷୟରେ ମଧ୍ୟ ଚିନ୍ତା କରିବାକୁ ଦେଶ ଓ ବିଦେଶରେ ରହୁଥିବା ଭକ୍ତଗଣ ଦାବି କରୁଛନ୍ତି।
ସିଧାସଳଖ ଟେଲିଭିଜନ ପ୍ରସାରଣର ଅନେକ ସୁବିଧା। ଭକ୍ତମାନେ ଦୂରଦୂରାନ୍ତରେ ରହି ପ୍ରତ୍ୟେକ ଦିନର ନିର୍ଦ୍ଧାରିତ ଦର୍ଶନ କରିପାରିବେ। ଯେଉଁମାନେ, ବୟସାଧିକ୍ୟ କାରଣରୁ ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ରକୁ ଯାତ୍ରାକରିବାକୁ ଅକ୍ଷମ କିମ୍ବା ରୋଗଗ୍ରସ୍ତ, ସେମାନେ ଶାରୀରିକ ଭାବରେ ନ ହେଲେବି ମାନସିକ ଭାବେ ଦେବଦର୍ଶନର ଦୁର୍ଲଭ ସୁଯୋଗ ପାଇ ପାରିବେ। ପ୍ରତ୍ୟହ ଏଭଳି ପ୍ରସାରଣ କରାଗଲେ, ଶ୍ରୀମନ୍ଦିର ପରିଚାଳନାରେ ସ୍ୱଚ୍ଛତା ବୃଦ୍ଧି ହେବା ସହିତ ଧାର୍ମିକ ରୀତିନୀତି ରକ୍ଷା କରି ପାଳିଆ ସେବକଗଣ ସମୟ ସାରଣୀ ମାନି ସମସ୍ତ ନୀତିକାନ୍ତି ସାରିବାକୁ ପ୍ରୋତ୍ସାହିତ ହେବେ। ବଡ଼କଥା ହେବ ଯେ, ମନ୍ଦିର ଭିତରେ ଅତ୍ୟଧିକ ଗହଳି ହ୍ରାସ ହେବା ସହିତ ଭକ୍ତଗଣ ନିଜ ଆଡୁ ଶୃଙ୍ଖଳିତ ହେବେ, ଠେଲାପେଲା ନକରି ଧାଡ଼ିରେ ଯାଇ ଦର୍ଶନ କରି ପରମ ଆନନ୍ଦରେ ଘରକୁ ଫେରିବେ। ଯେଉଁମାନେ, କେବଳ ଗହଳି ଓ ଭିଡ଼ ଭିତରେ ନପଶିବା ପାଇଁ ଶ୍ରୀମନ୍ଦିର ଯାଉ ନଥିଲେ, ସେମାନେ ଦର୍ଶନ କରିବାକୁ ଆଗ୍ରହୀ ହେବେ। ଜଗତର ନାଥ ବୋଲାଉଥିବା କାଳିଆ ଠାକୁର ଜଗତର ସମସ୍ତ ମଣିଷଙ୍କ ପାଇଁ ଉପଲବ୍ଧ ହୋଇ ପାରିବେ। ସଭିଏଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ବାରଯାତ୍ରା, ତେରପର୍ବରେ ନିଜକୁ ପରୋକ୍ଷରେ ସାମିଲ୍ କରି ବିଭୁକୃପା ପାଇବାର ସ୍ୱର୍ଗୀୟ ଆନନ୍ଦ ଲାଭ କରିବେ।
କାଳିଆ ସାଆନ୍ତ ଓଡ଼ିଆଙ୍କ ପରିଚୟ। ଓଡ଼ିଆ ଅସ୍ମିତା ଜଗନ୍ନାଥ ସଂସ୍କୃତିକୁ ନେଇ ରୁଦ୍ଧିମନ୍ତ। ଜଗନ୍ନାଥ ସଂସ୍କୃତିକୁ କେବଳ ସର୍ବଭାରତୀୟ ସ୍ତର ନୁହେଁ, ବରଂ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଆମକୁ ଉଦ୍ୟମ କରିବାକୁ ପଡ଼ିବ। ଆମେ ଜାଣୁ ଯେ, ଭାରତୀୟ ସଂସ୍କୃତି, କଳା, ସାହିତ୍ୟ ତଥା ଜୀବନଶୈଳୀ ପ୍ରତି ବିଦେଶୀମାନେ ଯେତିକି କୌତୁହଳୀ ତାହାଠାରୁ ଅଧିକ ଆକର୍ଷିତ। ବସୁଧୈବ କୁଟୁମ୍ବକମ୍ ଦର୍ଶନରେ ବିଶ୍ୱାସୀ ଭାରତୀୟ, ବିଶେଷ କରି ଓଡ଼ିଶାବାସୀଙ୍କ ଦାରୁ ଦେବତା ଜଗନ୍ନାଥ ଦର୍ଶନ କରିବାକୁ ଯୁଗେ ଯୁଗେ ମହାପୁରୁଷଙ୍କୁ ଆକର୍ଷିତ କରି ଆସିଛି ଶ୍ରୀକ୍ଷେତ୍ର। କିନ୍ତୁ ସମସ୍ତେ ଦର୍ଶନ କରି ପାରିନାହାନ୍ତି। ପରମ୍ପରା ବାଧକ ସାଜିଛି। ସେହି ପରମ୍ପରାକୁ ସମ୍ମାନ ଜଣାଇ ସିଂହଦ୍ୱାର ପ୍ରବେଶ ପଥର ବାମପଟ କାନ୍ଥରେ ୧୮୦୫ ମସିହାରେ ତତ୍କାଳୀନ ବଡଲାଟ୍ ଲର୍ଡ଼ ୱେଲସଲିଙ୍କ ଦସ୍ତଖତ ସମ୍ବଳିତ ଆଦେଶନାମା : None, but orthodox Hindus are only allowed to enter into the Temple ଲିପିବଦ୍ଧ ହୋଇଥିଲା। ଆବହମାନ କାଳରୁ କେବଳ ପାରମ୍ପରିକ ହିନ୍ଦୁମାନେ ହିଁ ମନ୍ଦିର ପ୍ରବେଶ ଓ ଦର୍ଶନ ସୁବିଧା ପାଆନ୍ତି ଏବଂ ସ୍ନାନ ପୂର୍ଣିମା ଓ ରଥଯାତ୍ରା ସମୟରେ ସଭିଏଁ ବଡ଼ଦାଣ୍ଡରେ ରହି ଦର୍ଶନ କରି ଆସୁଛନ୍ତି। ଠାକୁରଙ୍କ ବିଭିନ୍ନ ମନୋହର ବେଶ ଦର୍ଶନ ସୁଯୋଗରୁ ସମସ୍ତ ଅଣହିନ୍ଦୁ ଓ ଅନେକ ହିନ୍ଦୁଶ୍ରଦ୍ଧାଳୁ ମଧ୍ୟ ବଞ୍ଚିତ ହେଉଛନ୍ତି। ତାହାର ସୁଯୋଗ ନେଇ ଇସ୍କନ ସମେତ କିଛି ଧାର୍ମିକ ସଂସ୍ଥା ଶ୍ରୀଜଗନ୍ନାଥ ସଂସ୍କୃତିକୁ ନିଜ ଇଚ୍ଛା ଅନୁସାରେ ମୋଡ଼ିମକଚି ଦେଉଥିବାର ଦୁଃସାହସ କରୁଛନ୍ତି। ବୈଷୟିକ ତଥା କୌଶଳଗତ ବିକାଶ ସତ୍ତ୍ୱେ ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟ ଓ ପ୍ରବାସୀ ଭାରତୀୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଗୁରୁତ୍ୱପୂର୍ଣ୍ଣ ନୀତି, ପୂଜା ଏବଂ ପର୍ବପର୍ବାଣୀ ସହିତ ନିଜକୁ ସାମିଲ କରିବାରେ ଅସୁବିଧା ଭୋଗୁଛନ୍ତି।
କୋଭିଡ୍ ମହାମାରୀ ଭଳି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସିଧାସଳଖ ଟେଲିଭିଜନ ପ୍ରସାରଣ ଭକ୍ତମାନଙ୍କୁ ସେମାନଙ୍କର ଧାର୍ମିକ ପ୍ରଥା ଓ ପରମ୍ପରା ସହିତ ଯୋଡ଼ିହୋଇ ରହିବା ପାଇଁ ସୁଯୋଗ ପ୍ରଦାନ କରିଥାଏ। କୋଭିଡ୍ କଟକଣା, ଫନୀ ବାତ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ଶ୍ରୀମନ୍ଦିର ମଧ୍ୟକୁ ଭକ୍ତଙ୍କ ଆଗମନ ବନ୍ଦ ଥିବା ସତ୍ତ୍ୱେ ବିଭିନ୍ନ ନିଯୋଗର ସେବକମାନେ ଯେଭଳି ସମର୍ପିତ ଭାବନା ସହ ଠାକୁରଙ୍କ ସମସ୍ତ ନୀତିକାନ୍ତି ଚଳାଇ ରଖିଥିଲେ ତାହା ଅନନ୍ୟ। ଏପରି ଅନନ୍ୟ ଦୃଶ୍ୟଗୁଡ଼ିକୁ ଲିପିବଦ୍ଧ କରିବା, ପ୍ରସାରିତ କରିବାର ଯେ କେତେ ଆବଶ୍ୟକତା ରହିଛି, ତାହା ନିଶ୍ଚୟ ଅନୁଧ୍ୟାନର ବିଷୟ। ଶ୍ରୀ ଜଗନ୍ନାଥ ସଂସ୍କୃତିର ମହନୀୟତା, ସେବକମାନଙ୍କ ସମର୍ପଣ ଭାବନାକୁ ସ୍ୱଚକ୍ଷୁରେ ଦେଖିଲେ, କେହି କ’ଣ ସେମାନଙ୍କୁ ଅସମ୍ମାନ କରିବାକୁ ଚାହିଁବ!
ଠାକୁରଙ୍କ ଦୈନିକ ତଥା ବିଶେଷ ରୀତିନୀତିଗୁଡ଼ିକର ଦୃଶ୍ୟ ଲିପିବଦ୍ଧ କରି ଆଗାମୀ ପିଢ଼ିପାଇଁ ସାଇତି ରଖିବା ଏବଂ ପ୍ରସାରଣ କରା ନଗଲେ, କାଳକ୍ରମେ ଏକ ପ୍ରବହମାନ ସଂସ୍କୃତିର ଅବକ୍ଷୟ ଘଟିଥାଏ ଏବଂ ରକ୍ଷଣଶୀଳ ହିନ୍ଦୁ ପରମ୍ପରା କ୍ରମଶଃ କର୍ପୂର ଉଡ଼ିଯାଇଥିବା କନା ଭଳି ଅଲୋଡ଼ା ହୋଇଯାଏ। ସେଥିପାଇଁ, ଛତିଶା ନିଯୋଗ ଏହି ପ୍ରସଙ୍ଗରେ ଆଗେଇ ଆସି ସିଧା ପ୍ରସାରଣକୁ ସ୍ୱାଗତ କରିବା ଉଚିତ ହେବ। ସେମାନଙ୍କ ଜୀବନ ବ୍ୟାପି ସାଧନା ଓ ଉପଲବ୍ଧି ସବୁ ଲିପିବଦ୍ଧ କରିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିବା ନିହାତି ଆବଶ୍ୟକ। ନିଜର ସମର୍ପିତ କର୍ତ୍ତବ୍ୟନିଷ୍ଠା ଓ ସାଧନା ସତ୍ତ୍ୱେ କାଳେକାଳେ ସେବକମାନଙ୍କୁ ମିଳି ଆସିଥିବା ଲାଂଛନା ଓ ଅପନିନ୍ଦାକୁ ପ୍ରଶଂସାରେ ବିବର୍ତ୍ତିତ କରିବା ପାଇଁ ଯେ ସିଧା ପ୍ରସାରଣ ଏକ ବଳିଷ୍ଠ ମାଧ୍ୟମ, ଏହା ସେବକମାନେ ବୁଝିପାରିବେ, ଏଭଳି ଆଶା ଓ ବିଶ୍ୱାସ ରହିଛି।
ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରୁଥିବା ଶ୍ରଦ୍ଧାଳୁ ଭକ୍ତଗଣ କିଭଳି ଶୃଙ୍ଖଳା ମାନି ଉପଯୁକ୍ତ ପୋଷାକ ପରିଧାନ କରି ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ କରୁଛନ୍ତି, ତାହା ବିଶ୍ୱବାସୀ ଦୂରରେ ଥାଇ ବି ଦର୍ଶନ କରିବାର ସୁବିଧା ପାଇଲେ, ସମସ୍ତେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପ୍ରତି ଯତ୍ନବାନ ହେବା ସୁନିଶ୍ଚିତ। କୁହାଯାଉଛି ଯେ ଶ୍ରୀମନ୍ଦିରରେ ଭିଡ଼ ନହେବା ପାଇଁ ଉଷା କାଳର ନିର୍ଧାରିତ ସମୟରେ ଦ୍ୱାରଫିଟା ନୀତି ଆରମ୍ଭ ହେବା ଅତ୍ୟାବଶ୍ୟକ। ତାହା ପରେ ଯଥାକ୍ରମେ ଭିତର ଶୋଧ, ମଙ୍ଗଳଆଳତୀ,ମଇଲମ ଓ ତଡ଼ପଲାଗି ଏବଂ ଅବକାଶ ପରେ ବେଶ କରାଯାଏ ବିଗ୍ରହମାନଙ୍କୁ। ଏହା ପରେ ସାହାଣ ମେଲା ଦର୍ଶନ ସୁଯୋଗ ପାଆନ୍ତି ଭକ୍ତ। ମଝିରେ ମଝିରେ କିଛି ସମୟ ପାଇଁ ଦର୍ଶନ ବନ୍ଦ କରାଯାଇ ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ ଭଳି କିଛି ଗୁପ୍ତ ନୀତି ପାଳନ କରାଯାଉ ଥିବାରୁ ଟେଲିଭିଜନ ମାଧ୍ୟମରେ ସିଧା ପ୍ରସାରଣ କରାନଯାଇ, ସେହି ସମୟରେ ଜଗନ୍ନାଥ ସଂସ୍କୃତିର ମହାନୀୟତା ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପ୍ରଚାର ପ୍ରସାର କରାଗଲେ ସଭିଏଁ ପରମ ଆହ୍ଲାଦରେ ଶ୍ରୀମନ୍ଦିର ସହ ଯୋଡ଼ି ହୁଅନ୍ତେ। ଫଳରେ ଶ୍ରୀମନ୍ଦିରକୁ ଅଧିକ ଭକ୍ତ ଆସି ଦର୍ଶନ କରିବା ସହିତ, ଓଡ଼ିଶାର ବିପୁଳ ପର୍ଯ୍ୟଟନ ସମ୍ଭାରକୁ ମଧ୍ୟ ଉପଭୋଗ କରିପାରନ୍ତେ। ସିଧା ପ୍ରସାରଣ କାଳରେ ଭକ୍ତ ଓ ସେବକମାନଙ୍କ ଶୃଙ୍ଖଳା, ଦାୟିତ୍ୱବୋଧ, ନିଷ୍ଠାପରତା ସନ୍ଦର୍ଶନ କରି ଭକ୍ତିଭାବରେ ତଲ୍ଲୀନ ହୋଇପାରନ୍ତେ। ସଭିଙ୍କୁ ନିଜର ଦାୟିତ୍ୱବୋଧ ବିଷୟରେ ସଚେତନ ତଥା ନିଷ୍ଠାପର କରିବା ପାଇଁ ସିଧା ପ୍ରସାରଣ ନିଶ୍ଚିତ ଭାବେ ସହାୟକ ହେବ। କିଛି ବି ଅଘଟଣ ଓ ବିଶୃଙ୍ଖଳା ଘଟିଲେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ପାରନ୍ତା। କିଛି ସମୟ ସିଧା ପ୍ରସାରଣକୁ ବନ୍ଦ ରଖାଗଲେ ବି ସମସ୍ତ ବିବରଣୀ ଲିପିବଦ୍ଧ ହୋଇ ରହିଯାଆନ୍ତା; ଯାହା ପରେ କାର୍ଯ୍ୟାନୁଷ୍ଠାନ ନେବାବେଳେ ସହାୟକ ହୁଅନ୍ତା। ଭିଡ଼ ବଢ଼ିଗଲେ ଉଚ୍ଚ କର୍ତ୍ତୃପକ୍ଷ ତ୍ୱରିତ ନିର୍ଦ୍ଦେଶ ଦେଇ ନିୟନ୍ତ୍ରଣ କରିପାରନ୍ତେ। ବିଭିନ୍ନ ସ୍ଥାନରେ କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ କ୍ୟାମେରା ଲଗାଗଲେ ସନ୍ତ୍ରାସବାଦୀଙ୍କ ଅନୁପ୍ରବେଶ ରୋକାଯିବା ସମ୍ଭବ ହେବା ସହିତ ଯାତ୍ରୀଙ୍କ ଗଣତି ସମ୍ଭବ ହୁଅନ୍ତା। କେତେ ଲୋକ ପ୍ରବେଶ ଓ ପ୍ରସ୍ଥାନ କରୁଛନ୍ତି କେଉଁ ସମୟରେ ଅଧିକ ଭିଡ଼ ରହୁଛି, ତାହାର ପରିସଂଖ୍ୟାନ ତଥ୍ୟ ସଂଗ୍ରହ କରାଯାଇ ବ୍ୟବସ୍ଥାଗତ ସଂଶୋଧନ କରାଯାଇ ପାରନ୍ତା।
ସନାତନ ଧର୍ମର ମହାନତା ତଥା ବ୍ୟାପକତା ପ୍ରତିପାଦିତ କରିବା ପାଇଁ ଦୂରଦର୍ଶନ ଭଳି ପ୍ରସାର ଭାରତୀ ନିୟନ୍ତ୍ରିତ ଗଣମାଧ୍ୟମ - ବିଶେଷକରି ଟେଲିଭିଜନର ଗୁରୁଦାୟିତ୍ୱ ରହିଛି। ପ୍ରସାରଣ ଦାୟିତ୍ୱ ନିର୍ବାହ କଲାବେଳେ ଭାଷ୍ୟକାରମାନେ ଶ୍ରୀମନ୍ଦିର ଇତିହାସ, ଐତିହ୍ୟ, ପରମ୍ପରା ଏବଂ ରୀତିନୀତି ଇତ୍ୟାଦିର ଉପଯୁକ୍ତ ବ୍ୟାଖ୍ୟା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମାନ ଢଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଜସ୍ୱ ବ୍ୟବସ୍ଥା କରାଯାଇ ପ୍ରସାରଣ ଅଧିକାର ବିଭିନ୍ନ ଘରୋଇ ଓ ସାମାଜିକ ଗଣମାଧ୍ୟମ ସଂସ୍ଥାମାନଙ୍କୁ ଦିଆଯାଇ ପାରିବ। ଧାର୍ମିକ ମାନସିକତାକୁ ପ୍ରୋତ୍ସାହିତ କରି ହିନ୍ଦୁ ରୀତିନୀତି ଏବଂ ପରମ୍ପରା ବିଷୟରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା ଅତୀବ ଆବଶ୍ୟକ।
ମନ୍ଦିର ଭିତରେ ସମବେତ ଭକ୍ତଙ୍କ ଭକ୍ତିପୂର୍ଣ୍ଣ ଭାବନାକୁ ସମ୍ମାନ ଦେବା ପାଇଁ ତଥା ନୀତିକାନ୍ତିର ଗୋପନୀୟତା ରକ୍ଷା କରିବା ପାଇଁ କ୍ୟାମେରା ଲଗାଇଲାବେଳେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ଅନୁମତି ସହିତ, ମନ୍ଦିରର ମୁଖ୍ୟ ପୁରୋହିତ, ନୀତି ପ୍ରଶାସକ, ଏଏସ୍ଆଇ ମୁଖ୍ୟ ଏବଂ ଛତିଶାନିଯୋଗ ପ୍ରତିନିଧିଙ୍କ ମତନେବା ଉଚିତ ହେବ। କ୍ୟାମେରା ରହିବାର ସ୍ଥାନ ନିରୁପଣ ହେବା ପରେ ସିଧା ପ୍ରସାରଣ କରାଯିବା ପୂର୍ବରୁ ଏହାର ସମ୍ଭାବ୍ୟ ଅପବ୍ୟବହାର, ଭୁଲ ଉପସ୍ଥାପନାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ହେବ। ଆମଦେଶର ଅନେକ ପୁରାତନ ଓ ନୂତନ ହିନ୍ଦୁ ମନ୍ଦିରମାନଙ୍କରେ ପୂର୍ବରୁ ସିସିଟିଭି ପାଇଁ ଭିତ୍ତିଭୂମି ନିର୍ମାଣ ସରି ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିବାରୁ ବୈଷୟିକ ଭିତ୍ତିଭୂମି ଅଛି ବୋଲି କହିହେବ। ଦର୍ଶକଙ୍କ ପାଇଁ ସୁଗମ ଦର୍ଶନ ଅଭିଜ୍ଞତା ପ୍ରଦାନ କରିବାକୁ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସଂଯୋଗ ଏବଂ ଉଚ୍ଚ-ଗୁଣାତ୍ମକ ଭିଡିଓ ପ୍ରସାରଣ ବ୍ୟବସ୍ଥା, ଆବଶ୍ୟକ କୁଶଳୀ ବୈଷୟିକ ମାନବ ସମ୍ବଳ ରହିଛି।
ଏହା ସତ୍ୟ ଯେ, ଅନେକ ପ୍ରାଚୀନ ମନ୍ଦିରରେ ବାରମ୍ବାର ଲୁଟତରାଜ ହୋଇଥିଲେ ବି ମନ୍ଦିର ସମ୍ପତ୍ତିର ସୁରକ୍ଷା ପାଇଁ ଆଜି ଯାଏଁ ସିସି ଟିଭି ଲଗାଯାଇ ପାରୁନାହିଁ। ପଦ୍ମନାଭ ସ୍ୱାମୀ ମନ୍ଦିର ଏହାର ଏକ ଉଦାହରଣ। ଠାକୁରଙ୍କ ସମ୍ମାନ, ଗୋପନୀୟତା ଓ ପବିତ୍ରତା ରକ୍ଷା ସହିତ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶକୁ ଅକ୍ଷୁଣ୍ଣ ରଖିବାକୁ ଏପରି ରକ୍ଷଣଶୀଳ ବ୍ୟବସ୍ଥା ରହିଆସିଛି। ଅନ୍ୟତମ କାରଣ ହେଲା, ପରିବର୍ତ୍ତନ ପ୍ରତି ଅନାଗ୍ରହ। ଆଧୁନିକତାକୁ ବିରୋଧ କରାଯିବା ଓ ଅନାବଶ୍ୟକ ହୋଇଥାଉ ପଛେ, ପରମ୍ପରା ବ୍ୟତିକ୍ରମ ନକରିବାର ଟାଣପଣ ଅନେକ କ୍ଷେତ୍ରରେ ସିସି ଟିଭି, ସିଧା ପ୍ରସାରଣ ଭଳି ପରିବର୍ତ୍ତନକୁ ନିରୁତ୍ସାହିତ କରିଥାଏ। ଶ୍ରୀକ୍ଷେତ୍ରରେ ବିଜୁଳି ଆଲୁଅ କେବେଠୁ ଆସିଥିଲେ ମଧ୍ୟ ଶ୍ରୀମନ୍ଦିର ଭିତରକୁ ବିଜୁଳି ଆଲୁଅ ପ୍ରବେଶ କରିପାରିଥିଲା ୧୯୬୬ ମସିହାରେ, ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ। ସେତେଦିନ ଯାଏଁ ଦୀପ ଆଲୁଅରେ ଠାକୁରଙ୍କ ଦର୍ଶନ ମିଳୁଥିଲା। ୧୯୯୪ ମସିହା ନାଗାର୍ଜୁନ ବେଶ ସମୟରେ ଦଳାଚକଟା ପରେ ହିଁ ମନ୍ଦିର ଭିତରକୁ ୱାକିଟକି ଯାଇପାରିଲା। ଅନେକେ, ବିଭିନ୍ନ ଧର୍ମଶାସ୍ତ୍ର ଆଧାରରେ ‘ଛବି-ଦର୍ଶନ’ ନୁହେଁ; ସାକ୍ଷାତ ଦର୍ଶନ ହିଁ ଦର୍ଶନ ପଦବାଚ୍ୟ କହି, ସିଧା ପ୍ରସାରଣକୁ ବିରୋଧ କରୁଥିବାର ଦେଖାଯାଏ। ଏସବୁ କେବଳ ଭବିଷ୍ୟତରେ ରୋଜଗାର କମିଯିବା ଆଶଙ୍କାରୁ ସୃଷ୍ଟ ବିରୋଧ ବୋଲି କହିହେବ।
ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତି ଓ ପରମ୍ପରାରେ ଯେଉଁମାନେ ସାମାନ୍ୟତମ ପରିବର୍ତ୍ତନ ବରଦାସ୍ତ କରିବାକୁ ଖଡ଼ଗହସ୍ତ, ସେମାନେ ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ଓ ନୂଆବର୍ଷ ଦିନ କାହିଁକି ଦିଅଁଙ୍କୁ ଶୟନ କରିବାକୁ ଦିଅନ୍ତି ନାହିଁ? ସେବକଙ୍କ ଆଚରଣ, ଉଚ୍ଚାରଣ ଓ ଧାର୍ମିକ ଭାବାବେଗ ଅରାଜକତାରେ ରୂପାନ୍ତରିତ ହୋଇ ଚାଲିଛି। ଏଥିରେ କେବଳ ଲହୁ ଲୁହାଣ ହେଉଛି ଓଡ଼ିଶାର ଅସ୍ମିତା ଓ ସେବକ ସମାଜର ନିଷ୍ଠା ଓ ସମର୍ପିତ ପୂର୍ବ-ଇତିହାସ। ଆମର ଆଧ୍ୟାତ୍ମିକତାର ମୂଳପୀଠ ବିଶୃଙ୍ଖଳା ଓ ଅରାଜକତାର ପ୍ରାଣକେନ୍ଦ୍ର ବୋଲି ଏକ ବାର୍ତ୍ତା ବିଶ୍ଵବାସୀଙ୍କ ପାଖକୁ ଯାଇଛି। ଏଭଳି ବାର୍ତ୍ତାକୁ ବଦଳାଇ ଜଗନ୍ନାଥମୟ କରିବା ପାଇଁ ଶ୍ରୀମନ୍ଦିର ମଧ୍ୟରୁ ସିଧାସଳଖ ଟେଲିଭିଜନ ପ୍ରସାରଣ ବୋଧହୁଏ ସର୍ବଶ୍ରେଷ୍ଠ ପଦକ୍ଷେପ। ସମସ୍ତେ ଏହାକୁ ସ୍ୱାଗତ କରିବା ଉଚିତ ହେବ।
ଫୋ- ୯୪୩୮୨୯୯୦୩୭